ଖାଓ ଫିଂଗ୍ କାନ୍
Native name: เขาพิงกัน | |
---|---|
Geography | |
Location | ଦକ୍ଷିଣ-ପୂର୍ବ ଏସିଆ |
Coordinates | 8°16′29″N 98°30′04″E / 8.274591°N 98.501151°E |
Administration | |
ଖାଓ ଫିଂଗ୍ କାନ୍ ବା କୋ ଖାଓ ଫିଂଗ୍ କାନ୍ (ଇଂରାଜୀରେ Khao Phing Kan, ଥାଇ ଭାଷାରେ เขาพิงกัน ବା เกาะเขาพิงกัน) ଦ୍ୱୀପ ଥାଇଲାଣ୍ଡର ଫୁକେତରୁ ଉତ୍ତର-ପୂର୍ବକୁ ଥିବା ଫାଂଗ୍ ଙ୍ଗା ଉପସାଗରରେ ଅବସ୍ଥିତ । ଖାଓ ଫିଂଗ୍ କାନ୍ ତଟରୁ ପ୍ରାୟ ୪୦ ମିଟର ଦୂରରେ ସମୁଦ୍ର ମଧ୍ୟରେ ୨୦ ମିଟର ଉଚ୍ଚ ଏକ ପ୍ରସ୍ତର ସ୍ତମ୍ଭ ପରି ଦ୍ୱୀପ ରହିଛି ଯାହାକୁ କୋ ଟାପୁ (ଥାଇ ଭାଷାରେ เกาะตาปู) କୁହାଯାଏ ।
ଏହି ଦ୍ୱୀପଗୁଡ଼ିକର ଶିଳା ମୁଖ୍ୟତଃ ଚୂନ ପଥରରେ ଗଢ଼ା ।[୧] ଏହି ଦ୍ୱୀପ ଆଓ ଫାଂଗ୍ ଙ୍ଗା ଜାତୀୟ ଉଦ୍ୟାନର ଅଂଶ । ୧୯୭୪ ମସିହାରେ ନିର୍ମିତ ଜେମ୍ସ ବଣ୍ଡ ଚଳଚ୍ଚିତ୍ର ଦ ମ୍ୟାନ୍ ୱିଥ୍ ଦ ଗୋଲ୍ଡେନ୍ ଗନ୍ର କିଛି ଅଂଶ ଏହି ଦ୍ୱୀପରେ ନିର୍ମାଣ କରାଯାଇଥିଲା । ତା’ ପରଠାରୁ ଖାଓ ଫିଂଗ୍ କାନ୍ ଓ କୋ ଟାପୁକୁ ଲୋକମାନେ ଜେମ୍ସ ବଣ୍ଡ ଦ୍ୱୀପ (James Bond Island) ନାମରେ ଡାକିବା ଆରମ୍ଭ କଲେ ।
ନାମକରଣ
[ସମ୍ପାଦନା]ଥାଇ ଭାଷାରେ ଖାଓ ଫିଂଗ୍ କାନ୍ର ଅର୍ଥ ହେଲା "ପରସ୍ପରକୁ ଆଉଜି ରହିଥିବା ପାହାଡ଼" ।[୨] ଏହି ଦ୍ୱୀପଗୁଡ଼ିକ ପରସ୍ପର ସହିତ ଏପରି ସଂଲଗ୍ନ ରହିଥିବାରୁ ଏପରି ନାମକରଣ କରାଯାଇଥିବା ସମ୍ଭବପର । “ଖାଓ ଟା ପୁ”କୁ ଅନୁବାଦ କଲେ ତାହାର ଅର୍ଥ “କଙ୍କଡ଼ାର ଆଖି” ଦ୍ୱୀପ ହୋଇଥାଏ । କୋ ଟା ପୁର ଅନୁବାଦ ହେଲା ଗେଣ୍ଡା ଦ୍ୱୀପ ଏବଂ ଏହି ଦ୍ୱୀପର ଆକାର ପାଇଁ ଏପରି ନାମ ଦିଆଯାଇଥିବ । ଥାଇ ଭାଷାରେ କୋଃର ଅର୍ଥ ଦ୍ୱୀପ ଏବଂ ଖାଓର ଅର୍ଥ ପାହାଡ଼ । ହେଲେ କୋ, ଖାଓ ଏବଂ କୋ ଖାଓ ପ୍ରାୟତଃ ଦ୍ୱୀପ ଅର୍ଥରେ ବ୍ୟବହୃତ ହୋଇଥାଏ ।[୩] ୧୯୭୪ ମସିହାର ଜେମ୍ସ ବଣ୍ଡ ଚଳଚ୍ଚିତ୍ର “ଦ ମ୍ୟାନ୍ ୱିଥ୍ ଦ ଗୋଲ୍ଡେନ୍ ଗନ୍”ର କିଛି ଅଂଶ ଏଠାରେ ନିର୍ମିତ ହେବା ପରେ ଖାଓ ଫିଂଗ୍ କାନ୍[୪][୫][୬][୭] ଓ ଖାଓ ଟା ପୁ[୮] ପର୍ଯ୍ୟଟକଙ୍କ ମହଲରେ “ଜେମ୍ସ ବଣ୍ଡ୍ ଆଇଲ୍ୟାଣ୍ଡ୍” ରୂପେ ପ୍ରସିଦ୍ଧି ଲାଭ କଲା ଏବଂ କେବଳ ସ୍ଥାନୀୟ ଲୋକଙ୍କ ଛଡ଼ା ଏହାକୁ ପ୍ରକୃତ ନାମରେ କେହି ଡାକନ୍ତି ନାହିଁ ।[୯]
ଇତିହାସ
[ସମ୍ପାଦନା]୧୯୭୪ ପୂର୍ବରୁ ଏଠାକୁ ବହୁତ କମ୍ ଲୋକଲଯାତାୟତ କରୁଥିଲେ । ଜେମ୍ସ ବଣ୍ଡ୍ ଚଳଚ୍ଚିତ୍ରର ମୁଖ୍ୟ ଖଳନାୟକ ଚରିତ୍ର ଫ୍ରାନ୍ସିସ୍କୋ ସ୍କାରାମାଙ୍ଗାଙ୍କ ବାସସ୍ଥାନ ରୂପେ ଏହି ଦ୍ୱୀପକୁ ଦେଖାଯାଇଥିଲା । ଚଳଚ୍ଚିତ୍ର ପରେ ଦ୍ୱୀପଟି ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳରେ ପରିଣତ ହେଲା[୧୦] କିନ୍ତୁ ଅଧିକ ପର୍ଯ୍ୟଟନ ଯୋଗୁଁ ଏହି ସ୍ଥାନ ବହୁ ମାତ୍ରାରେ ପ୍ରଦୂଷିତ ହେବାରେ ଲାଗିଛି ।[୯]
୧୯୮୧ ମସିହାରେ ଏହି ଦ୍ୱୀପକୁ ନୂତନ ଭାବେ ପ୍ରତିଷ୍ଠିତ ଆଓ ଫାଂଗ୍ ଙ୍ଗା ସାମୁଦ୍ରିକ ଜାତୀୟ ଉଦ୍ୟାନର ଅଂଶ ବୋଲି ଘୋଷଣା କରାଗଲା ।[୪] ୧୯୯୮ ମସିହାରୁ ପର୍ଯ୍ୟଟକମାନଙ୍କ ଡଙ୍ଗା ପାଇଁ କୋ ଟା ପୁ ଦ୍ୱୀପ ନିଷିଦ୍ଧାଞ୍ଚଳ ବୋଲି ଘୋଷଣା କରାଗଲା । ଏଠାକାର ଚୂନ ପଥରର ଅବକ୍ଷୟ ଘଟି ଏହି ସ୍ତମ୍ଭ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଧ୍ୱସ୍ତ ହେବାର ଆଶଙ୍କା ରହିଥିବାରୁ ଏପରି ପଦକ୍ଷେପ ନିଆଯାଇଥିଲା ।[୧୧]
ଜଳବାୟୁ
[ସମ୍ପାଦନା]ଏହି ଅଞ୍ଚଳରେ କ୍ରାନ୍ତୀୟ ମୌସୁମୀ ଜଳବାୟୁ ଅନୁଭୂତ ହୋଇଥାଏ । ଏଠାକାର ତାପମାତ୍ରା ପ୍ରାୟ ସ୍ଥିର ରହେ ଓ ଏଠାରେ ନିୟମିତ ଭାବେ ବୃଷ୍ଟିପାତ ହୋଇଥାଏ । ୧୯୬୧ ମସିହାରୁ ୧୯୯୦ ମସିହା ମଧ୍ୟରେ ସଂଗୃହୀତ ତଥ୍ୟାନୁସାରେ ଏଠାରେ ବାର୍ଷିକ ମଇରୁ ନେଇ ଅକ୍ଟୋବର ମାସ ପର୍ଯ୍ୟନ୍ତ ହାରାହାରି ୧୮୯ ଦିନରେ ୩୫୬୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୁଏ । ହାରାହାରି ତାପମାତ୍ରା ୨୩° ସେଲସିୟସ୍ରୁ ୩୨° ସେଲସିୟସ୍ ମଧ୍ୟରେ ରହିଥାଏ ଓ ଆପେକ୍ଷିକ ଆର୍ଦ୍ରତା ପ୍ରାୟ ୮୩% ।[୧୨]
ଭୂଗୋଳ
[ସମ୍ପାଦନା]ଖାଓ ଫିଂଗ୍ କାନ୍
[ସମ୍ପାଦନା]ଦୁଇଟି ଅରଣ୍ୟାବୃତ ଢାଲୁ ପାହାଡ଼ ପରି ଦ୍ୱୀପକୁନେଇ ଖାଓ ଫିଂଗ୍ କାନ୍ ଗଠିତ । ଫାଂଗ୍ ଙ୍ଗା ଉପସାଗରର ଉତ୍ତର-ପଶ୍ଚିମ ପଟକୁ ମୁଖ୍ୟ ସ୍ଥଳଭାଗରୁ ପ୍ରାୟ ୬ କିଲୋମିଟର ଦୂରରେ ଏହି ଦ୍ୱୀପ ଅବସ୍ଥିତ । ଦ୍ୱୀପର ପଶ୍ଚିମ ପାର୍ଶ୍ୱର ବ୍ୟାସ ପ୍ରାୟ ୧୩୦ ମିଟର । ପୂର୍ବ ପଟର ଦୈର୍ଘ୍ୟ ୨୪୦ ମିଟର ଓ ପ୍ରସ୍ଥ ପ୍ରାୟ ୧୪୦ ମିଟର । ଉତ୍ତର ପଟକୁ ଦ୍ୱୀପଟି ଅପ୍ରଶସ୍ତ ଭାବରେ ଲମ୍ବିଛି । ଦ୍ୱୀପର ଦକ୍ଷିଣ-ପଶ୍ଚିମରେ କେତୋଟି ଗୁମ୍ଫା ଓ ବାଲୁକାପୂର୍ଣ୍ଣ ବେଳାଭୂମି ରହିଛି । ଏହି ଦ୍ୱୀପରେ ପର୍ଯ୍ୟଟକଙ୍କ ଟିକସ ପଇଠ କରିବା ପାଇଁ ଏକ କାର୍ଯ୍ୟାଳୟ, ସାମୁଦ୍ରିକ ଜୀବଙ୍କ ଅବଶେଷରେ ନିର୍ମିତ କଳା ଓ ଘରସଜା ପଦାର୍ଥର ଦୋକାନ ରହିଛି ।[୪] ୨ରୁ ୩ ମିଟର ଉଚ୍ଚ ଜୁଆର ଯୋଗୁଁ ଗୁମ୍ଫା ଓ ବେଳାଭୂମି ଅଧିକାଂଶରେ ଜଳ ପ୍ଳାବିତ ରହିଥାଏ । କେବଳ ନିମ୍ନ ଜୁଆର ସମୟରେ ଏଗୁଡ଼ିକ ଦେଖିହେବ ।[୩] ଦ୍ୱୀପର ଥାଇ ନାମ ଖାଓ ଫିଂଗ୍ କାନ୍ ଏହି ଦ୍ୱୀପର ଚୂନ ପଥର ପାହାଡ଼ର ଢଳି ରହିଥିବା ଆକାରରୁ ଉଦ୍ଧୃତ ।[୪]
ଦ୍ୱୀପ ନିକଟସ୍ଥ ସମୁଦ୍ରର ପାଣି ଗାଢ଼ କିମ୍ବା ଫିକା ସବୁଜ ରଙ୍ଗର । ଉପସାଗରର ନିମ୍ନାଂଶରେ ଉତ୍ତର ପଟର ନଦୀମାନେ ନିଷ୍କାସନ କରିଥିବା ମାଟି ଜମି ରହିଛି ।[୧୩]
ଖାଓ ଟା ପୁ
[ସମ୍ପାଦନା]ଖାଓ ଟା ପୁ ୨୦ ମିଟର ଉଚ୍ଚ ଏକ ଚୂନ ପଥର ସ୍ତମ୍ଭ । ଜଳ ସ୍ତରରେ ପଥର ସ୍ତମ୍ଭର ବ୍ୟାସ ପ୍ରାୟ ୪ ମିଟର ହୋଇଥିବା ବେଳେ ଏହା କ୍ରମଶଃ ବଢ଼ି ଉପରେ ଏହାର ବ୍ୟାସ ପ୍ରାୟ ୮ ମିଟର । ଖାଓ ଫିଂଗ୍ କାନ୍ର ଉତ୍ତର ପଟରୁ ପଶ୍ଚିମ ଦିଗକୁ ସମୁଦ୍ର ମଝିରେ ପ୍ରାୟ ୪୦ ମିଟର ଦୂରରେ ଏହି ପଥର ସ୍ତମ୍ଭ ଦ୍ୱୀପ ରହିଛି ।
ଖାଓ ଟା ପୁ ବିଷୟରେ ସ୍ଥାନୀୟ ଲୋକକଥା ବା କିମ୍ବଦନ୍ତୀ ମଧ୍ୟ ରହିଛି । ଏହି କଥାନୁସାରେ ଏଠାରେ ଏକ ମତ୍ସ୍ୟଜୀବୀ ରହୁଥିଲା ଯେ ପ୍ରତିଦିନ ସମୁଦ୍ରରୁ ମାଛ ମାରି ଜୀବିକା ନିର୍ବାହ କରୁଥିଲା । ଥରେ ବହୁ ଚେଷ୍ଟା ସତ୍ତ୍ୱେ ସେ କୌଣସି ମାଛ ଧରି ପାରିଲା ନାହିଁ ଓ ଶେଷରେ ତା’ ଜାଲରେ କେବଳ କଣ୍ଟାଟିଏ ଲାଗିଲା । ଯେତେ ଥର ସେ କଣ୍ଟାଟିକୁ ପାଣି ଭିତରକୁ ଫିଙ୍ଗି ପୁଣି ଜାଲ ପକାଇଲା ସବୁବେଳେ ପୁଣି ସେହି କଣ୍ଟା ତା’ ଜାଲରେ ଲାଗିଲା । ଶେଷରେ କ୍ରୋଧିତ ହୋଇ ସେ କଣ୍ଟାଟିକୁ ଦୁଇ ଫାଳ କରି ସମୁଦ୍ରରେ ଫିଙ୍ଗିଦେଲା ଓ ସେହି କଣ୍ଟାରୁ ଖଣ୍ଡିଏ ଖାଓ ଟା ପୁରେ ପରିଣତ ହେଲା ।[୧୨]
ବୈଜ୍ଞାନିକ ମତାନୁସାରେ ଖାଓ ଟା ପୁ ପର୍ମିଆନ୍ ସମୟର ଏକ ପ୍ରବାଳ ଦ୍ୱୀପ । ଟେକ୍ଟୋନିକ୍ ପ୍ଲେଟ୍ର ଚଳନ ଘଟି ଭଗ୍ନ ଓ ବିଖଣ୍ଡିତ ଦ୍ୱୀପମାନ ସୃଷ୍ଟି ହୋଇଛି । ବାୟୁ, ଜଳ ତରଙ୍ଗ ଯୋଗୁଁ କ୍ରମଶଃ ପଥରଗୁଡ଼ିକର ଅବକ୍ଷୟ ଘଟି ବର୍ତ୍ତମାନର ଅବସ୍ଥା ସୃଷ୍ଟି ହୋଇଛି ।[୧୩] ଜୁଆର ଯୋଗୁଁ ଘଟିଥିବା ଅବକ୍ଷୟ ଖାଓ ଟା ପୁ ତଳେ ସ୍ପଷ୍ଟ ରୂପେ ଦେଖିହେବ ।
ଜେମ୍ସ ବଣ୍ଡ ଚଳଚ୍ଚିତ୍ର ଦ ମ୍ୟାନ୍ ୱିଥ୍ ଦ ଗୋଲ୍ଡେନ୍ ଗନ୍ର କଥା ଅନୁସାରେ ଖଳନାୟକ ଚରିତ୍ର ଫ୍ରାନ୍ସିସ୍କୋ ସ୍କାରାମାଙ୍ଗା ଏକ ଛତୁ ଆକାରର ପଥର (ଖାଓ ଟା ପୁ) ଉପରେ ଦୁଇଟି ବୃହତ ସୌର ପ୍ୟାନେଲ୍ ନିର୍ମାଣ କରିଥିଲେ ଯାହା ନିରବଚ୍ଛିନ୍ନ ଭାବେ ସୌର ଶକ୍ତି ଗ୍ରହଣ କରୁଥିଲା । ଖାଓ ଟା ପୁ ଦ୍ୱୀପଟି ଆଉ ଏକ ଜେମ୍ସ ବଣ୍ଡ୍ ଚଳଚ୍ଚିତ୍ର ଟୁମୋରୋ ନେଭର୍ ଡାଇସ୍ରେ ମଧ୍ୟ ଦେଖିବାକୁ ମିଳେ । ଏତତ୍ ବ୍ୟତୀତ ଇଟାଲୀୟ ଚଳଚ୍ଚିତ୍ର କ୍ୱୋ ଭାଡୋର ଏକ ଅଂଶ ମଧ୍ୟ ଏହି ଦ୍ୱୀପରେ ନିର୍ମିତ ହୋଇଥିଲା ।
ଆହୁରି ଦେଖନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Thailand: Ko Khao Phing Kan (James Bond Island), Ao Phang Nga (Phangnga Bay) National Park, Phang Nga Province". Pictures from History. Archived from the original on 29 November 2014. Retrieved 24 November 2014.
- ↑ "Phang-nga Town". Archived from the original on 1 May 2010. Retrieved 4 July 2009.
- ↑ ୩.୦ ୩.୧ Approaching James Bond Island, 6 Apr 2009 Archived 31 August 2013 at the Wayback Machine.
- ↑ ୪.୦ ୪.୧ ୪.୨ ୪.୩ Joe Cummings, Becca Blond, Morgan Konn Thailand, Lonely Planet (2005) ISBN 1-74059-697-8 p. 642 web version
- ↑ Carter, Mike (20 November 2000). "Thailand: All quiet on the Andaman Sea". The Telegraph. Retrieved 3 July 2019.
- ↑ Duncan, Fiona (18 January 2006). "Time to move on". The Telegraph. Retrieved 3 July 2019.
- ↑ Sykes, Martin (30 March 2010). "Phuket: Like a limestone cowboy". The New Zealand Herald. Retrieved 12 Oct 2011.
- ↑ Travel like 007, NBC News, 11 November 2008[not in citation given]
- ↑ ୯.୦ ୯.୧ Claudia Springer James Dean transfigured: the many faces of rebel iconography, University of Texas Press, 2007 ISBN 0292714440 p. 195
- ↑ "The Man With the Golden Gun film locations". Archived from the original on 2013-03-24. Retrieved 2020-11-24.
- ↑ Ko Tapu is closed for tourists, Travel.ru (in Russian)
- ↑ ୧୨.୦ ୧୨.୧ "Ao Phang-nga National Park". Department of National Parks (DNP). 21 May 2014. Archived from the original on 20 October 2014. Retrieved 3 July 2019.
- ↑ ୧୩.୦ ୧୩.୧ Phang Nga Bay National Park, National Park Division, Royal Forestry Department[not in citation given]
ଅନ୍ୟାନ୍ୟ ଲିଂକ୍
[ସମ୍ପାଦନା]
- Khao Phing Kan Archived 2021-01-13 at the Wayback Machine.: Ao Phang Nga National Park, Thailand.