ଏଡ଼ିଥ୍ ହାରଟନ୍

ଉଇକିପିଡ଼ିଆ‌ରୁ
ଏଡ଼ିଥ୍ ହାରଟନ୍
ଏଡ଼ିଥ୍ ହାରଟନ୍, ସି.୧୮୮୯
ଏଡ଼ିଥ୍ ହାରଟନ୍, ସି.୧୮୮୯
ଜନ୍ମ ଓ ଜନ୍ମସ୍ଥାନଏଡ଼ିଥ୍ ନିଉବୋଲ୍ଡ଼ ଜନ୍
(1862-01-24)ଜାନୁଆରୀ ୨୪, ୧୮୬୨
ନ୍ୟୁୟର୍କ
ମୃତ୍ୟୁଅଗଷ୍ଟ ୧୧, ୧୯୩୭(1937-08-11) (ବୟସ ୭୫)
ସାଇଣ୍ଟ-ବ୍ରିସ-ସୋଷ୍-ଫରେଟ, ଫ୍ରାନ୍ସ୍
ବୃତ୍ତିଔପନସିକ, ଗାଳ୍ପିକ, କବି, ଚିତ୍ରଶିଳ୍ପୀ
ଜୀବନସାଥୀଏଡ଼ୱାର୍ଡ ହାରଟନ୍ (୧୮୮୫–୧୯୧୩)

ଦସ୍ତଖତ

ଊନବିଂଶରୁ ବିଂଶ ଶତାବ୍ଦୀ ମଧ୍ୟରେ କଲମ ଚାଳନା କରି ଯେଉଁ କେତେଜଣ ସାହିତ୍ୟିକ ବିଶ୍ୱ ସାହିତ୍ୟର ଦ୍ରାଘିମାକୁ ଉଜ୍ଜ୍ୱଳ ତଥା ବଳିଷ୍ଠ କରିଛନ୍ତି, ସେମାନଙ୍କ ମଧ୍ୟରେ ଏଡ଼ିଥ୍ ହାରଟନ୍ ଅନ୍ୟତମ । ଆମେରିକୀୟ ସାହିତ୍ୟରେ ତାଙ୍କୁ ଏକ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରାଯାଇଥାଏ । ସେ ଏକାଧାରରେ ଥିଲେ ଜଣେ କବି , ଗାଳ୍ପିକ , ଔପନ୍ୟାସିକ ଏବଂ ଚିତ୍ରଶିଳ୍ପୀ । "ଏଡ଼ିଥ୍"ଙ୍କ ରଚନା ଥିଲା ତାଙ୍କ ସମସାମୟୀକଙ୍କଠାରୁ ବେଶ୍ ଭିନ୍ନ ଏବଂ ନିଆରା । ଏକଥା ସ୍ୱୀକାରଯୋଗ୍ୟ ଯେ , ବିଂଶଶତାବ୍ଦୀରେ ମାନବୀୟ ମୂଲ୍ୟବୋଧର ଆସିଥିଲା ଏକ ଯୁଗାନ୍ତକାରୀ ପରିବର୍ତ୍ତନ । ମଣିଷ ଚରିତ୍ର ବଦଳିଯାଉଥିଲା ଏବଂ ମନୋଭାବ ମଧ୍ୟ ବଦଳିଯାଉଥିଲା । ବସ୍ତୁତଃ ମଣିଷ ଯେମିତି ଏକ ଦ୍ୱନ୍ଦର ଦୋଛକିରେ ଠିଆ ହୋଇଥିଲା । ଏହାକୁ ମୁଖ୍ୟତଃ ନିଜର ରଚନାବଳୀ ପାଇଁ ଗୋଟିଏ ଗୋଟିଏ କଞ୍ଚାମାଲ ଭାବେ ଗ୍ରହଣ କରିଥିଲେ , ସେ ଆଉ ସେ ସବୁକୁ କଳାତ୍ମକ ଭାବେ ପ୍ରକାଶ କରିଥିଲେ । "ଏଡ଼ିଥ୍"ଙ୍କ ରଚନାର ଏକ ସିଂହଭାଗ ମଣ୍ଡନ କରୁଥିଲା "ହାସ୍ୟରସ" । ସେଥିଲାଗି ସେ ଯେତେ କ୍ଳିଷ୍ଟ ବିଷୟକୁ ନେଇ ସାହିତ୍ୟ ଲେଖୁଥିଲେ ବି ତାହା ପାଠକଙ୍କ ମନକୁ ଅତିଶୀଘ୍ର ଛୁଇଁଯାଇପାରୁଥିଲା । ଏହାବ୍ୟତୀତ ଚରିତ୍ରମାନଙ୍କର ମାନସ୍ତାତ୍ୱିକ ବିଶ୍ଳେଷଣ କରିବାରେ ବି ସେ ଥିଲେ ଜଣେ ଧୁରୀଣ ବିନ୍ଧାଣି । ସେଥିପାଇଁ ତାଙ୍କୁ ଦିଆଯାଇଥିଲା ସମ୍ମାନଜନକ (ପୁଲିଜର ପୁରସ୍କାର) । ସେତିକିନୁହେଁ , ୧୯୨୭ , ୧୯୨୮ ଏବଂ ୧୯୩୦[୧]ତିନିବର୍ଷ ଧରି ତାଙ୍କର ନାମକୁ (ନୋବେଲ୍ ପୁରସ୍କାର) ନିମନ୍ତେ ମଧ୍ୟ ମନୋନୀତ କରାଯାଇଥିଲା ।

"ଏଡ଼ିଥ୍ ହାରଟନ୍"ଙ୍କ ଝିଅ ଅବସ୍ଥାର ରୂପଚିତ୍ର "ଏଡୱର୍ଡ ହ୍ୟାରିସନ" (ମଇ-୧୮୭୦)ଙ୍କଦ୍ୱାରା ଚିତ୍ରିତ।

ଜନ୍ମ ଓ ପରିବାର[ସମ୍ପାଦନା]

୧୮୬୨ ମସିହା ଜାନୁୟାରୀ ୨୪ ତାରିଖରେ ନ୍ୟୁୟର୍କ ସହରରେ (ଏଡ଼ିଥ୍ ହାରଟନ୍)ଙ୍କ ଜନ୍ମ। ବାପାଙ୍କ ନାମ (ଜର୍ଜ ଫ୍ରେଡେରିକ୍ ଜୋନ୍ସ) ଏବଂ ମା'ଙ୍କ ନାମ (ଲ୍ୟୁକ୍ରେଟିଆ ଷ୍ଟିଭେନ୍ସ)। "ଏଡ଼ିଥ୍ ହାରଟନ୍"ଙ୍କ ପିଲାବେଳର ନାମ ଥିଲା (ଏଡ଼ିଥ୍ ନ୍ୟୁବୋଲ୍ଡ ଜୋନ୍ସ)। ତାଙ୍କର ଦୁଇଜଣ ବଡଭାଇ ଥିଲେ: (ଫ୍ରେଡେରିକ୍ ରିନଲ୍ୟାଣ୍ଡର୍) ଏବଂ (ହେନରୀ ଏଡ଼ୱଡ)। ୧୮୬୨, ଏପ୍ରିଲ ୨୦ ତାରିଖରେ "ଏଡ଼ିଥ୍"ଙ୍କୁ (ଗ୍ରେସ୍ ଚର୍ଚ୍ଚ)[୨]ରେ ବିଧିବଦ୍ଧ ଭାବେ ଖ୍ରୀଷ୍ଟଧର୍ମରେ ଦୀକ୍ଷିତ କରାଯାଇଥିଲା। ତାଙ୍କ ପରିବାର ଧର୍ମକୁ ନେଇ ଖୁବ୍ ରକ୍ଷଣଶୀଳ ଥିଲେ। ଖୁବ୍ ନିଷ୍ଠାର ସହ ସେମାନେ ଖ୍ରୀଷ୍ଟଧର୍ମ ପାଳନ କରୁଥିଲେ। ସେଥିଲାଗି ପିଲାଟିବେଳୁ "ଏଡ଼ିଥ୍" ଏକ ବଳିଷ୍ଠ ଧର୍ମ ଧାରଣ ନେଇ ବଡହୋଇଥିଲେ ଓ ଲାଳନପାଳନ ହୋଇଥିଲେ। ପିଲାବେଳେ ଶ୍ରଦ୍ଧାରେ "ଏଡ଼ିଥ୍"ଙ୍କୁ (ପୁସିଜନ୍ସ)[୩]ବୋଲି ଡକାଯାଉଥିଲା। ପରିବାରର ଗୋଟିଏ ଝିଅ ହୋଇଥିବା ହେତୁ ସମସ୍ତେ ତାଙ୍କୁ ଭଲପାଉଥିଲେ ଓ ତାଙ୍କୁ ଅତି ଯତ୍ନର ସହିତ ଲାଳନପାଳନ କରିଥିଲେ।[୪] ତାଙ୍କର ପରିବାର ଏକ ସମ୍ଭ୍ରାନ୍ତ ତଥା ମର୍ଯାଦାବନ୍ତ ପରିବାର ଥିଲା । ଏପରିକି ଲୋକମାନେ ନ୍ୟାୟ ନିମନ୍ତେ ତାଙ୍କର ବାପା ତଥା ଜେଜେବାପାଙ୍କ ନିକଟକୁ ଆସୁଥିଲେ ।

ଗୃହଯୁଦ୍ଧ ଓ ଶିକ୍ଷା[ସମ୍ପାଦନା]

ଏହି ସମୟ ବେଳକୁ ଆମେରିକାରେ ଗୃହଯୁଦ୍ଧ ଖୁବ୍ ତୀବ୍ରତର ହୋଇଉଠିଥିଲା । ଏହାର ସିଧାସଳଖ ପ୍ରଭାବ "ଏଡ଼ିଥ୍"ଙ୍କ ପରିବାର ଉପରେ ପଡ଼ିଥିଲା। ସେମାନେ ସେମାନଙ୍କ ଭିଟାମାଟି ଛାଡ଼ି ଚାଲିଯିବାକୁ ବାଧ୍ୟହେଲେ । ତଥ୍ୟ ଅନୁଯାୟୀ, ୧୮୬୬ରୁ ୧୮୭୨ ମଧ୍ୟରେ ତାଙ୍କ ପରିବାର ଫ୍ରାନ୍ସ, ଜର୍ମାନୀ, ଇଟାଲୀ ଏବଂ ସ୍ପେନ୍ [୫] ପ୍ରଭୃତି ଦେଶରେ ଆତ୍ମଗୋପନ କରିଥିଲେ । ଅବଶ୍ୟ ଗୋଟିଏ ଦୃଷ୍ଟିରୁ ତାଙ୍କ ପରିବାରର ଏହି ପରିବ୍ରାଜକୀୟ ସ୍ଥିତି "ଏଡ଼ିଥ୍"ଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଥିଲା । ସେ ଖୁବ୍ କମ୍ ବୟସରୁ ବିଭିନ୍ନ ଦେଶର ଭାଷା, ଯଥା- ଫ୍ରେଞ୍ଚ୍, ଇଟାଲୀୟାନ, ଜର୍ମାନୀ ଏବଂ ସ୍ପେନର ଭାଷାକୁ ଆୟତ୍ତ କରିପାରିଥିଲେ; ଯାହା ପରବର୍ତ୍ତୀକାଳରେ ତାଙ୍କର ସାହିତ୍ୟ ସର୍ଜନା ପାଇଁ ଆଶୀର୍ବାଦ ପାଲଟିଥିଲା । ସେ କେବଳ ସେହି ଭାଷା କହିପାରୁନଥିଲେ; ଅଧିକନ୍ତୁ ଖୁବ୍ ସୁନ୍ଦର ଭାବେ ସେହିସବୁରେ ଲେଖି ପାରୁଥିଲେ । ୧୮୭୨ ମସିହାରେ ସେମାନେ ପୁଣିଥରେ ନିଜ ଜନ୍ମଭୂମି ଆମେରିକାକୁ ପ୍ରତ୍ୟାବର୍ତ୍ତନ କଲେ । ସେତେବେଳେ "ଏଡ଼ିଥ୍"ଙ୍କୁ ୧୦ବର୍ଷ ହୋଇଥିଲା। ସେତିକିବେଳେ ସେ ହଠାତ୍ ଟାଇଫଏଡରେ ଆକ୍ରାନ୍ତ ହୋଇପଡିଥିଲେ ଓ ସେଥିପାଇଁ ତାଙ୍କୁ ଏକାଧିକ ମାସ ଘରେ ରହିବାକୁ ପଡ଼ିଥିଲା । "ଏଡ଼ିଥ୍" ଆଦୌ ଫ୍ୟାଶନପ୍ରିୟ ନଥିଲେ । ସେ ଫ୍ୟାଶନକୁ କୃତ୍ରିମ ବୋଲି ବିଚାର କରୁଥିଲେ। ପଢ଼ାପଢ଼ିରେ ଖୁବ୍ ଆଗ୍ରହ ଥିଲା ତାଙ୍କର । ଅବଶ୍ୟ ସେ ବିବାହ ପରେ ଉପନ୍ୟାସ ପଢ଼ିଥିଲେ।[୨]କାରଣ ତାଙ୍କ ମା' ତାଙ୍କୁ ବିବାହ ପୂର୍ବରୁ ଉପନ୍ୟାସ ପଢ଼ିବାକୁ ବାରଣ କରିଥିଲେ।

ପ୍ରଥମ ଲେଖା[ସମ୍ପାଦନା]

କିଶୋରୀ ବୟସରୁ "ଏଡ଼ିଥ୍" ଲେଖାଲେଖି ଆରମ୍ଭ କରିଥିଲେ। ଏପରିକି ତାଙ୍କୁ ଯେତେବେଳେ ୧୧ ବର୍ଷ ବୟସ ହୋଇଥିଲା, ସେ ଏକ ଉପନ୍ୟାସ ଲେଖିବା ପାଇଁ ପ୍ରୟାସ କରିଥିଲେ। ତେବେ ତାଙ୍କର ପ୍ରଥମ ପ୍ରକାଶିତ ଲେଖାଥିଲା ଏକ ଅନୁବାଦ କବିତା; ଯାହା ତାଙ୍କ ନାମରେ ନୁହେଁ ଅନ୍ୟ ଜଣଙ୍କ ନାମରେ ପ୍ରକାଶିତ ହୋଇଥିଲା । ସେହି କବିତାଟି ଏକ ଜର୍ମାନ କବିତା ଯାହାର ଇଂରାଜୀ ନାମ (ହ୍ୱଟ୍ ଦି ଷ୍ଟୋନ୍ସ ଟେଲ୍) । ସେ ଏହି କବିତାଟିର ଅନୁବାଦ କରିଥିଲେ ସତ; ହେଲେ ତାଙ୍କୁ ତାଙ୍କ ନାମରେ ପ୍ରକାଶ କରିବାପାଇଁ ଦିଆଯାଇନଥିଲା । ଏକଥା ଆଗରୁ କୁହାଯାଇଛି ଯେ, ତାଙ୍କ ପରିବାର ଏକ ସମ୍ଭ୍ରାନ୍ତ ପରିବାର ଥିଲା । ଆଉ ସେତେବେଳେ ସମ୍ଭ୍ରାନ୍ତମାନଙ୍କର ନାମ କେବଳ ଜନ୍ମବେଳେ, ବିବାହବେଳେ ଏବଂ ମୃତ୍ୟୁବେଳେ ପ୍ରକାଶିତ ହେଉଥିଲା। ଅନ୍ୟ କୌଣସି କାରଣ ପାଇଁ ନାମ ପ୍ରକାଶକୁ ସେମାନେ ମର୍ଯ୍ୟାଦାହୀନ ବୋଲି ମନେକରୁଥିଲେ । ସେଥିପାଇଁ "ଏଡ଼ିଥ୍" ଅନୁବାଦ କରିଥିବା କବିତାଟିର ତାଙ୍କର ଜଣେ ବାନ୍ଧବୀଙ୍କ ବାପାଙ୍କ ନାମରେ ପ୍ରକାଶିତ ହୋଇଥିଲା । ଅବଶ୍ୟ ଏଥିପାଇଁ ମିଳିଥିବା ୫୦ ଡଲାର ପାରିତୋଷିକ "ଏଡ଼ିଥ୍"ଙ୍କୁ ହିଁ ପ୍ରଦାନ କରାଯାଇଥିଲା।

ବିବାହ ଓ ଛାଡପତ୍ର[ସମ୍ପାଦନା]

୧୮୮୫ ମସିହାରେ ସେ (ରବିନ୍ସ ହାରଟନ୍)ଙ୍କୁ ବିବାହ କରିଥିଲେ । ସେତେବେଳେ ତାଙ୍କୁ ୨୩ବର୍ଷ । "ରବିନ୍ସ ହାରଟନ୍" ତାଙ୍କଠାରୁ ୧୨ବର୍ଷ ବଡ଼ । ସେ ଥିଲେ ଜଣେ ଜଣାଶୁଣା "ଆଥଲେଟ୍" । ସେ ଖୁବ୍ ଭ୍ରମଣପ୍ରିୟ ମଧ୍ୟ ଥିଲେ । ସେଥିଲାଗି ସେମାନେ ସାଥିହୋଇ ବିଶ୍ୱର ବହୁ ସ୍ଥାନ ଭ୍ରମଣ କରିଥିଲେ ।[୬]କିନ୍ତୁ ସେତେବେଳ ଅଚାନକ ଡିପ୍ରେସନର ଶିକାର ହୋଇପଡ଼ିଲେ "ରବିନ୍ସ" । ଏହା ମାନସିକ ବିକୃତିରେ ରୂପାନ୍ତର ହେଲା । ଡାକ୍ତରମାନେ ଘୋଷଣା କଲେ ଯେ, 'ରବିନ୍ସ'ଙ୍କ ବ୍ୟାଧି ଦୁରାରୋଗ୍ୟ । ଏହି ଘଟଣା ଘଟିବା ପରେ "ଏଡ଼ିଥ୍"ଙ୍କ (ମର୍ଟନ ଫୁଲେରଟନ୍) ନାମକ ଜଣେ ସାମ୍ବାଦିକଙ୍କ ସହିତ ସମ୍ପର୍କ ଗଢିଉଠିଥିଲା । ୨୮ବର୍ଷ ପରେ ୧୯୧୩ ମସିହାରେ ସେ "ରବିନ୍ସ"ଙ୍କୁ ଛାଡପତ୍ର ଦେଇ [୬] "ମର୍ଟନ"ଙ୍କୁ ବିବାହ କରିଥିଲେ । ତାଙ୍କର ଜୀବନ ଭଳି ତାଙ୍କର ଲେଖାଲେଖି ମଧ୍ୟ ବେଶ୍ ତୀବ୍ରତର ଭାବେ ଆଗେଇ ଚାଲିଥିଲା । "ଏଡ଼ିଥ୍" (ପୁଲିଜର)ପୁରସ୍କାର ପାଇଥିଲେ ଏବଂ ତାଙ୍କ ନାମକୁ (ନୋବେଲ୍) ପାଇଁ ମଧ୍ୟ ମନୋନୀତ କରାଯାଇଥିଲା।

ଦେହାନ୍ତ[ସମ୍ପାଦନା]

"ଏଡ଼ିଥ୍ ହାରଟନ୍" ୧୯୩୭ ମସିହା ଅଗଷ୍ଟ ୧୧ ତାରିଖରେ ୭୫ ବର୍ଷ ବୟସରେ ଫ୍ରାନ୍ସର (ସାଇଣ୍ଟ-ବ୍ରିସ୍-ସୋଷ୍-ଫରେଟ) ସ୍ଥାନରେ ସନ୍ଧ୍ୟା ୫:୩୦ ସମୟରେ ମୃତ୍ୟୁବରଣ କରିଥିଲେ।

ପୁସ୍ତକ[ସମ୍ପାଦନା]

ଉପନ୍ୟାସ[ସମ୍ପାଦନା]

  • ଦି ଟଚ୍ ଷ୍ଟୋନ (୧୯୦୦)
  • ଦି ଭ୍ୟାଲି ଅଫ୍ ଡିସିସନ୍ (୧୯୦୨)
  • ଦି ହାଉସ ଅଫ୍ ମିର୍ଥ (୧୯୦୫)
  • ସମର୍ (୧୯୧୭)
  • ଦି ଏଜ୍ ଅଫ୍ ଇନୋସେନ୍ସ (୧୯୨୦)
  • ଦି ଗଡ଼'ସ୍ ଆରାଇଭ (୧୯୩୨)
  • ଦି ଚିଲଡ୍ରେନ (୧୯୨୮)
  • ଟୁଇଲାଇଟ ସ୍ଲିପ୍ (୧୯୨୭)
  • ବୁନେର ସିଷ୍ଟର (୧୯୧୬)
  • ଦି ଫୃଟ୍ ଅଫ୍ ଦି ଟ୍ରୀ (୧୯୦୭)

କବିତା[ସମ୍ପାଦନା]

  • ଭର୍ସେସ୍ (୧୮୭୮)
  • ଟୁୱେଲ୍ଭ ପୋଏମ୍ (୧୯୨୬)

କ୍ଷୁଦ୍ରଗଳ୍ପ[ସମ୍ପାଦନା]

  • ହ୍ୟୁମ୍ୟାନ ନେଚର୍ (୧୯୩୩)
  • ଦି ୱାର୍ଲଡ ଓଭର୍ (୧୯୩୬)
  • ଦି ଘୋଷ୍ଟ୍ (୧୯୩୭)
  • ରୋମାନ୍ ଫେଭର୍ ଆଣ୍ଡ ଅଦର୍ ଷ୍ଟୋରୀ
  • ଦି ନିୟୁୟୋର୍କ ଷ୍ଟୋରୀ
  • ଦି ଗ୍ରେଟର ଇଂକ୍ଲୀନେସନ (୧୮୯୯)

ଆଧାର[ସମ୍ପାଦନା]

  1. http://www.nobelprize.org/nomination/literature/nomination.php?string=wharton&action=simplesearch&submit.x=7&submit.y=1&submit=submit
  2. ୨.୦ ୨.୧ Lee, Hermione. Edith Wharton. Random House, Inc. ISBN 978-0-375-40004-9.
  3. Lewis, R.W.B. (1975). Edith Wharton: A Biography (First ed.). Harper & Row, Publishers. ISBN 9780060126032.
  4. Benstock, Shari (1994). No Gifts from Chance: A Biography of Edith Wharton. New York: Scribner's. p. 26. ISBN 0-292-70274-4.
  5. "Chronology". The Mount: Edith Wharton's Home. Archived from the original on 2016-05-06. Retrieved 2016-01-24.
  6. ୬.୦ ୬.୧ Davis 2007