Jump to content

ଈରାବତୀ ଡଲ୍‍ଫିନ୍

ଉଇକିପିଡ଼ିଆ‌ରୁ

ଈରାବତୀ ଡଲ୍‍ଫିନ୍ ବା ଶିଶୁମାର ବା ଭୁଆସୁଣୀ ମାଛ
କାମ୍ବୋଡିଆରେ ଦିଶୁଥିବା ଈରାବତୀ ଡଲ୍‍ଫିନ୍‍ର ଏକ ଉପପ୍ରଜାତିର ଚିତ୍ର
ମନୁଷ୍ୟ ଓ ଈରାବତୀ ଡଲ୍‍ଫିନ୍‍ର ଆକାରର ତୁଳନା
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ମହାଶ୍ରେଣୀ: ଟେଟ୍ରାପୋଡା
ଗୋଷ୍ଠୀ: ମାମାଲିଆଫୋର୍ମ୍ସ
ଶ୍ରେଣୀ: ମାମାଲିଆ
ଲଘୁଗଣ: କେଟାସିଆ
Family: Delphinidae
Genus: Orcaella
ଜାତି: O. brevirostris
ବାଇନୋମିଆଲ ନାମ
Orcaella brevirostris
(ଜନ୍ ଏଡ୍‍ୱାର୍ଡ୍ ଗ୍ରେର ରିଚାର୍ଡ୍ ଓୱେନ୍, ୧୮୬୬)[]
Orcaella ପ୍ରଜାତିର ବ୍ୟାପ୍ତି ମାନଚିତ୍ର
See: Irrawaddy dolphin
geographic range map
Synonyms
List
  • Orca (Orcaella) brevirostris Owen in Gray, 1866 (basionym)
  • Orcaella brevirostris brevirostris Ellerman & Morrison-Scott, 1951
  • Orcaella brevirostris fluminalis Ellerman & Morrison-Scott, 1951
  • Orcaella fluminalis Gray, 1871
  • Orcella brevirostris Anderson, 1871
  • Orcella fluminalis Anderson, 1871
  • Phocaena (Orca) brevirostris Owen, 1866

ଈରାବତୀ ଡଲ୍‍ଫିନ୍ ବା ଶିଶୁମାର ବା ଭୁଆସୁଣୀ ମାଛ (ଜୀବବିଜ୍ଞାନ ନାମ Orcaella Brevirostris) ଏକ ପ୍ରକାରର ସାମୁଦ୍ରିକ ଡଲ୍‍ଫିନ୍ ମାଛ । ବଙ୍ଗୋପସାଗର ଓ ଦକ୍ଷିଣ-ପୂର୍ବ ଏସିଆର ନଦୀ, ନଦୀ ମୁହାଣ, ଜୁଆରିଆ ମୁହାଣ ଇତ୍ୟାଦି ସ୍ଥାନରେ ଏମାନେ ଦେଖିବାକୁ ମିଳନ୍ତି । ଏମାନେ ସବୁ ମାନର କ୍ଷାରୀୟ ବା ଲୁଣିଆ ପାଣିରେ ବସବାସ କରିବା ଦେଖାଯାଇଛି ।

ଡଲ୍‍ଫିନ୍‍ମାନେ ସ୍ତନପାୟୀ ପ୍ରାଣୀ ହୋଇଥିବାରୁ ଅନ୍ୟ ଜଳଚର ଜୀବଙ୍କ ବିପରୀତ ଏମାନଙ୍କୁ ବାରମ୍ବାର ଜଳପତ୍ତନ ଉପରକୁ ଆସି ପ୍ରଶ୍ୱାସ ନେବାକୁ ହୁଏ । ଡଲ୍‍ଫିନ୍‍ମାନଙ୍କ ମନର ଭୟ ସଞ୍ଚାର ହେଲେ ସେମାନେ ଗଭୀର ପାଣିକୁ ଡେଇଁଯାନ୍ତି, ତେଣୁ ସେମାନେ ନିଶ୍ୱାସପ୍ରଶ୍ୱାସ ନେଇ ନପାରି ବୁଡିଯିବାର ସମ୍ଭାବନା ବଢିଯାଏ ।

ବର୍ଗୀକରଣ

[ସମ୍ପାଦନା]
ଇଟାଲୀର ପିସା ବିଶ୍ୱବିଦ୍ୟାଳୟର ପ୍ରାକୃତିକ ଇତିହାସ ସଂଗ୍ରହାଳୟରେ ରଖାଯାଇଥିବା ଈରାବତୀ ଡଲ୍‍ଫିନ୍‍ର ଏକ କଙ୍କାଳ ନମୁନା

ଭାରତର ପୂର୍ବ ଉପକୂଳସ୍ଥ ବିଶାଖପାଟଣାରେ ୧୮୫୨ ମସିହାରେ ଦେଖାଯାଇଥିବା ଏହି ଡଲ୍‍ଫିନ୍‍ର ଏକ ପ୍ରଜାତି ବିଷୟରେ ସାର୍ ରିଚାର୍ଡ୍ ଓୱେନ୍ ସର୍ବପ୍ରଥମେ ୧୮୬୬ ମସିହାରେ ବିବରଣୀ ପ୍ରଦାନ କରିଥିଲେ । [] ଈରାବତୀ ଡଲ୍‍ଫିନ୍‍ର ଦୁଇ ପ୍ରଜାତି ମଧ୍ୟରୁ ଏହା ଏକ ପ୍ରଜାତି । ଅତୀତରେ ଏହାକୁ Monodontidae କିମ୍ବା Delphinapteridae ଶ୍ରେଣୀରେ ସ୍ଥାନ ଦିଆଯାଇଛି । କିନ୍ତୁ ବର୍ତ୍ତମାନ Delphinidae ପରିବାରର ପ୍ରାଣୀ ଭାବେ ପରିଗଣିତ କରିବା ପାଇଁ ଅନେକ ବିଶେଷଜ୍ଞ ସହମତି ପ୍ରଦାନ କରିଛନ୍ତି ।

ଏହି ପ୍ରଜାତିର ନାମରେ ବ୍ୟବହୃତ brevirostris ଏକ ଲାଟିନ୍ ଶବ୍ଦରୁ ଉଦ୍ଧୃତ ଯାହାର ଅର୍ଥ ହେଲା “ଛୋଟ ଥଣ୍ଟବିଶିଷ୍ଟ” । ଈରାବତୀ ଡଲ୍‍ଫିନ୍‍ ଅଷ୍ଟ୍ରେଲୀୟ ସ୍ନବ୍‍ଫିନ୍ ଡଲ୍‍ଫିନ୍ (ଜୀବବିଜ୍ଞାନ ନାମ Orcaella heinsohni) ପ୍ରଜାତିର ସମ୍ପର୍କୀୟ । ୨୦୦୫ ମସିହାରେ କରାଯାଇଥିବା ଏକ ଜେନେଟିକ୍ ବିଶ୍ଳେଷଣ ପରେ ସ୍ନବ୍‍ଫିନ୍ ଡଲ୍‍ଫିନ୍‍ର ଦୁଇଟି ଶ୍ରେଣୀ ରହିଥିବା ଓ ଉତ୍ତର ଷ୍ଟ୍ରେଲୀୟ ଉପକୂଳରେ ରହୁଥିବା ଡଲ୍‍ଫିନ୍ “Orcaella genus” ପ୍ରଜାତିର ବୋଲି ଜଣାପଡିଲା । “Orcaella” ଡଲ୍‍ଫିନ୍‍ମାନେ ହତ୍ୟାକାରୀ ତିମି (ଜୀବବିଜ୍ଞାନ ନାମ Orcinus orca) ପ୍ରଜାତିର ନିକଟତମ ।

ଈରାବତୀ ଡଲ୍‍ଫିନ୍‍ର ବିଭିନ୍ନ ସ୍ଥାନୀୟ ନାମ :

  • ବ୍ରହ୍ମଦେଶୀୟ : ဧရာဝတီ လင်းပိုင် ଈୟାୱାଦୀ ଲାବୈଂଗ୍
  • ଚିଲିକା ଅଞ୍ଚଳରେ ସ୍ଥାନୀୟ ନାମ : ଶିଶୁମାର ବା ଭୁଆସୁଣୀ ମାଛ (ଅର୍ଥାତ୍, ତେଲ ପ୍ରଦାୟୀ ଡଲ୍‍ଫିନ୍) []
  • ଫିଲିପିନୋ: ଲାମ୍ପାସୁତ୍ []
  • ବଙ୍ଗଳାଦେଶୀୟ : ଶୁଶୁକୋ
  • ଇଣ୍ଡୋନେସୀୟ : ପେସୁତ୍
  • କ୍ଷ୍ମେର୍ : ផ្សោត ଫ୍’ ସୌତ୍
  • ଲାଓ : ປາຂ່າ ଫା’କା
  • ମାଳୟ : ଡଲ୍‍ଫିନ୍ ଏମ୍ପେସୁତ୍
  • ଓଡ଼ିଆ : ଖେମ ବା ଖେରା
  • ଥାଇ : โลมาอิรวดี (ଆୟୋମା ଈରାୱାଡି) ବା โลมาหัวบาตร ଆୟୋମା ହୁଆ ବତ୍ ("ଭିକ୍ଷାଥାଳୀ ଡଲ୍‍ଫିନ୍” - ମୁଣ୍ଡର ଆକାର ଯୋଗୁଁ ଏପରି ନାମ ଦିଆଯାଇଛି) []

ବର୍ଣ୍ଣନା

[ସମ୍ପାଦନା]
୧୮୭୮ ମସିହାରେ ଅଙ୍କିତ ଈରାବତୀ ଡଲ୍‍ଫିନ୍‍ର ଏକ ଚିତ୍ର

ହତ୍ୟାକାରୀ ତିମିର ନିକଟତମ ପ୍ରଜାତି ହେଲେ ମଧ୍ୟ ଈରାବତୀ ଡଲ୍‍ଫିନ୍‍ ବେଲୁଗା ପରି ଦେଖାଯାନଏ । ଏହାର ମୁଣ୍ଡଟି ଏକ ବଡ଼ ତରଭୁଜ ପରି ଗୋଲ ଓ ଥଣ୍ଟଟି ସେତେ ସ୍ପଷ୍ଟଭାବେ ବାରି ହୁଏ ନାହିଁ । ଏହାର ଗୋଟିଏ ଡେଣା ତ୍ରିଭୁଜାକାର, ଛୋଟ ଓ ମୁଣ୍ଡପଟରୁ ଶରୀରର ଲମ୍ବର ଦୁଇ-ତୃତୀୟାଂଶ ଦୂରତାରେ ପିଠି ଉପରେ ରହିଥାଏ । ଆଉ ଦୁଇଟି ପହଁରା ଡେଣା ଲମ୍ବା ଓ ଆକାରରେ ବଡ଼ । ଈରାବତୀ ଡଲ୍‍ଫିନ୍‍ର ଦେହରେ ପିଠି ପଟଟି ହାଲୁକା ରଙ୍ଗର ହୋଇଥିବା ବେଳେ ତଳପଟର ପେଟ ଅଂଶଟି ଧଳା ହୋଇଥାଏ । ଈରାବତୀ ଡଲ୍‍ଫିନ୍‍ମାନଙ୍କ ପିଚକାରୀ କଣାଟି ଅର୍ଦ୍ଧଚନ୍ଦ୍ରାକୃତି, ଅନ୍ୟ ଡଲ୍‍ଫିନ୍‍ମାନଙ୍କଠାରୁ ଭିନ୍ନ ଓ ମୁହଁର ସାମନା ପଟକୁ ଖୋଲେ । ଅନ୍ୟ ପ୍ରଜାପତିଙ୍କ ପିଚକାରୀ କଣା ମୁଣ୍ଡର ଉପର ପଟକୁ ରହିଥାଏ । ଈରାବତୀ ଡଲ୍‍ଫିନ୍‍ମାନଙ୍କ ଛୋଟିଆ ଥଣ୍ଟ ଅନ୍ୟ ଡଲ୍‍ଫିନ୍‍ଙ୍କ ଥଣ୍ଟରୁ ଯଥେଷ୍ଟ ଭିନ୍ନ ଓ ଏହାର ଉପର ଓ ତଳ ମାଢିରେ ୧୨ରୁ ୧୯ଟି ଦାନ୍ତ ରହିଥାଏ । ଈରାବତୀ ଡଲ୍‍ଫିନ୍‍ମାନଙ୍କ ଓଜନ ପ୍ରାୟ ୯୦-୨୦୦ କି.ଗ୍ରା. (୨୦୦-୪୪୦ ପାଉଣ୍ଡ୍) ପର୍ଯ୍ୟନ୍ତ ହୋଇଥାଏ । ପ୍ରାପ୍ତବୟସ୍କ ଈରାବତୀ ଡଲ୍‍ଫିନ୍ ପ୍ରାୟ ୨..୩ ମିଟର୍ ବା ୭.୫ ଫୁଟ୍ ଲମ୍ବା ହୋଇଥାଏ । ଥାଇଲ୍ୟାଣ୍ଡର ଏକ ଅଣ୍ଡିରା ଡଲ୍‍ଫିନ୍‍ର ଦୈର୍ଘ୍ୟ ସର୍ବାଧିକ ୨.୭୫ ମିଟର୍ (୯ ଫୁଟ୍) ଥିଲା । []

ସଂକ୍ଷେପରେ କହିଲେ, ଈରାବତୀ ଡଲ୍‍ଫିନ୍‍ମାନଙ୍କ ଶରୀରର ରଙ୍ଗ ପାଉଁଶିଆ ବା ଗାଢ ନୀଳ ରଙ୍ଗର ହୋଇଥାଏ । ଏମାନଙ୍କ ତଳପଟି ଫିକା ରଙ୍ଗର ହୋଇଥାଏ ଓ ଏଥିରେ କୌଣସି ଚିହ୍ନ ପରିଲକ୍ଷିତ ହୁଏନାହିଁ । ପିଠି ଉପରର ଡେଣା ଛୋଟ । କପାଳଟି ଉଚ୍ଚ ଓ ଗୋଲାକୃତି । ଥଣ୍ଟ ଓ ନାକର ଆକାର ଛୋଟ । ଏହାର ପହଁରା ଡେଣା ଓସାରିଆ ଓ ଟିକେ ଗୋଲାକାର । ଡେଣାହୀନ ପର୍ପୋଇଜ୍ (Neophocaena phocaenoides) ପ୍ରଜାତି ଦେଖିବାରେ ଏକା ପ୍ରକାରର ଓ ଏମାନଙ୍କ ପିଠିଡେଣା ନଥାଏ । କିନ୍ତୁ କୁବ୍‍ଜା ଡଲ୍‍ଫିନ୍‍ (Sousa chinensis) ଆକାରରେ ବହୁତ ବଡ଼, ଏହାର ଥଣ୍ଟର ଆକାର ଓ ପିଠିଡେଣା ମଧ୍ୟ ବଡ଼ ।

ବ୍ୟବହାର ଓ ଆଚରଣ

[ସମ୍ପାଦନା]

ଈରାବତୀ ଡଲ୍‍ଫିନ୍‍ମାନେ ଡେଣା ଫଡଫଡ କରି ବା ବିଭିନ୍ନ ପ୍ରକାରର ଧ୍ୱନି ସୃଷ୍ଟି କରି ପରସ୍ପର ସହିତ ଯୋଗାଯୋଗ କରନ୍ତି । ଏହି ଧ୍ୱନିତରଙ୍ଗର ଆବୃତ୍ତି ପ୍ରାୟ ୬୦ କିଲୋହର୍ଜ୍ ପର୍ଯ୍ୟନ୍ତ ହୋଇଥାଏ ଓ ଏହା କେଉଁ ସ୍ଥାନରୁ କିପରି ପ୍ରତିଧ୍ୱନିତ ହେଉଛି ତାହା ଡଲ୍‍ଫିନ୍‍ମାନଙ୍କୁ ଦୂରତା ନିର୍ଣ୍ଣୟ କରିବାରେ ସାହାଯ୍ୟ କରେ । ଡଲ୍‍ଫିନ୍‍ମାନେ କଣ୍ଟାଯୁକ୍ତ ମାଛ, ମାଛମଞ୍ଜି, ଅକ୍ଟୋପସ୍, ସ୍କ୍ୱିଡ୍, କଙ୍କଡା, ଚିଙ୍ଗୁଡି ଇତ୍ୟାଦି ଜୀବଙ୍କୁ ଖାଦ୍ୟଭାବେ ଆହରଣ କରନ୍ତି । ପୋଷା ଡଲ୍‍ଫିନ୍‍ମାନଙ୍କ ଖାଦ୍ୟାଚରଣର ଅନୁଧ୍ୟାନ କରି ଜାଣିବାକୁ ମିଳିଛି ଯେ ଏମାନେ ନିଜ ଖାଦ୍ୟକୁ ପାଟି ପଟରୁ ଶୋଷି ଖାଇଥାନ୍ତି । ଈରାବତୀ ଡଲ୍‍ଫିନ୍‍ମାନେ ସମୟ ସମୟରେ ୧.୫ ମିଟର୍ ଉଚ୍ଚତା ପର୍ଯ୍ୟନ୍ତ ପିଚକାରୀ ପରି ପାଣି ନିଷ୍କାସିତ କରନ୍ତି । ସାଧାରଣତଃ ଦଳବଦ୍ଧଭାବେ ମାଛ ଶିକାର ବେଳେ ଏପରି କରିବା ଦେଖାଯାଏ । ଲମ୍ଫ ପ୍ରଦାନ କରିବା ବେଳେ, ମାଛ ଅନୁସନ୍ଧାନ ବା ତଡିନେବା ବେଳେ, ଖାଇବା ବେଳେ ଶରୀର ମଧ୍ୟକୁ ପଶୁଥିବା ଅଧିକ ପାଣି ଏପରି ପିଚକାରୀ ପରି ନିଷ୍କାସିତ ହୁଏ । ପୋଷା ଈରାବତୀ ଡଲ୍‍ଫିନ୍‍ମାନଙ୍କୁ ନିର୍ଦ୍ଦେଶାନୁସାରେ ଲମ୍ଫ ପ୍ରଦାନ କରିବାର ତାଲିମ୍ ମଧ୍ୟ ଦିଆଯାଇଥାଏ । ଈରାବତୀ ଡଲ୍‍ଫିନ୍‍ମାନେ ମନ୍ଦଗତିରେ ସନ୍ତରଣ କରନ୍ତି । ଏକ ପରୀକ୍ଷଣ ବେଳେ ଡଙ୍ଗା ସାହାଯ୍ୟରେ ଡଲ୍‍ଫିନ୍‍ମାନଙ୍କୁ ଗୋଡାଇବାରୁ ସେମାନେ ୨୦-୨୫ କି.ମି. ପ୍ରତି ଘଣ୍ଟା (୧୨-୧୬ ମାଇଲ୍ ପ୍ରତି ଘଣ୍ଟା) ବେଗରେ ପହଁରିବା ଦେଖାଯାଇଥିଲା ।

ଈରାବତୀ ଡଲ୍‍ଫିନ୍‍ମାନେ ଡଙ୍ଗା ଇତ୍ୟାଦିରୁ ଦୂରରେ ରହନ୍ତି ଓ ଡଙ୍ଗାର ଉପସ୍ଥିତି ବିଷୟରେ ଜାଣିପାରିଲେ ଗଭୀର ପାଣିକୁ ଚାଲିଯାଆନ୍ତି । ଅପେକ୍ଷାକୃତ ଧୀର ବେଗବିଶିଷ୍ଟ ଏହି ପ୍ରାଣୀମାନେ ପାଣିରେ ଲମ୍ଫ ମାରିବା, ଲେଉଟିବା ଇତ୍ୟାଦି ଅନେକ କୌଶଳ ଦେଖାନ୍ତି । ପାଟି ପଟୁ ପିଚକାରୀ ଭଳି ପାଣି ଛାଡି ଏମାନେ ଆଖପାଖର ମାଛମାନଙ୍କୁ ଭ୍ରମରେ ପକାଇଦିଅନ୍ତି ଓଈରାବତୀ ଡଲ୍‍ଫିନ୍‍ମାନେ ସେହି ମାଛମାନଙ୍କର ଶିକାର କରନ୍ତି । ଏମାନେ ୨-୩ର ଦଳରେ ବୁଲନ୍ତି । କେତେକ ସ୍ଥାନରେ ଈରାବତୀ ଡଲ୍‍ଫିନ୍‍ଙ୍କ ୨୫ ସଦସ୍ୟବିଶିଷ୍ଟ ଦଳ ମଧ୍ୟ ଦେଖାଯାଇଛି । ପ୍ରାୟତଃ ୬ରୁ କମ୍ ଡଲ୍‍ଫିନ୍‍ଙ୍କ ଗୋଷ୍ଠୀ ଅଧିକ ମାତ୍ରାରେ ଓ ୧୫ରୁ ଅଧିକ ସଭ୍ୟର ଗୋଷ୍ଠୀ କମ୍ ପରିଲକ୍ଷିତ ହୋଇଥାଏ । ଦଳରେ ରହିବା ଏବଂ ବୁଲିବାଦ୍ୱାରା ଶିକାର, ସାମାଜିକ ସଦ୍‍ଭାବ ଓ ଅଣ୍ଡିରା ଓ ମାଈମାନଙ୍କ ମିଳନ ଇତ୍ୟାଦି ସହଜସାଧ୍ୟ ହୋଇଥାଏ ।

ଆଗକୁ ଡେଇଁ ଡେଇଁ ଯିବା ସମୟରେ ଏମାନଙ୍କ ଶରୀରର ଜଳପତ୍ତନରୁ ଉପରକୁ ଉଠେ । କେବଳ ଗଭୀର ପାଣିକୁ ବୁଡିବା ପୂର୍ବରୁ ହିଁ ଏମାନଙ୍କ ଲାଞ୍ଜ ସମ୍ପୂର୍ଣ୍ଣ ରୂପେ ପାଣି ଉପରେ ଦେଖାଯାଏ । ଏମାନେ ୩୦-୧୫୦ ସେକେଣ୍ଡରୁ ନେଇ ୧୨ ମିନିଟ୍ ପର୍ଯ୍ୟନ୍ତ ବୁଡ ପକାଇ ପାରନ୍ତି । ଲାଓସ୍‍ରେ କରାଯାଇଥିବା ୨୭୭ଟି ପରୀକ୍ଷଣରେ ଦଳର ଶେଷ ସଭ୍ୟ ବୁଡ ପକାଇବା ଓ ପ୍ରଥମ ସଦସ୍ୟ ପୁଣି ଉପରକୁ ଆସିବାର ସମୟ ବ୍ୟବଧାନର ମଧ୍ୟମା ୧୧୫.୩ ସେକେଣ୍ଡ ନିର୍ଣ୍ଣିତ ହୋଇଥିଲା । ଏହି ପରୀକ୍ଷଣରେ ଈରାବତୀ ଡଲ୍‍ଫିନ୍‍ମାନଙ୍କ ବୁଡର ସମୟସୀମା ୧୯ ସେକେଣ୍ଡରୁ ନେଇ ୭.୧୮ ମିନିଟ୍ ପର୍ଯ୍ୟନ୍ତ ହେବା ଲକ୍ଷ୍ୟ କରାଯାଇଥିଲା । ଏମାନଙ୍କ ଲମ୍ଫର ମାତ୍ରା ଅତି କମ୍ ଓ ଅନ୍ୟ ଡଲ୍‍ଫିନ୍‍ମାନଙ୍କ ପରି ଏମାନେ ଡଙ୍ଗା ନିକଟରେ ଧନୁଷାକୃତି ପଥରେ ଚଳପ୍ରଚଳ ହୁଅନ୍ତି ନାହିଁ ।

ଡଲ୍‍ଫିନ୍‍ର ଭିନ୍ନ ପ୍ରଜାତି ମଧ୍ୟରେ ପ୍ରତିଯୋଗିତା ହେଲେ ଈରାବତୀ ଡଲ୍‍ଫିନ୍‍ମାନେ ସମୁଦ୍ର ମଧ୍ୟଭାଗରୁ କୂଳ ପଟକୁ ଅପସରି ଯାଆନ୍ତି । ପୋଷା କୁବ୍‍ଜା ଡଲ୍‍ଫିନ୍ (Sonsa chinensis) ଓ ଈରାବତୀ ଡଲ୍‍ଫିନ୍‍ମାନଙ୍କୁ ଗୋଟିଏ ଜଳାଶୟରେ ରଖିଲେ ଈରାବତୀ ଡଲ୍‍ଫିନ୍‍ମାନଙ୍କ ଚଳପ୍ରଚଳ କ୍ଷେତ୍ର ଖୁବ୍ ନିୟନ୍ତ୍ରିତ ହୋଇଯିବା ଦେଖାଯାଏ ଓ କୁବ୍‍ଜା ଡଲ୍‍ଫିନ୍‍ମାନେ ନିଜ ପ୍ରଭାବ ଦେଖାଇ ଅଧିକ ଅଞ୍ଚଳରେ ଚଳପ୍ରଚଳ କରନ୍ତି । ଚିଲିକା ହ୍ରଦର କେତେକ ସ୍ଥାନୀୟ ମାଛଧରାଳୀଙ୍କ ଅନୁସାରେ ବେଳେବେଳେ ଚିଲିକା ମୁହାଣ ନିକଟବର୍ତ୍ତୀ ଅଞ୍ଚଳରେ ଉଭୟ ବୋତଲନାକ ଡଲ୍‍ଫିନ୍ ଓ ଈରାବତୀ ଡଲ୍‍ଫିନ୍ ଏକା ଅଞ୍ଚଳକୁ ଖାଦ୍ୟ ସନ୍ଧାନରେ ଆସିଯାଆନ୍ତି ଓ ଏପରି ପରିସ୍ଥିତି ସୃଷ୍ଟି ହେଲେ ଈରାବତୀ ଡଲ୍‍ଫିନ୍‍ମାନେ ଭୟରେ ହ୍ରଦ ଭିତରକୁ ପଳାଇଯାଆନ୍ତି ।

ମାଈ କିମ୍ବା ଅଣ୍ଡିରା ଡଲ୍‍ଫିନ୍ ଖୁବ୍ କମ୍ ସମୟ ପାଇଁ ପ୍ରଣୟ ପ୍ରାର୍ଥୀ ଖୋଜି ବୁଲନ୍ତି । ପ୍ରଣୟ ପ୍ରାର୍ଥୀ ମିଳିଲେ ପେଟକୁ ପେଟ ଲଗାଇ ପ୍ରେମ ପ୍ରଦର୍ଶନ କରନ୍ତି । ଏମାନଙ୍କ ମିଳନ ସମୟ ୪୦ ସେକେଣ୍ଡରୁ ଅଧିକ ହୋଇନଥାଏ । ମିଳନ ପରେ ମାଈ ଓ ଅଣ୍ଡିରା ଡଲ୍‍ଫିନ୍ ନିଜ ନିଜ ବାଟରେ ଚାଲିଯାନ୍ତି ।

ପ୍ରଜନନ

[ସମ୍ପାଦନା]
୧୮୭୮ ମସିହାର ଏକ ଚିତ୍ରରେ ଗର୍ଭ ମଧ୍ୟରେ ଅଜାତ ଡଲ୍‍ଫିନ୍‍ ପ୍ରଦର୍ଶିତ ହୋଇଛି

ପ୍ରାୟ ୭ରୁ ୯ ବର୍ଷ ବୟସରେ ଏହି ଡଲ୍‍ଫିନ୍‍ମାନେ ଯୌନ ପରିପକ୍ୱତା ଲାଭ କରନ୍ତି । ଉତ୍ତର ଗୋଲାର୍ଦ୍ଧରେ ଏମାନଙ୍କ ମିଳନ ଋତୁ ଡିସେମ୍ବରରୁ ଜୁନ୍ ମାସ ପର୍ଯ୍ୟନ୍ତ ରହିଥାଏ । ଏହି ଡଲ୍‍ଫିନ୍‍ମାନଙ୍କ ଗର୍ଭଧାରଣ ସମୟ ପ୍ରାୟ ୧୪ ମାସ ହୋଇଥାଏ । ତେଣୁ ଦୁଇରୁ ତିନି ବର୍ଷ ମଧ୍ୟରେ ମାଈ ଡଲ୍‍ଫିନ୍ ଗୋଟିଏ ଶିଶୁକୁ ଜନ୍ମ ଦିଏ । ଶିଶୁ ଡଲ୍‍ଫିନ୍‍ର ଜନ୍ମ ସମୟରେ ଦୈର୍ଘ୍ୟ ପ୍ରାୟ ୧ ମିଟର୍ (୩.୩ ଫୁଟ୍) ଓ ଓଜନ ହାରାହାରି ୧୦ କିଲୋଗ୍ରାମ୍ (୨୨ ପାଉଣ୍ଡ୍) ହୋଇଥାଏ । ଜନ୍ମର ପ୍ରାୟ ୨ ବର୍ଷ ପରେ ଶିଶୁମାନେ ସାଧାରଣ ଖାଦ୍ୟ ଖାଇବା ଆରମ୍ଭ କରନ୍ତି । ଡଲ୍‍ଫିନ୍‍ମାନଙ୍କ ବୟସକାଳ ପ୍ରାୟ ୩୦ ବର୍ଷ ।

ଖାଦ୍ୟ ଆହରଣ

[ସମ୍ପାଦନା]

ଡଲ୍‍ଫିନ୍‍ମାନେ ମାଛ, କଙ୍କଡା, ଚିଙ୍ଗୁଡି, ଲବ୍‍ଷ୍ଟର୍, ଅକ୍ଟୋପସ୍, ସ୍କ୍ୱିଡ୍ ଇତ୍ୟାଦି ବିଭିନ୍ନ ପ୍ରକାରର ଖାଦ୍ୟ ଖାଇପାରନ୍ତି । ଖାଦ୍ୟ ଅନ୍ୱେଷଣ ସମୟରେ ପ୍ରାୟ ୭ଟି ଡଲ୍‍ଫିନ୍ ନିଜ ଶିକାର ଚାରିପଟେ ଏକ ଗୋଲେଇ ତିଆରି କରି ବୁଲନ୍ତି । ସମୁଦ୍ର ପୃଷ୍ଠରୁ ଅଳ୍ପ ଗଭୀରତାରେ ଏହି ଶିକାର କରାଯାଏ ।

ଅଧିବାସ

[ସମ୍ପାଦନା]

ଏହି ଡଲ୍‍ଫିନ୍‍କୁ କିଛି ଲୋକ ଈରାବତୀ ନଦୀ ଡଲ୍‍ଫିନ୍ ବୋଲି କୁହନ୍ତି, କିନ୍ତୁ ପ୍ରକୃତରେ ଏହା ଏକ ନଦୀ ଡଲ୍‍ଫିନ୍ ନୁହଁ । ପ୍ରକୃତରେ ଉପକୂଳ, ନଦୀ ମୁହାଣ, ତ୍ରିକୋଣଭୂମି ପାଖାପାଖି ଅଞ୍ଚଳ ବା ଲୁଣମିଶା ପାଣିରେ ବସବାସ କରୁଥିବା ଏହି ଜୀବଟି ଏକ ସାମୁଦ୍ରିକ ଡଲ୍‍ଫିନ୍ । ଏହି ଡଲ୍‍ଫିନ୍ ଗଙ୍ଗା, ମେକଂଗ୍ ଓ ଈରାବତୀ ନଦୀର ମଧୁର ପାଣି ଅଞ୍ଚଳରେ ମଧ୍ୟ ଦେଖାଯାଇଛି । ଈରାବତୀ ନଦୀରୁ ଏହି ଡଲ୍‍ଫିନ୍ ନିଜ ନାମ ପାଇଛି । ବଙ୍ଗୋପସାଗରରୁ ନେଇ ପାପୁଆ ନ୍ୟୁ ଗିନିଆ ଓ ଫିଲିପାଇନ୍‍ସ୍ ପର୍ଯ୍ୟନ୍ତ ଏହି ଡଲ୍‍ଫିନ୍ ଦେଖାଯାନ୍ତି । ଏହି ଡଲ୍‍ଫିନ୍ ସମୁଦ୍ର ଉପକୂଳ ଛାଡି ସମୁଦ୍ରରେ ବେଶୀ ଭିତରକୁ ଯିବା ଦେଖାଯାଏ ନାହିଁ ।

ବୋର୍ଣ୍ଣିଓ ଦ୍ୱୀପରେ ମୁହାଣ ଓ ଉପସାଗରରେ ଅଧିକାଂଶ ସମୟରେ ଈରାବତୀ ଡଲ୍‍ଫିନ୍ ଦେଖାଯାନ୍ତି । ମାଲେସିଆର ସାବା ଅଞ୍ଚଳର ସନ୍ଦାକାନ, ସାରାୱାକ୍ ଓ ବୃନେଇ (ବୋର୍ଣ୍ଣିଓ)ର ଅଧିକାଂଶ ଅଞ୍ଚଳରେ ଏହି ଡଲ୍‍ଫିନ୍ ଦେଖାଯାଇଛି । [] ପୂର୍ବ କାଳିମନ୍ତନର ମହକାମ ନଦୀରେ ମଧ୍ୟ ଏହି ଡଲ୍‍ଫିନ୍‍ର ଏକ ନମୁନା ଉଦ୍ଧାର କରାଯାଇଥିଲା । ଅବିଶ୍ୱସ୍ତ ସୂତ୍ରରୁ ପୁଷ୍ଟି ହୋଇଥିବାରୁ ଚୀନ, ତାଇୱାନ୍, ହଂଗ୍ କଂଗ୍‍ରେ ଏମାନଙ୍କ ଉପସ୍ଥିତି ଏକ ପ୍ରଶ୍ନବାଚୀ । []

ଈରାବତୀ ଡଲ୍‍ଫିନ୍‍ଙ୍କ ଅସ୍ଥିତ୍ୱ ବିପଦମୁଖରେ ଥିଲେ ମଧ୍ୟ ଏହି ପ୍ରଜାତିର ସର୍ବମୋଟ ସଂଖ୍ୟା ଜାଣିବା ପାଇଁ ଏକ ବୃହତ୍ ଅଞ୍ଚଳବ୍ୟାପୀ ସର୍ବେକ୍ଷଣ କରାଯାଇ ନାହିଁ । ବିଶ୍ୱରେ ଏମାନଙ୍କ ସମୁଦାୟ ସଂଖ୍ୟା ପ୍ରାୟ ୭୦୦୦ରୁ ଅଧିକ ହେବ ବୋଲି ଅନୁମାନ କରାଯାଇଛି ଓ ସେଥିରୁ ୯୦ ପ୍ରତିଶତ ବଙ୍ଗଳାଦେଶ ନିକଟରେ ବସବାସ କରନ୍ତି। ବଙ୍ଗଳାଦେଶ ଓ ଭାରତ ଛଡା ଅନ୍ୟ ସବୁ ଦେଶରେ ଏମାନଙ୍କ କମ୍ ସଂଖ୍ୟା ପାଇଁ ଏମାନଙ୍କୁ “critically endangered” (ସଙ୍କଟାପନ୍ନ ଅସ୍ଥିତ୍ୱ) ଶ୍ରେଣୀଭୁକ୍ତ କରାଯାଇଛି । ଈରାବତୀ ଡଲ୍‍ଫିନ୍‍ମାନେ ବାସ କରୁଥିବା ୮ଟି ଭିନ୍ନ ସ୍ଥାନ ଓ ସେହି ଅଞ୍ଚଳରେ ସେମାନଙ୍କ ସଂରକ୍ଷଣ ସ୍ଥିତି ନିମ୍ନରେ ପ୍ରଦତ୍ତ କରାଯାଇଛି ।

ଦେଶ ସ୍ଥାନ ହାରାହାରି ସଂଖ୍ୟା IUCN ସଂରକ୍ଷଣ ସ୍ଥିତି
ବଙ୍ଗଳାଦେଶ ବଙ୍ଗୋପସାଗର ଉପକୂଳ ଅଞ୍ଚଳ[] ୫୮୩୨ VU
ବଙ୍ଗଳାଦେଶ ସୁନ୍ଦରବନର ଲୁଣା ଜଙ୍ଗଲ ନିକଟସ୍ଥ କ୍ଷାରୀୟ ଜଳ [][] ୪୫୧ VU
ଭାରତ ଚିଲିକା ହ୍ରଦ [୧୦] ୧୫୨ VU
ଭାରତ ସୁନ୍ଦରବନ ଜାତୀୟ ଉଦ୍ୟାନ VU
ଲାଓସ୍ ଏବଂ କାମ୍ବୋଡିଆ ମେକଂଗ୍ ନଦୀରେ ନିର୍ଦ୍ଦିଷ୍ଟ ୧୯୦ କି.ମି. ଅଞ୍ଚଳର ମଧୁର ଜଳରେ [୧୧] ୭୮-୯୧ CR
ଇଣ୍ଡୋନେସିଆ ମହକାମ ନଦୀରେ ୪୨୦ କି.ମି. ଅଞ୍ଚଳର ମଧୁର ଜଳରେ CR
ଫିଲିପାଇନ୍‍ସ୍ ମାଲମ୍ପୟା ସାଉଣ୍ଡର କ୍ଷାରୀୟ ପାଣି ଅଞ୍ଚଳରେ[୧୨] ୪୨ CR
ଫିଲିପାଇନ୍‍ସ୍ ପୁଲୁପାନ୍ଦନ, ବାଗୋ, ନିଗ୍ରୋସ୍ ଓକ୍ସିଡେଣ୍ଟାଲ୍ ଓ ପଶ୍ଚିମ ବିଷୟରେ ସଦ୍ୟ ଗବେଷଣାରୁ ଆବିଷ୍କୃତ ୩୦-୪୦ CR
ବ୍ରହ୍ମଦେଶ ଈରାବତୀ ନଦୀର ୩୭୦ କି.ମି. ପରିମିତ ଅଞ୍ଚଳରେ ୫୮-୭୨ CR
ଥାଇଲ୍ୟାଣ୍ଡ୍ ଶୋଂଖ୍‍ଲା ହ୍ରଦର କ୍ଷାରୀୟ ପାଣିରେ[] ୫୦ରୁ କମ୍ CR
ଓଡ଼ିଶାର ଚିଲିକା ହ୍ରଦରେ ମଧ୍ୟ ଈରାବତୀ ଡଲ୍‍ଫିନ୍‍ ଦୃଶ୍ୟମାନ ହୁଅନ୍ତି

ମନୁଷ୍ୟ ଓ ଈରାବତୀ ଡଲ୍‍ଫିନ୍

[ସମ୍ପାଦନା]

ମତ୍ସ୍ୟଜୀବୀ ଓ ଈରାବତୀ ଡଲ୍‍ଫିନ୍‍ମାନଙ୍କ ମଧ୍ୟରେ ନିବିଡ ବନ୍ଧୁତା ରହିଥିବା ବିଷୟ କଥିତ ଅଛି । ପାରମ୍ପରିକ ମତ୍ସ୍ୟଶିକାରରେ ଈରାବତୀ ଡଲ୍‍ଫିନ୍‍ର ସହାୟତାରେ ମତ୍ସ୍ୟଜୀବୀମାନେ ମାଛ ମାରୁଥିଲେ । ଭାରତୀୟ ମତ୍ସ୍ୟଜୀବୀ ଏକ କାଠକୁ ନିଜ ଡଙ୍ଗାରେ ପିଟି ଶବ୍ଦ ସୃଷ୍ଟି କରନ୍ତି । ଏହା ଈରାବତୀ ଡଲ୍‍ଫିନ୍‍ମାନଙ୍କ ପାଇଁ ଏକ ସଙ୍କେତ । ସଙ୍କେତ ପାଇ ଡଲ୍‍ଫିନ୍‍ମାନେ ମାଛମାନଙ୍କୁ ମତ୍ସ୍ୟଜୀବୀଙ୍କ ଜାଲ ଆଡକୁ ଘଉଡାଇ ଦିଅନ୍ତି । [୧୩] ବ୍ରହ୍ମଦେଶରେ ମଧ୍ୟ ଅନୁରୂପ ପଦ୍ଧତିରେ ମତ୍ସ୍ୟଜୀବୀମାନେ ଡଲ୍‍ଫିନ୍‍ଙ୍କ ସହାୟତାରେ ମାଛ ଶିକାର କରନ୍ତି । ମାଛ ଧରିବାକୁ ଯାଇଥିବା ନୋଳିଆମାନେ ଡଙ୍ଗାରେ କୋନ୍ ଆକାରର କାଠକୁ ପିଟି, ପାଣି ଉପରେ ଆହୁଲାକୁ ମାରି, ଜାଲକୁ ବାରମ୍ବାର ହଲାଇ ବା ପାଟିରେ ପକ୍ଷୀ ପରି ଶବ୍ଦକରି ଡଲ୍‍ଫିନ୍‍ମାନଙ୍କ ଦୃଷ୍ଟି ଆକର୍ଷଣ କରନ୍ତି । ଡଲ୍‍ଫିନ୍‍ମାନଙ୍କ ଏକ ଗୋଠ ଏପରି ଶବ୍ଦର ସଙ୍କେତ ପାଇଲା ପରେ ପାଣିରେ ମାଛମାନଙ୍କୁ ଘେରିଯାଇ ମାଛଧରାଳିଙ୍କ ଜାଲ ବା ଡଙ୍ଗା ପଟକୁ ଘଉଡାଇ ଦିଅନ୍ତି । [୧୪] ପରେ ମାଛଧରାଳି ଉପହାର ରୂପେ ଡଲ୍‍ଫିନ୍‍ମାନଙ୍କୁ କିଛି ମାଛ ଖାଇବାକୁ ଦିଅନ୍ତି । ଈରାବତୀ ନଦୀରେ ମାଛ ମାରୁଥିବା ଲୋକେ କୁହନ୍ତି ଯେ ଏକ ଗାଁ ପାଖରେ ନିର୍ଦ୍ଦିଷ୍ଟ କିଛି ଡଲ୍‍ଫିନ୍ ସେହି ଗାଁର ମତ୍ସ୍ୟଜୀବୀଙ୍କୁ ଏପରି ମାଛ ଧରିବାରେ ସବୁବେଳେ ସାହାଯ୍ୟ କରନ୍ତି । ୧୮୭୯ ମସିହାରେ ପ୍ରକାଶିତ ଏକ ଖବର ଅନୁସାରେ, ଡଲ୍‍ଫିନ୍‍ଙ୍କଦ୍ୱାରା ବିତାଡିତ ମାଛ ଉପରେ ଅଧିକାର ସମ୍ବନ୍ଧୀୟ ବିବାଦ ପାଇଁ କେତେକ ମାମଲା ନ୍ୟାୟାଳୟ ପର୍ଯ୍ୟନ୍ତ ପହଞ୍ଚିଥିଲା । []

ବଙ୍ଗଳାଦେଶର ମତ୍ସ୍ୟଜୀବୀମାନେ ନିଜ ମାଛଜାଲ ସହିତ

ଈରାବତୀ ଡଲ୍‍ଫିନ୍ ସମୁଦ୍ର ଉପକୂଳରେ ଓ ଅନ୍ୟ ପ୍ରଜାତିର ଡଲ୍‍ଫିନ୍‍ମାନେ ଗଭୀର ସମୁଦ୍ରରେ ରହୁଥିବାରୁ ମଣିଷମାନଙ୍କ କାର୍ଯ୍ୟକଳାପଦ୍ୱାରା ଈରାବତୀ ଡଲ୍‍ଫିନ୍ ସର୍ବାଧିକ ପ୍ରଭାବିତ ହୋଇଥାନ୍ତି । ମାଛ ଧରିବା ପାଇଁ ଲଗାଯାଇଥିବା ଜାଲରେ ଈରାବତୀ ଡଲ୍‍ଫିନ୍ ଛନ୍ଦିହୋଇ ମୃତ୍ୟୁବରଣ କରିବାର ସର୍ବାଧିକ ସମ୍ଭାବନା ରହିଥାଏ । ୧୯୯୫ରୁ ୨୦୦୧ ମସିହା ମଧ୍ୟରେ ନଜରକୁ ଆସିଥିବା ୩୮ଟି ଡଲ୍‍ଫିନ୍ ମୃତ୍ୟୁର ୭୪% ଜାଲ ଯୋଗୁଁ ହୋଇଥିବା ଜଣାପଡିଥିଲା । ଅଦ୍ୟାବଧି ପ୍ରକାଶିତ ଅଧିକାଂଶ ଡଲ୍‍ଫିନ୍ ମୃତ୍ୟୁର ମୁଖ୍ୟ କାରଣ ହେଉଛି ମାଛ ଓ କଙ୍କଡା ଧରିବା ନିମନ୍ତେ ଉଦ୍ଦିଷ୍ଟ ଜାଲ । ବ୍ରହ୍ମଦେଶରେ ବୈଦ୍ୟୁତିକ ମାଛଶିକାର, ସୁନାଛଣା ଓ ନଦୀବନ୍ଧ ତିଆରି ଇତ୍ୟାଦି ମାନବିକ କାର୍ଯ୍ୟକଳାପ ଡଲ୍‍ଫିନ୍‍ମାନଙ୍କ ପ୍ରତି ବିପଦ ସୃଷ୍ଟି କରିଛି । ମତ୍ସ୍ୟଜୀବୀମାନେ ଡଲ୍‍ଫିନ୍‍ମାନଙ୍କ ଏହି ଦୁରାବସ୍ଥା ପ୍ରତି ସଚେତନ ଓ ସଜାଗ ଥିଲେ ମଧ୍ୟ ନିଜ କୌଳିକ ବୃତ୍ତି ଛାଡି ପାରନ୍ତି ନାହିଁ, ତେଣୁ ଏପରି ଦୁର୍ଘଟଣା ବନ୍ଦ ହୁଏନାହିଁ ।

ପାଣିରେ ଚଳପ୍ରଚଳ ହେଉଥିବା ଲଞ୍ଚ୍, ଷ୍ଟିମର୍ ଓ ଯାନ୍ତ୍ରିକ ଜାହାଜ ଯୋଗୁଁ ଶବ୍ଦ ପ୍ରଦୂଷଣ ହୁଏ ଓ ଏହା ଡଲ୍‍ଫିନ୍‍ମାନଙ୍କ ପ୍ରତି ବିପଦ ସୃଷ୍ଟି କରେ । ଶବ୍ଦରେ ଡରିଯାଇ ଡଲ୍‍ଫିନ୍‍ମାନେ ପାଣିରେ ସ୍ୱାଭାବିକରୁ ଅଧିକ ଗଭୀରତାକୁ ବୁଡିବାକୁ ବାଧ୍ୟ ହୁଅନ୍ତି । ଶବ୍ଦ ଶୁଣିଲେ ସେମାନେ ବାରମ୍ବାର ନିଜ ଦିଗ ପରିବର୍ତ୍ତନ କରିବାକୁ ବାଧ୍ୟ ହୁଅନ୍ତି ।

ଲାଓସ୍ ଓ କାମ୍ବୋଡିଆର ଲୋକଙ୍କ ମଧ୍ୟରେ ବିଶ୍ୱାସ ରହିଛି ଯେ ସେମାନଙ୍କ ପୂର୍ବପୁରୁଷମାନେ ଈରାବତୀ ଡଲ୍‍ଫିନ୍‍ ରୂପରେ ପୁନର୍ଜନ୍ମ ନିଅନ୍ତି । ଲୋକମୁଖରେ ପ୍ରଚାରିତ କଥା ଅନୁସାରେ ଈରାବତୀ ଡଲ୍‍ଫିନ୍‍ମାନେ ପାଣିରେ ବୁଡି ଯାଉଥିବା ବେଳେ କିମ୍ବା କୁମ୍ଭୀରର ଆକ୍ରମଣ ବେଳେ ଲୋକଙ୍କୁ ରକ୍ଷା କରିଛନ୍ତି । ଏପରି ବିଶ୍ୱାସ ଯୋଗୁଁ ଲାଓସ୍ ଓ କାମ୍ବୋଡିଆର ଲୋକେ ବର୍ଷ ବର୍ଷ ଧରି ଡଲ୍‍ଫିନ୍‍ମାନଙ୍କ ସହ ସୌହାର୍ଦ୍ୟପୂର୍ଣ୍ଣ ପରିବେଶରେ ରହିଆସିଛନ୍ତି । କିନ୍ତୁ ମାଛ ମାରିବା ପାଇଁ ମନୁଷ୍ୟମାନଙ୍କଦ୍ୱାରା ପାଣିବୋମାର ବ୍ୟବହାର କରିବା ଡଲ୍‍ଫିନ୍‍ମାନଙ୍କୁ ମନୁଷ୍ୟଠାରୁ ଦୂରକୁ ଠେଲି ଦେଇଛି ଓ ସେମାନଙ୍କ ପ୍ରତି ବିପଦ ମଧ୍ୟ ସୃଷ୍ଟି କରିଛି । ଲାଓସ୍ ସରକାର ପାଣିବୋମାର ବ୍ୟବହାରକୁ ନିଷିଦ୍ଧ ଘୋଷଣା କରିଛନ୍ତି କିନ୍ତୁ କାମ୍ବୋଡିଆରେ ଏହି ସମସ୍ୟା ପାଇଁ କଡାକଡି ନିୟମ ନାହିଁ । କାମ୍ବୋଡିଆରେ ବୋମା ପ୍ରତି ବଜାରରେ ମିଳେ ଓ ଏଠାରେ ଲୋକେ ଜାଲ ପକାଇ ମାଛ ଧରିବା ପ୍ରାୟ ବନ୍ଦ କରିସାରିଛନ୍ତି । ଜାଲ ବଦଳରେ ପାଣିବୋମା ବ୍ୟବହାର ଏଠାରେ ଅଧିକ ଲୋକପ୍ରିୟ ଓ ଏହାର ବହୁଳ ବ୍ୟବହାର ଯୋଗୁଁ ଏହି ଅଞ୍ଚଳରେ ମାଛ ଓ ବିଶେଷ କରି ଡଲ୍‍ଫିନ୍‍ମାନଙ୍କ ସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଇବାରେ ଲାଗିଛି । ଅପରପକ୍ଷେ ଲାଓସ୍ ଦେଶରେ ପାଣିବୋମା ବଦଳରେ ସ୍ଥାୟୀ ନାଇଲନ୍ ଜାଲ ବ୍ୟବହାର ଈରାବତୀ ଡଲ୍‍ଫିନ୍‍ ପ୍ରତି ବିପଦ ସୃଷ୍ଟି କରିଛି । ସ୍ଥାୟୀ ଜାଲରେ ଡଲ୍‍ଫିନ୍ ଛନ୍ଦି ହୋଇ ମୃତ୍ୟୁବରଣ କରନ୍ତି । ଗୋଟିଏ ଡଲ୍‍ଫିନ୍‍ର ମୃତ୍ୟୁ ରୋକିବା ପାଇଁ ପରିବାରର ଭରଣପୋଷଣ ତଥା ଆର୍ଥିକ ବ୍ୟବସ୍ଥାକୁ ବଳିଦାନ ଦେବା ଗରିବ ମତ୍ସ୍ୟଜୀବୀଙ୍କ ପକ୍ଷରେ ସମ୍ଭବ ନୁହେଁ । ତେଣୁ ସ୍ଥାୟୀ ଜାଲ ଉତ୍ପାଟନ କରାଯାଏନାହିଁ ଓ ଏପରି ଦୁର୍ଘଟଣା ଘଟୁଥାଏ ।

ଲାଓସ୍‍ରେ ମେକଂଗ୍ ନଦୀ ଉପରେ ଏକ ବନ୍ଧ ନିର୍ମାଣ କରାଯିବାର ନିଷ୍ପତ୍ତି ହୋଇଛି । ଲାଓସ୍ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଏହି ନଦୀବନ୍ଧ ନିର୍ମାଣ ହେଲେ ଉପରମୁଣ୍ଡ ଓ ତଳ ମୁଣ୍ଡରେ ଥିବା କାମ୍ବୋଡିଆରେ ଈରାବତୀ ଡଲ୍‍ଫିନ୍‍ମାନଙ୍କ ପ୍ରତି ବିପଦ ସୃଷ୍ଟି ହୋଇପାରେ । ମେକଂଗ୍ ନଦୀର ଈରାବତୀ ଡଲ୍‍ଫିନ୍‍ଙ୍କ ଅଧିବାସ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହେବାର ସମ୍ଭାବନା ରହିଛି । ବନ୍ଧ ନିର୍ମାଣ ସମୟରେ ପଥର ଫଟାଇବା ପାଇଁ ବୋମା ବ୍ୟବହାର କରିବା ଅବଶ୍ୟମ୍ଭାବୀ । ଈରାବତୀ ଡଲ୍‍ଫିନ୍‍ମାନଙ୍କ ଅତି ସୂକ୍ଷ୍ମ ଶ୍ରବଣ ଶକ୍ତି ଏହାଦ୍ୱାରା ପ୍ରଭାବିତ ହେବ ଓ ସେମାନେ ମୃତ୍ୟୁମୁଖରେ ପଡିବେ ।

ଏସିଆର ଅନେକ ଦେଶରେ ଈରାବତୀ ଡଲ୍‍ଫିନ୍‍ମାନଙ୍କୁ ପୋଷା ମନାଯାଏ, ପ୍ରଶିକ୍ଷଣ ଦିଆଯାଏ ଓ ସାଧାରଣ ଲୋକଙ୍କ ମନୋରଞ୍ଜନ ପାଇଁ ନିର୍ମିତ ଜଳକ୍ରୀଡ଼ା ଉଦ୍ୟାନରେ ବ୍ୟବହାର କରାଯାଏ । ଜଳ ମଧ୍ୟରେ ଅନେକ କୌଶଳ ଦେଖାଇପାରୁଥିବାରୁ ଏମାନଙ୍କ ପ୍ରଦର୍ଶନ ଅତି ଲୋକପ୍ରିୟ । ମାନବଜାତିର ବ୍ୟବସାୟିକ ସ୍ୱାର୍ଥର ଚରିତାର୍ଥ ପାଇଁ ଈରାବତୀ ଡଲ୍‍ଫିନ୍‍ମାନଙ୍କୁ ବଳ ପୂର୍ବକ ପୋଷା ମନାଯାଏ । ଏମାନେ ମଧୁର ଜଳରେ ମଧ୍ୟ ରହିପାରୁଥିବାରୁ ଜଳକ୍ରୀଡା ସଂସ୍ଥାମାନଙ୍କୁ ଲୁଣିଜଳ ଭଣ୍ଡାର ନିର୍ମାଣ ଓ ତା’ର ରକ୍ଷଣାବେକ୍ଷଣ ଖର୍ଚ୍ଚ ଉଠାଇବାକୁ ପଡେନାହିଁ । ୨୦୦୨ ମସିହାର ଏକ ଗଣନାନୁସାରେ ଏସୀୟ ଦେଶମାନଙ୍କରେ ୮୦ରୁ ଅଧିକ ଡଲ୍‍ଫିନ୍‍ କ୍ରୀଡା ପ୍ରଦର୍ଶକ ଜଳ ଉଦ୍ୟାନ ରହିଥିବା ଜଣାପଡିଛି । ଈରାବତୀ ଡଲ୍‍ଫିନ୍‍କୁ ଅତି ପବିତ୍ର ଜୀବ ବୋଲି କ୍ଷ୍ମେର୍ ଓ ଭିଏତ୍‍ନାମୀ ମତ୍ସ୍ୟଜୀବୀମାନଙ୍କ ବିଶ୍ୱାସ ରହିଛି । ଏଠାରେ ଈରାବତୀ ଡଲ୍‍ଫିନ୍‍ମାନେ ମାଛଜାଲରେ ଧରାପଡିଲେ ସେମାନଙ୍କୁ ପୁଣି ପାଣିରେ ଛାଡିଦିଆଯାଏ । କିନ୍ତୁ କ୍ଷ୍ମେର୍-ମୁସଲିମ୍ ସମ୍ପ୍ରଦାୟର ମତ୍ସ୍ୟଜୀବୀମାନଙ୍କ ଏପରି କୌଣସି ଧାର୍ମିକ ବିଶ୍ୱାସ ନଥିବାରୁ ସେମାନେ ଏହି ଡଲ୍‍ଫିନ୍‍ମାନଙ୍କୁ ସାଧାରଣ ମାଛ ପରି ଆଚରଣ ଦେଖାନ୍ତି । ଡଲ୍‍ଫିନ୍‍ମାନେ ସ୍ଥାନୀୟ ଭାଷା ଚିହ୍ନି ମଣିଷଙ୍କ ଡାକ ଶୁଣିବା ଓ କ୍ଷ୍ମେର୍-ମୁସଲିମ୍ ମତ୍ସ୍ୟଜୀବୀଙ୍କ ଅଞ୍ଚଳରେ ସତର୍କତାର ସହିତ ବିଚରଣ କରିବା ମଧ୍ୟ ଦେଖାଯାଇଛି ।

ମାଛ ଶିକାର ପାଇଁ ପାଣିବୋମାର ବ୍ୟବହାରରେ ଭିଏତ୍‍ନାମ୍ ଓ ଥାଇଲ୍ୟାଣ୍ଡରେ ଡଲ୍‍ଫିନ୍ ମୃତ ହେବା ଏକ ସାଧାରଣ ଦୁର୍ଘଟଣା । ଅତୀତରେ ଏମାନଙ୍କ ଶରୀରରୁ ତେଲ ବାହାର କରିବା ପାଇଁ ଏମାନଙ୍କର ଶିକାର କରାଯାଉଥିଲା । ମାଛଜାଲରେ ଛନ୍ଦି ହୋଇ ପ୍ରାଣ ହରାଇବାର ବିପଦରେ ଥିବା ଈରାବତୀ ଡଲ୍‍ଫିନ୍‍ଙ୍କ ୭ଟିରୁ ୫ଟି ଉପପ୍ରଜାତିଙ୍କୁ IUCNର ତାଲିକାରେ “critically endangered” ଶ୍ରେଣୀଭୁକ୍ତ କରାଯାଇଛି । [] ଉଦାହରଣ ସ୍ୱରୂପ ମାଲମ୍ପାୟାର ଈରାବତୀ ଡଲ୍‍ଫିନ୍ ପ୍ରଜାତି ୧୯୮୬ ମସିହାରେ ଚିହ୍ନଟ ହୋଇଥିଲେ । ସେ ସମୟରେ ଏମାନଙ୍କ ସର୍ବମୋଟ ସଂଖ୍ୟା ୭୭ ଥିଲା । ୨୦୦୭ ମସିହା ବେଳକୁ ଏମାନଙ୍କ ସଂଖ୍ୟା ହ୍ରାସ ପାଇ ୪୭ ହୋଇଯାଇଥିଲା । ବୋର୍ଣ୍ଣିଓର ମହାକାମ ନଦୀରେ ମାଛଙ୍କ ପାଇଁ ଲଗାଯାଇଥିବା ଜାଲ ୭୩% ଡଲ୍‍ଫିନ୍ ମୃତ୍ୟୁର ଏକମାତ୍ର କାରଣ । ଅଧିକ ମାତ୍ରାରେ ମାଛ ଶିକାର ଓ ବହୁ ସଂଖ୍ୟକ ଯନ୍ତ୍ରଚାଳିତ ଡଙ୍ଗା ପାଣିରେ ବୁଲିବା ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ।

ପର୍ଯ୍ୟଟନ

[ସମ୍ପାଦନା]

ଏସିଆରେ ପର୍ଯ୍ୟଟନ ବୃଦ୍ଧି ଈରାବତୀ ଡଲ୍‍ଫିନ୍‍ଙ୍କ ପ୍ରତି ବିପଦ ସୃଷ୍ଟି କରିଛି । ପର୍ଯ୍ୟଟକଙ୍କ ସଂଖ୍ୟା ବଢିଲେ ଈରାବତୀ ଡଲ୍‍ଫିନ୍‍ଙ୍କ ଅଞ୍ଚଳରେ ଡଙ୍ଗାର ଚଳପ୍ରଚଳ ବଢିଥାଏ । ଅଧିକ ଡଙ୍ଗା ଚଳପ୍ରଚଳ ହେଲେ ଓ ସେମାନଙ୍କ ଶବ୍ଦରେ ଡଲ୍‍ଫିନ୍‍ମାନେ ଭୀତତ୍ରସ୍ତ ଅବସ୍ଥାରେ ରହନ୍ତି । ଗବେଷଣାରୁ ଜଣା ପଡିଛି ଯେ ଭାରତ ଓ କାମ୍ବୋଡିଆରେ ଈରାବତୀ ଡଲ୍‍ଫିନ୍‍ ରହୁଥିବା ଅଞ୍ଚଳରେ ପର୍ଯ୍ୟଟନ ବୃଦ୍ଧି ପାଇବା ଯୋଗୁଁ ଈରାବତୀ ଡଲ୍‍ଫିନ୍‍ଙ୍କ ଜୀବନ ପ୍ରତି ଘୋର ବିପଦ ସୃଷ୍ଟି ହୋଇଛି ।

ପ୍ରଦୂଷଣ

[ସମ୍ପାଦନା]

କାମ୍ବୋଡିଆ ଓ ଲାଓସ୍‍ରେ ପ୍ରବାହିତ ମେକଂଗ୍ ନଦୀରେ ପ୍ରଦୂଷଣ ଈରାବତୀ ଡଲ୍‍ଫିନ୍‍ମାନଙ୍କ ପ୍ରତି ବିପଦ ସୃଷ୍ଟି କରିଛି । ନଦୀରେ ମିଶୁଥିବା ବିଷାକ୍ତ କୀଟନାଶକ ଓ ଅନ୍ୟ ରାସାୟନିକ ପଦାର୍ଥ ଯୋଗୁଁ ପାଣିରେ ପାରଦର ମାତ୍ରା ବଢେ । ଏହା ପାଣିରେ ବସବାସ କରୁଥିବା ଡଲ୍‍ଫିନ୍ ସମେତ ଅନ୍ୟ ଜନ୍ତୁଙ୍କ ରୋଗ ପ୍ରତିରୋଧକ ଶକ୍ତି ନଷ୍ଟ କରିଦିଏ ଓ ଏମାନଙ୍କୁ ମୃତ୍ୟୁମୁଖର ଆସନ୍ନ କରାଇଥାଏ ।

ରୋଗ ବ୍ୟାଧି

[ସମ୍ପାଦନା]

ହ୍ରାସ ପାଉଥିବା କେତେକ ସ୍ଥାନରେ ଈରାବତୀ ଡଲ୍‍ଫିନ୍‍ଙ୍କ ଶରୀରରେ Cutaneous nodules ପରି ଫୋଟକା ଦେଖାଯାଇଥିଲା । ନିର୍ଦ୍ଦିଷ୍ଟ ଭାବେ ପରୀକ୍ଷା କଲା ପରେ ୬ଟି ଡଲ୍‍ଫିନ୍ ଏହି ରୋଗଦ୍ୱାରା ଆକ୍ରାନ୍ତ ଥିବା ଜଣା ପଡିଲା । ଏହି ରୋଗର କାରଣ ଓ ନିରାକରଣ ଜଣାନଥିବାରୁ ଏହା ଉଲ୍ଲିଖିତ ଡଲ୍‍ଫିନ୍ ପ୍ରଜାତି ପ୍ରତି ବିପଦର ସମ୍ଭାବନା ସୃଷ୍ଟି କରିଛି ।

ସଂରକ୍ଷଣ

[ସମ୍ପାଦନା]

ବିକାଶଶୀଳ ଦେଶମାନଙ୍କ ଉପକୂଳ ସହିତ ଈରାବତୀ ଡଲ୍‍ଫିନ୍‍ମାନଙ୍କ ନିକଟତା ଯୋଗୁଁ ଏମାନଙ୍କ ସଂରକ୍ଷଣ ଏକ କଷ୍ଟସାଧ୍ୟ ପ୍ରସଙ୍ଗ ରୂପେ ଦେଖାଦେଇଛି । ମାଛଜାଲରେ ଛନ୍ଦି ହୋଇ ଓ ଅଧିବାସର ଅବକ୍ଷୟ ଈରାବତୀ ଡଲ୍‍ଫିନ୍‍ମାନଙ୍କ ପାଇଁ ମୁଖ୍ୟ ବିପଦ । ଏପରି ଅନେକ ବିପଦର ନିରାକରଣ ଓ ଏମାନଙ୍କ ସଂରକ୍ଷଣ ପାଇଁ ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନେକ ପ୍ରଚେଷ୍ଟା ଚାଲିଛି ।

ଅନ୍ତର୍ଜାତୀୟ ସ୍ତରରେ ପ୍ରଚେଷ୍ଟା

[ସମ୍ପାଦନା]

ସଙ୍କଟାପନ୍ନ ଜୀବ ଓ ଉଦ୍ଭିଦଙ୍କ ଅନ୍ତର୍ଜାତୀୟ ବାଣିଜ୍ୟକୁ ନିୟନ୍ତ୍ରଣ କରୁଥିବା ସଂସ୍ଥା (Convention on International Trade in Endangered Species – CITES) ଈରାବତୀ ଡଲ୍‍ଫିନ୍‍ମାନଙ୍କ ବାଣିଜ୍ୟ ଉପରେ ନିଷିଦ୍ଧାଦେଶ ଜାରି କରିଛି । କିନ୍ତୁ ଏହି କଟକଣାକୁ କଡାକଡି ଭାବେ ଲାଗୁ କରିବାର ଦାୟିତ୍ୱ ପ୍ରତ୍ୟେକ ଦେଶ ଉପରେ ରହିଛି । ସମ୍ପ୍ରତିକ ଅବସ୍ଥାରେ କିଛି ଡଲ୍‍ଫିନ୍ ବ୍ୟବସାୟ ହେଉଥିଲେ ହେଁ ଈରାବତୀ ଡଲ୍‍ଫିନ୍‍ମାନଙ୍କ ପାଇଁ ଏହା ଏକ ବଡ଼ ସମସ୍ୟା ଭାବେ ଦେଖାଯାଏନାହିଁ ।

ଲାଓସ୍, କାମ୍ବୋଡିଆ, ଭିଏତ୍‍ନାମ୍, ଇଣ୍ଡୋନେସିଆ, ଫିଲିପାଇନ୍‍ସ୍ ଓ ଥାଇଲ୍ୟାଣ୍ଡ ପରି କେତେକ ସ୍ଥାନରେ IUCN ଈରାବତୀ ଡଲ୍‍ଫିନ୍‍ଙ୍କ ସ୍ଥିତି ଅତ୍ୟନ୍ତ ସଙ୍କଟାପନ୍ନ (critically endangered) ବୋଲି ଘୋଷଣା କରିଛି । ସାଧାରଣରେ ଈରାବତୀ ଡଲ୍‍ଫିନ୍‍ IUCN ତାଲିକାରେ “vulnerable” ଶ୍ରେଣୀର ପ୍ରାଣୀ ଭାବେ ପରିଗଣିତ ହୁଏ । ୨୦୦୪ ମସିହାରେ CITES ସଂସ୍ଥା ଈରାବତୀ ଡଲ୍‍ଫିନ୍‍କୁ ଅନୁଚ୍ଛେଦ-୨ରୁ ଅନୁଚ୍ଛେଦ-୧କୁ ସ୍ଥାନାନ୍ତରିତ କରିଥିଲା । ଏହାଦ୍ୱାରା ସଂକଟାପନ୍ନ ବା ଲୋପ ପାଇଆସୁଥିବା ପ୍ରାଣୀଙ୍କ ଅନ୍ତର୍ଜାତୀୟ ବ୍ୟବସାୟ ଉପରେ ନିଷିଦ୍ଧାଦେଶ ଜାରି ହୋଇଯାଏ ।

ମଧୁର ଜଳରେ ବାସ କରୁଥିବା ଈରାବତୀ ଡଲ୍‍ଫିନ୍‍ମାନଙ୍କ ସୁରକ୍ଷା ପାଇଁ UNEP-CMSଦ୍ୱାରା ପ୍ରସ୍ତାବିତ ପନ୍ଥାନୁସାରେ ନଦୀମଧ୍ୟରେ କେତେକ ଅଭୟାରଣ୍ୟ ବା ସଂରକ୍ଷିତ ଅଞ୍ଚଳ ସୃଷ୍ଟି କରିବା ଅତି ଜରୁରୀ । ଏହି ପନ୍ଥାନୁସାରେ ନିଆଯାଇଥିବା କେତେକ ପଦକ୍ଷେପ ହେଲା :

  1. ଅଭୟାରଣ୍ୟ ବା ସଂରକ୍ଷିତ ଅଞ୍ଚଳ ଗଠନ କରି ସେଠାରେ ମାଛ ଜାଲ ଲଗାଇବାକୁ ସମ୍ପୂର୍ଣ୍ଣ ରୂପେ ନିଷିଦ୍ଧ କରିବା
  2. ମାଛଜାଲ ପକାଇବା ବେଳେ ଡଲ୍‍ଫିନ୍‍ ଫସିଗଲେ ତାକୁ ସୁରକ୍ଷାର ସହିତ ବାହାର କରିବା ଓ କେତେକ ମୌଳିକ ଜାଲ ପକାଇବା ନିୟମର ପ୍ରସାର କରାଇବା
  3. ଫସିଯାଇଥିବା ଡଲ୍‍ଫିନ୍‍ର ମୁକ୍ତି ବେଳେ ଜାଲ ଖରାପ ହେଲେ ମାଛ ଧରାଳିକୁ ସରକାରଙ୍କ ତରଫରୁ କ୍ଷତିପୂରଣ ଯୋଗାଇଦେବା
  4. ସ୍ଥାୟୀ ଜାଲ ପକାଇ ମାଛ ଧରୁଥିବା ଲୋକଙ୍କ ପାଇଁ ବିକଳ୍ପ ନିଯୁକ୍ତିର ବ୍ୟବସ୍ଥା କରିଦେବା
  5. ଯେଉଁସବୁ ଉପକରଣ ବ୍ୟବହାର କଲେ ଡଲ୍‍ଫିନ୍‍ମାନଙ୍କ ପ୍ରତି କୌଣସି ଅସୁବିଧା ହେବନାହିଁ ସେପରି ଉପକରଣ ମାଛ ଧରାଳିଙ୍କୁ ଯୋଗାଇ ଦେବା
  6. ଆଲୋକ ପ୍ରତିଫଳନ କରୁଥିବା ଓ ଶବ୍ଦ ସୃଷ୍ଟିକାକୀ ଜାଲର ବ୍ୟବହାର କରିବା

Conservation of Migratory Species of Wild Animals (CMS) ସଂସ୍ଥାର ତାଲିକାରେ ଈରାବତୀ ଡଲ୍‍ଫିନ୍ ଉଭୟ ଅନୁଚ୍ଛେଦ-୧ ଓ ଅନୁଚ୍ଛେଦ-୨ରେ ସ୍ଥାନ ପାଇଛି । ନିଜର ସମସ୍ତ ଅଧିବାସରେ ବିଲୋପ ହେବାର ସଙ୍କଟାପନ୍ନ ସ୍ଥିତିରେ ରହିଥିବା ପ୍ରାଣୀମାନେ CMSର ଅନୁଚ୍ଛେଦ-୧ରେ ସ୍ଥାନ ପାଆନ୍ତି ଓ ଏହି ପ୍ରାଣୀମାନଙ୍କ ସୁରକ୍ଷା, ସଂରକ୍ଷଣ, ଅଧିବାସର ପୁନରୁଦ୍ଧାର, ସ୍ଥାନାନ୍ତରଣ ପାଇଁ ଥିବା ବିପଦର ନିରାକରଣ କରିବା ପାଇଁ CMS ପ୍ରଯତ୍ନଶୀଳ ହୋଇଥାଏ । ସେହିଭଳି ଅନୁଚ୍ଛେଦ-୨ର ପ୍ରାଣୀମାନଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ଥିବାରୁ ଏହି ପ୍ରକାର ଅନ୍ତର୍ଜାତୀୟ ସ୍ତରରେ ହେଉଥିବା ସଂରକ୍ଷଣ ଯୋଜନା ଓ ସହଯୋଗଦ୍ୱାରା ସେମାନଙ୍କର ବହୁତ ଲାଭ ହେବ ବୋଲି ଆଶା କରାଯାଉଛି ।

ସେଟାସିଆନ୍ ରାଜିନାମା ବଳରେ ନିର୍ଦ୍ଦେଶପତ୍ର (MoU) ପ୍ରକାଶ କରାଯାଇ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଈରାବତୀ ଡଲ୍‍ଫିନ୍‍ମାନଙ୍କ ଅଧିବାସର ସୁରକ୍ଷା କରାଯାଉଛି ।

ଜାତୀୟ ସ୍ତରରେ ପ୍ରଚେଷ୍ଟା

[ସମ୍ପାଦନା]
ଉପଗ୍ରହରୁ ନିଆଯାଇଥିବା ସୁନ୍ଦରବନର ଚିତ୍ର

ଈରାବତୀ ଡଲ୍‍ଫିନ୍‍ମାନଙ୍କ ସଂରକ୍ଷଣପାଇଁ ଜାତୀୟ ସ୍ତରରେ ମଧ୍ୟ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି ଓ ଏଥିପାଇଁ ସ୍ଥାନୀୟ ଈରାବତୀ ଡଲ୍‍ଫିନ୍‍ମାନଙ୍କ ପ୍ରତି ଦେଖା ଦେଉଥିବା ବିପଦ ଏଡେଇ ଦିଆଯାଇପାରୁଛି :

  • ବଙ୍ଗଳାଦେଶର ସୁନ୍ଦରବନ ଲୁଣାଜଙ୍ଗଲରେ ଈରାବତୀ ଡଲ୍‍ଫିନ୍‍ଙ୍କ ଅଧିବାସ ସ୍ଥଳ ପ୍ରାୟ ୧୩୯୬୯୯ ହେକ୍ଟର୍ (୫୩୯ ବର୍ଗ ମାଇଲ୍) ଅଞ୍ଚଳରେ ବ୍ୟାପ୍ତ । ଏହି ଅଞ୍ଚଳରେ ତିନୋଟି ଅଭୟାରଣ୍ୟ ରହିଛି ଓ ଏହାକୁ ସୁନ୍ଦରବନ ବିଶ୍ୱ ଐତିହ୍ୟ ସ୍ଥଳ ବୋଲି ନାମିତ କରାଯାଇଛି । ବଙ୍ଗଳାଦେଶ ସରକାରଙ୍କ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ସହିତ ବନ୍ୟପ୍ରାଣୀ ସଂରକ୍ଷଣ ସମାଜ ନାମକ ଏକ ବେସରକାରୀ ସଂସ୍ଥା ଏଠାରେ ଅବଶିଷ୍ଟ ୬୦୦୦ ଡଲ୍‍ଫିନ୍‍ଙ୍କ ପାଇଁ ସଂରକ୍ଷିତ ଅଞ୍ଚଳ ଚିହ୍ନଟ କରିଛନ୍ତି ।
  • କାମ୍ବୋଡିଆରେ ମାଛ ଧରିବା ପାଇଁ ପ୍ରଣୀତ ନିୟମାନୁସାରେ ଈରାବତୀ ଡଲ୍‍ଫିନ୍‍ମାନଙ୍କୁ ସଙ୍କଟାପନ୍ନ ପ୍ରାଣୀ ଭାବେ ଅଭିହିତ କରାଯାଇ ସେମାନଙ୍କୁ ଆଇନ୍ ଦୃଷ୍ଟିକୋଣରୁ ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରାଯାଇଛି । ୨୦୦୫ ମସିହାରେ ବିଶ୍ୱ ବନ୍ୟପ୍ରାଣୀ ପ୍ରକୃତି କୋଷ (World Wide Fund For Nature - WWF)ର ଅନୁଦାନରେ ଓ ସ୍ଥାନୀୟ ଲୋକ ଓ ସରକାରଙ୍କ ସହଯୋଗରେ କାମ୍ବୋଡିଆ ମେକଂଗ୍ ଡଲ୍‍ଫିନ୍ ସଂରକ୍ଷଣ ଯୋଜନା (Cambodian Mekong Dolphin Conservation Project)ର ଆରମ୍ଭ ହୋଇଥିଲା । ନିର୍ଦ୍ଦିଷ୍ଟ ଅଞ୍ଚଳରେ ଅବଶିଷ୍ଟ ଈରାବତୀ ଡଲ୍‍ଫିନ୍‍ଙ୍କ ସୁରକ୍ଷା, ଏହି ପ୍ରଜାତି ସମ୍ବନ୍ଧୀୟ ଗବେଷଣା ଓ ଏମାନଙ୍କ ବିଷୟରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ । ୨୦୧୨ ମସିହା ଜାନୁଆରୀ ମାସରେ କାମ୍ବୋଡିଆର ମାଛଚାଷ ପ୍ରଶାସନ, ମେକଂଗ୍ ନଦୀ ଡଲ୍‍ଫିନ୍‍ଙ୍କ ସଂରକ୍ଷଣ ଓ ଏଠାରେ ପର୍ଯ୍ୟାବରଣ ପର୍ଯ୍ୟଟନର ବିକାଶ ଦାୟିତ୍ୱରେ ରହିଥିବା ସମିତି ଓ ବିଶ୍ୱ ବନ୍ୟପ୍ରାଣୀ କୋଷର ମିଳିତ ଉଦ୍ୟମରେ "Kratie Declaration on the Conservation of the Mekong River Irrawaddy Dolphin" ନାମକ ଏକ ରାଜିନାମା ସ୍ୱାକ୍ଷରିତ ହୋଇଥିଲା ଓ ମେକଂଗ୍ ନଦୀର ଡଲ୍‍ଫିନ୍‍ଙ୍କ ସୁରକ୍ଷା ପାଇଁ ନୀତି ପ୍ରସ୍ତୁତ କରିବାର ନିଷ୍ପତ୍ତି ହେଲା । ୨୦୧୨ ମସିହା ଅଗଷ୍ଟ ୨୪ ତାରିଖ ଦିନ କାମ୍ବୋଡିଆର ସରକାର ପୂର୍ବରେ କ୍ରେଟିରୁ ଲାଓସ୍ ସୀମା ପର୍ଯ୍ୟନ୍ତ ମେକଂଗ୍ ନଦୀର ୧୮୦ କି.ମି. (୧୧୦ ମାଇଲ୍) ଇଲାକାକୁ ନିୟନ୍ତ୍ରିତ ମତ୍ସ୍ୟଶିକାର କ୍ଷେତ୍ର ଭାବେ ଅଭିହିତ କରିଥିଲେ । ଏହି ଇଲାକାରେ ମାଛ ମାରିବା ପାଇଁ ଭାସମାନ ଘରର ବ୍ୟବହାର,  ସ୍ଥାୟୀ ଅସ୍ଥାୟୀ ଜାଲର ବ୍ୟବହାରକୁ ନିଷିଦ୍ଧ ଘୋଷିତ କରାଗଲା ଓ କେବଳ ବନିଶୀରେ ମାଛ ଧରିହେବ ବୋଲି ନିୟମ କରାଗଲା । ଡଲ୍‍ଫିନ୍‍ମାନଙ୍କ ସୁରକ୍ଷାପାଇଁ ଏହି ଅଞ୍ଚଳରେ ଅନେକ ନଦୀ ରକ୍ଷକ ମୁତୟନ ହୋଇଥାନ୍ତି । ୨୦୦୬ ମସିହା ଜାନୁଆରୀ ଓ ଫେବୃଆରି ମାସରେ ପ୍ରାୟ ୧୨ଟି ଈରାବତୀ ଡଲ୍‍ଫିନ୍ ମରିପଡିଥିବା ଦେଖାଯାଇଥିଲା । କିନ୍ତୁ ପରେ କାମ୍ବୋଡିଆ ଉପକୂଳରେ ୧୦ଟି ଈରାବତୀ ଡଲ୍‍ଫିନ୍ ଶିଶୁଙ୍କ ଆବିଷ୍କାର ଏହି ପ୍ରଜାତିର ପୁନରୁଦ୍ଧାର ପାଇଁ କିଛି ମାତ୍ରାରେ ଆଶା ସଞ୍ଚାର କଲା । ଲୋପ ପାଇବାର ସ୍ଥିତି ଆସନ୍ନ ହୋଇଥିବାରୁ କାମ୍ବୋଡିଆ ଉପକୂଳରେ ପ୍ରାୟ ୬୬ଟି ରକ୍ଷକ ମୁତୟନ କରାଯାଇଛନ୍ତି । ଏହି ପଦକ୍ଷେପ ପରଠାରୁ କେବଳ ୨ଟି ଡଲ୍‍ଫିନ୍‍ ଅକାଳ ମୃତ୍ୟୁ ବରଣ କରିବା ଦେଖାଯାଇଛି । ଏହି ଜୀବଙ୍କ ସୁରକ୍ଷା ପାଇଁ କାମ୍ବୋଡିଆର ଉପକୂଳରେ ମାଛଜାଲ ବ୍ୟବହାରକୁ ସମ୍ପୂର୍ଣ୍ଣ ରୂପେ ନିଷେଧ କରି ଦିଆଯିବ ବୋଲି ବିଚାର ଚାଲିଛି । 
  • ଈରାବତୀ ଡଲ୍‍ଫିନ୍ ବା ସ୍ନବ୍‍ଫିନ୍‍ ଡଲ୍‍ଫିନ୍ (ପ୍ରାଣୀବିଜ୍ଞାନ ନାମ Oreaella brevezastris) ଭାରତୀୟ ବନ୍ୟଜନ୍ତୁ ସୁରକ୍ଷା ନିୟମର ପ୍ରଥମ ଅନୁସୂଚୀ ଅନୁସାରେ ଏକ ସଂରକ୍ଷିତ ପ୍ରାଣୀ । ତେଣୁ ଏମାନଙ୍କ ଶିକାର କରିବା ଓ ଏମାନଙ୍କ ଦେହାବଶେଷର ବ୍ୟବସାୟ କରିବା ଅପରାଧ । ୨୦୦୦ ମସିହାରେ ଚିଲିକାବଙ୍ଗୋପସାଗରର ମୁହାଣକୁ ଖନନଦ୍ୱାରା ପୁଣିଥରେ ଖୋଲାଯିବାଦ୍ୱାରା ଚିଲିକାର ପାଣିର ଭାରସାମ୍ୟର ସୁରକ୍ଷା ହୋଇପାରିଲା । ଏହା ଫଳରେ ହ୍ରଦରେ ମାଛ, ଚିଙ୍ଗୁଡି, କଙ୍କଡାଙ୍କ ସଂଖ୍ୟା ବଢିଛି ଓ ଖାଦ୍ୟରେ ବୃଦ୍ଧି ଯୋଗୁଁ ଈରାବତୀ ଡଲ୍‍ଫିନ୍‍ଙ୍କ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି ।  
କାଲିମନ୍ତନ୍‍ର ଏକ ଈରାବତୀ ଡଲ୍‍ଫିନ୍ ଉପପ୍ରଜାତିର ନମୁନା
  • ଇଣ୍ଡୋନେସିଆର ମହାକାମ ନଦୀରେ ବିରଳ ଜଳଜୀବଙ୍କ ସଂରକ୍ଷଣ (ବିଶେଷ କରି ଈରାବତୀ ଡଲ୍‍ଫିନ୍‍ଙ୍କ ସଂରକ୍ଷଣ ଓ ସେମାନଙ୍କ ଅଧିବାସର ପୁନରୁତ୍ଥାନ) ନିମନ୍ତେ ଏକ ପ୍ରକଳ୍ପ ଆରମ୍ଭ ହୋଇଛି । ଏହି ଯୋଜନା ଅନୁସାରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି, ସର୍ବେକ୍ଷଣଦ୍ୱାରା ଡଲ୍‍ଫିନ୍‍ମାନଙ୍କ ସଂଖ୍ୟାର ନିରୀକ୍ଷଣ ଓ ନିୟନ୍ତ୍ରଣ ଓ ସେମାନଙ୍କ ଅଧିବାସର ସୁରକ୍ଷା ଇତ୍ୟାଦି ସମ୍ଭବପର ହୋଇପାରିଛି । ଅନେକ ଗାଁରେ ନିରୀକ୍ଷଣ ସ୍ଥଳ ପ୍ରତିଷ୍ଠା କରାଯାଇଛି । 
  • ମେକଂଗ୍ ନଦୀରେ ଥିବା ଈରାବତୀ ଡଲ୍‍ଫିନ୍‍ମାନଙ୍କ ପ୍ରତି ବିପଦର ଆଶଙ୍କା ସର୍ବାଧିକ । ୧୯୭୦ ଦଶନ୍ଧିରେ ତେଲ ପାଇଁ ଅନେକ ଈରାବତୀ ଡଲ୍‍ଫିନ୍‍ଙ୍କୁ ଶିକାର କରାଯାଇଥିଲା ଓ ଏହାର ଅଳ୍ପ ସମୟ ପରେ ଜାଲ ଓ ପାଣିବୋମା ଯୋଗେ ମାଛ ମାରିବା ଆରମ୍ଭ ହୋଇଯାଇଥିଲା । ବର୍ତ୍ତମାନ ଲାଓସ୍ ଓ କାମ୍ବୋଡିଆରେ ଈରାବତୀ ଡଲ୍‍ଫିନ୍‍ମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉଛି । ତେଣୁ ଡଲ୍‍ଫିନ୍‍ଙ୍କ ଇଲାକାରେ ସ୍ଥାୟୀ ଜାଲ ଓ ପାଣି ବୋମାର ବ୍ୟବହାର ଉପରେ କିଛି ମାତ୍ରାରେ ଅଙ୍କୁଶ ଲାଗିଛି । ଲାଓରେ ପ୍ରବାହିତ ମେକଂଗ୍ ନଦୀର ଉପତ୍ୟକାରେ କାନାଡାର ସଂରକ୍ଷଣବାଦୀ ଇଆନ୍ ବେର୍ଡ୍ ଲାଓ ସାମାଜିକ ମାଛଶିକାର ଓ ଡଲ୍‍ଫିନ୍ ସଂରକ୍ଷଣ ପ୍ରକଳ୍ପ ଆରମ୍ଭ କରିଛନ୍ତି । ଜାଲରେ ଫସିଥିବା ଡଲ୍‍ଫିନ୍‍ମାନଙ୍କୁ ମୁକୁଳାଇ ଦେଇଥିବା ମତ୍ସ୍ୟଜୀବୀମାନଙ୍କ ଜାଲର କ୍ଷତି ପାଇଁ ଏହି ପ୍ରକଳ୍ପ କ୍ଷତିପୂରଣ ଦେବା ଆରମ୍ଭ କରିଥିଲା । ଈରାବତୀ ଡଲ୍‍ଫିନ୍‍ମାନଙ୍କ ମୃତ୍ୟୁରେ ବୃଦ୍ଧି ଓ ଲାଓର ଦକ୍ଷିଣ ପଟକୁ ଏମାନଙ୍କ ସ୍ଥାନାନ୍ତରଣ ଯୋଗୁଁ ପରେ ଏହି ପ୍ରକଳ୍ପ କାମ୍ବୋଡିଆକୁ ମଧ୍ୟ ସଂପ୍ରସାରିତ ହୋଇଥିଲା । “ସି ଫାନ୍ ଡନ୍ ଆର୍ଦ୍ରଭୂମି ପ୍ରକଳ୍ପ” ଆରମ୍ଭ କରାଯାଇ ନଦୀକୂଳିଆ ଲୋକଙ୍କୁ ସଂରକ୍ଷିତ ଅଞ୍ଚଳ ସମ୍ପର୍କରେ ସଚେତନ କରାଇବା ସହ ମାଛ ମାରିବା ପାଇଁ କେବଳ ବୈଧ ପ୍ରଣାଳୀମାନଙ୍କୁ ମାନ୍ୟତା ଦିଆଯାଉଛି । ୨୦୧୫ ମସିହା ଅପ୍ରେଲ୍ ମାସରେ ଲାଓ ଉପକୂଳରେ ୨୦୦ କି.ଗ୍ରା. ଓଜନର ଏକ ଅତି ବୟସ୍କ ଈରାବତୀ ଡଲ୍‍ଫିନ୍‍ର ମୃତ ଶରୀର ମିଳିଥିଲା । କିନ୍ତୁ ତାହା ପରେ ସତର୍କତା ଅବଲମ୍ବନ କରିବା ଯୋଗୁଁ ୨୦୧୫ ମସିହାରେ କେବଳ ୫ଟି ଡଲ୍‍ଫିନ୍ ମୃତ୍ୟୁ ବରଣ କରିଛନ୍ତି । ଅବୈଧ ଶିକାର ଯୋଗୁଁ ସମୁଦ୍ର କୂଳରେ ଈରାବତୀ ଡଲ୍‍ଫିନ୍‍ମାନଙ୍କ କ୍ଷତବିକ୍ଷତ ଶରୀର ଅନେକ ସମୟରେ ଦଖାଯାଏ । କିନ୍ତୁ ଉପରୋକ୍ତ ଡଲ୍‍ଫିନ୍‍ଟି ବୟସ କାରଣରୁ ପ୍ରାଣ ହରାଇଥିଲା । ବର୍ତ୍ତମାନ ସୁଦ୍ଧା ଏହି ମାଈ ଡଲ୍‍ଫିନ୍‍ଟି ବିଶ୍ୱରେ ଦୃଶ୍ୟମାନ ହୋଇଥିବା ଈରାବତୀ ଡଲ୍‍ଫିନ୍‍ମାନଙ୍କ ମଧ୍ୟରେ ବୃହତ୍ତମ । ଏହି ଡଲ୍‍ଫିନ୍‍ଟି ୨.୫ ମିଟର୍ ଲମ୍ବା ଥିଲା ଓ ଏହାର ବୟସ ପ୍ରାୟ ୨୫-୩୦ ବର୍ଷ ମଧ୍ୟରେ ହୋଇଥିବ ବୋଲ ଅନୁମାନ କରାଯାଇଥିଲା । ଏହାର ମୃତ ଶରୀରକୁ ଶବଚ୍ଛେଦନ ପାଇଁ WWF କାର୍ଯ୍ୟାଳୟ ନେବାକୁ ସ୍ଥିର କରାଯାଇଥିଲା । 
  • ବ୍ରହ୍ମଦେଶର ମତ୍ସ୍ୟ ବିଭାଗ ୨୦୦୫ ମସିହା ଡିସେମ୍ବର୍ ମାସ ପରଠାରୁ କାର୍ଯ୍ୟଭାର ଗ୍ରହଣ କରିଥିଲା । ଏହି ବିଭାଗ ମିଂଗୁନ୍‍ରୁ କ୍ୟାଉକ୍‍ମ୍ୟାଉଂଗ୍ ମଧ୍ୟରେ ଥିବା ଈରାବତୀ ନଦୀର ପ୍ରାୟ ୭୪ କି.ମି. ବା ୪୬ ମାଇଲ୍ ଅଞ୍ଚଳକୁ ସଂରକ୍ଷିତ କ୍ଷେତ୍ରରେ ପରିଣତ କରାଇଲା ।  ଏହି ଅଞ୍ଚଳରେ ପାଳନ କରାଯାଇଥିବା କେତେକ ନିୟମ ହେଲା : (୧) ଜାଲରେ ଛନ୍ଦି ହୋଇଥିବା ଈରାବତୀ ଡଲ୍‍ଫିନ୍‍କୁ ଛାଡିବା ବାଧ୍ୟତାମୂଳକ, (୨) ଡଲ୍‍ଫିନ୍‍ମାନଙ୍କୁ ଧରିବା ବା ସେମାନଙ୍କ ଦେହର ଅଂଶର ବ୍ୟବହାର କରି ବ୍ୟବସାୟ କରିବା, (୩) ବିଦ୍ୟୁତ୍ ଝଟକା ବା ୩୦୦ ଫୁଟ୍ × ୬୦୦ ଫୁଟ୍ ମାପର ବଡ଼ ସ୍ଥାୟୀ ଜାଲ ପକାଇ ମାଛ ଧରିବାକୁ ବନ୍ଦ କରାଯିବା । ପାରଦ ପ୍ରଦୂଷଣ ଓ ସୁନା ମାରିବା କିଛି ମାତରାରେ ବନ୍ଦ କରାଯାଇ ଡଲ୍‍ଫିନ୍‍ମାନଙ୍କ ବିପଦ କମ୍ କରିବାକୁଚେଷ୍ଟା କରାଯାଉଛି ।
  • ୨୦୦୦ ମସିହାରେ ମାଲମ୍ପାୟା ସାଉଣ୍ଡ ଏକ ସଂରକ୍ଷିତ ସାମୁଦ୍ରିକ ଅଞ୍ଚଳ ଭାବେ ପରିଗଣିତ ହେବା ଆରମ୍ଭ ହେଲା । କିନ୍ତୁ ଏହି ସଂରକ୍ଷିତ ଅଞ୍ଚଳକୁ ସବୁଠାରୁ କମ୍ ଗୁରୁତ୍ତ୍ୱ ଦିଆଯାଇଥିଲା । WWFଦ୍ୱାରା ମାଲମ୍ପାୟା ସାଉଣ୍ଡ ପରିସ୍ଥିତିକ ଗବେଷଣା ପ୍ରକଳ୍ପର ଆରମ୍ଭ କରାଯାଇଥିଲା । ପ୍ରକଳ୍ପ ଯୋଗୁଁ ମିଳିଥିବା ବୈଷୟିକ ସହାୟତାରେ ତାୟତାୟ ନଗରପାଳିକା ଓ ମାଲମ୍ପାୟା ଉଦ୍ୟାନ ପ୍ରଶାସନ ଏହି ଅଞ୍ଚଳରେ ମାଛ ମାରିବା ପାଇଁ ନୂଆ ନିୟମ ପ୍ରଣୟନ କଲେ ଯେପରିକି ଈରାବତୀ ଡଲ୍‍ଫିନ୍‍ମାନଙ୍କ ପ୍ରତି ବିପଦର ନିରାକରଣ କରାଯାଇପାରିବ । ଏହି ପ୍ରକଳ୍ପ ୨୦୦୭ ମସିହାରେ ସମାପ୍ତ ହୋଇଥିଲା । ମାଲମ୍ପାୟା ସାଉଣ୍ଡ ସମେତ କୋରାଲ୍ ତ୍ରିଭୂଜ ଅଞ୍ଚଳର ଈରାବତୀ ଡଲ୍‍ଫିନ୍‍ଙ୍କ ସୁରକ୍ଷା ପାଇଁ ୨୦୦୭ ମସିହାରେ କୋରାଲ୍ ତ୍ରିଭୂଜ ନାମକ ଏକ ଯୋଜନା ଆରମ୍ଭ କରାଯାଇଥିଲା । ୨୦୦୬ ମସିହାରେ ବିଷୟସ୍‍ର ଗିମାରା ଦ୍ୱୀପରେ କେତୋଟି ଈରାବତୀ ଡଲ୍‍ଫିନ୍ ଠାବ ହୋଇଥିଲେ । ୨୦୧୫ ମସିହାରେ ବିଷୟସ୍‍ର ନିଗ୍ରୋସ୍ ଦ୍ୱୀପର ବାଗୋଠାରେ ଆଉ କିଛି ଈରାବତୀ ଡଲ୍‍ଫିନ୍ ଠାବ ହୋଇଥିଲେ । 
  • ୨୦୦୨ ମସିହାରେ ଥାଇଲ୍ୟାଣ୍ଡର “ମେରାଇନ୍ ଓ କୋଷ୍ଟାଲ୍ ରିଶୋର୍ଷେସ୍” ବିଭାଗ ଡଲ୍‍ଫିନ୍, କଇଁଛ, ତିମି ପରି କେତେକ ବିରଳ ଜଳଜୀବଙ୍କ ସୁରକ୍ଷାର ଦାୟିତ୍ୱ ନିଜ ହାତକୁ ନେଇଥିଲା । ଡଲ୍‍ଫିନ୍‍ମାନଙ୍କ ସୁରକ୍ଷା ପାଇଁ ଯନ୍ତ୍ରଚାଳିତ ନିରୀକ୍ଷଣ ଡଙ୍ଗାଗୁଡିକ ଡଲ୍‍ଫିନ୍‍ମାନଙ୍କଠାରୁ ସର୍ବନିମ୍ନ ପ୍ରାୟ ୩୦ ମିଟର୍ ବା ୯୮ ଫୁଟ୍ ଦୂରତାରେ ଚଳପ୍ରଚଳ ହେବା, ଡଲ୍‍ଫିନ୍‍ମାନଙ୍କ ପଛରେ ନଗୋଡାଇବା ନିର୍ଦ୍ଧାରିତ ହେଲା । ବାଂଗ୍ ପେକୋଂଗ୍ ନଦୀ, ପ୍ରାଚୀଂବୁରି ଅଞ୍ଚଳରେ ମାଛଚାଷୀଙ୍କୁ ଚିଙ୍ଗୁଡି ଚାଷ ବନ୍ଦ କରିବା ପାଇଁ ପ୍ରବର୍ତ୍ତାଇବାରେ ସଫଳତା ମିଳିଲା ଓ ଈରାବତୀ ଡଲ୍‍ଫିନ୍‍ମାନଙ୍କୁ ଦେଖିବା ପାଇଁ ୩୦-୪୦ଟି ମାଛଧରା ଡଙ୍ଗାକୁ ପର୍ଯ୍ୟଟନ ଡଙ୍ଗାରେ ପରିଣତ କରାଗଲା । ଗତ ୩ ବର୍ଷ ମଧ୍ୟରେ ଟ୍ରାଟ୍ ଅଞ୍ଚଳରେ ୫-୬ଟି ଈରାବତୀ ଡଲ୍‍ଫିନ୍‍ଙ୍କ ମୃତଦେହ ମିଳିଛି । ସ୍ଥାନୀୟ ମତ୍ସ୍ୟ ଉଦ୍ୟୋଗ ଡଲ୍‍ଫିନ୍‍ମାନଙ୍କ ମୃତ୍ୟୁ ପାଇଁ ଦାୟୀ ବୋଲି ଜଣା ପଡିଲା । ୨୦୧୩ ମସିହା ଜାନୁଆରୀ ମାସରେ ଥାଇଲ୍ୟାଣ୍ଡ ଉପକୂଳରେ ୧୨ଟି ଡଲ୍‍ଫିନ୍‍ଙ୍କ ମୃତ ଶରୀର ମିଳିଥିଲା । ଅମ୍ଳଜାନ ଅଭାବରୁ ଏହି ଡଲ୍‍ଫିନ୍‍ମାନେ ମୃତ୍ୟୁବରଣ କରିଥିଲେ । ଅନେକ ଡଲ୍‍ଫିନ୍‍ ପାଣିରେ ମରି ଭାସୁଥିବାର ଦେଖାଯାଇଥିଲା । ଏହା ପରେ ୨୦୧୩ ଫେବୃଆରୀର ପ୍ରଥମ ସପ୍ତାହରେ ପୁଣି ୪ଟି ଡଲ୍‍ଫିନ୍‍ଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । 
  • ୨୦୦୮ ମସିହାରେ ବନ ବିଭାଗ ଓ ସାରାୱାକ୍ ଫରେଷ୍ଟ୍ରି କୋପରେଟିଭ୍ କୁଚିଂଗ୍ ଆର୍ଦ୍ରଭୂମିସ୍ଥିତ ସନ୍ତୁବୋଂଗ୍ ଓ ଦାମାଇ  ଅଞ୍ଚଳରେ ଈରାବତୀ ଡଲ୍‍ଫିନ୍‍ମାନଙ୍କ ସୁରକ୍ଷା ନିମନ୍ତେ ସଂରକ୍ଷଣ କ୍ଷେତ୍ର ଚିହ୍ନଟ କରିଥିଲେ । ମିରିର ଉପକୂଳ ଅଞ୍ଚଳରେ ମଧ୍ୟ ଅନେକ ସଂରକ୍ଷିତ କ୍ଷେତ୍ରର ପ୍ରତିଷ୍ଠା ହେଲା । ଡଲ୍‍ଫିନ୍ ଧରିବା ବା ଶିକାର କରିବା ଉପରେ ନିଷେଧାଦେଶ, ଡଲ୍‍ଫିନ୍‍ମାନଙ୍କ ବ୍ୟବସାୟ ବନ୍ଦ କରିବା, ସ୍ଥାୟୀ ଜାଲର ବ୍ୟବହାର ଉପରେ ରୋକ ଲଗାଇବା ଇତ୍ୟାଦି ଏଠାରେ ନିଆଯାଇଥିବା କେତେକ ସଂରକ୍ଷଣବାଦୀ ପଦକ୍ଷେପର ଉଦାହରଣ । ସାରାୱାକ୍ ଶେଲ୍‍ର ପ୍ରୋତ୍ସାହନରେ ସ୍ଥାନୀୟ ସରକାର ସାରାୱାକ୍ ମାଲେସିଆ ବିଶ୍ୱବିଦ୍ୟାଳୟରେ କେତେକ କ୍ଷୁଦ୍ର ଓ ମଧ୍ୟମ ଧରଣର ଗବେଷଣାମୂଳକ ପ୍ରକଳ୍ପ ଆରମ୍ଭ କରାଇବାର ଯୋଜନା ରଖିଥିଲେ । 
  • ୨୦୧୨ ମସିହାରେ ଭିଏତ୍‍ନାମ୍‍ର କେତେକ ବୈଜ୍ଞାନିକ ଚାରୋଟି ଈରାବତୀ ଡଲ୍‍ଫିନ୍‍ଙ୍କୁ ଆବଶ୍ୟକୀୟ ଚିକିତ୍ସା ପ୍ରଦାନ କରି ସେମାନଙ୍କ ଜୀବନଧାରଣର ଅନୁଧ୍ୟାନ କରିଥିଲେ । ଈରାବତୀ ଡଲ୍‍ଫିନ୍‍ମାନଙ୍କ ମଧ୍ୟରେ ଜୀବାଣୁଜନିତ ସଂକ୍ରମଣ ପ୍ରଥମ ଥର ପାଇଁ ପରିଲକ୍ଷିତ ହୋଇଥିଲା । କୋରିଓନିଓନିଟିସ୍ (Chorioamnionitis) ନାମକ ଏହି ଜୀବାଣୁ ସଂକ୍ରମଣ ସାମୁଦ୍ରିକ ଜୀବଙ୍କ ମଧ୍ୟରେ ଅତି ସାଧାରଣ ରୋଗ କିନ୍ତୁ ଏହି ସଂକ୍ରମଣ ଏକ ସମଗ୍ର ଗୋଷ୍ଠୀର ପ୍ରାଣୀଙ୍କ ମଧ୍ୟରେ ହେବା ଆଗରୁ ଦେଖାଯାଇନଥିଲା । ଗର୍ଭବତୀ ପ୍ରାଣୀଙ୍କଠାରେ ଏହି ସଂକ୍ରମଣ ଅଧିକ ପରିଲକ୍ଷିତ ହୁଏ । ସଂକ୍ରମିତ ଏକ ଗର୍ଭବତୀ ଡଲ୍‍ଫିନ୍ ଗଭୀର ପାଣିରେ ବୁଲୁଥିବା ଓ ପରଦିନ ମରି ପଡିଥିବା ବୈଜ୍ଞାନିକମାନେ ଲକ୍ଷ୍ୟ କରିଥିଲେ । ଏହି ସଂକ୍ରମଣ ଯୋଗୁଁ ଡଲ୍‍ଫିନ୍‍ର ଶରୀରର ଏକାଧିକ ଅଂଗ ପ୍ରଭାବିତ ହେବା ଜଣା ପଡିଥିଲା । 
  1. ୧.୦ ୧.୧ ୧.୨ ୧.୩ "Orcaella brevirostris". IUCN Red List of Threatened Species. Version 2011.1. International Union for Conservation of Nature. 2008. Retrieved 26 June 2011. {{cite web}}: Invalid |ref=harv (help) Database entry includes a brief justification of why this species is of vulnerable.
  2. ୨.୦ ୨.୧ William Perrin (2010). "Orcaella brevirostris (Owen in Gray, 1866)". World Cetacea Database. World Register of Marine Species. Retrieved 2012-05-11. {{cite web}}: Unknown parameter |editors= ignored (|editor= suggested) (help)
  3. ୩.୦ ୩.୧ Sinha, R. K. (May–August 2004). "The Irrawaddy Dolphins Orcaella of Chilika Lagoon, India" (PDF). Journal of the Bombay Natural History Society. Mumbai, India: online edition: Environmental Information System (ENVIS), Annamalai University, Centre of Advanced Study in Marine Biology, Parangipettai - 608 502, Tamil Nadu, India. 101 (2): 244–251. Archived from the original (PDF) on 2009-04-10.
  4. "Proposal for inclusion of species on the appendices of the convention on the conservation of migratory species of wild animals" (PDF). CMS - Convention on the Conservation of Migratory Species of Wild Animals. UNEP/CMS. 2008-08-27. Archived from the original (PDF) on 2011-06-11. Retrieved 2008-12-26.
  5. ୫.୦ ୫.୧ ୫.୨ Stacey, Pam J.; Arnold, Peter W. (1999-05-05). "Orcaella brevirostris" (PDF). Mammalian Species. American Society of Mammalogists. 616: 1–8. doi:10.2307/3504387. Archived (PDF) from the original on 2010-06-20. Retrieved 2017-11-09.
  6. "ଆର୍କାଇଭ୍ କପି" (PDF). Archived (PDF) from the original on 2015-07-17. Retrieved 2017-11-09. {{cite web}}: Cite has empty unknown parameter: |1= (help)
  7. "Large population of endangered dolphins found in Bangladesh". Agence France-Presse. 2008-10-11. Archived from the original on 2008-12-04. Retrieved 2008-12-29.
  8. Smith, Brian D.; Braulik, Gill; Strindberg, Samantha; Benazir, Ahmed; Rubaiyat, Mansur (July 2006). "Abundance of Irrawaddy dolphins (Orcaella brevirostris) and Ganges river dolphins (Platanista Gangetica gangetica) estimated using concurrent counts made by independent teams in waterways of the Sundarbans mangrove forest in Bangladesh". Marine Mammal Science. Oxford, UK: Blackwell. 22 (3): 527–547. doi:10.1111/j.1748-7692.2006.00041.x. ISSN 0824-0469. Archived from the original on 2012-06-03. Retrieved 2017-11-09.
  9. "Study: Bangladesh hosts 6,000 rare dolphins". PR-Inside.com (Press release). Associated Press. 2009-04-01. Archived from the original on 2012-02-29. Retrieved 2009-04-01.
  10. "Dolphin population rises to 152 in Chilika lake in Orissa". The Times of India. 2013-01-22. Archived from the original on 2013-08-01. Retrieved 2013-01-23.
  11. Ryan, Gerard Edward; Dove, Verné; Trujillo, Fernando; Doherty, Paul F. (May 2011). "Irrawaddy dolphin demography in the Mekong River: An application of mark-resight models". Ecosphere. 2 (5): art58. doi:10.1890/ES10-00171.1. ISSN 2150-8925. Archived from the original on 2013-04-14. Retrieved 2017-11-09.
  12. Rosero, Earl Victor L. (2012-02-20). "Only 42 left of endangered Irrawaddy dolphins in northern Palawan". GMA News. Archived from the original on 2016-03-04. Retrieved 2017-11-09.
  13. D'Lima, Coralie (2008). "Dolphin-human interactions, Chilika" (PDF). Whale and Dolphin Conservation Society. Archived from the original (PDF) on 2009-03-19. Retrieved 2008-12-21.
  14. Smith, Brian D.; Tunb, Mya Than; Chita, Aung Myo; Winb, Han; Moeb, Thida (May 2009). "Catch Composition and Conservation Management of a Human–Dolphin Cooperative Cast-Net Fishery in the Ayeyarwady River, Myanmar". Biological Conservation. 142 (5): 1042–1049. doi:10.1016/j.biocon.2009.01.015.