କଳିଙ୍ଗ (ରାଜ୍ୟ), ଜାଭା

ଉଇକିପିଡ଼ିଆ ରୁ
Jump to navigation Jump to search
କଳିଙ୍ଗ
ହୋଲିଙ୍ଗ
ହେଲିଙ୍ଗ
ରାଜଧାନୀନିଶ୍ଚିତ ରୂପେ ଜଣାନାହିଁ, କିନ୍ତୁ ପେକାଲୋଂଗାନ୍ ଓ ଜେପାରା ମଧ୍ୟରେ ରହିଥିବାର ଅନୁମାନ କରାଯାଏ
ସରକାର ରାଜଶାସନ

କଳିଙ୍ଗ ବା କଲିଂଗ୍ଗା ବା ହୋଲିଂଗ୍ (ଜାଭା ଭାଷାରେ କରଜନ କଲିଂଗ୍ଗା, ଚୀନୀ ଲେଖାରେ ବର୍ଣ୍ଣିତ ହେଲିଂଗ୍[୧]) ହେଉଛି ଷଷ୍ଠ ଶତାବ୍ଦୀରେ ଇଣ୍ଡୋନେସିଆର ଜାଭା ଦ୍ୱୀପର ଉତ୍ତର ଭାଗରେ ଗଢ଼ି ଉଠିଥିବା ଏକ ଭାରତୀୟ ଔପନିବେଶିକ ରାଜ୍ୟ । ଏହା ଜାଭାର ପ୍ରଥମ ହିନ୍ଦୁ-ବୌଦ୍ଧ ରାଜ୍ୟ ଥିଲା ଏବଂ ଇଣ୍ଡୋନେସିଆ ଇତିହାସର କୁତାଇ ଓ ତରୁମନଗର ପରି ପ୍ରାଚୀନତମ ରାଜ୍ୟମାନଙ୍କ ମଧ୍ୟରେ ଗଣା ।

ଐତିହାସିକ ଅଧ୍ୟୟନ ସମ୍ପର୍କୀୟ ତଥ୍ୟ[ସମ୍ପାଦନା]

ପ୍ରତ୍ନତାତ୍ତ୍ୱିକ ଉତଖନନ କିମ୍ବା ଐତିହାସିକ ଦସ୍ତାବିଜରୁ ପ୍ରାଚୀନ କଳିଙ୍ଗ ରାଜ୍ୟ ସମୟର ଅଧିକ ତଥ୍ୟ ବା ବସ୍ତୁ ମିଳେନାହିଁ । ଏହି ରାଜ୍ୟର ରାଜଧାନୀ କେଉଁଠି ଥିଲା, ତାହା ମଧ୍ୟ ନିଶ୍ଚିତ ରୂପରେ କୁହାଯାଇପାରିବ ନାହିଁ । ପେକାଲୋଂଗାନ ଓ ଜେପାରା ମଧ୍ୟସ୍ଥ କୌଣସି ଏକ ସ୍ଥାନରେ ପ୍ରାଚୀନ କଳିଙ୍ଗ ରାଜ୍ୟର ରାଜଧାନୀ ରହିଥିବାର ଅନୁମାନ କରାଯାଏ । ଜେପାରା ରାଜ୍ୟରେ “କେଲିଂଗ୍” ନାମକ ଏକ ଉପଜିଲ୍ଲା ରହିଛି । ପେକାଲୋଂଗାନ୍ ଓ ବାଟାଂଗଠାରେ ହୋଇଥିବା ପ୍ରତ୍ନତାତ୍ତ୍ୱିକ ଖନନରୁ ପେକାଲୋଂଗାନ୍ ଏକ ପ୍ରାଚୀନ ବନ୍ଦର ଥିବା ଜଣା ପଡ଼ିଲା ଓ “ପେ-କଲିଂଗ୍-ଆନ୍” ଲୋକମୁଖରେ ପେକାଲୋଂଗାନ୍ ବୋଲାଉଥିବାର ସମ୍ଭବପର । କଳିଙ୍ଗ ରାଜ୍ୟ ୬ଷ୍ଠରୁ ୭ମ ଶତାବ୍ଦୀ ମଧ୍ୟରେ ବିକଶିତ ଥିଲା ଏବଂ ଜାଭାରେ ସ୍ଥାପିତ ହିନ୍ଦୁ-ବୌଦ୍ଧ ରାଜ୍ୟମାନଙ୍କ ମଧ୍ୟରେ ସର୍ବପୁରାତନ ଥିଲା । ଏହି ରାଜ୍ୟ ବିଷୟରେ ଐତିହାସିକ ତଥ୍ୟ ନାହିଁ କହିଲେ ଚଳେ ଏବଂ ଯାହା ତଥ୍ୟ ମିଳେ ତାହା ସ୍ଥାନୀୟ ପ୍ରଥା କିମ୍ବା ଚୀନର ଲେଖା ଇତ୍ୟାଦିରୁ ଗୃହୀତ ।

ଇତିହାସ[ସମ୍ପାଦନା]

ଚୀନର ଏହି ଲେଖା ତାଂଗ୍ ରାଜବଂଶର ଶାସନ କାଳର । ଚୀନୀ ବୌଦ୍ଧ ଭିକ୍ଷୁ ୟିଜିଂଙ୍କ ଅନୁସାରେ ଖ୍ରୀ. ୬୬୪ରେ ହୁଇନିଂ (會寧) ନାମଧାରୀ ଜଣେ ଚୀନୀ ବୌଦ୍ଧ ସନ୍ୟାସୀ ହେଲିଂଗରେ ପଦାର୍ପଣ କରିଥିଲେ ଓ ସେଠାରେ ପରବର୍ତ୍ତୀ ୩ ବର୍ଷ ଅତିବାହିତ କରିଥିଲେ । ତାଙ୍କ ରହଣିକାଳରେ ହେଲିଂଗର ଜଣେ ସନ୍ୟାସୀ ଜ୍ଞାନଭଦ୍ରଙ୍କ ସହାୟତାରେ ସେ ହୀନଯାନ ବୌଦ୍ଧପନ୍ଥାର ଅନେକ ଲେଖା ଅନୁବାଦ କରିଥିଲେ ।[୨][୩]:79

ଖ୍ରୀ. ୬୭୪ରେ ରାଣୀ ଶିମା କଳିଙ୍ଗ ରାଜ୍ୟରେ ରାଜୁତି କରୁଥିଲେ । ତାଙ୍କ ରାଜ୍ୟବାସୀ ସଚ୍ଚୋଟ ଓ ସତ୍ୟବାଦୀ ହୁଅନ୍ତୁ ବୋଲି ଚୋରି, ଡକାୟତି ପାଇଁ ସେ ଅତି କଠୋର ଦଣ୍ଡ ଓ ନିୟମ ପ୍ରଚଳନ କରାଇଥିଲେ । କଳିଙ୍ଗର ଲୋକ କେତେ ସଚ୍ଚୋଟ ଓ ସତ୍ୟବାଦୀ ତାହା ପରୀକ୍ଷା କରିବା ପାଇଁ ଥରେ ଜଣେ ବିଦେଶୀ ରାଜା କଳିଙ୍ଗକୁ ଯାଇଥିବା ରାସ୍ତାର ଏକ ଛକରେ ସୁନା ଭରିଥିବା ଏକ ମୁଣା ରଖିଦେଲେ । ନିଜର ନ ହୋଇଥିବାରୁ କେହି ସେ ମୁଣାକୁ ଛୁଇଁ ନଥିଲେ ଓ ୩ ବର୍ଷ କାଳ ତାହା ସେପରି ପଡ଼ି ରହିଥିଲା । ୩ ବର୍ଷ ପରେ ରାଣୀ ଶିମାଙ୍କ ପୁତ୍ର ଓ ଯୁବରାଜ ଭୁଲବଶତଃ ସେହି ସୁନା ମୁଣାକୁ ପାଦରେ ଛୁଇଁ ଦେଇଥିଲେ । ରାଣୀ ଶିମା ନିଜ ପୁତ୍ରକୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ । ଯୁବରାଜଙ୍କ ପାଦ ଛୁଇଁ ଥିବାରୁ ପାଦକୁ ଦଣ୍ଡିତ କରାଯାଉ (କାଟି ଦିଆଯାଉ) ଓ ଯୁବରାଜଙ୍କ ପ୍ରାଣ ନ ନିଆଯାଉ ବୋଲି ରାଣୀଙ୍କ ଜଣେ ମନ୍ତ୍ରୀ ଯୁକ୍ତି ରଖିଥିଲେ ।[୨] ପରବର୍ତ୍ତୀ ସମୟରେ ରଚିତ “ଚରିତ ପରହ୍ୟଙ୍ଗନ” ନାମକ ଏକ ଲେଖା ଅନୁସାରେ ରାଣୀ ଶିମାଙ୍କ ଅଣନାତି ଶ୍ରୀ ସଞ୍ଜୟ ସୁନ୍ଦ ଓ ଗାଲୁଃ ରାଜ୍ୟର ରାଜା ହୋଇଥିଲେ ଏବଂ ମେଦାଂଗ ରାଜ୍ୟର ସ୍ଥାପନା କରିଥିଲେ ।

ସମ୍ଭବତଃ ବୌଦ୍ଧ ଧର୍ମାବଲମ୍ବୀ ଶୈଳେନ୍ଦ୍ର ଶାସକଙ୍କ ଯୋଗୁଁ ଖ୍ରୀ. ୭୪୨ରୁ ୭୫୫ ମଧ୍ୟରେ ଏହି ରାଜ୍ୟ ଡିଏଂଗ୍ ମାଳଭୂମିରୁ ପୂର୍ବକୁ ଉଠି ପଳାଇଥିବ ।[୩]:90

ଅଭିଲେଖ[ସମ୍ପାଦନା]

ତୁକମାସ ଅଭିଲେଖ କଳିଙ୍ଗ ରାଜ୍ୟ ସମୟର ବୋଲି ଅନୁମାନ କରାଯାଏ । ମଧ୍ୟ ଜାଭାର ମାଗେଲାଂଗ ରାଜ୍ୟର ଲେବାକ ଗ୍ରାମର ଦୁସୁନ ଦାକାୱୁଠାରେ ମେରାପି ପର୍ବତର ପଶ୍ଚିମ ଢାଲୁରୁ ଏହି ଅଭିଲେଖ ପ୍ରାପ୍ତ ହୋଇଥିଲା । ଏହି ଅଭିଲେଖ ସଂସ୍କୃତ ଭାଷା ଓ ପଲ୍ଲବ ଲିପିରେ ଏକ ନିର୍ମଳ ଜଳ ସ୍ରୋତ ବିଷୟରେ ଲେଖା ହୋଇଛି, ଯାହାର ତୁଳନା ଭାରତର ଗଙ୍ଗୋତ୍ରୀ ସହିତ କରାଯାଇପାରିବ । ଏହି ଅଭିଲେଖରେ ବିଭିନ୍ନ ହିନ୍ଦୁ ଦେବତାଙ୍କ ସଙ୍କେତ ଯଥା - ତ୍ରିଶୂଳ, କମଣ୍ଡଳୁ, ପରଶୁ, ଚକ୍ର, ଶଙ୍ଖ , ପଦ୍ମ ପ୍ରଭୃତି ମଧ୍ୟ ସନ୍ନିବିଷ୍ଟ ।[୪]

ସୋଜୋମେର୍ତୋ ଅଭିଲେଖ ମଧ୍ୟ ସମକାଳୀନ ଆଉ ଏକ ଅଭିଲେଖ ଯାହା କେଚାମାତାନ ରେବାନର ସୋଜୋମେର୍ତୋ ଗ୍ରାମରୁ ଉଦ୍ଧାର କରାଯାଇଥିଲା । ଆନୁମାନିକ ସପ୍ତମ ଶତାବ୍ଦୀର ଏହି ଅଭିଲେଖ ପ୍ରାଚୀନ ମାଳୟ ଭାଷା ଓ କବି ଲିପିରେ ଏହା ଲିଖିତ । ଶାନ୍ତନୁ ଓ ଭଦ୍ରାବତୀଙ୍କ ପୁତ୍ର ଏବଂ ସମ୍ପୁଲାଙ୍କ ସ୍ୱାମୀ ରାଜା ଦପୁନ୍ତ ଶୈଳେନ୍ଦ୍ରଙ୍କ ବିଷୟରେ ଏହି ଅଭିଲେଖରେ କୁହାଯାଇଛି । ଇଣ୍ଡୋନେସୀୟ ପ୍ରାଧ୍ୟାପକ ଡଃ ବୋଏଚାରିଙ୍କ ମତାନୁସାରେ ଦପୁନ୍ତ ଶୈଳେନ୍ଦ୍ର ମାତରମ (ବା ମେଦାଂଗ) ରାଜ୍ୟକୁ ପରେ ଶାସନ କରିଥିବା ଶୈଳେନ୍ଦ୍ର ବଂଶୋଦ୍ଭବଙ୍କ ପୂର୍ବ ପୁରୁଷ ଥିଲେ ।

ଉଭୟ ଅଭିଲେଖ ସପ୍ତମ ଶତାବ୍ଦୀରେ ମଧ୍ୟ ଜାଭାର ଉତ୍ତର ଉପକୂଳରେ ଏକ ହିନ୍ଦୁ-ଶୈବ ପରମ୍ପରାର ରାଜ୍ୟ ଆଡ଼କୁ ଇଙ୍ଗିତ କରନ୍ତି ଯାହାକୁ ଆଜି ସମସ୍ତେ କଳିଙ୍ଗ ନାମରେ ଡାକନ୍ତି । କିଛି ପୁରାତନ ଇଣ୍ଡୋନେସୀୟ ଚାଣ୍ଡି (ମନ୍ଦିର), ଯଥା – ଗେଡୋଂଗ ସୋଂଗୋ ଓ ଡିଏଂଗ୍ ମାଳଭୂମିର ଚାଣ୍ଡି ମଧ୍ୟ-ଜାଭାର ଉତ୍ତରରେ ଥିବା ପର୍ବତମାନଙ୍କ ଉପରେ ଥିବାର ଦେଖିବାକୁ ମିଳେ । ତେବେ ଏହି ମନ୍ଦିରଗୁଡ଼ିକ ପରବର୍ତ୍ତୀ ମେଦାଂଗ କାଳରେ ନିର୍ମିତ ହୋଇଥିବାର କିଛି ଐତିହାସିକ କୁହନ୍ତି । ଐତିହାସିକମାନେ କୁହନ୍ତି ଯେ ମଧ୍ୟ-ଜାଭାର ଦକ୍ଷିଣସ୍ଥ କେଡୁ ସମଭୂମି ଅଞ୍ଚଳରେ ପ୍ରାଚୀନ ଓ ପରବର୍ତ୍ତୀ ସମୟରେ ଗଢ଼ି ଉଠିଥିବା ରାଜ୍ୟମାନଙ୍କ ମଧ୍ୟରେ ସମ୍ପର୍କ ରହିଥିଲା ।

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Chang Chi-yun. "Eastern Asia in the Sui and T'and Period" (map). Historical Atlas of China. Vol. 1. Taipei: Chinese Culture University Press, 1980. p. 49
  2. ୨.୦ ୨.୧ Drs. R. Soekmono (1988) [First published in 1973]. Pengantar Sejarah Kebudayaan Indonesia 2, 2nd ed. Yogyakarta: Penerbit Kanisius. p. 37.
  3. ୩.୦ ୩.୧ Coedès, George (1968). Walter F. Vella (ed.). The Indianized States of Southeast Asia. trans.Susan Brown Cowing. University of Hawaii Press. ISBN 978-0-8248-0368-1.
  4. IPS Terpadu Kelas VII SMP/MTs, Penerbit Galaxy Puspa Mega:Tim IPS SMP/MTs.