ଝାଂଗ୍‍ଜ୍ୟାଜ୍ୟେ ଜାତୀୟ ବନୋଦ୍ୟାନ

ଉଇକିପିଡ଼ିଆ‌ରୁ
ଝାଂଗ୍‍ଜ୍ୟାଜ୍ୟେ ଜାତୀୟ ବନୋଦ୍ୟାନ
ଝାଂଗ୍‍ଜ୍ୟାଜ୍ୟେ ନ୍ୟାସନାଲ୍ ଫରେଷ୍ଟ୍ ପାର୍କ୍
ଝାଂଗ୍‍ଜ୍ୟାଜ୍ୟେ ପର୍ବତମାଳା
Map showing the location of ଝାଂଗ୍‍ଜ୍ୟାଜ୍ୟେ ଜାତୀୟ ବନୋଦ୍ୟାନ ଝାଂଗ୍‍ଜ୍ୟାଜ୍ୟେ ନ୍ୟାସନାଲ୍ ଫରେଷ୍ଟ୍ ପାର୍କ୍.
Map showing the location of ଝାଂଗ୍‍ଜ୍ୟାଜ୍ୟେ ଜାତୀୟ ବନୋଦ୍ୟାନ ଝାଂଗ୍‍ଜ୍ୟାଜ୍ୟେ ନ୍ୟାସନାଲ୍ ଫରେଷ୍ଟ୍ ପାର୍କ୍.
ଚୀନର ମାନଚିତ୍ରରେ ଝାଂଗ୍‍ଜ୍ୟାଜ୍ୟେର ଅବସ୍ଥିତି
ଅବସ୍ଥାନଝାଂଗ୍‍ଜ୍ୟାଜ୍ୟେ, ହୁଣାନ, ଚୀନ
କ୍ଷେତ୍ରଫଳ୪୮୧୦ ହେକ୍ଟର୍
ସ୍ଥାପିତ୧୯୮୨

ଝାଂଗ୍‍ଜ୍ୟାଜ୍ୟେ ଜାତୀୟ ବନୋଦ୍ୟାନ (ଇଂରାଜୀ ଭାଷାରେ Zhangjiajie National Forest Park, ଚୀନୀ ଭାଷାରେ 湖南张家界国家森林公园) ଚୀନର ହୁଣାନ ପ୍ରାନ୍ତର ଝାଂଗ୍‍ଜ୍ୟାଜ୍ୟେରେ ଅବସ୍ଥିତ । ୱୁଲିଂଗ୍ୟୁଆନ୍ ଅଞ୍ଚଳରେ ରହିଥିବା ଅନେକ ଜାତୀୟ ଉଦ୍ୟାନ ମଧ୍ୟରୁ ଏହା ଅନ୍ୟତମ । ଝାଂଗ୍‍ଜ୍ୟାଜ୍ୟେରେ ରହିଥିବା କିଛି ପର୍ବତକୁ ଝୁଲନ୍ତା ପର୍ବତ ବୋଲି ମଧ୍ୟ କୁହାଯାଏ ।

ଇତିହାସ[ସମ୍ପାଦନା]

ଏହି ଉଦ୍ୟାନର କିଛି ପର୍ବତରୁ ଅନୁପ୍ରାଣିତ ହୋଇ ଇଂରାଜୀ ଚଳଚ୍ଚିତ୍ର “ଅବତାର”ର ପ୍ରାକୃତିକ ପୃଷ୍ଠଭୂମି ନିର୍ମିତ ହୋଇଥିଲା

୧୯୮୨ ମସିହାରେ ଝାଂଗ୍‍ଜ୍ୟାଜ୍ୟେରେ ୪୮୧୦ ହେକ୍ଟର୍ ପରିମିତ ଅଞ୍ଚଳକୁ ଚୀନର ପ୍ରଥମ ଜାତୀୟ ବନୋଦ୍ୟାନର ମାନ୍ୟତା ମିଳିଥିଲା ।[୧] ଝାଂଗ୍‍ଜ୍ୟାଜ୍ୟେ ଜାତୀୟ ବନୋଦ୍ୟାନ ୩୯୭.୫ ବର୍ଗ କିଲୋମିଟର ଅଞ୍ଚଳରେ ବ୍ୟାପ୍ତ ୱୁଲିଂଗ୍ୟୁଆନ୍ ଦର୍ଶନୀୟ ଅଞ୍ଚଳର ଏକ ଅଂଶ । ୧୯୯୨ ମସିହାରେ ୱୁଲିଂଗ୍ୟୁଆନ୍‍କୁ ୟୁନେସ୍କୋ (UNESCO)ଦ୍ୱାରା ବିଶ୍ୱ ଐତିହ୍ୟ ସ୍ଥଳର ମାନ୍ୟତା ପ୍ରଦାନ କରାଯାଇଥିଲା ।[୨] ୨୦୦୧ ମସିହାରେ ଝାଂଗ୍‍ଜ୍ୟାଜ୍ୟେର ୩୬୦୦ ବର୍ଗ କିଲୋମିଟର ପରିମିତ ଅଞ୍ଚଳକୁ ଚୀନର ଭୂସମ୍ବଳ ମନ୍ତ୍ରଣାଳୟ “ଝାଂଗ୍‍ଜ୍ୟାଜ୍ୟେ ସାଣ୍ଡଷ୍ଟୋନ୍ ପିକ୍ ଫରେଷ୍ଟ୍ ନ୍ୟାସନାଲ୍ ଜିଓପାର୍କ୍” ଘୋଷିତ କରିଥିଲା । ୨୦୦୪ ମସିହାରେ ଝାଂଗ୍‍ଜ୍ୟାଜ୍ୟେ ଜିଓପାର୍କକୁ ୟୁନେସ୍କୋର ବିଶ୍ୱ ଜିଓପାର୍କ ତାଲିକାଭୁକ୍ତ କରାଯାଇଛି ।

ଝାଂଗ୍‍ଜ୍ୟାଜ୍ୟେ ବନୋଦ୍ୟାନର ଏକ ବିଶେଷତ୍ୱ ହେଲା ଏଠାକାର ସ୍ତମ୍ଭ ସଦୃଶ ଲମ୍ବା ପାହାଡ଼ । ଚୂନ ପଥର ରହିଥିବା ଅଞ୍ଚଳରେ ରସାୟନିକ ପ୍ରକ୍ରିୟା ଯୋଗୁଁ ପଥରମାନଙ୍କର ଅବକ୍ଷୟ ଘଟି ଏପରି ସ୍ତମ୍ଭାକାର ପାହାଡ଼ ସୃଷ୍ଟି ହେବା ଦେଖାଯାଏ । କିନ୍ତୁ ଝାଂଗ୍‍ଜ୍ୟାଜ୍ୟେରେ ଚୂନ ପଥର ନାହିଁ ଓ ଏହି ସ୍ତମ୍ଭାକାର ପାହାଡ଼ ରସାୟନିକ ନୁହେଁ ବରଂ ପ୍ରାକୃତିକ କାରଣରୁ ଘଟିଥିବା ଅବକ୍ଷୟ । ଶୀତ ଦିନରେ ବରଫାବୃତ ଅଞ୍ଚଳ ପ୍ରସାରିତ ହୋଇ ଓ ପର୍ବତରେ ରହିଥିବା ବୃକ୍ଷମାନଙ୍କ କାରଣରୁ ଏହି ଅବକ୍ଷୟ ଘଟିଥିବାର ଅନୁମାନ କରାଯାଉଛି । ଏଠାକାର ଜଳବାୟୁ ଆର୍ଦ୍ର ରହୁଥିବାରୁ ଏଠାକାର ଜଙ୍ଗଲ ଓ ବୁଦା ଝଙ୍କାଳିଆ । ଅବକ୍ଷୟ ଘଟିଥିବା ପ୍ରସ୍ତର ବିଭିନ୍ନ ଜଳ ସ୍ରୋତଦ୍ୱାରା ଧୋଇ ହୋଇଯାନ୍ତି । ଏହି ପ୍ରାକୃତିକ ଗଠନ ଚୀନର ବିଭିନ୍ନ ପ୍ରାଚୀନ ଚିତ୍ରରେ ମଧ୍ୟ ଦେଖିବାକୁ ମିଳେ ।

ଏହି ବନୋଦ୍ୟାନରେ “ସଦର୍ଣ୍ଣ୍ ସ୍କାଏ କଲମ୍ନ” ନାମରେ ଏକ ସ୍ତମ୍ଭାକାର ପାହାଡ଼ ରହିଛି ଯାହାର ଉଚ୍ଚତା ୧୦୮୦ ମିଟର ଓ ଏହା କ୍ୱାର୍ଜ୍-ବାଲିପଥରରେ ଗଢ଼ା । ୨୦୦୯ ମସିହାରେ ନିର୍ମିତ “ଅବତାର” ନାମକ ଇଂରାଜୀ ଚଳଚ୍ଚିତ୍ରର ପୃଷ୍ଠଭୂମିରେ ଏପରି ପାହାଡ଼ର ପରିବେଶ ବ୍ୟବହାର କରାଯାଇଥିବାରୁ ୨୦୧୦ ମସିହା ଜାନୁଆରୀ ମାସରେ ପର୍ବତଟିକୁ “ଅବତାର ହାଲଲୁୟା ପର୍ବତ” ନାମିତ କରାଯାଇଥିଲା ।[୩] ଚଳଚ୍ଚିତ୍ରର ନିର୍ଦ୍ଦେଶକ ଓ ନିର୍ମାତାମାନେ ହୁଣାନର ପର୍ବତ ସମେତ ବିଶ୍ୱର ଅନେକ ଝୁଲନ୍ତା ପର୍ବତରୁ ଅନୁପ୍ରାଣିତ ହୋଇ ଚଳଚ୍ଚିତ୍ରର ଭୌଗୋଳିକ ପୃଷ୍ଠଭୂମି ପ୍ରସ୍ତୁତ କରିଥିବା ବିଷୟ ଜଣାଇଥିଲେ ।[୪]

କୃତ୍ରିମ ନିର୍ମାଣ[ସମ୍ପାଦନା]

ବାଇଲୋଂଗ୍ ଏଲିଭେଟର୍

୨୦୦୨ ମସିହାରୁ ବାଇଲୋଂଗ୍ ଏଲିଭେଟର୍‍କୁ ସର୍ବସାଧାରଣଙ୍କ ସେବା ପାଇଁ ଖୋଲାଯାଇଛି । ୩୨୬ ମିଟର୍ ଲମ୍ବା ଏହି ଏଲିଭେଟର୍‍ ବିଶ୍ୱର ସର୍ବୋଚ୍ଚ ଲିଫ୍ଟ ଯାହା ବାହ୍ୟ ପରିବେଶରେ ନିର୍ମିତ ହୋଇଛି । ଏହି ଲିଫ୍ଟକୁ “ଶହେ ଡ୍ରାଗନଙ୍କ ସ୍କାଏ ଲିଫ୍ଟ” ମଧ୍ୟ କୁହାଯାଏ । ୨ ମିନିଟ୍‍ରୁ କମ୍ ସମୟରେ ଏହି ଲିଫ୍ଟ ଯୋଗେ ତଳୁ ସର୍ବୋଚ୍ଚ ସ୍ଥାନରେ ପହଞ୍ଚି ହେବ । ଏହି ଲିଫ୍ଟ ବ୍ୟବସ୍ଥାରେ ୩ଟି ଲିଫ୍ଟ ରହିଛି । ପ୍ରତ୍ୟେକେ ୫୦ ଜଣ ଲୋକ ବହନ କରିବାର କ୍ଷମତାସମ୍ପନ୍ନ ଓ ଏମାନଙ୍କ କାନ୍ଥ କାଚରେ ତିଆରି ହୋଇଥିବାରୁ ଲିଫ୍ଟରୁ ବାହ୍ୟ ପରିବେଶର ଦୃଶ୍ୟ ମଧ୍ୟ ଉପଭୋଗ କରିହେବ ।

୨୦୧୬ ମସିହା ଅଗଷ୍ଟ ମାସରେ ଝାଂଗ୍‍ଜ୍ୟାଜ୍ୟେ ବିଶାଳ ଗଣ୍ଡ (କ୍ୟାନ୍ୟନ୍)ଠାରେ ଏକ କାଚନିର୍ମିତ ପୋଲ ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଥିଲା । ଏହି କାଚ ପୋଲ ୪୩୦ ମିଟର ଦୀର୍ଘ ଓ ଭୂପୃଷ୍ଠରୁ ୩୦୦ ମିଟର ଉଚ୍ଚ ଏବଂ କେବଳ ପଦଚାରୀଙ୍କ ବ୍ୟବହାରୋପଯୋଗୀ । ଏହି ପୋଲ ବିଶ୍ୱର ଦୀର୍ଘତମ ଓ ଉଚ୍ଚତମ କାଚ ପୋଲ ।[୫] ମାତ୍ରାଧିକ ପର୍ଯ୍ୟଟକ ଆସିବାରୁ ଖୋଲିବାର ୧୩ ଦିନ ପରେ ପୋଲକୁ ପୁଣି ବନ୍ଦ କରିଦିଆ ଯାଇଥିଲା ।[୬] ଅଧିକ ସଂଖ୍ୟକ ଲୋକଙ୍କୁ ଧାରଣ କରିବାର ସାମର୍ଥ୍ୟ, ସୁରକ୍ଷା ବ୍ୟବସ୍ଥା ଓ ଗଠନାତ୍ମକ ପରିବର୍ତ୍ତନ କରାଯିବା ପରେ ୨୦୧୬ ମସିହା ସେପ୍ଟେମ୍ବର ୩୦ ତାରିଖ ଦିନ ପୋଲକୁ ପୁଣି ପର୍ଯ୍ୟଟକଙ୍କ ପାଇଁ ଖୋଲାଗଲା ।[୭]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Zhangjiajie Scenic Spot". www.travelchinaguide.com. Archived from the original on 2008-07-09. Retrieved 2008-07-30.
  2. "A Brief Account of Zhangjiajie". www.zhangjiajie.com.cn. Archived from the original on 2008-12-01. Retrieved 2008-07-30.
  3. ""Avatar" inspires China province to rename mountain". China Daily. January 26, 2010. Archived from the original on June 6, 2011.
  4. Anders, Charlie Jane (January 14, 2010). "Avatar's Designers Speak: Floating Mountains, AMP Suits And The Dragon".
  5. BBC News (2016-08-20). "Glass bridge: China opens world's highest and longest". BBC News. 20 August 2016.
  6. "World's longest glass bridge closes for maintenance two weeks after opening". The Guardian. 2016-09-02.
  7. "World's longest and highest glass bridge reopens". The Telegraph (in ବ୍ରିଟିଶ୍‌ ଇଂରାଜୀ). Retrieved 2017-08-16.

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]