କୋଣାର୍କ ମାଘମେଳା

ଉଇକିପିଡ଼ିଆ‌ରୁ

ହିନ୍ଦୁ ଧର୍ମାବଲମ୍ବୀମାନେ ମାଘମାସ ଶୁକ୍ଳ ପକ୍ଷ ସପ୍ତମୀ ଦିନ ଚନ୍ଦ୍ରଭାଗାକୂଳରେ ସୂର୍ଯ୍ୟୋଦୟ ସମୟରେ ସୂର୍ଯ୍ୟ ଉପାସନା କରି ବୁଡ଼ ପକେଇଥାଆନ୍ତି । ଏହା ଅବସରରେ ସେଠାରେ ବିଶାଳ ମେଳା ଆୟୋଜନ କରାଯାଇଥାଏ ।[୧][୨]


ତାତ୍ପର୍ଯ୍ୟ[ସମ୍ପାଦନା]

ମାଘ ସପ୍ତମୀ ଦିନଟି ସୂର୍ଯ୍ୟ ଦେବତାଙ୍କର ଜନ୍ମତିଥି ଦୃଷ୍ଟିରୁ ମଧ୍ୟ ଏକ ଧାର୍ମିକ ଗୁରୁତ୍ୱପୂର୍ଣ୍ଣ ଦିବସ ଅଟେ । ସୂର୍ଯ୍ୟ ପୂଜା ଉଦ୍ଦେଶ୍ୟର ଲାଙ୍ଗୁଳା ନରସିଂହ ଦେବ ୧୨ବର୍ଷ କାଳ ୧୨ଶହ ବଢେ଼ଇ ସୂର୍ଯ୍ୟ ମନ୍ଦିର ପ୍ରତିଷ୍ଠା କରିଥିଲେ । ଏହି ପ୍ରତିଷ୍ଠା ଦିବସଟି ଥିଲା ମାଘ ଶୁକ୍ଲ ସପ୍ତମୀ ତିଥି । ଏହା ମଧ୍ୟ ବହୁ ପୁରାଣ ସିଦ୍ଧ । ମୂଳ ସୂର୍ଯ୍ୟ ମନ୍ଦିର ୧୬୨୧-୧୬୨୭ ମସିହା ମଧ୍ୟରେ ସାମୁଦ୍ରିକ ଝଡ଼ ପ୍ରଭାବରୁ ଭାଙ୍ଗି ଯାଇଥିଲା । କେତେକ ଐତିହାସିକମାନଙ୍କ ମତରେ ଏହାକୁ କଳାପାହାଡ଼ ଷୋଡଶ ଶତାବ୍ଦୀରେ ଭାଙ୍ଗି ଦେଇଥିଲା । ଆଉ କେହି କୁହନ୍ତି ବ୍ରିଟିଶ ପଣ୍ୟବାହୀ ଜାହଜର ଚୁମ୍ବକୀୟ ପ୍ରଭାବରୁ ଏହା ଭାଙ୍ଗିପଡ଼ି ଥିଲା । ତେବେ ଯାହା ହେଉ କୋଉ ଦୂର ଅତୀତରୁ ଏଠାରେ ମାଘମେଳା ଚାଲିଛି, ବୁଡ଼ ପଡୁଛି ଏବଂ ସେହି ଧାର୍ମିକ ବିଶ୍ୱାସରେ ପାପ କ୍ଷୟ ହେଉଛି । ମହାଭାରତରେ ବର୍ଣ୍ଣିତ ଅଛି ଯେ ଏଠାରେ ମାଘ ସପ୍ତମୀ ତିଥିରେ ରାତ୍ରୀ ଉଜାଗର ରହି ସକାଳୁ ସୂର୍ଯ୍ୟ ଦର୍ଶନ ପୂର୍ବକ ସ୍ନାନ,ଦାନ ଓ ଧର୍ମ ଯିଏ କରେ, ତା'ଠୁ ବଳି ପୁଣ୍ୟାତ୍ମା ସଂସାରେ କେହି ନାହିଁ । ସପ୍ତମୀର ସ୍ନାନ, ଦାନ, ଧର୍ମ ଯେହୁ କରେ ତାହା ସମ ପୁଣ୍ୟାତ୍ମା କେହି ନାହିଁ ।

ଏ ସଂସାରେ କୋଣାର୍କ ବୋଲିଣ ଯେହୁ ଅଟେ ତୀର୍ଥ ଗୋଟି ତାହାକୁ ସମାନ ନୁହେଁ ତୀର୍ଥ କୋଟି କୋଟି କୋଟି କୋଟି ଗୋରୁଦାନ କୋଟି ଅଶ୍ୱଗଜ କୋଟି ଏକ କନ୍ୟା ପୁଣି କୋଟି ଏକ ରାଜ୍ୟ । କୋଟି ପର୍ବତ ସମ ଦାନ ଦେଲେ ହୀରା ତଥାପି ସମ ନୋହିବେ ଅର୍କତୀର୍ଥ ପରା !

କୋଣାର୍କର ସୂର୍ଯ୍ୟମନ୍ଦିର ହେଉଛି ପୃଥିବୀର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଅନ୍ୟତମ । ଏହାକୁ ଅର୍କକ୍ଷେତ୍ର ବୋଲି କୁହାଯାଏ । ଏହା ସୂର୍ଯ୍ୟଙ୍କର ପୂଜାସ୍ଥଳୀ । "ଅର୍କ' ନାମରେ ଗୋଟିଏ ଦୈତ୍ୟ ଥିଲା । ସେ ଅର୍କ ଦୈତ୍ୟକୁ ସୂର୍ଯ୍ୟ ଏହି ସ୍ଥାନରେ ବଧ କରିଥିଲେ । ଏହି ଦୃଷ୍ଟିରୁ ଏହାକୁ ଅର୍କକ୍ଷେତ୍ର ବୋଲି ମଧ୍ୟ ଲୋକେ କୁହନ୍ତି । ଏହି କ୍ଷେତ୍ରଟି ଏକ ପବିତ୍ର କ୍ଷେତ୍ର । କ୍ଷେତ୍ରର ଉତ୍ତରରେ ମହୋଦଧି ବା ସମୁଦ୍ର । ଦକ୍ଷିଣରେ ଓଡ଼ିଶା ବିଖ୍ୟାତ ଚନ୍ଦ୍ରଭାଗା ନଦୀ । ଏମାନଙ୍କର ମଧ୍ୟବର୍ତ୍ତୀ ସ୍ଥାନହିଁ କୋଣାର୍କ । ଏହା ଜମ୍ବୁଦ୍ୱୀପର ଅଗ୍ନିକୋଣରେ ଅବସ୍ଥିତ । ଏଠାରେ ଗଙ୍ଗା କୋଟି ତୀର୍ଥ ଧରି ପ୍ରବାହିତ ହୁଅନ୍ତି । ଏଠାରେ ସ୍ନାନକରି ଯିଏ ସୂର୍ଯ୍ୟଙ୍କ ଦର୍ଶନ କରନ୍ତି, ସେମାନଙ୍କର କୋଟି ପାପ ନାଶହୁଏ ଓ ମନସ୍କାମନା ପୂର୍ଣ୍ଣ ହୁଏ । କୋଣାର୍କ ସୂର୍ଯ୍ୟ ଉପାସନାର ପୌରାଣିକ ମତେ ଏକ ଶ୍ରେଷ୍ଠସ୍ଥାନ । ଓଡ଼ିଆମାନଙ୍କର ଧର୍ମ-ଧାରଣା ଓ ବିଶ୍ୱାସର ପରମ୍ପରାକୁ ନେଇ ବୋଧହୁଏ ତ୍ରୟୋଦଶ ଶତାବ୍ଦୀରେ ଲାଙ୍ଗୁଳା ନରସିଂହଦେବ ଏଠାରେ ସୂର୍ଯ୍ୟମନ୍ଦିର ସ୍ଥାପନ କରିବାର ଏକ ମୁଖ୍ୟ କାରଣ ହୋଇପାରେ । [୩]

ଅନ୍ୟାନ୍ୟ କିମ୍ବଦନ୍ତୀ[ସମ୍ପାଦନା]

  • ଏକଦା ଚନ୍ଦ୍ରଙ୍କ ସହିତ ସମକକ୍ଷ ହୋଇପାରି ନଥିବାରୁ ଜଳପତିଙ୍କର ମନକଷ୍ଟ ଥିଲା । ସେ ଏହି ସ୍ଥାନରେ ଥିବା ଏକ କଳ୍ପବଟ ମୂଳେ ନଅଲକ୍ଷ ବର୍ଷ ସୂର୍ଯ୍ୟଙ୍କୁ ନଦେଖି ତପସ୍ୟା କଲେ । ଏକଦା ଅର୍କଦୈତ୍ୟ ବୁଲୁବୁଲୁ ସେ ସ୍ଥାନରେ ପହଞ୍ଚିଲା ଏବଂ ଜଳପତିଙ୍କୁ ଖାଇବାକୁ ଉଦ୍ୟତ ହେଲା । ସୂର୍ଯ୍ୟ ଏହାକୁ ଦେଖି ତାକୁ ବାରଣ କଲେ । କିନ୍ତୁ ସେ ଶୁଣିଲା ନାହିଁ । ପ୍ରଥମେ ଏ ଜାଗାଟିର ଦାବୀଦାର ନେଇ ଯୁଦ୍ଧ ଆରମ୍ଭ ହେଲା । ତା'ପରେ ଅର୍କଦୈତ୍ୟର ଜଳପତିଙ୍କୁ ନେଇ ଖାଦ୍ୟ । ଏନେଇ ଘମାଘୋଟ ଯୁଦ୍ଧ ହେଲା । ଦୈତ୍ୟ ସହଜେ ମଲା ନାହିଁ । ଶେଷରେ ସେହି ଚନ୍ଦ୍ରଭାଗାର କଳ୍ପବଟ ସ୍ଥାନରେ ସୂର୍ଯ୍ୟଦେବତା ଅର୍କଦୈତ୍ୟର ଛାତିରେ ମାଡ଼ିବସି ପ୍ରାଣ ନେଲେ । ଏ ସ୍ଥାନଟି ଅଗ୍ନିକୋଣରେ ଅବସ୍ଥିତ । ଏଥିପାଇଁ ଅଗ୍ନିକୋଣର ସୂର୍ଯ୍ୟଦେବତା ଅର୍କଦୈତ୍ୟକୁ ମାରିଥିବାରୁ ଏହାର ନାମ କୋଣାର୍କରେ ନାମିତ ହୋଇଛି । [୪]ମହାଭାରତର ଶାନ୍ତି ପର୍ବରେ ଲେଖାଅଛି :

ପୃଥ୍ୱୀ ଅଗ୍ନିକୋଣେ ଯହୁଁ ଦୈତ୍ୟ ହେଲା ହତ ତେଣୁ ସେ କୋଣାର୍କ ନାମେ ହୋଇଛି ବିଖ୍ୟାତ ।

  • ଥିଲା ସେଦିନ ମାଘ ଶୁକ୍ଲପକ୍ଷ ସପ୍ତମୀ ଗୁରୁବାର । ସେହି ମହାଭାରତକୁ ଆଧାର କରି ଭିନ୍ନ କାହାଣୀ ଅଛି । ଏ ସ୍ଥାନକୁ କୀର୍ତ୍ତି ଆଉ ବାସ ବୋଲି ଦୁଇ ଭାଇ ଭୋଗ ଦଖଲ କରୁଥିଲେ । ଏଠାକୁ ବୁଡ଼ ପକାଇବାକୁ ଆସୁଥିବା ଲୋକଙ୍କୁ ସେମାନେ ହଇରାଣ କରୁଥିଲେ । ଋଷିମାନେ ଏକଥା ଶିବ ଓ ପାର୍ବତୀଙ୍କୁ ଜଣାଇବାରୁ, ପାର୍ବତୀ ଗଉଡୁଣୀ ବେଶରେ ଆସି ସେମାନଙ୍କୁ ନିପାତ କଲେ । ସେତେବେଳେ ସେ ଦୁହେଁ ସେ ଜାଗାର ନାମ "କୀର୍ତ୍ତି ଓ ବାସ' ବୋଲି ରଖିବା ନିମନ୍ତେ ପାର୍ବତୀଙ୍କୁ ଅନୁରୋଧ କରିଥିଲେ ।(ମହାଭାରତ ବନପର୍ବ) ।
  • ଲୋମ ନାମକ ଜଣେ ଋଷି ଯୁଧିଷ୍ଠିରଙ୍କୁ ଚନ୍ଦ୍ରଭାଗାର ମାହାତ୍ମ୍ୟ ସମ୍ପର୍କରେ କିଛି କହିଛନ୍ତି ଯେ, କଣୟ ନାମକ ଜଣେ ରାଜା ଏଠାରେ ରାଜୁତି କରୁଥିଲେ । ସେ ପ୍ରଜାମାନଙ୍କୁ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରି ନପାରି ଦୁଃଖରେ ପୁତ୍ର ହସ୍ତରେ ରାଜ୍ୟଭାର ନ୍ୟସ୍ତକରି ଏଇଠି ସୂର୍ଯ୍ୟଦେବଙ୍କୁ ପଞ୍ଚଦଶ ବର୍ଷ ତପସ୍ୟା କଲେ । ସେଠାରେ ଦୈତ୍ୟ ଅର୍କାସୁର ନାମକ ଜଣେ ଦୈତ୍ୟ ତାଙ୍କୁ ହଇରାଣ କଲା । ଏଣୁ ରାଜା ସୂର୍ଯ୍ୟଙ୍କ ଶରଣ ପଶିଲେ । ସୂର୍ଯ୍ୟ ତାକୁ ମହୋଦଧିରେ ବୁଡ଼ାଇ ମାରିଲେ ।

ପୁତ୍ରକୁ ରାଜ୍ୟ ଦେଇଣ କଣୟ ରାଜନ ଚନ୍ଦ୍ରଭାଗା ତୀର୍ଥେ ସେ ବସିଲେ ଯାଇଣ ।
ତହିଁ ବସି କରତାର (ସୂର୍ଯ୍ୟ) ଧ୍ୟାନ ସେହି କଲେ ପଞ୍ଚଦଶ ବର୍ଷ ଏକ ଆସନ ବସିଲେ ।
ମକର, ଶୁକ୍ଲପକ୍ଷ ଚଉଠି ଯେ ଦିନ ସେ ରାଜାଙ୍କୁ କଲେ ସୂର୍ଯ୍ୟ ଦରଶନ ।
ସୂର୍ଯ୍ୟଙ୍କୁ ଦେଖି ରାଜା ସତବାର ନମି ସ୍ତବେ କହେ ଦୈତ୍ୟହାତୁ ରକ୍ଷା କର ସ୍ୱାମୀ ।-ବନ ପର୍ବ (ମହାଭାରତ)

ଏଣୁ "କଣୟ' ଏହି "ଅର୍କାସୁର' ନାମକୁ ଧ୍ୟାନ ଦେଇ ଏହାର ନାମ କୋଣାର୍କ ରଖାଯାଇଅଛି ।

ଚଳିଗଲେ ବାରିଧି ଅଗ୍ନିକୋଣ ଆଡେ଼ ଅର୍କଦୈତ୍ୟକୁ ଚାପିଲେ ମହୋଦଧି ଜଳେ ।

  • ଏହି ସ୍ଥାନରେ କୃଷ୍ଣଙ୍କ ପୁତ୍ର ଶାମ୍ବ ୧୨ବର୍ଷ ତପସ୍ୟା କରିଥିଲେ । ଶେଷରେ ଏହି ମାଘ ଶୁକ୍ଲପକ୍ଷ ସପ୍ତମୀ ଦିନ ତାଙ୍କ ତପସ୍ୟାର ୨୧ଦିନର କଠିନ ସୂର୍ଯ୍ୟ ଉପାସନା ପରେ ଚନ୍ଦ୍ରଭାଗାରେ ବୁଡ଼ ପକାଇ କୁଷ୍ଠ ରୋଗରୁ ମୁକ୍ତ ହେଲେ । ପୁରାଣ କୁହେ

<poem> ନାରଦ କହିଲେ ଶାମ୍ବ ଚାଲ ଏହି କ୍ଷଣ ଚନ୍ଦ୍ରଭାଗା କୂଳେ ସେବ ସୂର୍ଯ୍ୟ ନାରାୟଣ । ଭକ୍ତି ଛଳେ ଅର୍କ ଦୈତ୍ୟ ମାରି ନିରଞ୍ଜନ ରଖିଲେ ସେହି ତୀର୍ଥର କୋଣାର୍କ ନାମ । <poem>

  • ପୁନଶ୍ଚ ପଞ୍ଚୁପାଣ୍ଡବମାନେ ତାଙ୍କ ବନବାସ ବେଳେ ଓଡ଼ିଶାରେ ଅବସ୍ଥାନ କାଳରେ ଏହି ସ୍ଥାନରେ କିଛିଦିନ ଅବସ୍ଥାନ କରି ଚନ୍ଦ୍ରଭାଗାରେ ଏହି ମାଘ ସପ୍ତମୀ ଦିନ ବୁଡ଼ ପକାଇ ପାପ ମୁକ୍ତି କାମନା କରିବା ସହିତ ଜୀବନ ଯାତ୍ରାରେ ଜୟ ମନାସି ଥିଲେ । ଏକଥା ମଧ୍ୟ ସାରଳା ଦାସଙ୍କ ମହାଭାରତରେ ଉଲ୍ଲେଖ ଅଛି ।

ଆଧାର[ସମ୍ପାଦନା]

  1. http://www.shreekhetra.com/festivals2.html
  2. "ଆର୍କାଇଭ୍ କପି". Archived from the original on 2014-08-14. Retrieved 2015-06-03. {{cite web}}: Cite has empty unknown parameter: |1= (help)
  3. ମହାନ୍ତି, ବିପିନ ବିହାରୀ. "କୋଣାର୍କ ମାଘମେଳା". ଉତ୍କଳ ପ୍ରସଂଗ. : ୮୪, ୮୫. Retrieved 3 June 2015.
  4. http://www.orissatourism.org/travel-to-orissa/konark/