ଗୋ ମାହାତ୍ମ୍ୟ

ଉଇକିପିଡ଼ିଆ ରୁ
Jump to navigation Jump to search

'ଗୋ' ଶବ୍ଦର ଅନେକ ଅର୍ଥ ଅଛି । ଯଥା- ଗୋବଂଶ, ପୃଥିବୀ, ଦିଗ,ବାଣୀ, ଇନ୍ଦ୍ରିୟ, ଦୃଷ୍ଟି, କିରଣ, ଜଳ, ଚନ୍ଦ୍ର ଓ ଆହୁରି ଅନେକ ।[୧] ସୃଷ୍ଟିର ସବୁଠାରୁ ଉପକାରୀ ପ୍ରାଣୀ ଗୋମାତା । ଦ୍ୱାପର ଯୁଗରେ ସ୍ୱୟଂ ଭଗବାନ୍ କୃଷ୍ଣ ଗୋପାଳ ଭାବରେ ଅବତାର ନେଇ ଗୋ-ମହିମାକୁ ପ୍ରଚାର କରିଛନ୍ତି । ଭାରତୀୟ ଧର୍ମ ଶାସ୍ତ୍ରରେ ଗୋ-ମହିମା ଓ ଉପାସନାର ବର୍ଣ୍ଣନା ଅନେକ । ବୈଦିକ କାଳରୁ ଋଷି, ମୁନିଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସଭିଏ ନିଜର ଭରଣ ପୋଷଣ ନିମନ୍ତେ ମୁଖ୍ୟତଃ କୃଷି ଓ ଗୋ-ପାଳନ ଉପରେ ନିର୍ଭର କରୁଥିଲେ । ଗାଈ ଠାରୁ ଦୁଗ୍ଧ ଆଦି ପଞ୍ଚଗବ୍ୟ(କ୍ଷୀର, ଘିଅ, ଦହି, ଗୋବର ଓ ଗୋମୂତ୍ର) ମିଳୁଥିବା ବେଳେ ବଳଦ ଚାଷ ଓ ପରିବହନରେ ସାହାଯ୍ୟ କରିଥାଏ । ତେଣୁ ଗୋଜାତିକୁ ଗୋସମ୍ପଦ ବୋଲି କୁହାଯାଏ ।

Gomata

ପରିବେଶ ଉପକାରୀ[ସମ୍ପାଦନା]

ସମଗ୍ର ସୃଷ୍ଟି ପଞ୍ଚମହାଭୂତକୁ ନେଇ ଗଠିତ । ଯଥା- କ୍ଷିତି(ମାଟି), ଅପ୍(ଜଳ), ତେଜ(ଅଗ୍ନି), ମରୁତ୍(ବାୟୁ), ବ୍ୟୋମ(ଆକାଶ) । ଅତ୍ୟାଧୁନିକତାର ପ୍ରଭାବରେ ଏସବୁ ଆଜି ବିଷାକ୍ତ ଓ ପ୍ରଦୂଷିତ । ଫଳତଃ ଦିନକୁ ଦିନ ମନୁଷ୍ୟ ସମେତ ସମଗ୍ର ଜୀବଜଗତ ରୋଗାକ୍ରାନ୍ତ । ଏହାର କୁପ୍ରଭାବରେ ଅନେକ ପ୍ରାଣୀ ଏ ଧରାପୃଷ୍ଟରୁ ନିଶ୍ଚିହ୍ନ ହୋଇଗଲେଣି । ମନୁଷ୍ୟର ଲୋଭ ଭୟଙ୍କର ରୂପ ଧାରଣକରିଛି ଓ କ୍ରୁର ଆଚରଣ କରିବାରେ ଲାଗିଛି । ଗୋବଂଶ ଏହି ପ୍ରଦୂଷଣକୁ ଅନେକ ମାତ୍ରାରେ ରୋକିବାରେ ସମର୍ଥ ବୋଲି ସାଧୁସନ୍ଥ ଓ ଆଧୁନିକ ବୈଜ୍ଞାନିକଗଣଙ୍କ ମତ । [୨]

ଅଧିକ ଅମଳ ଲୋଭରେ ବିଚାରଶୂନ୍ୟ ହୋଇ ରାସାୟନିକ ସାର ଓ କୀଟନାଶକର ବହୁଳ ପ୍ରୟୋଗଦ୍ୱାରା ଚାଷଜମି ନଷ୍ଟ ହୋଇଛି । କଳକାରଖାନାରୁ ନିର୍ଗତ ହେଉଥିବା ବର୍ଜ୍ୟବସ୍ତୁ ଭୂମିକୁ ପ୍ରଦୂଷିତ କରିଛି । ଗୋବର ଓ ଗୋମୂତ୍ର ଏହି ପ୍ରଦୂଷଣକୁ ରୋକିବାରେ ସମର୍ଥ । ଗୋବର ଓ ଗୋମୂତ୍ରକୁ ବ୍ୟବହାର କରି ଜମି ଉର୍ବର ହେବା ସହ ଭଲ ଫସଲ ଉତ୍ପାଦନ ହୋଇପାରିବ । ଯାହା ଧରାପୃଷ୍ଠକୁ ସବୁଜିମାରେ ପୂର୍ଣ୍ଣ କରିବା ସହ ଉତ୍ତମ ସ୍ୱାସ୍ଥ୍ୟ ପ୍ରଦାନ କରିବାରେ ସହାୟକ ।

କଳକାରଖାନାରୁ ନିର୍ଗତ ବିଷାକ୍ତ ଜଳ ଓ ବର୍ଷା ସମୟରେ ଚାଷ ଜମିରୁ ରାସାୟନିକ ସାର ଓ କୀଟନାଶକ ମିଶ୍ରିତ ଜଳ ନଦୀ, ପୋଖରୀରେ ମିଶିବାଦ୍ୱାରା ଜଳ ପ୍ରଦୂଷଣ ବହୁଳ ଭାବରେ ବୃଦ୍ଧି ପାଇଛି । କୃଷି ଓ ପ୍ରଯୁକ୍ତି ବିଭାଗର ତଥ୍ୟ ଅନୁସାରେ ଗୋବରଦ୍ୱାରା ଜଳ ବିଶୋଧନ କରାଯାଇପାରୁଛି ।

ଗୋବର ଘଷି ଓ ଗୋବର ଗ୍ୟାସ୍ଦ୍ୱାରା ରୋଷେଇ କରିବା ସଙ୍ଗେସଙ୍ଗେ ଦେଶୀ ଗାଈ ଘିଅରେ ଦୀପ ଜାଳିବାଦ୍ୱାରା ଅଗ୍ନି ଶୁଦ୍ଧ ହେବା ସହ ପରିବେଶ ବିଶୁଦ୍ଧ ହୋଇଥାଏ ।

ଗୋବର, ଗୋମୂତ୍ର ଓ ଘିଅ ଦୀପ ବାୟୁ ବିଶୋଧକ । ଶାସ୍ତ୍ର ଅନୁଯାୟୀ ଯେଉଁଠାରେ ଗୋ-ବଂଶ ଆନନ୍ଦରେ ବାସ କରନ୍ତି ଓ ଶାନ୍ତିରେ ଶ୍ୱାସ ନିଅନ୍ତି, ସେ ସ୍ଥାନର ବାୟୁ ଓ ପରିବେଶ ଶୁଦ୍ଧ ହୁଏ ।

ଆକାଶ ତତ୍ତ୍ୱ ଶବ୍ଦ ସହିତ ସମ୍ପର୍କିତ । ପ୍ରାଣୀଜଗତ ବିଶେଷତଃ ଗୋଜାତି ଉପରେ ଦିନକୁ ଦିନ ବଢୁଥିବା ଅତ୍ୟାଚାର ଓ ସେମାନଙ୍କ ଆକୁଳ କ୍ରନ୍ଦନ ପରିବେଶକୁ ଅଶାନ୍ତ କରିଛି । ତେଣୁ ଜୀବଜଗତର ସୁରକ୍ଷା ସହିତ ଗୋବଂଶଙ୍କର ବିଶେଷ ଯତ୍ନ ଆବଶ୍ୟକ । ଗୋ-ରବ ଶାନ୍ତି ଓ ଆନନ୍ଦ ବର୍ଦ୍ଧକ ।


ବେଦରେ ଗୋ-ମହିମା[ସମ୍ପାଦନା]

ଋଗ୍ ବେଦ[ସମ୍ପାଦନା]

ମାତା ରୁଦ୍ରାଣାଂ ଦୁହିତା ବସୁନାଂ

ସ୍ୱସାଦିତ୍ୟାନାମମୃତସ୍ୟ ନାଭି: ।। (ଋଗ୍ ବେଦ ୮/୧୦୧/୧୫) ଗୋମାତା ଏକାଦଶ ରୁଦ୍ରଙ୍କର ମାତା, ଅଷ୍ଟବସୁଙ୍କର୍ କନ୍ୟା ଓ ଦ୍ୱାଦଶ ଆଦିତ୍ୟଙ୍କର ଭଗିନୀ, ଯିଏ ଅମୃତରୂପୀ ଦୁଗ୍ଧ ପ୍ରଦାନ କରନ୍ତି ।

ସମିନ୍ଦ୍ର ରାୟା ସମିଷା ରଭେମହି ସଂ ବାଜେଭିଃ ପୁରୁଶ୍ଚନ୍ଦ୍ରୈରଭିଦ୍ୟୁଭିଃ ।

ସଂ ଦେବ୍ୟା ପ୍ରମତ୍ୟା ବୀରଶୁଷ୍ମୟା ଗୋଅଗ୍ରୟାଶ୍ୱାବତ୍ୟା ରଭେମହି ।। (ଋଗ୍ ବେଦ ୧/୫୩/୫)

ବେଦର ନିର୍ଦ୍ଦେଶ ଅନୁଯାୟୀ ଯଦି କେହି ଏହି ମାୟା-ରାଜ୍ୟରେ ସମସ୍ତ ପ୍ରକାର ବୈଭବ ପ୍ରାପ୍ତ କରିବାକୁ ଚାହେଁ ତେବେ ଗୋମାତାଙ୍କର ସେବା କରିବା ଆବଶ୍ୟକ ।

[୩]


ପୁରାଣରେ ଗୋମାତା[ସମ୍ପାଦନା]

ସ୍କନ୍ଦ ପୁରାଣ[ସମ୍ପାଦନା]

ଗୋଭିର୍ବିପ୍ରୈଶ୍ଚ ବେଦୈଶ୍ଚ ସତୀଭିଃ ସତ୍ୟବାଦିଭିଃ । ଅଲୁବ୍ଧୈର୍ଦାନଶୀଳୈଶ୍ଚ ସପ୍ତଧିର୍ଧାର୍ଯ୍ୟତେ ମହୀ ।। ଅର୍ଥାତ୍ ଗୋ, ବିପ୍ର, ବେଦ, ସତୀ, ସତ୍ୟବାଦୀ, ନିର୍ଲୋଭୀ ଓ ଦାନୀ ଏହି ସାତ ମହାଶକ୍ତି ଉପରେ ପୃଥିବୀ ତିଷ୍ଠି ରହିଛି । ଏ ସମସ୍ତଙ୍କ ମଧ୍ୟରେ ଗୋବଂଶଙ୍କର ଭୂମିକା ସର୍ବାଗ୍ରେ । [୩]

ପଦ୍ମପୁରାଣ[ସମ୍ପାଦନା]

ଗୋମାତାଙ୍କ ମୁଖରେ ଷଡଙ୍ଗ ଓ ପଦକ୍ରମ ସହିତ ଚାରି ବେଦ ରହିଥାନ୍ତି । ଶିଙ୍ଗର ଅଗ୍ରଭାଗରେ ଇନ୍ଦ୍ର ଓ ଦୁଇ ଶିଙ୍ଗରେ ଭଗବାନ୍ ଶଙ୍କର ଓ କେଶବ ରହନ୍ତି । ଉଦରରେ ସ୍କନ୍ଦ, ମୁଣ୍ଡରେ ବ୍ରହ୍ମା, ଲଲାଟରେ ବୃଷଭଧ୍ୱଜ, ଦୁଇ କାନରେ ଅଶ୍ୱିନୀ କୁମାର, ଦୁଇ ନେତ୍ରରେ ଚନ୍ଦ୍ରମା ଓ ସୂର୍ଯ୍ୟ, ଦାନ୍ତରେ ଗରୁଡ, ଜୀଭରେ ସରସ୍ୱତୀ, ଅପାନରେ ସମସ୍ତ ତୀର୍ଥ, ଗୋ-ମୂତ୍ରରେ ଜାହ୍ନବୀ ଗଙ୍ଗା, ଲୋମକୂପ ସମୁହରେ ଋଷୀଗଣ, ମୁଖରେ ଉପର ଆଡକୁ ଯମ, ଡାହାଣ ପାର୍ଶ୍ୱକୁ କୁବେର ତଥା ଗରୁଡ, ବାମ ପଟକୁ ତେଜସ୍ୱୀ ଯକ୍ଷଗଣ, ମୁଖ ମଧ୍ୟରେ ଗନ୍ଧର୍ବ, ନାସିକାରେ ନାଗ, ଚାରି ଖୁରାର ପଶ୍ଚାତ୍ ଭାଗରେ ଅପସରାଗଣ, ଗୋବରରେ ଲକ୍ଷ୍ମୀ, ଗୋମୂତ୍ରରେ ସର୍ବମଙ୍ଗଳା ଦେବୀ, ପାଦର ଅନ୍ୟ ଭାଗରେ ସିଦ୍ଧାଦି ଖେଚର, ହମ୍ମା ରଡିରେ ପ୍ରଜାପତି ଓ ଚାରି ପହ୍ନାରେ ଚାରି ସମୁଦ୍ର ରହିଥାନ୍ତି । ଯେ ପ୍ରତିଦିନ ଗାଈକୁ ସ୍ପର୍ଶ କରନ୍ତି, ସେ ଏହି ସମୁଦ୍ରରେ ସ୍ନାନ କରିନିଅନ୍ତି । ତେଣୁ ମନୁଷ୍ୟ ନିଜର ପୁଷ୍ଟି ସାଧନ ପାଇଁ ଗୋମାତାଙ୍କୁ ସ୍ପର୍ଶ କରିବା ଉଚିତ୍ । ଏତଦ୍ୱାରା ସେ ସମସ୍ତ ପାପରୁ ମୁକ୍ତ ହୋଇଯାନ୍ତି । ଗୋମାତାଙ୍କ ଖୁରାଦ୍ୱାରା ଉଡୁଥିବା ଧୂଳିକୁ ମସ୍ତକରେ ଧାରଣ କରୁଥିବା ମନୁଷ୍ୟ ମଧ୍ୟ ସମସ୍ତ ତୀର୍ଥର ଜଳରେ ସ୍ନାନ କରିବା ସଙ୍ଗେ ସମାନ ଓ ସେ ସମସ୍ତ ପାପରୁ ମୁକ୍ତହୁଏ । [୪]

ଗୋ-ସାହିତ୍ୟ[ସମ୍ପାଦନା]

ପଣ୍ଡିତ ଗୋପବନ୍ଧୁ ଦାସ ୧୯୨୨ ମସିହାରେ ବନ୍ଦୀ ଜୀବନ କାଟୁଥିବା ସମୟରେ 'ଗୋ ମାହାତ୍ମ୍ୟ' ନାମରେ ଏକ କାବ୍ୟ ଗ୍ରନ୍ଥ ରଚନା କରିଥିଲେ । ଦେଶରେ ଗୋଜାତିର ଶୋଚନୀୟ ଅବସ୍ଥା ଦେଖି ତାଙ୍କ ପ୍ରାଣ କାନ୍ଦି ଉଠିଥିଲା । ଗୋସେବା ହିଁ ପରମ ଧର୍ମ । ଗୋଜାତିର ଦୁର୍ଗତିରେ ଦେଶର ଦୁର୍ଗତି । ଏହି କଥାକୁ ଅତି ସୁନ୍ଦର ଭାବେ ନବାକ୍ଷରୀ ଛନ୍ଦରେ ଏଥିରେ ବର୍ଣ୍ଣନା କରିଛନ୍ତି । ଏହି ପୁସ୍ତକର କିଛି ଅଂଶ ପାଠକଙ୍କ ନିକଟରେ ଉପସ୍ଥାପନ କରୁଛୁ -

ଗୋ-ଜାତି ବହେ ପରଭାର । ପରେ ବଞ୍ଚାଏ ଦେଇ କ୍ଷୀର ।।

ମରଇ ପର ଉପକାରେ । ଗୋ ସମ କେ ଆଉ ସଂସାରେ ।।

ନ ମଣ ତାକୁ ପଶୁ କରି । ସେ ଲୋକମାତା ବିଶ୍ୱମ୍ଭରୀ ।।

ଗୋ-ଧର୍ମ ସର୍ବ ଧର୍ମ ସାର । ଯେ କରେ ଗୋ-ଧର୍ମ-ଆଚାର ।।

ସାଧଇ ପର ଉପକାର । କ୍ଳେଶରେ ନ ହୁଏ କାତର ।।

ପାଣି ଫୁଟାଇ ନିଜ ରକ୍ତ । ଅନ୍ୟ ଜୀବନ କରେ ଶକ୍ତ ।।

ପିଆଏ ଅନ୍ୟେ ସୁଧାରସ । ଲଭି ଆପଣା ଦେହେ ପ୍ରାସ ।।

ଅନ୍ୟ ସକାଶେ ମରେ ଶେଷେ । ସେ ଲେଖା ଯଥାର୍ଥ ମନୁଷ୍ୟେ ।। [୫]



ଆଧାର[ସମ୍ପାଦନା]

  1. Purnachandra Odia Bhasakosa. |access-date= requires |url= (help)
  2. Paramahamsa, Prajnanananda. Gochara. Odisha Gau-Seva Samiti. |access-date= requires |url= (help)
  3. ୩.୦ ୩.୧ "Go-Seva-Ank(Hindi)". Annual edition of Go-kalyan, published by Gita Press Gorakhpur. |access-date= requires |url= (help)
  4. "Go-Ank(Hindi)". ANNUAL NUMBERS OF KALYAN published by Gita Press Gorakhpur. 20th Annual Issue. |access-date= requires |url= (help)
  5. Go Mahatmya(odia). Odisha Gau-Seva Samiti, Bhubaneswar. |access-date= requires |url= (help)