ଚାର୍ଲସ୍ ପିଅର୍ ବଦେଲିଅର

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଚାର୍ଲସ୍ ପିଅର୍ ବଦେଲିଅର
Étienne Carjat, Portrait of Charles Baudelaire, circa 1862.jpg
ଏଟିଏନ୍ନେ ଚର୍ଯାତଙ୍କ (୧୮୬୩) ଚିତ୍ରିତ, "ଚାର୍ଲସ୍ ବଦେଲିଅର"
ଜନ୍ମ ଚାର୍ଲସ୍ ପିଅର୍ ବଦେଲିଅର
ଏପ୍ରିଲ ୯, ୧୮୨୧
ପ୍ୟାରିସ, ଫ୍ରାନ୍ସ
ମୃତ୍ୟୁ ୩୧ ଅଗଷ୍ଟ, ୧୮୬୭ (୪୬ ବର୍ଷ)
ପ୍ୟାରିସ, ଫ୍ରାନ୍ସ
ବୃତ୍ତି କବି, କଳା ସମାଲୋଚକ, ପ୍ରାବନ୍ଧିକ
ଜାତୀୟତା ଫ୍ରେଞ୍ଚ୍
ସମୟ ୧୮୪୪–୧୮୬୬
ସାହିତ୍ୟର ଆନ୍ଦୋଳନ ସିମ୍ବୋଲିଷ୍ଟ , ମର୍ଡନିଷ୍ଟ

ଦସ୍ତଖତ

ଚାର୍ଲସ୍ ବଦେଲିଅରଙ୍କୁ [୧] ଫ୍ରାନ୍ସ ସାହିତ୍ୟ ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରାଯାଇଥାଏ । କୁହାଯାଏ ଯେ , ଫ୍ରେଞ୍ଚ୍ ସାହିତ୍ୟକୁ ସେ ହିଁ ପ୍ରଥମେ ଆଧୁନିକତା ଆଣିଥିଲେ । ଏହାର ସୁଫଳ କେବଳ ଫ୍ରାନ୍ସର ସାହିତ୍ୟ ପ୍ରେମୀଙ୍କୁ ମିଳିନଥିଲା , ଅଧିକନ୍ତୁ ସମଗ୍ର ବିଶ୍ୱର ସାରସ୍ୱତ ଜଗତରେ ଆଧୁନିକତାକୁ ନେଇ ଆରମ୍ଭ ହୋଇଯାଇଥିଲା ଏକ ଟ୍ରେଣ୍ଡ ଯାହା ଆଜି ଭି ବଳବତ୍ତର ରହିଛି । ଏହିସବୁ ପାଇଁ ଶ୍ରେୟ ଦିଆଯାଇଥାଏ କେବଳ "ଚାର୍ଲସ୍"ଙ୍କୁ । "ଚାର୍ଲସ୍" ବସ୍ତୁତଃ ଜଣେ କବି ଥିଲେ । ତେବେ କେବଳ କବିତାରେ ସେ ନିଜକୁ ସୀମିତ କରି ରଖି ନ ଥିଲେ । କବିତା ଭଳି ତାଙ୍କର ଗଦ୍ୟ ରଚନାରେ ମଧ୍ୟ ସେଭଳି ପାରଦର୍ଶିତା ରହିଥିଲା । ସେ ବିଶେଷକରି ପ୍ରବନ୍ଧ ରଚନା କରୁଥିଲେ ଏବଂ ସାହିତ୍ୟ ସମୀକ୍ଷା ଲେଖୁଥିଲେ । ଏତଦବ୍ୟତୀତ ଆଉ ଯେଉଁ କାର୍ଯ୍ୟ ତାଙ୍କୁ ସବୁଠାରୁ ବେଶି ଆନନ୍ଦ ପ୍ରଦାନ କରୁଥିଲା , ତାହା ହେଉଛି "ଅନୁବାଦ" । ଅବଶ୍ୟ ସେ କେବଳ ବୈଜ୍ଞାନିକ ତଥ୍ୟ ସମ୍ବଳିତ ଗଳ୍ପ ରଚନା କରୁଥିବା ପ୍ରଖ୍ୟାତ ଗାଳ୍ପିକ (ଏଦଗାର ଆଲନ୍ ପୋ')ଙ୍କ ରଚନା ସବୁର ଅନୁବାଦ କରୁଥିଲେ । ଏହି କାରଣରୁ "ଚାର୍ଲସ୍"ଙ୍କୁ ସାର୍ବଜନୀନ ଅନୁବାଦକ ଭାବେ କ୍ୱଚିତ୍ ଗ୍ରହଣ କରାଯାଇଥାଏ ।

ଦି ଫ୍ଲାୱାର୍ସ ଅଫ୍ ଏଭିଲ୍[ସମ୍ପାଦନା]

ଚାର୍ଲସ୍ ବଦେଲିଅରଙ୍କ କଥା ଉଠିଲେ ଆଖି ଆଗକୁ ମନକୁମନ ଚାଲିଆସେ ତାଙ୍କର ଅତି ଲୋକପ୍ରିୟ ପୁସ୍ତକ ୧୮୫୭ ମସିହାର (ଲେସ୍ ଫ୍ଲିୟୋର୍ସ ଡୁ ମାଲ୍); ଯାହାର ଇଂଲିଶ ସଂସ୍କରଣର ଶୀର୍ଷକ-【ଦି ଫ୍ଲାୱାର୍ସ ଅଫ୍ ଏଭିଲ୍】 [୨] । ଏହି ପୁସ୍ତକକୁ ବିଶ୍ୱ ସାହିତ୍ୟର ଏକ ଅନବଦ୍ୟ କୃତି ବୋଲି ବିବେଚନା କରାଯାଇଥାଏ । ଊନବିଂଶ ଶତାବ୍ଦୀରେ ପ୍ୟାରିସ୍ରେ ବିବର୍ତନର ଯେଉଁ ଆଭାସ ସୃଷ୍ଟି ହୋଇଥିଲା ତାହା ଥିଲା ଯୁଗାନ୍ତକାରୀ । ମାନବୀୟ ଚରିତ୍ରରେ ପରିବର୍ତ୍ତନ ଆସୁଥିଲା । ମନୋଭାବ ବଦଳୁଥିଲା । ଭଲପାଇବାର ସଂଜ୍ଞାରେ ପରିବର୍ତ୍ତନ ଘଟୁଥିଲା । ସୌନ୍ଦର୍ଯ୍ୟକୁ ବୁଝିବାର ପରିଭାଷା ବଦଳିଯାଉଥିଲା । ମଣିଷ ଯେମିତି ଏକ ବିଷମ ଦୋଛକିରେ ଠିଆ ହୋଇଥିଲା । ଏହିସବୁକୁ ବେଶ୍ କଳାତ୍ମକ ଶୈଳୀରେ ପ୍ରକାଶ କରୁଥିଲେ "ଚାର୍ଲସ୍" । ପୁଣି "ଚାର୍ଲସ୍" ଲେଖିବାର ଯେଉଁ ନିତ୍ୟନୂତନ ଶୈଳୀ ଆପଣାର କଲେ ତାହା ମଧ୍ୟ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କଲା ଅଗାମୀ ପିଢ଼ି ପାଇଁ । ବିଶେଷ କରି ଗଦ୍ୟ ଓ ପଦ୍ୟର ଯେଉଁ ମିଶ୍ର ଶୈଳୀ ଆଜି ଅନେକତ୍ର ପରିଲକ୍ଷିତ ହୁଏ ତାହାର ଶ୍ରେୟ ଯାଏ "ଚାର୍ଲସ୍"ଙ୍କୁ । "ପଲ ଭରଲୈନ୍ , ଆର୍ଥର ରିମ୍ବାଉ ଏବଂ ଷ୍ଟିଫେନ୍ ମାଲାରମେ" ପ୍ରମୁଖ ତାଙ୍କ ଶୈଳୀକୁ ଆପଣେଇ ନିଜକୁ ବେଶ୍ ଆଗକୁ ନେଇପାରିଥିଲେ ।

ଜୀବନ ବୃତ୍ତାନ୍ତ[ସମ୍ପାଦନା]

ଏପ୍ରିଲ'୯/୧୮୨୧ ମସିହାରେ ଫ୍ରାନ୍ସର ପ୍ୟାରିସଠାରେ ଚାର୍ଲସ୍ ବଦେଲିଅରଙ୍କ ଜନ୍ମ । ମାତ୍ର ୨ମାସ ପରେ "ସାଇଣ୍ଟ-ସୁଲ୍ପିସ୍" "ରୋମାନ୍"ର【କାଥୋଲିକ ଚର୍ଚ୍ଚ】[୩]ରେ "ଚାର୍ଲସ୍"ଙ୍କ ଉପରେ ପାଣିଛିଞ୍ଚି ଖ୍ରୀଷ୍ଟଧର୍ମରେ ଦୀକ୍ଷିତ କରାଗଲା । ବାପା (ଫ୍ରାଙ୍କୋଇସ୍ ବଦେଲିଅର) ଜଣେ ବରିଷ୍ଠ ସିଭିଲ ଅଧିକାରୀ ଥିଲେ। ମା'ଙ୍କ ନାମ ଥିଲା (କାରୋଲିନ ବଦେଲିଅର) । "କାରୋଲିନ"ଙ୍କ ଠାରୁ "ଫ୍ରାଙ୍କୋଇସ୍" ୩୪ବର୍ଷ ବଡ ଥିଲେ । ୧୮୨୭ ମସିହାରେ 'ଚାର୍ଲସ୍' ମାତ୍ର ୬ବର୍ଷର ହୋଇଥିବା ବେଳେ "ଫ୍ରାଙ୍କୋଇସ୍"ଙ୍କ ଦେହାନ୍ତ ହୋଇଥିଲା । ବାପାଙ୍କ ଦେହାନ୍ତର ବର୍ଷକ ପରେ ମା' "କାରୋଲିନ" ; "ଲ୍ୟୁଟନାଣ୍ଟ କଲୋନେଲ ଜ୍ୟାକ୍ସ ଅପିକ୍"ଙ୍କୁ ବିବାହ କରିଥିଲେ । ଏହି ବିବାହର ୨ବର୍ଷ ପରେ "ଜ୍ୟାକ୍ସ"ଙ୍କୁ ଫ୍ରାନ୍ସର ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ କରାଗଲା । ଫଳତଃ ତାଙ୍କୁ ବିଭିନ୍ନ ଦେଶରେ ରହିବାକୁ ପଡ଼ିଲା । "କାରୋଲିନ" ମଧ୍ୟ ନିଜ ସ୍ବାମୀଙ୍କ ସହ ବିଭିନ୍ନ ଦେଶ ଭ୍ରମଣ କରୁଥିଲେ । କେବଳ ଫ୍ରାନ୍ସରେ ଏକାକୀ ରହିବାକୁ ପଡୁଥିଲା ଚାର୍ଲସ୍ ବଦେଲିଅରଙ୍କୁ । ଏହା ତାଙ୍କୁ ଗଭୀର ଭାବେ ବିମର୍ଶ କରାଉଥିଲା । ସେ ନିଜ ମା'ଙ୍କ ସ୍ନେହରୁ ବଞ୍ଚିତ ହେଉଥିଲେ । ତାଙ୍କ ଦୃଷ୍ଟିରେ ଏହା ତାଙ୍କ ପାଇଁ ଏକ ବିପର୍ଯ୍ୟୟ ସଦୃଶ ଥିଲା । ସେ ତାଙ୍କ ମା'ଙ୍କ ପାଖକୁ ନିୟମିତ ଚିଠି ଲେଖୁଥିଲେ , ଏବଂ ସେହି ଚିଠିରେ ନିଜ ମା'ଙ୍କ ପ୍ରତି ଥିବା ଆବେଗପୂର୍ଣ୍ଣ ଭଲପାଇବାକୁ [୪]ପରିପ୍ରକାଶ କରୁଥିଲେ । ମା'ଙ୍କ ପାଖରୁ ମଧ୍ୟ ପତ୍ର ପାଉଥିଲେ । ହେଲେ ମା'ଙ୍କ ଅଭାବକୁ ସେହି ପତ୍ର ପୂରଣ କରିପାରିନଥିଲା । ପ୍ରତେକଦିନ ନିଜ ମା"ଙ୍କଠାରୁ ମାତୃତ୍ଵ ପୂର୍ଣ୍ଣ ସ୍ନେହ ଏବଂ ଶ୍ରଦ୍ଧା ପାଇବା ପାଇଁ "ଚାର୍ଲସ୍"ଙ୍କ ମନ ଅତ୍ୟନ୍ତ ବ୍ୟାକୁଳ ହୋଇଉଠିଥିଲା ।

ଶିକ୍ଷା ଓ ଲେଖାଲେଖି[ସମ୍ପାଦନା]

ଲିଓନ୍ଠାରେ ଚାର୍ଲସ୍ ବଦେଲିଅରଙ୍କ ପାଠପଢ଼ା ଆରମ୍ଭ ହୋଇଥିଲା । ସେଠାରେ ସେ ଏକ ବୋଡିଂ ସ୍କୁଲର ଛାତ୍ର ଥିଲେ । ସେ ଥିଲେ ଅତିମାତ୍ରାରେ ଆତ୍ମମଗ୍ନ । ପୁଣି ଆତ୍ମୀୟଙ୍କ ସ୍ନେହର ଅଭାବ ତାଙ୍କୁ ଆତ୍ମାଭିମାନୀ କରିଦେଇଥିଲା । ସେଥିଲାଗି ସେ କାହାସହ ମିଶିପାରୁ ନଥିଲେ । ତାଙ୍କର ଜଣେ ସହପାଠୀ ତାଙ୍କ ସମ୍ପର୍କରେ କହିଥିଲେ ଯେ , "ଚାର୍ଲସ୍" ଖୁବ୍ ଭଲ ଛାତ୍ର ଥିଲେ , କିନ୍ତୁ ସେ ସବୁବେଳେ ନିଜ ଭିତରେ ବନ୍ଦୀ ହୋଇ ରହିବାକୁ ପସନ୍ଦ କରୁଥିଲେ । ଅବଶ୍ୟ ତାହାର କାରଣ କାହାକୁ ଜଣା ନଥିଲା କିମ୍ବା ସେ ମଧ୍ୟ ଆମକୁ କି ଆଉ କାହାକୁ ଭି କହୁନଥିଲେ । ପରେ ପରେ "ଚାର୍ଲସ୍" ପ୍ୟାରିସର ଏକ ସ୍କୁଲକୁ ଆସିଲେ । ସେଠାରେ ସ୍କୁଲ ଶିକ୍ଷା ଶେଷ କରିବା ପରେ ଆଇନ କଲେଜରେ ନାମ ଲେଖାଇଲେ । ଅବଶ୍ୟ ସେ ଆଇନ ଶିକ୍ଷାକୁ ନେଇ ସେତେବେସି ଆଶାବାଦୀ ନଥିଲେ । କାରଣ ସେତେବେଳେ ଗୋଟିଏ ଧାରଣ ଥିଲା ଯେ , ଯେଉଁ ମାନେ ଚାକିରି କରି ପାରନ୍ତି ନାହିଁ ସେମାନେ ବାଧ୍ୟ ହୋଇ ଲ'କଲେଜରେ ନାମଲେଖାନ୍ତି । ତେବେ "ଚାର୍ଲସ୍" ତାଙ୍କର ଏକ ଆଲେଖ୍ୟରେ ଲେଖିଥିଲେ ଯେ , ସେ କୌଣସି ଚାକିରିକୁ ନେଇ ଆଶାବାଦୀ ନ ଥିଲେ । ବାସ୍ତବରେ ତାଙ୍କର ଚାକିରି କରିବାକୁ ଇଚ୍ଛା ନଥିଲା । ସେ ଲେଖାଲେଖିକୁ ନିଜର କ୍ୟାରିଅର କରିବାକୁ ଚାହୁଁଥିଲେ । "ଚାର୍ଲସ୍"ଙ୍କ ସାବତ ବାପା ଚାହୁଁଥିଲେ ଚାର୍ଲସ୍ ଜଣେ ଆଇନଜ୍ଞ କିମ୍ବା କୂଟନୀତିଜ୍ଞା ହୁଅନ୍ତୁ । ତାଙ୍କର ମା' ମଧ୍ୟ ଠିକ୍ ଏହାହିଁ ଆଶା କରୁଥିଲେ । ହେଲେ ସମସ୍ତିଙ୍କୁ ନାସ୍ତିବାଣୀ ଶୁଣାଇ ଦେଇଥିଲେ "ଚାର୍ଲସ୍" । ଲେଖାଲେଖିକୁ ନିଜର ଏକମାତ୍ର କ୍ୟାରିୟର ଭାବେ ଗ୍ରହଣ କରିନେଇଥିଲେ ।

ଚାର୍ଲସ୍'ଙ୍କ ପ୍ରକାଶ[ସମ୍ପାଦନା]

ପ୍ରଥମେ ଜଣେ ସମାଲୋଚକ ଭାବେ ଆବିର୍ଭାବ ହୋଇଥିଲେ "ଚାର୍ଲସ୍" । ତାଙ୍କ ପ୍ରଥମ ପ୍ରକାଶିତ ସମାଲୋଚକମୂଳକ ଲେଖାର ଶୀର୍ଷକ ଥିଲା "ସଲୋନ୍ ଅଫ୍ ୧୮୪୫" । ଏହି ଗୋଟିଏ ଲେଖା ହିଁ ଯଥେଷ୍ଟ ଥିଲା ଫ୍ରାନ୍ସର ସାରସ୍ୱତ ଜଗତରେ ଆଲୋଡନ ସୃଷ୍ଟି କରିବା ପାଇଁ । ପିଲାଟିବେଳୁ ଖୁବ୍ ନିର୍ଭୀକ ଥିଲେ "ଚାର୍ଲସ୍" । ତାହା ମଧ୍ୟ ତାଙ୍କ କଲମରେ ପ୍ରକଟିତ ହେଉଥିଲା । ସେଥିଲାଗି ତାଙ୍କର ପ୍ରଥମ ଲେଖାଟି ପାଠକୀୟତା ସାଉଣ୍ଟିବାରେ ସଫଳ ହୋଇଥିଲା । ପୁଣି ସେ ଯେଉଁ ଢଙ୍ଗରେ ଊନବିଂଶ ଶତାବ୍ଦୀର କ୍ରମ ପରିବର୍ତ୍ତନଶୀଳ ପ୍ରେମର ପରିପ୍ରକାଶ କରିଥିଲେ ତାହା ଥିଲା ଅନ୍ୟମାନଙ୍କ ପାଇଁ ଏକ ଅଚିନ୍ତନୀୟ ବିଷୟ । ତତ୍କାଳର ପ୍ରବୀଣ ସାହିତ୍ୟିକମାନେ "ଚାର୍ଲସ୍"ଙ୍କୁ ବଧେଇ ଜଣେଇବା ସହିତ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ପୁନଶ୍ଚ ୧୮୪୬ ମସିହାରେ ଚାର୍ଲସ୍ ବଦେଲିଅର ନିଜର ୨ୟ "ସଲୋନ୍"ର ପୁନର୍ବିଲୋକନ କଲେ , ଯାହା ତାଙ୍କୁ ଜଣେ ସମ୍ମାନଯୋଗ୍ୟ କଳ୍ପନାପ୍ରିୟ ଓକିଲ ଏବଂ ସମାଲୋଚକ ଭାବେ ଅତ୍ୟନ୍ତ ଲାଭଦାୟକ କରିଥିଲା । "ଚାର୍ଲସ୍"ଙ୍କ ସମର୍ଥକ (ଡେଲାକ୍ରୋଇକ୍ସ) ନାମକ ଜଣେ ଅଗ୍ରବର୍ତ୍ତୀ କଳ୍ପନାବିଳସୀ କଳାକାର ତାଙ୍କ ବିଜ୍ଞପ୍ତିକୁ ବିସ୍ତୃତ କରି ଲାଭବାନ ହେଲେ ।[୫]ଉକ୍ତ ବର୍ଷଟିକୁ ଅନୁସରଣ କରି ଚାର୍ଲସ୍ ବଦେଲିଅରଙ୍କ (ଲ'ଫ୍ୟାନ୍ଫ୍ରଲୋ) ନାମକ ଉପନ୍ୟାସ ପ୍ରକାଶିତ ହେଲା ।

ଶେଷ ଜୀବନ[ସମ୍ପାଦନା]

ଚାର୍ଲସ୍ ବଦେଲିଅରଙ୍କ ତମାମ ଜୀବନ ଦୁଃଖ ଦୟନୀୟତା ଏବଂ ସଂଘର୍ଷ ମଧ୍ୟ ଦେଇ ଅତିବାହିତ ହୋଇଥିଲା । ସେ ସାରା ଜୀବନ ଅଭାବ ଅନଟନରେ ବିତାଇଥିଲେ । ଅସୁସ୍ଥତା ତାଙ୍କର ପିଛା ଛାଡିନଥିଲା । ଏମିତି ଏକ ସମୟ ଆସିଲା ଯେତେବେଳେ ସେ ଦେବାଳିଆ ହୋଇଗଲେ ଏବଂ ତାଙ୍କୁ ପ୍ୟାରିସ୍ ଛାଡିବାକୁ ପଡ଼ିଲା । ସେ ନିଜ ପୁସ୍ତକ ସବୁର କପିରାଇଟ୍ସ ବିକ୍ରି କରିଦେଇ ବେଲ୍ଜିଅମ୍ ଚାଲିଗଲେ । ତାଙ୍କର ମଦ୍ୟପାନ ଅଭ୍ୟାସ ପ୍ରବଳ ହୋଇଉଠିଲା । ୧୮୬୬ ମସିହାରେ ସେ ପକ୍ଷାଘାତରେ ଆକ୍ରାନ୍ତ ହେଲେ । ଏହା ତାଙ୍କୁ ପ୍ରାୟତଃ ପଙ୍ଗୁ କରିଦେଲା । ପରେ ୧୮୬୭ ମସିହା ଅଗଷ୍ଟ/୩୧ ତାରିଖରେ ସେ ପ୍ୟାରିସରେ ଶେଷ ଜୀବନ ତ୍ୟାଗ କଲେ ।

ଚାର୍ଲସ୍'ଙ୍କ ନାମାଙ୍କିତ ପୁସ୍ତକ[ସମ୍ପାଦନା]

  • ସଲୋନ ଡେ (୧୮୪୫)
  • ରିଭିୟୁ ଅଫ୍ ସଲୋନ ଡେ (୧୮୪୬)
  • ଲ'ଫ୍ୟାନ୍ଫ୍ରଲୋ (୧୮୪୭)
  • ଲେସ୍ ଫ୍ଲିୟୋର୍ସ ଡୁ ମାଲ୍ (୧୮୫୭)
  • ଲେସ୍ ପାରାଡିସ୍ ଆର୍ଟିଫିସିଆଲସ୍ (୧୮୬୦)
  • ଲ'ଆର୍ଟ ରୋମାଣ୍ଟିକ (୧୮୬୮)
  • ମିରର୍ ଅଫ୍ ଆର୍ଟ (୧୯୫୫)
  • ଦି ପେଣ୍ଟର ଅଫ୍ ମର୍ଡନ୍ଲାଇଫ ଆଣ୍ଡ ଅଦର୍ ଏଷେ (୧୯୬୪)
  • ଟ୍ୱେଣ୍ଟି ପ୍ରୋସ୍ ଆଣ୍ଡ ପୋଏମ (୧୯୮୮)
  • ସିଲେକଟେଡ଼ ରାଇଟିଙ୍ଗ ଅନ୍ ଆର୍ଟ ଆଣ୍ଡ ଆର୍ଟିଷ୍ଟ (୧୯୭୨)
  • ସିଲେକଟେଡ଼ ଲେଟର ଅଫ୍ ଚାର୍ଲସ୍ ବଦେଲିଅର (୧୯୮୬)
  • ଦି ଏସେନ୍ସ ଅଫ୍ ଲାଫଟର୍ (୧୯୫୬)
  • ଫୁସୀଷ୍ (୧୮୯୭)
  • ଆର୍ଟସ୍ ଇନ୍ ପ୍ୟାରିସ୍ (୧୮୪୫-୧୮୬୨)

ଆଧାର[ସମ୍ପାଦନା]

  1. "Baudelaire". Random House Webster's Unabridged Dictionary.
  2. Clark, Carol (୧୯୯୫). "Notes on the Text". Selected Poems. By Charles Baudelaire. London: Penguin Books Ltd. p. xxiii. ISBN ୯୭୮-୦-୧୪-୦୪୪୬୨୪-୧. 
  3. Charles Baudelaire, Richard Howard. Les Fleurs Du Mal. David R. Godine Publisher, 1983, p.xxv. ISBN 0-87923-462-8, ISBN 978-0-87923-462-1.
  4. Richardson 1994, p. 16
  5. Richardson 1994, p. 110.