ଅଗ୍ରୀମ ଜାମିନ

ଉଇକିପିଡ଼ିଆ‌ରୁ


ଭାରତୀୟ ଆଇନ କମିଶନଙ୍କ ୪୧ତମ ରିପୋର୍ଟରେ କରାଯାଇଥିବା ସୁପାରିଶ ଆଧାରରେ ଭାରତୀୟ ଫୌଜଦାରୀ ପ୍ରକ୍ରିୟା ସଂହିତାର ଧାରା ୪୩୮ରେ 'ଅଗ୍ରୀମ ଜାମିନ'ର ପ୍ରାବଧାନ ରଖାଯାଇଛି । ଏହି ପ୍ରାବଧାନ ଅନୁସାରେ ଯେ କେହି ଯଦି ଏକ ଜାମିନ-ବିହୀନ ଦଣ୍ଡନୀୟ ଅପରାଧରେ ଗିରଫଦାରୀର ଆଶଙ୍କା କରୁଥାଆନ୍ତି, ତେବେ ଏହି ପ୍ରାବଧାବ ପ୍ରକାରେ ଗିରଫଦାରୀ ପୂର୍ବରୁ ମଧ୍ୟ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇ ଅଗ୍ରୀମ ଜାମିନ ପାଇଁଁ ଆବେଦନ କରିପାରିବେ ।[୧][୨]

ପୃଷ୍ଠଭୂମି[ସମ୍ପାଦନା]

ଭାରତର ନ୍ୟାୟିକ ବ୍ୟବସ୍ଥାରେ ସାଧାରଣତଃ ଗିରଫଦାରୀ ପରେ ହିଁ ଜାମିନ ପାଇଁ ଆବେଦନ କରିବା ପ୍ରାବଧାନ ରହିଥିଲା । ତେବେ ଭାରତୀୟ ଆଇନ କମିଶନ ତାଙ୍କ ୪୧ତମ ରିପୋର୍ଟରେ ଅଗ୍ରୀମ ଜାମିନ ଭଳି ଏକ ନୂଆ ପ୍ରାବଧାନ ପାଇଁ ପ୍ରସ୍ତାବ ରଖିଥିଲେ । ତାଙ୍କ ରିପୋର୍ଟର କୀୟଦଂଶ ଏହିଭଳି:

ଅଗ୍ରୀମ ଜାମିନ ସମ୍ପର୍କରେ ବିଚାରପତିମାନଙ୍କ ମଧ୍ୟରେ ମତଭେଦ ରହିଥିଲେ ମଧ୍ୟ ଏକଥା ସର୍ବମାନ୍ୟ ଯେ ଆମ ବିଚାର ବ୍ୟବସ୍ଥାରେ ଅଗ୍ରୀମ ଜାମିନ ଭଳି ପ୍ରାବଧାନ ନାହିଁ । ଅଧୁନା, ବିଶେଷକରି ରାଜନୈତିକ ଶତ୍ରୁତା ବା ଅନ୍ୟ କାରଣରୁ ପ୍ରଭାବଶାଳୀ ବ୍ୟକ୍ତି ବିଶେଷଙ୍କୁ ମିଥ୍ୟା ମକଦ୍ଦମାରେ ଜଡ଼ିତ କରି ଗିରଫଦାରୀଦ୍ୱାରା ରାଜନୈତିକ ଫାଇଦା ହାସଲ କରିବା ଭଳି ମାନସିକତା ବୃଦ୍ଧି ପାଇବାରେ ଲାଗିଛି । ଏଭଳି ସ୍ଥିତିରେ ଏକ ବିଶେଷ ପ୍ରାବଧାନଦ୍ୱାରା ଅନ୍ତତଃ ଯେଉଁମାନେ ଏଭଳି ମିଥ୍ୟା ମକଦ୍ଦମାର ଶିକାର ହୋଇଥାନ୍ତି ତଥା ଆଇନଦ୍ୱାରା ପ୍ରଦତ୍ତ ଏହି ବିଶେଷ ସୁବିଧାର ଦୁରୂପଯୋଗ ନ କରିବା ଅଦାଲତ ଅନୁଭବ କରନ୍ତି ତେବେ ସେଭଳି ଅଭିଯୁକ୍ତକୁ ପ୍ରଥମେ ଗ୍ରେପ୍ତ।ର କରିବା ପରେ ହିଁ ଜାମିନ ଆବେଦନ ବିଚାରକୁ ନେବା ଅଯୌକ୍ତିକ ମନେହୁଏ । ଅତଏବ ଅଗ୍ରୀମ ଜାମିନ ଭଳି ଏକ ବିଶେଷ ପ୍ରାବଧାନ ବିଶେଷତଃ ଉଚ୍ଚ ନ୍ୟାୟାଳୟ ଏବଂ ଦୌରା ନ୍ୟାୟଲୟଙ୍କ କ୍ଷମତା ପରିସରକୁ ଦିଆଯିବ ପ୍ରସ୍ତାବ ବିଚାର ହେବା ଉଚିତ । ଏହି ବିଶେଷ ସୁବିଧା କେବଳ ଆବଶ୍ୟକ ସ୍ଥଳେ ହିଁ ଯୋଗ୍ୟ ଆବେଦନକାରୀଙ୍କ କ୍ଷେତ୍ରରେ ଗ୍ରହଣ କରାଯିବ ।

ପ୍ରକ୍ରୀୟା[ସମ୍ପାଦନା]

ଭାରତୀୟ ଫୌଜଦାରୀ ଦଣ୍ଡ ପ୍ରକ୍ରୀୟା ସଂହିତାର ଧାରା ୪୩୮ଅନୁଯାୟୀ କେବଳ ଉଚ୍ଚ ନ୍ୟାୟାଳୟ କିମ୍ବା ଦୌରା ଜଜ୍‌ଙ୍କ ନ୍ୟାୟାଳୟରେ ହିଁ ଏଭଳି ଆବେଦନ କରାଯାଇପାରିବ । ଆବେଦନର ପ୍ରାରମ୍ଭିକ ସ୍ତରରେ ଦରଖାସ୍ତର ଏକ ନକଲ ପ୍ରତିପକ୍ଷକୁ କିମ୍ବା ତଦୁପଲକ୍ଷେ ପବ୍ଳିକ ପ୍ରୋସିକ୍ୟୁଟରଙ୍କୁ ପଠାଯିବ । ଅଦାଲତ ଦୁଇପକ୍ଷଙ୍କୁ ମହଲତ ଦିଅନ୍ତି ନିଜ ପକ୍ଷ ରଖିବା ପାଇଁଁ । ଦୁଇ ପକ୍ଷକୁ ଶୁଣିବା ପରେ ଆବଶ୍ୟକ ସ୍ଥଳେ ଆବେଦନ ଗ୍ରହଣ କରି ଏଭଳି ଆଦେଶ ଜାରି କରିବେ ଯେ, ଆବେଦନକାରୀ ଗିରଫ ହେବାମାତ୍ରେ ଜାମିନରେ ମୁକୁଳିବେ ।

ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶ/ଅବଲୋକନ[ସମ୍ପାଦନା]

ଅଗ୍ରୀମ ଜାମିନ ଆମ ନ୍ୟାୟୀକ ବ୍ୟବସ୍ଥାର ଏକ ବିଶେଷ ପ୍ରାବଧାନ । ଭାରତର ଉଚ୍ଚତମ ନ୍ୟାୟାଳୟ ଏଭଳି ବିଶେଷ ପ୍ରାବଧାନର ନ୍ୟାୟପୂର୍ଣ୍ଣ ଉପଯୋଗ ନିମିତ୍ତ ବିଭିନ୍ନ ସମୟରେ ଏ ସମ୍ପର୍କିତ ଅନେକ ମହତ୍ତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଅଛନ୍ତି; ଯେପରିକି ନ୍ୟାୟାଳୟ ଅଗ୍ରୀମ ଜାମିନ ଶୁଣାଣି ବେଳେ ନିମ୍ନ ବିଷୟ ଗୁଡିକୁ ଦୃଷ୍ଟିରେ ରଖିବେ ।[୩][୪]

  • କଥିତ ଅପରାଧର ମାତ୍ରା ଏବଂ ସେଥିରେ ଅଭିଯୁକ୍ତର ଭୂମିକା
  • ଆବେଦନକାରୀଙ୍କ ଅପରାଧିକ ପୃଷ୍ଠଭୂମି ଏବଂ ପୀଡିତଙ୍କ ସହ ଘଟଣା ପୂର୍ବ ସମ୍ବନ୍ଧ କଣ ?
  • ଆବେଦନକାରୀ ଆଇନ ହାତରୁ ଖସି ଚାଲିଯିବାର ସମ୍ଭାବନା କେତେ ?
  • ଅଭିଯୁକ୍ତର ପୁଣି ଅପରାଧ ପୁନରାବୃତ୍ତି କରିବାର ସମ୍ଭାବନା ଅଛି କି ?
  • ଅଗ୍ରୀମ ଜାମିନଦ୍ୱାରା ସମାଜ କିମ୍ବା ଏକ ସଂଖ୍ୟା ବହୁଳ ଗୋଷ୍ଠୀ ଉପରେ ଏହାର କି ପ୍ରକାର ପ୍ରଭାବ ପଡିବ ?
  • ଅଭିଯୁକ୍ତ ସାକ୍ଷ୍ୟ ପ୍ରମାଣ ନଷ୍ଟ କରିପାରେ ବା ସାକ୍ଷୀଙ୍କୁ ଭୟଭୀତ କରିପାରେ କି ?
  • ଆବେଦନକାରିଙ୍କୁ ରାଜନୈତିକ ଉଦ୍ଦେଶ୍ୟ ରଖି ଗିରଫ ପାଇଁଁ ଅପଚେଷ୍ଟା କରାଯାଉଛି କି  ? ........ ଇତ୍ୟାଦି

ଏହାଛଡା ନ୍ୟାୟାଳୟ ଆବଶ୍ୟକ ମଣିଲେ, ଦରକାରୀ ସର୍ତ୍ତ ସହ ଅଗ୍ରୀମ ଜାମିନ ମଞ୍ଜୁର କରିପାରିବେ ।

ବ୍ୟତିକ୍ରମ[ସମ୍ପାଦନା]

"Prevention of atrocities to SC and ST" ଅଧିନିୟମର ଧାରା 18 ଅନୁସାରେ ଏହି ଅଧିନିୟମର ଧାରା 3ରେ ଅଭିଯୁକ୍ତ ଦର୍ଶାଯାଇଥିଲେ ସେହି କ୍ଷେତ୍ରରେ ଅଗ୍ରୀମ ଜାମିନ ଆବେଦନ ଗ୍ରହଣ ହୋଇପାରିବ ନାହିଁ ବୋଲି ପ୍ରାବଧାନ ରହିଛି ।[୫]

ତେବେ ନିକଟରେ ଭାରତର ଉଚ୍ଚତମ ନ୍ୟାୟାଳୟ ଏ ସଂକ୍ରାନ୍ତରେ ଏକ ଆଦେଶନମା ଜାରି ପୁର୍ବକ କହିଛନ୍ତି ଯେ ଉକ୍ତ ଅଧିନିୟମରେ ଅଭିଯୁକ୍ତ ସରକାରୀ କର୍ମଚାରୀ ହୋଇଥିଲେ ତାଙ୍କୁ ବିନା ନୋଟିସରେ ଗିରଫ କରାଯାଇପାରିବ ନାହିଁ ।

ଆଧାର[ସମ୍ପାଦନା]

  1. "Anticipatory bail".
  2. "Anticipatory bail-Scope, Ambit and Purpose". Retrieved 7 May 2018.
  3. "guideline of supreme court in anticipatory bail". Retrieved 7 May 2018.
  4. "CRIMINAL APPEAL NOs. 525-526 OF 2012 (Arising out of SLP(Crl.) Nos.304-305 of 2012)" (PDF). Retrieved 7 May 2018.
  5. "No anticipatory bail in cases under SC/ST act". Retrieved 8 May 2018.

ବାହାର ଲିଙ୍କ[ସମ୍ପାଦନା]

ଭାରତୀୟ ଆଇନ କମିଶନଙ୍କ ୪୧ତମ ରିପୋର୍ଟ