ଆର୍. ମାଧବନ୍

ଉଇକିପିଡ଼ିଆ‌ରୁ
ଆର୍. ମାଧବନ୍
୨୦୧୬ରେ ମାଧବନ୍
Born
ମାଧବନ୍ ବାଲାଜୀ ରଙ୍ଗନାଥନ୍

(1970-06-01) ୧ ଜୁନ ୧୯୭୦ (ବୟସ ୫୩)
ଜାମସେଦପୁର, ବିହାର, ଭାରତ
(ଏବେକାର ଝାଡ଼ଖଣ୍ଡ, ଭାରତ)
Occupation(s)ଅଭିନେତା, ଲେଖକ, ପ୍ରଯୋଜକ
Years active୧୯୯୪-ଏବେଯାଏଁ
Spouseସରିତା ବିର୍ଜେ (୧୯୯୯–ଏବେଯାଏଁ)

ଆର୍. ମାଧବନ୍ (ଜନ୍ମ: ୧ ଜୁନ ୧୯୭୦)‌, ଜଣେ ଭାରତୀୟ ଅଭିନେତା, ଲେଖକ ଏବଂ ଚଳଚ୍ଚିତ୍ର ପ୍ରଯୋଜକ । ସେ ତିନୋଟି ଫିଲ୍ମ‌ଫେୟାର ପୁରସ୍କାର ସ‌ହ ଗୋଟିଏ ତାମିଲନାଡ଼ୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି । ଏହିସ‌‌ହିତ ତାଙ୍କୁ ଅନେକ ପୁରସ୍କାର ପାଇଁ ମଧ୍ୟ ମନୋନୀତ କରାଯାଇଥିଲା । ମାଧବନ୍ ସମୁଦାୟ ସାତୋଟି ଭାଷାର ଚଳଚ୍ଚିତ୍ରରେ କାର୍ଯ୍ୟ କରିଛନ୍ତି । ଭାରତୀୟ ଅଭିନେତାମାନଙ୍କ ମଧ୍ୟରେ ଏମିତି କାମ କରିଥିବା କଳାକାର ବିରଳ ।[୧][୨]

ମାଧବନ୍ ୧୯୯୬ ମସିହାରେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ସେ ପ୍ରଥମେ ଦୂରଦର୍ଶନରେ ଜଣେ ଅତିଥି କଳାକାର ଭାବରେ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ । ଜୀ ଟିଭିର ସନ୍ଧ୍ୟାବେଳିଆ ଆସୁଥିବା ନିତିଦିନିଆ ଧାରାବାହିକ ବନେଗି ଅପ୍‌ନି ବାତ୍ ଜରିଆରେ ସେ ପ୍ରଥମେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ କିଛି ବ୍ୟବସାୟିକ ଏବଂ ଛୋଟ ଭୂମିକାରେ ଅଭିନୟ କରିବାପରେ ତାଙ୍କୁ ତାମିଲ କଥାଚିତ୍ର ଜଗତରେ ଅଭିନୟର ସୁଯୋଗ ମିଳିଲା । ୨୦୦୦ ମସିହାରେ ମୁକ୍ତିଲାଭ କରିଥିବା ମଣି ରତ୍ନମ୍‌ଙ୍କ ସଫଳ ପ୍ରେମ ଭିତ୍ତିକ ଚଳଚ୍ଚିତ୍ର ଆଲାଇପାୟୁଥାଏରେ ମାଧବନ୍‌ଙ୍କୁ ସବୁଠାରୁ ବଡ଼ ସଫଳତା ମିଳିଥିଲା । ଏହାପରେ ସେ କିଛି ସଫଳ ତାମିଲ ଚଳଚ୍ଚିତ୍ରରେ ଅଭିନୟ କରି ଅଧିକ ସଫଳତା ସାଉଁଣ୍ଟିଥିଲେ । ୨୦୦୧ ମସିହରେ ଗୌତମ ମେନନ୍‌ଙ୍କର ପ୍ରଥମ ନିର୍ଦ୍ଦେଶିତ ତାମିଲ ଚଳଚ୍ଚିତ୍ର ମିନ୍ନାଲେ ଏବଂ ମାଦ୍ରାସ ଟକିଜ୍‌ରେ ମଧବନ୍‌ଙ୍କୁ ବଡ଼ ସଫଳତା ମିଳିଥିଲା । ଏହାପରେ ସେ ରୋମାଣ୍ଟିକ ନାୟକରୁ ବାହାରି ୨୦୦୨ରେ ମଣି ରତ୍ନମ୍‌ଙ୍କର ଅନ୍ୟ ଏକ ଚଳଚ୍ଚିତ୍ର କନ୍ନାଥିଲ୍ ମୁଥାମିତ୍ତାଲରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିରେ ସେ ଗୋଟିଏ ପୋଷ୍ୟଗ୍ରହଣ କରିଥିବା ଝିଅର ବାପା ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟିକୁ ସମୀକ୍ଷକମାନେ ପସନ୍ଦ କରିଥିଲେ । ଏହାପରେ ୨୦୦୨ର ଅନ୍ୟ ଏକ ଚଳଚ୍ଚିତ୍ର ଏନ୍. ଲିଙ୍ଗୁସ୍ୱାମୀଙ୍କ ନିର୍ଦ୍ଦେଶିତ ରନ୍‌ରେ ମାଧବନ୍‌ଙ୍କୁ ବ୍ୟବସାୟିକ ସଫଳତା ମିଳିଥିଲା । ଏହାପରେ ୨୦୦୩ ମସିହାରେ ଶିବମ୍ ଚଳଚ୍ଚିତ୍ରରେ ମାଧବନ୍‌ଙ୍କୁ ତାମିଲ ତ‌ଥା ହିନ୍ଦୀ କଥାଚିତ୍ର ଜଗତର ପ୍ରତିଷ୍ଠିତ ନାୟକ କମଲ୍ ହାସନ୍‌ଙ୍କ ସ‌ହ ଅଭିନୟର ସୁଯୋଗ ମିଳିଥିଲା । ଏହି ଚଳଚ୍ଚିତ୍ରଟିର କିଛି ଭାଗ ଓଡ଼ିଶାରେ ସୁଟିଂ କରାଯାଇଥିବାବେଳେ ଚଳଚ୍ଚିତ୍ରଟିରେ ଓଡ଼ିଆ ଭାଷା ମଧ୍ୟ ରହିଛି । ଏହି ଚଳଚ୍ଚିତ୍ର ପାଇଁ ମାଧବନ୍‌ଙ୍କୁ ଶ୍ରେଷ୍ଠ ସ‌ହନାୟକ ଭାବରେ ଦୁଇଟି ପୁରସ୍କାର ମଧ୍ୟ ମିଳିଥିଲା । ୨୦୦୪ରେ ଆୟୁଥା ଏଜୁଥୁରେ ମାଧବନ୍‌ କିଛି ଅନ୍ୟ କଳାକାରମାନଙ୍କ ସ‌ହ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ପାଇଁ ମାଧବନ୍‌ଙ୍କୁ ସମୀକ୍ଷକମାନେ ପସନ୍ଦ କରିଥିଲେ ଏବଂ ତାଙ୍କୁ ଫିଲ୍ମ‌ଫେୟାର ପୁରସ୍କାର ମଧ୍ୟ ମିଳିଥିଲା ।

ଏହାପରେ ମାଧବନ୍‌ ହିନ୍ଦୀ କଥାଚିତ୍ର ଜଗତର ଜଣେ ସକ୍ରିୟ ଅଭିନେତା ଭାବରେ କାର୍ଯ୍ୟ କରିବା ଆରମ୍ଭ କଲେ । ସେ ୨୦୦୬ ମସିହାରେ ରାକେଶ ଓମ‌ପ୍ରକାଶ ମେହେରାଙ୍କର ଚଳଚ୍ଚିତ୍ର ରଙ୍ଗ ଦେ ବାସନ୍ତିରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ଅମୀର ଖାନ, ସରମନ୍ ଜୋସୀ, ସିଦ୍ଧାର୍ଥ ଆଦି କଳାକାରମାନେ ଅଭିନୟ କରିଥିଲେ । ଏହାପରେ ସେ ୨୦୦୭ରେ ମଣି ରତ୍ନମ୍‌ଙ୍କର ଚଳଚ୍ଚିତ୍ର ଗୁରୁରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅଭିଶେଷ ବଚ୍ଚନ । ୨୦୧୦ରେ ମାଧବନ୍ ପୁଣିଥରେ ଅମିର ଖାଁ ଏବଂ ସରମନ ଜୋସୀଙ୍କ ସ‌ହ ରାଜକୁମାର ହିରାନୀଙ୍କର ଚଳଚ୍ଚିତ୍ର ୩ ଇଡିଅଟ୍‌ସ୍‌ରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ଭାରତୀୟ ଚଳଚ୍ଚିତ୍ର ଜଗତର ସବୁଠାରୁ ଅଧିକ ଆୟକାରୀ ଚଳଚ୍ଚିତ୍ର ଥିଲା । ମାଧବନ୍‌ ଏକାସାଙ୍ଗରେ ହିନ୍ଦୀ ଏବଂ ତାମିଲ କଥାଚିତ୍ର ଜଗତରେ କାର୍ଯ୍ୟ କରିଆସୁଛନ୍ତି । ୨୦୦୭ ମସିହାରେ ମାଧବନ୍‌ଙ୍କର ନିଜ ପ୍ରଯୋଜନାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଏଭାନୋ ଓରୁବନ୍ ଏବଂ ୨୦୦୯ ମସିହାରେ ଦ୍ୱେତ ଭାଷାରେ ମୁକ୍ତିଲାଭ କରିଥିବା ଭୂତ ଚଳଚ୍ଚିତ୍ର ୟଭରମ୍ ନାଲମ୍ ବ‌ହୁତ ବଡ଼ ସଫଳତା ପାଇଥିଲା । ଏହାପରେ ମାଧବନ୍ ୨୦୧୧ ମସିହାରେ ମାଧବନ୍ ତନୁ ୱେଡ୍‌ସ୍ ମନୁ ଓ ୨୦୧୨ରେ ଭେତ୍ତାଇ ଆଦି ବ୍ୟବସାୟିକ ସ‌ଫଳ ଚଳଚ୍ଚିତ୍ରରେ ଅଭିନୟ କରିବାପରେ କିଛିଦିନ ପାଇଁ ଅଭିନୟରୁ ବିରତି ନେଇଥିଲେ । ତିନିବର୍ଷର ବିରତି ପରେ ସେ ୨୦୧୫ ମସିହାରେ ତନୁ ୱେଡ୍‌ସ୍ ମନୁ ରିଟର୍ଣ୍ଣସ୍‌ରେ ପୁଣିଥରେ ଅଭିନୟକୁ ଫେରିଥିଲେ । ଏହାପରେ ସେ ଦ୍ୱେତ ଭାଷାରେ ନିର୍ମିତ ଚଳଚ୍ଚିତ୍ର ଇରୁଧି ସୁତ୍ତରୁରେ ୨୦୧୬ ମସିହାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି କିକ୍ ବକ୍ସିଂ ଉପରେ ଆଧାରିତ ଥିଲା । ଏହି ଚଳଚ୍ଚିତ୍ରରେ ଜଣେ କିକ୍ ବକ୍ସରଙ୍କୁ ମଧ୍ୟ ନାୟିକା ଭାବରେ ନିଆଯାଇଥିଲା । ଏହି ଚଳଚ୍ଚିତ୍ରଟିର ହିନ୍ଦୀ ସଳା ଖଡ଼ୁସ୍ ଭାବରେ ମଧ୍ୟ ମୁକ୍ତିଲାଭ କରିଥିଲା । ମାଧବନ୍‌ଙ୍କୁ ଏହି ଚଳଚ୍ଚିତ୍ର ପାଇଁ ଫିଲ୍ମ‌ଫେୟାର, ଆଇଫା (ଆନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ପୁରସ୍କାର), ସାଇମା (ଆନ୍ତର୍ଜାତୀୟ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ପୁରସ୍କାର)ରେ ଶ୍ରେଷ୍ଠ ନାୟକ ପୁରସ୍କାର ମିଳିଥିଲା ।[୩][୪][୫]

ଅଭିନୟ ବ୍ୟତୀତ ମାଧବନ୍ ତାଙ୍କ ଚଳଚ୍ଚିତ୍ରରେ ଜଣେ ଲେଖକ ଭାବରେ ମଧ୍ୟ କାର୍ଯ୍ୟ କରୁଛନ୍ତି, ଦୂରଦର୍ଶନ କାର୍ଯ୍ୟକ୍ରମ ତ‌ଥା ପୁରସ୍କାର ଉତ୍ସବରେ ଉପସ୍ଥାପକ ଭାବରେ କାର୍ଯ୍ୟ କରୁଛନ୍ତି ଏବଂ ବିଭିନ୍ନ ଦ୍ରବ୍ୟର ବିଜ୍ଞାପନରେ କାର୍ଯ୍ୟ କରୁଛନ୍ତି ।[୬] ମାଧବନ୍‌ଙ୍କର ନିଜର ଏକ ଚଳଚ୍ଚିତ୍ର ପ୍ରଯୋଜନା ସଂସ୍ଥା ମଧ୍ୟ ଅଛି । ପରିବେଶ, ସ୍ୱାସ୍ଥ୍ୟ ଏବଂ ଶିକ୍ଷାକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମର ପ୍ରଚାର ପ୍ରସାରରେ ମାଧବନ୍ କରୁଛନ୍ତି ।

ଆଧାର[ସମ୍ପାଦନା]

  1. "R Madhavan signs up with Atul Kasbekar's Bling Entertainment". Business of Cinema. 2009. Archived from the original on 1 December 2010. Retrieved 4 February 2011.
  2. Sharma, Smrity (13 November 2010). "Surya, Vikram need to learn Hindi: Madhavan". The Times of India. Archived from the original on 16 November 2010. Retrieved 4 February 2011.
  3. "Winners: 64th Jio Filmfare Awards 2017 (South)". Times of India. 19 June 2017.
  4. "I have no insecurites: R Madhavan on 'Saala Khadoos', 'Tanu Weds Manu Returns' and Kangana Ranaut". FirstPost. Archived from the original on 27 June 2015. Retrieved 27 June 2015.
  5. "'Tanu Weds Manu Returns' Box Office Collection: Will Kangana-Madhavan Starrer Cross ₹150 Crore and Beat Salman's Movie Record by 6th Weekend?". Archived from the original on 27 June 2015. Retrieved 27 June 2015.
  6. "Maddy's Oragadam turns out to be a hit". Sify. 2010. Archived from the original on 28 February 2011. Retrieved 4 February 2011.

ବାହାର ଆଧାର[ସମ୍ପାଦନା]