ନିଶ

ଉଇକିପିଡ଼ିଆ ରୁ
Jump to navigation Jump to search

ନିଶ ହେଉଛି ଉପର ଓଠରେ ଉଠୁଥିବା କେଶ। ବୟସ୍କ ପୁରୁଷଙ୍କ ମୁହଁର ନିମ୍ନଭାଗରେ ଉଠୁଥିବା ଦାଢ଼ି ସହିତ ନିଶ ରଖାଯାଇପାରେ ।

ନାଗାର୍ଜୁନ ବେଶରେ ମହାପ୍ରଭୁଙ୍କ ନିଶ

ଇତିହାସ[ସମ୍ପାଦନା]

ନୂତନ ପ୍ରସ୍ତର ଯୁଗରେ ପଥର କ୍ଷୁରରେ କ୍ଷୌର ହେବା ସମ୍ଭବ ଥିଲା, କିନ୍ତୁ ସର୍ବପୁରାତନ କ୍ଷୌର ହୋଇଥିବା ପୁରୁଷ ଖ୍ରୀ.ପୂ ୩୦୦ର ଏକ ପାରସ୍ୟ ଘୋଡ଼ାଚାଳକ ଚିତ୍ରରୁ ଜଣାପଡ଼େ । କିଛି ମହିଳାଙ୍କ ମୁଖକେଶ ବର୍ଦ୍ଧନ ହେଉଥିଲେ ମଧ୍ୟ, ସେମାନେ ଏଥିରୁ ମୁକ୍ତି ପାଇବାକୁ ଚାହାନ୍ତି ଓ ଏଥିପାଇଁ ବିଭିନ୍ନ ଉପାୟର ସାହାଯ୍ୟ ନିଅନ୍ତି । କ୍ବଚିତ୍‌ ପରିସ୍ଥିତିରେ ମହିଳାମାନେ ଏପରି ପତଳା ନିଶକୁ ଆପଣେଇ ନେଇଥାଆନ୍ତି । କଳାଜଗତର କିଛି ଆଧୁନିକ ମହିଳା ଏପରି ପରମ୍ପରାକୁ ଅନୁସରଣ କରନ୍ତି। ଭିନ୍ନ ସଂସ୍କୃତିରେ ନିଶକୁ ଭିନ୍ନ ଭିନ୍ନ ରୂପରେ ଦର୍ଶାଯାଇଛି। ଆମ ଦେଶରେ ନିଶ ରଖିବା ଓ ନିଶ ମୋଡ଼ିବା ବୀରତ୍ବର ପରିଚାୟକ ଅଟେ। ଲୋକେ ବୀରତ୍ବର ଆସ୍ଫାଳନ କରିବା ସମୟରେ ନିଶକୁ ଆଉଁସନ୍ତି। ଆରବ ଦେଶମାନଙ୍କରେ ନିଶକୁ ଶକ୍ତି, ଦାଢ଼ିକୁ ଇସଲାମ ପରମ୍ପରା, ଓ କ୍ଷୌର ମୁହଁକୁ ସ୍ବାଧୀନ ପାଶ୍ଚାତ୍ୟର ପ୍ରତୀକ ରୂପେ ଚିନ୍ତା କରନ୍ତି।

ବର୍ଦ୍ଧନ ଓ ଯତ୍ନ[ସମ୍ପାଦନା]

କିଶୋର ମାନଙ୍କଠାରେ ନିଶ ବଢ଼ିବା ଆରମ୍ଭ କରେ। ବୟଃପ୍ରାପ୍ତି ସମୟରେ ପୁରୁଷଙ୍କଠାରେ ନିମ୍ନ କ୍ରମରେ ନିଶର ବର୍ଦ୍ଧନ ହୋଇଥାଏ।

  • ଉପର ଓଠର ଦୁଇକୋଣରେ ପ୍ରଥମ କେଶ ଉଠିବା ଆରମ୍ଭ କରେ (୧୧-୧୫ ବର୍ଷ)
  • ଏହା ବଢ଼ି ପୂରା ଉପର ଓଠକୁ ମାଡ଼ିଯାଏ (୧୬-୧୭ ବର୍ଷ)
  • ପରେ ତଳ ଓଠର ତଳେ ଓ ଗାଲର ନିମ୍ନ ଅଂଶରେ କେଶର ଆବିର୍ଭାବ ହୁଏ (୧୬-୧୮ ବର୍ଷ)
  • ଶେଷରେ କେଶ ଚିବୁକର ଦୁଇ ପାର୍ଶ୍ବ ତଥା ମୁହଁର ନିମ୍ନ ଅଂଶକୁ ଦାଢ଼ିରେ ଘୋଡ଼ାଇ ଦିଏ।

ଅନ୍ୟାନ୍ୟ ଜୈବିକ ପ୍ରକ୍ରିୟା ପରି, ଜିନଗତ ଓ ପରିବେଶ ପ୍ରଭାବରେ ନିଶ ଉଠିବାର କ୍ରମରେ ପରିବର୍ତ୍ତନ ଆସିପାରେଅନ୍ୟାନ୍ୟ ଜୈବିକ ପ୍ରକ୍ରିୟା ପରି, ଜିନଗତ ଓ ପରିବେଶ ପ୍ରଭାବରେ ନିଶ ଉଠିବାର କ୍ରମରେ ପରିବର୍ତ୍ତନ ଆସିପାରେ। ପୂରା ଦାଢ଼ି ନ ବଢ଼ିବା ପାଇଁ ଗାଲ ଓ ଚିବୁକ କ୍ଷୌର କରାଯାଏ। ନିଶର ଯତ୍ନ ପାଇଁ ଅନେକ ଉପକରଣ ଯଥା କ୍ଷୁର, ପାନିଆ, କଇଞ୍ଚି ଇତ୍ୟାଦି ବ୍ୟବହାର କରାଯାଏ। ମଧ୍ୟପ୍ରାଚ୍ୟରେ ନିଶ ପ୍ରତିରୋପଣ କରି ପୂର୍ଣ, ଆକର୍ଷଣୀୟ ନିଶ ରଖିବାର ଝୁଙ୍କ ଅଛି।

ଷ୍ଟାଇଲ୍‌[ସମ୍ପାଦନା]

ନିଶକୁ ବଢ଼ାଯାଇ ବିଭିନ୍ନ ଶୈଳୀରେ ସଜାଯାଇଥାଏ। ୨୦୦୭ ନିଶ ଦାଢ଼ି ଚାମ୍ପିୟନଶିପ୍‌ ପାଇଁ ୬ଟି ବିଭାଗ ଥିଲା।

  • ପ୍ରାକୃତିକ - କୌଣସି ସହାୟତା ବିନା ସଜା ଯାଇପାରେ।
  • ହଙ୍ଗେରୀୟ - ବଡ଼ ଓ ଗହଳ, ଉପର ଓଠର ମଝିରୁ ଦୁଇପଟକୁ ଲମ୍ବିଥାଏ। ଉପର ଓଠର ଶେଷରୁ ସର୍ବାଧିକ ୧.୫ ସେମି ପର୍ଯ୍ୟନ୍ତ ବଢ଼ାଯାଇପାରେ।
  • ଡଲି - ପତଳା, ଗୋଜା, ଉପରକୁ ବଙ୍କା, ଓଠର ଶେଷଭାଗ କ୍ଷୌର ହେବା ଜରୁରୀ। ସାଲ୍‌ଭାଡର୍‌ ଡଲିଙ୍କ ନାମରେ ନାମିତ
  • ଇଂରେଜ ନିଶ - ପତଳା, ଉପର ଓଠର ମଝିରୁ ଆରମ୍ଭ ହୋଇ ଦୁଇ ପଟକୁ ଯାଇଥାଏ, ଶେଷ ଆଡ଼କୁ ସାମାନ୍ୟ ଉପରକୁ ଟେକା ଯାଇଥାଏ; ପାଟିର ଦୁଇ କୋଣ ସାଧାରଣତଃ କ୍ଷୌର ହୋଇଥାଏ।
  • ଇମ୍ପେରିଆଲ୍‌ - ଗାଲ ଓ ଉପର ଓଠକୁ ମାଡ଼ି ଉପରକୁ ବଙ୍କା ଥାଏ।
  • ମୁକ୍ତ ଷ୍ଟାଇଲ୍‌ - ଅନ୍ୟ କୌଣସି ଶ୍ରେଣୀରେ ଯାଉ ନଥିବା ନିଶ। ଓଠର ଶେଷରୁ ସର୍ବାଧିକ ୧.୫ ସେମି ବର୍ଦ୍ଧନ ଅନୁମିତ।

ଅନ୍ୟାନ୍ୟ ପ୍ରକାର ନିଶ ହେଉଛି:

  • ଫୁ ମାଞ୍ଚୁ – ଲମ୍ବା, ତଳ ଆଡ଼କୁ ଚିବୁକ ତଳ ପର୍ଯ୍ୟନ୍ତ, ଗୋଜା।
  • ପାଞ୍ଚୋ ଭିଲ୍ଲା – ଫୁ ମାଞ୍ଚୁ ସହିତ ସମାନ କିନ୍ତୁ ମୋଟା; ଇତିହାସର ପାଞ୍ଚୋ ଭିଲ୍ଲାଙ୍କ ଠାରୁ ଟିକେ ବେଶି।
  • ହାଣ୍ଡଲ୍‌ – ଗହଳିଆ, ଛୋଟ ଉପରମୁହାଁ ଶେଷାଗ୍ର।
  • ଅଶ୍ବଖୁରା – କାଓବୟମାନଙ୍କ ଦ୍ବାରା ପ୍ରସାରିତ ଏହି ନିଶ ଓଠର ଶେଷଭାଗରୁ ତଳକୁ ଲମ୍ବିଥାଏ ଯାହା ଅଶ୍ବଖୁରା ପରି ଦେଖାଯାଏ।
  • ପେନ୍‌ସିଲ୍‌ ନିଶ – ପତଳା, ସିଧା ଓ ପେନ୍‌ସିଲ୍‌ରେ ଟାଣିଲା ପରି ପତଳା, ନାକ ଓ ନିଶ ମଧ୍ୟରେ କିଛି ଅଂଶ ଫାଙ୍କା ରଖି କ୍ଷୌର କରାଯାଏ। ୧୯୪୦ ଦଶକରେ ଏହାର ପ୍ରସିଦ୍ଧି ଥିଲା।