ଦଣ୍ଡକାରଣ୍ୟ

ଉଇକିପିଡ଼ିଆ ରୁ
Jump to navigation Jump to search

ଦଣ୍ଡକାରଣ୍ୟ ଭାରତର ମଧ୍ୟ-ପୂର୍ବ ଭାଗରେ ବିସ୍ତ୍ରୁତ ଏକ ଅଞ୍ଚଳ ଅଟେ । ଧାର୍ମିକ ଦୃଷ୍ଟିକୋଣରୁ ଭାରତରେ ଏହାର ଗୁରୁତ୍ତ୍ୱ ବହୁତ ଅଧିକ ଅଟେ ।

ପୌରାଣିକ କିମ୍ବଦନ୍ତୀ[ସମ୍ପାଦନା]

ଏକଦା ଦଣ୍ଡକାରଣ୍ୟର ନାମ ଭିନ୍ନ ଥିଲା । ଏହାକୁ ଦଣ୍ଡ ନାମକ ରାଜା ରାଜୁତି କରୁଥିଲେ । ଦିନେ ରାଜା ଅରଣ୍ୟକୁ ଶିକାର ଉଦ୍ଦେଶ୍ୟରେ ଆସି, ଶୁକ୍ରାଚାର୍ଯ୍ୟଙ୍କ ଅନିନ୍ଦ୍ୟ ସୁନ୍ଦରୀ କନ୍ୟା ଅରଜାଙ୍କୁ ଦେଖି ବିମୋହିତ ହୋଇଗଲେ । କିଛିଦିନ ଉତ୍ତାରୁ, ଦିନେ ଗୋଧୂଳି ସମୟରେ ଅରଜା ସରୋବରରୁ ସ୍ନାନ ସାରି ଏକାକୀ କୁଟୀରକୁ ଫେରୁଥିଲେ; ରାଜା ନିଜର ପରିଚୟ ଦେଇ ଗାନ୍ଧର୍ବ ରୀତିରେ ବିବାହ କରିବାକୁ ଇଚ୍ଛାକଲେ । ଅରଜା ଏହି ପ୍ରସ୍ତାବରେ ରାଜିହେଲେ ନାହିଁ । ପିତାଙ୍କ ନିକଟକୁ ଯାଇ ପ୍ରସ୍ତାବ ଦେବାକୁ ରାଜାଙ୍କୁ ପରାମର୍ଶ ହେଲେ । କିନ୍ତୁ, ଉଦ୍ଧତ ଅହଙ୍କାରୀ ରାଜା ବଳତ୍କାରରେ ଅରଜାଙ୍କୁ ବିବାହ କରିବାକୁ ଚାହିଁଲେ; ସୌଭାଗ୍ୟବଶତଃ ଅରଜା ରାଜା ଦଣ୍ଡଙ୍କ ହାତରୁ ନିଜକୁ ମୁକ୍ତକରି ଆଶ୍ରମକୁ ଦୃତବେଗରେ ଚାଲିଗଲେ । ପିତା ଋଷି ଶୁକ୍ରାଚାର୍ଯ୍ୟଙ୍କ ଆଗରେ ଅରଜା ରାଜା ଦଣ୍ଡଙ୍କଦ୍ୱାରା ଅପମାନିତା ହୋଇଥିବାର ବର୍ଣ୍ଣନା କଲେ । ଋଷି କ୍ରୋଧାନ୍ୱିତ ହୋଇ ଅଭିଶାପ ଦେଲେ ରାଜ୍ୟ ଭସ୍ମ ହୋଇଯାଉ, ଫଳରେ ସମଗ୍ର ରାଜ୍ୟଟି ଅଗ୍ନିରେ ଭସ୍ମୀଭୂତ ହୋଇ ପାଉଁଶରେ ପରିଣତ ହୋଇଗଲା । ଏଥିସହିତ ଋଷି ଓ ତାଙ୍କକନ୍ୟା ଅବିଳମ୍ବେ ରାଜ୍ୟ ପରିତ୍ୟାଗ କଲେ। କିନ୍ତୁ ଶୁକ୍ରାଚାର୍ଯ୍ୟଙ୍କ ତପଶକ୍ତି ବଳରେ ଅରଜାଙ୍କ ଅତିପ୍ରିୟ ସରୋବରଟି ଶୁଖି ନଯାଇ ରହିଥିଲା ଜଳପୂର୍ଣ୍ଣ । କାଳକ୍ରମେ ଦୂରପର୍ବତରୁ ଜଳଧାରା ଆସି ସେ ସରୋବରକୁ ନଦୀରେ ପରିଣତ କଲା । ସେ ନଦୀର ନାମ ତମସା । ବର୍ଷ ପରେ ବର୍ଷ ବିତିଗଲା । ସମୟାନୁକ୍ରମେ ବର୍ଷାର ଆଶୀର୍ବାଦରେ ସେ ସରୋବର ଉଭୟଦିଗରେ କାୟା ବିସ୍ତାର କଲା । ତା’ ସ୍ପର୍ଶରେ ସେ ଅଞ୍ଚଳ କ୍ରମେ ପୁନର୍ବାର ସଜୀବ ହେଲା । ଇତିମଧ୍ୟରେ ଦୂରଦୂରାନ୍ତରୁ ପଶୁପକ୍ଷୀ ଆସିଲେ । ନଦୀରେ ଭାସିଆସୁଥିବା ଫଳମୂଳରୁ ସୃଷ୍ଟିହେଲା ବୃକ୍ଷଲତା । କାଳକ୍ରମେ ବୃକ୍ଷଲତାର ଅଭିବୃଦ୍ଧିଦ୍ୱାରା ଘଞ୍ଚ ଅରଣ୍ୟ ସୃଷ୍ଟିହେଲା । ଅଭିଶପ୍ତ ରାଜା ଦଣ୍ଡଙ୍କ ନାମ ଅନୁସାରେ ଅରଣ୍ୟର ନାମ ଦଣ୍ଡକାରଣ୍ୟ ରୂପେ ପରିଚିତ ହେଲା । [୧][୨]

ଦଣ୍ଡକାରଣ୍ୟରେ ରାମଚନ୍ଦ୍ରଙ୍କ ବନବାସ[ସମ୍ପାଦନା]

ଶ୍ରୀରାମଚନ୍ଦ୍ର, ମାତା ସୀତା ଓ ଲକ୍ଷ୍ମଣ ଓଡ଼ିଶାର କୋରାପୁଟ ଜିଲ୍ଲା ତଥା ବର୍ତ୍ତମାନର ମାଲକାନଗିରିର ଦଣ୍ଡକାରଣ୍ୟରେ ବନବାସ ସମୟ କଟାଇଥିଲେ ୤ ମାଲକାନଗିରି ଜିଲ୍ଲାରେ ଦୁଇ ପ୍ରକାର ଆଦିମ ଅଧିବାସୀ ବାସ କରନ୍ତି ୤ ସେମାନେ ହେଲେ କୋୟା ଓ ବଣ୍ଡା ପ୍ରଜାତିର ଆଦିମ ଅଧିବାସୀ ୤ ଏହି ଦୁଇ ଆଦିମ ଅଧିବାସୀ ରାମାୟଣ ସହିତ ଓତଃପ୍ରୋତ ଭାବେ ଜଡ଼ିତ ୤ ପ୍ରଥମତଃ ବଣ୍ଡାମାନେ ଯେଉଁ ଅଞ୍ଚଳରେ ବାସ କରନ୍ତି ସେହି ଅଞ୍ଚଳରେ ଦୁଇଟି ଛୋଟ ଜଳାଶୟ ରହିଛି ୤ ଗୋଟିକର ନାମ ସୀତାକୁଣ୍ଡ ଓ ଅନ୍ୟଟିର ନାମ ହଳଦୀକୁଣ୍ଡ ୤ଉଭୟ କୁଣ୍ଡ ବା ଜଳାଶୟରେ ବନବାସ ସମୟରେ ସୀତାମାତା ସ୍ନାନ କରୁଥିଲେ ୤ ଦେହରେ ହଳଦୀ ଲଗାଇ ସୀତାମାତା ଯେଉଁ ଜଳାଶୟରେ ସ୍ନାନ କରୁଥିଲେ ସେହି କୁଣ୍ଡ ଏବେ ବି ହଳଦିଆ ହୋଇ ରହିଛି ୤ ବାସ୍ନା ମଧ୍ୟ ସମ୍ପୂର୍ଣ୍ଣ ଭିନ୍ନ ୤ ଅର୍ଥାତ୍‌ ପାହାଡ଼ ପର୍ବତଭରା ଅଞ୍ଚଳରେ ମିଳୁଥିବା ଝରଣାପାଣିଠାରୁ ସେହି କୁଣ୍ଡର ପାଣି ସମ୍ପୂର୍ଣ୍ଣ ଅଲଗା ୤ ଅନ୍ୟ କୁଣ୍ଡଟି ହେଲେ ସୀତାକୁଣ୍ଡ ୤ ସେହି କୁଣ୍ଡର ପାଣି ଅତ୍ୟନ୍ତ ସ୍ୱଚ୍ଛ ୤ ସ୍ନାନ ପାଇଁ ସିତାମାତା ସେହି କୁଣ୍ଡଟିକୁ ବାଛି ନେଇଥିଲେ ୤ ଏକଦା ସେହି କୁଣ୍ଡରେ ସମ୍ପୂର୍ଣ୍ଣ ଉଲଗ୍ନ ଅବସ୍ଥାରେ ସୀତାମାତା ଗାଧୋଉଥିବା ବେଳେ ବଣ୍ଡା ରମଣୀମାନେ ତାଙ୍କୁ ଦେଖି ଅଟ୍ଟହାସ୍ୟ କରିଥିଲେ ଏବଂ ସୀତାମାତାଙ୍କୁ ଭଲରେ ବସ୍ତ୍ର ପ୍ରେକ୍ଷାଳଣ ପାଇଁ ସୁଯୋଗ ଦେଇ ନଥିଲେ ୤ ଏପରି ବ୍ୟବହାରରେ କ୍ରୋଧିତ ହୋଇ ସେମାନଙ୍କୁ ଅଭିଶାପ ଦେଇଥିଲେ ୤ ଯେ ପର୍ଯ୍ୟନ୍ତ ଚନ୍ଦ୍ର ସୂର୍ଯ୍ୟ ଥିବେ ସେ ପର୍ଯ୍ୟନ୍ତ ବଣ୍ଡା ରମଣୀମାନେ ସମ୍ପୂର୍ଣ୍ଣ ବିବସ୍ତ୍ର ହୋଇ ରହିବାକୁ ସୀତାମାତା ଅଭିଶାପ ଦେଇଥିଲେ ୤ ଯାହା ଫଳରେ ବଣ୍ଡା ରମଣୀମାନେ କୌଣସି ବସ୍ତ୍ର ପିନ୍ଧନ୍ତି ନାହିଁ ୤ ଏପରି କି ନିଜ ଗ୍ରାମରେ ଥିବାବେଳେ ମଧ୍ୟ କୌଣସି ବସ୍ତ୍ର ପିନ୍ଧି ନଥାନ୍ତି ୤ କିନ୍ତୁ ହାଟ ବଜାରକୁ ଆସିଲେ ବକଳ କିମ୍ବା ଶିଆଳୀ ପତ୍ର ଗୁଡ଼ାଇହୋଇ ଆସିଥାନ୍ତି ୤ ଏହି ଘଟଣା/ପ୍ରଥା ୩୦ ବର୍ଷତଳେ ଦେଖିବାକୁ ମିଳୁଥିଲା ୤ ଏବେ ସେମାନେ ଲୁଗା ପିନ୍ଧିବା ଆରମ୍ଭ କଲେଣି ୤ କିନ୍ତୁ ମାତା ସୀତାଙ୍କ ଅଭିଶାପକୁ ମରିବା ପର୍ଯ୍ୟନ୍ତ ପାଳନ କରିବେ ବୋଲି ସେମାନେ କୁହନ୍ତି ୤

କୋୟାମାନେ ବାଲିମେଳାଠାରୁ ମୋଟୁ ଓ ପୋଡ଼ିଆ ପର୍ଯ୍ୟନ୍ତ ବସବାସ କରନ୍ତି ୤ ପଡ଼ୋଶୀ ଛତିଶଗଡ଼ ରାଜ୍ୟରେ ମଧ୍ୟ ସେମାନେ ବହୁ ସଂଖ୍ୟାରେ ଅଛନ୍ତି ୤ ଆଧୁନିକ ଯୁଗର କୋରୁକୁଣ୍ଡା ହେଉଛି ରାମାୟଣ ବର୍ଣ୍ଣିତ କିସ୍କିନ୍ଧା ୤ କୋରକୁଣ୍ଡା ବ୍ଲକଟି ମାଲକାନଗିରି ଜିଲ୍ଲା ସଦର ମହକୁମାଠାରୁ ପ୍ରାୟ ୨୦କିଲୋମିଟର ଦୂର ଏବଂ ବାଲିମେଳା ସେଠାରୁ ୧୫ କିଲୋମିଟର ୤ ଉକ୍ତ ସ୍ଥାନ ଅର୍ଥାତ୍‌ କିସ୍କିନ୍ଧା ନିକଟରେ ଏକ ଛୋଟ ପାହାଡ଼ ସଂଲଗ୍ନ ଗ୍ରାମ ରହିଛି ୤ ଯାହାକୁ କି ଦୁନ୍ଦୁଗୁଡ଼ା ବୋଲି କୁହାଯାଏ ୤ ତାହାହିଁ ଦୁନ୍ଦୁଭି ଅସ୍ଥିର ପାହାଡ଼ ବୋଲି ଗବେଷକମାନେ ମତ ଦିଅନ୍ତି ୤ ବାଳୀକୁ ହତ୍ୟା କରିବା ପୂର୍ବରୁ ଶ୍ରୀରାମଚନ୍ଦ୍ର ପାହାଡ଼ ସଦୃଶ ପଡ଼ିଥିବା ଦୁନ୍ଦୁଭି ଅସ୍ଥିକୁ ଏକ ଯୋଜନ ଦୂରକୁ ପିଙ୍ଗି ଦେଇଥିଲେ ୤ ସେହିପରି ଭାବେ ବାଳୀକୁ ହତ୍ୟାକରିବା ପୂର୍ବରୁ ଶ୍ରୀରାମଚନ୍ଦ୍ର ଗୋଟିଏ ଶରରେ ୭ଟି ତାଳଗଛକୁ ଭେଦ କରିଥିଲେ ୤ କହିବା ବାହୁଲ୍ୟ ଯେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ମାଲକାନଗିରିକୁ ଛାଡ଼ିଦେଲେ ଅନ୍ୟ କେଉଁଠି ତାଳଗଛ ଦେଖିବାକୁ ମିଳେନାହିଁ ୤ ଗୁରୁତ୍ୱପୂର୍ଣ୍ଣ କଥାହେଉଛି ଯେ ସୁଗ୍ରୀବଙ୍କ ସଖା ଶ୍ରୀରାମଚନ୍ଦ୍ର ବାଳିକୁ ଯେଉଁ ସ୍ଥାନରେ ହତ୍ୟା କରିଥିଲେ ତାହା ବର୍ତ୍ତମାନର ବାଲିମେଳା ବ୍ୟତୀତ ଆଉକିଛି ନୁହେଁ ୤ ବାଳୀ ମରିବାର ଗୋଟିଏ ଦିନ ପରେ କୋୟାମାନେ ସମ୍ମିଳିତ ହୋଇ ଯେଉଁସ୍ଥାନରେ ଉତ୍ସବ ମନାଇଥିଲେ ତାହା ଆଧୁନିକ ବାଲିମେଳା ବୋଲି କୁହାଯାଉଛି ୤

ରାମାୟଣରେ ସୀତାମାତାଙ୍କର ଦିବଂଗତ ମହାରାଜା ଦଶରଥଙ୍କୁ ପୁତ୍ର ରାମଚନ୍ଦ୍ରଙ୍କ ଅନୁପସ୍ଥିତିରେ/ଆବର୍ତ୍ତମାନ କାଳରେ ନଦୀରୁ ବାଲି ଆଣି ବାଲିପିଣ୍ଡ ରୂପେ ଅର୍ପଣକରିବାର ବର୍ଣ୍ଣନା ରହିଛି ୤ ଏକଥା ଦେଶର ଅନ୍ୟ କୌଣସି ସ୍ଥାନରେ ଉଦ୍‌ଜୀବିତ ନାହିଁ ୤ କୋରାପୁଟ ଜିଲ୍ଲାର କେବଳ ତାହାର ନଜିତ୍‌ ଅଦ୍ୟାବଧି ରହିଆସିଛି ୤ ଅର୍ଥାତ୍‌ ବିଭିନ୍ନ ସ୍ଥାନରେ ମାଲକାନଗିରି ସମେତ କୋରାପୁଟରେ ବାଲି ଉତ୍ସବ ପାଳିତ ହୋଇଆସୁଛି ୤ ଉକ୍ତ ବାଲି ପର୍ବରେ ରାମଭକ୍ତମାନେ ବାଲି ଅର୍ପଣ କରି ତାଙ୍କର ପୂର୍ବପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଆସୁଛନ୍ତି ୤ ଏହା ବ୍ୟତୀତର ଚିତ୍ରକୁଟକୁ କେତେକ ଆଧୁନିକ ଚିତ୍ରକୋଣ୍ଡା ବୋଲି କହିଆସୁଥିବା ବେଳେ ମାଲକାନଗିରି ସହର ସଂଲଗ୍ନ ପର୍ବତମାଳାକୁ ମାଲ୍ୟବନ୍ତଗିରି ଭାବେ ବର୍ଣ୍ଣନା କରନ୍ତି ୤ ପ୍ରତ୍ୟେକ ୩ବର୍ଷରେ ଥରେ ମାଲକାନଗିରିରେ ଠାକୁରାଣୀ ପୂଜାର ଆୟୋଜନ କରାଯାଇଥାଏ ୤ ସେହି ପୂଜାରେ ଅଗ୍ରପୂଜ୍ୟଭାବେ ରାମ ଲକ୍ଷ୍ମଣ ଓ ହନୁମାନଙ୍କୁ ପୂଜା କରାଯାଇଥାଏ ୤ ଅବଶ୍ୟ ସେହି ୫୫କିଲୋମିଟର ଯାତ୍ରାରେ ହଜାର ହଜାର ବଳି ପଡ଼ିଥାଏ ୤ ତାହା କେବଳ ମାଲକାନଗିରିର ଅଧିଷ୍ଠାତ୍ରୀ ଦେବୀଙ୍କ ଉଦ୍ଦେଶ୍ୟରେ ଦିଆଯାଏ ୤ ଗୋଟିଏ ବିମାନରେ ଯାଉଥିଲେ ବି ରାମ ଲକ୍ଷ୍ମଣ ଏବଂ ହନୁମାନଙ୍କ ପାଇଁ କଦଳୀ କିମ୍ବା ନଡ଼ିଆ ଲାଗି କରାଯାଏ ୤ ସୀତାମାତାଙ୍କ ଅପହରଣ ପରେ ମାଲକାନଗିରିର ସେହି ଅଧିଷ୍ଠାତ୍ରୀ ଦେବୀ ହିଁ ରାମ ଲକ୍ଷ୍ମଣ ଓ ହନୁମାନଙ୍କୁ ଦାକ୍ଷିଣାତ୍ୟର ବାଟ ଦେଖାଇ ଦେଇଥିଲେ ବୋଲି ପ୍ରବାଦ ରହିଛି ୤

ରାମଗିରି, ତୁଳସୀ ପାହାଡ଼ ଏବଂ ଗୁପ୍ତେଶ୍ୱରଙ୍କ ବିଜେସ୍ଥଳୀ ମଧ୍ୟ ରାମଗିରିଠାରେ ମହର୍ଷି ବାଲ୍ମିକୀଙ୍କ ଆଶ୍ରମ ଥିଲା ବୋଲି କିଛି ଗବେଷକ ମତଦିଅନ୍ତି ୤ ପ୍ରତ୍ୟେକ ବର୍ଷ ଦେଶର ବିଭିନ୍ନ ପ୍ରାନ୍ତରରୁ ଗବେଷକମାନେ ରାମଗିରି ଆସିଥାନ୍ତି ୤ ଏକ ପର୍ବତ ଗୁମ୍ଫାରେ ରାମଚନ୍ଦ୍ର ଶିବଲିଙ୍ଗ ପ୍ରତିଷ୍ଠା କରି ପୂଜାକରୁଥିଲେ ତାହା ଏବେ ଗୁପ୍ତେଶ୍ୱର ପୀଠ ରୂପେ ଖ୍ୟାତ ୤ ଗୁପ୍ତେଶ୍ୱର ପୀଠରୁ ଅନତି ଦୂରରେ ଏକ ତୁଳସୀ ପାହାଡ଼ ରହିଛି ୤ ଉକ୍ତ ପାହାଡ଼ଟି କେବଳ ତୁଳସୀଗଛରେ ପୂର୍ଣ୍ଣ ୤ ଅଧକିଲୋମିଟର ଦୂରରୁ ତୁଳସୀର ବାସ୍ନାରୁ ଜଣାପଡ଼ିଯାଏ ୤ବର୍ତ୍ତମାନ ତାହା ତେନ୍ତୁଲିଗୁମା ଗ୍ରାମରେ ଅବସ୍ଥିତ ୤ [୩]

ଆଧାର[ସମ୍ପାଦନା]

  1. ମନୋଜ ଦାସ, ଧରିତ୍ରୀ, ୨୪.୧୦.୧୯୭୬
  2. ମନୋଜ ଦାସ, ଧରିତ୍ରୀ, ୨୫.୧୨.୧୯୮୩
  3. ବୈଷ୍ଣବ ଜେନା, ସଂଚାର, ପୃଷ୍ଠା-୯, ୨୫ ସେପ୍ଟେମ୍ବର, ୨୦୧୩