ଖନା ବଚନ

ଉଇକିପିଡ଼ିଆ‌ରୁ

ଜ୍ୟୋତିଷ ବିଦ୍ୟା ବିଶରଦ ବରାହମିହୀରଙ୍କ ପୁତ୍ରବଧୁ ଲୀଳାବତୀ କହିଥିବା ଜ୍ୟୋତିଷ ସାରକଥା ଖନା ବଚନ ଭାବେ ପ୍ରସିଦ୍ଧ । ଲୀଳାବତୀ ଜ୍ୟୋତିଷ ଶାସ୍ତ୍ରବିଦ୍ୟାରେ ପୃଥିବୀର ସର୍ବଶ୍ରେଷ୍ଠା, ତାଙ୍କର ଗଣନା ଅଭ୍ରାନ୍ତ ଏବଂ ଆଶ୍ଚର୍ଯ୍ୟ ଧରଣର ଥିଲା। ଶଶୁରଙ୍କ ଆଦେଶ ପାଳନ କରି ତାଙ୍କ ସ୍ୱାମୀ ମିହୀର ତାଙ୍କ ଜିହ୍ୱା ଛେଦନ କରିଥିଲେ । ଜିହ୍ୱା ଛେଦନ ପୂର୍ବରୁ ସେ କାଳ ନିରୂପଣ, ଶସ୍ୟ ବିଷୟର ଜ୍ଞାନ, କୃଷିତତ୍ତ୍ୱ ଜ୍ୟୋତିଷର ଅନେକ ସାରକଥା କହିଥିଲେ। ସେ ସବୁ ବଙ୍ଗଳାଓଡ଼ିଆ ଭାଷାରେ ଖନା ବଚନ ଭାବେ ପ୍ରଚଳିତ।

କିମ୍ବଦନ୍ତୀ[ସମ୍ପାଦନା]

ଧନ୍ୱନ୍ତରୀ, କ୍ଷପଣକ, ଅମରସିଂହ, ଶଙ୍କୁ, ବେତାଳଭଟ୍ଟ, ଘଟକର୍ପୂର, କାଳି ଦାସ,ବରାହମିହୀର ଓ ବରରୁଚି ଏହି ନଅଜଣ ନବରତ୍ନ । ଏମାନେ ଉଜ୍ଜୟିନୀ ମହାନଗରରେ ବୀର ବିକ୍ରମାଦିତ୍ୟଙ୍କ ରାଜସଭା ଅଳଂକୃତ କରୁଥିଲେ। ଏହିମାନେ ଆର୍ୟୁବେଦ, ଜ୍ୟୋତିଷ, ସାହିତ୍ୟ ଦର୍ଶନ ପ୍ରଭୃତି ବିଷୟରେ ଦିଗବିଜୟୀ ପଣ୍ଡିତ ଥିଲେ । ବରାହମିହୀର ଏହି ନବରତ୍ନଙ୍କ ମଧ୍ୟରେ ଅନ୍ୟତମ।

ଲୀଳାବତୀ ଏକ ରାଜବଂଶରେ ଜନ୍ମ ଗ୍ରହଣ କରିଥିଲେ, କିନ୍ତୁ ସମୁଦ୍ର ମଧ୍ୟରେ କୈଣସି ଦ୍ୱୀପରେ ବାସ କରୁଥିବା କେତେକ ରାକ୍ଷସ ଲୀଳାବତୀଙ୍କର ପିତୃରାଜ୍ୟରେ ପ୍ରବେଶ କରି ତାଙ୍କୁ ସବଂଶରେ ମାରି ସେହି ରାଜ୍ୟରେ ବାସ କରୁଥିବା ପ୍ରଜାମାନଙ୍କୁ ବିନାଶ କରି ରାଜକୋଷର ସମସ୍ତ ଧନରତ୍ନ ଅପହରଣ କରିନେଲେ । ମାତ୍ର ଲୀଳାବତୀଙ୍କୁ ଅଳ୍ପବୟସ୍କା କୁମାରୀ ଦେଖି ଏବଂ ତାଙ୍କର ସୌନ୍ଦର୍ଯ୍ୟରେ ମୁଗ୍ଧହୋଇ ପ୍ରତିହିଂସା ପରାୟଣ ରାକ୍ଷସମାନଙ୍କ ହିଂସା ବିଦୂରିତ ହେଲା। ସେମାନେ ଧନରତ୍ନ ସହିତ ସୁକୁମାରୀ ଲୀଳାବତୀଙ୍କୁ ଅକ୍ଷର ଶରୀରରେ ନିଜ ଘରକୁ ନେଇ ଗଲେ । ସେଠାରେ ସୁକନ୍ୟାକୁ ଲାଳନ ପାଳନ କରି ନାନାଦି ଜ୍ୟୋତିଷ ଶାସ୍ତ୍ରଶିକ୍ଷା ଦେଲେ । ଯାହାଦ୍ୱାରା ସେ ପୃଥିବୀର ସର୍ବଶ୍ରେଷ୍ଠା ଜ୍ୟୋତିଷ ରୂପରେ ନିଜର ପରିଚୟ ଦେଇ ଯାଇଛନ୍ତି।

ଏଣେ ଉଜ୍ଜୟିନୀରେ ବରାହମିହୀରଙ୍କ ଗୋଟିଏ ପୁତ୍ର ସନ୍ତାନ ଜାତ ହେଲା, ଜ୍ୟୋତିଷ ବିଷାରଦ ପିତା ତାଙ୍କର ଜନ୍ମକୋଷ୍ଠୀ ବିଚାର କରି ଶତବର୍ଷ ପରମାୟୁ ସ୍ଥାନରେ ଦଶବର୍ଷ ବୋଲି ସ୍ଥିର କଲେ । ତେଣୁ ବରାହମିହୀର ଦଶବର୍ଷ ପୁଅର ମୃତ୍ୟୁହେଲେ ବିଶେଷ କଷ୍ଟଦାୟକ ହେବ ବୋଲି ସଦ୍ୟଜାତ ଶିଶୁଟିକୁ ଗୋଟିଏ କାଷ୍ଠପାତ୍ରରେ ପୁରାଇ ନଦୀଗର୍ଭରେ ଭସାଇ ଦେଲେ । ଉକ୍ତ ପାତ୍ରଟି ଭାସି ଯାଇ ଲୀଳାବତୀ ଥିବା ଦ୍ୱୀପ ନିକଟରେ ଲାଗିଲା । ସେଠାରେ ଜୈନକ ରାକ୍ଷସ ସୁକୁମାର ଶିଶୁଟିକୁ ଦେଖି ତାର ରୂପଲାବନ୍ୟରେ ଆକୃଷ୍ଟ ହୋଇ ଲୀଳାବତୀ ନିକଟରେ ରଖିଲା ଏବଂ ପୁତ୍ରକନ୍ୟା ନିର୍ବିଶେଷରେ ଲୀଳାବତୀ ଓ ମିହିର ଏହି ଦୁଇଟିକୁ ଲାଳନ ପାଳନ କରିବା ସଙ୍ଗେ ସଙ୍ଗେ ଜ୍ୟୋତିଷ ବିଦ୍ୟା ଶିକ୍ଷା ଦେଲେ । ଦୁଇ ଜଣ ଶୈଶବ ଅବସ୍ଥା ଅତିକ୍ରମ କରି ଯୌବନରେ ପ୍ରବେଶ କଲେ । ଏକତ୍ର ବାସ ହେତୁ ପରସ୍ପର ପ୍ରତି ପ୍ରେମ ଦୃଷ୍ଟି ପଡିଲା ଓ ପରସ୍ପର ପ୍ରେମରେ ଛନ୍ଦି ହୋଇଗଲେ । ସୁତରାଂ କ୍ରୂର ରାକ୍ଷସମାନଙ୍କ କବଳ ମୁକ୍ତି ପାଇଁ ଉଭୟ ବହୁତ ଚେଷ୍ଟା କରୁଥିଲେ । ଦିନେ ଦୁହେଁ ମାହେନ୍ଦ୍ର ମୁହୂର୍ତ୍ତ ସ୍ଥିରକରି ଘରୁ ବାହାରି ପଡିଲେ ଲକ୍ଷ୍ୟହୀନ ଭାବରେ । ଏହା ଜାଣି ପ୍ରହରୀ ଦଳପତିଙ୍କୁ ସମ୍ବାଦ ଦେଲା । ମାତ୍ର ଦଳପତି ଭାବିଲେ ଯେ ଏମାନେ ମାହେନ୍ଦ୍ର ବେଳାରେ ଅନୁକୂଳ କରୁଥିବାରେ ନିଶ୍ଚୟ କୃତକାର୍ଯ୍ୟ ହେବେ। ତେଣୁ ଜଣେ ରାକ୍ଷସକୁ ଡାକି କହିଲେ , ତୁମ୍ଭେ ଏହି ଦୁଇଜଣଙ୍କୁ କାନ୍ଧରେ ବସାଇ ସମୁଦ୍ରର ଆରପାରିରେ ଛାଡି ଦେଇ ଆସିବ ଏବଂ ଏହି ଆକାଶ ତତ୍ତ୍ୱ, ପୃଥିବୀତତ୍ତ୍ୱ ଓ ପାତାଳତତ୍ତ୍ୱ ପୁସ୍ତକ ତିନିଖଣ୍ଡ ଦେଇ ଗୋଟିଏ ପ୍ରଶ୍ନ କରିବା ପ୍ରଶ୍ନଟିର ଉତ୍ତର ଦେଲାପରେ ପୂର୍ବୋକ୍ତ ପାତାଳତତ୍ତ୍ୱ ପୁସ୍ତକ ଖଣ୍ଡିକ ତାହାଠାରୁ ଘେନି ଆସିବ । ଭୃତ୍ୟ ପ୍ରଭୁଙ୍କର ଆଦେଶରେ ସେହିପରି କଲା । ସମୁଦ୍ର ଏ ପାଖରେ ଗୋଟିଏ ପ୍ରସବ କଷ୍ଟ ପାଉଥିବା ଗାଈକୁ ଦେଖାଇ ଗର୍ଭସ୍ଥ ସନ୍ତାନର ବର୍ଣ୍ଣ କଣ ବୋଲି ପଚାରିବାରୁ ମିହୀର ଶୁକ୍ଳବର୍ଣ୍ଣ ବୋଲି କହନ୍ତେ ରାକ୍ଷସ ପାତାଳତତ୍ତ୍ୱ ପୁସ୍ତକ ଖଣ୍ଡକ ନେଇ ଚାଲିଗଲେ । କିଛି କ୍ଷଣ ପରେ ଗାଈଟି ବାଛୁରୀ ଜନ୍ମ କଲା ଓ ବର୍ଣ୍ଣ ଅଳ୍ପ ରକ୍ତବର୍ଣ୍ଣ ଦିଶିବାରୁ ମିହୀର ବିରକ୍ତ ହୋଇ ପୁସ୍ତକ ଦୁଇଖଣ୍ଡ ଚିରି ସମୁଦ୍ରରେ ପକାଇ ଦେଲେ । ମାତ୍ର ପରେ ବାଛୁରୀଟି ଶୁକ୍ଳବର୍ଣ୍ଣ ଜାଣିପାରି ବହୁ ପରିଶ୍ରମ କରି ଉକ୍ତ ପୁସ୍ତକର କେତେକ ଅଂଶ ପାଇ ଉଜ୍ଜୟିନୀ ପହଞ୍ଚିଲେ । ବରାହମିହୀର ନିଜର ତ୍ୟକ୍ତ ପୁତ୍ରକୁ ପାଇ ଏବଂ ସମସ୍ତ ଘଟଣା ଗଣନାଦ୍ୱାରା ଜାଣିପାରି ପୁଅ ଓ ବୋହୁଙ୍କୁ ଆଦରରେ ରଖିଲେ । ସମୟ କ୍ରମେ ରାଜା ଓ ରାଜସଭାର ସମସ୍ତ ସଦସ୍ୟମାନେ ଲୀଳାବତୀଙ୍କ ଧୀମତ୍ତାର ପରିଚୟ ପାଇ ତାଙ୍କୁ ରାଜସଭାରେ ସ୍ଥାନ ଦେଲେ । ଏହାଦ୍ୱାରା ବରାହମିହୀର ନିଜକୁ ଅପମାନିତ ମନେ କଲେ । କାରଣ ତାଙ୍କର ଖ୍ୟାତି ଦିନକୁ ଦିନ କମିବାରେ ଲାଗିଲା, ତାଙ୍କର ପ୍ରତିହିଂସା ଦିନକୁ ଦିନ ପ୍ରବଳ ହେଲା। ସେ ଦିନେ ନିଜ ପୁତ୍ର ମିହୀରଙ୍କୁ ଡାକି କହିଲେ : ତୁମେ ଲୀଳାବତୀଙ୍କ ଜିହ୍ୱା ଛେଦନ କର, ତା ନ ହେଲେ ଆମ୍ଭର ସମ୍ମାନ ରହିବ ନାହିଁ ।

ପିତାଙ୍କ ଆଦେଶ ରକ୍ଷା କରି ମିହୀର ଏକ ଛୁରୀ ଧରି ଲୀଳାବତୀଙ୍କ ନିକଟରେ ପହଞ୍ଚିଲେ । ଲୀଳାବତୀ ଏହା ଜାଣି ପାରି କହିଲେ : ସ୍ୱାମୀ , ପିତ୍ରାଦେଶ ପାଳନ କରନ୍ତୁ ମାତ୍ର ତାହା କରିବା ପୂର୍ବରୁ ମୋଠାରୁ କେତେକ ବିଷୟ ଲେଖି ରଖନ୍ତୁ । ଏହାକହି କାଳ ନିରୂପଣ, ଶସ୍ୟ ବିଷୟକ ଜ୍ଞାନ, କୃଷିତତ୍ତ୍ୱ ଜ୍ୟୋତିଷର ଅନେକ ସାର କଥା କହିଥିଲେ । ତାହା ପରେ ମିହୀର ପିତାଙ୍କ ଆଦେଶରେ ପତ୍ନୀଙ୍କ ଜିହ୍ୱା ଛେଦନ କଲେ । ସେହିଦିନଠାରୁ ଲୀଳାବତୀ ଖନା ହେଲେ । ତେଣୁ ଖନାର କଥାକୁ ଖନା ବଚନ କୁହାଯାଏ । [୧][୨][୩][୪][୫]

ଖନା ବଚନ[ସମ୍ପାଦନା]

ଖଟି ଖଟାଏ ଲାଉ ପାଏ । ତାର ଅର୍ଦ୍ଧେକ ଯେ ନିତି ଧାଏଁ
ଘରେ ବସି କହେ ବାତ୍ । ତାର ଘରେ ହା ଭାତ୍ ॥

ଆଷାଢେ କଢାଣ ନାମକୁ, ଶ୍ରାବଣେ କଢାଣ ଧାନକୁ ।
ଭାଦ୍ରବେ କଢାଣ ନ୍ୟୂନ, ଆଶ୍ୱିନେ କଢାଣ ଶୂନ୍ୟ ॥

ଖନା କାହଇ ଏମନ୍ତ ଆଗରେ ।
ବେଙ୍ଗ ଡାକିଲେ ଘନ ଘନ, ଶିଘ୍ର ବୃଷ୍ଟି ହେବ ଜାଣ ॥

ବ୍ରାହ୍ମଣ, ନାୟକ, ବର୍ଷା, ବଢ଼ି ।
ଦକ୍ଷିଣା ପାଇଲେ ଯାଆନ୍ତି ଛାଡି ॥

ଗୋରୁ ପୃଷ୍ଠେ ଯାତ୍ରା ବେଳେ, ଯଦି କାକ ବସେ ଭଲେ ।
ଧନ ରତ୍ନ ବହୁ ମିଳେ, ଭାଗ୍ୟେ ଶୁଭଫଳ ଫଳେ ॥

ଆଧାର[ସମ୍ପାଦନା]

  1. Azhar Islam. "Khana". Banglapedia. Retrieved July 28, 2015.
  2. http://www.saptarishisastrology.com/filedownload.php?v=7&a=y&b=y&f=48-KhannarVachan-1BW.pdf
  3. "siddhagirimuseum.org". siddhagirimuseum.org.
  4. Saptarishis Astrology. "ISSUU - 48-KhannarVachan-1 by Saptarishis Astrology". Issuu.
  5. http://hindunationalismmuslimunity.blogspot.com/2009/08/maharaja-pratapaditya-roy-last-hindu.html