ଗିରମିଟିଆ ପ୍ରଥା

ଉଇକିପିଡ଼ିଆ ରୁ
Jump to navigation Jump to search

ଗିରିମିଟିଆ ବା ଗିରମିଟିୟା ପ୍ରଥା ଭାରତରେ ଇଂରେଜ ମାନଙ୍କଦ୍ୱାରା ସନ ୧୮୩୪ରୁ ୧୯୧୭ ଯାଏଁ ପ୍ରଚଳିତ ଏକ ଦାସତ୍ୱ ପ୍ରଥା । ବିଭିନ୍ନ ରାଷ୍ଟ୍ରୀୟ ସଂଗଠନ ମନଙ୍କ ପ୍ରବଳ ବିରୋଧ କାରଣରୁ ୧୯୧୭ରେ ଏହାକୁ ନିଷେଧ ଘୋଷଣା କରାଯାଇଥିଲା ।[୧]

ଉତ୍ପତ୍ତି[ସମ୍ପାଦନା]

୧୮ଶହ ଶତାବ୍ଦୀରେ ଇଂରେଜ ମାନେ ଭାରତରେ ବଳଶାଳୀ ହୋଇ ଭାରତୀୟ ପ୍ରଜାର ଏପରି ଶୋଷଣ କଲେ ଯେ ସେମାନେ ଖାଦ୍ଯ ଅଭାବରୁ ପୋକମାଛି ଭଳି ମରିବା ଆରମ୍ଭ କରିଦେଇଥିଲେ । ତାପରେ ଆରମ୍ଭ ହେଲା ଦାସତ୍ୱ ପ୍ରଥା । ପେଟପାଟଣା ପାଇଁ ଦେଶର କେତେକ ଗରିବ ଲୋକେ ଇଂରେଜ ମାନଙ୍କ ସହ ଏକ ପ୍ରକାରର ବୁଝାମଣା (ଏଗ୍ରିମେଣ୍ଟ) ଦସ୍ତଖତ (ଅଙ୍ଗୁଠି ଛାପ ଦେଇ) କଲେ ଯାହାକୁ ଗିରମିଟ (ସମ୍ବଲପୁର ଅଂଚଳରେ ପରିଚିତ ନାଁ) କୁହାଗଲା । ଗିରମିଟ ଶବ୍ଦଟି ଏଗ୍ରିମେଣ୍ଟ ଶବ୍ଦର ଅପଭ୍ରଂଶ ରୂପ ଅଟେ । ହିନ୍ଦୀଭାଷୀ ଇଂରେଜମାନଙ୍କ ଚୁକ୍ତିପତ୍ରରେ ସ୍ୱାକ୍ଷର କରିଥିବା ଶ୍ରମିକମାନଙ୍କୁ ଗିରିମିଟିୟା କହୁଥିଲେ ।[୨]

ଇଂରେଜ ଶାସନର ପ୍ରାରମ୍ଭିକ କାଳରେ ପ୍ରତିବର୍ଷ ଦେଶର ୧୦,୦୦୦ରୁ ୧୫,୦୦୦ ଶ୍ରମିକଙ୍କୁ ସାମାନ୍ଯ ଅର୍ଥ କିଛି ଆଗତୁରା ଦେଇ ଗୋଲାମ ଭଳି ଅନ୍ଯ ଦେଶକୁ ପଠେଇ ସେମାନଙ୍କଦ୍ୱାରା ଦୁଇଗୁଣ ପରିଶ୍ରମ କରାଉଥିଲେ । ବିଶେଷତଃ ଫିଜି, ବ୍ରିଟିଶ ଗୁଆନା, ଡଚ ଗୁଆନା, ତ୍ରିନିଦାଦ ଟୋବେଗୋ ଏବଂ ଦକ୍ଷିଣ ଆଫ୍ରିକାକୁ ଅଧିକାଂଶ ଭାରତୀୟମାନଙ୍କୁ ଶ୍ରମିକ ରୂପକ ଦାସ ଭଳି ପାଠାଯାଉଥିଲା ।

ଇଂରେଜ ମାନେ ଭାରତର କିଛି ଦେଶୀ ଚାଟୁକାର ଲୋକଙ୍କୁ ପାଳି ତାଙ୍କ ହାତରେ ଏଇ ଧନ୍ଦା କରୁଥିଲେ । ତାଙ୍କ ସରକାରୀ କାଗଜପତ୍ରରେ ଏ ସବୁ ଧନ୍ଦାକୁ ମାନ୍ଯତା ପ୍ରଦାନ କରାଯାଇଥିଲା ଏବଂ ଏ ଧନ୍ଦା କରୁଥିବା ଚନ୍ଦାମାନେ ମଧ୍ଯ କମ୍ପାନୀ ସରକାରଙ୍କ ଛତ୍ରଛାୟା ତଳେ ନିଜକୁ ସୁରକ୍ଷିତ ରଖିପାରୁଥିଲେ ।

ପ୍ରଭାବ[ସମ୍ପାଦନା]

କାମ ନ କଲେ ବଳଦକୁ ଛାଟରେ ପିଟିଲା ଭଳି ଗିରମିଟିଆକୁ ସହିବାକୁ ହେଉଥିଲା ମାଲିକର ଅକଥନୀୟ ଅତ୍ଯାଚାର । ଶିକ୍ଷା ସ୍ୱାସ୍ଥ୍ୟସେବା ମନୋରଂଜନ ବହୁତ ଦୂରର କଥା । ୨୨ରୁ ୨୪ ଘଣ୍ଟା ଦୈନିକ ଖଟାଇ ଦୁଇ ବକ୍ତ ଖାଦ୍ଯ ମଧ୍ଯ ଦେଉନଥିଲେ ଗିରମିଟ ମାଲିକ । ବିଦେଶ ମାଟିରେ ଅତ୍ଯାଚାର ସହି ନ ପାରି ଅନେକ ଶ୍ରମିକ ଅକାଳ ମୃତ୍ଯୁବରଣ କରୁଥିଲେ ।

ଗିରମିଟିଆଙ୍କ ଚୁକ୍ତି ମୁତାବକ ସେମାନଙ୍କୁ ମାତ୍ର ପାଞ୍ଚବର୍ଷ ଯାଏଁ ଖଟିବାକୁ ହେଉଥିଲା । ତାପରେ ସେମାନେ ମୁକ୍ତ ହୋଇପାରନ୍ତି । କିନ୍ତୁ ଗିରମିଟିଆ ଶ୍ରମିକମାନଙ୍କ ପାଖରେ ଭାରତ ଫେରିଯିବା ପାଇଁ ଯଥେଷ୍ଟ ସମ୍ବଳ ନଥିବା ତଥା ଉପଯୁକ୍ତ ବୈଦେଶିକ ଜ୍ଞାନ ଅଭାବରୁ ସେମାନେ ଆଜୀବନ ବିଦେଶ ମାଟିରେ ଖଟି ଖଟି ମରିଯିବାକୁ ବାଧ୍ଯ ହେଉଥିଲେ । ବିଦେଶ ମାଟିରେ ଗିରମିଟିଆ ଶ୍ରମିକଙ୍କ ପାଖରେ କେବଳ ଦୁଇଟି ପନ୍ଥା ରହୁଥିଲା ସେଇ ମାଲିକ ପାଖରେ ପଡିରହି ଆଜୀବନ ଖଟିବା କିମ୍ବା ଅନ୍ଯ ଗିରମିଟ ମାଲିକ ପାଖରେ କାମ କରିବା ।

ଗିରମିଟିଆକୁ ବିବାହ ବଂଶବୃଦ୍ଧି କରିବାର ଅଧିକାର ନଥିଲା । ଯଦି କିଛି ଗିରମାଟିଆ ବିବାହ କରୁଥିଲେ ବି ତାଙ୍କ ସହ ଦାସ ଭଳି ବ୍ଯବହାର କରାଯାଉଥିଲା । ସେମାନଙ୍କର ସ୍ତ୍ରୀ ପିଲାଙ୍କୁ ବିକ୍ରୀ କରିବାର ଅଧିକାର ମାଲିକମାନଙ୍କୁ ଇଂରେଜ ସରକାର ଦେଉଥିଲେ । ଗିରମାଟିଆ ଶ୍ରମିକ ସେମାନଙ୍କ ସହ ପ୍ରାୟଃ ଚାଳିସ ପ୍ରତିଶତ ସ୍ତ୍ରୀନେଇ ବିଦେଶ ଯାଉଥିଲେ । ଯୁବା ବୟସର ଗୋଲାମ ସ୍ତ୍ରୀମାନଙ୍କୁ ମାଲିକ ମାନେ ରକ୍ଷିତା କରି ଖୁବ ଶୋଷଣ କଲାପରେ ଆକର୍ଷଣ କମ ହେଲା ପରେ ଶ୍ରମିକମାନଙ୍କୁ ଦେଇଦେଉଥିଲେ ଗିରମିଟ ଶ୍ରମିକ ମାନଙ୍କ ସନ୍ତାନ ମାଲିକ ମାନଙ୍କ ସମ୍ପତ୍ତି ବୋଲି ଇଂରେଜ ବାହାଦୁର ସେମାନଙ୍କୁ ସରକାରୀ ସତ୍ତ୍ୱ ପ୍ରଦାନ କରିଥିଲେ ।

ଉଛେଦ[ସମ୍ପାଦନା]

ଦକ୍ଷିଣ ଆଫ୍ରିକାରେ ମହାତ୍ମା ଗାନ୍ଧୀଙ୍କ ଅହିଂସା ଆନ୍ଦୋଳନ ପରେ ବିଦେଶରେ ରହୁଥିବା ଭାରତୀୟ ଶ୍ରମିକ ମାନେ ତେଜିଲେ । ଏଣେ ଭାରତରେ ଗୋପାଳ କୃଷ୍ଣ ଗୋଖଲେ, ଇମ୍ପେରିୟଲ ଲେଜିସ୍ଲେଟିଭ କାଉନସିଲରେ ମାର୍ଚ୍ଚ ୧୯୧୨ରେ ଗିରମିଟିଆ ପ୍ରଥା ସମାପ୍ତ କରିଦେବାକୁ ପ୍ରସ୍ତାବ ଆଗତ କରିଥିଲେ । କାଉନସିଲର ୨୨ ଜଣିଆ ସଦସ୍ଯ ଠିକ କଲେ ଯେତେଦିନ ଯାଏଁ ଏହି ଅମାନୁଷିକ ପ୍ରଥା ବନ୍ଦ ନ ହୋଇଛି ସେତେଦିନ ଯାଏଁ ପ୍ରତିବର୍ଷ ଏହି ପ୍ରସ୍ତାବ କରାଯାଉଥିବ । ଡିସେମ୍ବର ୧୯୧୬ କଂଗ୍ରେସ ଅଧିବେଶନରେ ମହାତ୍ମା ଗାନ୍ଧୀ, ଭାରତ ସୁରକ୍ଷା ଏବଂ ଗିରମିଟିଆ ପ୍ରଥା ଅଧିନିୟମ ପ୍ରସ୍ତାବ ରଖିଲେ । ଏହାର ଏକ ମାସ ପରେ ଫେବୃଆରୀ ୧୯୧୭ରେ ଅହମଦାବାଦଠାରେ ଗିରମିଟିଆ ପ୍ରଥା ବିରୋଧରେ ଏକ ବିଶାଳ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ ଗିରମିଟିଆ ପ୍ରଥା ବିରୋଧରେ ସିଏଫ ଆଣ୍ଡ୍ର୍ଯୁଜ ତଥା ହେନେରୀ ପୋଲକ ମଧ୍ଯ ଭାଷଣ ଦେଇଥିଲେ । ଗିରମିଟିଆ ପ୍ରଥା ବିରୋଧରେ ଧୀରେ ଧୀରେ ଜନସମାଜ ଅଧିକ ସମ୍ବେଦନଶୀଳ ହେବା ଆରମ୍ଭ କରିଦେଲେ । ମାର୍ଚ୍ଚ ୧୯୧୭ରେ ଗିରମିଟିଆ ପ୍ରଥା ବିରୋଧୀ ସଂଗଠନ ମାନେ ଇଂରେଜ ସରକାରଙ୍କୁ ଅଲ୍ଟିମେଟମ ଦେଇଦେଲେ ଯେ ମଇ ମାସ ସୁଦ୍ଧା ଏ ପ୍ରଥା ବନ୍ଦ କରାଯାଉ ନହେଲେ ପରିସ୍ଥିତି ଅସମ୍ଭାଳ ହେବ । ଲୋକଙ୍କର ଉଗ୍ର ଆକ୍ରୋଷ ଆଗରେ ଶେଷରେ ପ୍ରବଳ ପ୍ରତାପୀ ଇଂରେଜ ବାହାଦୁରଙ୍କୁ ନଇଁବାକୁ ହେଲା । ୧୯୧୭ ମଇମାସ ପୂର୍ବରୁ ହିଁ ବନ୍ଦ ହୋଇଗଲା ଗିରମିଟିୟା ପ୍ରଥା ।[୩]

ସଂଘର୍ଷ କାହାଣୀ[ସମ୍ପାଦନା]

ତୋତାରାମ ସନାଢ୍ଯଙ୍କର ଜନ୍ମ ୧୮୭୬ରେ ହିରନଗାଁ ଜିଲ୍ଲା ଫିରୋଜାବାଦ ଉତ୍ତରପ୍ରଦେଶରେ ହୋଇଥିଲା । ତାଙ୍କୁ ଇଂରେଜ ମାନେ ଖଜଣା ପଇଠ ନକରିପାରିଲାରୁ ଗିରମାଟିଆ ଶ୍ରମିକ କରି ଫିଜି ପଠାଇଦେଇଥିଲେ । ଅନେକ ସଂଘର୍ଷ କରି ସେ ସେଠାରୁ ନିଜକୁ ମୁକୁଳେଇ ପାରିଥିଲେ । ଜଣେ ଗିରମିଟ ଶ୍ରମିକ ଭାବେ ସେ ନିଜ ଜୀବନ ଅନୁଭବ ତାଙ୍କ ପୁସ୍ତକ "फिजी में मेरे इक्कीस वर्ष"ରେ ବର୍ଣ୍ଣନା କରିଅଛନ୍ତି । [୪]

ଆଧାର[ସମ୍ପାଦନା]

  1. http://www.abhivyakti-hindi.org/aaj_sirhane/2005/pahla_girmitiya.htm
  2. http://www.gazabpost.com/girmitiya-labours-has-a-painful-past/&grqid=VPGiPDsC&hl=en-IN
  3. http://zeenews.india.com/hindi/india/mauritius-organises-seminars-to-commemorate-180-years-of-arrival-of-indentured-laborers/236865&grqid=Zlp0aPRt&hl=en-IN
  4. http://www.hindisamay.com/vividh/fizi-dveep-me-mere-21-varsh.html&grqid=BJTCYH1o&hl=en-IN