ଅମ୍ଳଜାନ ସାନ୍ଦ୍ରତା

ଉଇକିପିଡ଼ିଆ‌ରୁ
Jump to navigation Jump to search
ରକ୍ତ ସଞ୍ଚାଳନ: ନାଲି = ଅମ୍ଳଜାନଯୁକ୍ତ ରକ୍ତ (ଧମନୀ), ନୀଳ = ଅମ୍ଳଜାନରହିତ ରକ୍ତ (ଶିରା)

ଅମ୍ଳଜାନ ସାନ୍ଦ୍ରତା (ଇଂରାଜୀ: Oxygen saturation) କୌଣସି ମାଧ୍ୟମରେ ଦ୍ରବିଭୂତ ହୋଇଥିବା ଅମ୍ଳଜାନର ଆପେକ୍ଷିକ ପରିମାଣ ନିର୍ଣ୍ଣୟ କରିବାର ସାଧନ ଅଟେ । ଏହାକୁ ଅମ୍ଳଜାନ ସେନସର ପରି ସ୍ୱତନ୍ତ୍ର ଡାକ୍ତରୀ ପ୍ରୋବଦ୍ୱାରା ମପାଯାଇଥାଏ । ଜଳ ପରି ତରଳ ମାଧ୍ୟମରେ ଏହାକୁ ଅପ୍ଟତୋଡ (Optode) ସେନସରଦ୍ୱାରା ମପାଯାଇପାରେ ।[୧] ଅମ୍ଳଜାନ ସାନ୍ଦ୍ରତା ପ୍ରତିଶତରେ ପ୍ରକାଶ କରାଯାଏ ଓ ଏହା ଏକକ ବିହୀନ ।

ଚିକିତ୍ସା ବିଜ୍ଞାନ[ସମ୍ପାଦନା]

ଚିକିତ୍ସା ବିଜ୍ଞାନରେ ଅମ୍ଳଜାନ ସାନ୍ଦ୍ରତା ରକ୍ତରେ ଅକ୍ସିହିମୋଗ୍ଲୋବିନର ହାରକୁ ନିର୍ଣ୍ଣୟ କରିଥାଏ । ପ୍ରଶ୍ୱାସରେ ଗ୍ରହଣ କରାଯାଇଥିବା ଅମ୍ଳଜାନ ଫୁସଫୁସରେ ପହଞ୍ଚି ରକ୍ତରେ ଥିବା ହିମୋଗ୍ଲୋବିନ ଅଣୁସହ ବିବନ୍ଧିତ ହୋଇଯାଏ । ଏହି ରକ୍ତ ଶରୀରର କୋଷମାନଙ୍କ ପାଖରେ ପହଞ୍ଚି ଅମ୍ଳଜାନ ଆଧାରିତ ଶର୍କରା ପାଚନରେ ବ୍ୟବହୃତ ହୋଇ ଉର୍ଜା ଯୋଗାଇଥାନ୍ତି ।

ସାଧାରଣତଃ ମନୁଷ୍ୟଙ୍କ ଧମନୀର ରକ୍ତରେ ଅମ୍ଳଜାନର ସାନ୍ଦ୍ରତା ୯୫ରୁ ୧୦୦ ପ୍ରତିଶତ ରହିଥାଏ ।[୨] ଯଦି ଏହି ମାତ୍ରା ରକ୍ତରେ ଅମ୍ଳଜାନ ଧାରଣର ସର୍ବାଧିକ ପରିମାଣ ତୁଳନାରେ ୯୦ ପ୍ରତିଶତରୁ କମ ହୋଇଯାଏ, ଏହାକୁ ନିମ୍ନ ମାନି ହାଇପୋକ୍ସିମିଆ କୁହାଯାଇଥାଏ ।[୩] ସେହିପରି ରକ୍ତରେ ଅମ୍ଳଜାନ ସାନ୍ଦ୍ରତା ଅଧିକ ବଢ଼ିଗଲେ, ଅମ୍ଳଜାନର ଆଂଶିକ ଚାପ ବଢ଼ି ବ୍ୟକ୍ତି ହାଇପରକ୍ସିମିଆର ଶିକାର ହୋଇଥାନ୍ତି ।[୪][୫]

ଅମ୍ଳଜାନ ସାନ୍ଦ୍ରତା ମୁଖ୍ୟତଃ ଦୁଇଟି ମାନକଦ୍ୱାରା ନିରୂପଣ କରାଯାଏ:

ପଲସ ଅକ୍ସିମେଟ୍ରି (Pulse Oximetry)[ସମ୍ପାଦନା]

ପଲସ ଅକ୍ସିମେଟ୍ରି ଅମ୍ଳଜାନର ସାନ୍ଦ୍ରତା ମାପ ପାଇଁ ସହଜ ଏବଂ ଯନ୍ତ୍ରଣାଶୂନ୍ୟ ଉପାୟ ଅଟେ । ଏଥିରେ ଶରୀର ମଧ୍ୟରେ କୌଣସି ଡାକ୍ତରୀ ଉପକରଣ ପ୍ରବେଶ ନ କରାଇ କେବଳ ଆଙ୍ଗୁଠି ଟିପ ବା କାନରେ ପ୍ରୋବ ରଖି ପରୋକ୍ଷ ଭାବେ ମପାଯାଏ । ପ୍ରୋବ ଦୁଇ ପ୍ରକାରର ଆଲୋକ ଉତ୍ସରୁ ନାଲି ଏବଂ ଅବରକ୍ତ ତଥା ଇନ୍ଫ୍ରାରେଡ଼ ରଶ୍ମି ରକ୍ତରେ ଅବଶୋଷଣ ହୁଏ । ଅବରକ୍ତ ରଶ୍ମିର ଅଧିକ ଅବଶୋଷଣ ଉତ୍ତମ ଅମ୍ଳଜାନ ସାନ୍ଦ୍ରତା ସଙ୍କେତ ଦେଉଥିବା ବେଳେ ଲାଲ ରଶ୍ମିରେ ଅଧିକ ଅବଶୋଷଣ ନିମ୍ନ ସାନ୍ଦ୍ରତା ଦର୍ଶାଇଥାଏ । ଅମ୍ଳଜାନଯୁକ୍ତ ହିମୋଗ୍ଲୋବିନ ତଥା ଅକ୍ସିହିମୋଗ୍ଲୋବିନ ଏବଂ ଅମ୍ଳଜାନରହିତ ହିମୋଗ୍ଲୋବିନ ତଥା ଡିଅକ୍ସିହିମୋଗ୍ଲୋବିନ ମଧ୍ୟରେ ଥିବା ପାର୍ଥକ୍ୟରୁ ଅମ୍ଳଜାନର ସାନ୍ଦ୍ରତା ଆକଳନ କରାଯାଏ ।[୬][୭]

ଧମନୀୟ ରକ୍ତରେ ଥିବା ଗ୍ୟାସ ପରୀକ୍ଷା (Arterial blood gas or ABG test)[ସମ୍ପାଦନା]

ଏହି ପରୀକ୍ଷା ପାଇଁ ରକ୍ତ ଧମନୀରୁ କିଛି ରକ୍ତ ସିରିଞ୍ଜଦ୍ୱାରା ନିଆଯାଇ ଅମ୍ଳଜାନ ଓ ଅଙ୍ଗାରକାମ୍ଳର ଆଂଶିକ ଚାପ ଏବଂ ରକ୍ତର ଅମ୍ଳତା ନିର୍ଣ୍ଣୟ କରାଯାଏ । କ୍ରନିକ ଅବ୍‌ସ୍ଟ୍ରକ୍ଟିଭ୍ ପଲ୍‌ମୋନାରି ଡିଜିଜ (COPD) ଥିବା ରୋଗୀଙ୍କର ରକ୍ତରେ ଅମ୍ଳଜାନ ଓ ଅମ୍ଳତା ସ୍ତର କମ ଥାଏ ଏବଂ ଅଙ୍ଗାରକାମ୍ଳର ସ୍ତର ଅଧିକ ଥାଏ ।[୮]

ପରିବେଶ ବିଜ୍ଞାନ[ସମ୍ପାଦନା]

ଜଳୀୟ ପରିବେଶରେ କୌଣସି ଜଳାଶ୍ରୟରେ ଦ୍ରବିଭୂତ ହୋଇଥିବା ଅମ୍ଳଜାନର ପରିମାଣ ସହ ସେହି ଜଳାଶ୍ରୟ ସନ୍ତୁଳିତ ସ୍ଥିତି ତଥା ନିର୍ଦ୍ଧିଷ୍ଟ ତାପମାତ୍ରା ଏବଂ ଚାପରେ ଧାରଣ କରିପାରୁଥିବା ସର୍ବାଧିକ ଅମ୍ଳଜାନର ହାରକୁ ଅମ୍ଳଜାନ ସାନ୍ଦ୍ରତା କୁହାଯାଏ । ଜଳଶ୍ରୋତମାନଙ୍କରେ ଅମ୍ଳଜାନ ସାନ୍ଦ୍ରତା ପ୍ରାୟ ୧୦୦ ପ୍ରତିଶତ ଥାଏ ।[୯]

ସ୍ଥିର ଜଳାଶ୍ରୟରେ ଆଲୋକସଂଶ୍ଳେଷଣଦ୍ୱାରା ଅମ୍ଳଜାନ ପ୍ରସ୍ତୁତ କରୁଥିବା ଉତ୍ପାଦକ ବା ବାୟୁମଣ୍ଡଳୀୟ ସ୍ଥିତିମାନଙ୍କର ପରିବର୍ତ୍ତନ ସହିତ ମନ୍ଥର ଗତିରେ ସନ୍ତୁଳନ ହେଉଥିବା ହେତୁ ଅମ୍ଳଜାନର ସାନ୍ଦ୍ରତା ୧୦୦ ପ୍ରତିଶତରୁ ବି ଅଧିକ ଥାଏ । ସ୍ଥିର ଜଳାଶ୍ରୟରେ ଥିବା କ୍ଷୟଶୀଳ ପଦାର୍ଥ ହେତୁ ଅମ୍ଳଜାନର ସାନ୍ଦ୍ରତା ବହୁତ କମିଯାଇଥାଏ କାରଣ ଅବାୟବୀୟ ଜୀବାଣୁ ଜୈବିକ ପଦାର୍ଥକୁ ଭଲଭାବେ ବିଘଟନ କରାଇପାରନ୍ତି ନାହିଁ ।[୧୦]

ଆହୁରି ଦେଖିବେ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Oxygen Optode Sensors: Principle, Characterization, Calibration, and Application in the Ocean". Frontiers Media SA.
  2. "What is Oxygen Saturation?". News Medical.
  3. "Mechanisms of hypoxemia". National Center for Biotechnology Information.
  4. "The effect of hyperoxia on mortality in critically ill patients: a systematic review and meta analysis". BMC Medicine.
  5. "Understanding Oxygen Saturation". Verywell Health.
  6. "Understanding Pulse Oximetry SpO2 Concepts" (PDF). Philips Medical Systems.
  7. "Pulse Oximetry" (PDF). American Thoracic Society.
  8. "Arterial Blood Gases - Indications and Interpretation". Patient.
  9. "Environmental Dissolved Oxygen Values Above 100% Air Saturation" (PDF). Yellow Springs, Ohio.
  10. "Environmental Dissolved Oxygen Values Above 100% Air Saturation" (PDF). Yellow Springs, Ohio.