ଉଇକିପିଡ଼ିଆ:ମାସର ବଛା ଲେଖା/ଅଗଷ୍ଟ ୨୦୨୧

ଉଇକିପିଡ଼ିଆ ରୁ
Jump to navigation Jump to search

ଅର୍ଥଶାସ୍ତ୍ର

ସଂସ୍କୃତ ଭାଷାରେ ଲିଖିତ ଅର୍ଥଶାସ୍ତ୍ର ପ୍ରାଚୀନ ଭାରତର ଶ୍ରେଷ୍ଠ ରଚନାମାନଙ୍କ ମଧ୍ୟରୁ ଅନ୍ୟତମ । ଏଥିରେ ରାଜ୍ୟ ପରିଚାଳନା, ରାଜନୀତି, ସମରନୀତି ପରି ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ବିଷୟ ବର୍ଣ୍ଣିତ ହୋଇଛି । କୌଟିଲ୍ୟ ଏହି ଶାସ୍ତ୍ରର ରଚୟିତା । କୌଟିଲ୍ୟ ବିଷ୍ଣୁଗୁପ୍ତ ଓ ଚାଣକ୍ୟ ନାମରେ ମଧ୍ୟ ପ୍ରସିଦ୍ଧ । କେତେକ ମତାନୁସାରେ ଅନେକ ଶତାବ୍ଦୀ ଧରି ବିଭିନ୍ନ ଶ୍ଳୋକର ସମାହାରରେ ଏହି ଶାସ୍ତ୍ରର ରଚନା ହୋଇଛି ଏବଂ ଏହାର ମୁଖ୍ୟ ଶ୍ରେୟ ଚାଣକ୍ୟଙ୍କୁ ଦିଆଯାଇଛି । ତକ୍ଷଶିଳାର ମହାଜ୍ଞାନୀ ଚାଣକ୍ୟ ସମ୍ରାଟ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ଗୁରୁ ଓ ଉପଦେଷ୍ଟା ଥିଲେ । କିନ୍ତୁ କେତେକ ଐତିହାସିକ ଏହି ତଥ୍ୟକୁ ଗ୍ରହଣ କରି ନାହାନ୍ତି। ଅର୍ଥଶାସ୍ତ୍ର ରଚନା ଖ୍ରୀଷ୍ଟପୂର୍ବ ଦ୍ୱିତୀୟରୁ ତୃତୀୟ ଶତାବ୍ଦୀ ମଧ୍ୟରେ ହୋଇଥିଲା ଓ ଖ୍ରୀଷ୍ଟାବ୍ଦ ଦ୍ୱାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଏହା ବହୁଳ ଭାବେ ଆଦୃତ ଥିଲା । ଖ୍ରୀଷ୍ଟାବ୍ଦ ଦ୍ୱାଦଶ ଶତାବ୍ଦୀ ପରେ ଏହାର ପ୍ରଭାବ ହ୍ରାସ ପାଇବାକୁ ଲାଗିଲା । ୧୯୦୫ ମସିହାରେ ମହୀଶୂରର ସଂସ୍କୃତ ବିଷାରଦ ରୁଦ୍ରପଟ୍ଟଣ ଶାମାଶାସ୍ତ୍ରୀ ଏହି ଗ୍ରନ୍ଥର ପୁନରାବିଷ୍କାର କରି ୧୯୦୯ ମସିହାରେ ଏହାର ମୁଦ୍ରଣ କରାଇଥିଲେ । ଅର୍ଥଶାସ୍ତ୍ରର ପ୍ରଥମ ଈଂରାଜୀ ଅନୁବାଦ ୧୯୧୫ ମସିହାରେ ପ୍ରକାଶ ପାଇଥିଲା । ଅର୍ଥଶାସ୍ତ୍ର ନାମଟିକୁ ଲୋକେ ମୁଖ୍ୟତଃ ରାଜନୀତି ବିଜ୍ଞାନ ସମ୍ବନ୍ଧୀୟ ବୋଲି ବିଚାର କରିଥାନ୍ତି; କିନ୍ତୁ ଅର୍ଥଶାସ୍ତ୍ରରେ ଆହୁରି ଅନେକ ବିଷୟର ମଧ୍ୟ ଉଲ୍ଲେଖ ମିଳେ । ଏହି ଗ୍ରନ୍ଥରୁ ବିଭିନ୍ନ ପ୍ରକାରର ସରକାର, ଆଇନ, ଦେବାନୀ ଓ ଫୌଜଦାରୀ ନ୍ୟାୟାଳୟ ବ୍ୟବସ୍ଥା, ନୈତିକ ବ୍ୟବସ୍ଥା, ଅର୍ଥନୀତି, ବଜାର ଓ ବ୍ୟବସାୟ, ମନ୍ତ୍ରୀ ଚୟନ ପ୍ରକ୍ରିୟା, କୂଟନୀତି, ଯୁଦ୍ଧନୀତି, ଶାନ୍ତି ଓ ମୈତ୍ରୀ ସମ୍ବନ୍ଧୀୟ ନୀତି, ରାଜାର କର୍ତ୍ତବ୍ୟ ଓ ଦାୟିତ୍ତ୍ୱ ସମ୍ପର୍କରେ ଜାଣିବାକୁ ମିଳେ । ତା’ ଛଡ଼ା ଅର୍ଥଶାସ୍ତ୍ରରୁ ହିନ୍ଦୁ ଦର୍ଶନ ଶାସ୍ତ୍ର, ପ୍ରାଚୀନ ସମୟର କୃଷି ବିଜ୍ଞାନ, ଧାତୁ ଓ ଖଣି ବିଜ୍ଞାନ, ପଶୁ ପାଳନ, ଔଷଧ, ବଣ ଓ ବନ୍ୟଜନ୍ତୁ ଇତ୍ୟାଦି ସମ୍ବନ୍ଧରେ ମଧ୍ୟ ଅନେକ ଜ୍ଞାନ ଓ ତଥ୍ୟ ମିଳେ ।


ପୁରା ପଢନ୍ତୁ...