ନୋଟ୍ରେ ଡାମ୍

ଉଇକିପିଡ଼ିଆ ରୁ
Jump to navigation Jump to search
ନୋଟ୍ରେ ଡାମ୍ ଡି ପାରି ବା ନୋଟ୍ରେ ଡାମ୍ (Cathédrale Notre-Dame de Paris)
ସାଇନ୍ ନଦୀରେ ନୌକାବିହାର କରିବା ସମୟରେ ଦେଖାଯାଉଥିବା ନୋଟ୍ରେ ଡାମ୍‍ର ପୂର୍ବ ପଟ
ସାଇନ୍ ନଦୀରେ ନୌକାବିହାର କରିବା ସମୟରେ ଦେଖାଯାଉଥିବା ନୋଟ୍ରେ ଡାମ୍‍ର ପୂର୍ବ ପଟ

ନୋଟ୍ରେ ଡାମ୍ ଡି ପାରି (Notre-Dame de Paris – ଏହି ଫରାସୀ ନାମର ଶବ୍ଦାର୍ଥ ହେଲା “ପ୍ୟାରିସ୍‍‍ସ୍ଥିତ ଆମ ମହିଳା”) ବା ନୋଟ୍ରେ ଡାମ୍ ଫ୍ରାଂସ୍‍ର ପ୍ୟାରିସ୍‍ରେ ଥିବା ଏକ ମଧ୍ୟଯୁଗୀୟ କ୍ୟାଥୋଲିକ୍ ଗୀର୍ଜାଘର ।[୧] ଏହି ଗୀର୍ଜାଘର ଫରାସୀ ଗୋଥିକ୍ ସ୍ଥାପତ୍ୟ କଳାର ଏକ ଶ୍ରେଷ୍ଠ ନିଦର୍ଶନ ରୂପେ ପରିଗଣିତ ହୁଏ । ଫ୍ରାଂସ୍ ତଥା ବିଶ୍ଵର ପ୍ରଖ୍ୟାତ ଗୀର୍ଜାଘରମାନଙ୍କ ମଧ୍ୟରୁ ଏହା ଅନ୍ୟତମ । ଗୀର୍ଜା କାନ୍ଥରେ ତିଆରି ହୋଇଥିବା ଜୀବନ୍ତ ସଦୃଶ ପ୍ରତିମୂର୍ତ୍ତି ଓ କାଚର ଝରକାରେ ହୋଇଥିବା ଚିତ୍ରକଳା ଯୋଗୁଁ ଏହା ରୋମାନ୍ ସ୍ଥାପତ୍ୟ କଳାଠାରୁ ଭିନ୍ନ । ନୋଟ୍ରେ ଡାମ୍ ଗୀର୍ଜାଘରର ଦୈର୍ଘ୍ୟ ପ୍ରାୟ ୧୨୮ ମିଟର୍ (୪୨୦ ଫୁଟ୍), ପ୍ରସ୍ଥ ପ୍ରାୟ ୪୮ ମିଟର୍ (୧୫୭ ଫୁଟ୍) ଓ ଏଥିରେ ୧୦ଟି ଘଣ୍ଟି ରହିଛି ।

ନୋଟ୍ରେ ଡାମ୍ ହେଉଛି ପ୍ୟାରିସ୍‍ର ପ୍ରମୁଖ ପାଦ୍ରୀଙ୍କ ଗୀର୍ଜାଘର ଓ ବର୍ତ୍ତମାନ କାର୍ଡିନାଲ୍ ଆଣ୍ଡ୍ରେ ଭିଣ୍ଟ୍-ଟ୍ରୋଏ ଏହାର ମୁଖ୍ୟ ପାଦ୍ରୀ ପଦବୀରେ ଅଧିଷ୍ଠିତ ।[୨] ଏହି ଗୀର୍ଜାଘରର କୋଶଗୃହରେ କ୍ୟାଥୋଲିକ୍ ଖ୍ରୀଷ୍ଟଧର୍ମର କିଛି ପ୍ରତୀକ ଯଥା - କଣ୍ଟକ ମୁକୁଟ (ଯୀଶୁଙ୍କୁ କୃଶବିଦ୍ଧ କରାଯିବା ବେଳେ ଏକ କଣ୍ଟକମୟ ପଗଡ଼ି ପିନ୍ଧା ଯାଇଥିଲା । ତାହାର ସ୍ମୃତିରେ ଏକ କଣ୍ଟକ ମୁକୁଟ ନିର୍ମାଣ କରି ରଖାଯାଇଛି ।), ଯୁକ୍ତ ଚିହ୍ନ କାଠର ଏକ ଅଂଶ ଓ ଏକ ପବିତ୍ର କଣ୍ଟା ଇତ୍ୟାଦି ରଖାଯାଇଛି ।

୧୭୯୦ ଦଶନ୍ଧିରେ ଫରାସୀ ବିପ୍ଳବ ସମୟରେ ନୋଟ୍ରେ ଡାମ୍‍ର ଅନେକ ଧାର୍ମିକ ଚିତ୍ରକଳାକୃତିକୁ ନଷ୍ଟ କରିଦିଆଯାଇଥିଲା । ଏହାପରେ ୧୮୪୫ ମସିହାରେ ୟୁଜିନ୍ ଏମାନୁଏଲ୍ ଭିଓଲେ-ଲେ-ଡୁକ୍ ନାମକ ଜଣେ ସ୍ଥପତିଙ୍କ ପର୍ଯ୍ୟବେକ୍ଷଣରେ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ୧୯୯୧ ମସିହାରେ ମଧ୍ୟ ଆଉ ଏକ ପୁନରୁଦ୍ଧାର ଯୋଜନା ଆରମ୍ଭ ହୋଇଥିଲା ।

ସ୍ଥାପତ୍ୟ କଳା[ସମ୍ପାଦନା]

ରାତିରେ ଆଲୋକମାଳାରେ ସଜ୍ଜିତ ଗୀର୍ଜାଘରର ପଶ୍ଚିମ ପଟ
ଗୀର୍ଜାଘରର ପୂର୍ବ ପଟ
ଉତ୍ତର ରୋଜ୍ ଝରକା ଗୋଥିକ୍ ରେୟୋନାଣ୍ଟ୍ ଶୈଳୀର ଏକ ଉଦାହରଣ

କାନ୍ଥ ବା ସ୍ତମ୍ଭମାନଙ୍କୁ ଧରି ରଖିବା ପାଇଁ ତୋରଣ ସଦୃଶ ସଂଯୋଜକ (ଈଂରାଜୀରେ Flying Buttress - ଫ୍ଲାଇଂଗ୍ ବଟ୍ରେସ୍) ପ୍ରଥମ ଥର ପାଇଁ ନୋଟ୍ରେ ଡାମ୍‍ରେ ବ୍ୟବହୃତ ହୋଇଥିଲା । ନୋଟ୍ରେ ଡାମ୍ ଗୀର୍ଜାର ନିର୍ମାଣ ଆରମ୍ଭ ହେବା ସମୟରେ ଫ୍ଲାଇଂଗ୍ ବଟ୍ରେସ୍ ବ୍ୟବହାର କରିବାର ଯୋଜନା ନଥିଲା । କିନ୍ତୁ ପ୍ରାର୍ଥନା ସ୍ଥଳ ଓ ମୁଖ୍ୟ ଗୃହର ତୋରଣ ସଦୃଶ ଛାତକୁ ଧରି ରଖୁଥିବା ପତଳା କାନ୍ଥର ଉଚ୍ଚତା କ୍ରମଶଃ ବଢ଼ି ଚାଲିବାରୁ କାନ୍ଥମାନଙ୍କ ଉପରେ ପ୍ରବଳ ଚାପ ପଡ଼ିବାରେ ଲାଗିଲା । ତେଣୁ ଗୀର୍ଜାଘରର ସ୍ଥପତିମାନେ ବାହାର ପଟରୁ ଚାପର ପ୍ରତିରୋଧ ଓ ଗୀର୍ଜାଘରର ସନ୍ତୁଳନରେ ସହାୟତା ପାଇଁ ଫ୍ଲାଇଂଗ୍ ବଟ୍ରେସ୍‍ର ପରିକଳ୍ପନା କରିଥିଲେ । ପରବର୍ତ୍ତୀ କାଳରେ ଏହି ସ୍ଵତନ୍ତ୍ର ଶୈଳୀର ବାହ୍ୟ ସଂଯୋଜକ ଗୀର୍ଜାଘରର ନିର୍ମାଣ ଶୈଳୀର ଏକ ଅଭିନ୍ନ ଅଙ୍ଗଭାବେ ଉଦ୍ରେକ ହୋଇଛି । ନୋଟ୍ରେ ଡାମ୍ ଗୀର୍ଜାଘରର ସମୁଦାୟ କ୍ଷେତ୍ରଫଳ ୫୫୦୦ ବର୍ଗ ମିଟର୍ ଓ ଆନ୍ତଃ କ୍ଷେତ୍ରଫଳ ୪୮୦୦ ବର୍ଗ ମିଟର୍ ।

ଗୀର୍ଜାଘରର ବାହାର ପଟେ ଅନେକ ଛୋଟ ଛୋଟ ମୂର୍ତ୍ତି ନିର୍ମିତ କରାଯାଇଛି ଯାହା ସ୍ତମ୍ଭର ସହାୟକ ରୂପେ ବା ଜଳ ନିଷ୍କାସନ କରିବା ନିମନ୍ତେ ବ୍ୟବହୃତ ହୁଅନ୍ତି । ଗୀର୍ଜାଘରେ ନିର୍ମିତ ଗାର୍ଗୋୟଲ୍ ବା ଜୀବଙ୍କ ଶରୀରର ଆକାର ସଦୃଶ ହୋଇଥିବା ନାଳ ଅତିରିକ୍ତ ପାଣି ନିଷ୍କାସନରେ ସହାୟକ ହୁଅନ୍ତି ତଥା ପୌରାଣିକ କଥାର କାଇମେରା ବା କାଳ୍ପନିକ ଜୀବର ସ୍ଵରୂପ ପ୍ରଦର୍ଶିତ କରନ୍ତି । ପ୍ରାଚୀନ ସମୟରେ ଏହି ସବୁ ମୂର୍ତ୍ତିକୁ ବିଭିନ୍ନ ରଙ୍ଗରେ ରଞ୍ଜିତ କରାଯାଇଥିଲା । ବର୍ତ୍ତମାନ ସମୟରେ ଏହି ରଙ୍ଗ ସବୁ ଉଡ଼ିଗଲାଣି । ଗୀର୍ଜାଘରର ନିର୍ମାଣ ୧୩୪୫ ମସିହା ବେଳକୁ ସମ୍ପୂର୍ଣ୍ଣ ହୋଇଥିଲା । ୩୮୭ଟି ପାହାଚ ଥିବା ଏକ ପତଳା ପଥର ସିଡ଼ି ସର୍ପିଳ ଭାବେ ଏକ କୁଣ୍ଡଳିନୀ ପରି ଗୀର୍ଜାଘରର ଛାତ ପର୍ଯ୍ୟନ୍ତ ଯାଇଛି । ଏହି ସିଡ଼ିରେ ଉପରକୁ ଚଢ଼ିଲେ ଗୀର୍ଜାଘରର ସମସ୍ତ ଘଣ୍ଟି, ଜୀବାକାର ନାଳର ଗାର୍ଗୋୟଲ୍ ଅତି ପାଖରୁ ଦେଖିହେବ ତଥା ପ୍ୟାରିସ୍ ସହରର ଏକ ସୁନ୍ଦର ରୂପ ଦେଖିହେବ ।

ଗୀର୍ଜାଘରର ପ୍ରଶଂସା[ସମ୍ପାଦନା]

ଜାନ୍ଦୁନ୍‍ର ଜନ୍ ୧୩୨୩ ମସିହାରେ ଲିଖିତ ନିଜର ପ୍ୟାରିସ୍ ସମ୍ଵନ୍ଧୀୟ ଲେଖାରେ ନୋଟ୍ରେ ଡାମ୍‍କୁ ପ୍ୟାରିସ୍‍ର ତିନୋଟି ଶ୍ରେଷ୍ଠ ଅଟ୍ଟାଳିକା ବା କୃତି ମଧ୍ୟରୁ ଏକ ବୋଲି ଲେଖି ଯାଇଛନ୍ତି ।

“ତରୁଣୀ ମେରି ମାତାଙ୍କ ନିମନ୍ତେ ଉତ୍ସର୍ଗୀକୃତ ଗୀର୍ଜାଘର ସ୍ଵତନ୍ତ୍ର ସ୍ଥାନ ଗ୍ରହଣ କରିଛି ଓ ତାରକାମାନଙ୍କ ମଧ୍ୟରେ ସୂର୍ଯ୍ୟ ପରି ଦେଖାଯାଏ । କେହି କେହି ସ୍ଵକୀୟ ସ୍ଵାଧୀନ ମତାନୁସାରେ ଏହାଠାରୁ ସୁନ୍ଦର ଗୀର୍ଜାଘର ରହିଥିବା କଥା କୁହନ୍ତି, ହେଲେ ମୁଁ ବିଶ୍ଵାସ କରେ ଯେ ସେମାନେ ଏହି ଗୀର୍ଜା ବିଷୟରେ ସବୁ ତଥ୍ୟ ଜାଣି ସାରିବା ପରେ ସେମାନେ ନିଜ ମତ ବଦଳାଇବାକୁ ବାଧ୍ୟ ହେବେ । ମୁଁ ସେମାନଙ୍କୁ ପ୍ରଶ୍ନ କରିବାକୁ ଚାହେଁ ଯେ ଆଉ କେଉଁଠାରେ ସେମାନେ ଏପରି ଦୁଇଟି ବିଶାଳକାୟ, ଶକ୍ତ ଓ ସୁସଜ୍ଜିତ ମୀନାର ଦେଖିବାକୁ ପାଇବେ? ମୁଁ ପଚାରୁଛି ଆଉ କେଉଁଠି ସେମାନେ ଉପରେ ଓ ତଳେ ଏପରି ବହୁମୁଖୀ ସଂରଚନା ଦେଖିବାକୁ ପାଇବେ? ଆଉ କେଉଁଠି ସେମାନେ ଏପରି ଆଲୋକମାଳାରେ ସୁସଜ୍ଜିତ ପ୍ରାର୍ଥନା ଘର ଓ କୋଠରୀ ଦେଖିପାରିବେ? ମୁଖ୍ୟ ସ୍ଥାନରୁ ପାର୍ଶ୍ଵବର୍ତ୍ତୀ ପ୍ରାର୍ଥନା ସ୍ଥଳ ପର୍ଯ୍ୟନ୍ତ ବ୍ୟାପ୍ତ ଏତେ ବିଶାଳ କ୍ରସ୍ ବା ଯୁକ୍ତ ଚିହ୍ନ ସେମାନେ ଆଉ କେଉଁଠାରେ ଦେଖିବାକୁ ପାଇବେ ନାହିଁ । ଆଉ ସର୍ବଶେଷରେ, ଅନ୍ୟାନ୍ୟ ସାଜସଜ୍ଜା, ଝରକାର ଲତାବୁଦାର ରଙ୍ଗବେରଙ୍ଗ ନିଖୁଣ ଚିତ୍ର ବ୍ୟତୀତ ବିଶ୍ଵର ଅନ୍ୟ କେଉଁଠାରେ ଏପରି ସୁନ୍ଦର ବୃତ୍ତାକାର ଚିହ୍ନ ଏକ ସରଳ ରେଖାର ଦୁଇ ପାର୍ଶ୍ଵରେ ରହିଛନ୍ତି ତାହା ମୁଁ ନିଶ୍ଚୟ ଜାଣିବାକୁ ଚାହିଁବି ! ମୋର ବିଶ୍ଵାସ ଯେ ବିବେକୀ ଦର୍ଶକର ଆତ୍ମାକୁ ଏହି ଗୀର୍ଜାଘରର ସୌନ୍ଦର୍ଯ୍ୟ ଆଶ୍ଵସ୍ତ ଓ ସନ୍ତୁଷ୍ଟି ପ୍ରଦାନ କରିବ ।”[୩]

— ଜ୍ୟନ୍ ଡି ଜାଂଡୁନ୍, ଟ୍ରାକ୍ଟାଟୁସ୍ ଡି ଲୌଡିବସ୍ ପାରିସିୟସ୍

ନିର୍ମାଣର ଇତିହାସ[ସମ୍ପାଦନା]

ପ୍ୟାରିସ୍‍ର ଗୀର୍ଜାଘରକୁ ରାଜାମାନଙ୍କ ଗୀର୍ଜାଘର ବୋଲି ଅଭିହିତ କରାଗଲା ଓ ୧୧୬୦ ମସିହାରେ ବିଶପ୍ ମୌରିସ୍ ଡି ସଲି ପ୍ୟାରିସ୍‍ର ମୁଖ୍ୟ ପାଦ୍ରୀ ହେବା ପରେ ଚତୁର୍ଥ ଶତାବ୍ଦୀରେ ନିର୍ମିତ ସନ୍ଥ ଷ୍ଟେଫାନ୍‍ଙ୍କ ପୁରୁଣା ଓ ଅନୁପଯୁକ୍ତ ଗୀର୍ଜାଘରକୁ ଭଙ୍ଗାଇ ଏକ ନୂଆ ଗୀର୍ଜାର ପ୍ରତିଷ୍ଠା କରାଇଥିଲେ । ଧାର୍ମିକ ସ୍ଥଳମାନଙ୍କ ପ୍ରତିଷ୍ଠା ବିଷୟରେ ରହିଥିବା ପୌରାଣିକ କାହାଣୀରେ ସର୍ବଦା କିଛି ବ୍ୟତିକ୍ରମ ଦେଖାଦେଇଥାଏ । ଦ୍ଵାଦଶ ଶତାବ୍ଦୀରେ ହୋଇଥିବା ପ୍ରତ୍ନତାତ୍ତ୍ଵିକ ଖନନରୁ ଜଣାଯାଏ ଯେ ଏଠାରେ ପୂର୍ବରୁ ଏକ ବିଶାଳ ଗୀର୍ଜାଘର ରହିଥିଲା । ହୁଏତ ସଲି ଏଥିରେ ରହିଥିବା ତ୍ରୁଟିଗୁଡ଼ିକୁ ସୁଧାରି ଓ ଏହାର କେତେକ ପାର୍ଶ୍ଵର କାୟାକୁ ବଢ଼ାଇ ଏକ ନୂତନ ଓ ସୁନ୍ଦର ଗୀର୍ଜାଘରର ନିର୍ମାଣ କରାଇଥିଲେ । କିମ୍ଵଦନ୍ତୀ ଅନୁସାରେ ସଲି ପ୍ୟାରିସ୍ ପାଇଁ ଏକ ବୈଭବଶାଳୀ ଗୀର୍ଜାଘର ସ୍ଵପ୍ନରେ ଦେଖିଥିଲେ ଓ ପୁରୁଣା ଗୀର୍ଜାଘରର ପଡ଼ିଆରେ ନିଜ ସ୍ଵପ୍ନରେ ଦେଖିଥିବା ଗୀର୍ଜାଘରର ଏକ ନକସା ଅଙ୍କନ କରିଥିଲେ ।

ନିର୍ମାଣ କାର୍ଯ୍ୟ ଆରମ୍ଭ ପୂର୍ବରୁ ଏହି ଅଞ୍ଚଳରେ ରହିଥିବା ଅନେକ ବାସଗୃହ ଭଙ୍ଗାଗଲା ଓ କଞ୍ଚାମାଲ ବୁହା ହେବା ଲାଗି ବିଶପ୍ ଏକ ନୂଆ ସଡ଼କ ମଧ୍ୟ ନିର୍ମାଣ କରାଇଥଲେ । ରାଜା ସପ୍ତମ ଲୁଇଙ୍କ ରାଜୁତି କାଳରେ ୧୧୬୩ ମସିହାରେ ଗୀର୍ଜାଘରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ନିର୍ମାଣ ବେଳେ ବିଶପ୍ ସଲି ବା ପୋପ୍ ଆଲେକ୍‍ଜାଣ୍ଡାର୍ ତୃତୀୟଙ୍କ ମଧ୍ୟରୁ କିଏ ଭିତ୍ତି ପ୍ରସ୍ତର ରଖିଥିଲେ ତାହାକୁ ନେଇ ଐତିହାସିକମାନଙ୍କ ମତ ବିଭାଜିତ । କିନ୍ତୁ ଏହି ସମାରୋହରେ ଉଭୟ ଉପସ୍ଥିତ ଥିଲେ । ବିଶପ୍ ସଲି ନିଜ ଜୀବନର ଅଧିକାଂଶ ସମୟ ଓ ଧନ ଏହି ଗୀର୍ଜାଘରର ନିର୍ମାଣରେ ବ୍ୟୟ କରିଥିଲେ । ସମୂହ ପ୍ରାର୍ଥନା ପାଇଁ ଉଦ୍ଦିଷ୍ଟ କୋଏର୍ ସ୍ଥଳ ୧୧୬୩ ମସିହାରେ ଆରମ୍ଭ ହୋଇ ୧୧୭୭ ମସିହାରେ ସମାପ୍ତ ହୋଇଥିଲା ଓ ୧୧୮୨ ମସିହାରେ ନୂଆ ଉଚ୍ଚ ବେଦୀର ନିର୍ମାଣ ସମାପ୍ତ ହେଲା । ସାଧାରଣତଃ ଏକ ନୂଆ ଗୀର୍ଜାଘରର ପୂର୍ବ ପଟ ପ୍ରଥମେ ନିର୍ମିତ ହୁଏ, ତା’ପରେ ଏକ ପ୍ରାର୍ଥନା ସ୍ଥଳ କଏର୍‍ର ପଶ୍ଚିମ ପଟେ ଏକ ଅସ୍ଥାୟୀ କାନ୍ଥ ତିଆରି କରି କ୍ରମଶଃ ଅନ୍ୟ ସବୁ ଅଂଶର ନିର୍ମାଣ କାର୍ଯ୍ୟ ସମାପ୍ତ କରାଯାଏ । ୧୧୯୬ ମସିହାରେ ବିଶପ୍ ମୌରିସ୍ ଡି ସଲିଙ୍କ ଦେହାନ୍ତ ପରେ ତାଙ୍କ ପରବର୍ତ୍ତୀ ବିଶପ୍ ଅଏଡେସ୍ ଡି ସଲିଙ୍କ ତତ୍ତ୍ଵାବଧାନରେ ନୋଟ୍ରେ ଡାମ୍‍ର ନିର୍ମାଣ କାର୍ଯ୍ୟ ଅଗ୍ରସର ହୋଇଥିଲା । ୧୨୦୮ ମସିହାରେ ଅଏଡେସ୍ ଡି ସଲିଙ୍କ ମୃତ୍ୟୁ ବେଳକୁ ମୁଖ୍ୟ ଗୃହର କାମ ପ୍ରାୟ ସରି ଆସିଥଲା । ଏହି ସମୟରୁ ଗୀର୍ଜାଘରର ପଶ୍ଚିମ ପଟର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ପ୍ରାୟ ୧୨୪୦ ଦଶକ ପର୍ଯ୍ୟନ୍ତ ଚାଲିଥିଲା ।[୪]

ନିର୍ମାଣ ସମୟରେ ଅନେକ ସ୍ଥପତି ନୋଟ୍ରେ ଡାମ୍‍ର ନିର୍ମାଣ ଦାୟିତ୍ତ୍ଵରେ ରହିଥିଲେ । ଗୀର୍ଜାଘରର ପଶ୍ଚିମ ଓ ଆଗପଟକୁ ରହିଥିବା ମୀନାରର ଗଠନ ଶୈଳୀ ଓ ଉଚ୍ଚତାରର ଅସାମଞ୍ଜସ୍ୟ ଏହାର ପ୍ରତ୍ୟକ୍ଷ ପ୍ରମାଣ । ୧୨୧୦ ମସିହାରୁ ୧୨୨୦ ମସିହା ପର୍ଯ୍ୟନ୍ତ ନୋଟ୍ରେ ଡାମ୍‍ର ଦାୟିତ୍ତ୍ଵରେ ରହିଥିବା ଚତୁର୍ଥ ସ୍ଥପତି ରୋଜ୍ ଝରକା, ବିଶାଳ ମୁଖ୍ୟ ଗୃହ ଇତ୍ୟାଦିର ନିର୍ମାଣ କାର୍ଯ୍ୟର ତଦାରଖ କରିଥିଲେ ।

୧୩ଶ ଶତାବ୍ଦୀର ମଧ୍ୟଭାଗରେ ଅନୁପ୍ରସ୍ଥ ଭାଗକୁ ରେୟୋନାଣ୍ଟ୍ ଶୈଳୀରେ ନିର୍ମାଣ କରିବା ପ୍ରଚଳିତ ସ୍ଥାପତ୍ୟ ଶୈଳୀର ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି କୁହାଯାଇ ପାରିବ । ୧୨୪୦ ଦଶନ୍ଧିର ଶେଷ ଆଡ଼କୁ ଜ୍ୟନ୍ ଡି ସେଲେ ଉତ୍ତର ଅନୁପ୍ରସ୍ଥ ଭାଗରେ ଗୋଜିଆ ତୋରଣ ବିଶିଷ୍ଟ ମୁଖ୍ୟ ଦ୍ଵାର ଓ ରୋଜ୍ ଝରକା ନିର୍ମାଣ କରିଥିଲେ । କିଛି ବର୍ଷ ପରେ ୧୨୫୮ ମସିହାରେ ପିଏରେ ଡି ମଣ୍ଟ୍‍ର୍ଵି ଦକ୍ଷିଣ ଅନୁପ୍ରସ୍ଥରେ ଅନୁରୂପ ଶୈଳୀ ବ୍ୟବହାର କରିଥିଲେ । ଦକ୍ଷିଣ ପଟରେ ଅନେକ ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ପ୍ରତିମା, ସନ୍ଥମାନଙ୍କ ପ୍ରତିମା, ସନ୍ଥ ଷ୍ଟେଫାନ୍‍ଙ୍କ ଜୀବନୀ ଇତ୍ୟାଦିର ମୂର୍ତ୍ତି ରହିଥିବା ବେଳେ ଉତ୍ତର ପଟେ ଯୀଶୁଙ୍କ ଶୈଶବାବସ୍ଥା, ଥିଓଫିଲସ୍‍ଙ୍କ କାହାଣୀ ଇତ୍ୟାଦିର ପ୍ରତିମା ରହିଛି ।[୫]

ନିର୍ମାଣ ସମୟରେଖା[ସମ୍ପାଦନା]

  • ୧୧୬୦ – ମୌରିସ୍ ଡି ସଲି ପ୍ୟାରିସ୍‍ର ମୁଖ୍ୟ ପାଦ୍ରୀ ଘୋଷିତ ହେବା ପରେ ପୁରୁଣା ଗୀର୍ଜାଘରକୁ ଭାଙ୍ଗିବାର ଆଦେଶ ଦେଇଥିଲେ ।
  • ୧୧୬୩ – ନୋଟ୍ରେ ଡାମ୍ ଗୀର୍ଜାଘରର ଭିତ୍ତି ପ୍ରସ୍ତର ସ୍ଥାପନା ସହ ନିର୍ମାଣ କାର୍ଯ୍ୟର ପ୍ରାରମ୍ଭ ହେଲା ।
  • ୧୧୮୨ – ଗୀର୍ଜାଘରର ସମୂହ ପ୍ରାର୍ଥନା ସ୍ଥଳ ବା କଏର୍‍ ଓ ତୋରଣର ନିର୍ମାଣ କାର୍ଯ୍ୟ ସମାପ୍ତ ହେଲା ।
  • ୧୧୯୬ – ବିଶପ୍ ମୌରିସ୍ ଡି ସଲିଙ୍କ ଦେହତ୍ୟାଗ ।
  • ପ୍ରାୟ ୧୨୦୦ – ପଶ୍ଚିମ ପାର୍ଶ୍ଵର କାମ ଆରମ୍ଭ ହେଲା ।
  • ୧୨୦୮ – ବିଶପ୍ ଅଏଡେସ୍ ଡି ସଲିଙ୍କ ମୃତ୍ୟୁ ବେଳକୁ ମୁଖ୍ୟ ଗୃହର କାର୍ଯ୍ୟ ପ୍ରାୟ ସମାପ୍ତ ହେବା ଅବସ୍ଥାରେ ରହିଥିଲା ।
  • ୧୨୨୫ – ପଶ୍ଚିମ ପଟର କାମ ସରିଲା ।
  • ୧୨୫୦ – ପଶ୍ଚିମ ପଟର ମୀନାର୍ ଓ ଉତ୍ତର ରୋଜ୍ ଝରକାର ନିର୍ମାଣ କାର୍ଯ୍ୟ ସମାପ୍ତ ହେଲା ।
  • ପ୍ରାୟ ୧୨୪୫ରୁ ୧୨୬୦ ଦଶନ୍ଧି – ଜ୍ୟନ୍ ଡି ସେଲେ ଓ ପିଏରେ ଡି ମଣ୍ଟ୍‍ର୍ଵିଙ୍କଦ୍ଵାରା ଗୀର୍ଜାଘରର ଅନୁପ୍ରସ୍ଥ ଭାଗକୁ ରେୟୋନାଣ୍ଟ୍ ଶୈଳୀରେ ପୁନଃ ନିର୍ମାଣ କରିବା କାର୍ଯ୍ୟ ଆରମ୍ଭ ହେଲା ।
  • ୧୨୫୦ – ୧୩୪୫ – ଅବଶେଷାଂଶର ନିର୍ମାଣ କାର୍ଯ୍ୟ ସମାପ୍ତ ହେଲା ।

ଭୂତଳ ଗୃହ[ସମ୍ପାଦନା]

ନୋଟ୍ରେ ଡାମ୍‍ର ପ୍ରତ୍ନତାତ୍ତ୍ଵିକ ଭୂତଳଗୃହ

ନିର୍ମାଣ ବେଳେ ପ୍ରାପ୍ତ ହୋଇଥିବା ପ୍ରାକ୍ ଓ ଆଧୁନିକ ପ୍ୟାରିସ୍ ସଭ୍ୟତା ସମ୍ଵନ୍ଧୀୟ ଐତିହାସିକ ସାମଗ୍ରୀର ସଂରକ୍ଷଣ ପାଇଁ ୧୯୬୫ ମସିହାରେ ପ୍ୟାରିସ୍ ନୋଟ୍ରେ ଡାମ୍‍ର ପ୍ରତ୍ନତାତ୍ତ୍ଵିକ ଭୂତଳଗୃହର (La crypte archéologique du Parvis de Notre-Dame) ପ୍ରତିଷ୍ଠା କରାଯାଇଥିଲା । ମୁଜି କାର୍ଣ୍ଣାଭାଲେ (Musée Carnavalet) ଏହି ଭୂତଳଗୃହମାନଙ୍କର ପରିଚାଳନା ଦାୟିତ୍ତ୍ଵରେ ରହିଛି ଓ ଏଠାରେ ଅନେକ ମଡେଲ୍ ବା ନକସା, ଭଗ୍ନାବଶେଷ ଓ ନିର୍ମାଣାଧୀନ ଅବସ୍ଥାର ଦୃଶ୍ୟ ପ୍ରଦର୍ଶିତ ହୋଇଛି । ରୋମାନ୍‍ମାନଙ୍କ ସମୟରେ ଚଟ୍ଟାଣ ତଳେ ଲଗାଯାଉଥିବା ତାପକ ଯନ୍ତ୍ରର ଚିତ୍ର ମଧ୍ୟ ରହିଛି ।[୬]

ପରିବର୍ତ୍ତିତ ରୂପ ଓ ଆକ୍ରମଣ ପରେ ପୁନରୁଦ୍ଧାର[ସମ୍ପାଦନା]

୧୫୪୮ ମସିହା ବେଳକୁ ମୂର୍ତ୍ତିପୂଜାର ବିରୋଧ କରି ବିପ୍ଳବୀମାନେ ନୋଟ୍ରେ ଡାମ୍‍ରେ ଭଙ୍ଗାରୁଜା କରି ଅନେକ କ୍ଷୟକ୍ଷତି ପହଞ୍ଚାଇଥିଲେ ।[୭] ଇଉରୋପର ସମସ୍ତ ଗୀର୍ଜାର ନବୀକରଣ ନିଷ୍ପତ୍ତି ପରେ ଚତୁର୍ଦ୍ଦଶ ଲୁଇ ଓ ପଞ୍ଚଦଶ ଲୁଇଙ୍କ ରାଜୁତି କାଳରେ ଏହି ଗୀର୍ଜାଘରର କାୟା ପରିବର୍ତ୍ତନ କରାଗଲା । ୧୪୧୩ ମସିହାରୁ ପଶ୍ଚିମ ପ୍ରବେଶ ଦ୍ଵାରରେ ରହିଥିବା ସନ୍ଥ ଖ୍ରୀଷ୍ଟୋଫର୍‍ଙ୍କ ଏକ ବିଶାଳକାୟ ପ୍ରତିମୂର୍ତ୍ତିକୁ ୧୭୮୬ ମସିହାରେ ଭାଙ୍ଗି ଦିଆଗଲା । କେତେକ କବର ଓ କାଚ ଝରକା ମଧ୍ୟ ଭଙ୍ଗା ଯାଇଥିଲା । କେବଳ ଉତ୍ତର ଓ ଦକ୍ଷିଣପଟର ରୋଜ୍ ଝରକା ଯଥାପୂର୍ବ ଅବସ୍ଥାରେ ଛାଡ଼ି ଦିଆଗଲା ।

୧୭୯୩ ମସିହା ବେଳକୁ ଫରାସୀ ବିଦ୍ରୋହ ଆରମ୍ଭ ହୋଇସାରିଥିଲା ଓ ଏହି ସମୟରେ ଚେତନା, ବିବେକ ଓ ପରମାତ୍ମା ପରମ୍ପରାକୁ ଅଧିକ ପ୍ରାଧାନ୍ୟ ଦିଆଗଲା । ବିଦ୍ରୋହ କାଳରେ ଗୀର୍ଜାଘରର ଅଧିକାଂଶ ଧନ ସମ୍ପତ୍ତି ଲୁଟି ନିଆଗଲା ବା ନଷ୍ଟ କରି ଦିଆଗଲା । ତ୍ରୟୋଦଶ ଶତାବ୍ଦୀରୁ ରହି ଆସିଥିବା ଆବର୍ତ୍ତ କପଡ଼ାକୁ ଚିରି ଦିଆଗଲା [୮] ଓ ପଶ୍ଚିମ ପଟର ଅଧିକାଂଶ ମୂର୍ତ୍ତିଙ୍କ ମୁଣ୍ଡ କାଟି ଦିଆଗଲା ।[୯] ପରେ ୧୯୭୭ ମସିହା ବେଳକୁ ହୋଇଥିବା ପ୍ରତ୍ନତାତ୍ତ୍ଵିକ ଖନନରୁ ଅନେକ ମୂର୍ତ୍ତିର ମୁଣ୍ଡ ମିଳିଥିଲା ଓ ବର୍ତ୍ତମାନ ଏଗୁଡ଼ିକୁ ମୁଜି ଡି କ୍ଲୁନିରେ ରଖାଯାଇଛି । କିଛି ସମୟ ପାଇଁ ସ୍ଵାଧୀନତାର ଦେବୀ (ଗଡେସ୍ ଅଫ୍ ଲିବର୍ଟି) ମେରିଙ୍କ ସ୍ଆନରେ ପୂଜା ପାଇବାକୁ ଲାଗିଲେ । ଗୀର୍ଜାଘରର ଘଣ୍ଟିମାନଙ୍କର ବିଶେଷ କ୍ଷୟକ୍ଷତି ହୋଇନଥିଲା । ସେ ସମୟରେ ଖାଦ୍ୟ ସଂରକ୍ଷଣ ପାଇଁ ଗୀର୍ଜାଘରକୁ ମାଲଗୋଦାମ ପରି ବ୍ୟବହାର କରାଯାଉଥିଲା ।

୧୮୪୫ ମସିହାରେ ଏକ ସଂରକ୍ଷଣ ଯୋଜନାର ପ୍ରାରମ୍ଭ ହେଲା । ସ୍ଥପତି ଜ୍ୟନ୍-ବାପ୍ଟିଷ୍ଟ୍-ଆଣ୍ଟୋନି ଲାସୁ ଓ ୟୁଜିନ୍ ଭିଓଲେ-ଲେ-ଡୁକ୍ ଏହି ଯୋଜନାର ତତ୍ତ୍ଵାବଧାରକ ଥିଲେ । ଭିଓଲେ-ଲେ-ଡୁକ୍ ଅନେକ ଫରାସୀ ଗୀର୍ଜାଘର, ରାଜ ପ୍ରାସାଦ ଓ ଦୁର୍ଗର ପୁନରୁଦ୍ଧାର କରିସାରିଥିଲେ । ନୋଟ୍ରେ ଡାମ୍‍ରେ କରାଯାଇଥିବା ପୁନରୁଦ୍ଧାର କାର୍ଯ୍ୟ ୨୫ ବର୍ଷ ପର୍ଯ୍ୟନ୍ତ ଠିକ୍ ଅବସ୍ଥାରେ ରହିଲା । ଭିଓଲେ-ଲେ-ଡୁକ୍‍ଙ୍କ କାର୍ଯ୍ୟରେ ବାଦୁଡ଼ି ମୂର୍ତ୍ତିର ବହୁଳ ବ୍ୟବହାର ଦେଖିବାକୁ ମିଳେ । ନୋଟ୍ରେ ଡାମ୍‍ର କେତେକ କାଇମେରା ମଧ୍ୟ ଏହି ଗୋଥିକ୍ ଶୈଳୀର ଏକ ଉଦାହରଣ ।

ଦ୍ଵିତୀୟ ବିଶ୍ଵଯୁଦ୍ଧ ସମୟରେ ନୋଟ୍ରେ ଡାମ୍‍କୁ ଅଧିକ କ୍ଷତି ସହିବାକୁ ପଡ଼ିଲା । ଗୁଳିମାଡ଼ରେ ତଳପଟର ଅନେକ କାଚ ଝରକା ଭାଙ୍ଗି ନଷ୍ଟ ହୋଇଗଲା । ବିଶ୍ଵଯୁଦ୍ଧ ପରେ ଏଗୁଡ଼ିକର ମରାମତି କରାଗଲା । ହେଲେ ପୂର୍ବେ କାଚରେ ଅଙ୍କିତ ବାଇବେଲ୍‍ର କାହାଣୀ ପରିବର୍ତ୍ତେ ଏବେ ଆଧୁନିକ ସମୟରେ ଅଙ୍କିତ ଜ୍ୟାମିତିକ ଚିତ୍ର ଦେଖିବାକୁ ମିଳେ ।

୧୯୯୧ ମସିହାରେ ଆଉ ଏକ ବୃହତ୍ ଧରଣର ପୁନରୁଦ୍ଧାର ଯୋଜନାର ଆରମ୍ଭ ହୋଇଥିଲା । ଦଶ ବର୍ଷ ମଧ୍ୟରେ ଏହାକୁ ସାରିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା କିନ୍ତୁ ଅନେକ କାରଣରୁ ୨୦୧୦ ମସିହା ପର୍ଯ୍ୟନ୍ତ ସଂରକ୍ଷଣ କାର୍ଯ୍ୟ ଚାଲିଥିଲା । ପ୍ରାଚୀନ ପ୍ରତିମୂର୍ତ୍ତିମାନଙ୍କୁ ସଫେଇ ଓ ମରାମତି କାମ ଅତି ଧ୍ୟାନର ସହିତ କରିବାକୁ ପଡ଼ୁଥିବାରୁ ଏହି ବିଳମ୍ଵ ହୋଇଥିଲା । ୨୦୧୪ ମସିହା ବେଳକୁ ଗୀର୍ଜାଘରର ଅଧିକାଂଶ ଆଲୋକ ବତୀ ଆଧୁନିକ ଏଲ୍. ଇ. ଡି. ବତୀରେ ରୂପାନ୍ତରିତ ହୋଇସାରିଲାଣି ।[୧୦]

ବାଦ୍ୟଯନ୍ତ୍ର ଓ ବାଦକ[ସମ୍ପାଦନା]

ନୋଟ୍ରେ ଡାମ୍ ଡି ପାରିର ଚର୍ଚ୍ଚ୍ ଓର୍ଗାନ୍ ବା ବାଦ୍ୟ ଉପକରଣ

ନୋଟ୍ରେ ଡାମ୍ ଗୀର୍ଜାଘରେ ବିଭିନ୍ନ ସମୟରେ ଅନେକ ପ୍ରକାରର ବାଦ୍ୟଯନ୍ତ୍ର ବ୍ୟବହାରରେ ରହିଆସିଛନ୍ତି । କିନ୍ତୁ ପୁରାତନ ସମୟର ବଦ୍ୟଯନ୍ତ୍ରଗୁଡ଼ିକରେ ସମଗ୍ର ଗୀର୍ଜାଘରକୁ ପ୍ରତିଧ୍ଵନିତ କରିପାରିବାର କ୍ଷମତା ନଥିଲା । ଫ୍ରାଂଚୋଇଜ୍-ଅନ୍ରି କ୍ଲିକ୍ୟୁ (François-Henri Clicquot) ନାମକ ଜଣେ ସ୍ଵନାମଧନ୍ୟ ବାଦ୍ୟଯନ୍ତ୍ର ନିର୍ମାତା ୧୮ଶ ଶତାବ୍ଦୀରେ ନୋଟ୍ରେ ଡାମ୍‍ର ଏକ ବାଦ୍ୟ ଉପକରଣ ନିର୍ମାଣ କରିଥିଲେ । କ୍ଲିକ୍ୟୁଙ୍କଦ୍ଵାରା ପ୍ରସ୍ତୁତ କେତେକ ପାଇପ୍ (ଚର୍ଚ୍ଚ୍‍ର ବାଦ୍ୟ ଉପକରଣର ପେଡାଲ୍‍ ସହିତ ସଂଯୁକ୍ତ ହୋଇଥିବା କାହାଳୀ) ବର୍ତ୍ତମାନସୁଦ୍ଧା କାର୍ଯ୍ୟକ୍ଷମ ରହିଛି । ୧୯ଶ ଶତାବ୍ଦୀରେ ଆରିଷ୍ଟିଡ୍ କାଭାଲିଏ-କୋଲ୍‍ଙ୍କଦ୍ଵାରା ଏହି ବାଦ୍ୟ ଉପକରଣର ପୁନର୍ବିନ୍ୟାସ କରାଯାଇଥିଲା । ନୋଟ୍ରେ ଡାମ୍‍ର ମୁଖ୍ୟ ବାଦକ (ଫରାସୀ ଭାଷାରେ titulaires des grands orgues) ପଦବୀ ସମଗ୍ର ଫ୍ରାଂସ୍ ଦେଶରେ ଏକ ସମ୍ମାନସ୍ପଦ ପଦବୀ । କାଭାଲିଏ-କୋଲ୍‍ଙ୍କଦ୍ଵାରା ନିର୍ମିତ ଆଉ ଏକ ବିରାଟ ବାଦ୍ୟଯନ୍ତ୍ର ସନ୍ଥ ସୁଲ୍ପିସ୍ ଗୀର୍ଜାରେ ରହିଛି ଓ ତାହାର ମୁଖ୍ୟ ବାଦକ ପଦବୀ ମଧ୍ୟ ଏକ ସମ୍ମାନନୀୟ ପଦବୀ ।

ନୋଟ୍ରେ ଡାମ୍‍ର ଏହି ବିରାଟ ବାଦ୍ୟଯନ୍ତ୍ରରେ ୭୯୫୨ଟି ପାଇପ୍ (କାହାଳୀ) ରହିଛନ୍ତି ଯେଉଁଥିରୁ ପ୍ରାୟ ୯୦୦ଟି କାହାଳୀ ପ୍ରାଚୀନ ସମୟର ଐତିହାସିକ ମାନ୍ୟତା ଲାଭ କରିଛନ୍ତି। ତା’ଛଡ଼ା ୫୬ ସ୍ଵରପଟଳ ବିଶିଷ୍ଟ କି’ବୋର୍ଡ୍ ଓ ୩୨ ସ୍ଵରପଟଳ ବିଶିଷ୍ଟ ପେଡାଲ୍ ବୋର୍ଡ୍ ରହିଛି । ଦୁଇ ବର୍ଷ ଧରି ଚାଲିଥିବା ଏହି ବାଦ୍ୟ ଯନ୍ତ୍ରର ପୁନରୁଦ୍ଧାର ଯୋଜନା ୧୯୯୨ ମସିହା ଡିସେମ୍ଵର ମାସରେ ସମ୍ପୂର୍ଣ୍ଣ ହୋଇଥିଲା । ଏହି ବାଦ୍ୟ ଯନ୍ତ୍ରର ଅନେକ ଅଂଶର କମ୍ପ୍ୟୁଟରୀକରଣ ମଧ୍ୟ କରାଯାଇଥିଲା । ପୁନଃ ମରାମତି ସମୟରେ ଏଥିରେ ଅନେକ ନୂତନ ଶବ୍ଦସୃଷ୍ଟିକାରୀ ଅଂଶ ଯୋଡ଼ା ଯାଇଥିଲା ।

ନୋଟ୍ରେ ଡାମ୍‍ର ସୁପ୍ରସିଦ୍ଧ ମୁଖ୍ୟ ବାଦକମାନଙ୍କ ମଧ୍ୟରୁ ଲୁଇ ଭିଏର୍ଣ୍ଣ୍ ଅନ୍ୟତମ ଯେ ୧୯୦୦ ମସିହାରୁ ୧୯୩୭ ମସିହା ପର୍ଯ୍ୟନ୍ତ ଏହି ପଦବୀରେ ଅଧିଷ୍ଠିତ ଥିଲେ । ସେ ପଦାସୀନ ଥିବା ସମୟରେ ୧୯୦୨ ଓ ୧୯୩୨ ମସିହାରେ କାଭାଲି-କୋଲ୍ ବାଦ୍ୟଯନ୍ତ୍ରର ନବୀକରଣ ଓ ପରିବର୍ତ୍ତନ କରାଯାଇଥିଲା । ୧୯୩୨ ମସିହାରୁ ୧୯୫୪ ମସିହା ପର୍ଯ୍ୟନ୍ତ ଲିଓଁ ଡି ସାଁ ମାର୍ଟିନ୍ (Léonce de Saint-Martin) ମୁଖ୍ୟ ବାଦକ ପଦବୀରେ ରହିଥିଲେ । ୧୯୫୯ରୁ ୧୯୬୩ ମସିହାରେ ଗୀର୍ଜାର ବାଦ୍ୟ ଯନ୍ତ୍ରରେ ପୁଣି ଅନେକ ପରିବର୍ତ୍ତନ କରାଯାଇଥିଲା । ୧୯୬୫ରୁ ୧୯୭୨ ମଧ୍ୟରେ ଏକ ଆଂଗ୍ଲୋ-ଆମେରିକୀୟ ପେଡଲ୍ ସ୍ଵରପଟଳ ନୂତନ ଭାବେ ଯୋଡ଼ାଗଲା ।

୧୯୮୪ ମସିହାରେ ଜ୍ୟନ୍-ପିଏରେ ଲିଗ୍ଵେ, ଓଲିଭିଏ ଲାଟ୍ରି, ଇଭ୍‍ସ୍ ଡେଭେର୍ଣ୍ଣେ, ଫିଲିପ୍ ଲେଫେବ୍ରେ ନାମକ ଚାରିଜଣ ମୁଖ୍ୟ ବାଦକ ମିଳିତ ଭାବେ ପଦାରୂଢ଼ ହୋଇଥିଲେ । ଏମାନଙ୍କ ମଧ୍ୟରୁ ଡେଭେର୍ଣ୍ଣେ ୧୯୯୦ରେ ମୃତ୍ୟୁବରଣ କରିଥିଲେ । ଗୋଟିଏ ବର୍ଷରେ ପ୍ରତି ତିନି ମାସରେ ଜଣେ ମୁଖ୍ୟ ବାଦକ ବାଦ୍ୟଯନ୍ତ୍ର ବଜାଇବାର ଅଷ୍ଟାଦଶ ଶତାବ୍ଦୀର ପରମ୍ପରା ପୁନର୍ଜୀବିତ ହୋଇଉଠିଲା । ୨୦୧୬ ମସିହାରେ ଭିନ୍ସେଣ୍ଟ୍ ଡୁବୋଇ ଲିଗ୍ଵେଙ୍କ ପରେ ଦାୟିତ୍ତ୍ଵ ବହନ କରିଛନ୍ତି ।

ଘଣ୍ଟି[ସମ୍ପାଦନା]

ନୋଟ୍ରେ ଡାମ୍‍ର ନୂତନ ଘଣ୍ଟି ମେରି
୨୦୧୩ ଫେବୃଆରୀରେ ନୋଟ୍ରେ ଡାମ୍‍ର ଘଣ୍ଟିମାନଙ୍କୁ ସାଧାରଣ ଜନତାଙ୍କ ପାଇଁ ପ୍ରଦର୍ଶିତ କରାଯାଇଥିଲା
ନୋଟ୍ରେ ଡାମ୍‍ର କୋଶରେ ୧୪ଶ ଶତାବ୍ଦୀର ବହୁମୂଲ୍ୟ ଅଳଙ୍କାର ରହିଛି

ନୋଟ୍ରେ ଡାମ୍ ଗୀର୍ଜାଘରେ ଦଶଟି ଘଣ୍ଟି ରହିଛି । ଦକ୍ଷିଣ ପଟର ମୀନାରରେ ଖଞ୍ଜା ଯାଇଥିବା ୧୬୮୧ ମସିହା ନିର୍ମିତ ଏମାନୁଏଲ୍‍ର ଓଜନ ୧୩ ଟନ୍‍ରୁ ସାମାନ୍ୟ ଅଧିକ ଓ ଦିନର ପ୍ରତି ଘଣ୍ଟା ଓ ଗୀର୍ଜାଘରର ବିଭିନ୍ନ ଅବସର ବା ସେବାର ସୂଚନା ଦେବାପାଇଁ ଏହାକୁ ବଜା ଯାଇଥାଏ । ଘଣ୍ଟିମାନଙ୍କ ମଧ୍ୟରେ ସର୍ବ ପ୍ରଥମେ ଏମାନୁଏଲ୍ ଘଣ୍ଟି ବାଜିଥାଏ ଓ ଏମାନୁଏଲ୍ ଘଣ୍ଟିକୁ ଅନ୍ୟ ଘଣ୍ଟିମାନଙ୍କ ବାଜିବାର ପ୍ରାୟ ୫ ସେକେଣ୍ଡ୍ ପୂର୍ବରୁ ବଜାଇବା ଆରମ୍ଭ କରାଯାଏ ।

ନୋଟ୍ରେ ଡାମ୍ ଡି ପାରିର ଘଣ୍ଟିସମୂହ[୧୧]
ନାମ ଓଜନ ବ୍ୟାସ ସ୍ଵର
ଏମାନୁଏଲ୍ ୧୩୨୭୧ କି.ଗ୍ରା. ୨୬୧ ସେ.ମି. ଏଫ୍ ତୀବ୍ର
ମେରି ୬୦୨୩ କି.ଗ୍ରା. ୨୦୬.୫ ସେ.ମି. ଜି ତୀବ୍ର
ଗ୍ୟାବ୍ରିଏଲ୍ ୪୧୬୨ କି.ଗ୍ରା. ୧୮୨.୮ ସେ.ମି. ଏ ତୀବ୍ର
ଆନ୍ ଜ୍ୟଁଭିଏ ୩୪୭୭ କି.ଗ୍ରା. ୧୭୨.୫ ସେ.ମି. ବି
ଡେନିସ୍ ୨୫୦୨ କି.ଗ୍ରା. ୧୫୩.୬ ସେ.ମି. ସି ତୀବ୍ର
ମାର୍ସେଲ୍ ୧୯୨୫ କି.ଗ୍ରା. ୧୩୯.୩ ସେ.ମି. ଡି ତୀବ୍ର
ଏଟିଏନ୍ ୧୪୯୪ କି.ଗ୍ରା. ୧୨୬.୭ ସେ.ମି. ଇ ତୀବ୍ର
ବେନୋଇ-ଜୋସେଫ୍ ୧୩୦୯ କି.ଗ୍ରା. ୧୨୦.୭ ସେ.ମି. ଏଫ୍ ତୀବ୍ର
ମୌରସ୍ ୧୦୧୧ କି.ଗ୍ରା. ୧୦୯.୭ ସେ.ମି. ଜି ତୀବ୍ର
ଜ୍ୟନ୍-ମେରି ୭୮୨ କି.ଗ୍ରା. ୯୯.୭ ସେ.ମି. ଏ ତୀବ୍ର

ଆଧିପତ୍ୟ[ସମ୍ପାଦନା]

୧୯୦୫ ମସିହାରେ ଆଗତ ଆଇନ ଅନୁଯାୟୀ ଫରାସୀ ରାଜ୍ୟଦ୍ଵାରା ନୋଟ୍ରେ ଡାମ୍ ଓ ସେହି ସମୟ ପୂର୍ବରୁ ନିର୍ମିତ ପ୍ୟାରିସ୍‍ର ୭୦ଟି ଗୀର୍ଜାଘର ପରିଚାଳିତ ହେଉଥିଲା । ଗୀର୍ଜାଘରର ଅଟ୍ଟାଳିକା ପ୍ରଶାସନିକ ବିଭାଗର ଦାୟିତ୍ତ୍ଵରେ ରହିଥିବା ବେଳେ କ୍ୟାଥୋଲିକ୍ ଗୀର୍ଜାଘରର ସଦସ୍ୟମାନେ ଏହାକୁ ଧାର୍ମିକ କାର୍ଯ୍ୟକଳାପ ପାଇଁ ବ୍ୟବହାର କରିବାର ଅନୁମତିପ୍ରାପ୍ତ । ମୁଖ୍ୟ ପାଦ୍ରୀଙ୍କ ପ୍ରଶାସନିକ ବିଭାଗ କାର୍ଯ୍ୟରତ କର୍ମଚାରୀଙ୍କ ବେତନ, ସୁରକ୍ଷା ଇତ୍ୟାଦିର ଦାୟିତ୍ତ୍ଵ ବହନ କରନ୍ତି ଓ କର୍ମଚାରୀମାନେ ଗୀର୍ଜାଘରର ରକ୍ଷଣାବେକ୍ଷଣ, ପର୍ଯ୍ୟଟକଙ୍କ ସୁବିଧାର ଦାୟିତ୍ତ୍ଵ ତୁଲାନ୍ତି । ମୁଖ୍ୟ ପାଦ୍ରୀଙ୍କ ପ୍ରଶାସନକୁ ଏଥିପାଇଁ ରାଜ୍ୟ ବା ଦେଶର ପ୍ରଶାସନ ପକ୍ଷରୁ କୌଣସି ଆର୍ଥିକ ସହାୟତା ପ୍ରଦାନ କରାଯାଇ ନଥାଏ ।[୧୨]

ଗ୍ୟାଲେରୀ[ସମ୍ପାଦନା]

ଆହୁରି ଦେଖନ୍ତୁ[ସମ୍ପାଦନା]

ପ୍ୟାରିସ୍

ଆଇଫିଲ୍ ଟାୱାର୍

ଆର୍କ୍ ଡି ଟ୍ରଏମ୍ଫ୍

ସାଗ୍ରାଡା ଫେମିଲିଆ

ଆଧାର[ସମ୍ପାଦନା]

  1. Notre Dame, meaning "Our Lady" in French, is frequently used in the names of churches including the cathedrals of Chartres, Rheims and Rouen.
  2. "Discoverfrance.net". Discoverfrance.net. Retrieved 31 May 2011. 
  3. Erik Inglis, "Gothic Architecture and a Scholastic: Jean de Jandun's Tractatus de laudibus Parisius (1323)," Gesta, XLII/1 (2003), 63–85.
  4. Caroline Bruzelius, The Construction of Notre-Dame in Paris, in The Art Bulletin, Vol. 69, No. 69 (Dec. 1987), pp. 540–569.
  5. Paul Williamson (୧୦ April ୧୯୯୫). Gothic Sculpture, ୧୧୪୦–୧୩୦୦. Yale University Press. ISBN ୯୭୮-୦୩୦୦୦୬-୩୩୮-୭. 
  6. Crypte archéologique du parvis Notre-Dame website Retrieved 15 June 2012.
  7. Jason Chavis. "Facts on the Notre Dame Cathedral in France". USA Today. http://traveltips.usatoday.com/notre-dame-cathedral-france-3356.html. Retrieved 3 August 2013. 
  8. http://www.notredamedeparis.fr/The-spire
  9. "Visiting the Cathédrale Notre-Dame de Paris: Attractions, Tips & Tours". planetware. http://www.planetware.com/paris/notre-dame-de-paris-f-p-nd.htm. Retrieved 21 April 2017. 
  10. Metcalfe, John. "Notre Dame Cathedral Just Got an LED Makeover." The Atlantic Cities. The Atlantic Monthly Group, 11 March 2014. Retrieved 11 March 2014.
  11. Sonnerie des nouvelles cloches de Notre-Dame de Paris Archived 28 May 2013 at the Wayback Machine. (notredameparis.fr)
  12. Communique of the Press and Communication Service of the Cathedral of Notre-Dame-de-Paris, November 2014.