Jump to content

ଦରୱାଜା ଗ୍ୟାସ ଗହ୍ଵର

Coordinates: 40°15′09″N 58°26′23″E / 40.2525°N 58.4396°E / 40.2525; 58.4396
ଉଇକିପିଡ଼ିଆ‌ରୁ
ଦରୱାଜା ଗ୍ୟାସ ଗହ୍ୱର
ଦୂରରୁ ଜ୍ୱଳନ୍ତ ଦରୱାଜା ଗ୍ୟାସ ଗହ୍ୱରର ଉଜ୍ଜ୍ୱଳ ଜ୍ୟୋତି
ଦରୱାଜା ଗ୍ୟାସ ଗହ୍ଵର is located in Turkmenistan
ଦରୱାଜା ଗ୍ୟାସ ଗହ୍ଵର
Location of ଦରୱାଜା ଗ୍ୟାସ ଗହ୍ୱର
Countryତୁର୍କମେନିସ୍ତାନ
Regionଦେରୱେଜେ, ଅହାଲ୍ ପ୍ରାନ୍ତ
Offshore/onshoreonshore
Coordinates40°15′09″N 58°26′23″E / 40.2525°N 58.4396°E / 40.2525; 58.4396
Field history
Discovery୧୯୭୧
Abandonment୧୯୭୧

ଦରୱାଜା ଗ୍ୟାସ ଗହ୍ୱର (ଇଂରାଜୀ ଭାଷାରେ Darvaza gas crater, ତୁର୍କମେନୀ ଭାଷାରେ Garagum ýalkymy),[୧][୨][୩] ତୁର୍କମେନିସ୍ତାନ ଦେଶର ଦେରୱେଜେରେସ୍ଥିତ ଏକ ପ୍ରାକୃତିକ ଗ୍ୟାସ ଖଣି ବା ପଡ଼ିଆ ।[୪] ଏହି ସ୍ଥାନଟି ନର୍କକୁ ଦ୍ୱାର (Door to Hell ବା Gates of Hell) ନାମରେ ମଧ୍ୟ ପ୍ରସିଦ୍ଧ ।

ମିଥେନ୍ ଗ୍ୟାସର ବ୍ୟାପ୍ତି ଅଟକାଇବା ପାଇଁ ସୋଭିଏତ ଭୂବିଜ୍ଞାନୀମାନେ ଜାଣିଶୁଣି ଏହି ଗ୍ୟାସ ଗହ୍ୱରରେ ଅଗ୍ନି ସଂଯୁକ୍ତ କରିଥିବାର ଅନୁମାନ କରାଯାଏ ।[୫] ୧୯୭୧ ମସିହାରୁ ଏହି ଗ୍ୟାସୀୟ ଗହ୍ୱର ବା ପଡ଼ିଆ ଜ୍ୱଳନ୍ତ ଅବସ୍ଥାରେ ରହିଆସିଛି । ଏହି ଗ୍ୟାସୀୟ ଗହ୍ୱରର ସର୍ବମୋଟ କ୍ଷେତ୍ରଫଳ ୫୩୫୦ ବର୍ଗ ମିଟର । ଏହାର ବ୍ୟାସ ପ୍ରାୟ ୬୯ ମିଟର ଓ ଗଭୀରତା ପ୍ରାୟ ୩୦ ମିଟର ।[୬]

ଏହି ଗ୍ୟାସୀୟ ଗହ୍ୱର ପର୍ଯ୍ୟଟକଙ୍କ ପାଇଁ ଏକ ମୁଖ୍ୟ ଆକର୍ଷଣ କେନ୍ଦ୍ର ହୋଇପାରିବ ବୋଲି ତୁର୍କମେନୀ ସରକାର ଆଶା କରନ୍ତି ।[୭] ଏହି ଅଞ୍ଚଳର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ମରୁ କ୍ୟାମ୍ପିଂ ପାଇଁ ଲୋକପ୍ରିୟ ।

ଭୌଗୋଳିକ ତଥ୍ୟ

[ସମ୍ପାଦନା]

ତୁର୍କମେନିସ୍ତାନର ରାଜଧାନୀ ଆଶ୍‍ଗବାତରୁ ପ୍ରାୟ ୨୬୦ କିଲୋମିଟର ଦୂରରେ କାରାକୁମ ମରୁଭୂମି ମଧ୍ୟରେ ଦେରୱେଜେ (ବା ଦରୱାଜା) ନାମକ ଗ୍ରାମ ନିକଟରେ ଏହି ଗ୍ୟାସୀୟ ଗହ୍ୱର ଅବସ୍ଥିତ । ଏହି ଗ୍ୟାସୀୟ ଖଣି ପୃଥିବୀର ବୃହତ୍ତମ ପ୍ରାକୃତିକ ଗ୍ୟାସ ଖଣିମାନଙ୍କ ମଧ୍ୟରେ ଗଣା । ପ୍ରାୟ ୭୦ ମିଟର ବ୍ୟାସଯୁକ୍ତ ଗହ୍ୱରରେ ନିଆଁ ଝୁଲ, ଉତ୍ତପ୍ତ କର୍ଦ୍ଦମ ଓ ଅଗ୍ନିଶିଖା ଦେଖି ସ୍ଥାନୀୟ ଲୋକେ ଏହାକୁ "ନର୍କକୁ ଦ୍ୱାର" ବୋଲି ନାମିତ କରିଥିଲେ ।[୮] ଏହାର ଜ୍ୱଳନ୍ତ ଅଂଶଗୁଡ଼ିକ ପ୍ରାୟ ୬୦ ମିଟର ଚଉଡ଼ା ଓ ୨୦ ମିଟର ଗଭୀର ଅଞ୍ଚଳରେ ବ୍ୟାପ୍ତ ।[୯]

ଇତିହାସ

[ସମ୍ପାଦନା]
ଆକାଶ ମାର୍ଗରୁ ଦରୱାଜା ଗ୍ୟାସ ଗହ୍ୱରର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ । ଗହ୍ୱରରୁ ଅଳ୍ପ ଦୂରତାରେ ଲୋକେ ତମ୍ବୁ ପକାଇ ମରୁ କ୍ୟାମ୍ପିଂ କରିଥାନ୍ତି

ତୁର୍କମେନୀ ଭୂବିଜ୍ଞାନୀ ଆନାତୋଲି ବୁଶ୍ମାକିନ୍‍ଙ୍କ ମତାନୁସାରେ ୧୯୭୧ ମସିହାରେ ସୋଭିଏତ ସଂଘର ଯନ୍ତ୍ରୀମାନେ ଏହି ସ୍ଥାନ ଆବିଷ୍କାର କରିଥିଲେ ।[୭] ଏହା ଏକ ବିରାଟ ବଡ଼ ତେଲ ଖଣି ଅଞ୍ଚଳ ହୋଇଥିବା ପ୍ରଥମେ ଅନୁମାନ କରାଯାଇଥିଲା ।[୧୦] ଯନ୍ତ୍ରୀମାନେ ଗଚ୍ଛିତ ପ୍ରାକୃତିକ ତେଲର ପରିମାଣ ଜାଣିବା ପାଇଁ ଏଠାରେ ଖନନ କାର୍ଯ୍ୟ ଆରମ୍ଭ କଲେ । ସର୍ବେକ୍ଷଣର ପ୍ରାରମ୍ଭିକ ସମୟରେ ଏଠାରେ ଏକ ପ୍ରାକୃତିକ ଗ୍ୟାସ ଭଣ୍ଡାର ବିଷୟ ଜଣା ପଡ଼ିଲା । ସର୍ବେକ୍ଷଣ ପାଇଁ ଖନନ ହୋଇଥିବା ସ୍ଥାନ ତମ୍ବୁ ଇତ୍ୟାଦି ସହିତ ମାଟି ଭିତରକୁ ଧସିଯାଇ ଗହ୍ୱର ସୃଷ୍ଟି ହେଲା । ଏହି ଦୁର୍ଘଟଣାରେ କୌଣସି ବ୍ୟକ୍ତିଙ୍କ ଜୀବନହାନି ଘଟିନଥିଲା ।[୭]

ଗହ୍ୱରରୁ ବିଷାକ୍ତ ଗ୍ୟାସ ବାହାରି ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ବ୍ୟାପିଯିବା ଆଶଙ୍କା କରି ଯନ୍ତ୍ରୀମାନେ ଏହି ଗହ୍ୱରରେ ନିଆଁ ଲଗାଇ ଗ୍ୟାସଗୁଡ଼ିକୁ ନଷ୍ଟ କରିଦେବା ଉଚିତ ହେବ ବୋଲି ମନେ କଲେ । କିଛି ସପ୍ତାହ ମଧ୍ୟରେ ସମସ୍ତ ଗ୍ୟାସ ଜଳିଯିବାର ଅନୁମାନ କରାଯାଇଥିଲା । କିନ୍ତୁ ୧୯୭୧ ମସିହାରୁ ଏହି ଗହ୍ୱରର ଅଗ୍ନି ପ୍ରଶମିତ ହୋଇନାହିଁ ଏବଂ ଆଗକୁ ମଧ୍ୟ ଏହା ଜଳୁଥିବ ବୋଲି ଅନୁମାନ କରାଯାଉଛି ।[୭]

ଗହ୍ୱରର ପ୍ରଥମ କିଛି ବର୍ଷର ଇତିହାସ ଅନିର୍ଦ୍ଦିଷ୍ଟ:[୧୧] କିଛି ସ୍ଥାନୀୟ ଭୂବିଜ୍ଞାନୀମାନେ ୧୯୬୦ରୁ ମାଟି ଧସି ଗହ୍ୱର ସୃଷ୍ଟି ହୋଇଥିବା ଓ ୧୯୮୦ ମସିହା ପର୍ଯ୍ୟନ୍ତ ଏଥିରେ ଅଗ୍ନି ସଂଯୁକ୍ତ ହୋଇନଥିବାର ଅନୁମାନ କରନ୍ତି । କିନ୍ତୁ ଏହି ସମସ୍ତ ଘଟଣାର ବିବରଣୀ ରହିଥିବା ତୁର୍କମେନୀ କିମ୍ବା ସୋଭିଏତ ଅଭିଲେଖ ଉପଲବ୍ଧ ନାହିଁ ।[୬][୩]

୨୦୧୦ ମସିହା ଅପ୍ରେଲ ମାସରେ ତୁର୍କମେନିସ୍ତାନର ରାଷ୍ଟ୍ରପତି ଗୁର୍ବାଙ୍ଗୁଲି ବେର୍ଦିମୋହମେଦୋ ଏହି ଅଞ୍ଚଳର ପରିଦର୍ଶନ କରିଥିଲେ ଓ ଏହି ଗହ୍ୱରକୁ ପୋତି ଦେବାକୁ ଆଦେଶ ଦେଇଥିଲେ । ୨୦୧୩ ମସିହାରେ ଏହି ଗହ୍ୱର ରହିଥିବା କାରାକୁମ ମରୁଭୂମିର ଅଂଶକୁ ସେ ସଂରକ୍ଷିତ ପ୍ରାକୃତିକ କ୍ଷେତ୍ର ଭାବେ ଘୋଷଣା କଲେ ।[୭] ୨୦୧୯ ମସିହାରେ ସେ ଏକ ଟେଲିଭିଜନ କାର୍ଯ୍ୟକ୍ରମରେ ଦେଖା ଦେଇଥିଲେ ଓ ଗହ୍ୱର ଚାରିପଟେ କୁଣ୍ଡଳାକାର ପଥରେ ଗାଡ଼ି ଚଳାଇ ନିଜ ମୃତ୍ୟୁ ସମ୍ପର୍କିତ ଗୁଜବକୁ ମିଛ ବୋଲି ପ୍ରମାଣିତ କରିଥିଲେ ।[୧୨]

ନ୍ୟାସନାଲ ଜିଓଗ୍ରାଫିକ୍ ଚ୍ୟାନେଲ୍‍ର ଡାଇ ଟ୍ରାଇଂ (Die Trying) ନାମକ ଏକ କାର୍ଯ୍ୟକ୍ରମରେ ଦରୱାଜା ଗହ୍ୱର ପ୍ରଦର୍ଶିତ ହୋଇଥିଲା । ୨୦୧୪ ମସିହା ଜୁଲାଇ ୧୬ ତାରିଖରେ ପ୍ରଦର୍ଶିତ "କ୍ରେଟର୍ ଅଫ୍ ଫାୟାର୍ (Crater of Fire)" ଅଧ୍ୟାୟରେ ଜର୍ଜ୍ କୌରୌନିସ୍ ଏହି ଗହ୍ୱର ମଧ୍ୟକୁ ଯାଇ ସେଥିରୁ କିଛି ନମୁନା ସଂଗ୍ରହ କରିଥିଲେ ।[୧୩] ୨୦୧୪ ମସିହାର ଗୋଡଜିଲା ଚଳଚ୍ଚିତ୍ରର ବିଜ୍ଞାପନରେ ମଧ୍ୟ ଏହି ଗହ୍ୱରର ଏକ ଚିତ୍ର ବ୍ୟବହାର କରାଯାଇଥିଲା ।

ଯଦିଓ ଲୋକଙ୍କ ମନରେ “ନର୍କକୁ ଦ୍ୱାର” ନାମକରଣ ଓ ଜ୍ୱଳନ୍ତ ଗହ୍ୱର ବିଭିନ୍ନ କାଳ୍ପନିକ କୌତୁହଳ ସୃଷ୍ଟି କରେ, ଏହି ଗହ୍ୱରକୁ ଭୌଗୋଳିକ ବା ଭୂବୈଜ୍ଞାନିକ ଦୃଷ୍ଟିକୋଣରୁ ଏକ ସଂଯୋଗ ମାତ୍ର ଭାବେ ବିବେଚିତ କରାଯାଏ ଓ ତେଣୁ ଏହା ବୈଜ୍ଞାନିକଙ୍କ ଧ୍ୟାନ ଆକର୍ଷଣ କରିନଥାଏ । ପୃଥିବୀ ପୃଷ୍ଠର ଠିକ୍ ତଳେ ରହିଥିବା ଏକ ଗ୍ୟାସୀୟ ଗହ୍ୱର ଯୋଗୁଁ ମାଟି ଧସିଯିବା ଓ ଅତି ମନ୍ଥର ହାରରେ ନିଷ୍କାସିତ ଗ୍ୟାସ ଯୋଗୁଁ ବହୁ ବର୍ଷ ଧରି ଅନ୍ୟ ପ୍ରାକୃତିକ କାରଣରୁ ବାଧା ପ୍ରାପ୍ତ ନ ହୋଇ ଗହ୍ୱରର ନିଆଁ ଜଳୁଥିବା ଏହି ଗହ୍ୱର ପଛର ବୈଜ୍ଞାନିକ ବର୍ଣ୍ଣନା । ଏହି ଅଞ୍ଚଳର ଆଖପାଖରେ ଏପରି ବହୁ ସ୍ଥାନରେ ପୃଥିବୀ ପୃଷ୍ଠର ଫାଟରୁ ଗ୍ୟାସ ନିଷ୍କାସିତ ହୁଏ । କିନ୍ତୁ ମରୁଭୂମିର ବାୟୁ ପ୍ରବାହ ଯୋଗୁଁ ତାହା ବ୍ୟାପ୍ତ ହୋଇ ଦରୱାଜା ଗହ୍ୱର ପରି ଅବସ୍ଥା ସୃଷ୍ଟି ହୋଇପାରେ ନାହିଁ । ଦରୱାଜା ପରି ବିଶ୍ୱରେ ଅନେକ ଜ୍ୱଳନ୍ତ ଗ୍ୟାସୀୟ ଗହ୍ୱର ଦେଖିବାକୁ ମିଳନ୍ତି ।

ପ୍ରାକୃତିକ ଗ୍ୟାସ ଉତ୍ତୋଳନ ବ୍ୟବସ୍ଥାର ବିକାଶ

[ସମ୍ପାଦନା]

୨୦୧୦ ମସିହା ଅପ୍ରେଲ୍ ମାସରେ ରାଷ୍ଟ୍ରପତି ବେର୍ଦିମୋହମଦୋଙ୍କ ପରିଦର୍ଶନ ସମୟରେ ସେ ଏହି ଗହ୍ୱରର ପ୍ରଭାବକୁ ସୀମିତ କରି ଏଠାରୁ ପ୍ରାକୃତିକ ଜାଳେଣୀ ଗ୍ୟାସ ଉତ୍ତୋଳନ କରିବା ଓ ଏହି ଅଞ୍ଚଳକୁ ଏକ ଗ୍ୟାସ ଖଣିରେ ପରିଣତ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ।[୯] ସେ ସମୟରେ ତୁର୍କମେନିସ୍ତାନ ନିଜର ପ୍ରୀକୃତିକ ଗ୍ୟାସ ଉତ୍ପାଦନ ବଢ଼ାଇବା ଏବଂ ପାକିସ୍ତାନ, ଚୀନ, ଭାରତ, ଇରାନ, ଋଷ ଓ ପଶ୍ଚିମ ୟୁରୋପୀୟ ଦେଶଙ୍କୁ ପ୍ରାକୃତିକ ଗ୍ୟାସ ଯୋଗାଇବାର ଯୋଜନା ପ୍ରସ୍ତୁତ କରିଥିଲା । ସେ ସମୟରୁ ବିକଶିତ ହୋଇ ୨୦୩୦ ସୁଦ୍ଧା ତୁର୍କମେନିସ୍ତାନର ଗ୍ୟାସ ଉତ୍ପାଦନ କ୍ଷମତା ୨୨୫୦୦ କୋଟି ଘନ ମିଟର ହେବ ବୋଲି ଅନୁମାନ କରାଯାଇଥିଲା ।[୯]

୨୦୧୧ ମସିହାରେ ଜ୍ୱଳନ୍ତ ଅବସ୍ଥାରେ ନର୍କକୁ ରାସ୍ତା ଗହ୍ୱରର ଏକ ପାନୋରାମା ଦୃଶ୍ୟ

ଆହୁରି ଦେଖନ୍ତୁ

[ସମ୍ପାଦନା]
  1. Soldani, Bianca (2016-06-24). "Turkmenistan's 'door to hell' has been burning for 45 years". Topics (in ଇଂରାଜୀ). Archived from the original on 2017-02-02. Retrieved 2017-01-27.
  2. Geiling, Natasha (2014-05-20). "This Hellish Desert Pit Has Been On Fire for More Than 40 Years". Smithsonian (in ଇଂରାଜୀ). Retrieved 2017-01-27.
  3. ୩.୦ ୩.୧ Davies, Elliott (2017-01-26). "I traveled to the middle of the desert to see 'The Door To Hell'". Business Insider (in ଇଂରାଜୀ). Archived from the original on 2018-09-12. Retrieved 2017-01-28.
  4. Bland, Stephen (2014-04-08). "Turkmenistan Has Its Very Own 'Gate to Hell'". Vice.com (in ଆମେରିକୀୟ ଇଂରାଜୀ). Retrieved 2017-01-28.
  5. "How the Soviets accidentally discovered the 'Gates of Hell'". BBC. 2020-10-23. Retrieved 2020-10-23.
  6. ୬.୦ ୬.୧ Nunez, Christina (2014-07-14). "Q&A: The First-Ever Expedition to Turkmenistan's 'Door to Hell'". news.nationalgeographic.com. National Geographic. Retrieved 2017-01-28.
  7. ୭.୦ ୭.୧ ୭.୨ ୭.୩ ୭.୪ "Turkmenistan hopes 'Door to Hell' will boost tourism". CTVnews.ca. Relaxnews. Agence France-Presse. 2014-06-22. Retrieved 2017-01-28.
  8. "What a 'hell hole'!". Pakistan Daily Times. 2012-09-14. Archived from the original on 2014-06-06. Retrieved 2012-10-11.
  9. ୯.୦ ୯.୧ ୯.୨ Gurt, Marat (2010-04-20). "Turkmen president wants to close "Hell's Gate"". Reuters. Retrieved 2012-12-16.
  10. Press, Frank; Siever, Raymond (January 2010). Earth. American Geological Institute. p. 22. Retrieved 10 October 2012.
  11. Shearlaw, Maeve (2014-07-18). "Dropping in on Turkmenistan's 'door to hell' – in pictures". The Guardian. Retrieved 2017-04-29.
  12. "Turkmenistan's leader does doughnuts next to flaming crater to prove he's not dead". ABC News. 2019-08-07. Retrieved 2019-08-08.
  13. Christina Nunez (2014-07-16). "Q&A: The First-Ever Expedition to Turkmenistan's "Door to Hell"". National Geographic. Retrieved 2017-01-28.

ଅନ୍ୟାନ୍ୟ ଲିଂକ୍

[ସମ୍ପାଦନା]