ଜନ୍ ଏଫ୍. କେନେଡ଼ି

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଜନ ଏଫ୍ କେନେଡ଼ି
John F. Kennedy, White House color photo portrait.jpg
ଆମେରିକାର ରାଷ୍ଟ୍ରପତି
In office
୨୦ ଜାନୁଆରୀ ୧୯୬୧ – ୨୨ ନଭେମ୍ବର ୧୯୬୩
Vice President ଲିଣ୍ଡନ ବି. ଜନସନ
ପୂର୍ବ ଅଧିକାରୀ ଡ୍ୱାଇଟ ଡି ଆଇଜେନହାୱାର
ପର ଅଧିକାରୀ ଲିଣ୍ଡନ ବି. ଜନସନ
United States Senator
from ମାସାଚୁସେଟ୍ସ
In office
୩ ଜାନୁଆରୀ ୧୯୫୩ – ୨୨ ଡିସେମ୍ବର ୧୯୬୦
ପୂର୍ବ ଅଧିକାରୀ ହେନେରୀ କାବଟ ଲଜ୍ ଜୁନିଅର
ପର ଅଧିକାରୀ ବେଞ୍ଜାମିନ ଏ. ସ୍ମିଥ, ୨ୟ
Member of the U.S. House of Representatives
from ମାସାଚୁସେଟ୍ସ's ମାସାଚୁସେଟ୍ସ ୧୧ତମ ଜିଲ୍ଲା district
In office
୩ ଜାନୁଆରୀ ୧୯୪୭ – ୩ ଜାନୁଆରୀ ୧୯୫୩
ପୂର୍ବ ଅଧିକାରୀ ଜେମ୍ସ୍ ମାଇକେଲ କର୍ଲି
ପର ଅଧିକାରୀ ଟିପ୍ ଓ’ନିଲ୍
Personal details
ଜନ୍ମ ଜନ ଫିଜ୍‌ଗେରାଲ୍ଡ କେନେଡ଼ି
୨୯ ମେ ୧୯୧୭
ବ୍ରୁକଲିନ, ମାସାଚୁସେଟ୍ସ, ଯୁକ୍ତରାଷ୍ଟ୍ର ଆମେରିକା
ମୃତ୍ୟୁ ୨୨ ନଭେମ୍ବର ୧୯୬୩
ଡାଲାସ୍, ଟେକ୍ସାସ୍, ଯୁକ୍ତରାଷ୍ଟ୍ର ଆମେରିକା
ସମାଧି ସ୍ଥଳ ଆର୍ଲିଙ୍ଗଟନ ଜାତୀୟ ଶ୍ମଶାନ
ରାଜନୀତିକ ଦଳ ଡେମୋକ୍ରାଟିକ୍
ଜୀବନ ସାଥୀ ଜାକ୍ୱେଲିନ ବୋଭିୟର (ବିବାହ ୧୯୫୩–1963) «Did not recognize date. Try slightly modifying the date in the first parameter.–Did not recognize date. Try slightly modifying the date in the first parameter.»"Marriage: ଜାକ୍ୱେଲିନ ବୋଭିୟର to ଜନ୍ ଏଫ୍. କେନେଡ଼ି" Location: (linkback://or.wikipedia.org/wiki/%E0%AC%9C%E0%AC%A8%E0%AD%8D_%E0%AC%8F%E0%AC%AB%E0%AD%8D._%E0%AC%95%E0%AD%87%E0%AC%A8%E0%AD%87%E0%AC%A1%E0%AC%BC%E0%AC%BF)
Relations See Kennedy family
ସନ୍ତାନ ୪, କାରୋଲିନ ବୋଭିୟର, ଜନ ଜୁନିଅର ଓ ପାଟ୍ରିକ ବୋଭିୟର
ବାପା/ମା' Joseph P. Kennedy, Sr.
Rose Fitzgerald Kennedy
ଶିକ୍ଷାନୁଷ୍ଠାନ ହାଭାର୍ଡ଼ ବିଶ୍ୱବିଦ୍ୟାଳୟ (S.B.)
ପେଷା ରାଜନେତା
ଧର୍ମ ରୋମାନ କ୍ୟାଥଲିକ
ଦସ୍ତଖତ Cursive signature in ink
Military service
ନିଷ୍ଠା  United States of America
Service/branch  United States Navy
Years of service ୧୯୪୧-୧୯୪୫
Rank US-O3 insignia.svg ଲେଫ୍ଟିନାଣ୍ଟ
Unit ପାଟ୍ରୋଲ ଟର୍ପିଡ଼ୋ ବୋଟ-୧୦୯
ପାଟ୍ରୋଲ ଟର୍ପିଡ଼ୋ ବୋଟ-୫୯
Battles/wars ଦ୍ୱିତୀୟ ବିଶ୍ୱଯୁଦ୍ଧ
ସୋଲୋମନ ଦ୍ୱୀପ ଅଭିଯାନ
Awards

Navy and Marine Corps Medal ribbon.svg Navy & Marine Corps Medal
Purple Heart ribbon.svg Purple Heart
American Defense Service ribbon.svg American Defense Service
American Campaign Medal ribbon.svg American Campaign
Asiatic-Pacific Campaign Medal ribbon.svg Asiatic-Pacific Campaign
 • (3 bronze service stars)

World War II Victory Medal ribbon.svg World War II Victory[୧]

ଜନ ଫିଜ୍‌ଗେରାଲ୍ଡ କେନେଡ଼ି ବା ଜ୍ୟାକ୍ କେନେଡ଼ି (୨୯ ମେ, ୧୯୧୭ - ୨୨ ନଭେମ୍ବର ୧୯୬୩) ଜଣେ ଆମେରିକୀୟ ରାଜନେତା (JFK ନାଁରେ ଅଧିକ ପ୍ରସିଦ୍ଧ) । ସେ ଜାନୁଆରୀ ୧୯୬୧ରୁ ନଭେମ୍ବର ୧୯୬୩ରେ ତାଙ୍କ ହତ୍ୟା ଯାଏଁ ଯୁକ୍ତରାଷ୍ଟ୍ର ଆମେରିକାର ୩୫ତମ ରାଷ୍ଟ୍ରପତିର ଦାୟିତ୍ୱ ବହନ କରିଥିଲେ । ତାଙ୍କ ଶାସନ କାଳରେ ବିଶ୍ୱ ରାଜନୀତିର ଅନେକ ପ୍ରମୁଖ ଓ ଐତିହାସିକ ଘଟଣା ଘଟିଯାଇଥିଲା ଯଥା: ପରମାଣୁ ପରୀକ୍ଷଣ ପ୍ରତିବନ୍ଧ ସନ୍ଧି (Nuclear Test Ban Treaty), ପିସ୍ କର୍ପର ପ୍ରତିଷ୍ଠା, ମହାକାଶ ଯାତ୍ରା ଲାଗି ପ୍ରତିଯୋଗିତା, ବର୍ଲିନ ପ୍ରାଚୀର ନିର୍ମାଣ, କୃଷ୍ଣକାୟଙ୍କ ନାଗରିକ ଅଧିକାର ଆନ୍ଦୋଳନ ଓ ଭିଏତନାମ ଯୁଦ୍ଧରେ ଆମେରିକାର ପୂର୍ଣ୍ଣ ଯୋଗଦାନ ଆଦି ।

କେନେଡ଼ିଙ୍କ ଶାସନ କାଳରେ କମ୍ୟୁନିଷ୍ଟ ରାଷ୍ଟ୍ର ମାନଙ୍କ ସହ ଆମେରିକାର ସମ୍ପର୍କ ଅତ୍ୟଧିକ ତିକ୍ତ ହୋ‍ଇଥିଲା । ଆମେରିକାର ପରୋକ୍ଷ ସମର୍ଥନରେ ଏପ୍ରିଲ ୧୯୬୧ରେ କ୍ୟୁବାର ଏକଛତ୍ରବାଦୀ ଶାସକ ଫିଡ଼େଲ କାଷ୍ଟ୍ରୋଙ୍କୁ ଗାଦିଚ୍ୟୁତ କରିବା ଲାଗି ଉଦ୍ୟମ ହୋ‌ଇଥିଲା, କିନ୍ତୁ କ୍ୟୁବା ସେନାବାହିନୀ ଏହାକୁ ବିଫଳ କରିଦେଲେ । ଏହା ପରେ କ୍ୟୁବା ସହ ସିଧାସଳଖ ଯୁଦ୍ଧ ଲାଗି ଯଥାଯଥ କାରଣ ଦର୍ଶାଇବାକୁ ଆମେରିକୀୟ ସେନାପତି ମାନେ ଆମେରିକାରେ କ୍ୟୁବା ସମର୍ଥିତ ଗୋଟିଏ ମିଥ୍ୟା ଆନ୍ଦୋଳନ ରଚନା କରିବାର ପରାମର୍ଶ ଦେଇଥିଲେ ଯାହାକି କେନେଡ଼ି ପ୍ରତ୍ୟାଖ୍ୟାନ କଲେ । ତା ପର ବର୍ଷ ଖବର ଆସିଲା ଯେ ଋଷିଆର ପରମାଣୁ କ୍ଷେପଣାସ୍ତ୍ର ଆମେରିକା ଉପରେ ଅକ୍ରମଣ କରିବା ଲାଗି କ୍ୟୁବାରେ ପ୍ରସ୍ତୁତ ହୋ‍ଇ ରହିଛି । ଏହାର ପରବର୍ତ୍ତୀ କିଛି ବର୍ଷ ଆସନ୍ନ ଯୁଦ୍ଧର ଭୟରେ ଉଦ୍‌ବେଗଜନକ ରହିଥିଲା ଯାହାକୁ କ୍ୟୁବାନ୍ ମିସାଇଲ କ୍ରାଇସିସ ବୋଲି କୁହାଯାଏ ।

ଦ୍ୱିତୀୟ ବିଶ୍ୱଯୁଦ୍ଧରେ କେନେଡ଼ି PT-109 ଓ PT-59 ଜାହାଜରେ କମାଣ୍ଡର ଦାୟିତ୍ୱରେ ଥିଲେ । ଯୁଦ୍ଧ ପରେ ମାସାଚୁସେଟ୍ସର ୧୧ତମ ଜିଲ୍ଲାରୁ ସେ ନିଜ ରାଜନୈତିକ ଜୀବନ ଆରମ୍ଭ କଲେ । ଆମେରିକୀୟ ସଂସଦର ନିମ୍ନ ସଦନ (ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ସ)କୁ ସେ ଡେମୋକ୍ରାଟ ଦଳର ସଭ୍ୟ ରୂପେ ନିର୍ବାଚିତ ହୋ‍ଇଥିଲେ । ସେହି ସଦନରେ ସେ ୧୯୫୩-୬୦ ଯାଏଁ କ୍ରମାଗତ ନିର୍ବାଚିତ ହୋ‍ଇଥିଲେ । ୧୯୬୦ରେ ଉପରାଷ୍ଟ୍ରପତି ଓ ରିପବ୍ଲିକାନ ଦଳର ରାଷ୍ଟ୍ରପତି ପ୍ରତିନିଧି ରିଚାର୍ଡ଼ ନିକ୍ସନଙ୍କୁ ହରାଇ ଆମେରିକାର ରାଷ୍ଟ୍ରପତି ହେଲେ । ୪୩ ବର୍ଷ ବୟସରେ ସେ ଆମେରିକାର ରାଷ୍ଟ୍ରପତି ପଦବୀକୁ ନିର୍ବାଚିତ ହୋ‌ଇଥିବା କନିଷ୍ଠତମ ବ୍ୟକ୍ତି ପାଲଟିଗଲେ (ଥିଓଡ଼ୋର ରୁଜଭେଲ୍ଟ ୪୨ ବର୍ଷରେ ଆମେରିକାର ରାଷ୍ଟ୍ରପତି ହୋ‍ଇଥିଲେ, ତେବେ ସେ ନିର୍ବାଚିତ ହୋ‍ଇ ନ ଥିଲେ, ରାଷ୍ଟ୍ରପତି ୱିଲିଆମ ମ୍ୟାକ୍‌କିନଲିଙ୍କ ହତ୍ୟା ପରେ କାମଚଳା ଦାୟିତ୍ୱରେ ଥିଲେ) । ଆମେରିକାର ରାଷ୍ଟ୍ରପତି ହୋ‍ଇଥିବା ସେ ଏକମାତ୍ର ରୋମାନ କ୍ୟାଥଲିକ ।

୨୨ ନଭେମ୍ଵର ୧୯୬୩ରେ ତାଙ୍କୁ ଡାଲାସ୍ଠାରେ ଗୁଳି କରି ହତ୍ୟା କରାଯାଇଥିଲା । ସେହି ସନ୍ଧ୍ୟାରେ ଅଭିଯୁକ୍ତ ଲି ହାର୍ଭି ଅସୱାଲ୍ଡକୁ ଗିରଫ କରାଗଲା । ତେବେ ଅଦାଲତରେ ମୋକଦମା ଚାଲିବା ଆଗରୁ ଜ୍ୟାକ୍ ରୁବି ନାମକ ବ୍ୟକ୍ତି ଲିଙ୍କୁ ଗିରଫ ହେବାର ଦୁଇ ଦିନ ପରେ ହିଁ ଗୁଳି କରି ହତ୍ୟା କଲେ । ପରେ FBI, ୱାରେନ କମିଶନ ଆଦିଙ୍କ ଜାଞ୍ଚରୁ ସ୍ପଷ୍ଟ ହେଲା ଯେ ଲି ହିଁ କେନେଡ଼ିଙ୍କୁ ହତ୍ୟା କରିଥିଲେ ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ଜନ ଫିଜ୍‌ଗେରାଲ୍ଡ କେନେଡ଼ିଙ୍କ ଜନ୍ମ ହୁଏ ୨୯ ମେ ୧୯୧୭ରେ ୮୩ ବିଲ୍ସ ଷ୍ଟ୍ରିଟ, ବ୍ରୁକଲିନ, ମାସାଚୁସେଟ୍ସଠାରେ । ତାଙ୍କ ପିତା ଜୋସେଫ ପାଟ୍ରିକ "ଜୋ" କେନେଡ଼ି ସିନିଅର (୧୮୮୮-୧୯୬୯) ଜଣେ ବ୍ୟବସାୟୀ ଓ ରାଜନେତା ଥିଲେ ଏବଂ ତାଙ୍କ ମାତା ରୋଜ ଏଲିଜାବେଥ ଫିଜ୍‌ଗେରାଲ୍ଡ-କେନେଡ଼ି (୧୮୯୦-୧୯୯୫) ଜଣେ ସାମାଜିକ ବ୍ୟକ୍ତିତ୍ୱ ଥିଲେ । ତାଙ୍କ ଜେଜେବାପା ପ୍ୟାଟ୍ରିକ ଜୋସେଫ "ପି.ଜେ." କେନେଡ଼ି (୧୮୫୮-୧୯୨୯) ଜଣେ ବ୍ୟବସାୟୀ ଓ ରାଜନେତା ଏବଂ ଜେଜେମା ମ୍ୟାରୀ ଅଗଷ୍ଟା ହିକି-କେନେଡ଼ି (୧୮୫୭-୧୯୨୩) ଥିଲେ । ତାଙ୍କ ଅଜା ଜନ ଫ୍ରାନ୍ସିସ "ହନି ଫିଜ୍" ଫିଜ୍‌ଗେରାଲ୍ଡ (୧୮୬୩-୧୯୫୦) ବୋଷ୍ଟନର ମେୟର ଥିଲେ ଓ ଆଈ ମ୍ୟାରୀ ଜୋସେଫିନ "ଜୋସି" ହାନନ-ଫିଜ୍‌ଗେରାଲ୍ଡ (୧୮୬୫-୧୯୬୪) ଥିଲେ । ତାଙ୍କ ଅଜା, ଆଈ, ଜେଜେ ଓ ଜେଜେମା ଚାରି ଜଣଯାକ ଆୟରଲ୍ୟାଣ୍ଡରୁ ଆସିଥିବା ପ୍ରବାସୀ ମାନଙ୍କ ସନ୍ତାନ ଥିଲେ ।

କେନେଡ଼ିଙ୍କ ଭାଇ ମାନେ ଥିଲେ: ଜୋସେଫ ପ୍ୟାଟ୍ରିକ "ଜୋ" କେନେଡ଼ି ଜୁନିଅର (୧୯୧୫-୧୯୪୪), ରବର୍ଟ ଫ୍ରାନ୍ସିସ "ବବି" କେନେଡ଼ି (୧୯୨୫-୧୯୬୮) ଓ ଏଡ଼ୱାର୍ଡ଼ ମୁର "ଟେଡ଼" କେନେଡ଼ି (୧୯୩୨-୨୦୦୯) । ପ୍ରଥମ ଭାଇ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ପ୍ରାଣ ହରାଇଥିଲେ । ରବର୍ଟ ପ୍ରଥମେ କେନେଡ଼ିଙ୍କ ଆଟର୍ଣ୍ଣି ଜେନେରାଲ ରୂପେ ଦାୟିତ୍ୱ ତୁଲାଇବା ପରେ ସାଂସଦ ହୋ‍ଇଥିଲେ । ଟେଡ଼ ମଧ୍ୟ ୧୯୬୨ରୁ ୨୦୦୯ରେ ନିଜ ମୃତ୍ୟୁ ଯାଏଁ ସାଂସଦ ଥିଲେ । ତାଙ୍କ ଭ‍ଉଣୀମାନେ ଥିଲେ: ରୋଜ୍ ମେରୀ "ରୋଜମେରୀ" କେନେଡ଼ି (୧୯୧୮-୨୦୦୫), କ୍ୟାଥଲିନ ଆଗ୍ନେସ୍ "କିକ୍" କେନେଡ଼ି (୧୯୨୦-୧୯୪୮), ଇଉନିସ ମେରୀ କେନେଡ଼ି (୧୯୨୧-୨୦୦୯), ପ୍ୟାଟ୍ରିସିଆ ହେଲେନ "ପ୍ୟାଟ୍" କେନେଡ଼ି (୧୯୨୪-୨୦୦୬) ଓ ଜାଁ ଆନ କେନେଡ଼ି (ଜନ୍ମ ୧୯୨୮) ।

କେନେଡ଼ିଙ୍କ ପ୍ରଥମ ୧୦ ବର୍ଷ ବ୍ରୁକଲିନରେ ବ୍ୟତୀତ ହୋ‍ଇଥିଲା । ଏହିଠାରେସେ ୪ର୍ଥ ଶ୍ରେଣୀ ଯାଏଁ ଏଡ଼ୱାର୍ଡ଼ ଡିଭୋସନ ସ୍କୁଲ, ନୋବଲ ଆଣ୍ଡ ଗ୍ରୀନୋ ଲୋଅର ସ୍କୁଲ ଓ ଡେକ୍ସଟର ସ୍କୁଲରେ ଅଧ୍ୟୟନ କରିଥିଲେ । ୧୯୨୭ରେ କେନେଡ଼ି ପରିବାର ରିଭରଡ଼େଲ, ବ୍ରଙ୍କ୍‌ସ୍, ନ୍ୟୁୟର୍କର ହଡ଼ସନ ହିଲ ଅଞ୍ଚଳର ୫୦୪୦ ଇଣ୍ଡିପେଣ୍ଡେନ୍ସ ଆଭେନ୍ୟୁ ସ୍ଥିତ ଏକ ବିଶାଳ ବଙ୍ଗଳାକୁ ଚାଲିଯାଇଥିଲେ । ଏଠାରେ କେନେଡ଼ି ୫ମରୁ ୭ମ ଶ୍ରେଣୀ ଯାଏଁ ରିଭରଡ଼େଲ କଣ୍ଟ୍ରି ସ୍କୁଲ ନାମକ ବେସରକାରୀ ବାଳକ ବିଦ୍ୟାଳୟରେ ଅଧ୍ୟୟନ କଲେ । ଦୁଇ ବର୍ଷ ପରେ କେନେଡ଼ି ପରିବାର ବ୍ରଙ୍କ୍‌ସ୍‍ଭିଲ, ନ୍ୟୁୟର୍କର ୨୯୪ ପଣ୍ଡ୍‌ଫିଲ୍ଡ ରୋଡ଼କୁ ଗୃହ ସ୍ଥାନାନ୍ତରଣ କଲେ । ତାଙ୍କ ପରିବାର ଗ୍ରୀଷ୍ମଋତୁ ମାସାଚୁସେଟ୍ସର ହାୟାନିସ୍‌ପୋର୍ଟରେ ଥିବା ଘରେ ଓ ବଡ଼୍ଦିନ ଓ ଇଷ୍ଟର ଛୁଟି ସମୟ ଫ୍ଲୋରିଡ଼ାର ପାମ୍ ବିଚ୍ ସ୍ଥିତ ତାଙ୍କ ଶୀତକାଳୀନ ଗୃହରେ ବ୍ୟତୀତ କରୁଥିଲେ । ୧୩ ବର୍ଷ ବୟସରେ (ସେପ୍ଟେମ୍ବର ୧୯୩୦) କେନେଡ଼ି କନେକ୍ଟିକଟର ନିଉ ମିଲଫୋର୍ଡ଼ ସ୍ଥିତ କ୍ୟାଣ୍ଟରବରୀ ସ୍କୁଲରେ ନାଁ ଲେଖାଇଲେ । ଏପ୍ରିଲ ୧୯୩୧ରେ ଭୀଷଣ ପେଟବ୍ୟଥା ହେବାରୁ ତାଙ୍କର ଉଣ୍ଡୁକ (appendix) ଅସ୍ତ୍ରୋପଚାର କରାଗଲା ଯାହା ପରେ ସେ ସ୍କୁଲରୁ ବିରତି ନେଲେ ।

ସେପ୍ଟେମ୍ବର ୧୯୩୧ରେ ତାଙ୍କ ପିତା ପଢ଼ିବା ଲାଗି କନେକ୍ଟିକଟରେ ଥିବା ୱାଲିଂଫୋର୍ଡ଼ର କୋଏଟ ସ୍କୁଲକୁ ପଠାଇଲେ । ଏଇଠି ସେ ୯ମରୁ ୧୨ଶ ଯାଏଁ ପଢ଼ିଥିଲେ । ତାଙ୍କ ବଡ଼ ଭାଇ ଦୁଇ ବର୍ଷ ଆଗରୁ ସେଇ ସ୍କୁଲରେ ପଢୁଥିଲେ ଓ ଜଣେ ଫୁଟବଲ ଖେଳାଳୀ ଓ ମେଧାବୀ ଛାତ୍ର ରୂପେ ପ୍ରସିଦ୍ଧ ଥିଲେ । ନିଜ ଭାଇଙ୍କ ପ୍ରସିଦ୍ଧିର ଛାୟାରେ ଥିବାରୁ ସେ ଅତ୍ୟନ୍ତ ଦୁଷ୍ଟ ହୋ‍ଇଯାଇଥିଲେ । ଥରେ ସେ ଗୋଟେ ପାଇଖାନା ସିଟକୁ ବାଣ ରଖି ଫଟାଇଦେଲେ । ତା’ ପର ଦିନ ପ୍ରାର୍ଥନା ସଭାରେ ସ୍କୁଲର ପ୍ରଧାନଶିକ୍ଷକ ଜର୍ଜ ସେଣ୍ଟ ଜନ ସେଇ ସିଟକୁ ପ୍ରଦର୍ଶନ କରି କହିଲେ କିଛି ଅଣାୟତ୍ତ (muckers) ପିଲାଙ୍କୁ ପରିହାସ କଲେ । ଏଥିରୁ କିଛି ଶିଖିବା ବଦଳରେ ବରଂ କେନେଡ଼ି ନିଜ ସାଙ୍କ ଓ ରୁମମେଟଙ୍କୁ ନେଇ ଅଣାୟତ୍ତ କ୍ଲବ (The Muckers Club) ବୋଲି ଗୋଟେ ଗୋଷ୍ଠୀ ତିଆରି କଲେ ।

୧୯୩୧ ମସିହାରେ କେନେଡି଼ ନିଜ ପରିବାର ସହ।

କୋଏଟ ସ୍କୁଲରେ ପଢ଼ିବା ବେଳେ ତାଙ୍କ ସ୍ୱାସ୍ଥ୍ୟ ପ୍ରାୟ ଖରାପ ରହୁଥିଲା । ୧୯୩୪ରେ ଅତି ଗମ୍ଭୀର ଅବସ୍ଥାରେ ତାଙ୍କୁ ୟେଲର ନିଉ ହାଭେନ ହାସପାତାଳରେ ଭର୍ତ୍ତି କରାଗଲା । ଡାକ୍ତରମାନେ ତାଙ୍କୁ ରକ୍ତ କର୍କଟ ହୋ‍ଇଛି ବୋଲି ଭବିଥିଲେ । ପରେ ଜୁନ ମାସରେ ତାଙ୍କୁ ମିନେସୋଟାର ମାୟୋ କ୍ଲିନିକରେ ଭର୍ତ୍ତି କରାଗଲା ଯେଉଁଠି ତାଙ୍କୁ ବୃହଦାନ୍ତ୍ର ଉତ୍ତେଜନା (colitis) ହୋ‍ଇଛି ବୋଲି ନିରୂପଣ ହେଲା । ତା ପର ବର୍ଷ ଜୁନ ମାସରେ ସେ ସ୍କୁଲରୁ ପାସ କଲେ ।

ସେପ୍ଟେମ୍ବର ୧୯୩୫ରେ ସେ ନିଜ ପିତାମାତା ଓ ଭ‍ଉଣୀ କ୍ୟାଥଲିନଙ୍କ ସହ ପ୍ରଥମ ଥର ବିଦେଶ ଗଲେ । ଉଦ୍ଦେଶ୍ୟ ଥିଲା ନିଜ ବଡ଼ ଭାଇଙ୍କ ପଦାନୁସରଣରେ ସେ ମଧ୍ୟ ହାରୋଲ୍ଡ ଲାସ୍କିଙ୍କ ତତ୍ତ୍ୱାବଧାନରେ ଲଣ୍ଡନ ସ୍କୁଲ ଅଫ ଇକୋନୋମିକ୍ସରେ ପଢ଼ିବେ । କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ସେଇ ବର୍ଷ ଅକ୍ଟୋବରରେ ସେ ଆମେରିକା ଫେରି ଆସିଲେ । ପରେ ସେ ପ୍ରିନ୍ସଟନ ବିଶ୍ୱବିଦ୍ୟାଳୟରେ ଛ‍ଅ ସପ୍ତାହ ପଢ଼ିଥିଲେ, କିନ୍ତୁ ପୁଣି ରୋଗଗ୍ରସ୍ତ ହେବାରୁ ତାଙ୍କୁ ବୋଷ୍ଟନର ପିଟର ବେଣ୍ଟ ବ୍ରିଙ୍ଘାମ ହାସପାତାଳରେ ଭରାଗଲା । ସେ କିଛି କାଳ ନିଜ ଶୀତକାଳୀନ ଗୃହରେ ବିରତି ନେବା ପରେ ୧୯୩୬ରେ ବେନସନ, ଆରିଜୋନା ନିକଟସ୍ଥ ୪୦,୦୦୦ ଏକର ବ୍ୟାପ୍ତ "ଜେ ସିକ୍ସ" ପଶୁ ଫାର୍ମରେ ସହାୟକ ଭାବେ କାମ କଲେ ।

ସେପ୍ଟେମ୍ବର ୧୯୩୬ରେ କେନେଡ଼ି, ହାଭାର୍ଡ଼ ବିଶ୍ୱବିଦ୍ୟାଳୟରେ ଯୋଗ ଦେଲେ । ସେ ବର୍ଷ ତାଙ୍କ ନାଟକ "ଫ୍ରେଶମ୍ୟାନ ସ୍ମୋକର" ଯେଉଁଥିରେ ରେଡ଼ିଓ, ସିନେମା ଓ କ୍ରୀଡ଼ା ଜଗତର ଅନେକ ବ୍ୟକ୍ତିତ୍ୱ ଯୋଗ ଦେଇଥିଲେ, ବେଶ୍ ପ୍ରସିଦ୍ଧ ହୋ‌ଇଥିଲା । ସେ ଫୁଟବଲ, ଗଲ୍ଫ ଓ ସନ୍ତରଣରେ ଇଚ୍ଛୁକ ଥିଲେ ଓ ବିଶ୍ୱବିଦ୍ୟାଳୟର ସନ୍ତରଣ ଦଳରେ ତାଙ୍କୁ ସ୍ଥାନ ମିଳିଥିଲା । ସେ ମଧ୍ୟ ଡଙ୍ଗା ଚାଳନାରେ ଦକ୍ଷ ଥିଲେ ୧୯୩୬ର ନାଣ୍ଟକେଟ ସାଉଣ୍ଡ ଷ୍ଟାର ଚ୍ୟାମ୍ପିୟନଶିପରେ ବିଜୟୀ ହୋ‌ଇଥିଲେ । ଜୁଲାଇ ୧୯୩୭ରେ କେନେଡ଼ି ନିଜ ଫ୍ରାନ୍ସ ଭ୍ରମଣରେ ଯାଇ ୧୦ ସପ୍ତାହ ଇଉରୋପ ଗସ୍ତ କରିଥିଲେ । ଜୁନ ୧୯୩୮ରେ ସେ ନିଜ ପିତା ଓ ଭାଇଙ୍କ ସହ ଲଣ୍ଡନସ୍ଥିତ ଆମେରିକୀୟ ଦୂତାବାସରେ କାମ କରିବାକୁ ଗଲେ, ସେଠି ତାଙ୍କ ପିତା ବ୍ରିଟେନ ଲାଗି ଆମେରିକୀୟ ରାଜଦୂତର ଦାୟିତ୍ୱ ବହନ କରିଥିଲେ ।

୧୯୩୯ରେ କେନେଡ଼ି ନିଜ ହାଭାର୍ଡ଼ ଅନର୍ସ ଥେସିସ ଲାଗି ସୋଭିଏତ ଋଷିଆ, ବାଲ୍କାନ ଅଞ୍ଚଳ ଓ ମଧ୍ୟପ୍ରାଚ୍ୟ ଭ୍ରମଣ କଲେ । ଶେଷରେ ଚେକୋସ୍ଲୋଭାକିଆ ଓ ଜର୍ମାନୀ ହୋ‍ଇ ୧ ସେପ୍ଟେମ୍ବର ୧୯୩୯ରେ ଲଣ୍ଡନକୁ ଫେରିଆସିଲେ । ସେହିଦିନ ଜର୍ମାନୀ, ପୋଲାଣ୍ଡ ଉପରେ ଆକ୍ରମଣ କରିଥିଲା । ଦୁଇ ଦିନ ପରେ ଯେବେ ବ୍ରିଟିଶ ସଂସଦରେ ବ୍ରିଟେନ, ଜର୍ମାନୀ ଉପରେ ଯୁଦ୍ଧ ଘୋଷଣା କଲା, ସେ ତାଙ୍କ ପିତା ଓ ଭାଇଙ୍କ ସହ ଉପସ୍ଥିତ ଥିଲେ । SS Atheniaର ବଞ୍ଚିଯାଇଥିବା ଆମେରିକୀୟ ମାନଙ୍କ ସାହାଯ୍ୟ ଲାଗି ନିଜ ପିତାଙ୍କ ପ୍ରତିନିଧି ଭାବେ ତାଙ୍କୁ ପଠାଯାଇଥିଲା । ତା’ ପରେ ସେ ଫିଏନେସ, ଆୟରଲ୍ୟାଣ୍ଡରୁ ଉଡାଜାହାଜ ଯୋଗେ ନ୍ୟୁୟର୍କକୁ ଫେରିଆସିଲେ (ଆଟଲାଣ୍ଟିକ ଉପର ଦେଇ ଏହା ତାଙ୍କର ପ୍ରଥମ ବିମାନଯାତ୍ରା) ।

ହାଭାର୍ଡ଼ରେ ନିଜ ଶେଷ ବର୍ଷରେ ସେ ନିଜ ପଢାକୁ ଗମ୍ଭୀର ଭାବେ ନେଲେ । ଏହି ସମୟରେ ହିଁ ରାଜନୀତି ପ୍ରତି ତାଙ୍କର ସ୍ପୃହା ଜାତ ହେଲା । ୧୯୪୦ରେ ସେ ନିଜ ଥିସିସ "Appeasement in Munich" ସମ୍ପୂର୍ଣ୍ଣ କଲେ । ମ୍ୟୁନିଖ ଚୁକ୍ତିରେ ବ୍ରିଟେନର ଯୋଗଦାନ ଉପରେ ଲିଖିତ ଏହି ଥିସିସ ପରେ "Why England Slept" ନାମରେ ପ୍ରକାଶିତ ହୋ‍ଇ ବହୁଚର୍ଚ୍ଚିତ ହୋ‍ଇଥିଲା । ସେହି ବର୍ଷ ସେ ହାଭାର୍ଡ଼ରୁ ଆନ୍ତର୍ଜାତିକ ସମ୍ବନ୍ଧରେ ବ୍ୟାଚଲର ଅଫ ସାଇନ୍ସରେ ସ୍ନାତକ ହାସଲ କଲେ । ତା’ପରେ ସେ ଷ୍ଟାନଫୋର୍ଡ଼ ଗ୍ରାଜୁଏଟ ସ୍କୁଲ ଅଫ ବିଜନେସରେ ଯୋଗଦେଲେ । ୧୯୪୧ରେ ଆମେରିକୀୟ ରାଜଦୂତ ଭାବେ ନିଜ ଅନୁଭୁତି ଲେଖିବାରେ ନିଜ ପିତାଙ୍କୁ ସାହାଯ୍ୟ କରିଥିଲେ ।

୧୨ ସେପ୍ଟେମ୍ବର ୧୯୫୩ରେ କେନେଡ଼ି ରୋଡ଼ ଆଇଲ୍ୟାଣ୍ଡର ନିଉପୋର୍ଟ ସ୍ଥିତ ସେଣ୍ଟ ମ୍ୟାରୀ ଚର୍ଚ୍ଚରେ ଜ୍ୟାକେଲିନ ବୋଭିୟରଙ୍କୁ ବିବାହ କଲେ । ବର୍ଷେ ପୂର୍ବରୁ ସେମାନଙ୍କର ସାକ୍ଷାତ ଓ ବନ୍ଧୁତା ହୋ‍ଇଥିଲା ।

ସେନାବାହିନୀରେ କେନେଡ଼ି (୧୯୪୧-୪୫)[ସମ୍ପାଦନା]

ସେପ୍ଟେମ୍ବର ୧୯୪୧ରେ ତାଙ୍କର ଦୀର୍ଘକାଳୀନ ଅଣ୍ଟା ବ୍ୟଥା ଅସୁବିଧା ଲାଗି ଆମେରିକୀୟ ସେନାବାହିନୀଦ୍ୱାରା ସ୍ୱାସ୍ଥ୍ୟ ଆଧାରରେ ପ୍ରତ୍ୟାଖ୍ୟିତ ହେଲେ । ତେବେ ଏଥିରେ ହାରି ନ ଯାଇ ସେ ନୌବାହିନୀରେ ଯୋଗଦେବା ଲାଗି ଉଦ୍ୟମ କଲେ । ନୌବାହିନୀ ଗୁପ୍ତବିଭାଗର ଡାଇରେକ୍ଟର ତାଙ୍କ ପିତା ଜୋସେଫ କେନେଡ଼ିଙ୍କ ଚିହ୍ନା ହୋ‍ଇଥିବାରୁ ତାଙ୍କୁ ନୌବାହିନୀରେ ସ୍ଥାନ ମିଳିଲା । ନୌବାହିନୀ ସେକ୍ରେଟାରୀଙ୍କ କାର୍ଯ୍ୟାଳୟରେ ସେ ଏନସାଇନ୍ ଭାବେ କାମ କରୁଥିଲେ ।ଏହି ସମୟରେ ପଲ୍ ହାର୍ବର ଆକ୍ରମଣ ହେବାରୁ ସେ ନୌବାହିନୀ ରିଜର୍ଭ ଅଫିସର ଟ୍ରେନିଂ କର୍ପରେ ଓ ପରେ ମୋଟର ଟର୍ପେଡ଼ୋ ବୋଟ ସ୍କ୍ୱାଡ଼୍ରନ (ମେଲଭିଲ, ରୋଡ଼ ଆଇଲ୍ୟାଣ୍ଡ)ରେ ଯୋଗ ଦେଲେ । ତାଙ୍କ ପ୍ରଥମ କମାଣ୍ଡ ଥିଲା PT-101 (୭ ଡିସେମ୍ବର ୧୯୪୨-୨୩ ଫେବ୍ରୁଆରୀ ୧୯୪୩) ଯାହା ଟ୍ରେନିଂ ପାଇଁ ବ୍ୟବହାର ହେଉଥିଲା । ତା ପରେ ତାଙ୍କ ନେତୃତ୍ୱରେ ତିନିଟି PT ବୋଟ (PT-98, PT-99, PT-101)କୁ ରୋଡ଼ ଆଇଲ୍ୟାଣ୍ଡରୁ ଜ୍ୟାକସନଭିଲ, ଫ୍ଲୋରିଡ଼ାକୁ ନିଆଗଲା । ଏହି ଯାତ୍ରା ସମୟରେ ଥଣ୍ଡା ପାଣି ସଂସ୍ପର୍ଶରେ ଆସିବା ଯୋଗୁଁ ସେ କିଛି ସମୟ ରୋଗଗ୍ରସ୍ତ ହୋ‍ଇଥିଲେ । ତା’ପରେ ତାଙ୍କୁ ପାନାମା ଓ ପରେ ପ୍ରଶାନ୍ତ ମହାସାଗରରେ ନିୟୋଜିତ କରାଗଲା । ସେ ଲେଫ୍ଟିନାଣ୍ଟ ପଦବୀକୁ ଉତ୍ତୀର୍ଣ୍ଣ ହେବା ସହ ଆଉ ଦୁଇଟି ପାଟ୍ରୋଲ ଟର୍ପେଡ଼ୋ (PT) ବୋଟର ନେତୃତ୍ୱ ନେଇଥିଲେ ।

Lieutenant (junior grade) John F. Kennedy (standing at right) with his PT-109 crew, 1943.

୨ ଅଗଷ୍ଟ ୧୯୪୩ରେ କେନେଡ଼ିଙ୍କ PT-109 ବୋଟ ସହ PT-162 ଓ PT-169 ସୋଲୋମନ ଦ୍ୱୀପ ପାଖରେ ପାଟ୍ରୋଲିଂ କରୁଥିଲା ବେଳେ PT-109, ଜାପାନୀ ଯୁଦ୍ଧଜାହାଜ ଆମାଗିରି ଧକ୍କାରେ ନଷ୍ଟ ହୋ‍ଇଗଲା । କେନେଡ଼ି ନିଜ ବଞ୍ଚିଥିବା ନାବିକ ମାନଙ୍କୁଏକତ୍ରିତ କରି ଲଢ଼ିବା କିମ୍ୱା ଆତ୍ମସମର୍ପଣ କରିବା, ସେ ନେଇ ଭୋଟ କଲେ । ତାଙ୍କ ଭାଷାରେ "ଏପରି ଶୋଚନୀୟ ଅବସ୍ଥାରେ କଣ କରିବାକୁ ହୁଏ ତାହା ଆମକୁ ପଢ଼ାଯାଇ ନାହିଁ । ମୁଁ ଜାଣେ ତମ ମାନଙ୍କର ପରିବାର ଅଛି,କିଛିଙ୍କ ପିଲାଛୁଆ ବି ଅଛନ୍ତି । ତମେ ମାନେ କଣ କରିବାକୁ ଚାହଁ? ମୋର ହରାଇବା ଲାଗି କିଛି ନାହିଁ ।" କେନେଡ଼ିଙ୍କ ସହକର୍ମୀ ମାନେ ଭୀରୁ ରୂପେ ଆତ୍ମସମର୍ପଣ ନ କରି ଗୋଟେ ଛୋଟ ଦ୍ୱୀପକୁ ପହଁରି ଗଲେ ।

Kennedy on his navy patrol boat, the PT-109.

ସେଇ ଧକ୍କାରେ କେନେଡ଼ିଙ୍କ ପିଠି ଆଘାତଗ୍ରସ୍ତ ହୋ‍ଇଥିଲେ ହେଁ ସେ ତାକୁ ଖାତିର ନକରି ନିଜ ଦାନ୍ତରେ ଗୋଟେ ଲାଇଫ ଜ୍ୟାକେଟ ଧରି ଜଣେ ନିଆଁରେ ପୋଡ଼ିଯାଇଥିବା ନାବିକଙ୍କୁ ଉଦ୍ଧାର କଲେ । ନିଜ କର୍ମୀମାନଙ୍କୁ ସେ ଗୋଟିଏ ଦ୍ୱୀପ ଓ ସେଠୁ ଆଉ ଗୋଟେ ଦ୍ୱୀପକୁ ନେଇଗଲେ ଯେଉଁଠୁ ପରେ ସେମାନଙ୍କୁ ଉଦ୍ଧାର କରାଗଲା । ତାଙ୍କର ସାହସିକତା ଲାଗି ନୋମ୍ନୋକ୍ତ ଉର୍ଦ୍ଧୃତି ସହ ନାଭାଲ ଓ ମାରିନ୍ କର୍ପ ମେଡ଼ାଲ ମିଳିଥିଲା ।

For extremely heroic conduct as Commanding Officer of Motor Torpedo Boat 109 following the collision and sinking of that vessel in the Pacific War Theater on August 1–2, 1943. Unmindful of personal danger, Lieutenant (then Lieutenant, Junior Grade) Kennedy unhesitatingly braved the difficulties and hazards of darkness to direct rescue operations, swimming many hours to secure aid and food after he had succeeded in getting his crew ashore. His outstanding courage, endurance and leadership contributed to the saving of several lives and were in keeping with the highest traditions of the United States Naval Service.

ନଭେମ୍ବର ୧୯୪୩ରେ ତାଙ୍କ ଅଧୀନରେ PT-59 ଗନବୋଟ ଚୋ‍ଇସିଉଲ ଦ୍ୱୀପରୁ ସୈନିକ ମାନଙ୍କୁ ଉଦ୍ଧାର ମିଶନରେ ଅଂଶଗ୍ରହଣ କଲା । ଜାନୁଆରୀ ୧୯୪୪ରେ ନିଜ ଅଣ୍ଟା ବ୍ୟଥା ଲାଗି ସେ PT-59 ଛାଡ଼ି ଆମେରିକା ଫେରିଆସିଲେ । ସେହି ବର୍ଷ ପରେ ତାଙ୍କୁ ସକ୍ରିୟ ଡ୍ୟୁଟିରୁ ମୁକ୍ତି ମିଳିଲା ।

ଜାନୁଆରୀ ୧୯୪୫ ବେଳେ ସେ ନିଜ ଅଣ୍ଟା ବ୍ୟଥା ଲାଗି ଆରିଜୋନାର କାସଲ ହଟ ସ୍ପ୍ରିଂ ନାମକ ରେସର୍ଟ ଓ ସେନା ହାସପାତାଳରେ ତିନିମାସ କାଳ କାଟିଥିଲେ । ୧୯୪୫ରେ ଜାପାନର ଆତ୍ମସମର୍ପଣର କିଛି ଦିନ ପୂର୍ବେ ହିଁ ତାଙ୍କୁ ସେନାରୁ ସେନା ଡ୍ୟୁଟିରୁ ପୂର୍ଣ୍ଣ ମୁକ୍ତି ମିଳିଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ତାଙ୍କୁ ମିଳିଥିବା ପଦକ ଗୁଡ଼ିକ ହେଲା: ପର୍ପଲ ହାର୍ଟ, ଆମେରିକାନ ଡିଫେନ୍ସ ସର୍ଭିସ ମେଡାଲ, ଆମେରିକାନ କାମ୍ପେନ ମେଡାଲ, ଏସିଆଟିକ-ପାସିଫିକ କାମ୍ପେନ ମେଡାଲ, ତିନିଟି ବ୍ରୋଞ୍ଜ ସର୍ଭିସ ଷ୍ଟାର ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ବିଜୟ ମେଡାଲ । ଥରେ କେନେଡ଼ିଙ୍କୁ ପଚରାଗଲା ଯେ ସେ କିପରି ଯୁଦ୍ଧ ହିରୋ ହେଲେ, ସେ ବ୍ୟଙ୍ଗରେ ଉତ୍ତର ଦେଲେ "ସେଇଟା ଅତି ସହଜ ଥିଲା । ଜାପାନୀ ମାନେ ମୋ PT ବୋଟକୁ ଦୁଇ ଖଣ୍ଡ କରିଦେବାରୁ (ମୁଁ ହିରୋ ପାଲଟିଗଲି) ।"

ଏପ୍ରିଲ ୧୯୪୫ରେ କେନେଡ଼ିଙ୍କ ପିତା, ନିଜ ବନ୍ଧୁ ୱିଲିୟମ ରାଣ୍ଡୋଲ୍‌ଫ ହର୍ଷ୍ଟଙ୍କ ମାଧ୍ୟମରେ କେନେଡ଼ିଙ୍କୁ ହର୍ଷ୍ଟ ସମ୍ବାଦପତ୍ର ଗ୍ରୁପରେ ସମ୍ବାଦଦାତା ରୂପେ ନିଯୁକ୍ତ କରାଇଲେ । ଏହାଦ୍ୱାରା କେନେଡ଼ି ଜନମାଧ୍ୟମରେ ପରିଚିତ ହେବା ସହ କୂଟନୀତିରେ ପାରଙ୍ଗମ ହେଲେ । ସେହି ମେରେ ସେ ପୋଷ୍ଟଡ଼ାମ କନଫରେନ୍ସ ଓ ଅନ୍ୟାନ୍ୟ ଖବର ଲାଗି ସମ୍ୱାଦଦାତା ରୂପେ କାର୍ଯ୍ୟ କରିଥିଲେ ।

ସଂସଦରେ କେନେଡ଼ି[ସମ୍ପାଦନା]

ହାଉସ୍ ଅଫ ରିପ୍ରେଜେଣ୍ଟେଟିଭ୍ସ (୧୯୪୭-୧୯୫୩)[ସମ୍ପାଦନା]

କେନେଡ଼ି ସେନାରେ ଥିଲା ବେଳେ ତାଙ୍କ ବଡ଼ ଭାଇ ଜୋ ଜୁନିଅର ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଇଂଲିଶ ପ୍ରଣାଳୀରେ ପ୍ରାଣ ହରାଇଲେ । କେନେଡ଼ି ପରିବାର ରାଜନୀତିରେ ଜଡ଼ିତ ଥିଲା ଓ ଜୋ ଭବିଷ୍ୟତରେ ରାଜନୀତିରେ ପ୍ରବେଶ କରିବେ ଓ ଦିନେ ରାଷ୍ଟ୍ରପତି ପଦବୀ ଯାଏଁ ଯିବେ ବୋଲି ତାଙ୍କ ପିତା ଆଶା ପୋଷଣ କରିଥିଲେ । ତେଣୁ ଜୋଙ୍କ ମୃତ୍ୟୁ ପରେ ଏହି ଦାୟିତ୍ୱ କେନେଡ଼ିଙ୍କ ଉପରେ ପଡ଼ିଲା ।

୧୯୪୬ରେ ମାସାଚୁସେଟ୍ସର ୧୧ତମ ନିର୍ବାଚନ ମଣ୍ଡଳୀର ନିମ୍ନ ସଦନର ପ୍ରତିନିଧି ଜେମ୍ସ ମାଇକେଲ କର୍ଲି, କେନେଡ଼ିଙ୍କ ପିତାଙ୍କ ଉପଦେଶାନୁସାରେ ବୋଷ୍ଟନର ମେୟର ହେବା ଲାଗି ନିଜ ସଂସଦୀୟ ଆସନ ଖାଲି କଲେ । ନିର୍ବାଚନ ମଣ୍ଡଳୀର ପ୍ରାୟ ଲୋକ ଡେମୋକ୍ରାଟ ସମର୍ଥକ ହୋ‍ଇଥିବାରୁ କେନେଡ଼ି ଏହି ଆସନ ଲାଗି ନିର୍ବାଚନ ଲଢ଼ିଲେ ଓ ଅତି ସହଜରେ ବିପୁଳ ବ୍ୟବଧାନରେ ନିଜ ରିପବ୍ଲିକାନ ପ୍ରତିଦ୍ୱନ୍ଦୀଙ୍କୁ ପରାସ୍ତ କଲେ । ସେ ଛ‍ଅ ବର୍ଷ ସଂସଦର ନିମ୍ନ ସଦନରେ ସଭ୍ୟ ରହିଲେ ।

ସେନେଟ (୧୯୫୩-୧୯୬୦)[ସମ୍ପାଦନା]

୧୯୫୨ ସେନେଟ ନିର୍ବାଚନରେ କେନେଡ଼ି ନିଜ ରିପବ୍ଲିକାନ ପ୍ରତିଦ୍ୱନ୍ଦୀ ହେନେରୀ କାବଟ ଲଜ୍ ୨ୟଙ୍କୁ ପରାସ୍ତ କରି ସେନେଟ ବା ଉଚ୍ଚ ସଦନକୁ ନିର୍ବାଚିତ ହେଲେ । ପର ବର୍ଷ ହିଁ ସେ ଜ୍ୟାକେଲିନ ବୋଭିୟରଙ୍କୁ ବିବାହ କରିଥିଲେ ।

ତା ପର ଦୁଇ ବର୍ଷ ନିଜ ଅଣ୍ଟା ଲାଗି ତାଙ୍କର ବାରମ୍ବାର ମେରୁହାଡ଼ ଓ ସୁଷୁମ୍ନାକାଣ୍ଡ ଅସ୍ତ୍ରୋପଚାର ହୋ‍ଇଥିଲା ଏଣୁ ସେ ପ୍ରାୟ ସଂସଦରୁ ଅନୁପସ୍ଥିତ ରହୁଥିଲେ । କିଛି ସମୟରେ ତାଙ୍କ ଅବସ୍ଥା ଏତେ ଗୁରୁତର ହୋ‍ଇଥିଲା ଯେ ତାଙ୍କର କ୍ୟାଥଲିକ ବିଧିରେ ମୃତ୍ୟୁ ପୂର୍ବ ଶେଷକୃତ୍ୟ କରାଯାଇଥିଲା କିନ୍ତୁ ଶେଷରେ ସେ ମୃତ୍ୟୁକୁ ପରାସ୍ତ କରି ସକ୍ରିୟ ଜୀବନକୁ ଫେରି ଆସିଥିଲେ । ବିରତି ସମୟରେ ତାଙ୍କ ଲିଖିତ "Profiles in Courage", ଯେଉଁଥିରେ ନିଜ ବ୍ୟକ୍ତିଗତ ବିଶ୍ୱାସ ଲାଗି ନିଜ କ୍ୟାରିୟରକୁ ମଧ୍ୟ ବିପନ୍ନ କରିଥିବା ଆମେରିକୀୟ ସାଂସଦ ମାନଙ୍କ କଥା ଲେଖା ଥିଲା, ତାହା ୧୯୫୭ରେ ପୁଲିଜର ପୁରସ୍କାର ଲାଭ କରିଥିଲା । ଏହି ପୁରସ୍କାର ପାଇବାରେ ସେ ଏକମାତ୍ର ଆମେରିକୀୟ ରାଷ୍ଟ୍ରପତି । ପରେ ଗୁଜବ ଉଠିଥିଲା ଯେ ଏହାକୁ ଲେଖିବାରେ ତାଙ୍କ ପରାମର୍ଶଦାତା ଓ ବକ୍ତୃତାଲେଖକ ଟେଡ଼ ସୋରେନସନ ସାହାଯ୍ୟ କରିଥିଲେ । ୨୦୦୮ରେ ପ୍ରକାଶିତ ସୋରେନସନଙ୍କ ଆତ୍ମଜୀବନୀରୁ ଏହା ପ୍ରମାଣିତ ମଧ୍ୟ ହେଲା ।

୧୯୫୬ରେ ଜାତୀୟ ଡେମୋକ୍ରାଟିକ ସମ୍ମିଳନୀରେ ରାଷ୍ଟ୍ରପତି ପ୍ରାର୍ଥୀ ଆଡ଼ଲାଇ ଷ୍ଟିଭେନସନ, ଭୋଟଦ୍ୱାରା ଉପ-ରାଷ୍ଟ୍ରପତି ପ୍ରାର୍ଥୀ ବାଛିବା ଲାଗି ପ୍ରସ୍ତାବ ଦେଲେ । ଏଥିରେ କେନେଡ଼ି, ଟେନେସିର ସାଂସଦ ଏସ୍ତେସ କେଫାଉଭରଙ୍କ ପଛରେ ଦ୍ୱିତୀୟ ହେଲେ । ହାରିଥିଲେ ମଧ୍ୟ କେନେଡ଼ି ଗଣମାଧ୍ୟମ ଯୋଗେ ଦେଶବ୍ୟାପୀ ପରିଚିତି ଲାଭ କଲେ । ତେବେ ତାଙ୍କ ପିତାଙ୍କ ମତରେ ଏହା ହିଁ ତାଙ୍କୁ ସୁହାଇଥିଲା କାରଣ ସେଥର ରିପବ୍ଲିକାନ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଥିଲେ ଆଇଜେନହାୱାର, ତତ୍କାଳୀନ ଆମେରିକାର ସର୍ବପ୍ରିୟ ବ୍ୟକ୍ତି । ତାଙ୍କ ବଳରେ ସେଥର ରିପବ୍ଲିକାନ ଦଳ ଜିତିବା ପ୍ରାୟ ନିଶ୍ଚିତ ଥିଲା । ତେଣୁ କେନେଡ଼ି ଯେ ଏହି ହାରରେ ସଂଶ୍ଳିଷ୍ଟ ନହେଲେ ତଥାପି ଡେମୋକ୍ରାଟିକ ଦଳର ଭବିଷ୍ୟତ ରାଷ୍ଟ୍ରପତି ଆଶାୟୀ ରୂପେ ପରିଚିତି ଲାଭ କଲେ ତାହା ହିଁ ସର୍ବଶ୍ରେଷ୍ଠ ବୋଲି କେନେଡ଼ିଙ୍କ ପିତା ତାଙ୍କୁ ବୁଝାଇଥିଲେ ।

ସଂସଦରେ ତାଙ୍କ ଉଲ୍ଲେଖନୀୟ ଯୋଗଦାନ ସେନେଟରେ ଆସିଥିବା ରାଷ୍ଟ୍ରପତି ଆଇଜେନହାୱାରଙ୍କ ନାଗରିକ ଅଧିକାର ଆଇନ ୧୯୫୭ ସମ୍ବନ୍ଧରେ ଥିଲା । ଆଇନର ଶୀର୍ଷକ-୩ ଲାଗି ସେ ଭୋଟ ଦେଲେ କିନ୍ତୁ ବହୁମତ ନେତା ଲିଣ୍ଡନ ବି. ଜନସନ ମଧ୍ୟମାର୍ଗ ରୂପେ ଏହି ବିଧାନକୁ ପରିତ୍ୟାଗ କରିବା ଲାଗି ସମର୍ଥନ କଲେ । ଆଇନର ଶୀର୍ଷକ-୪ (ଜୁରୀ ଟ୍ରାଏଲ ଆମେଣ୍ଡମେଣ୍ଟ) ଲାଗି ମଧ୍ୟ କେନେଡ଼ି ଭୋଟ ଦେଇଥିଲେ । ସେହି ସମୟରେ ନାଗରିକ ଅଧିକାର ସମର୍ଥକ ମାନେ ଏହାକୁ ସମାଲୋଚନା କରିଥିଲେ ଯେ ଏହାଦ୍ୱାରା ଆଇନଟିର ଶକ୍ତି କ୍ଷୁଣ୍ଣ ହେବ । ଶେଷରେ ସେପ୍ଟେମ୍ବର ୧୯୫୭ରେ ସଂଶୋଧିତ ମଧ୍ୟମାର୍ଗ ଆଇନ ଗୃହୀତ ହେଲା ।

୧୯୫୮ରେ କେନେଡ଼ି ନିଜ ରିପବ୍ଲିକାନ ପ୍ରତିଦ୍ୱନ୍ଦୀ, ବୋଷ୍ଟନ ଆଇନଜୀବି ଭିନ୍ସେଣ୍ଟ ଜେ. ସେଲେଷ୍ଟେଙ୍କୁ ବିପୁଳ ବ୍ୟବଧାନରେ ପରାଜିତ କରି ଦ୍ୱିତୀୟଥର ପାଇଁ ସେନେଟକୁ ନିର୍ବାଚିତ ହେଲେ । ଏହି ନିର୍ବାଚନ ପ୍ରଚାର ଲାଗି କେନେଡ଼ିଙ୍କ ଗଣମାଧ୍ୟମ ସେକ୍ରେଟାରୀ ରବର୍ଟ ଇ. ଥମ୍ପସନ, କେନେଡ଼ିଙ୍କ ଜୀବନ ଉପରେ The U.S. Senator John F. Kennedy Story ନାମରେ ଗୋଟିଏ ଫିଲ୍ମ ତିଆରି କରିଥିଲେ । ଏଥିରେ ସାଂସଦ କେନେଡ଼ିଙ୍କ ପାରିବାରିକ ଓ କାର୍ଯ୍ୟ ଜୀବନର ଗୋଟିଏ ଦିନ ଦର୍ଶାଯାଇଥିଲା ।

କେନେଡ଼ିଙ୍କ ପିତା, ସାଂସଦ ଜୋସେଫ ମ୍ୟାକ୍‌କାର୍ଥିଙ୍କ ସମର୍ଥକ ଥିଲେ । ମ୍ୟାକ୍‌କାର୍ଥିଙ୍କ, କେନେଡ଼ି ପରିବାର ବନ୍ଧୁ ଥିଲେ ଓ ଏକ ସମୟରେ କେନେଡ଼ିଙ୍କ ଭ‌ଉଣୀ ପାଟ୍ରିସିଆଙ୍କୁ ଡେଟ୍ ମଧ୍ୟ କରୁଥିଲେ । ତାଙ୍କ ଭାଇ ବବି ମ୍ୟାକ୍‌କାର୍ଥିଙ୍କ ଅଧୀନରେ କାମ କରିଥିଲେ । ୧୯୫୪ରେ ସେନେଟରେ ମ୍ୟାକ୍‌କାର୍ଥିଙ୍କ ନାଁରେ ନିନ୍ଦା ପ୍ରସ୍ତାବ ଆଣିବା ଲାଗି ଭୋଟ ହେଲା,ଏହା ସମର୍ଥନରେ କେନେଡ଼ି ଗୋଟିଏ ଭାଷଣ ଲେଖିଥିଲେ । କିନ୍ତୁ ସ୍ୱାସ୍ଥ୍ୟ ବିଗିଡ଼ି ଯିବାରୁ ସେ ଶଯ୍ୟାଗ୍ରସ୍ତ ହେଲେ ଓ ଭାଷଣ ଦେଇପାରିଲେ ନାହିଁ । ଯଦିଓ କେନେଡ଼ି ନା ତ ଭାଷଣ ଦେଇଥିଲେ ଆଉ ନା ସ୍ପଷ୍ଟ କରିଥିଲେ ସେ ଏହି ନିନ୍ଦା ପ୍ରସ୍ତାବ ସମର୍ଥନରେ ଭୋଟ ଦେବେ, ତଥାପି ତାଙ୍କର ଏପରି କାର୍ଯ୍ୟ ଯୋଗୁଁ ସେ ୧୯୫୬ ଓ ୧୯୬୦ ନିର୍ବାଚନରେ ଏଲିଆନର ରୁଜଭେଲ୍ଟ ସମେତ ଉଦାରପନ୍ଥୀ ମାନଙ୍କ ସମର୍ଥନ ହରାଇବା ହିଁ ସାର ହେଲା ।

୧୯୬୦ ରାଷ୍ଟ୍ରପତି ନିର୍ବାଚନ[ସମ୍ପାଦନା]

୨ ଜାନୁଆରୀ ୧୯୬୦ରେ କେନେଡ଼ି ଡେମୋକ୍ରାଟିକ ଦଳର ରାଷ୍ଟ୍ରପତି ପଦବୀ ପ୍ରାର୍ଥୀ ରୂପେ ପ୍ରାରମ୍ଭିକ ନିର୍ବାଚନ ଲାଗି ପ୍ରଚାର ଆରମ୍ଭ କଲେ । ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦୀ ଥିଲେ ମିନେସୋଟା ସାଂସଦ ହୁବର୍ଟ ହମ୍ଫ୍ରି ଓ ଓରେଗନ ସାଂସଦ ୱେନେ ମୋର୍ସ । ସେ ହମ୍ଫ୍ରିଙ୍କୁ ୱିସକନ୍ସିନ ଓ ପଶ୍ଚିମ ଭର୍ଜିନିଆ ଏବଂ ମୋର୍ସଙ୍କୁ ମ୍ୟାରୀଲ୍ୟାଣ୍ଡ ଓ ଓରେଗନରେ ପରାସ୍ତ କଲେ । ଏହା ସହ ନିଉ ହାମ୍ପଶାୟାର, ଇଣ୍ଡିଆନା ଓ ନେବ୍ରାସ୍କାରେ ସେ କେତେକ ନାମମାତ୍ର ପ୍ରାର୍ଥୀ ମାନଙ୍କୁ ମଧ୍ୟ ପରାସ୍ତ କଲେ । ଏହି କାଳରେ କେନେଡ଼ି ପଶ୍ଚିମ ଭର୍ଜିନିଆର ଗୋଟେ କୋ‍ଇଲା ଖଣି ପରିଦର୍ଶନରେ ଯାଇଥିଲେ । ଏହି ରାଜ୍ୟରେ ଥିବା ଖାଦାନ ଶ୍ରମିକଙ୍କ ସହ ଅଧିକାଂଶ ଲୋକ ରକ୍ଷଣଶୀଳ ପ୍ରୋଟେଷ୍ଟାଣ୍ଟ ଧର୍ମାବଲମ୍ବୀ ଥିଲେ ଓ କେନେଡ଼ି ରୋମାନ କ୍ୟାଥଲିକ ହୋ‍ଇଥିବାରୁ ତାଙ୍କୁ ସନ୍ଦେହ ଦୃଷ୍ଟିରେ ଦେଖୁଥିଲେ । ତେବେ ଏଠାରେ ତାଙ୍କର ବିଜୟରୁ ତାଙ୍କର ଲୋକପ୍ରିୟତା ପ୍ରମାଣିତ ହୋ‍ଇଥିଲା ।

ସେଥର ଡେମୋକ୍ରାଟ ସମ୍ମିଳନୀରେ ସେ ତାଙ୍କର ପ୍ରସିଦ୍ଧ "ନୂତନ ସୀମାନ୍ତ" ଭାଷଣ ଦେଇଥିଲେ ଯାହାର ସାର ଥିଲା: "ଯେହେତୁ ଆଜିର ସବୁ ସମସ୍ୟାର ସମାଧାନ ହୋ‍ଇପାରି ନାହିଁ ଓ ସବୁ ଯୁଦ୍ଧରେ ଏଯାବତ୍ ବିଜୟ ହୋ‍ଇନାହିଁ -- ଆଉ ତା ସହ ଆମେ ଆଜି ଏକ ନୂତନ ସୀମାନ୍ତର ସୀମାରେଖାରେ ଛିଡ଼ା ହୋ‍ଇଛେ... କିନ୍ତୁ ଯେଉଁ ନୂତନ ସୀମାନ୍ତର କଥା ମୁଁ ଆଜି କହୁଛି ତାହା କୌଣସି ପ୍ରତିଶ୍ରୁତି ନୁହଁ --ବରଂ ତାହା ଏକ ପ୍ରକାରର ଆହ୍ୱାନ । ମୋଟରେ ମୁଁ ଆମେରିକାର ଜନତାଙ୍କୁ କଣ ଦେଉଛି ଏହା ତା’ସାର ନୁହଁ ବରଂ ମୁଁ ସେମାନଙ୍କ ଠାରୁ କ’ଣ ଆଶା କରେ ଏହା ତା’ରି ସାର ।"

ହମ୍ଫ୍ରି ଓ ମୋର୍ସଙ୍କ ପରାଜୟ ପରେ ଲସ ଆଞ୍ଜେଲେସ ସମ୍ମିଳନୀରେ କେନେଡ଼ିଙ୍କ ପ୍ରଧାନ ପ୍ରତିଦ୍ୱନ୍ଦୀ ଥିଲେ ଟେକ୍ସାସର ଲିଣ୍ଡନ ବି. ଜନସନ । କେନେଡ଼ି ତାଙ୍କ ସହ ଆଡ଼ଲାଇ ଷ୍ଟିଭେନସନ (୧୯୫୨ ଓ ୧୯୫୬ର ଡେମୋକ୍ରାଟ ପ୍ରାର୍ଥୀ), ଷ୍ଟୁଆର୍ଟ ସିମିଙ୍ଗଟନ ଓ ଅନ୍ୟାନ୍ୟ ସ୍ଥାନୀୟ ପ୍ରାର୍ଥୀଙ୍କୁ ପଛରେ ପକାଇ ଜୁଲାଇ ୧୩ରେ ଡେମୋକ୍ରାଟ ସମ୍ମିଳନୀରେ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ନିର୍ବାଚିତ ହେଲେ । କେନେଡ଼ି ଦଳର ଅନ୍ୟ ଉଦାରପନ୍ଥୀ ସମର୍ଥକ ଓ ନିଜ କର୍ମୀ (ତାଙ୍କ ନିଜ ଭାଇ ବବିଙ୍କ ସହ)ଙ୍କ ବିରୋଧ ସତ୍ତ୍ୱେ ଜନସନଙ୍କୁ ନିଜର ଉପ-ରାଷ୍ଟ୍ରପତି ପ୍ରାର୍ଥୀ ବାଛିଲେ ।

୧୯୧୬ ପରେ ଏହି ରାଷ୍ଟ୍ରପତି ନିର୍ବାଚନ ବେଶ୍ କଣ୍ଟାକଣ୍ଟି ହବାର ସମ୍ଭାବନା ଥିଲା ଏଣୁ ଦକ୍ଷିଣାଞ୍ଚଳରେ ଜନସନଙ୍କ ଥିବା ବିପୁଳ ସମର୍ଥନ କେନେଡ଼ିଙ୍କୁ ଆବଶ୍ୟକ ଥିଲା । ପ୍ରମୁଖ ଆଲୋଚନାର ବିଷୟ ଥିଲା: ଧୀମେଇ ଯାଇଥିବା ଅର୍ଥନୀତିର ପୁନରୁତ୍ଥାନ, କେନେଡ଼ିଙ୍କ ରୋମାନ କ୍ୟାଥଲିକ ଧର୍ମ, କ୍ୟୁବା ଓ ସୋଭିଏତ ମହାକାଶ ଓ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ଯେପରି ଆମେରିକାର କାର୍ଯ୍ୟକ୍ରମକୁ ପଛରେ ନ ପକାଇ ଦିଏ । ତାଙ୍କ ରୋମାନ କ୍ୟାଥଲିକ ଧର୍ମ ଯେ ତାଙ୍କ ନୀତି ନିର୍ଦ୍ଧାରଣରେ ବାଧା ହେବନାହିଁ ତାହା ସ୍ପଷ୍ଟ କରିବା ଲାଗି ସେ ଥରେ ୧୨ ସେପ୍ଟେମ୍ବର ୧୯୬୦ରେ ଗ୍ରେଟର ହୁଷ୍ଟନ ମିନିଷ୍ଟେରିଆଲ ଆସୋସିଏସନରେ କହିଥିଲେ "ମୁଁ ରାଷ୍ଟ୍ରପତି ପଦବୀ ଲାଗି କ୍ୟାଥଲିକ (ଦଳର) ପ୍ରାର୍ଥୀ ନୁହଁ, ମୁ ଡେମୋକ୍ରାଟିକ ଦଳର ପ୍ରାର୍ଥୀ ଯାହାର ଧର୍ମ କ୍ୟାଥଲିକ । ସାର୍ବଜନିକ ମାମଲାରେ ମୁଁ ଧର୍ମକୁ ଆଣେନା ଆଉ ଧର୍ମ ମୋର ପ୍ରତିନିଧି ନୁହଁ ।" ସେ ଥରେ କଟାକ୍ଷ ଛଳରେ ପଚାରିଥିଲେ ଯେ ଯେହେତୁ ଆମେରିକାର ଏକ ଚତୁର୍ଥାଂଶ ଜନତା କ୍ୟାଥଲିକ ତା ବୋଲି କଣ ତାଙ୍କୁ ନିମ୍ନ ଶ୍ରେଣୀର ନାଗରିକ ବୋଲିବା । ଆଉଥରେ ସେ କହିଥିଲେ "ଦକ୍ଷିଣ ପ୍ରଶାନ୍ତ ମହାସାଗରରେ (ନୌସେନାରେ ଥିବା ବେଳେ) ତ କେହି ମୋ ଧର୍ମ ପଚାରି ନଥିଲେ!"

ଏହି ପ୍ରଚାର ସମୟରେ ସେ ଜଣେ ରାବ୍ବି ମେନାଖେମ ଏମ. ସ୍ନିୟରସନଙ୍କ ସହ ସାକ୍ଷାତ ଲୋଡ଼ିଥିଲେ, କିନ୍ତୁ ରାବ୍ବି ଜଣକ ସେଇ ସନ୍ଧ୍ୟାରେ ବ୍ୟସ୍ତ ଥିବାରୁ ତାଙ୍କ ଅନୁରୋଧ ପ୍ରତ୍ୟାଖ୍ୟାନ କରିଥିଲେ ।

ସେପ୍ଟେମ୍ବର ଓ ଅକ୍ଟୋବରରେ କେନେଡ଼ି ରିପବ୍ଲିକାନ ପ୍ରାର୍ଥୀ ରିଚାର୍ଡ଼ ନିକ୍ସନ (ଯିଏ ସେ ସମୟରେ ଉପ-ରାଷ୍ଟ୍ରପତି ଥିଲେ)ଙ୍କ ସହ ପ୍ରଥମ କରି ଟିଭିରେ ତର୍କ ବିତର୍କ କାର୍ଯ୍ୟକ୍ରମରେ ଆସିଥିଲେ । ଏହି ସମୟରେ ନିକ୍ସନଙ୍କ ଗୋଡ଼ଟି ଆଘାତଗ୍ରସ୍ତ ହୋ‍ଇଥିବାରୁ ସେ ପୀଡ଼ିତ ଥିଲେ ଏଣୁ ସେ ଝାଳନାଳ ହୋ‍ଇ ବ୍ୟସ୍ତ ରହୁଥିଲେ, ଅପର ପକ୍ଷରେ କେନେଡ଼ି ପୁରା ଚ‍ଇନିଫିଟ ହୋ‍ଇ ଆତ୍ମବିଶ୍ୱାସର ସହ ଆସିଥିଲେ । ଏଣୁ ଅଧିକାଂଶ ଟିଭି ଦର୍ଶକଙ୍କ ସମର୍ଥନ କେନେଡ଼ିଙ୍କ ପକ୍ଷକୁ ଯାଇଥିଲା । ମଜାର କଥା ଯେ ରେଡ଼ିଓ ଶ୍ରୋତାମାନେ ଭାବିଥିଲେ ନିକ୍ସନ ଏହି ତର୍କରେ ଜିତିଲେ କିମ୍ୱା ଏହା ଅନିର୍ଣ୍ଣିତ ରହିଲା । ଏହି ତର୍କବିତର୍କରୁ ଆମେରିକୀୟ ରାଜନୀତିକୁ ଏକ ନୂଆ ମୋଡ଼ ମିଳିଥିଲା-- ଏଇଠୁ ହିଁ ଟେଲିଭିଜନ ରାଜନୀତିକ ପ୍ରଚାର ପ୍ରସାର ଏକ ଅବିଚ୍ଛେଦ୍ୟ ଅଙ୍ଗ ହେଲା ।

ଏହି ପ୍ରଥମ ତର୍କବିତର୍କ ପରେ କେନେଡ଼ି ସମର୍ଥନ ଧୀରେ ଧୀରେ ବଢ଼ିଲା ଓ ଅଧିକାଂଶ ପୋଲ୍ରେ ସେ ନିକ୍ସନଙ୍କ ଠାରୁ ସାମାନ୍ୟ ଆଗୁଆ ହେଲେ । ନଭେମ୍ବର ୮ରେ କେନେଡ଼ି, ନିକ୍ସନଙ୍କୁ ପରାଜିତ କଲେ, ଏହା ବିଂଶ ଶତାବ୍ଦୀର ସବୁଠୁ କଣ୍ଟାକଣ୍ଟି ନିର୍ବାଚନ ମଧ୍ୟରୁ ଅନ୍ୟତମ । ଜାତୀୟ ଲୋକପ୍ରିୟ ଭୋଟରେ ଉଭୟଙ୍କ ଭିତରେ ଫରକ ଏକ ପ୍ରତିଶତ ଏକ ପଞ୍ଚମାଂଶ ମାତ୍ର ଥିଲା (କେନେଡ଼ି - ୪୯.୭%, ନିକ୍ସନ - ୪୯.୫%), ଇଲେକ୍ଟୋରାଲ କଲେଜରେ ନିକ୍ସନଙ୍କ ୨୧୯ ତୁଳନାରେ ତାଙ୍କୁ ୩୦୩ଟି ଭୋଟ ମିଳିଥିଲା (ଜିତିବା ଲାଗି ୨୬୯ ଭୋଟ ଆବଶ୍ୟକ) ।

ନାଗରିକ ଅଧିକାର ଆନ୍ଦୋଳନକୁ ସମର୍ଥନ କରୁଥିବା ହେତୁ ମିସିସିପି ଓ ଆଲାବାମାର ୧୪ ଜଣ ଓ ଓକ୍ଲାହୋମାର ଜଣେ ନିର୍ବାଚକ କେନେଡ଼ିଙ୍କୁ ସମର୍ଥନ ନକରି ଭର୍ଜିନିଆ ସାଂସଦ ହ୍ୟାରୀ ଏଫ୍. ବାଇର୍ଡ଼ଙ୍କୁ ଭୋଟ ଦେଇଥିଲେ । ମଜାର କଥା ହେଉଛି କେନେଡ଼ି ଆମେରିକାର ସର୍ବକନିଷ୍ଠ ନିର୍ବାଚିତ ରାଷ୍ଟ୍ରପତି ଓ ଯେଉଁ ପୂର୍ବ ରାଷ୍ଟ୍ରପତିଙ୍କ ସ୍ଥାନ ନେଲେ (ଆଇଜେନହାୱାର) ସେ ଥିଲେ ସେଯାବତ୍ ଆମେରିକାର ସବୁଠୁ ବୟସ୍କ ରାଷ୍ଟ୍ରପତି (ପରେ ୧୯୮୧ରେ ରୋନାଲ୍ଡ ରିଗାନ ସବୁଠୁ ବୟସ୍କ ରାଷ୍ଟ୍ରପତିର ରେକର୍ଡ଼ ପାଇଲେ) ।

ରାଷ୍ଟ୍ରପତି ପଦବୀରେ (୧୯୬୧-୧୯୬୩)[ସମ୍ପାଦନା]

ଜନ ଏଫ୍. କେନେଡ଼ି ୨୦ ଜାନୁଆରୀ ୧୯୬୧ରେ ଆମେରିକାର ୩୫ତମ ରାଷ୍ଟ୍ରପତି ରୂପେ ନିର୍ବାଚିତ ହୋ‍ଇଥିଲେ । ନିଜ ଉଦ୍‌ଘାଟନୀ ଭାଷଣରେ ସେ ସବୁ ଆମେରିକୀୟ ମାନଙ୍କୁ ସକ୍ରିୟ ନାଗରିକ ହେବାର ଆବଶ୍ୟକତା ଉପରେ ଜୋର ଦେଇ କହିଥିଲେ "ତମ ଦେଶ ତମ ପାଇଁ କଣ କରିପାରିବ ତାହା ପଚାର ନାହିଁ , ବରଂ ପଚାର ଯେ ତମେ ତମ ଦେଶ ପାଇଁ କଣ କରିପାରିବ ।" ସେ ଦୁନିଆର ସବୁ ଦେଶକୁ ହାତରେ ହାତ ମିଶାଇ ମାନବ ଜାତିର ଶତ୍ରୁ "ଏକଛତ୍ରବାଦ, ଦାରିଦ୍ର୍ୟ, ରୋଗ ଓ ଯୁଦ୍ଧ" ବିରୋଧରେ ଲଢ଼େଇ କରିବାକୁ ଆହ୍ୱାନ ଦେଇଥିଲେ ।

"ଏହି ଲଢ଼େଇ ଯେ ପ୍ରଥମ ଶହେ ଦିନରେ ସରିଯିବ ତାହା ନୁହଁ, ଏହା ହଜାରେ ଦିନ, କିମ୍ବା ଏଇ ସରକାରର କାର୍ଯ୍ୟକାଳ ଏପରିକି ଆମମାନଙ୍କ ଜୀବନକାଳରେ ମଧ୍ୟ ସରି ନପାରେ । କିନ୍ତୁ ଆରମ୍ଭ କରିବା ଟା ତ ଆମ ଦାୟିତ୍ୱ ..... ଶେଷରେ ତୁମେ ଆମେରିକାର ନାଗରିକ ହୁଅ ବା ଏ ପୃଥିବୀର, ତମର ହକ୍ ଅଛି ଯେ ତମେ ଆମଠୁ ସେପରି ମନୋବଳ ଓ ବଳିଦାନ ଦାବୀ କରିବ ଯାହା ଆମେ ତମଠୁ ଆଶା କରୁ ।"

ତାଙ୍କ ଏଇ ଭାଷଣରୁ ତାଙ୍କ ସରକାରର ଉଚ୍ଚାକାଙ୍କ୍ଷା ପ୍ରତିଫଳିତ ହୁଏ । ତାଙ୍କ ଆଶା ଥିଲା ଯେ ଏଇ ସରକାର ଘରୋ‍ଇ ମାମଲା ସହ ବୈଦେଶିକ ନୀତିରେ ମଧ୍ୟ ନୂଆ ମୋଡ଼ ଆଣିପାରିବ । ତେବେ ଏଇ ଉଚ୍ଚ ଆଶାକୁ ପରିପୂର୍ଣ୍ଣ କରିବା ଓ ବାସ୍ତବ ଜୀବନରେ ନିତିଦିନିଆ ରାଜନୈତିକ ଚାପ: ଉଭୟ ଘରୋ‍ଇ ଓ ବୈଦେଶିକକୁ ସନ୍ତୁଳିତ କରିବା ହିଁ କେନେଡ଼ି ସରକାର ପ୍ରମୁଖ ମୁଣ୍ଡବ୍ୟଥା ଥିଲା ।

କେନେଡ଼ି, ହ୍ୱାଇଟ ହାଉସର ନିର୍ଣ୍ଣୟନ ପ୍ରଣାଳୀରେ ବିଶେଷ ପରିବର୍ତ୍ତନ ଆଣିଥିଲେ । ତାଙ୍କ ପୂର୍ବାଧିକାରୀ ଜେନେରାଲ ଆଇଜେନହାୱାର ବିକେନ୍ଦ୍ରିତ ନିର୍ଣ୍ଣୟନ ପ୍ରଣାଳୀ ଆପଣେଇ ଥିବା ବେଳେ କେନେଡ଼ି ଏହା ବଦଳରେ ଏକ କୈନ୍ଦ୍ରିକ ନିର୍ଣ୍ଣୟନ ପ୍ରଣାଳୀ ଆପଣେଇ ଥିଲେ । ତାଙ୍କ ସଙ୍ଗଠନାତ୍ମକ ସଂରଚନା ଠିକ ଗୋଟେ ଚକ ଭଳି ଥିଲା, ତାର ସବୁ ଅଖ କେନ୍ଦ୍ରକୁ ଗଲା ଭଳି ସବୁ ବିଷୟର ଶେଷ ନିର୍ଣ୍ଣୟ କେନେଡ଼ିଙ୍କ ହାତରେ ରହୁଥିଲା । ଏପରି ପରିସ୍ଥିତିରେ ତାଙ୍କୁ ଅନେକ ଗୁଡ଼ିଏ ଅବସ୍ଥାରେ ଅଳ୍ପ ସମୟ ମଧ୍ୟରେ ନିର୍ଣ୍ଣୟ ନେବାକୁ ପଡ଼ୁଥିଲା । ସେ ନିଜ କ୍ୟାବିନେଟ ଲାଗି ଉଭୟ ଅଭିଜ୍ଞ ଓ ଅନଭିଜ୍ଞ ଲୋକଙ୍କୁ ବାଛିଥିଲେ, ତାଙ୍କ ମତରେ "ଆମେ ମାନେ ମିଳିମିଶି ଆମ କାମ ବିଷୟରେ ଶିଖି ପାରିବା ।"

ତାଙ୍କ ଅର୍ଥନୈତିକ ପରାମର୍ଶଦାତା ମାନେ ତାଙ୍କୁ ଟିକସ ହ୍ରାସ କରିବାର ଉପଦେଶ ଦେଲେ କିନ୍ତୁ ତା ବଦଳରେ କେନେଡ଼ି ଏକ ସନ୍ତୁଳିତ ବଜେଟ ବାଛିଲେ । ହାଉସ ରୁଲ୍ସ କମିଟିର ସଦସ୍ୟତା ବଢ଼ାଇବା ଲାଗି ଦରକାର ଭୋଟ ପାଇଁ ଏହା ଆବଶ୍ୟକ ଥିଲା ଓ ଏହାଦ୍ୱାରା ଆଇନ ପ୍ରସ୍ତୁତି ବିଧିରେ ଡେମୋକ୍ରାଟ ମାନଙ୍କୁ ବହୁମତ ମିଳିପାରିଲା । ରାଷ୍ଟ୍ରପତି କେନେଡ଼ି ସରକାର ସମ୍ମୁଖରେ ଥିବା ବର୍ତ୍ତମାନ ସମସ୍ୟା ଉପରେ ଅଧିକ ଧ୍ୟାନ ଦେଇଥିଲେ ଓ ନଗଣ୍ୟ ତାତ୍ତ୍ୱିକ ସମସ୍ୟା ଗୁଡ଼ିକୁ ଉପେକ୍ଷା କରିଥିଲେ । ଥରେ ତାଙ୍କ ସହକାରୀ ଜାତୀୟ ସୁରକ୍ଷା ପରାମର୍ଶଦାତା ୱାଲ୍ଟ ହ୍ୱିଟମ୍ୟାନ ରୋଷ୍ଟୋ ସାମ୍ୟବାଦର ବୃଦ୍ଧି ବିଷୟରେ ସମାଲୋଚନା ଆରମ୍ଭ କରନ୍ତେ କେନେଡ଼ି ତାଙ୍କୁ ଅଧାରୁ ଅଟକେଇ ପଚାରିଲେ "ସେ ବିଷୟରେ ମୁଁ ଆଜି ଦିନକରେ କଣ କରି ପାରିବି (କି)?"

କେନେଡ଼ି F-111 TFX (Tactical Fighter Experimental) ଗୋଳାବର୍ଷକ ଯୁଦ୍ଧବିମାନ ନିର୍ମାଣର ଠିକା ବୋ‍ଇଂ କମ୍ପାନୀ (ସେନାବାହିନୀର ପସନ୍ଦ)କୁ ନଦେଇ ଜେନେରାଲ ଡାଇନାମିକ୍ସ କମ୍ପାନୀ (ନାଗରିକ ପ୍ରତିରକ୍ଷା ବିଭାଗର ପସନ୍ଦ)କୁ ଦେବାର ପ୍ରତିରକ୍ଷା ସେକ୍ରେଟାରୀ ରବର୍ଟ ମ୍ୟାକ୍‌ନାମାରାଙ୍କ ବିବାଦାସ୍ପଦ ନିର୍ଣ୍ଣୟକୁ ସମର୍ଥନ କରିଥିଲେ । ପରେ ସାଂସଦ ହେନେରୀ ଜ୍ୟାକସନଙ୍କ ଅନୁରୋଧରେ ସାଂସଦ ଜନ ମ୍ୟାକ୍‌କ୍ଲେଲ୍ଲାନ ୧୯୬୩ରେ ଫେବ୍ରୁଆରୀରୁ ନଭେମ୍ବର ଭିତରେ ୪୬ ଦିନ ଧରି ସ୍ଥାୟୀ ଜାଞ୍ଚ ସବକମିଟି ସହ ରୁଦ୍ଧ ଦ୍ୱାର ବୈଠକରେ ଏଇ TFX ଠିକାରେ ହୋ‍ଇଥିବା ଗୋଳମାଳର ଜାଞ୍ଚ କରିଥିଲେ ।

ବୈଦେଶିକ ନୀତି[ସମ୍ପାଦନା]

ରାଷ୍ଟ୍ରପତି କେନେଡ଼ିଙ୍କ ଶାସନ କାଳ ସୋଭିଏତ ଋଷିଆ ସହ ମୁହାଁମୁହିଁ ହେବା ପରିସ୍ଥିତି ବାରମ୍ୱାର ଉପୁଜିଥିଲା । ଶୀତଳ ଯୁଦ୍ଧର ପ୍ରାରମ୍ଭିକ ଭାଗରେ ଏହା ପରୋକ୍ଷ ଛକାପଞ୍ଝାରେ ସୀମିତ ରହିଥିଲା । ୧୯୬୧ରେ କେନେଡ଼ିଙ୍କ ସୋଭିଏତ ଶାସନମୁଖ୍ୟ ନିକିତା କୃଶ୍ଚେଭଙ୍କ ସହ ଗୋଟେ ବୈଠକ ହେବାର ଥିଲା । ତେବେ ଏହି ବୈଠକର ଠିକ୍ ପୂର୍ବରୁ କୃଶ୍ଚେଭଙ୍କ ଗୋଟେ ସାଧାରଣ ଭାଷଣକୁ ନେଇ କେନେଡ଼ି ଆକ୍ରମଣାତ୍ମକ ହୋ‍ଇ ପଡ଼ିବାରୁ ଦୁଇ ଦେଶ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଲା ଯାହା ଜୁନ ୧୯୬୧ରେ ଭିଏନା ଶିଖର ସମ୍ମେଳନରେ ସ୍ପଷ୍ଟ ଦେଖାଯାଇଥିଲା । କୃଶ୍ଚେଭଙ୍କ ଭାଷଣଟି ବାସ୍ତବରେ ଅତି ମାମୁଲି ଥିଲା ଓ ସୋଭିଏତ୍ର ଘରୋ‍ଇ ଦର୍ଶକଙ୍କ ପାଇଁ ଉଦ୍ଦିଷ୍ଟ ଥିଲା, କିନ୍ତୁ କେନେଡ଼ି ଏହାକୁ ବ୍ୟକ୍ତିଗତ ଚ୍ୟାଲେଞ୍ଜ ରୂପେ ଦେଖିବାରୁ କଥା ବିଗିଡ଼ି ଯାଇଥିଲା ।

ଏଇ ଶିଖର ସମ୍ମେଳନୀ ଯିବା ବାଟରେ କେନେଡ଼ି ପ୍ୟାରିସରେ ଚାର୍ଲ୍ସ ଡି ଗଲଙ୍କୁ ଦେଖା କଲେ, ଯେ କି ତାଙ୍କୁ କୃଶ୍ଚେଭଙ୍କ କର୍କଶ ସ୍ୱଭାବକୁ ଅଣଦେଖା କରିବା ଲାଗି ଉପଦେଶ ଦେଲେ । କାଳେ କେନେଡ଼ିଙ୍କ ପ୍ରତିଷ୍ଠା କାଳେ ଇଉରୋପରେ ବଢ଼ିପାରେ ଏ ନେଇ ଫରାସୀ ରାଷ୍ଟ୍ରପତି ଡି ଗଲ ଚିନ୍ତିତ ଥିଲେ ହେଁ, ଯୁବକ କେନେଡ଼ି ଓ ତାଙ୍କ ପରିବାର ପ୍ରତି ତାଙ୍କର ଶ୍ରଦ୍ଧା ଥିଲା । ଏ ବିଷୟରେ କେନେଡ଼ି ପ୍ୟାରିସରେ ଦେଇଥିବା ତାଙ୍କ ଭାଷଣରେ ଉଲ୍ଲେଖ କରିଥିଲେ ।

୪ ଜୁନ ୧୯୬୧ରେ ଭିଏନାଠାରେ କେନେଡ଼ି ଓ କୃଶ୍ଚେଭଙ୍କ ବୈଠକ ହୋ‍ଇଥିଲା । ପୂର୍ବ ଚେତାବନୀକୁ ଅଣଦେଖା କରି କୃଶ୍ଚେଭ ତାଙ୍କୁ ଧମକ ଦେଉଛନ୍ତି ବୋଲି ଧାରଣା କରି ରାଗରେ ପଞ୍ଚମ ହୋ‍ଇ କେନେଡ଼ି ବୈଠକ ମଝିରୁ ଉଠି ଆସିଥିଲେ । କୃଶ୍ଚେଭ ବ୍ୟକ୍ତିଗତ ଭାବେ କେନେଡ଼ିଙ୍କୁ ବୁଦ୍ଧିମାନ କିନ୍ତୁ ଦୁର୍ବଳମନା ବୋଲି ଭବିଥିଲେ । ବୈଠକଟି ଅଧାରୁ ବନ୍ଦ ହେଲେ ହେଁ ସବୁଠୁ ଜରୁରୀ ମାମଲା, ମସ୍କୋ ଓ ପୂର୍ବ ବର୍ଲିନ ମଧ୍ୟରେ ହେବାକୁ ଥିବା ଗୋଟେ ଚୁକ୍ତି ଉପରେ କେନେଡ଼ି ଆପତ୍ତି ଜଣାଇ ପାରିଥିଲେ । ସେ ସ୍ପଷ୍ଟ କରି ଦେଲେ ଯେ କୌଣସି ଚୁକ୍ତି ଯଦି ଆମେରିକାର ପଶ୍ଚିମ ବର୍ଲିନରେ ମୁକ୍ତ ଅଧିକାରର ଅନ୍ତରାୟ ହୁଏ ତାହାକୁ ଯୁଦ୍ଧର ଘୋଷଣା ବୋଲି ଧରାଯିବ ।

ସମ୍ମେଳନରୁ କେନେଡ଼ିଙ୍କ ପ୍ରତ୍ୟାବର୍ତ୍ତନର କିଛି ଦିନ ପରେ ହିଁ ସୋଭିଏତ ଋଷିଆ, ପୂର୍ବ ବର୍ଲିନ ସହ ଚୁକ୍ତି କରିବା ଲାଗି ଆଗ୍ରହୀ ବୋଲି ଘୋଷଣା କଲା । ଏହା ଅନୁସାରେ ଆଉ ତୃତୀୟ ପକ୍ଷ ବର୍ଲିନର କୌଣସି ଅଂଶରେ ଅଧିକାରରେ ଦାବୀ କରିପାରିବେ ନାହିଁ ବୋଲି ବିଧି ଥିଲା । ରାଗରେ ଜର୍ଜର ହୋ‍ଇ କେନେଡ଼ି ଧରିନେଲେ ଯେ ଆମେରିକା ସମ୍ମୁଖରେ ଏକମାତ୍ର ଉପାୟ ହେଉଛି ଆଣବିକ ଯୁଦ୍ଧ ଲାଗି ପ୍ରସ୍ତୁତି ।

ଭିଏନା ଶିଖର ସମ୍ମେଳନର କିଛି ସପ୍ତାହ ଭିତରେ ସୋଭିଏତ ଘୋଷଣାରେ ଭୟଭୀତ ହୋ‍ଇ ପ୍ରାୟ ୨୦,୦୦୦ ଲୋକ ପୂର୍ବ ବର୍ଲିନରୁ ପଶ୍ଚିମକୁ ପଳାୟନ କଲେ । ମାମଲାର ସୁଚାରୁ ସମାଧାନ ଲାଗି କେନେଡ଼ି ଘନଘନ ବୈଠକ ଡକାଇଲେ, ଏଇଠି ଡିନ ଆଚେସନ ନାଟୋର ମିତ୍ର ଦେଶ ମାନଙ୍କ ସୀମାରେ ସେନା ଠୁଳ କରିବାର ପ୍ରସ୍ତାବ ଦେଲେ । ଜୁଲାଇ ୧୯୬୧ର ତାଙ୍କ ଭାଷଣରେ କେନେଡ଼ି ଏଇ ଯୁଦ୍ଧ ଲାଗି ପ୍ରତିରକ୍ଷା ବଜେଟରେ ୩.୨୫ ବିଲିୟନ ଡଲାର ଅଧିକ ଯୋଗ କରିବାକୁ ଓ ଦୁଇ ଲକ୍ଷରୁ ଅଧିକ ସୈନ୍ୟ ପ୍ରଦାନ କରିବାକୁ ତାଙ୍କ ନିଷ୍ପତ୍ତି ଘୋଷଣା କଲେ, ଏହାର କାରଣ ଦର୍ଶାଇ ସେ କହିଲେ ଯେ ପଶ୍ଚିମ ଜର୍ମାନୀ ଉପରେ ଆକ୍ରମଣ ଆମେରିକା ଉପରେ ଆକ୍ରମଣ ସହ ସମାନ । ଏହି ଭାଷଣକୁ ୮୫% ସମର୍ଥନ ମିଳିଥିଲା ।

ତା ପର ମାସ ସୋଭିଏତ ଋଷିଆ ଓ ପୂର୍ବ ବର୍ଲିନ ମିଳିତ ଭାବେ ପୂର୍ବ ବର୍ଲିନରୁ ପଶ୍ଚିମକୁ ଲୋକଙ୍କ ପଳାୟନ ରୋକିବା ଲାଗି ନଗରର ଚାରିଆଡ଼େ କଣ୍ଟା ତାରର ବାଡ଼ ବିଛାଇଲେ ଯାହାକି ଶୀଘ୍ର ହିଁ ବର୍ଲିନ ପ୍ରାଚୀରର ରୂପ ନେଲା । ପ୍ରଥମେ ତ କେନେଡ଼ି ଏହାକୁ ଅଣଦେଖା କରିଥିଲେ, ଯେ ଯାଏଁ ପଶ୍ଚିମରୁ ପୂର୍ବକୁ ମୁକ୍ତ ପ୍ରବାହ ଜାରି ଥିଲା । ତେବେ ପରେ ଯେବେ ସେ ଜାଣିବାକୁ ପାଇଲେ ଯେ ପଶ୍ଚିମ ବର୍ଲିନ ବାସୀ ଧୀରେ ଧୀରେ ଆମେରିକୀୟ ପ୍ରତିରକ୍ଷା ଉପରେ ବିଶ୍ୱାସ ହରାଉଛନ୍ତି, ସେ ଉପ-ରାଷ୍ଟ୍ରପତି ଜନସନ ଓ କେତେକ ସେନା ଅଫିସର ମାନଙ୍କୁ ପଶ୍ଚିମ ବର୍ଲିନ ପଠାଇଥିଲେ । ଆମେରିକା ଯେ ପଶ୍ଚିମକୁ ସମର୍ଥନ କରିବ ଏହାର ପ୍ରତିଶ୍ରୁତି ରୂପେ ସେମାନେ ପଶ୍ଚିମ ବର୍ଲିନ (ସୋଭିଏତ ଚେକପଏଣ୍ଟ ଦେଇ) ଗସ୍ତ କରିଥିଲେ ।

ଦିନକୁ ଦିନ ଅଧିକ ଅନିବାର୍ଯ୍ୟ ଲାଗୁଥିବା ଏଇ ଶୀତଳ ଯୁଦ୍ଧରେ ଆମେରିକାର ଭୁମିକା ନେଇ ୫ ମେ ୧୯୬୦ରେ ସେଣ୍ଟ ଆନ୍ସଲେମ କଲେଜରେ କେନେଡ଼ି ଏକ ଭାଷଣ ଦେଇଥିଲେ । ଆମେରିକୀୟ ବୈଦେଶିକ ନୀତିରେ ଆଫ୍ରିକୀୟ ଦେଶମାନଙ୍କ ଭୁମିକା କଣ ହେବା ଉଚିତ ଏଥିରେ ମଧ୍ୟସେ ବ୍ୟାଖ୍ୟା କରିଥିଲେ । ଆଧୁନିକ ଆଫ୍ରିକୀୟ ଜାତୀୟତାବାଦକୁ ସମର୍ଥନ କରି ସେ କହିଥିଲେ "ଆମେ ମାନେ ମଧ୍ୟ ଉପନିବେଶବାଦ ବିରୋଧରେ ଆନ୍ଦୋଳନ କରି ଆମ ଦେଶର ସ୍ଥାପନା କରିଛୁ ।"

କ୍ୟୁବା ଓ ବେ ଅଫ ପିଗ୍ସ ଆକ୍ରମଣ[ସମ୍ପାଦନା]

୧୪ ଅକ୍ଟୋବର ୧୯୬୨ରେ ଆମେରିକା ଗୋ‍ଇନ୍ଦା ବିଭାଗ CIAର U-2 ଗୋ‍ଇନ୍ଦା ବିମାନ ନେଇଥିବା ଫଟୋଚିତ୍ରରୁ ଜଣାପଡ଼ିଲା ଯେ ସୋଭିଏତ ମାନେ କ୍ୟୁବାରେ ମଧ୍ୟମ ପରିସୀମାର କ୍ଷେପଣାସ୍ତ୍ର ସ୍ଥାପନ କରୁଛନ୍ତି । ୧୬ ଅକ୍ଟୋବରରେ କେନେଡ଼ି ଏଇ ଫଟୋ ଗୁଡ଼ିକ ଦେଖିଲା ପରେ ନିଷ୍ପତ୍ତି ନିଆଗଲା ଯେ ଏହା ଆକ୍ରମଣାତ୍ମକ ଓ ତାତ୍କାଳିକ ଆସନ୍ନ ଆଣବିକ ଯୁଦ୍ଧର ଆଶଙ୍କା ରହିଛି ।

କେନେଡ଼ିଙ୍କ ପାଇଁ ପରିସ୍ଥିତି ଦ୍ୱନ୍ଦାତ୍ମକ ଥିଲା: ଯଦି ଆମେରିକା ଏଇ କ୍ଷେପଣାସ୍ତ୍ର ସ୍ଥଳୀ ଗୁଡ଼ିକ ଉପରେ ଆକ୍ରମଣ କରେ ତାହେଲେ ତାହା ଖୋଲାଖୋଲି ରୂପେ ସୋଭିଏତ ଋଷିଆ ସହ ଆଣବିକ ଯୁଦ୍ଧର ରୂପ ନେବ, ଏଣେ ଯଦି ଆମେରିକା କିଛି ନ କରେ ତାହେଲେ ଅତି ନିକଟରୁ ଆଣବିକ ଅସ୍ତ୍ରର ଭୟ ମୁଣ୍ଡ ଉପରେ ଛାଇ ରହିବ ଆଉ ବାକି ଦେଶ ଭାବିବେ ଯେ ଆମେରିକା ଦୁର୍ବଳ ଓ ନିଜର ଓ ଉତ୍ତର ଆମେରିକାର ପ୍ରତିରକ୍ଷା ପ୍ରତି ତା’ର ଦାୟିତ୍ୱ ନାହିଁ । ବ୍ୟକ୍ତିଗତ ଭାବେ କେନେଡ଼ି, କୃଶ୍ଚେଭଙ୍କୁ ନିଜ ମନୋବଳ ପ୍ରଦର୍ଶନ କରିବାର ଆବଶ୍ୟକତା ଥିଲା, ଖାସ୍ କରି ଭିଏନା ଶିଖର ସମ୍ମେଳନ ପରେ ।

ଜାତୀୟ ସୁରକ୍ଷା କାଉନ୍ସିଲର ପ୍ରାୟ ଏକ-ତୃତୀୟାଂଶ ଛଦ୍ମ ଭାବେ କ୍ଷେପଣାସ୍ତ୍ର ସ୍ଥଳୀ ଗୁଡ଼ିକୁ ଆକ୍ରମଣ କରିବାର ସମର୍ଥନ କଲେ, କିନ୍ତୁ ଅନ୍ୟ କିଛି ଆଶଙ୍କା ପ୍ରକାଶ କଲେ ଯେ ଏହା ଠିକ୍ ପଲ୍ ହାର୍ବରର ଓଲଟା ଅବସ୍ଥା (ଯେଉଁଠି ଜାପାନ ଛଦ୍ମ ଭାବେ ଅଚାନକ ଆମେରିକା ଉପରେ ଆକ୍ରମଣ କରିଥିଲା) ଭଳି ହେବ । ଆଉ କିଛି ମତ ଦେଲେ ଏଇଟା ଆଇଜେନହାୱାର ତୁର୍କୀରେ ସ୍ଥାପନ କରିଥିବା ଆମେରିକୀୟ କ୍ଷେପଣାସ୍ତ୍ର ଲାଗି ଋଷିଆର "ଯେସାକୁ ତେସା" ଜବାବ୍ ଆଉ ଋଷିଆ, ଆମେରିକାର ଅତିପ୍ରତିକ୍ରିୟାଶୀଳତାର ଫାଇଦା ଉଠାଇବାକୁ ଚାହେଁ । ତା ଛଡ଼ା ଏଇ କ୍ଷେପଣାସ୍ତ୍ର ସ୍ଥଳୀ ଉପରେ ଆକ୍ରମଣ ଶତ ପ୍ରତିଶତ ସଫଳ ହେବ ତା ମଧ୍ୟ ନଥିଲା । ଶେଷରେ ବହୁମତ ନିଷ୍ପତ୍ତି ହେଲା ଯେ ନୌବାହିନୀଦ୍ୱାରା କ୍ୟୁବାର ସଙ୍ଗରୋଧ କରାଯାଉ । ଏ ନେଇ ୨୨ ଅକ୍ଟୋବରରେ କେନେଡ଼ି, କୃଶ୍ଚେଭଙ୍କୁ ବାର୍ତ୍ତା ପଠାଇବା ସହ ନିଜ ନିଷ୍ପତ୍ତି ଟିଭିରେ ଘୋଷଣା କଲେ ।

ଆମେରିକୀୟ ନୌବାହିନୀ ୨୪ ଅକ୍ଟୋବରରୁ କ୍ୟୁବାକୁ ଯା ଆସ କରୁଥିବା ସମସ୍ତ ସୋଭିଏତ ଜାହାଜକୁ ରୋକି ଜାଞ୍ଚ କରିବ ବୋଲି ସ୍ଥିର ହେଲା । ଆମେରିକୀୟ ଦେଶମାନଙ୍କ ସଙ୍ଗଠନ ଏଇ କ୍ଷେପଣାସ୍ତ୍ର ହଟାଯାଉ ବୋଲି ଏକମତ ସମର୍ଥନ ଦେଲେ । କେନେଡ଼ିଙ୍କ ଏନେଇ କୃଶ୍ଚେଭଙ୍କ ସହ ଦୁଇଟି ଚିଠି ଆଦାନ ପ୍ରଦାନ ହୋ‍ଇଥିଲା, କିନ୍ତୁ ଫଳ କିଛି ହେଲା ନାହିଁ । ମିଳିତ ଜାତିସଙ୍ଘର ସେକ୍ରେଟାରୀ ଜେନେରାଲ ୟୁ ଥାଣ୍ଟ ଅନୁରୋଧ କଲେ ଯେ ଉଭୟ ପକ୍ଷ ନିଜ ନିଜ ନିଷ୍ପତ୍ତିକୁ ପ୍ରତ୍ୟାବର୍ତ୍ତନ କରି ସାମୟିକ ଶାନ୍ତି ବଜାୟ ରଖନ୍ତୁ ଯାହା ଭିତରେ ଅଧିକ ଆଲୋଚନା ହୋ‍ଇପାରିବ । ଏଥିରେ କୃଶ୍ଚେଭ ହଁ କହିଲେ କିନ୍ତୁ କେନେଡ଼ି ନାସ୍ତି କଲେ ।

ମୋଟରେ କେବଳ ଗୋଟିଏ ସୋଭିଏତ ଜାହାଜକୁ ଅଟକାଇ ତା’ର ନିରୀକ୍ଷଣ କରାଯାଇଥିଲା । ୨୮ ଅକ୍ଟୋବରରେ କୃଶ୍ଚେଭ ଜାତିସଙ୍ଘର ଦେଖରେଖରେ କ୍ଷେପଣାସ୍ତ୍ର ଗୁଡ଼ିକୁ ହଟାଇବାକୁ ରାଜି ହେଲେ । ଆମେରିକା ମଧ୍ୟ ସାର୍ବଜନିକ ଭାବେ ପ୍ରତିଶ୍ରୁତି ଦେଲା ଯେ ସେ କ୍ୟୁବାକୁ ଆକ୍ରମଣ କରିବ ନାହିଁ ଓ ଭିତିରି ଭାବେ ତୁର୍କୀରୁ ନିଜର କ୍ଷେପଣାସ୍ତ୍ର ଗୁଡ଼ିକୁ ହଟାଇ ନେବ (ସେଗୁଡ଼ିକ ସେମିତି ବି ଅତି ପୁରୁଣା ହୋ‍ଇ ଯାଇଥିଲେ ଓ ତା ବଦଳରେ UGM-27 Polaris କ୍ଷେପଣାସ୍ତ୍ର ଯୁକ୍ତ ବୁଡ଼ାଜାହାଜ ଆସିଯାଇଥିଲା) ।

ଏହି ସଙ୍କଟ କାଳରେ ପୃଥିବୀ ଆଣବିକ ଯୁଦ୍ଧ ସବୁଠୁ ସନ୍ନିକଟ ହୋ‍ଇଥିଲା, କିନ୍ତୁ ଶେଷରେ ଦୁଇ ଜଣ ମଣିଷଙ୍କ ମାନବତା ଯୁଦ୍ଧକୁ ଏଡ଼ାଇ ଦେଲା । ଏହି ଘଟଣା ଆମେରିକାର ଇଚ୍ଛାଶକ୍ତି ଓ ରାଷ୍ଟ୍ରପତିଙ୍କ ବିଶ୍ୱସନୀୟତାରେ ଉନ୍ନତି କଲା । ରାତାରାତି କେନେଡ଼ିଙ୍କ ସମର୍ଥନ ରେଟିଂ ୬୬%ରୁ ବୃଦ୍ଧି ପାଇ ୭୭%ରେ ପହଞ୍ଚିଥିଲା ।

ଲାଟିନ ଆମେରିକା ଓ ସାମ୍ୟବାଦର ପ୍ରସାର[ସମ୍ପାଦନା]

"ଯେଉଁମାନେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନର ପଥରୋଧ କରନ୍ତି ସେମାନେ ହିଂସାପୂର୍ଣ୍ଣ ଆନ୍ଦୋଳନର ବାଟ କଢ଼େଇ ନିଅନ୍ତି" ଯୁକ୍ତି ବାଢ଼ି କେନେଡ଼ି ଲାଟିନ ଆମେରିକାରେ କ୍ରମାଗତ ସାମ୍ୟବାଦର ପ୍ରସାରକୁ ସଙ୍କୁଚିତ କରିବା ଲାଗି ଆଲାଏନ୍ସ ଫର ପ୍ରୋଗ୍ରେସ ନାମକ ସଙ୍ଗଠନ ଗଢ଼ିଥିଲେ, ଯାହା ମାଧ୍ୟମରେ କିଛି ରାଷ୍ଟ୍ରକୁ ଅର୍ଥନୈତିକ ସାହାଯ୍ୟ ଦିଆଗଲା । ଏହା ମଧ୍ୟ ଅଞ୍ଚଳରେ ଅଧିକ ମାନବାଧିକାର ଦାବୀ କରିଥିଲା । ସେ ପୁଏର୍ତ୍ତୋ ରିକୋର ରାଜ୍ୟପାଳ ଲୁଇସ ମିନ୍ୟୋଜ ମାରିନଙ୍କ ସହଯୋଗରେ ସଙ୍ଗଠନର ବିକାଶ କରିଥିଲେ ।

ସେ ରାଷ୍ଟ୍ରପତି ପଦବୀ ନେବା ବେଳେ, ଆଇଜେନହାୱାର ସରକାର, CIAଦ୍ୱାରା କ୍ୟୁବା ଶାସକ ଫିଡ଼େଲ କାଷ୍ଟ୍ରୋ ଓ ଡୋମିନିକାନ ଗଣରାଜ୍ୟର ରାଫାଏଲ ଟ୍ରୁଜିଲୋଙ୍କ ହତ୍ୟାର ଯୋଜନା କରୁଥିଲେ । କେନେଡ଼ି CIAକୁ ଜଣାଇ ଦେଲେ ଯେ ଯଦି ଏହି ଯୋଜନା କାର୍ଯ୍ୟକାରୀ ହୁଏ ତେବେ ଆମେରିକାର ନାମ ଏଥିରେ ଯେପରି ସଂଶ୍ଳିଷ୍ଟ ନ ହୁଏ ତାହା ନିଶ୍ଚିତ କରାଯିବ । ସାର୍ବଜନିକ ରୂପେ ସେ ଏପରି ହତ୍ୟା ବିରୋଧ ବିବୃତି ଦେଇଥିଲେ ଯଦିଓ । ଜୁନ ୧୯୬୧ରେ ଡୋମିନିକାନ ଗଣରାଜ୍ୟର ଶାସକଙ୍କୁ ହତ୍ୟା କରାଗଲା, ଏ ସମ୍ବନ୍ଧରେ ଘରୋ‍ଇ ଅଧିସଚିବ ଚେଷ୍ଟର ବାୱେଲ ଖୁବ ମାପି ଚୁପି ବିବୃତି ଦେ‍ଇଥିଲେ । କିନ୍ତୁ ଘଟଣା ଟିରେ ଆମେରିକାର ଫାଇଦାର ସୁଯୋଗ ଉଣ୍ଡୁଥିବା ରବର୍ଟ କେନେଡ଼ି, ବାୱେଲଙ୍କୁ "କାପୁରୁଷ ଓ ଅବୈଧ ସନ୍ତାନ" ବୋଲି ମୁହାଁମୁହିଁ ଗାଳି ଦେଇଥିଲେ ।

ପିସ୍ କର୍ପ[ସମ୍ପାଦନା]

ରାଷ୍ଟ୍ରପତି ରୂପେ କେନେଡ଼ିଙ୍କ ସବା ଆଗ କାମରୁ ଗୋଟିଏ ଥିଲା କଂଗ୍ରେସ (ସଂସଦ) ସମର୍ଥନରେ ପିସ୍ କର୍ପ ପ୍ରତିଷ୍ଠା । ତାଙ୍କ ଶଳା ସାର୍ଜେଣ୍ଟ ଶ୍ରିଭର ଏହାର ପ୍ରଥମ ଡାଇରେକ୍ଟର ଥିଲେ । ଏହା ମାଧ୍ୟମରେ ଆମେରିକୀୟ ସ୍ୱେଚ୍ଛାସେବୀ ଅବିକଶିତ ଦେଶମାନଙ୍କରେ ଶିକ୍ଷା, କୃଷି, ସ୍ୱାସ୍ଥ୍ୟ ସେବା, ନିର୍ମାଣ ଆଦି ସହାୟତା ପ୍ରଦାନ କଲେ । ମାର୍ଚ୍ଚ ୧୯୬୩ ସୁଦ୍ଧା ସଙ୍ଗଠନ ୫୦୦୦ ସଭ୍ୟକୁ ବୃଦ୍ଧି ପାଇଲା ଓ ତା ପର ବର୍ଷ ଦ୍ୱିଗୁଣିତ ହେଲା । ୧୯୬୧ ପରଠାରୁ ଦୁଇ ଲକ୍ଷରୁ ଊର୍ଦ୍ଧ୍ୱ ଆମେରିକୀୟ ଏହା ମାଧ୍ୟମରେ ୧୩୯ଟି ଦେଶରେ ସେବା ଯୋଗାଇ ଦେଇଛନ୍ତି ।

ଦକ୍ଷିଣପୂର୍ବ ଏସିଆ[ସମ୍ପାଦନା]

ଗାଦି ଛାଡ଼ିବା ପୂର୍ବରୁ ଆଇଜେନହାୱାର, କେନେଡ଼ିଙ୍କୁ ଦକ୍ଷିଣପୂର୍ବ ଏସିଆରେ କ୍ରମାଗତ ବୃଦ୍ଧି ପାଉଥିବା ସାମ୍ୟବାଦର ପ୍ରଭାବକୁ ନିୟନ୍ତ୍ରଣ କରିବା ଲାଗି ଉପଦେଶ ଦେଇଥିଲେ । ତାଙ୍କ ମତରେ ସାମ୍ୟବାଦୀ ଲାଓସ ସଙ୍କଟାନୁସାରେ ପ୍ରଧାନ ଅସୁବିଧା ଥିଲା । ମାର୍ଚ୍ଚ ୧୯୬୧ରେ କେନେଡ଼ି କିନ୍ତୁ ନୀତି ପରିବର୍ତ୍ତନ କରି "ସ୍ୱାଧୀନ" ଲାଓସ ବଦଳରେ "ନିରପେକ୍ଷ" ଲାଓସକୁ ସମର୍ଥନ କରି ମତ ପ୍ରକାଶ କଲେ ଯେ ଲାଓସ ବଦଳରେ ଭିଏତନାମ ଉପରେ ଆମେରିକା ପ୍ରାଧାନ୍ୟ ଦେଲେ ସାମ୍ୟବାଦର ପ୍ରଭାବକୁ ନିୟନ୍ତ୍ରଣ କରିହେବ ।

ମେ ୧୯୬୧ରେ ସେ ଉପ-ରାଷ୍ଟ୍ରପତି ଲିଣ୍ଡନ ଜନସନଙ୍କୁ ଦକ୍ଷିଣ ଭିଏତନାମର ରାଷ୍ଟ୍ରପତି ଙ୍ଗୋ ଡିନ ଡିଏମଙ୍କ ସହ ସାକ୍ଷାତ ଲାଗି ପଠାଇଲେ । କମ୍ୟୁନିଷ୍ଟ ମାନଙ୍କୁ ପରାସ୍ତ କରିବା ଲାଗି ସେନାବାହିନୀ ଯୋଗାଡ଼ କରିବା ପାଇଁ ଆବଶ୍ୟକ ଅର୍ଥ ଯୋଗାଇବାକୁ ଲିଣ୍ଡନ ପ୍ରତିଶ୍ରୁତି ମଧ୍ୟ ଦେଲେ । ଏ ନେଇ କେନେଡ଼ି ଦକ୍ଷିଣପୂର୍ବ ଏସିଆ ନୀତି ବଦଳାଇ ଦକ୍ଷିଣ ଭିଏତନାମର ସମର୍ଥନକୁ ସହଭାଗିତାରେ ପରିଣତ କଲେ, ଆଶା ଥିଲା ଦକ୍ଷିଣ ଭିଏତନାମରେ ସାମ୍ୟବାଦର ପରାଜୟ ।

ପ୍ରଥମେ ପ୍ରଥମେ ଆଇଜେନହାୱାରଙ୍କ ନୀତି ଅନୁସାରେ ହୋ ଚି ମିନଙ୍କ କମ୍ୟୁନିଷ୍ଟ ସେନାର ମୁକାବିଲା ଲାଗି କେନେଡ଼ି ଅଳ୍ପ କିଛି ସୈନ୍ୟ ଓ ଗୋଳାବାରୁଦ ସମର୍ଥନ ଦେଇଥିଲେ । ଦକ୍ଷିଣ ଭିଏତନାମ ସରକାରକୁ ମୁଖ୍ୟ ସମର୍ଥନ ପୂର୍ବ ପରି କୂଟନୈତିକ, ଅର୍ଥନୈତିକ ଓ ପରୋକ୍ଷ ସାମରିକ ଭାବେ ଦିଆଯାଉଥିଲା । ୧୯୬୧ର ପର ଭାଗରେ ଭିଏଟ୍ କଙ୍ଗ ଅଧିକ ଶକ୍ତିଶାଳୀ ହୋ‍ଇ ଉଠିଲା ଓ ଶକ୍ତି ପ୍ରଦର୍ଶନ ରୂପେ ଆଞ୍ଚଳିକ ରାଜଧାନୀ ଫୁଓକ ଭିନ୍କୁ ଅକ୍ତିଆର କରିନେଲା । ଉତ୍ତର ରୂପେ କେନେଡ଼ି ସରକାର ଅଧିକ ସଂଖ୍ୟକ ହେଲିକପ୍ଟର, ସାମରିକ ପରାମର୍ଶଦାତା, ଆମେରିକୀୟ ସ୍ୱତନ୍ତ୍ର ବାହିନୀ ଆଦି ପ୍ରେରଣ କଲେ କିନ୍ତୁ ଖୋଲା ଖୋଲି ଯୁଦ୍ଧ ଘୋଷଣାରୁ ପଶ୍ଚାତ୍‌ପଦ ହେଲେ ।

ସେଇ ବର୍ଷ କେନେଡ଼ି ଗୃହ ବିଭାଗର ଗୋ‍ଇନ୍ଦା ମୁଖ୍ୟ ରଜର ହିଲ୍ସମ୍ୟାନଙ୍କୁ ଭିଏତନାମ ଅବସ୍ଥା ନିରୀକ୍ଷଣ ପାଇଁ ପଠାଇଲେ । ସେଠି ହିଲ୍ସମ୍ୟାନଙ୍କ ଦକ୍ଷିଣ ଭିଏତନାମକୁ ବ୍ରିଟିଶ ପରାମର୍ଶଦାତା ମିଶନ ମୁଖ୍ୟ ସାର ରବର୍ଟ ଥମ୍ପସନଙ୍କ ସହ ଦେଖା ହେଲା ଓ ଷ୍ଟ୍ରାଟେଜିକ ହାମଲେଟ ପ୍ରୋଗ୍ରାମ ଜନ୍ମ ନେଲା । ଉଭୟ କେନେଡ଼ି ଓ ଙ୍ଗୋ ଡିନ ଡିଏମ ଏହାକୁ ସ୍ୱୀକୃତି ଦେବାରୁ ୧୯୬୨ରେ ଏହା କାର୍ଯ୍ୟକାରୀ ହେଲା । ଏହା ଅନ୍ତର୍ଗତ ଗ୍ରାମ ଗୁଡ଼ିକର ଜନବସତିକୁ ବିସ୍ଥାପିତ କରାଯାଇ ନୂଆ ବସତିରେ ଏଠାକାର ଚାଷୀ ମୂଲିଆ ମାନଙ୍କୁ କମ୍ୟୁନିଷ୍ଟ ପ୍ରଭାବରୁ ଦୂରେଇ ରଖିବାକୁ ଉଦ୍ୟମ କରା ଯାଇଥିଲା । ଆଶା କରାଯାଇଥିଲା ଯେ ଏହାଦ୍ୱାରା ଲୋକଙ୍କୁ ଅଧିକ ସୁରକ୍ଷା ମିଳିବା ସହ କେନ୍ଦ୍ର ସରକାର ସହ ସମ୍ପର୍କ ଦୃଢ଼ ହେବ । ନଭେମ୍ବର ୧୯୬୩ ସୁଦ୍ଧା ଏହି ଯୋଜନା ଧୀମେଇ ଯାଇଥିଲା ଓ ଆଧିକାରିକ ଭାବେ ୧୯୬୪ରେ ଅନ୍ତ କରିଦିଆଗଲା ।

୧୯୬୨ରେ କେନେଡ଼ି "National Security Action Memorandum – Subversive Insurgency (War of Liberation)" ନାମକ ଚିଠାରେ ସ୍ୱାକ୍ଷର କରି ଭିଏତନାମରେ ପୂର୍ଣ୍ଣ ଭାବେ ଲିପ୍ତ ହେବା ଲାଗି ସ୍ୱୀକୃତି ଦେଲେ । ଗୃହ ସଚିବ ଡିନ ରସ୍କ ଖୋଲାଖୋଲି ଭାବେ ଆମେରିକାର ଲିପ୍ତତା ପ୍ରକାଶ କଲେ । "Operation Ranch Hand" ନାମରେ ଦକ୍ଷିଣ ଭିଏତନାମର ରାସ୍ତା କଡ଼ରେ ବ୍ୟାପକ ସ୍ତରରେ ଜଙ୍ଗଲ ସଫା କରିବା ଉଦ୍ୟମ ଆରମ୍ଭ ହେଲା ।

ଏପ୍ରିଲ ୧୯୬୩ରେ କେନେଡ଼ି ଭିଏତନାମ ଅବସ୍ଥାର ଅବଲୋକନ କରି କହିଥିଲେ "ଭିଏତନାମରେ ରହିବାର ଆମର କୌଣସି ଇଚ୍ଛା ନାହିଁ । ସେଠାର ଲୋକେ ଆମକୁ ଘୃଣା କରନ୍ତି । ମ‍ଉକା ପାଇବା ମାତ୍ରେ ସେମାନେ ଆମକୁ ସେଠାରୁ ତଡ଼ି ଦେବାରେ ପଶ୍ଚାତ୍‌ପଦ ହେବେ ନାହିଁ । କିନ୍ତୁ ସେ ଅଞ୍ଚଳଟାକୁ ମୁଁ ଏତେ ସହଜେ କମ୍ୟୁନିଷ୍ଟ ମାନଙ୍କ ହାତକୁ ଟେକି ଦେଇ ଆଉ ତ ଆଶା କରିପାରିବିନି ଯେ ଆମେରିକୀୟ ମାନେ ମୋତେ ପୁଣି ଥରେ ରାଷ୍ଟ୍ରପତି ନିର୍ବାଚିତ କରିବେ ।" ଭିଏତନାମରେ ସଙ୍କଟ କ୍ରମଶଃ ଜୁଲାଇ ଆଡ଼କୁ ଘନୀଭୂତ ହେଲା । ଆମେରିକାର ଅଧିକାଧିକ ସମର୍ଥନ ସତ୍ତ୍ୱେ ଦକ୍ଷିଣ ଭିଏତନାମ ସେନା, କମ୍ୟୁନିଷ୍ଟ ସମର୍ଥିତ ଭିଏଟ୍ କଙ୍ଗ ସେନାଠାରୁ ମାତ୍ର ପାଦେ ଆଗରେ ଥିଲା ।

ଅଗଷ୍ଟ ୨୧ରେ ନୂଆ ଆମେରିକୀୟ ରାଜଦୂତ ହେନେରୀ କାବଟ ଲଜ୍ ଜୁନିଅରଙ୍କ ଆଗମନ ସମୟରେ ଡିଏମ ଓ ତାଙ୍କ ଭାଇ ଙ୍ଗୋ ଡିନ ନ୍‌ହୁ CIA ପ୍ରଶିକ୍ଷିତ ସେନାବାହିନୀକୁ ବୌଦ୍ଧ ମାନଙ୍କ ପ୍ରଦର୍ଶନକୁ ଦମନ କରିବାକୁ ଆଦେଶ ଦେଲେ । ଏହି ଘଟଣା ପରେ ଆଶା କରାଯାଇଥିଲା ଯେ ବିପ୍ଳବ ହୋ‍ଇ ଡିଏମଙ୍କ ବଦଳରେ ନ୍‌ହୁ ଗାଦି ଦଖଲ କରିବେ । ପ୍ରକୃତରେ ଲଜ ଆଦେଶାନୁସାରେ ଉଭୟ ଡିଏମ ଓ ନ୍‌ହୁଙ୍କୁ ଦେଶ ଛାଡ଼ି ପଳାୟନ କରିବାକୁ ପରାମର୍ଶ ଦେଇଥିଲେ କିନ୍ତୁ ଏହାକୁ ଡିଏମ ଅଣଦେଖା କଲେ ।

Cable 243 (DEPTEL 243), ତାରିଖ ୨୪ ଅଗଷ୍ଟ ଅନୁସାରେ ଜଣାଇ ଦିଆଗଲା ଯେ ଆମେରିକା ଆଉ ନ୍‌ହୁଙ୍କ କାର୍ଯ୍ୟକଳାପକୁ ବରଦାସ୍ତ କରିବ ନାହିଁ । ଲଜ୍ଙ୍କୁ କୁହାଗଲା ଯେ ସେ ନ୍‌ହୁଙ୍କୁ ନିଜ ପଦତ୍ୟାଗ କରି ଦେଶ ଛାଡ଼ିବାକୁ ଡିଏମଙ୍କ ଉପରେ ଚାପ ପକାନ୍ତୁ । ଡିଏମ ମନା କରିବା ପରିସ୍ଥିତିରେ ଆମେରିକୀୟ ମାନେ ନୂଆ ନେତା ଯୋଗାଡ଼ କରିବାର ଥିଲା । ଲଜ୍ଙ୍କ ଅନୁସାରେ ଏକମାତ୍ର ଉପାୟ ଥିଲା ଦକ୍ଷିଣ ଭିଏତନାମ ସେନାଧ୍ୟକ୍ଷ ମାନଙ୍କ ମାଧ୍ୟମରେ ଡିଏମ ଓ ନ୍‌ହୁଙ୍କୁ ଗାଦିଚ୍ୟୁତ କରାଯିବ ।

ସପ୍ତାହ ଶେଷ ଆଡ଼କୁ ଲଜ୍ଙ୍କ ଠାରୁ ଖବର ମିଳିଲା ଯେ ନ୍‌ହୁଙ୍କ ପଛେ ଥିବା ଫ୍ରାନ୍ସର ସମର୍ଥନରେ ଡିଏମ ସରକାର କମ୍ୟୁନିଷ୍ଟ ମାନଙ୍କ ସହ ଗୋପନରେ ହାତ ମିଶାଇଥାଇ ପାରେ ଓ ଖୁବ ଶୀଘ୍ର ଆମେରିକୀୟ ମାନଙ୍କୁ ଭିଏତନାମ ଛାଡ଼ିବା ଲାଗି ଆଦେଶ ଦେଇ ପାରେ । ଏଇ ପରିସ୍ଥିତିରେ ସାଇଗନ ଓ ୱାଶିଂଟନକୁ ବାର୍ତ୍ତା ପଠାହେଲା ଯେ ଗାଦିବଦଳ ସମ୍ବନ୍ଧୀୟ ସବୁ ଚିଠି ନଷ୍ଟ କରାଯାଉ । ଏହିସମୟରେ ପ୍ରଥମ କରି ଔପଚାରିକ ରୂପେ ଭିଏତନାମ ଯୁଦ୍ଧ ବିରୋଧୀ ବକ୍ତବ୍ୟ ଏକ ଧର୍ମଗୁରୁ ମାନଙ୍କ ଗୋଷ୍ଠୀ ତରଫରୁ ପ୍ରକାଶ ପାଇଥିଲା ।

ସେପ୍ଟେମ୍ବରରେ ଏକ ହ୍ୱାଇଟ ହାଉସ ବୈଠକରେ ବ୍ୟକ୍ତିଗତ ଭାବେ ଅବସ୍ଥା ପରିଦର୍ଶନ ପରେ ରାଷ୍ଟ୍ରପତିଙ୍କୁ ଏ ନେଇ ପ୍ରତିରକ୍ଷା ବିଭାଗ ତରଫରୁ ଜେନେରାଲ ଭିକ୍ଟର କ୍ରୁଲାକ ଓ ଗୃହ ବିଭାଗ ତରଫରୁ ଜୋସେଫ ମେଣ୍ଡେନହାଲ ସୂଚନା ଦେଇଥିଲେ । ଉଭୟଙ୍କ ସୂଚନା ଠିକ୍ ଆକାଶ ପାତାଳ ତଫାତ୍ ଥିଲା । କ୍ରୁଲାକ ଜଣାଇଲେ ଯେ କମ୍ୟୁନିଷ୍ଟ ବିରୋଧୀ ଯୁଦ୍ଧ ଚାଲିଛି ଓ ବିଜୟ ଅବଶ୍ୟମ୍ଭାବୀ ଏଣେ ମେଣ୍ଡେନହାଲ ସୂଚାଇଲେ ଯେ ଜନତାଙ୍କ ଭିତରେ ଆମେରିକାର ପ୍ରଭାବ ଦିନକୁ ଦିନ ହ୍ରାସ ପାଉଛି । କେନେଡ଼ି ପଚାରି "ତମେ ଦୁଇ ଭଦ୍ରବ୍ୟକ୍ତି ସମାନ ଦେଶ ପରିଦର୍ଶନରେ ଯାଇଥିଲ ତ!" ସେତେବେଳେ ସେ ଜାଣିନଥିଲେରେ କ୍ରୁଲାକ ଓ ମେଣ୍ଡେନହାଲଙ୍କ ମଧ୍ୟରେ ଅହି ନକୁଳ ସମ୍ପର୍କ ଓ ଫେରନ୍ତ ବିମାନ ଯାତ୍ରାରେ ଦୁହେଁ ପଦେ ହେଲେ କଥା ହୋ‍ଇନଥିଲେ ।

ଅକ୍ଟୋବର ୧୯୬୩ରେ ରାଷ୍ଟ୍ରପତି ନିଜ ପ୍ରତିରକ୍ଷା ସଚିବ ମ୍ୟାକ୍‌ନାମାରା ଓ ଜେନେରାଲ ମ୍ୟାକ୍ସୱେଲ ଡ଼ି ଟେଲରଙ୍କୁ ଭିଏତନାମରୁ ସଠିକ ତଥ୍ୟ ପ୍ରାପ୍ତି ଓ ନୀତି ନିର୍ଦ୍ଧାରଣ ଲାଗି ପଠାଇଲେ । ଏହି ଉଦ୍ୟମ ପଛେ ଆଶା ଥିଲା ଭିନ୍ନ ଭିନ୍ନ ଆମେରିକୀୟ ସୂତ୍ରରୁ ମିଳୁଥିବା ତଥ୍ୟର ସଠିକତା ପରୀକ୍ଷଣ । ମ୍ୟାକ୍‌ନାମାରା, ଟେଲର ଓ ଲଜ୍ଙ୍କ ସହ ଅନୁଷ୍ଠିତ ବୈଠକରେ ଡିଏମ ପୁନର୍ବାର ଶାସନରେ ପରିବର୍ତ୍ତନ ଲାଗି ଆମେରିକୀୟ ପରାମର୍ଶକୁ ପ୍ରତ୍ୟାଖ୍ୟାନ କଲେ । ଏଇଠୁ ଡିଏମଙ୍କ ଉପରେ ମ୍ୟାକ୍‌ନାମାରାଙ୍କ ଯାହା କିଛି ଭରଷା ଥିଲା ତାହା ମଧ୍ୟ ତୁଟି ଗଲା ।

ଟେଲର ଓ ମ୍ୟାକ୍‌ନାମାରା ଭିଏତନାମର ଉପ-ରାଷ୍ଟ୍ରପତି ଙ୍ଗୁୟେନ ଙ୍ଗୋକ ଥୋ (ଯିଏକି ଡିଏମଙ୍କ ଗାଦିଚ୍ୟୁତ ହେବା ଅବସ୍ଥାରେ ଶାସନ ଭାର ସମ୍ଭାଳିବା ଲାଗି ସର୍ବାଗ୍ର ପ୍ରାର୍ଥୀ ଥିଲେ) ଠାରୁ ଅତି ଜରୁରୀ ତଥ୍ୟ ପାଇଲେ । ଟେଲରଙ୍କୁ ମିଳିଥିବା ଭୁଲ ତଥ୍ୟ ସେନାବାହିନୀ ଯେ ଦେଶର ଆଭ୍ୟନ୍ତର ଗ୍ରାମାଞ୍ଚଳରେ ଜିତୁଛି ତାହାର ସେ ଖଣ୍ଡନ କରିଥିଲେ । କେନେଡ଼ିଙ୍କ ଅନୁରୋଧାନୁସାରେ ଆମେରିକୀୟ ସେନା ପ୍ରତ୍ୟାହାର କରିବା ଲାଗି ଉପଯୁକ୍ତ ସମୟ ଓ ବିଧି ମଧ୍ୟ ଏହି ମିଶନ ରିପୋର୍ଟରେ ରହିଥିଲା: ବର୍ଷ ଶେଷ ସୁଦ୍ଧା ୧୦୦୦ ଓ ୧୯୬୫ ସୁଦ୍ଧା ପୂର୍ଣ୍ଣ ସାମରିକ ପ୍ରତ୍ୟାହାର (ଯାହାକି NSC ମତରେ ଏକ ଦିବାସ୍ୱପ୍ନ ପରି ଥିଲା) । ଶେଷ ରିପୋର୍ଟରେ ଲେଖା ଥିଲା ଯେ ସେନା ଆଗକୁ ଅଗ୍ରସର ହେଉଛି, ଡିଏମ ସରକାର ଲୋକପ୍ରିୟତା ହରାଇଥିଲେ ହେଁ ବିପ୍ଳବର ଆଶଙ୍କା ନାହିଁ କିନ୍ତୁ ଡିଏମ ବା ନ୍‌ହୁଙ୍କୁ ହତ୍ୟା କରାଯିବାର ସମ୍ଭାବନା ରହିଛି ।

ଅକ୍ଟୋବର ଶେଷ ଆଡ଼କୁ ଗୋ‍ଇନ୍ଦା ସୂତ୍ରରୁ ପୁଣି ଖବର ମିଳିଲା ଯେ ଡିଏମ ସରକାର ବିରୋଧରେ ଆଉ ଥରେ ବିପ୍ଳବର ଯୋଜନା ଚାଲିଛି । ଖବରର ସୂତ୍ର ଜେନେରାଲ ଡୁଓଙ୍ଗ ଭାନ ମିନ (ବିଗ୍ ମିନ) ଏ ନେଇ ଆମେରିକାର ମତାମତ ଲୋଡ଼ିଲେ । କେନେଡ଼ି, ଲଜ୍ଙ୍କୁ ଏହି ବିପ୍ଳବ ଲାଗି ସବୁ ଗୁପ୍ତ ସହାୟତା (ଡିଏମଙ୍କ ହତ୍ୟା ଛଡ଼ା) ଯୋଗାଇଦେବାକୁ ନିର୍ଦ୍ଦେଶ ଦେଲେ, କିନ୍ତୁ ଏପରିଭାବେ ଯେପରି ଆମେରିକା ନାଁ ଏଥିରେ ନ ଉଠେ । ମାସ ଶେଷ ଆଡ଼କୁ ବିପ୍ଳବ ଆସନ୍ନ ହେବାରୁ ସବୁ କିଛି ନିଜ ନିୟନ୍ତ୍ରଣରେ ରଖିବା ଲାଗି ସବୁ ବାର୍ତ୍ତା କେନେଡ଼ିଙ୍କ ମାଧ୍ୟମରେ ଗଲା । ଅର୍ଥାତ ସବୁ ନିୟନ୍ତ୍ରଣର ଖିଅ କେନେଡ଼ିଙ୍କ ହାତରେ ରହିଲା କିନ୍ତୁ ଉତ୍ତରଦାୟିତ୍ୱ ରହିଲା ନାହିଁ ।

୧ ନଭେମ୍ବର ୧୯୬୩ରେ ଦକ୍ଷିଣ ଭିଏତନାମ ସେନାଧ୍ୟକ୍ଷ ମାନେ ବିଗ୍ ମିନଙ୍କ ନେତୃତ୍ୱରେ ଡିଏମ ସରକାରକୁ ଗାଦିଚ୍ୟୁତ କରି ଡିଏମ ଓ ନ୍‌ହୁଙ୍କୁ ଗିରଫ କଲେ ଓ ପରେ ହତ୍ୟା କଲେ । ଏ ହତ୍ୟା ନେଇ କେନେଡ଼ି ଚକିତ ହୋ‍ଇଥିଲେ । ପରେ ସେ ଜାଣିବାକୁ ପାଇଲେ ଯେ ମିନ ବାସ୍ତବରେ CIAର ଜନୈକ ଅଧିକାରୀଙ୍କୁ ଡିଏମ ଓ ନ୍‌ହୁଙ୍କୁ ଦେଶରୁ ସୁରକ୍ଷିତ ଭାବେ ବାହାର କରିବା ଲାଗି କହିଥିଲେ, କିନ୍ତୁ ବିମାନ ଯୋଗାଡ଼ ଲାଗି ୨୪ ଘଣ୍ଟା ଆବଶ୍ୟକ କୁହାଯିବାରୁ ମିନ କହିଥିଲେ ଯେ ସେ ସେମାନଙ୍କୁ ଏତେ ଡେରି କଏଦରେ ରଖି ପାରିବେ ନାହିଁ ।

ଏହି ବିପ୍ଳବକୁ ନେଇ ପ୍ରଥମେ ପ୍ରଥମେ ଉଭୟ ଆମେରିକା ଓ ଦକ୍ଷିଣ ଭିଏତନାମରେ ବେଶ୍ ଉତ୍ସାହ ଦେଖାଗଲା ଯେ ଯୁଦ୍ଧ ବିଜୟର ତଥାପି କିଛି ଆଶା ରହିଛି । ମ୍ୟାକ୍‌ଜର୍ଜ ବଣ୍ଡି ଡାଲାସ୍ରୁ କେନେଡ଼ିଙ୍କ ପ୍ରତ୍ୟାବର୍ତ୍ତନ ପରେ ତାଙ୍କୁ ପ୍ରଦାନ କରିବା ଲାଗି ଏକ ଜାତୀୟ ସୁରକ୍ଷା ଅଭିଯୋଜନ ମେମୋ ପ୍ରସ୍ତୁତ କରିଥିଲେ । ଡାଲାସ୍ ଯିବା ପୂର୍ବରୁ କେନେଡ଼ି ମାଇକେଲ ଫରେଷ୍ଟାଲଙ୍କୁ କହିଥିଲେ ଯେ ସେ ପ୍ରଥମ ବର୍ଷ ପରେ ସବୁ ସମ୍ଭବ ପରିସ୍ଥିତି (ପ୍ରତ୍ୟାହାର ସହ)ର ଟିକିନିଖି ନିରୀକ୍ଷା ଚାହାନ୍ତି । ଏହା ବିଷୟରେ ଫରେଷ୍ଟାଲଙ୍କ ମତ ଲୋଡ଼ା ଯିବାରୁ ସେ କହିଥିଲେ ଏଇଟା ପୁରା ଛିଦ୍ରାନ୍ୱେଷୀ କାର୍ଯ୍ୟକଳାପ ।

କେନେଡ଼ି ବଞ୍ଚିଥିଲେ ଓ ୧୯୬୪ରେ ପୁନଃ ନିର୍ବାଚିତ ହୋ‍ଇଥିଲେ ଭିଏତନାମ ଅବସ୍ଥା ଅଧିକ ଗୁରୁତର ହୋ‍ଇଥାନ୍ତା କି ନୁହଁ ଏ ନେଇ ଇତିହାସକାରଙ୍କ ମଧ୍ୟରେ ମତଭେଦ ରହିଛି । "The Fog of War" ଚଳଚ୍ଚିତ୍ରରେ ପ୍ରତିରକ୍ଷା ସଚିବ ମ୍ୟାକ୍‌ନାମାରା ମତବ୍ୟକ୍ତ କରିଥିଲେ ଯେ ୧୯୬୪ ନିର୍ବାଚନ ପରେ ଭିଏତନାମରୁ ସାମରିକ ପ୍ରତ୍ୟାହାର କଥା କେନେଡ଼ି ଚିନ୍ତା କରୁଥିଲେ । ଫିଲ୍ମ ଟିରେ ଲିଣ୍ଡନ ଜନସନଙ୍କ ଗୋଟେ ଟେପ ରେକର୍ଡ଼ ମଧ୍ୟ ରହିଛି ଯେଉଁଥିରେ ସେ କହିଥିଲେ ଯେ କେନେଡ଼ି ପ୍ରତ୍ୟାହାର ବିଷୟ ଭାବିଥିଲେ ଓ ଲିଣ୍ଡନ ସ୍ୱୟଂ ଏହାର ବିରୋଧୀ ଥିଲେ । କେନେଡ଼ି ୧୧ ଅକ୍ଟୋବରରେ ଜାତୀୟ ସୁରକ୍ଷା ଅଭିଯୋଜନ ମେମୋରାଣ୍ଡମ ୨୬୩ (NSAM 263)ରେ ସ୍ୱାକ୍ଷର କରିଥିଲେ ଯାହା ଅନୁସାରେ ବର୍ଷ ଶେଷ ସୁଦ୍ଧା ୧୦୦୦ ସୈନ୍ୟ ପ୍ରତ୍ୟାହାରର ଯୋଜନା ଥିଲା । ଏପରି କରିବା କେନେଡ଼ିଙ୍କ ପୂର୍ବ ନୀତିର ବିପକ୍ଷରେ ଯାଇଥାନ୍ତା କିନ୍ତୁ ୧୦ ଜୁନ ୧୯୬୩ରେ ସେ ଆମେରିକାନ ବିଶ୍ୱବିଦ୍ୟାଳୟରେ ବିଶ୍ୱ ଶାନ୍ତି ଉପରେ ଦେଇଥିବା ପ୍ରଖ୍ୟାତ ଭାଷଣ ପରଠାରୁ ତାଙ୍କଠି କିଛିଟା ଉଦାରପନ୍ଥୀ ମନୋଭାବ ଆସିଥିଲା ।

୧୯୬୪ରେ ଯେବେ ରବର୍ଟ କେନେଡ଼ିଙ୍କୁ ପଚରାଗଲା ଯେ ଯଦି ଦକ୍ଷିଣ ଭିଏତନାମ ପରାଜୟ ସୀମାରେ ପହଞ୍ଚିଥାନ୍ତା ତାହେଲେ ତାଙ୍କ ଭାଇ ଜୀବିତ ଥିଲେ ଏ ବିଷୟରେ କଣ କରିଥାନ୍ତେ । ରବର୍ଟ ଉତ୍ତର ଦେଲେ "ସେପରି ଚରମ ଅବସ୍ଥାର ସମ୍ମୁଖୀନ ହେଲେ ହିଁ ତାହା ଆମେ ସ୍ଥିର କରିବୁ ।" କେନେଡ଼ିଙ୍କ ମୃତ୍ୟୁ ସମୟରେ ଭିଏତନାମକୁ ନେଇ କୌଣସି ଅନ୍ତିମ ନୀତି ନିର୍ଦ୍ଧାରଣ ହୋ‍ଇ ନଥିଲା । ସେଠାରେ ଆମେରିକୀୟ ଅଂଶଗ୍ରହଣ ଧୀରେ ଧୀରେ ବଢ଼ିଲା ଓ ଶେଷରେ କେନେଡ଼ିଙ୍କ ଉତ୍ତରାଧିକାରୀ ଲିଣ୍ଡନ ଜନସନ ସିଧା ନିୟମିତ ସେନାବାହିନୀ ପ୍ରେରଣ କଲେ ଓ ଭିଏତନାମ ଯୁଦ୍ଧର ଅସଲ ଆରମ୍ଭ ହେଲା । କେନେଡ଼ିଙ୍କ ହତ୍ୟା ପରେ ୨୬ ନଭେମ୍ବରରେ ରାଷ୍ଟ୍ରପତି ଜନସନ NSAM 273 ସ୍ୱାକ୍ଷର କରି କେନେଡ଼ିଙ୍କ ୧୦୦୦ ସୈନ୍ୟ ପ୍ରତ୍ୟାହାର ନିଷ୍ପତ୍ତିକୁ ରଦ୍ଦ କରିବା ସହ ଦକ୍ଷିଣ ଭିଏତନାମକୁ କ୍ରମାଗତ ସହଯୋଗ ଯୋଗାଇଦେବାକୁ ସ୍ଥିର କଲେ ।

ଆମେରିକାନ ବିଶ୍ୱବିଦ୍ୟାଳୟ ଭାଷଣ[ସମ୍ପାଦନା]

୧୦ ଜୁନ ୧୯୬୩ରେ ନିଜ ନିଜ କ୍ୟାରିୟରର ଶିଖରରେ କେନେଡ଼ି ୱାଶିଂଟନ ଡି.ସି.ର ଆମେରିକାନ ବିଶ୍ୱବିଦ୍ୟାଳୟର ଦୀକ୍ଷାନ୍ତ ସମାରୋହ ଅଭିଭାଷଣ (commencement address)ରେ "ଶାନ୍ତିର ରଣନୀତି" ନାମରେ ଯେଉଁ ଭାଷଣଟି ଦେଇଥିଲେ ତାହା ବେଶ ପ୍ରସିଦ୍ଧ ହୋ‍ଇଥିଲା । ଏଥିରେ ସେ ଆଣବିକ ଅସ୍ତ୍ରଶସ୍ତ୍ର ନଷ୍ଟ କରିବା ଲାଗି ଏକ ବ୍ୟାବହାରିକ ଯୋଜନାର ରୂପରେଖ ଦେବା ସହ ବିଶ୍ୱ ଶାନ୍ତି ଲାଗି ଏକ ଆଶାପୂର୍ଣ୍ଣ କିନ୍ତୁ ବାସ୍ତବବାଦୀ ପନ୍ଥା ଉପରେ ମନ୍ଥନ କରିଥିଲେ, ଉଲ୍ଲେଖନୀୟ ଯେ ଏହି ସମୟରେ ଆମେରିକା ଓ ସୋଭିଏତ ଋଷିଆ ମଧ୍ୟରେ ଏତେ ତିକ୍ତତା ଥିଲା ଯେ ଆଣବିକ ଯୁଦ୍ଧ ଆସନ୍ନ ପ୍ରାୟ ଲାଗୁଥିଲା ଓ ଶାନ୍ତିର କଳନା ହିଁ ଅସମ୍ଭବ ପ୍ରାୟ ଥିଲା । ତାଙ୍କ ଭାଷାରେ "ମୁଁ ଏପରି ବିଷୟ ଏଠି ଉପସ୍ଥାପନ କରିବାକୁ ଚାହୁଁଛି ଯାହା ବିଷୟରେ ପ୍ରାୟ ଲୋକ ଅବଜ୍ଞ ଓ ଖୁବ କମ ହିଁ କଣ ସତ୍ୟ ତାହା ଜାଣିପାରନ୍ତି -- କିନ୍ତୁ ଏହା ହେଉଛି ଦୁନିଆର ସବୁଠୁ ଜରୁରୀ ବିଷୟ: ବିଶ୍ୱ ଶାନ୍ତି ... ମୁଁ ଆଜି ଶାନ୍ତିର କଥା କହୁଛି କାରଣ ଆମେ ଆଜି ଯୁଦ୍ଧର ଏକ ନୂଆ ରୂପ ଦେଖୁଛେ ... ଏପରି ଯୁଗରେ ଯେଉଁଠି କେବଳ ଗୋଟିଏ ଆଣବିକ ଅସ୍ତ୍ରରେ ଏତେ ବିଧ୍ୱଂସକାରୀ ଶକ୍ତି ରହିଛି ଯେ ତାହା ଦ୍ୱିତୀୟ ବିଶ୍ୱଯୁଦ୍ଧରେ ମିତ୍ରଶକ୍ତି ମାନେ ପ୍ରଯୁକ୍ତ କରିଥିବା ସମସ୍ତ ଶକ୍ତିର ଦଶ ଗୁଣ ... ଏପରି ଯୁଗରେ ଯେ ଗୋଟିଏ ଆଣବିକ ଅସ୍ତ୍ର ପ୍ରୟୋଗରୁ ଉତ୍ପନ୍ନ ବିଷାକ୍ତ ପଦାର୍ଥ ପାଣି, ପବନ ଓ ମାଟି ଦେଇ ପୃଥିବୀ କୋଣ କୋଣ ଯାଏଁ, ଆମର ପରବର୍ତ୍ତୀ ପିଢ଼ୀ ମାନଙ୍କ ଯାଏଁ ବ୍ୟାପିଯିବ ... ଠିକ ଆମ ସାହି ପଡ଼ିଶାରେ ଶାନ୍ତି ପରି ବିଶ୍ୱ ଶାନ୍ତି ଲାଗି ଆବଶ୍ୟକ ନୁହଁ ଯେ ପ୍ରତି ବ୍ୟକ୍ତି ନିଜ ପଡ଼ୋଶୀକୁ ଭଲ ପାଉ -- ଏଥିଲାଗି କେବଳ ପରସ୍ପର ସହିଷ୍ଣୁତାର ହିଁ ଆବଶ୍ୟକତା ରହିଛି ... ଆମ ସମସ୍ୟା ଗୁଡ଼ିକ କୃତ୍ରିମ, ମନୁଷ୍ୟକୃତ--ଏଣୁ ମଣିଷ ହିଁ ସେଗୁଡ଼ିକର ସମାଧାନ କରିପାରିବ । ଆଉ ମଣିଷର ବଡ଼ପଣିଆର କୌଣସି ସୀମା ନାହିଁ ।" ତା ଛଡ଼ା ରାଷ୍ଟ୍ରପତି ଦୁଇଟି ଘୋଷଣା ମଧ୍ୟ କରିଥିଲେ - ଯେ ସୋଭିଏତ ମାନେ ଆଣବିକ ପରୀକ୍ଷଣ ନିଷେଧ ଚୁକ୍ତି କରିବା ଲାଗି ଇଚ୍ଛା ପ୍ରକାଶ କରିଛନ୍ତି ଓ ଆମେରିକା ତରଫରୁ ବାୟୁମଣ୍ଡଳୀୟ ପରୀକ୍ଷାକୁ ସ୍ଥଗିତ କରାଯାଇଛି ।

ପଶ୍ଚିମ ବର୍ଲିନ ଭାଷଣ[ସମ୍ପାଦନା]

୧୯୬୩ରେ ଜର୍ମାନୀ ସୁରକ୍ଷା ସ୍ତରରେ ଦୁର୍ବଳ ହୋ‍ଇପଡ଼ିଥିଲା । ପୂର୍ବ ଆଡ଼ୁ ସୋଭିଏତ ମାନଙ୍କ ଆକ୍ରମଣ ଆଉ ଏହି ସମୟକୁ ଆସନ୍ନ ପଶ୍ଚିମ ଜର୍ମାନୀ ଚାନ୍ସେଲର ଆଡ଼େନାଉରଙ୍କ ଅବସର ନିକଟବର୍ତ୍ତୀ । ଏପରି ଘଡ଼ିସନ୍ଧି ସମୟରେ ଫରାସୀ ରାଷ୍ଟ୍ରପତି ଚାର୍ଲ୍ସ ଡି ଗଲ ସେ ଅଞ୍ଚଳରେ ଥିବା ପ୍ରତିଦ୍ୱନ୍ଦୀ ଆମେରିକୀୟ ଓ ସୋଭିଏତ ଶକ୍ତିର ପ୍ରଭାବର ପ୍ରତ୍ୟୁତ୍ତରରେ ଏକ ଫରାସୀ-ପଶ୍ଚିମ ଜର୍ମାନୀ ଗଠବନ୍ଧନ ସୃଷ୍ଟି କରିବାକୁ ଉଦ୍ୟମ କରୁଥିଲେ । ତେବେ କେନେଡ଼ି ଏହି ଫରାସୀ-ଜର୍ମାନୀ ସହଭାଗିତା, ଇଉରୋପରେ ନାଟୋର ପ୍ରଭାବକୁ କ୍ଷୁଣ୍ଣ କରିବ ବୋଲି ଆଶଙ୍କା କରିଥିଲେ ।

୨୬ ଜୁନରେ ରାଷ୍ଟ୍ରପତି କେନେଡ଼ି ପଶ୍ଚିମ ବର୍ଲିନରେ ଜର୍ମାନୀ ପ୍ରତି ଆମେରିକାର ପ୍ରତିବଦ୍ଧତାକୁ ଦୋହରାଇ ସାମ୍ୟବାଦର ସମାଲୋଚନା କରିଥିଲେ । ଏହି ସାର୍ବଜନିକ ଭାଷଣକୁ ଏକ ବିଶାଳ ଦର୍ଶକମଣ୍ଡଳୀ ଉତ୍କଣ୍ଠିତ ଭାବେ ସ୍ୱାଗତ କରିଥିଲେ ।

କେନେଡ଼ି, ବର୍ଲିନ ପ୍ରାଚୀରର ନିର୍ମାଣକୁ, ସାମ୍ୟବାଦର ବିଫଳତାର ଅନ୍ୟତମ ଉଦାହରଣ ରୂପେ ଉପସ୍ଥାପିତ କରି କହିଥିଲେ: "ସ୍ୱାଧୀନତାର ନିଜସ୍ୱ ସମସ୍ୟା ଗୁଡ଼ିଏ ରହିଛି, ଆଉ ଗଣତନ୍ତ୍ରରେ ଭୁଲଭଟକା ନାହିଁ ତା ନୁହଁ । କିନ୍ତୁ ଏପରି ପରିସ୍ଥିତି ଆଜି ଯାଏଁ ଉପୁଜି ନାହିଁ ଯେ ଆମେ ଆମ ଜନତାଙ୍କୁ ଆବଦ୍ଧ କରି ରଖିବା ଲାଗି, ତାଙ୍କୁ ପଳାୟନରୁ ରୋକିବା ଲାଗି ଗୋଟେ ବିଶାଳ ପ୍ରାଚୀର ନିର୍ମାଣ କରିବୁ ।" ତାଙ୍କର ଏହି ଭାଷଣ ସେଥିରେ ଥିବା ପ୍ରସିଦ୍ଧ ବାକ୍ୟ "Ich bin ein Berliner" (ମୁଁ ଜଣେ ବର୍ଲିନ ନଗରବାସୀ) ନାମରେ ବେଶ ଜଣାଶୁଣା । ଏହି ଭାଷଣ ଶୁଣିବା ଲଗି ପ୍ରାୟ ୧୦ ଲକ୍ଷ ଲୋକ ରାସ୍ତାକୁ ଓହ୍ଲାଇ ଆସିଥିଲେ । ସେ ପରେ ଟେଡ଼ ସୋରେନସନଙ୍କୁ କହିଥିଲେ "ଆମେ ବଞ୍ଚିଥିବା ଯାଏଁ ଆମେ ଏପରିଆଉ ଗୋଟେ ଦିନ କେବେ ଦେଖି ପାରିବୁ ନାହିଁ ।"

ଇସ୍ରାଏଲ[ସମ୍ପାଦନା]

୧୯୬୦ରେ କେନେଡ଼ି କହିଥିଲେ "ଇସ୍ରାଏଲ ତିଷ୍ଠି ରହିବ ଓ ସମୃଦ୍ଧ ମଧ୍ୟ ହେବ । ଏହା ଆଶାର ମାନସ ସନ୍ତାନ ଓ ବୀର ମାନଙ୍କ ଭୂମି । ବାଧାବିଘ୍ନ କେବେ ବି ଏହାକୁ ଭାଙ୍ଗିପାରିବ ନାହିଁ କିମ୍ବା ଅସଫଳତା ଏହାକୁ ନିରୁତ୍ସାହିତ କରିପାରିବ ନାହିଁ । ଇସ୍ରାଏଲ ସହ ଗଣତନ୍ତ୍ରର ଢାଲ ଓ ସ୍ୱାଧୀନତାର ତରବାରୀ ଅଛି ।"

ପରେ ରାଷ୍ଟ୍ରପତି ପଦବୀରେ ସ୍ଥାନିତ ହେବା ପରେ କେନେଡ଼ି ପ୍ରଥମ କରି ଇସ୍ରାଏଲ ସହ ସୁରକ୍ଷା କ୍ଷେତ୍ରରେ ସହଯୋଗିତା ଆରମ୍ଭ କଲେ । ଆମେରିକୀୟ-ଇସ୍ରାଏଲୀ ସାମରିକ ଗଠବନ୍ଧନରେ ପ୍ରତିଷ୍ଠାତା କେନେଡ଼ି (ଯାହାକି ପରବର୍ତ୍ତୀ ରାଷ୍ଟ୍ରପତି ମାନଙ୍କ ଅଧୀନରେ କ୍ରମାଗତ ଚାଲୁ ରହିଥିଲା) । ଆଇଜେନହାୱାର ଓ ଟ୍ରୁମ୍ୟାନ ସରକାର ଇସ୍ରାଏଲ ଉପରେ ଲଗାଇଥିବା ଅସ୍ତ୍ରଶସ୍ତ୍ର ରପ୍ତାନୀ ପ୍ରତିବନ୍ଧ ମଧ୍ୟ ସେ ଉଠାଇ ଦେଲେ । ଇସ୍ରାଏଲର ସୁରକ୍ଷାକୁ ଏକ ନୈତିକ ଓ ଜାତୀୟ ଦାୟିତ୍ୱ ଆଖ୍ୟା ଦେବା ସହ ସେ ଆମେରିକା ଓ ଇସ୍ରାଏଲ ମଧ୍ୟରେ ଏକ 'ସ୍ୱତନ୍ତ୍ର ସମ୍ପର୍କ' (ଗୋଲ୍ଡା ମେଇରଙ୍କୁ ସେ କହିଥିବା ମତେ)ର ସୂତ୍ରପାତ କରିଥିଲେ ।

୧୯୬୨ରେ ପ୍ରଥମ କରି କେନେଡ଼ି ଅଣଆଧିକାରିକ ଭାବେ ଇସ୍ରାଏଲକୁ ସୁରକ୍ଷା ପ୍ରତିଶ୍ରୁତି ସେଇଥିଲେ ଓ ୧୯୬୩ରେ ପ୍ରଥମ ଆମେରିକୀୟ ରାଷ୍ଟ୍ରପତି ଭାବେ ଇସ୍ରାଏଲକୁ ଅତ୍ୟାଧୁନିକ ଆମେରିକୀୟ ଅସ୍ତ୍ରଶସ୍ତ୍ର (MIM-23 Hawk) ବିକ୍ରୟ କରିବାର ଅନୁମତି ଦେଇଥିଲେ । ତା ଛଡ଼ା ଆନ୍ତର୍ଜାତିକ ସ୍ତରରେ ସେ ଇସ୍ରାଏଲକୁ କୂଟନୈତିକ ସମର୍ଥନ ଦେଇଥିଲେ ଯେଉଁଠି ଇସ୍ରାଏଲର ପଡ଼ୋଶୀ ଆରବ ରାଷ୍ଟ୍ର ସମୂହ ତାର ବିରୋଧ କରୁଥିଲେ, ଯଥା: ଜର୍ଡ଼ାନ ନଦୀରେ ଏହାର ଜଳ ପ୍ରକଳ୍ପ ।

ଏହି ନବନିର୍ମିତ ସାମରିକ ଗଠବନ୍ଧନ ଯୋଗୁଁ କେନେଡ଼ି ଓ ଇସ୍ରାଏଲ ସରକାରଙ୍କ ମଧ୍ୟରେ ଡିମୋନାଠାରେ ଆଣବିକ ପଦାର୍ଥର ପ୍ରକ୍ରିୟାକରଣ ନେଇ ମତଭେଦ ସୃଷ୍ଟି ହୋ‍ଇଥିଲା । କେନେଡ଼ି ଆଶଙ୍କା କରିଥିଲେ ଏହା ମଧ୍ୟପ୍ରାଚ୍ୟରେ ଆଣବିକ ଅସ୍ତ୍ରର ପ୍ରତିଯୋଗିତା ସୃଷ୍ଟି କରିବ । ପ୍ରଥମେ ତ ଇସ୍ରାଏଲ ସରକାର ସେଠି କୌଣସି ଆଣବିକ କେନ୍ଦ୍ର ନାହିଁ ବୋଲି ଦାବୀ କଲେ, ପରେ ୨୧ ଡିସେମ୍ବର ୧୯୬୦ରେ ନେସେଟ (ଇସ୍ରାଏଲ ସଂସଦ)ରେ ଡାଭିଡ଼ ବେନ-ଗୁରିୟନ କହିଲେ ଯେ ବୀରଶାବାରେ ଥିବା ଆଣବିକ କେନ୍ଦ୍ରର ଲକ୍ଷ୍ୟ ହେଉଛି "ଶୁଷ୍କ ଜଳବାୟୁ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ମରୁଭୂମି ଗଛଲତା ଓ ପ୍ରାଣୀଙ୍କ ଉପରେ ଗବେଷଣା" । ପରେ ଯେ ବେନ-ଗୁରିୟନଙ୍କ ନ୍ୟୁୟର୍କରେ କେନେଡ଼ିଙ୍କ ସହ ଦେଖା ହେଲା ସେ କହିଥିଲେ ଯେ ଡିମୋନାଠାରେ ଥିବା ଆଣବିକ କେନ୍ଦ୍ର, "ବର୍ତ୍ତମାନ ପାଇଁ" ବିଲବଣିକରଣ ଓ ଅନ୍ୟ ଶାନ୍ତିପୂର୍ଣ୍ଣ କାର୍ଯ୍ୟ ପାଇଁ ଶକ୍ତି ଉତ୍ପାଦନ ଲାଗି ନିର୍ମିତ ହେଉଛି ।

କେନେଡ଼ି ଇସ୍ରାଏଲର ଏପରି ଆଭିମୁଖ୍ୟ ନେଇ ସଂଶୟୀ ଥିଲେ, ମେ ୧୯୬୩ରେ ଲିଖିତ ଏକ ଚିଠିରେ ସେ ବେନ-ଗୁରିୟନଙ୍କୁ ଚେତାଇଥିଲେ ଯେ ଯଦି ଇସ୍ରାଏଲର ଆଣବିକ କାର୍ଯ୍ୟକ୍ରମ ସଠିକ ଓ ବିଶ୍ୱାସଯୋଗ୍ୟ ତଥ୍ୟ ନ ମିଳେ ତାହେଲେ ଆମେରିକୀୟ-ଇସ୍ରାଏଲୀ ଗଠବନ୍ଧନର ଭବିଷ୍ୟ ନାହିଁ । ଏଣେ ବେନ-ଗୁରିୟନ ବାରମ୍ବାର କେନେଡ଼ିଙ୍କୁ ଆଶ୍ୱାସନା ଦେଇଥିଲେ ଯେ ଡିମୋନାର ଆଣବିକ ପ୍ରକଳ୍ପର ଲକ୍ଷ୍ୟ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ । ନିଜର ଆଣବିକ କେନ୍ଦ୍ର ଗୁଡ଼ିକର ଆନ୍ତର୍ଜାତିକ ପରମାଣୁ ଶକ୍ତି ଅଭିକରଣ (IAEA) ଜାଞ୍ଚ କରାଇବା ଲାଗି ଆମେରିକୀୟ ଚାପକୁ ଇସ୍ରାଏଲ ସରକାର ବହୁ ଦିନ ଧରି ବିରୋଧ କରି ଆସୁଥିଲେ ହେଁ ଶେଷରେ ୧୯୬୨ରେ ଉଭୟ ସରକାରଙ୍କ ମଧ୍ୟରେ ସ୍ଥିର ହେଲା ଯେ ଇସ୍ରାଏଲର ଆଣବିକ କେନ୍ଦ୍ର ଗୁଡ଼ିକର ବାର୍ଷିକ ଜାଞ୍ଚ ହେବ । ତେଲ ଆଭିଭ ସ୍ଥିତ ଦୂତାବାସର ଜଣେ ବୈଜ୍ଞାନିକ ସହକାରୀ ପରେ ଅନୁମାନ କରିଥିଲେ ଯେ ଡିମୋନା ପ୍ରକଳ୍ପର କିଛି ଭାଗ ଆମେରିକୀୟ ବୈଜ୍ଞାନିକ ମାନଙ୍କୁ ଧୋକା ଦବା ଲାଗି ଅସ୍ଥାୟୀ ଭାବେ ବନ୍ଦ କରି ଦିଆ ଯାଇଥିଲା ।

ସେମୋର ହର୍ଷଙ୍କ ମତରେ ଇସ୍ରାଏଲୀ ମାନେ ଆମେରିକୀୟ ମାନଙ୍କୁ ଦେଖାଇବା ଲାଗି ନକଲି କଣ୍ଟ୍ରୋଲ ରୁମ ମାନ ତିଆରି କରିଥିଲେ । ଆବେ ଫାଇନବର୍ଗ କହିଥିଲେ ଯେ "ମୋ କାମ ଥିଲା ଯେ ମୁଁ ସେମାନଙ୍କୁ ଆଗୁଆ ଜଣାଇଦେବି କି କେନେଡ଼ି (ନିରୀକ୍ଷଣ ଲାଗି) ଚାପ ପକାଉଛନ୍ତି ।" ହର୍ଷ ପରେ ମତବ୍ୟକ୍ତ କରିଥିଲେ "ଏଇ ଜାଞ୍ଚ ପ୍ରଣାଳୀ ପୁରା ଆଗରୁ ଯୋଜନାବଦ୍ଧ ଥିଲା । କେନେଡ଼ି ଓ ତାଙ୍କ ମୁଖ୍ୟ ପରାମର୍ଶଦାତାଙ୍କୁ ପରୋକ୍ଷ ଭାବେ ଜଣାଇ ଦିଆ ଯାଇଥିଲା ଯେ ଏଇଟା କେବଳ ଘଣ୍ଟଘୋଡ଼ା ଛଡ଼ା ଆଉ କିଛି ନୁହଁ: ଆମେରିକୀୟ ଜାଞ୍ଚ ଦଳ ନିରୀକ୍ଷଣର ଯଥେଷ୍ଟ ଆଗରୁ ଏହା ଇସ୍ରାଏଲ ସରକାରକୁ ଜଣାଇବାକୁ ହେବ ବୋଲି ସର୍ତ୍ତ ଥିଲା । ମାର୍କ ଟ୍ରାଖ୍ଟେନବର୍ଗ ପରେ ଯୁକ୍ତି ବାଢ଼ିଥିଲେ: "ଇସ୍ରାଏଲୀ ମାନେ କଣ କରୁଛନ୍ତି ତାହା ଜାଣିବା ସୁଦ୍ଧା କେନେଡ଼ି ଏହି ଜାଞ୍ଚ ବ୍ୟବସ୍ଥାକୁ ଆମେରିକାର ପରମାଣୁ ଅପ୍ରସାର ନୀତି ପ୍ରତି ଇସ୍ରାଏଲର ସମର୍ଥନ ବୋଲି ଗ୍ରହଣ କରିଥିଲେ ।" ଏହି ଜାଞ୍ଚ ଦଳର ମୁଖିଆ ପରେ କହିଥିଲେ ଯେ ଏହି ପୁରା ଜାଞ୍ଚର ମୁଖ୍ୟ ଲକ୍ଷ୍ୟ ଥିଲା ଆଳୁ ଖୋଳୁ ଖୋଳୁ ମହାଦେବ ନ ବାହାରିବା ଅର୍ଥାତ ଡିମୋନାରୁ ଏପରି କିଛି ପ୍ରମାଣ ନ ମିଳୁ ଯାହା ଯୋଗୁଁ ଆମେରିକାକୁ ଇସ୍ରାଏଲ ବିପକ୍ଷରେ କିଛି କାର୍ଯ୍ୟାନୁଷ୍ଠାନ ନେବାକୁ ପଡ଼ୁ ।

ଗୃହ ବିଭାଗର ନିକଟ ପୂର୍ବ ଘଟଣା ଅଧିବିଭାଗର ଡାଇରେକ୍ଟର ରଜର ଡାଭିସ ମାର୍ଚ୍ଚ ୧୯୬୫ରେ ନିଷ୍କର୍ଶ କରିଥିଲେ ଯେ ଇସ୍ରାଏଲ ଆଣବିକ ଅସ୍ତ୍ର ପ୍ରସ୍ତୁତ କରୁଛି । ତାଙ୍କ ସୂଚନା ଅନୁସାରେ ୧୯୬୮-୬୯ ସୁଦ୍ଧା ଇସ୍ରାଏଲ ଆଣବିକ ଅସ୍ତ୍ର କ୍ଷମତା ହାସଲ କରିବ । ୧ ମେ ୧୯୬୮ରେ ଗୃହ ବିଭାଗ ଅଧିସଚିବ ନିକୋଲାସ କାଜେନବାଖ ରାଷ୍ଟ୍ରପତି ଜନସନଙ୍କୁ ଜଣାଇଥିଲେ ଯେ ଡିମୋନା ବର୍ଷକୁ ଦୁଇଟି ପରମାଣୁ ବୋମା ତିଆରି କରିବା ଲାଗି ଯଥେଷ୍ଟ ପ୍ଲୁଟୋନିୟମ ଉତ୍ପାଦନ କରୁଛି । ଗୃହ ବିଭାଗର ଯୁକ୍ତି ଥିଲା ଯେ ଯଦି ଇସ୍ରାଏଲକୁ ଆଣବିକ ଅସ୍ତ୍ର ଦରକାର ତେବେ ତାକୁ ନିଜ ଆଣବିକ କାର୍ଯ୍ୟକ୍ରମର ଆନ୍ତର୍ଜାତିକ ଜାଞ୍ଚ ଲାଗି ରାଜି ହେବା ଆବଶ୍ୟକ । କିନ୍ତୁ ଡିମୋନା କେବେ ବି IAEA ଜାଞ୍ଚ ଅଧୀନକୁ ଆସି ନଥିଲା । ୧୯୬୮ ଯାଏଁ ଆମେରିକୀୟ ଅସ୍ତ୍ରଶସ୍ତ୍ର ବଦଳରେ ପରମାଣୁ ଅପ୍ରସାର ସନ୍ଧି (NPT)ରେ ଇସ୍ରାଏଲର ସ୍ୱାକ୍ଷର ଲାଗି ଉଦ୍ୟମ ଜାରି ରହିଥିଲା ।

ଇରାକ[ସମ୍ପାଦନା]

୧୯୬୩ରେ କେନେଡ଼ି ପ୍ରଶାସନ, ଅବଦୁଲ କରିମ କାସିମଙ୍କ ନେତୃତ୍ୱାଧୀନ ଇରାକ ସରକାର ବିରୋଧରେ ବିପ୍ଳବ କରି ତାକୁ ହଟାଇବାକୁ ସମର୍ଥନ ଦେଇଥିଲା । କାସିମ ପାଞ୍ଚ ବର୍ଷ ପୂର୍ବେ ଆମେରିକା ସମର୍ଥିତ ଇରାକୀ ରାଜବଂଶକୁ ଗାଦିଚ୍ୟୁତ କରିଥିଲେ । ଏ ବାବଦରେ ଫେବ୍ରୁଆରୀ ୮, ୧୯୬୩ରେ କେନେଡ଼ିଙ୍କୁ ଗୋଟିଏ ମେମୋ ମଧ୍ୟ ମିଳିଥିଲା ଯେଉଁଥିରେ କୁହାଯାଇଥିଲା ଯେ ଆମେରିକୀୟ ଗୁଇନ୍ଦା ସଂସ୍ଥା CIA ପାଖେ ଏଥିଲାଗି ଉପଯୁକ୍ତ ଯୋଜନା ରହିଛି । ବାସ୍ତବରେ CIA ପୂର୍ବରୁ ମଧ୍ୟ କାସିମଙ୍କୁ ଗାଦିଚ୍ୟୁତ କରିବାର ଉଦ୍ୟମ କରି ବିଫଳସାର ହୋ‍ଇଥିଲା ।

ରାଷ୍ଟ୍ରପତି ଅବଦୁଲ ସଲାମ ଆରିଫଙ୍କ ନେତୃତ୍ୱରେ ନୂଆ ସରକାର ଗଢା ହେଲା ଯାହାକି ମୁଖ୍ୟତଃ ବା’ଆଥ୍ ଦଳ ଓ ଅନ୍ୟାନ୍ୟ ଗୌଣ ଦଳ (ନାସେରିଷ୍ଟ ଓ ଜାତୀୟତାବାଦୀ) ମାନଙ୍କୁ ନେଇ ସଙ୍ଗଠିତ ହୋ‍ଇଥିଲା । ଏହି ସରକାର CIAଦ୍ୱାରା ପ୍ରସ୍ତୁତ ଗୋଟେ ସନ୍ଦିଗ୍ଧ କମ୍ୟୁନିଷ୍ଟ ଓ ବାମପନ୍ଥୀ ମାନଙ୍କ ତାଲିକା ବ୍ୟବହାର କରି ବହୁସଂଖ୍ୟକ ଇରାକୀ ଉଚ୍ଚଶିକ୍ଷିତ ବୁଦ୍ଧିଜୀବି ମାନଙ୍କୁ ହତ୍ୟା କଲେ । ଏହା ପରେ କ୍ଷମତା ପାଇଁ ଆରିଫ ଓ ବା’ଆଥ୍ ଦଳର ପ୍ରଧାନମନ୍ତ୍ରୀ ଅହମଦ ହସନ ଅଲ୍ ବକର ମଧ୍ୟରେ କିଛି କାଳ ସଂଘର୍ଷ ହୋ‍ଇଥିଲା । ଏଥିରେ ଆରିଫ ବିଜୟୀ ହୋ‍ଇ ବା’ଆଥ୍ ଦଳକୁ କ୍ଷମତାରୁ ବିତାଡିତ କଲେ । ପୂର୍ବତନ CIA ଅଫିସର ଜେମ୍ସ କ୍ରିଚ୍‌ଫିଲ୍ଡଙ୍କ ଅନୁସାରେ ଯଦିଓ CIA ଏହି କ୍ଷମତା ପରିବର୍ତ୍ତନରେ କୌଣସି ସକ୍ରିୟ ଭୂମିକା ନେଇନଥିଲା ତଥାପି ଆନ୍ଦୋଳନର ପ୍ରାକ୍-ସୂଚନା ପାଇଥିଲା । କିନ୍ତୁ ଆରିଫ ଓ ଅହମଦଙ୍କ ମଧ୍ୟରେ ଯେଉଁ ଟଣା ଓଟରା ହେଲା ତାହା CIA ଆଶା କରି ନଥିଲା ।

  1. "John F. Kennedy Miscellaneous Information". John F. Kennedy Presidential Library & Museum. Retrieved February 22, 2012.