ଖଡ଼ିଛୁଆଁ

ଉଇକିପିଡ଼ିଆ ରୁ
Jump to navigation Jump to search

ଖଡ଼ି ଛୁଆଁ ଓଡ଼ିଶାରେ ପ୍ରଚଳିତ ଏକ ବିଧି, ଶିଶୁମାନେ ବୋଧ ପାଇବାପରେ ଖଡ଼ି ଧରି ଲେଖିବା ବା ବିଦ୍ୟାରମ୍ଭ କରିଥାନ୍ତି । ଏକ ଉତ୍ସବ ମାଧ୍ୟମରେ ବିଦ୍ୟାଶିକ୍ଷାର ଶୁଭାରମ୍ଭ ହୁଏ ।

ଓଡ଼ିଶାର ହିନ୍ଦୁଧର୍ମୀମାନେ ଗଣେଶ ଚତୁର୍ଥୀ ଓ ବସନ୍ତ ପଞ୍ଚମୀ ଦିନକୁ ଛୋଟ ପିଲାଙ୍କ ବିଦ୍ୟାରମ୍ଭ ପାଇଁ ଏକ ପବିତ୍ର ଦିନ ବୋଲି ବିଶ୍ୱାସ କରନ୍ତି । ଓଡ଼ିଶାର ଘରେଘରେ ପାରମ୍ପରିକ ଭାବେ ଏହି ନିଆରା ବିଧି ପାଳନ ହୁଏ । ଏହି ବିଦ୍ୟାରମ୍ଭ ଉତ୍ସବକୁ ଖଡ଼ି ଛୁଆଁ କୁହାଯାଏ । ଏହା ଏକ ଶୁଭ ଅବସର ଯେଉଁଦିନ ପିଲାଙ୍କୁ ନିଜ ଜୀବନରେ ଶିକ୍ଷାର ମହତ୍ତ୍ୱ ବୁଝାଯାଏ । ଏହି ଦିନ ପିଲା ଖଡ଼ି ଧରିବା (ଅକ୍ଷର ଲେଖା ଶିଖିବା) ଆରମ୍ଭ କରନ୍ତି । ସମୂହ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ବିଭିନ୍ନ ମନ୍ଦିର ଓ ପୂଜାସ୍ଥଳୀମାନଙ୍କରେ ଆୟୋଜିତ ହୁଏ ।[୧]

ବିଧି[ସମ୍ପାଦନା]

ସକାଳୁ ପିତାମାତାମାନେ ପିଲାଙ୍କୁ ଗାଧୋଇ(କେହି କେହି ପିଲାଙ୍କୁ ପୂର୍ବରୁ ଲଣ୍ଡା କରେଇ ଥାଆନ୍ତି ) ନୂଆ ଜାମା ପିନ୍ଧାଇ ବିଦ୍ୟାରମ୍ଭ ପାଇଁ ଉତ୍ସାହିତ କରନ୍ତି । ଖଡ଼ି, ସିଲଟ, ଛଞ୍ଚା, ଧୂପ ଦୀପ, ଫୁଲ ଆଦି ପୂଜା ସରଞ୍ଜାମ, ଭୋଗରାଗ ସହ ଦକ୍ଷିଣା ନେଇ ପହଞ୍ଚନ୍ତି ପୂଜା ସ୍ଥଳୀରେ । ଗଣେଶଙ୍କ ମଙ୍ଗଳାଚରଣ ଓ ପୁଷ୍ପାଞ୍ଜଳି ପରେ ଖଡ଼ି ସିଲଟ ପୂଜା ହୁଏ । ଆଚାର୍ଯ୍ୟ କୁନି ପିଲାଙ୍କ ହାତ ଧରି ସିଲଟ ଉପରେ ଖଡ଼ିରେ ‘ଓଁ ଶ୍ରୀ’ ଲେଖିବାରେ ସହଯୋଗ କରନ୍ତି । କେହି କେହି କେବଳ ତିନୋଟି ମୁଣ୍ଡଳୀ ବୁଲେଇ ଦିଅନ୍ତି ବା ସିଦ୍ଧରସ୍ତୁ ଲେଖନ୍ତି । ଓଁ ହେଉଛି ସୃଷ୍ଟିର ମୂଳ ତତ୍ତ୍ୱ ଓ ଶ୍ରୀ ଏହାର ରୂପ । ତିନୋଟି ମୁଣ୍ଡଳୀ ହେଉଛି ବ୍ରହ୍ମା ବିଷ୍ଣୁ ଓ ମହେଶ୍ୱର । ସିଦ୍ଧରସ୍ତୁ ଅର୍ଥ ବିଦ୍ୟା ସିଦ୍ଧି ହେଉ । ଲେଖି ସାରିବା ପରେ ଚାଟ ଠାକୁର ଓ ଆଚାର୍ଯ୍ୟଙ୍କ ପ୍ରଣାମ କରି ଆଶୀର୍ବାଦ ଭିକ୍ଷାକରନ୍ତି ଓ ଦକ୍ଷିଣା ଦେଇ ସ୍ୱଗୃହକୁ ଫେରିଆସନ୍ତି । ଦକ୍ଷିଣ ଓଡ଼ିଶାରେ ଏହି ବିଧି ଭିନ୍ନ ଏକ ଢଙ୍ଗରେ ଦେଖିବାକୁ ମିଳେ । ଆଚାର୍ଯ୍ୟ ପିଲାଙ୍କୁ ଅରୁଆ ଚାଉଳ ପୂର୍ଣ୍ଣ ପିତ୍ତଳ ଥାଳିରେ ହଳଦୀ ଖଣ୍ଡ ଧରି ଏକ ଅକ୍ଷର ଲେଖାନ୍ତି । ଏହି ଚାଉଳର ଅର୍ଥ ଉତ୍ପାଦକତା ଓ ହଳଦୀର ଅର୍ଥ ପବିତ୍ରତାକୁ ସୂଚାଏ । ଉତ୍ପାଦିକତା ଓ ପବିତ୍ରତା ହେଉଛି ଶିକ୍ଷାର ମୂଳ ମନ୍ତ୍ର ।[୨]

ଖଡ଼ି ଛୁଆଁ ବିଧି ପରେ ପିଲା ଚାଟ ବା ଛାତ୍ର ବୋଲାନ୍ତି । ଚାଟଶାଳୀ ବା ବିଦ୍ୟାଳୟରେ ଭର୍ତ୍ତି ହୁଅନ୍ତି । ଏହି ଦିନୁ ତାଙ୍କର ଶିକ୍ଷା ଗ୍ରହଣ ଆରମ୍ଭ ହୋଇ ବସ୍ତାନୀ ଧରି ଅବଧାନ ବା ଓଝାଙ୍କ ପାଖକୁ ଯିବା ନିତିଦିନିଆ ହୁଏ ଗୁରୁକୂଳ ପରମ୍ପରାରେ କାହିଁ କେଉଁ ଆବହମାନ କାଳରୁ ଏହି ଦିନ ବିଦ୍ୟାର୍ଥୀ ଗୁରୁକୂଳରେ ଯୋଗ ଦେବା ବିଧି ଥିଲା । ପିଲାଙ୍କ ବୋଧ ଆସିବା ପରଠୁ ପିତାମାତା ସେମାନଙ୍କ ଶିକ୍ଷା ବ୍ୟବସ୍ଥା କଥା ଚିନ୍ତା କରନ୍ତି । ଓଡ଼ିଆ ଅଭିଭାବକମାନେ ଆଗକାଳରେ ସନ୍ତାନକୁ ସାତ ବର୍ଷ ବେଳକୁ ଶିକ୍ଷା ଆରମ୍ଭ ପାଇଁ ବିଦ୍ୟାଳୟ ପ୍ରେରଣ ବ୍ୟବସ୍ଥା କରୁଥିଲେ । ଏବେ ବିଦେଶୀ ଢାଞ୍ଚାର ଶିକ୍ଷା ବ୍ୟବସ୍ଥା ସହ ପିଲାକୁ ସମକକ୍ଷ କରିବା ପାଇଁ ମାତ୍ର ତିନି ବର୍ଷ ବୟସରୁ ବିଦ୍ୟାରମ୍ଭ ବ୍ୟବସ୍ଥା କରୁଛନ୍ତି ।

ଗଣେଶ ଚତୁର୍ଥୀ ଓ ବସନ୍ତ ପଞ୍ଚମୀ ଉଭୟ ପବିତ୍ର ଦିବସରେ ଓଡ଼ିଆମାନେ ବାଲ୍ୟକାଳରେ ଜୀବନରେ ମାତ୍ର ଥରେ ସିଲଟ ଉପରେ ପ୍ରଥମ ଅକ୍ଷର ଲେଖି ବିଦ୍ୟାର ବୀଜ ବୁଣନ୍ତି ।

ବିଦେଶରେ ପାଳନ[ସମ୍ପାଦନା]

କେବଳ ଓଡ଼ିଶା ନୁହେଁ ବିଦେଶରେ ରହୁଥିବା ଓଡ଼ିଆଙ୍କ ଠାରୁ ଦେଖି ବିଦେଶୀମାନେ ମଧ୍ୟ ଏହାର ପ୍ରାସଙ୍ଗିକତାକୁ ବୁଝନ୍ତି ଓ ପାଳନ କରନ୍ତି ।[୩] ଖଡ଼ି ଛୁଆଁ ଏକ ଭିନ୍ନ ପ୍ରାଚୀନ ପରମ୍ପରା ଯାହାକୁ କୌଣସି ଓଡ଼ିଆ ଆଧୁନିକ ଯୁଗରେ ପାଦଦେଇ ମଧ୍ୟ ନିଜ ପିଲାଙ୍କୁ ଏହି ବିଧିରୁ ଦୁରେଇ ରଖି ନାହାନ୍ତି । ଏଇ କାଗଜ କଲମ ଓ କମ୍ପ୍ୟୁଟର ଯୁଗରେ ବିଦେଶରେ ମଧ୍ୟ ଖଡ଼ି ଓ ସିଲଟ ଖଣ୍ଡେ ଯୋଗାଡ଼ କରିବାକୁ କେହି ପଛାନ୍ତି ନାହିଁ ।[୪]

ଆଧାର[ସମ୍ପାଦନା]

  1. http://www.thehindu.com/todays-paper/tp-national/tp-otherstates/toddlers-make-a-beginning-with-divine-blessings/article344195.ece
  2. http://www.bhubaneswarbuzz.com/updates/odia-articles/odiapost-khadichuan-ganesh-puja-odisha-children
  3. http://osa-dc.org/content/ganesh-puja-2014
  4. http://www.orissasociety.org/media/newsletters/march04/utkarsa-march04.pdf