ଭଣ୍ଡ ଗଣେଶ

ଉଇକିପିଡ଼ିଆ‌ରୁ
(କାଞ୍ଚି ଗଣେଶରୁ ଲେଉଟି ଆସିଛି)

ଭଣ୍ଡ ଗଣେଶ ହେଉଛନ୍ତି ଗଣେଶଙ୍କର ଏକ ସ୍ୱରୂପ । ଶ୍ରୀମନ୍ଦିରର ଭିତର ବେଢ଼ାରେ ପଶ୍ଚିମ ଦ୍ୱାରର ଦକ୍ଷିଣକୁ ଭଣ୍ଡ ଗଣେଶ ମନ୍ଦିର ଅବସ୍ଥିତ । ଶ୍ରୀମନ୍ଦିର ସ୍ୱତ୍ୱଲିପି (୨ୟ ଭାଗ)ରେ ଏହି ମନ୍ଦିରର ନାମ କାଞ୍ଚି ଗଣେଶଙ୍କର ମନ୍ଦିର ବୋଲି ଉଲ୍ଲେଖ ଅଛି । ଭିତର ବେଢ଼ା ପ୍ଳଟ୍ ନଂ ୬୫ରେ ଏହି ମନ୍ଦିର ଅବସ୍ଥିତ । ଏହି ମନ୍ଦିରରେ ଥିବା ଗଣେଶଙ୍କୁ ଭଣ୍ଡ ଗଣେଶ କୁହାଯାଏ । ଏହି ଗଣେଶ ବିଗ୍ରହ କାଞ୍ଚି ଶିଳ୍ପକଳାର ଏକ ନିଦର୍ଶନ । ଶ୍ରୀମନ୍ଦିରର ଜଣେ ପ୍ରଧାନ ସେବକ ଭିତରଛ ମହାପାତ୍ର ହେଉଛନ୍ତି ଏହାର ମାରଫତ୍‌ଦାର ଓ ସେବକ ।[୧]

ଅନ୍ୟାନ୍ୟ ନାମ[ସମ୍ପାଦନା]

କାଞ୍ଚି ଗଣେଶଙ୍କୁ ସାଧାରଣତଃ ଭଣ୍ଡ ଗଣେଶ କୁହାଯାଏ । ଏହାଙ୍କର ଅନ୍ୟାନ୍ୟ ନାମ ହେଲା ଉଚ୍ଛିଷ୍ଟ ଗଣେଶ, କାମଦ ଗଣେଶ, ଶକ୍ତି ଗଣେଶ (ଶକ୍ତି ବିନାୟକ) ଓ ତାନ୍ତ୍ରିକ ଗଣେଶ । ଶକ୍ତିଙ୍କ ଭଗରେ ଶୁଣ୍ଢ ଭର୍ତ୍ତିକରି ରହିଥିବା ଯୋଗୁଁ ଏହି ଗଣେଶଙ୍କୁ ଭଣ୍ଡ ଗଣେଶ କୁହାଯାଏ । ଏହାଙ୍କର ଶୁଣ୍ଢ ବାମକୁ ମୋଡ଼ି ହୋଇ ରହିଥିବାରୁ ଏହାଙ୍କୁ ଇଦାମ‌ପୁରୀ ବା ବାମାବର୍ତ୍ତ ଗଣେଶ କୁହାଯାଏ ।

ସ୍ୱରୂପ[ସମ୍ପାଦନା]

ଭଣ୍ଡ ଗଣେଶ କଳା ମୁଗୁନି ପଥରରେ ତିଆରି । ସେ ସିଂହାସନ ଉପରେ ଅର୍ଦ୍ଧପର୍ଯ୍ୟଙ୍କାସନରେ ବିରାଜମାନ କରିଛନ୍ତି । ଅର୍ଥାତ୍ ସେ ଡାହାଣ ପାଦ ଭାଙ୍ଗିଛନ୍ତି ଓ ବାମ ପାଦ ଲମ୍ବାଇଛନ୍ତି । ତାଙ୍କ ମସ୍ତକରେ ମୁକୁଟ ରହିଛି ଓ ସେ ସେ ସର୍ପକୁ ଉପବିତ ବା ପଇତା ଭାବେ ଧାରଣ କରିଛନ୍ତି । ତାଙ୍କର ଚାରିଟି ହାତ ଅଛି । ସେ ଉପର ଡାହାଣ ହାତରେ ଏକ ଭଗ୍ନ‌ଦନ୍ତ, ତଳ ଡାହାଣ ହାତରେ ଜପମାଳା ବା ଅକ୍ଷମାଳା ଓ ଉପର ବାମହାତରେ ପରଶୁ ଧାରଣ କରିଛନ୍ତି । ସେ ତଳ ବାମହାତରେ ସିଦ୍ଧି ଦେବୀଙ୍କୁ ଆଲିଙ୍ଗନ କରି ନିଜର ଲିଙ୍ଗମର୍ଦ୍ଦନ କରିଛନ୍ତି ।[୨]

ସୂର୍ଯ୍ୟବଂଶର ଗଜପତି ପୁରୁଷୋତ୍ତମ ଦେବଙ୍କଦ୍ୱାରା ରଚିତ ମୁକ୍ତି ଚିନ୍ତାମଣିରେ ଭଣ୍ଡ ଗଣେଶଙ୍କ ସ୍ୱରୂପକୁ ବର୍ଣ୍ଣନା କରାଯାଇ ଲେଖାଯାଇଛି ଯେ—

ମହାକାୟଧରଂ ଦେବ
       ବିଘ୍ନେଶ ! ବିଘ୍ନ ନାଶକମ୍ ।
ପରଶୁମାଳିକା ହସ୍ତଂ
       ନିଜ ଲିଙ୍ଗାଗ୍ରମର୍ଦ୍ଦକମ୍ ।।
କ୍ରୋଡ଼େ ସିଦ୍ଧି ମହାଦେବୀ-
       ମାଲିଙ୍ଗ୍ୟ ବପୁରାୟତମ୍ ।
ଉଦ୍ଦଣ୍ଡ ବିଗ୍ରହଂ ବନ୍ଦେ
       ଶୁଣ୍ଢିନଂ ସିଦ୍ଧି ଦାୟକମ୍ ।।[୨]

ଉପରୋକ୍ତ ମନ୍ତ୍ରଟିର ଅର୍ଥ ହେଲା—

ହେ ଗଣପତି ! ତୁମେ ବିଘ୍ନେଶ ! ତୁମେ ବିଶାଳ ବପୁ ଧାରଣ କରିଛ । ତୁମ ହସ୍ତରେ ପରଶୁ ଓ ମାଳା । ତୁମେ ଲିଙ୍ଗ ମର୍ଦ୍ଦକ ବେଶରେ ଚିତ୍ରିତ । ତୁମ କୋଳରେ ସେଦ୍ଧିଦାୟିନୀ ମହାଦେବୀ ଆଲିଙ୍ଗିତା । ତୁମେ ଉଦ୍ଦଣ୍ଡ ବିଗ୍ରହ । ତୁମେ ସିଦ୍ଧି ଦାୟକ । ତୁମଠାରେ ଶରଣ ଯାଉଛି ।[୨]

କେତେକ ଲେଖକ ଭଣ୍ଡ ଗଣେଶଙ୍କ ସ୍ୱରୂପକୁ ଭିନ୍ନ ଭାବରେ ବର୍ଣ୍ଣନା କରିଥାନ୍ତି । ଡକ୍ଟର ଭାସ୍କର ମିଶ୍ରଙ୍କ ମତରେ, ଭଣ୍ଡ ଗଣେଶଙ୍କ ହାତରେ ପଦ୍ମ, ଡାଳିମ୍ବ, ବୀଣା, କିଛି ଧାନ ଓ ଅକ୍ଷମାଳ ଶୋଭା ପାଏ ।[୩]ଏହି ଗଣେଶଙ୍କ ବାମ ଜଙ୍ଘରେ ବସିଥିବା ଦେବୀମୂର୍ତ୍ତୀଙ୍କର ଜନନେନ୍ଦ୍ରିୟରେ ଗଣେଶଙ୍କ ବାମାବର୍ତ୍ତ ଶୁଣ୍ଢ ପ୍ରବେଶ କରି ରହିଛି ।[୪][ଆଧାର ଲୋଡ଼ା] ଏହି ଦେବୀମୂର୍ତ୍ତୀ କିଏ, ଏ ନେଇ ଅନେକ ମତ ରହିଛି । କେତେକ ଏହାଙ୍କୁ ଗଣେଶଙ୍କର ଶକ୍ତି ସିଦ୍ଧିଦେବୀ କ‌ହୁଥିବା ବେଳେ ଅନ୍ୟ କେତେକ ଏହାଙ୍କୁ ବିଘ୍ନେଶ୍ୱରୀ ପ୍ରତ୍ୟାଙ୍ଗନା କ‌ହିଥାନ୍ତି । କେତେକ ମଧ୍ୟ ଏହାଙ୍କୁ କାମଦା ଏବଂ ଆଉ କେତେକ ଏହାଙ୍କୁ ପାର୍ବତୀ (ଦୁର୍ଗା) ମଧ୍ୟ କ‌ହିଥାନ୍ତି ।[୪] ଶ୍ରୀଗଣେଶଙ୍କର ପଚାଶଟି ଶକ୍ତି ମଧ୍ୟରେ କାମଦା ଓ ପାର୍ବତୀଙ୍କ ନାମ ରହିଛି ।[୪][ଆଧାର ଲୋଡ଼ା]

ପୂଜା ପଦ୍ଧତି[ସମ୍ପାଦନା]

ଭଣ୍ଡ ଗଣେଶ ଜଣେ ତାନ୍ତ୍ରିକ ଦେବତା ଏବଂ ଏହାଙ୍କ ବିଗ୍ରହ ବାମାବର୍ତ୍ତ । ବାମାଚାର ତନ୍ତ୍ର ପଦ୍ଧତିରେ ଯେଉଁ ଗଣେଶ ବିଗ୍ରହଙ୍କୁ ଉପାସନା କରାଯାଏ ସେ ବିଗ୍ରହ ସାଧାରଣତଃ ବାମାବର୍ତ୍ତ ହୋଇଥାନ୍ତି ।[୪] ତେଣୁ ଭଣ୍ଡ ଗଣେଶଙ୍କୁ ମଧ୍ୟ ଏହି ଉପାୟରେ ପୂଜା କରାଯାଇଥାଏ । ତାନ୍ତ୍ରିକ ପୂଜାରେ ଏହି ଗଣେଶ ତାଙ୍କ ଶକ୍ତିଙ୍କ ସ‌ହ ପୂଜିତ ହୁଅନ୍ତି । ସ୍ୱାମୀ ହର୍ଷାନ‌ନ୍ଦ ନିଜର Hindu Gods and Goddesses ପୁସ୍ତକରେ ଲେଖିଛନ୍ତି—

One of the varieties of this Saktiganapati is called Ucchistaganapati, the Ganapati associated with unclean things like orts, whose worship belongs to Vamacar (the left handed path, i.e., the heterodox and unclean path) and said to give quick results.[୫]

ଅଧିକ ପଢ଼ନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ଜୁଲାଇ-୨୦୧୩, ପୌରୁଷ. ଶ୍ରୀମନ୍ଦିରରେ ଭଣ୍ଡଗଣେଶ ଠାକୁର. ଭୁବନେଶ୍ୱର: ଶ୍ରୀ ବିଜୟ କୁମାର ପଟ୍ଟନାୟକ, ଇଷ୍ଟର୍ନ ମିଡିଆ ଲିମିଟେଡ୍. p. ୩୯. ISSN 2321-1199.{{cite book}}: CS1 maint: numeric names: authors list (link)
  2. ୨.୦ ୨.୧ ୨.୨ ଜୁଲାଇ-୨୦୧୩, ପୌରୁଷ (6 June 2016). ଭଣ୍ଡ ଗଣେଶଙ୍କ ସ୍ୱରୂପ. Bhubaneswar: Bijaya Kumar Patnaik, Eastern Media Limited. p. ୩୯. ISSN 2321-1199.{{cite book}}: CS1 maint: numeric names: authors list (link)
  3. ଜୁଲାଇ-୨୦୧୨, କାଦମ୍ବିନୀ (6 June 2016). ଶ୍ରୀମନ୍ଦିରରେ ଦେବଦର୍ଶନ କ୍ରମ. Bhubaneswar: Kedar Prusty. ISSN 2277-1131.{{cite book}}: CS1 maint: numeric names: authors list (link)
  4. ୪.୦ ୪.୧ ୪.୨ ୪.୩ ଜୁଲାଇ-୨୦୧୩, ପୌରୁଷ (6 June 2016). ଶ୍ରୀମନ୍ଦିରରେ ଭଣ୍ଡଗଣେଶ ଠାକୁର. Bhubaneswar: Bijaya Kumar Patnaik, Eastern Media Limited. p. ୪୦. ISSN 2321-1199.{{cite book}}: CS1 maint: numeric names: authors list (link)
  5. Swami Harshananda (February 1985). Hindu Gods and Goddesses. Vedanta Press. ISBN 978-0-87481-522-1.