ପଲସ ଅକ୍ସିମିଟର

ଉଇକିପିଡ଼ିଆ‌ରୁ

ପଲସ ଅକ୍ସିମିଟର ରକ୍ତର ଅମ୍ଳଜାନ ସାନ୍ଦ୍ରତା ମାପିବା ପାଇଁ ଏକ ଡାକ୍ତରୀ ଉପକରଣ ଅଟେ । ଶରୀର ମଧ୍ୟରେ କୌଣସି ଯନ୍ତ୍ର ବ୍ୟବହାର ନକରି ଏଥିରେ ଅମ୍ଳଜାନ ସାନ୍ଦ୍ରତା ମପାଯାଇ ପାରୁଥିବାରୁ ଏହା ସହଜ ଏବଂ ଯନ୍ତ୍ରଣାଶୂନ୍ୟ ପ୍ରଣାଳୀ ଅଟେ । ବ୍ୟାଟେରୀ ଚାଳିତ ପଲସ ଅକ୍ସିମିଟର ସର୍ବସାଧାରଣଙ୍କଦ୍ୱାରା ଘରେ ଏବଂ ଯାତାୟତ ସମୟରେ ବ୍ୟବହାର କରିବା ପାଇଁ ଉପାଦେୟ ।[୧][୨][୩]

ବ୍ୟକ୍ତିର କୌଣସି ଶ୍ୱାସଜନିତ ରୋଗ ନଥିଲେ ଏହି ଯନ୍ତ୍ରର ମନିଟର ୯୫ରୁ ୧୦୦ ପ୍ରତିଶତ ମଧ୍ୟରେ ଅମ୍ଳଜାନ ସାନ୍ଦ୍ରତା ଦର୍ଶାଇଥାଏ । ୯୨ ପ୍ରତିଶତରୁ କମ ଅମ୍ଳଜାନ ସାନ୍ଦ୍ରତା ଥିଲେ ରୋଗୀଙ୍କୁ ଅମ୍ଳଜାନ ଚିକିତ୍ସା ଦେବାର ଆବଶ୍ୟକତା ପଡିଥାଏ ।[୪]

କାର୍ଯ୍ୟ ପ୍ରଣାଳୀ[ସମ୍ପାଦନା]

ପଲସ ଅକ୍ସିମିଟରର ଭିତର ସରଂଚନା

ସାଧାରଣ ପଲସ ଅକ୍ସିମିଟରରେ ଗୋଟିଏ ଇଲେକ୍ଟ୍ରୋନିକ ପ୍ରୋସେସର ଏବଂ ଗୋଟିଏ ଫୋଟୋଡାୟୋଡ ସହ ସାମ୍ନାସାମ୍ନି ରଖାଯାଇଥିବା ଦୁଇଟି ଛୋଟ ଲାଇଟ ଏମିଟିଙ୍ଗ ଡାୟୋଡ (LED) ବ୍ୟବହାର କରାଯାଏ । ଏଥିମଧ୍ୟରୁ ଗୋଟିଏ ଲାଇଟ ଏମିଟିଙ୍ଗ ଡାୟୋଡ ୬୬୦ ନାନୋମିଟର ତରଙ୍ଗଦୈର୍ଘ୍ୟ ବିଶିଷ୍ଟ ନାଲିରଙ୍ଗ ଆଲୋକର ଉତ୍ସ ହୋଇଥିବା ବେଳେ ଅନ୍ୟଟି ୯୪୦ ନାନୋମିଟର ତରଙ୍ଗଦୈର୍ଘ୍ୟ ବିଶିଷ୍ଟ ଇନ୍ଫ୍ରାରେଡ଼ ରଶ୍ମିର ଉତ୍ସ ଅଟେ । ଏହି ଦୁଇଟି ରଶ୍ମି ଭିନ୍ନ ହାରରେ ଅମ୍ଳଜାନଯୁକ୍ତ ଏବଂ ଅମ୍ଳଜାନ ରହିତ ରକ୍ତରେ ଅବଶୋଷିତ ହୋଇଥାନ୍ତି । ଅମ୍ଳଜାନଯୁକ୍ତ ହିମୋଗ୍ଲୋବିନ (ଅକ୍ସିହିମୋଗ୍ଲୋବିନ) ଅଧିକ ଅବରକ୍ତ ବା ଇନ୍ଫ୍ରାରେଡ ରଶ୍ମି ଅବଶୋଷଣ କରେ ଏବଂ ଅମ୍ଳଜାନରହିତ ହିମୋଗ୍ଲୋବିନ (ଡିଅକ୍ସିହିମୋଗ୍ଲୋବିନ) ଅଧିକ ଲାଲ ରଶ୍ମି ଅବଶୋଷଣ କରିଥାଏ ।[୫] ଏହି ପ୍ରକ୍ରିୟା ପ୍ରତି ସେକେଣ୍ଡ ପିଛା ତିରିଶ ଥର କାମ କରି ଫୋଟୋଡାୟୋଡକୁ ଉଭୟ ନାଲି ଓ ଇନ୍ଫ୍ରାରେଡ ରଶ୍ମିକୁ ପ୍ରତିକ୍ରିୟାକୁ ରେକର୍ଡ କରିଥାଏ ।[୬]

ଯେତିକି ଆଲୋକ ଅବଶୋଷିତ ନ ହୋଇ ମାଧ୍ୟମଦ୍ୱାରା ସଞ୍ଚାରିତ ହୋଇଯାଏ ତାହାକୁ ମଧ୍ୟ ମପାଯାଏ ଏବଂ ପ୍ରତ୍ୟେକ ତରଙ୍ଗଦୈର୍ଘ୍ୟ ପାଇଁ ଭିନ୍ନ ସାମାନ୍ୱୟୀକୃତ ସିଗନାଲ ପ୍ରସ୍ତୁତ କରାଯାଏ । ଏହି ସିଗନାଲ ସମୟ ଅନୁସାରେ ଉପରତଳ ହୁଏ କାରଣ କାରଣ ପ୍ରତ୍ୟେକ ହୃତ୍‌ଗତି ସହ ଧମନୀରେ ରକ୍ତର ପରିମାଣ ବଢିଥାଏ । ପ୍ରତ୍ୟେକ ତରଙ୍ଗଦୈର୍ଘ୍ୟ ପାଇଁ ଅନୁସାରେ ସଞ୍ଚାରିତ ହୋଇଥିବା ଆଲୋକରୁ ସବୁଠୁ କାମ ସଞ୍ଚାରିତ ହୋଇଥିବା ଆଲୋକକୁ ବିୟୋଗ କରି ଧମନୀୟ ରକ୍ତ ପାଇଁ ସିଗନାଲ ତିଆରି କରାଯାଏ । ଲାଲ ଆଲୋକ ଅନୁସାରେ ହୋଇଥିବା ମାପମାନଙ୍କ ସହ ଇନ୍ଫ୍ରାରେଡ ଆଲୋକରେ ହୋଇଥିବା ମାପର ଅନୁପାତ ପ୍ରୋସେସର ହିସାବ କରି ଅମ୍ଳଜାନ ସାନ୍ଦ୍ରତା ନିର୍ଣ୍ଣୟ କରାଯାଏ ।[୭]

ଉପକାର[ସମ୍ପାଦନା]

  • ବ୍ୟବହାରରେ ସୁବିଧା ଏବଂ ନିରବଛିନ୍ନ ଭାବେ ଏବଂ ଶୀଘ୍ର ରକ୍ତରେ ଅମ୍ଳଜାନ ସାନ୍ଦ୍ରତା ସୂଚାଉଥିବାରୁ ଶ୍ୱାସଜନିତ ବା ହୃଦୟଜନିତ ରୋଗଗ୍ରସ୍ତ ବ୍ୟକ୍ତିଙ୍କ ପାଇଁ ଲାଭପ୍ରଦ ହୋଇଥାଏ ।[୮]
  • ନିଶ୍ଚେତକ (anesthesia) କାରଣରୁ ସଂଜ୍ଞାରହିତ ବ୍ୟକ୍ତିଙ୍କ ଅମ୍ଳଜାନ ସାନ୍ଦ୍ରତା ପରିବେକ୍ଷଣ କରିଥାଏ ।[୯]
  • ଶାରୀରିକ କାର୍ଯ୍ୟର ବୃଦ୍ଧି ସମୟରେ କିମ୍ବା ବ୍ୟାୟାମ ସମୟରେ ବ୍ୟକ୍ତିର ସହନଶକ୍ତି ଆକଳନ କରିବା ।
  • ବ୍ୟାଟେରୀଚାଳିତ ପଲସ ଅକ୍ସିମିଟର ପର୍ବତ ଆରୋହଣକାରୀ, ଖେଳାଳି ଏବଂ ପାଇଲଟମାନଙ୍କ ପାଇଁ ଆବଶ୍ୟକୀୟ କାରଣ ଉଚ୍ଚ ସ୍ଥାନରେ ବା ବ୍ୟାୟାମ ହେତୁ ରକ୍ତରେ ଅମ୍ଳଜାନ ହ୍ରାସ ହୋଇପାରେ ।[୧୦]
  • କରୋନାଭୂତାଣୁ ରୋଗ ୨୦୧୯ ରୋଗୀମାନଙ୍କ କ୍ଷେତ୍ରରେ ସୁସ୍ଥ ଦିଶୁଥିବାସତ୍ତ୍ୱେ ଟିସୁସ୍ତରରେ ଅମ୍ଳଜାନର ଅଭାବକୁ ଶୀଘ୍ର ସୂଚାଇ ଠିକ ସମୟରେ ଅମ୍ଳଜାନ ଚିକିତ୍ସା ଉପଲବ୍ଧ କରିବାରେ ସାହାଯ୍ୟ କରୁଛି ।[୧୧]

ଅସୁବିଧା[ସମ୍ପାଦନା]

  • ପଲସ ଅକ୍ସିମିଟର କେବଳ ହିମୋଗ୍ଲୋବିନର ସାନ୍ଦ୍ରତା ମାପ କରିପାରେ, ଶ୍ୱାସତନ୍ତ୍ରର ଦକ୍ଷତାର ସମ୍ପୂର୍ଣ୍ଣ ସୂଚନା ହେଇପାରେ ନାହିଁ ଯାହାକି ଧମନୀୟ ରକ୍ତରେ ଥିବା ଗ୍ୟାସ ପରୀକ୍ଷାରୁ ସମ୍ଭବ ।[୧୨]
  • ଯେହେତୁ ପଲସ ଅକ୍ସିମିଟର ଉପକରଣକୁ ସୁସ୍ଥବ୍ୟକ୍ତି ଅନୁସାରେ ଅଂଶାଙ୍କିତ କରାଯାଏ, ଗମ୍ଭୀରରୂପରେ ଅସୁସ୍ଥ ବ୍ୟକ୍ତି ବା ଅପରିପକ୍ୱୟ ନବଜାତ ଶିଶୁଙ୍କ ପାଇଁ ଏହା ସଠିକ ମାପ କରିପାରେନାହିଁ ।
  • ଏହା କେବଳ ହିମୋଗ୍ଲୋବିନ ସହ ବିବନ୍ଧିତ ଅମ୍ଳଜାନର ଅନୁପାତ ମାପିପାରେ ଫଳତଃ ହିମୋଗ୍ଲୋବିନ ଅମ୍ଳଜାନ ବ୍ୟତୀତ ଅନ୍ୟ କୌଣସି ଅଣୁ ସହ ବାନ୍ଧିହେଲେ ଅକ୍ସିମିଟର ଭୁଲ ପରିଣାମ ଦେଖାଏ ।
  • ବୈଜ୍ଞାନିକ ଅନୁସନ୍ଧାନରୁ ଜଣାଯାଇଛି ଯେ କୃଷ୍ଣକାୟ ବ୍ୟକ୍ତିଙ୍କ କ୍ଷେତ୍ରରେ ପଲସ ଅକ୍ସିମିଟର ଅଧିକ ତ୍ରୁଟିପୂର୍ଣ୍ଣ ପରିଣାମ ଦେଖାଇଥାଏ, ଏଣୁ ସେମାନେ ଠିକ ସମୟରେ ଆବଶ୍ୟକୀୟ ଡାକ୍ତରୀ ଚିକିତ୍ସା ଲାଭ କରି ପାରନ୍ତି ନାହିଁ ।[୧୩]

ଆଧାର[ସମ୍ପାଦନା]

  1. "Covid: How a £20 gadget could save lives". BBC News.
  2. "Pulse Oximetry" (PDF). American Thoracic Society.
  3. Nitzan M, Romem A, Koppel R. "Pulse oximetry: fundamentals and technology update". Medical Devices: Evidence and Research.
  4. "Oxygen Saturations Less than 92% Are Associated with Major Adverse Events in Outpatients with Pneumonia: A Population-Based Cohort Study". Oxford Academic.
  5. "Principles of pulse oximetry". Anaesthesia UK. Archived from the original on 2015-02-24. Retrieved 2021-05-12.
  6. "Pulse Oximetry Basic Principles and Interpretation". UI Health Care.
  7. "Principles of Pulse Oximetry Technology". Oximetry.org. Archived from the original on 2015-03-18. Retrieved 2021-05-12.
  8. "Masimo Announces FDA Clearance of Radius PPG™, the First Tetherless SET® Pulse Oximetry Sensor Solution". Business Wire.
  9. "Advanced Uses of Pulse Oximetry for Monitoring Mechanically Ventilated Patients". Anesthesia & Analgesia.
  10. "Study on Oxygen Supply Standard for Physical Health of Construction Personnel of High-Altitude Tunnels". National Center for Biotechnology Information.
  11. "Pulse Oximetry for Monitoring Patients with COVID-19 at Home. Potential Pitfalls and Practical Guidance". US National Institutes of Health.
  12. "Pulse Oximetry" (PDF). American Thoracic Society.
  13. "How a Popular Medical Device Encodes Racial Bias". Boston Review. Archived from the original on 2020-09-16. Retrieved 2021-05-12.{{cite web}}: CS1 maint: bot: original URL status unknown (link)