Jump to content

ଚାର୍ଲସ୍ ପିଅର୍ ବଦେଲିଅର

ଉଇକିପିଡ଼ିଆ‌ରୁ
(ଚାର୍ଲସ୍ ବଦେଲିଅରରୁ ଲେଉଟି ଆସିଛି)

ଚାର୍ଲସ୍ ପିଅର୍ ବଦେଲିଅର
ଏଟିଏନ୍ନେ ଚର୍ଯାତଙ୍କ (୧୮୬୩) ଚିତ୍ରିତ, "ଚାର୍ଲସ୍ ବଦେଲିଅର"
ଏଟିଏନ୍ନେ ଚର୍ଯାତଙ୍କ (୧୮୬୩) ଚିତ୍ରିତ, "ଚାର୍ଲସ୍ ବଦେଲିଅର"
ଜନ୍ମ ଓ ଜନ୍ମସ୍ଥାନଚାର୍ଲସ୍ ପିଅର୍ ବଦେଲିଅର
ଏପ୍ରିଲ ୯, ୧୮୨୧
ପ୍ୟାରିସ, ଫ୍ରାନ୍ସ
ମୃତ୍ୟୁ୩୧ ଅଗଷ୍ଟ ୧୮୬୭(1867-08-31) (ବୟସ ୪୬)
ପ୍ୟାରିସ, ଫ୍ରାନ୍ସ
ବୃତ୍ତିକବି, କଳା ସମାଲୋଚକ, ପ୍ରାବନ୍ଧିକ
ଜାତୀୟତାଫ୍ରେଞ୍ଚ୍
ସମୟ୧୮୪୪–୧୮୬୬
ସାହିତ୍ୟର ଆନ୍ଦୋଳନସିମ୍ବୋଲିଷ୍ଟ , ମର୍ଡନିଷ୍ଟ

ଦସ୍ତଖତ

ଚାର୍ଲସ୍ ବଦେଲିଅରଙ୍କୁ [] ଫ୍ରାନ୍ସ ସାହିତ୍ୟ ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରାଯାଇଥାଏ । କୁହାଯାଏ ଯେ , ଫ୍ରେଞ୍ଚ୍ ସାହିତ୍ୟକୁ ସେ ହିଁ ପ୍ରଥମେ ଆଧୁନିକତା ଆଣିଥିଲେ । ଏହାର ସୁଫଳ କେବଳ ଫ୍ରାନ୍ସର ସାହିତ୍ୟ ପ୍ରେମୀଙ୍କୁ ମିଳିନଥିଲା , ଅଧିକନ୍ତୁ ସମଗ୍ର ବିଶ୍ୱର ସାରସ୍ୱତ ଜଗତରେ ଆଧୁନିକତାକୁ ନେଇ ଆରମ୍ଭ ହୋଇଯାଇଥିଲା ଏକ ଟ୍ରେଣ୍ଡ ଯାହା ଆଜି ଭି ବଳବତ୍ତର ରହିଛି । ଏହିସବୁ ପାଇଁ ଶ୍ରେୟ ଦିଆଯାଇଥାଏ କେବଳ "ଚାର୍ଲସ୍"ଙ୍କୁ । "ଚାର୍ଲସ୍" ବସ୍ତୁତଃ ଜଣେ କବି ଥିଲେ । ତେବେ କେବଳ କବିତାରେ ସେ ନିଜକୁ ସୀମିତ କରି ରଖି ନ ଥିଲେ । କବିତା ଭଳି ତାଙ୍କର ଗଦ୍ୟ ରଚନାରେ ମଧ୍ୟ ସେଭଳି ପାରଦର୍ଶିତା ରହିଥିଲା । ସେ ବିଶେଷକରି ପ୍ରବନ୍ଧ ରଚନା କରୁଥିଲେ ଏବଂ ସାହିତ୍ୟ ସମୀକ୍ଷା ଲେଖୁଥିଲେ । ଏତଦବ୍ୟତୀତ ଆଉ ଯେଉଁ କାର୍ଯ୍ୟ ତାଙ୍କୁ ସବୁଠାରୁ ବେଶୀ ଆନନ୍ଦ ପ୍ରଦାନ କରୁଥିଲା , ତାହା ହେଉଛି "ଅନୁବାଦ" । ଅବଶ୍ୟ ସେ କେବଳ ବୈଜ୍ଞାନିକ ତଥ୍ୟ ସମ୍ବଳିତ ଗଳ୍ପ ରଚନା କରୁଥିବା ପ୍ରଖ୍ୟାତ ଗାଳ୍ପିକ (ଏଦଗାର ଆଲନ୍ ପୋ')ଙ୍କ ରଚନା ସବୁର ଅନୁବାଦ କରୁଥିଲେ । ଏହି କାରଣରୁ "ଚାର୍ଲସ୍"ଙ୍କୁ ସାର୍ବଜନୀନ ଅନୁବାଦକ ଭାବେ କ୍ୱଚିତ୍ ଗ୍ରହଣ କରାଯାଇଥାଏ ।

ଦି ଫ୍ଲାୱାର୍ସ ଅଫ୍ ଏଭିଲ୍

[ସମ୍ପାଦନା]

ଚାର୍ଲସ୍ ବଦେଲିଅରଙ୍କ କଥା ଉଠିଲେ ଆଖି ଆଗକୁ ମନକୁମନ ଚାଲିଆସେ ତାଙ୍କର ଅତି ଲୋକପ୍ରିୟ ପୁସ୍ତକ ୧୮୫୭ ମସିହାର (ଲେସ୍ ଫ୍ଲିୟୋର୍ସ ଡୁ ମାଲ୍); ଯାହାର ଇଂଲିଶ ସଂସ୍କରଣର ଶୀର୍ଷକ-【ଦି ଫ୍ଲାୱାର୍ସ ଅଫ୍ ଏଭିଲ୍】 [] । ଏହି ପୁସ୍ତକକୁ ବିଶ୍ୱ ସାହିତ୍ୟର ଏକ ଅନବଦ୍ୟ କୃତି ବୋଲି ବିବେଚନା କରାଯାଇଥାଏ । ଊନବିଂଶ ଶତାବ୍ଦୀରେ ପ୍ୟାରିସ୍ରେ ବିବର୍ତନର ଯେଉଁ ଆଭାସ ସୃଷ୍ଟି ହୋଇଥିଲା ତାହା ଥିଲା ଯୁଗାନ୍ତକାରୀ । ମାନବୀୟ ଚରିତ୍ରରେ ପରିବର୍ତ୍ତନ ଆସୁଥିଲା । ମନୋଭାବ ବଦଳୁଥିଲା । ଭଲପାଇବାର ସଂଜ୍ଞାରେ ପରିବର୍ତ୍ତନ ଘଟୁଥିଲା । ସୌନ୍ଦର୍ଯ୍ୟକୁ ବୁଝିବାର ପରିଭାଷା ବଦଳିଯାଉଥିଲା । ମଣିଷ ଯେମିତି ଏକ ବିଷମ ଦୋଛକିରେ ଠିଆ ହୋଇଥିଲା । ଏହିସବୁକୁ ବେଶ୍ କଳାତ୍ମକ ଶୈଳୀରେ ପ୍ରକାଶ କରୁଥିଲେ "ଚାର୍ଲସ୍" । ପୁଣି "ଚାର୍ଲସ୍" ଲେଖିବାର ଯେଉଁ ନିତ୍ୟନୂତନ ଶୈଳୀ ଆପଣାର କଲେ ତାହା ମଧ୍ୟ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କଲା ଅଗାମୀ ପିଢ଼ି ପାଇଁ । ବିଶେଷ କରି ଗଦ୍ୟ ଓ ପଦ୍ୟର ଯେଉଁ ମିଶ୍ର ଶୈଳୀ ଆଜି ଅନେକତ୍ର ପରିଲକ୍ଷିତ ହୁଏ ତାହାର ଶ୍ରେୟ ଯାଏ "ଚାର୍ଲସ୍"ଙ୍କୁ । "ପଲ ଭରଲୈନ୍ , ଆର୍ଥର ରିମ୍ବାଉ ଏବଂ ଷ୍ଟିଫେନ୍ ମାଲାରମେ" ପ୍ରମୁଖ ତାଙ୍କ ଶୈଳୀକୁ ଆପଣେଇ ନିଜକୁ ବେଶ୍ ଆଗକୁ ନେଇପାରିଥିଲେ ।

ଜୀବନ ବୃତ୍ତାନ୍ତ

[ସମ୍ପାଦନା]

ଏପ୍ରିଲ'୯/୧୮୨୧ ମସିହାରେ ଫ୍ରାନ୍ସର ପ୍ୟାରିସଠାରେ ଚାର୍ଲସ୍ ବଦେଲିଅରଙ୍କ ଜନ୍ମ । ମାତ୍ର ୨ମାସ ପରେ "ସାଇଣ୍ଟ-ସୁଲ୍ପିସ୍" "ରୋମାନ୍"ର【କାଥୋଲିକ ଚର୍ଚ୍ଚ】[]ରେ "ଚାର୍ଲସ୍"ଙ୍କ ଉପରେ ପାଣିଛିଞ୍ଚି ଖ୍ରୀଷ୍ଟଧର୍ମରେ ଦୀକ୍ଷିତ କରାଗଲା । ବାପା (ଫ୍ରାଙ୍କୋଇସ୍ ବଦେଲିଅର) ଜଣେ ବରିଷ୍ଠ ସିଭିଲ ଅଧିକାରୀ ଥିଲେ। ମା'ଙ୍କ ନାମ ଥିଲା (କାରୋଲିନ ବଦେଲିଅର) । "କାରୋଲିନ"ଙ୍କଠାରୁ "ଫ୍ରାଙ୍କୋଇସ୍" ୩୪ବର୍ଷ ବଡ଼ ଥିଲେ । ୧୮୨୭ ମସିହାରେ 'ଚାର୍ଲସ୍' ମାତ୍ର ୬ବର୍ଷର ହୋଇଥିବା ବେଳେ "ଫ୍ରାଙ୍କୋଇସ୍"ଙ୍କ ଦେହାନ୍ତ ହୋଇଥିଲା । ବାପାଙ୍କ ଦେହାନ୍ତର ବର୍ଷକ ପରେ ମା' "କାରୋଲିନ" ; "ଲ୍ୟୁଟନାଣ୍ଟ କଲୋନେଲ ଜ୍ୟାକ୍ସ ଅପିକ୍"ଙ୍କୁ ବିବାହ କରିଥିଲେ । ଏହି ବିବାହର ୨ବର୍ଷ ପରେ "ଜ୍ୟାକ୍ସ"ଙ୍କୁ ଫ୍ରାନ୍ସର ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ କରାଗଲା । ଫଳତଃ ତାଙ୍କୁ ବିଭିନ୍ନ ଦେଶରେ ରହିବାକୁ ପଡ଼ିଲା । "କାରୋଲିନ" ମଧ୍ୟ ନିଜ ସ୍ୱାମୀଙ୍କ ସହ ବିଭିନ୍ନ ଦେଶ ଭ୍ରମଣ କରୁଥିଲେ । କେବଳ ଫ୍ରାନ୍ସରେ ଏକାକୀ ରହିବାକୁ ପଡୁଥିଲା ଚାର୍ଲସ୍ ବଦେଲିଅରଙ୍କୁ । ଏହା ତାଙ୍କୁ ଗଭୀର ଭାବେ ବିମର୍ଶ କରାଉଥିଲା । ସେ ନିଜ ମା'ଙ୍କ ସ୍ନେହରୁ ବଞ୍ଚିତ ହେଉଥିଲେ । ତାଙ୍କ ଦୃଷ୍ଟିରେ ଏହା ତାଙ୍କ ପାଇଁ ଏକ ବିପର୍ଯ୍ୟୟ ସଦୃଶ ଥିଲା । ସେ ତାଙ୍କ ମା'ଙ୍କ ପାଖକୁ ନିୟମିତ ଚିଠି ଲେଖୁଥିଲେ , ଏବଂ ସେହି ଚିଠିରେ ନିଜ ମା'ଙ୍କ ପ୍ରତି ଥିବା ଆବେଗପୂର୍ଣ୍ଣ ଭଲପାଇବାକୁ []ପରିପ୍ରକାଶ କରୁଥିଲେ । ମା'ଙ୍କ ପାଖରୁ ମଧ୍ୟ ପତ୍ର ପାଉଥିଲେ । ହେଲେ ମା'ଙ୍କ ଅଭାବକୁ ସେହି ପତ୍ର ପୂରଣ କରିପାରିନଥିଲା । ପ୍ରତେକଦିନ ନିଜ ମା"ଙ୍କଠାରୁ ମାତୃତ୍ୱ ପୂର୍ଣ୍ଣ ସ୍ନେହ ଏବଂ ଶ୍ରଦ୍ଧା ପାଇବା ପାଇଁ "ଚାର୍ଲସ୍"ଙ୍କ ମନ ଅତ୍ୟନ୍ତ ବ୍ୟାକୁଳ ହୋଇଉଠିଥିଲା ।

ଶିକ୍ଷା ଓ ଲେଖାଲେଖି

[ସମ୍ପାଦନା]

ଲିଓନ୍ଠାରେ ଚାର୍ଲସ୍ ବଦେଲିଅରଙ୍କ ପାଠପଢ଼ା ଆରମ୍ଭ ହୋଇଥିଲା । ସେଠାରେ ସେ ଏକ ବୋଡିଂ ସ୍କୁଲର ଛାତ୍ର ଥିଲେ । ସେ ଥିଲେ ଅତିମାତ୍ରାରେ ଆତ୍ମମଗ୍ନ । ପୁଣି ଆତ୍ମୀୟଙ୍କ ସ୍ନେହର ଅଭାବ ତାଙ୍କୁ ଆତ୍ମାଭିମାନୀ କରିଦେଇଥିଲା । ସେଥିଲାଗି ସେ କାହାସହ ମିଶିପାରୁ ନଥିଲେ । ତାଙ୍କର ଜଣେ ସହପାଠୀ ତାଙ୍କ ସମ୍ପର୍କରେ କହିଥିଲେ ଯେ , "ଚାର୍ଲସ୍" ଖୁବ୍ ଭଲ ଛାତ୍ର ଥିଲେ , କିନ୍ତୁ ସେ ସବୁବେଳେ ନିଜ ଭିତରେ ବନ୍ଦୀ ହୋଇ ରହିବାକୁ ପସନ୍ଦ କରୁଥିଲେ । ଅବଶ୍ୟ ତାହାର କାରଣ କାହାକୁ ଜଣା ନଥିଲା କିମ୍ବା ସେ ମଧ୍ୟ ଆମକୁ କି ଆଉ କାହାକୁ ଭି କହୁନଥିଲେ । ପରେ ପରେ "ଚାର୍ଲସ୍" ପ୍ୟାରିସର ଏକ ସ୍କୁଲକୁ ଆସିଲେ । ସେଠାରେ ସ୍କୁଲ ଶିକ୍ଷା ଶେଷ କରିବା ପରେ ଆଇନ କଲେଜରେ ନାମ ଲେଖାଇଲେ । ଅବଶ୍ୟ ସେ ଆଇନ ଶିକ୍ଷାକୁ ନେଇ ସେତେବେସି ଆଶାବାଦୀ ନଥିଲେ । କାରଣ ସେତେବେଳେ ଗୋଟିଏ ଧାରଣ ଥିଲା ଯେ , ଯେଉଁମାନେ ଚାକିରି କରି ପାରନ୍ତି ନାହିଁ ସେମାନେ ବାଧ୍ୟ ହୋଇ ଲ'କଲେଜରେ ନାମଲେଖାନ୍ତି । ତେବେ "ଚାର୍ଲସ୍" ତାଙ୍କର ଏକ ଆଲେଖ୍ୟରେ ଲେଖିଥିଲେ ଯେ , ସେ କୌଣସି ଚାକିରିକୁ ନେଇ ଆଶାବାଦୀ ନ ଥିଲେ । ବାସ୍ତବରେ ତାଙ୍କର ଚାକିରି କରିବାକୁ ଇଚ୍ଛା ନଥିଲା । ସେ ଲେଖାଲେଖିକୁ ନିଜର କ୍ୟାରିଅର କରିବାକୁ ଚାହୁଁଥିଲେ । "ଚାର୍ଲସ୍"ଙ୍କ ସାବତ ବାପା ଚାହୁଁଥିଲେ ଚାର୍ଲସ୍ ଜଣେ ଆଇନଜ୍ଞ କିମ୍ବା କୂଟନୀତିଜ୍ଞା ହୁଅନ୍ତୁ । ତାଙ୍କର ମା' ମଧ୍ୟ ଠିକ୍ ଏହାହିଁ ଆଶା କରୁଥିଲେ । ହେଲେ ସମସ୍ତିଙ୍କୁ ନାସ୍ତିବାଣୀ ଶୁଣାଇ ଦେଇଥିଲେ "ଚାର୍ଲସ୍" । ଲେଖାଲେଖିକୁ ନିଜର ଏକମାତ୍ର କ୍ୟାରିୟର ଭାବେ ଗ୍ରହଣ କରିନେଇଥିଲେ ।

ଚାର୍ଲସ୍'ଙ୍କ ପ୍ରକାଶ

[ସମ୍ପାଦନା]

ପ୍ରଥମେ ଜଣେ ସମାଲୋଚକ ଭାବେ ଆବିର୍ଭାବ ହୋଇଥିଲେ "ଚାର୍ଲସ୍" । ତାଙ୍କ ପ୍ରଥମ ପ୍ରକାଶିତ ସମାଲୋଚକମୂଳକ ଲେଖାର ଶୀର୍ଷକ ଥିଲା "ସଲୋନ୍ ଅଫ୍ ୧୮୪୫" । ଏହି ଗୋଟିଏ ଲେଖା ହିଁ ଯଥେଷ୍ଟ ଥିଲା ଫ୍ରାନ୍ସର ସାରସ୍ୱତ ଜଗତରେ ଆଲୋଡନ ସୃଷ୍ଟି କରିବା ପାଇଁ । ପିଲାଟିବେଳୁ ଖୁବ୍ ନିର୍ଭୀକ ଥିଲେ "ଚାର୍ଲସ୍" । ତାହା ମଧ୍ୟ ତାଙ୍କ କଲମରେ ପ୍ରକଟିତ ହେଉଥିଲା । ସେଥିଲାଗି ତାଙ୍କର ପ୍ରଥମ ଲେଖାଟି ପାଠକୀୟତା ସାଉଣ୍ଟିବାରେ ସଫଳ ହୋଇଥିଲା । ପୁଣି ସେ ଯେଉଁ ଢଙ୍ଗରେ ଊନବିଂଶ ଶତାବ୍ଦୀର କ୍ରମ ପରିବର୍ତ୍ତନଶୀଳ ପ୍ରେମର ପରିପ୍ରକାଶ କରିଥିଲେ ତାହା ଥିଲା ଅନ୍ୟମାନଙ୍କ ପାଇଁ ଏକ ଅଚିନ୍ତନୀୟ ବିଷୟ । ତତ୍କାଳର ପ୍ରବୀଣ ସାହିତ୍ୟିକମାନେ "ଚାର୍ଲସ୍"ଙ୍କୁ ବଧେଇ ଜଣେଇବା ସହିତ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ପୁନଶ୍ଚ ୧୮୪୬ ମସିହାରେ ଚାର୍ଲସ୍ ବଦେଲିଅର ନିଜର ୨ୟ "ସଲୋନ୍"ର ପୁନର୍ବିଲୋକନ କଲେ , ଯାହା ତାଙ୍କୁ ଜଣେ ସମ୍ମାନଯୋଗ୍ୟ କଳ୍ପନାପ୍ରିୟ ଓକିଲ ଏବଂ ସମାଲୋଚକ ଭାବେ ଅତ୍ୟନ୍ତ ଲାଭଦାୟକ କରିଥିଲା । "ଚାର୍ଲସ୍"ଙ୍କ ସମର୍ଥକ (ଡେଲାକ୍ରୋଇକ୍ସ) ନାମକ ଜଣେ ଅଗ୍ରବର୍ତ୍ତୀ କଳ୍ପନାବିଳସୀ କଳାକାର ତାଙ୍କ ବିଜ୍ଞପ୍ତିକୁ ବିସ୍ତୃତ କରି ଲାଭବାନ ହେଲେ ।[]ଉକ୍ତ ବର୍ଷଟିକୁ ଅନୁସରଣ କରି ଚାର୍ଲସ୍ ବଦେଲିଅରଙ୍କ (ଲ'ଫ୍ୟାନ୍ଫ୍ରଲୋ) ନାମକ ଉପନ୍ୟାସ ପ୍ରକାଶିତ ହେଲା ।

ଶେଷ ଜୀବନ

[ସମ୍ପାଦନା]

ଚାର୍ଲସ୍ ବଦେଲିଅରଙ୍କ ତମାମ ଜୀବନ ଦୁଃଖ ଦୟନୀୟତା ଏବଂ ସଂଘର୍ଷ ମଧ୍ୟ ଦେଇ ଅତିବାହିତ ହୋଇଥିଲା । ସେ ସାରା ଜୀବନ ଅଭାବ ଅନଟନରେ ବିତାଇଥିଲେ । ଅସୁସ୍ଥତା ତାଙ୍କର ପିଛା ଛାଡିନଥିଲା । ଏମିତି ଏକ ସମୟ ଆସିଲା ଯେତେବେଳେ ସେ ଦେବାଳିଆ ହୋଇଗଲେ ଏବଂ ତାଙ୍କୁ ପ୍ୟାରିସ୍ ଛାଡିବାକୁ ପଡ଼ିଲା । ସେ ନିଜ ପୁସ୍ତକ ସବୁର କପିରାଇଟ୍ସ ବିକ୍ରି କରିଦେଇ ବେଲ୍ଜିଅମ୍ ଚାଲିଗଲେ । ତାଙ୍କର ମଦ୍ୟପାନ ଅଭ୍ୟାସ ପ୍ରବଳ ହୋଇଉଠିଲା । ୧୮୬୬ ମସିହାରେ ସେ ପକ୍ଷାଘାତରେ ଆକ୍ରାନ୍ତ ହେଲେ । ଏହା ତାଙ୍କୁ ପ୍ରାୟତଃ ପଙ୍ଗୁ କରିଦେଲା । ପରେ ୧୮୬୭ ମସିହା ଅଗଷ୍ଟ/୩୧ ତାରିଖରେ ସେ ପ୍ୟାରିସରେ ଶେଷ ଜୀବନ ତ୍ୟାଗ କଲେ ।

ଚାର୍ଲସ୍'ଙ୍କ ନାମାଙ୍କିତ ପୁସ୍ତକ

[ସମ୍ପାଦନା]
  • ସଲୋନ ଡେ (୧୮୪୫)
  • ରିଭିୟୁ ଅଫ୍ ସଲୋନ ଡେ (୧୮୪୬)
  • ଲ'ଫ୍ୟାନ୍ଫ୍ରଲୋ (୧୮୪୭)
  • ଲେସ୍ ଫ୍ଲିୟୋର୍ସ ଡୁ ମାଲ୍ (୧୮୫୭)
  • ଲେସ୍ ପାରାଡିସ୍ ଆର୍ଟିଫିସିଆଲସ୍ (୧୮୬୦)
  • ଲ'ଆର୍ଟ ରୋମାଣ୍ଟିକ (୧୮୬୮)
  • ମିରର୍ ଅଫ୍ ଆର୍ଟ (୧୯୫୫)
  • ଦି ପେଣ୍ଟର ଅଫ୍ ମର୍ଡନ୍ଲାଇଫ ଆଣ୍ଡ ଅଦର୍ ଏଷେ (୧୯୬୪)
  • ଟ୍ୱେଣ୍ଟି ପ୍ରୋସ୍ ଆଣ୍ଡ ପୋଏମ (୧୯୮୮)
  • ସିଲେକଟେଡ଼ ରାଇଟିଙ୍ଗ ଅନ୍ ଆର୍ଟ ଆଣ୍ଡ ଆର୍ଟିଷ୍ଟ (୧୯୭୨)
  • ସିଲେକଟେଡ଼ ଲେଟର ଅଫ୍ ଚାର୍ଲସ୍ ବଦେଲିଅର (୧୯୮୬)
  • ଦି ଏସେନ୍ସ ଅଫ୍ ଲାଫଟର୍ (୧୯୫୬)
  • ଫୁସୀଷ୍ (୧୮୯୭)
  • ଆର୍ଟସ୍ ଇନ୍ ପ୍ୟାରିସ୍ (୧୮୪୫-୧୮୬୨)
  1. "Baudelaire". Random House Webster's Unabridged Dictionary.
  2. Clark, Carol (1995). "Notes on the Text". Selected Poems. By Charles Baudelaire. London: Penguin Books Ltd. p. xxiii. ISBN 978-0-14-044624-1.
  3. Charles Baudelaire, Richard Howard. Les Fleurs Du Mal. David R. Godine Publisher, 1983, p.xxv. ISBN 0-87923-462-8, ISBN 978-0-87923-462-1.
  4. Richardson 1994, p. 16
  5. Richardson 1994, p. 110.