ଝାଂଗ୍ଜ୍ୟାଜ୍ୟେ ଜାତୀୟ ବନୋଦ୍ୟାନ
ଝାଂଗ୍ଜ୍ୟାଜ୍ୟେ ଜାତୀୟ ବନୋଦ୍ୟାନ ଝାଂଗ୍ଜ୍ୟାଜ୍ୟେ ନ୍ୟାସନାଲ୍ ଫରେଷ୍ଟ୍ ପାର୍କ୍ | |
---|---|
ଚୀନର ମାନଚିତ୍ରରେ ଝାଂଗ୍ଜ୍ୟାଜ୍ୟେର ଅବସ୍ଥିତି | |
ଅବସ୍ଥାନ | ଝାଂଗ୍ଜ୍ୟାଜ୍ୟେ, ହୁଣାନ, ଚୀନ |
କ୍ଷେତ୍ରଫଳ | ୪୮୧୦ ହେକ୍ଟର୍ |
ସ୍ଥାପିତ | ୧୯୮୨ |
ଝାଂଗ୍ଜ୍ୟାଜ୍ୟେ ଜାତୀୟ ବନୋଦ୍ୟାନ (ଇଂରାଜୀ ଭାଷାରେ Zhangjiajie National Forest Park, ଚୀନୀ ଭାଷାରେ 湖南张家界国家森林公园) ଚୀନର ହୁଣାନ ପ୍ରାନ୍ତର ଝାଂଗ୍ଜ୍ୟାଜ୍ୟେରେ ଅବସ୍ଥିତ । ୱୁଲିଂଗ୍ୟୁଆନ୍ ଅଞ୍ଚଳରେ ରହିଥିବା ଅନେକ ଜାତୀୟ ଉଦ୍ୟାନ ମଧ୍ୟରୁ ଏହା ଅନ୍ୟତମ । ଝାଂଗ୍ଜ୍ୟାଜ୍ୟେରେ ରହିଥିବା କିଛି ପର୍ବତକୁ ଝୁଲନ୍ତା ପର୍ବତ ବୋଲି ମଧ୍ୟ କୁହାଯାଏ ।
ଇତିହାସ
[ସମ୍ପାଦନା]୧୯୮୨ ମସିହାରେ ଝାଂଗ୍ଜ୍ୟାଜ୍ୟେରେ ୪୮୧୦ ହେକ୍ଟର୍ ପରିମିତ ଅଞ୍ଚଳକୁ ଚୀନର ପ୍ରଥମ ଜାତୀୟ ବନୋଦ୍ୟାନର ମାନ୍ୟତା ମିଳିଥିଲା ।[୧] ଝାଂଗ୍ଜ୍ୟାଜ୍ୟେ ଜାତୀୟ ବନୋଦ୍ୟାନ ୩୯୭.୫ ବର୍ଗ କିଲୋମିଟର ଅଞ୍ଚଳରେ ବ୍ୟାପ୍ତ ୱୁଲିଂଗ୍ୟୁଆନ୍ ଦର୍ଶନୀୟ ଅଞ୍ଚଳର ଏକ ଅଂଶ । ୧୯୯୨ ମସିହାରେ ୱୁଲିଂଗ୍ୟୁଆନ୍କୁ ୟୁନେସ୍କୋ (UNESCO)ଦ୍ୱାରା ବିଶ୍ୱ ଐତିହ୍ୟ ସ୍ଥଳର ମାନ୍ୟତା ପ୍ରଦାନ କରାଯାଇଥିଲା ।[୨] ୨୦୦୧ ମସିହାରେ ଝାଂଗ୍ଜ୍ୟାଜ୍ୟେର ୩୬୦୦ ବର୍ଗ କିଲୋମିଟର ପରିମିତ ଅଞ୍ଚଳକୁ ଚୀନର ଭୂସମ୍ବଳ ମନ୍ତ୍ରଣାଳୟ “ଝାଂଗ୍ଜ୍ୟାଜ୍ୟେ ସାଣ୍ଡଷ୍ଟୋନ୍ ପିକ୍ ଫରେଷ୍ଟ୍ ନ୍ୟାସନାଲ୍ ଜିଓପାର୍କ୍” ଘୋଷିତ କରିଥିଲା । ୨୦୦୪ ମସିହାରେ ଝାଂଗ୍ଜ୍ୟାଜ୍ୟେ ଜିଓପାର୍କକୁ ୟୁନେସ୍କୋର ବିଶ୍ୱ ଜିଓପାର୍କ ତାଲିକାଭୁକ୍ତ କରାଯାଇଛି ।
ଝାଂଗ୍ଜ୍ୟାଜ୍ୟେ ବନୋଦ୍ୟାନର ଏକ ବିଶେଷତ୍ୱ ହେଲା ଏଠାକାର ସ୍ତମ୍ଭ ସଦୃଶ ଲମ୍ବା ପାହାଡ଼ । ଚୂନ ପଥର ରହିଥିବା ଅଞ୍ଚଳରେ ରସାୟନିକ ପ୍ରକ୍ରିୟା ଯୋଗୁଁ ପଥରମାନଙ୍କର ଅବକ୍ଷୟ ଘଟି ଏପରି ସ୍ତମ୍ଭାକାର ପାହାଡ଼ ସୃଷ୍ଟି ହେବା ଦେଖାଯାଏ । କିନ୍ତୁ ଝାଂଗ୍ଜ୍ୟାଜ୍ୟେରେ ଚୂନ ପଥର ନାହିଁ ଓ ଏହି ସ୍ତମ୍ଭାକାର ପାହାଡ଼ ରସାୟନିକ ନୁହେଁ ବରଂ ପ୍ରାକୃତିକ କାରଣରୁ ଘଟିଥିବା ଅବକ୍ଷୟ । ଶୀତ ଦିନରେ ବରଫାବୃତ ଅଞ୍ଚଳ ପ୍ରସାରିତ ହୋଇ ଓ ପର୍ବତରେ ରହିଥିବା ବୃକ୍ଷମାନଙ୍କ କାରଣରୁ ଏହି ଅବକ୍ଷୟ ଘଟିଥିବାର ଅନୁମାନ କରାଯାଉଛି । ଏଠାକାର ଜଳବାୟୁ ଆର୍ଦ୍ର ରହୁଥିବାରୁ ଏଠାକାର ଜଙ୍ଗଲ ଓ ବୁଦା ଝଙ୍କାଳିଆ । ଅବକ୍ଷୟ ଘଟିଥିବା ପ୍ରସ୍ତର ବିଭିନ୍ନ ଜଳ ସ୍ରୋତଦ୍ୱାରା ଧୋଇ ହୋଇଯାନ୍ତି । ଏହି ପ୍ରାକୃତିକ ଗଠନ ଚୀନର ବିଭିନ୍ନ ପ୍ରାଚୀନ ଚିତ୍ରରେ ମଧ୍ୟ ଦେଖିବାକୁ ମିଳେ ।
ଏହି ବନୋଦ୍ୟାନରେ “ସଦର୍ଣ୍ଣ୍ ସ୍କାଏ କଲମ୍ନ” ନାମରେ ଏକ ସ୍ତମ୍ଭାକାର ପାହାଡ଼ ରହିଛି ଯାହାର ଉଚ୍ଚତା ୧୦୮୦ ମିଟର ଓ ଏହା କ୍ୱାର୍ଜ୍-ବାଲିପଥରରେ ଗଢ଼ା । ୨୦୦୯ ମସିହାରେ ନିର୍ମିତ “ଅବତାର” ନାମକ ଇଂରାଜୀ ଚଳଚ୍ଚିତ୍ରର ପୃଷ୍ଠଭୂମିରେ ଏପରି ପାହାଡ଼ର ପରିବେଶ ବ୍ୟବହାର କରାଯାଇଥିବାରୁ ୨୦୧୦ ମସିହା ଜାନୁଆରୀ ମାସରେ ପର୍ବତଟିକୁ “ଅବତାର ହାଲଲୁୟା ପର୍ବତ” ନାମିତ କରାଯାଇଥିଲା ।[୩] ଚଳଚ୍ଚିତ୍ରର ନିର୍ଦ୍ଦେଶକ ଓ ନିର୍ମାତାମାନେ ହୁଣାନର ପର୍ବତ ସମେତ ବିଶ୍ୱର ଅନେକ ଝୁଲନ୍ତା ପର୍ବତରୁ ଅନୁପ୍ରାଣିତ ହୋଇ ଚଳଚ୍ଚିତ୍ରର ଭୌଗୋଳିକ ପୃଷ୍ଠଭୂମି ପ୍ରସ୍ତୁତ କରିଥିବା ବିଷୟ ଜଣାଇଥିଲେ ।[୪]
କୃତ୍ରିମ ନିର୍ମାଣ
[ସମ୍ପାଦନା]୨୦୦୨ ମସିହାରୁ ବାଇଲୋଂଗ୍ ଏଲିଭେଟର୍କୁ ସର୍ବସାଧାରଣଙ୍କ ସେବା ପାଇଁ ଖୋଲାଯାଇଛି । ୩୨୬ ମିଟର୍ ଲମ୍ବା ଏହି ଏଲିଭେଟର୍ ବିଶ୍ୱର ସର୍ବୋଚ୍ଚ ଲିଫ୍ଟ ଯାହା ବାହ୍ୟ ପରିବେଶରେ ନିର୍ମିତ ହୋଇଛି । ଏହି ଲିଫ୍ଟକୁ “ଶହେ ଡ୍ରାଗନଙ୍କ ସ୍କାଏ ଲିଫ୍ଟ” ମଧ୍ୟ କୁହାଯାଏ । ୨ ମିନିଟ୍ରୁ କମ୍ ସମୟରେ ଏହି ଲିଫ୍ଟ ଯୋଗେ ତଳୁ ସର୍ବୋଚ୍ଚ ସ୍ଥାନରେ ପହଞ୍ଚି ହେବ । ଏହି ଲିଫ୍ଟ ବ୍ୟବସ୍ଥାରେ ୩ଟି ଲିଫ୍ଟ ରହିଛି । ପ୍ରତ୍ୟେକେ ୫୦ ଜଣ ଲୋକ ବହନ କରିବାର କ୍ଷମତାସମ୍ପନ୍ନ ଓ ଏମାନଙ୍କ କାନ୍ଥ କାଚରେ ତିଆରି ହୋଇଥିବାରୁ ଲିଫ୍ଟରୁ ବାହ୍ୟ ପରିବେଶର ଦୃଶ୍ୟ ମଧ୍ୟ ଉପଭୋଗ କରିହେବ ।
୨୦୧୬ ମସିହା ଅଗଷ୍ଟ ମାସରେ ଝାଂଗ୍ଜ୍ୟାଜ୍ୟେ ବିଶାଳ ଗଣ୍ଡ (କ୍ୟାନ୍ୟନ୍)ଠାରେ ଏକ କାଚନିର୍ମିତ ପୋଲ ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଥିଲା । ଏହି କାଚ ପୋଲ ୪୩୦ ମିଟର ଦୀର୍ଘ ଓ ଭୂପୃଷ୍ଠରୁ ୩୦୦ ମିଟର ଉଚ୍ଚ ଏବଂ କେବଳ ପଦଚାରୀଙ୍କ ବ୍ୟବହାରୋପଯୋଗୀ । ଏହି ପୋଲ ବିଶ୍ୱର ଦୀର୍ଘତମ ଓ ଉଚ୍ଚତମ କାଚ ପୋଲ ।[୫] ମାତ୍ରାଧିକ ପର୍ଯ୍ୟଟକ ଆସିବାରୁ ଖୋଲିବାର ୧୩ ଦିନ ପରେ ପୋଲକୁ ପୁଣି ବନ୍ଦ କରିଦିଆ ଯାଇଥିଲା ।[୬] ଅଧିକ ସଂଖ୍ୟକ ଲୋକଙ୍କୁ ଧାରଣ କରିବାର ସାମର୍ଥ୍ୟ, ସୁରକ୍ଷା ବ୍ୟବସ୍ଥା ଓ ଗଠନାତ୍ମକ ପରିବର୍ତ୍ତନ କରାଯିବା ପରେ ୨୦୧୬ ମସିହା ସେପ୍ଟେମ୍ବର ୩୦ ତାରିଖ ଦିନ ପୋଲକୁ ପୁଣି ପର୍ଯ୍ୟଟକଙ୍କ ପାଇଁ ଖୋଲାଗଲା ।[୭]
ଆହୁରି ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Zhangjiajie Scenic Spot". www.travelchinaguide.com. Archived from the original on 2008-07-09. Retrieved 2008-07-30.
- ↑ "A Brief Account of Zhangjiajie". www.zhangjiajie.com.cn. Archived from the original on 2008-12-01. Retrieved 2008-07-30.
- ↑ ""Avatar" inspires China province to rename mountain". China Daily. January 26, 2010. Archived from the original on June 6, 2011.
- ↑ Anders, Charlie Jane (January 14, 2010). "Avatar's Designers Speak: Floating Mountains, AMP Suits And The Dragon".
- ↑ BBC News (2016-08-20). "Glass bridge: China opens world's highest and longest". BBC News. 20 August 2016.
- ↑ "World's longest glass bridge closes for maintenance two weeks after opening". The Guardian. 2016-09-02.
- ↑ "World's longest and highest glass bridge reopens". The Telegraph (in ବ୍ରିଟିଶ୍ ଇଂରାଜୀ). Retrieved 2017-08-16.
ଅନ୍ୟାନ୍ୟ ଲିଂକ୍
[ସମ୍ପାଦନା]- Wulingyuan travel guide from Wikivoyage