ଡେବିରି ବ୍ରତ

ଉଇକିପିଡ଼ିଆ‌ରୁ

ଡେବିରି ବ୍ରତ ଏକ ଲୋକ ବିଶ୍ୱାସ, ପୂର୍ବ ଦକ୍ଷିଣ ଓ ମଧ୍ୟ ଓଡ଼ିଶାରେ ପ୍ରଚଳିତ ଥିବା ଦେଖାଯାଏ । ଏହି ବ୍ରତ ସନ୍ତାନ ପ୍ରାପ୍ତି ନିମନ୍ତେ ନିଃସନ୍ତାନ ବିବାହିତ ମହିଳା ପାଳନ କରିଥାନ୍ତି ।

ବ୍ରତ ବିଧି[ସମ୍ପାଦନା]

ଡେବିରି ହାତ (ବାମ ହାତ)ରେ ଖାଦ୍ୟ ଖାଇ ଷଠି ବୁଢ଼ୀ ନିକଟରେ ମାନସିକ ରଖାଯାଏ ଯେ ତାଙ୍କ ଛୁଆଠାରେ ଜ୍ଞାନ ଆସିବା ପର୍ଯ୍ୟନ୍ତ ଏହି ବ୍ରତ ପାଳିବା ଚାଲୁ ରଖିବେ । ବ୍ରତ ଗୋପନୀୟ ରହେ । ବ୍ରତ ପାଳୁଥିବା ମହିଳାଜଣକ ଖାଉଥିବା ସମୟରେ ଯଦି ବାହାର ଲୋକ କେହି ବାମ ହାତରେ କିଆଁ ଖାଉଚୁ ବୋଲି ପଚାରନ୍ତି ତତକ୍ଷଣାତ ଖାଇବା ବନ୍ଦ କରି ଖାଇବା ଜାଗାରୁ ମହିଳା ଜଣକ ଉଠିଯାଇ ହାତ ଧୋଇବାକୁ ଚାଲି ଯାଆନ୍ତି । ଦେଖାଯାଏ ଏପରି ଦୁର୍ଘଟଣା ନ ଘଟିବା ପାଇଁ ପ୍ରାୟତଃ କବାଟ ବନ୍ଦ କରି ମହିଳା ଜଣକ ଖାଇଥାନ୍ତି । ସନ୍ତାନ ପ୍ରାପ୍ତି ପରେ ମଧ୍ୟ ମା ଏପରି ଚାଲୁ ରଖନ୍ତି । ଛୁଆ ମାଆକୁ 'ବାମ ହାତରେ କିଆଁ ଖାଉଚୁ' କହିବା ପର୍ଯ୍ୟନ୍ତ ଏହି ବ୍ରତ ଚାଲେ । ମା ଏମିତି କହିବାକୁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ଛୁଆକୁ ପ୍ରବର୍ତ୍ତେଇ ନଥାନ୍ତି କାରଣ ଛୁଆ ଏପରି କହିଲେ ହିଁ ଛୁଆଠାରେ ଜ୍ଞାନ ଆସିଲା ବୋଲି ଜଣାଯାଏ । ଏହି ବାକ୍ୟ ଖାଇବା ସମୟରେ ଶୁଣିବା କ୍ଷଣି ବ୍ରତ ଭଙ୍ଗ ହୁଏ । ସେଦିନ ଘରେ ଷଠି ବୁଢ଼ୀ ଉଦ୍ଦେଶ୍ୟରେ ଭୋଗରାଗ ପୂଜା କରି ବ୍ରତ ସମାପନ ହୁଏ ।

ସନ୍ତାନଟିଏ ପାଇବା ପାଇଁ ଅସନା ହାତରେ ଖାଇବା ଭଳି ଘୃଣ୍ୟ କାମ କରିବାକୁ ନିଃସନ୍ତାନ ନାରୀ ପଛାଇବ ନାହିଁ ବୋଲି ଏପରି ପ୍ରତିଜ୍ଞା ଷଠି ବୁଢ଼ୀ ନିକଟରେ କରିଥାଏ ।

ବିତର୍କ[ସମ୍ପାଦନା]

ଗାଁ ଗହଳିରେ ଶିକ୍ଷା ଅଭାବରୁ ସେହି ଛୁଆ ଅଶିକ୍ଷିତ ରହିଲେ ମାର ଏହି ବ୍ରତ ପାଳନ ଦୀର୍ଘ ଦିନ ଧରି ଚାଲେ ଫଳରେ ବ୍ରତଧାରୀଙ୍କ ଜୀବନ ଶୈଳୀରେ ବ୍ୟାଘାତ ଆସେ । ସାଧାରଣତଃ ବନ ହାତରେ ଶୌଚ କ୍ରିୟା କରାଯାଏ । ସେ ହାତରେ ଖାଇବାଦ୍ୱାରା ରୋଗ ଜୀବାଣୁ ଶରୀର ମଧ୍ୟକୁ ପ୍ରବେଶ କରି ମା'କୁ ରୋଗାକ୍ରାନ୍ତ କରେ ।

ଆଧାର[ସମ୍ପାଦନା]