Jump to content

କଳିଙ୍ଗ (ରାଜ୍ୟ), ଜାଭା

ଉଇକିପିଡ଼ିଆ‌ରୁ
କଳିଙ୍ଗ
ହୋଲିଙ୍ଗ
ହେଲିଙ୍ଗ

ଷଷ୍ଠ ଶତାବ୍ଦୀ–ସପ୍ତମ ଶତାବ୍ଦୀ
ରାଜଧାନୀନିଶ୍ଚିତ ରୂପେ ଜଣାନାହିଁ, କିନ୍ତୁ ପେକାଲୋଂଗାନ୍ ଓ ଜେପାରା ମଧ୍ୟରେ ରହିଥିବାର ଅନୁମାନ କରାଯାଏ
ସାଧାରଣ ଭାଷାପୁରୁଣା ଜାଭା ଭାଷା, ସଂସ୍କୃତ ଭାଷା
ଧର୍ମ
ହିନ୍ଦୁ ଧର୍ମ, ବୌଦ୍ଧ ଧର୍ମ, ପ୍ରକୃତି ଉପାସକ
Governmentରାଜଶାସନ
ରାଜା 
 ଆନୁମାନିକ ଖ୍ରୀ. ୬୭୪
ରାଣୀ ଶିମା
History 
 Established
ଷଷ୍ଠ ଶତାବ୍ଦୀ
 Disestablished
ସପ୍ତମ ଶତାବ୍ଦୀ
Succeeded by
ମେଦାଂଗ ସାମ୍ରାଜ୍ୟ
Today part ofଇଣ୍ଡୋନେସିଆ

କଳିଙ୍ଗ ବା କଲିଂଗ୍ଗା ବା ହୋଲିଂଗ୍ (ଜାଭା ଭାଷାରେ କରଜନ କଲିଂଗ୍ଗା, ଚୀନୀ ଲେଖାରେ ବର୍ଣ୍ଣିତ ହେଲିଂଗ୍[]) ହେଉଛି ଷଷ୍ଠ ଶତାବ୍ଦୀରେ ଇଣ୍ଡୋନେସିଆର ଜାଭା ଦ୍ୱୀପର ଉତ୍ତର ଭାଗରେ ଗଢ଼ି ଉଠିଥିବା ଏକ ଭାରତୀୟ ଔପନିବେଶିକ ରାଜ୍ୟ । ଏହା ଜାଭାର ପ୍ରଥମ ହିନ୍ଦୁ-ବୌଦ୍ଧ ରାଜ୍ୟ ଥିଲା ଏବଂ ଇଣ୍ଡୋନେସିଆ ଇତିହାସର କୁତାଇ ଓ ତରୁମନଗର ପରି ପ୍ରାଚୀନତମ ରାଜ୍ୟମାନଙ୍କ ମଧ୍ୟରେ ଗଣା ।

ଐତିହାସିକ ଅଧ୍ୟୟନ ସମ୍ପର୍କୀୟ ତଥ୍ୟ

[ସମ୍ପାଦନା]

ପ୍ରତ୍ନତାତ୍ତ୍ୱିକ ଉତଖନନ କିମ୍ବା ଐତିହାସିକ ଦସ୍ତାବିଜରୁ ପ୍ରାଚୀନ କଳିଙ୍ଗ ରାଜ୍ୟ ସମୟର ଅଧିକ ତଥ୍ୟ ବା ବସ୍ତୁ ମିଳେନାହିଁ । ଏହି ରାଜ୍ୟର ରାଜଧାନୀ କେଉଁଠି ଥିଲା, ତାହା ମଧ୍ୟ ନିଶ୍ଚିତ ରୂପରେ କୁହାଯାଇପାରିବ ନାହିଁ । ପେକାଲୋଂଗାନ ଓ ଜେପାରା ମଧ୍ୟସ୍ଥ କୌଣସି ଏକ ସ୍ଥାନରେ ପ୍ରାଚୀନ କଳିଙ୍ଗ ରାଜ୍ୟର ରାଜଧାନୀ ରହିଥିବାର ଅନୁମାନ କରାଯାଏ । ଜେପାରା ରାଜ୍ୟରେ “କେଲିଂଗ୍” ନାମକ ଏକ ଉପଜିଲ୍ଲା ରହିଛି । ପେକାଲୋଂଗାନ୍ ଓ ବାଟାଂଗଠାରେ ହୋଇଥିବା ପ୍ରତ୍ନତାତ୍ତ୍ୱିକ ଖନନରୁ ପେକାଲୋଂଗାନ୍ ଏକ ପ୍ରାଚୀନ ବନ୍ଦର ଥିବା ଜଣା ପଡ଼ିଲା ଓ “ପେ-କଲିଂଗ୍-ଆନ୍” ଲୋକମୁଖରେ ପେକାଲୋଂଗାନ୍ ବୋଲାଉଥିବାର ସମ୍ଭବପର । କଳିଙ୍ଗ ରାଜ୍ୟ ୬ଷ୍ଠରୁ ୭ମ ଶତାବ୍ଦୀ ମଧ୍ୟରେ ବିକଶିତ ଥିଲା ଏବଂ ଜାଭାରେ ସ୍ଥାପିତ ହିନ୍ଦୁ-ବୌଦ୍ଧ ରାଜ୍ୟମାନଙ୍କ ମଧ୍ୟରେ ସର୍ବପୁରାତନ ଥିଲା । ଏହି ରାଜ୍ୟ ବିଷୟରେ ଐତିହାସିକ ତଥ୍ୟ ନାହିଁ କହିଲେ ଚଳେ ଏବଂ ଯାହା ତଥ୍ୟ ମିଳେ ତାହା ସ୍ଥାନୀୟ ପ୍ରଥା କିମ୍ବା ଚୀନର ଲେଖା ଇତ୍ୟାଦିରୁ ଗୃହୀତ ।

ଇତିହାସ

[ସମ୍ପାଦନା]

ଚୀନର ଏହି ଲେଖା ତାଂଗ୍ ରାଜବଂଶର ଶାସନ କାଳର । ଚୀନୀ ବୌଦ୍ଧ ଭିକ୍ଷୁ ୟିଜିଂଙ୍କ ଅନୁସାରେ ଖ୍ରୀ. ୬୬୪ରେ ହୁଇନିଂ (會寧) ନାମଧାରୀ ଜଣେ ଚୀନୀ ବୌଦ୍ଧ ସନ୍ୟାସୀ ହେଲିଂଗରେ ପଦାର୍ପଣ କରିଥିଲେ ଓ ସେଠାରେ ପରବର୍ତ୍ତୀ ୩ ବର୍ଷ ଅତିବାହିତ କରିଥିଲେ । ତାଙ୍କ ରହଣିକାଳରେ ହେଲିଂଗର ଜଣେ ସନ୍ୟାସୀ ଜ୍ଞାନଭଦ୍ରଙ୍କ ସହାୟତାରେ ସେ ହୀନଯାନ ବୌଦ୍ଧପନ୍ଥାର ଅନେକ ଲେଖା ଅନୁବାଦ କରିଥିଲେ ।[][]:79

ଖ୍ରୀ. ୬୭୪ରେ ରାଣୀ ଶିମା କଳିଙ୍ଗ ରାଜ୍ୟରେ ରାଜୁତି କରୁଥିଲେ । ତାଙ୍କ ରାଜ୍ୟବାସୀ ସଚ୍ଚୋଟ ଓ ସତ୍ୟବାଦୀ ହୁଅନ୍ତୁ ବୋଲି ଚୋରି, ଡକାୟତି ପାଇଁ ସେ ଅତି କଠୋର ଦଣ୍ଡ ଓ ନିୟମ ପ୍ରଚଳନ କରାଇଥିଲେ । କଳିଙ୍ଗର ଲୋକ କେତେ ସଚ୍ଚୋଟ ଓ ସତ୍ୟବାଦୀ ତାହା ପରୀକ୍ଷା କରିବା ପାଇଁ ଥରେ ଜଣେ ବିଦେଶୀ ରାଜା କଳିଙ୍ଗକୁ ଯାଇଥିବା ରାସ୍ତାର ଏକ ଛକରେ ସୁନା ଭରିଥିବା ଏକ ମୁଣା ରଖିଦେଲେ । ନିଜର ନ ହୋଇଥିବାରୁ କେହି ସେ ମୁଣାକୁ ଛୁଇଁ ନଥିଲେ ଓ ୩ ବର୍ଷ କାଳ ତାହା ସେପରି ପଡ଼ି ରହିଥିଲା । ୩ ବର୍ଷ ପରେ ରାଣୀ ଶିମାଙ୍କ ପୁତ୍ର ଓ ଯୁବରାଜ ଭୁଲବଶତଃ ସେହି ସୁନା ମୁଣାକୁ ପାଦରେ ଛୁଇଁ ଦେଇଥିଲେ । ରାଣୀ ଶିମା ନିଜ ପୁତ୍ରକୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ । ଯୁବରାଜଙ୍କ ପାଦ ଛୁଇଁ ଥିବାରୁ ପାଦକୁ ଦଣ୍ଡିତ କରାଯାଉ (କାଟି ଦିଆଯାଉ) ଓ ଯୁବରାଜଙ୍କ ପ୍ରାଣ ନ ନିଆଯାଉ ବୋଲି ରାଣୀଙ୍କ ଜଣେ ମନ୍ତ୍ରୀ ଯୁକ୍ତି ରଖିଥିଲେ ।[] ପରବର୍ତ୍ତୀ ସମୟରେ ରଚିତ “ଚରିତ ପରହ୍ୟଙ୍ଗନ” ନାମକ ଏକ ଲେଖା ଅନୁସାରେ ରାଣୀ ଶିମାଙ୍କ ଅଣନାତି ଶ୍ରୀ ସଞ୍ଜୟ ସୁନ୍ଦ ଓ ଗାଲୁଃ ରାଜ୍ୟର ରାଜା ହୋଇଥିଲେ ଏବଂ ମେଦାଂଗ ରାଜ୍ୟର ସ୍ଥାପନା କରିଥିଲେ ।

ସମ୍ଭବତଃ ବୌଦ୍ଧ ଧର୍ମାବଲମ୍ବୀ ଶୈଳେନ୍ଦ୍ର ଶାସକଙ୍କ ଯୋଗୁଁ ଖ୍ରୀ. ୭୪୨ରୁ ୭୫୫ ମଧ୍ୟରେ ଏହି ରାଜ୍ୟ ଡିଏଂଗ୍ ମାଳଭୂମିରୁ ପୂର୍ବକୁ ଉଠି ପଳାଇଥିବ ।[]:90

ଅଭିଲେଖ

[ସମ୍ପାଦନା]

ତୁକମାସ ଅଭିଲେଖ କଳିଙ୍ଗ ରାଜ୍ୟ ସମୟର ବୋଲି ଅନୁମାନ କରାଯାଏ । ମଧ୍ୟ ଜାଭାର ମାଗେଲାଂଗ ରାଜ୍ୟର ଲେବାକ ଗ୍ରାମର ଦୁସୁନ ଦାକାୱୁଠାରେ ମେରାପି ପର୍ବତର ପଶ୍ଚିମ ଢାଲୁରୁ ଏହି ଅଭିଲେଖ ପ୍ରାପ୍ତ ହୋଇଥିଲା । ଏହି ଅଭିଲେଖ ସଂସ୍କୃତ ଭାଷା ଓ ପଲ୍ଲବ ଲିପିରେ ଏକ ନିର୍ମଳ ଜଳ ସ୍ରୋତ ବିଷୟରେ ଲେଖା ହୋଇଛି, ଯାହାର ତୁଳନା ଭାରତର ଗଙ୍ଗୋତ୍ରୀ ସହିତ କରାଯାଇପାରିବ । ଏହି ଅଭିଲେଖରେ ବିଭିନ୍ନ ହିନ୍ଦୁ ଦେବତାଙ୍କ ସଙ୍କେତ ଯଥା - ତ୍ରିଶୂଳ, କମଣ୍ଡଳୁ, ପରଶୁ, ଚକ୍ର, ଶଙ୍ଖ , ପଦ୍ମ ପ୍ରଭୃତି ମଧ୍ୟ ସନ୍ନିବିଷ୍ଟ ।[]

ସୋଜୋମେର୍ତୋ ଅଭିଲେଖ ମଧ୍ୟ ସମକାଳୀନ ଆଉ ଏକ ଅଭିଲେଖ ଯାହା କେଚାମାତାନ ରେବାନର ସୋଜୋମେର୍ତୋ ଗ୍ରାମରୁ ଉଦ୍ଧାର କରାଯାଇଥିଲା । ଆନୁମାନିକ ସପ୍ତମ ଶତାବ୍ଦୀର ଏହି ଅଭିଲେଖ ପ୍ରାଚୀନ ମାଳୟ ଭାଷା ଓ କବି ଲିପିରେ ଏହା ଲିଖିତ । ଶାନ୍ତନୁ ଓ ଭଦ୍ରାବତୀଙ୍କ ପୁତ୍ର ଏବଂ ସମ୍ପୁଲାଙ୍କ ସ୍ୱାମୀ ରାଜା ଦପୁନ୍ତ ଶୈଳେନ୍ଦ୍ରଙ୍କ ବିଷୟରେ ଏହି ଅଭିଲେଖରେ କୁହାଯାଇଛି । ଇଣ୍ଡୋନେସୀୟ ପ୍ରାଧ୍ୟାପକ ଡଃ ବୋଏଚାରିଙ୍କ ମତାନୁସାରେ ଦପୁନ୍ତ ଶୈଳେନ୍ଦ୍ର ମାତରମ (ବା ମେଦାଂଗ) ରାଜ୍ୟକୁ ପରେ ଶାସନ କରିଥିବା ଶୈଳେନ୍ଦ୍ର ବଂଶୋଦ୍ଭବଙ୍କ ପୂର୍ବ ପୁରୁଷ ଥିଲେ ।

ଉଭୟ ଅଭିଲେଖ ସପ୍ତମ ଶତାବ୍ଦୀରେ ମଧ୍ୟ ଜାଭାର ଉତ୍ତର ଉପକୂଳରେ ଏକ ହିନ୍ଦୁ-ଶୈବ ପରମ୍ପରାର ରାଜ୍ୟ ଆଡ଼କୁ ଇଙ୍ଗିତ କରନ୍ତି ଯାହାକୁ ଆଜି ସମସ୍ତେ କଳିଙ୍ଗ ନାମରେ ଡାକନ୍ତି । କିଛି ପୁରାତନ ଇଣ୍ଡୋନେସୀୟ ଚାଣ୍ଡି (ମନ୍ଦିର), ଯଥା – ଗେଡୋଂଗ ସୋଂଗୋ ଓ ଡିଏଂଗ୍ ମାଳଭୂମିର ଚାଣ୍ଡି ମଧ୍ୟ-ଜାଭାର ଉତ୍ତରରେ ଥିବା ପର୍ବତମାନଙ୍କ ଉପରେ ଥିବାର ଦେଖିବାକୁ ମିଳେ । ତେବେ ଏହି ମନ୍ଦିରଗୁଡ଼ିକ ପରବର୍ତ୍ତୀ ମେଦାଂଗ କାଳରେ ନିର୍ମିତ ହୋଇଥିବାର କିଛି ଐତିହାସିକ କୁହନ୍ତି । ଐତିହାସିକମାନେ କୁହନ୍ତି ଯେ ମଧ୍ୟ-ଜାଭାର ଦକ୍ଷିଣସ୍ଥ କେଡୁ ସମଭୂମି ଅଞ୍ଚଳରେ ପ୍ରାଚୀନ ଓ ପରବର୍ତ୍ତୀ ସମୟରେ ଗଢ଼ି ଉଠିଥିବା ରାଜ୍ୟମାନଙ୍କ ମଧ୍ୟରେ ସମ୍ପର୍କ ରହିଥିଲା ।

ଆହୁରି ଦେଖନ୍ତୁ

[ସମ୍ପାଦନା]
  1. Chang Chi-yun. "Eastern Asia in the Sui and T'and Period" (map). Historical Atlas of China. Vol. 1. Taipei: Chinese Culture University Press, 1980. p. 49
  2. 1 2 Drs. R. Soekmono (1988) [First published in 1973]. Pengantar Sejarah Kebudayaan Indonesia 2, 2nd ed. Yogyakarta: Penerbit Kanisius. p. 37.
  3. 1 2 Coedès, George (1968). Walter F. Vella (ed.). The Indianized States of Southeast Asia. trans.Susan Brown Cowing. University of Hawaii Press. ISBN 978-0-8248-0368-1.
  4. IPS Terpadu Kelas VII SMP/MTs, Penerbit Galaxy Puspa Mega:Tim IPS SMP/MTs.