ରାଧାଚରଣ ପଣ୍ଡା
ରାଧାଚରଣ ପଣ୍ଡା | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୧୪ ଅପ୍ରେଲ ୧୮୯୮ |
ମୃତ୍ୟୁ | ୨୯ ଅକ୍ଟୋବର ୧୯୭୪ | (ବୟସ ୭୬)
ବୃତ୍ତି | ଡାକ୍ତର |
ଭାଷା | ଓଡ଼ିଆ, ଇଂରାଜୀ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ଶିକ୍ଷା | ଏଲ୍.ଏମ୍.ପି. |
ସାହିତ୍ୟ କୃତି | ପ୍ରାଚୀନଦୀର ଐତିହାସିକ ବିଭବ ସ୍ୱାସ୍ଥ୍ୟଶିକ୍ଷା |
ରାଧାଚରଣ ପଣ୍ଡା (୧୪ ଅପ୍ରେଲ ୧୮୯୮ – ୨୯ ଅକ୍ଟୋବର ୧୯୭୪) ଜଣେ ଓଡ଼ିଆ ଡାକ୍ତର ଓ ଲେଖକ । ସେ ଓଡ଼ିଶାର ଆଞ୍ଚଳିକ ଇତିହାସ, ଜୀବନୀ ସାହିତ୍ୟ ଓ ସ୍ୱାସ୍ଥ୍ୟ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି ।[୧]
ବାଲ୍ୟଜୀବନ
[ସମ୍ପାଦନା]ରାଧାଚରଣଙ୍କ ପୈତୃକ ସ୍ଥାନ ଆନ୍ଧ୍ରପ୍ରଦେଶର ସାଲୁର ଓ ଜନ୍ମ ଓଡ଼ିଶାର ବିଚ୍ଛିନ୍ନାଞ୍ଚଳ ଟିକାଲି । ବାପା କୃଷ୍ଣଚନ୍ଦ୍ର ପଣ୍ଡା ସରକାରୀ କଚେରିରେ କିରାଣୀ ଥିଲେ ଏବଂ ମାଆଙ୍କ ନାମ କୁନ୍ଦନମଣି । ସେ ୧୯୧୪ ମସିହାରେ ପାରଳା-ଜୟପୁରର ବାସିନ୍ଦା କୁର୍ମ ପାତ୍ରଙ୍କ ବଡ଼ଝିଅ ଯଶୋଦା ଦେବୀଙ୍କୁ ବିବାହ କରିଥିଲେ । ରାଧାଚରଣଙ୍କୁ ମାତ୍ର ୧୨ ବର୍ଷ ହୋଇଥିବା ବେଳେ ତାଙ୍କ ବାପାଙ୍କ ପରଲୋକ ଓ ଏହା ପରେ ପରେ ଆର୍ଥିକ ଅନଟନ ଯୋଗୁଁ ଶଶୁର ଘରେ ରହି ୧୯୧୮ ମସିହାରେ ମାଟ୍ରିକ ଶିକ୍ଷା ଲାଭ କରିଥିଲେ । ମାଇନର ଶିକ୍ଷା ହୋଇଥିଲା ତେଲୁଗୁ ମାଧ୍ୟମରେ ।[୧]
ବୃତ୍ତିଗତ ଜୀବନ
[ସମ୍ପାଦନା]ସେ ୧୯୨୩ ମସିହାରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ମେଡିକାଲ ସ୍କୁଲରୁ ଏଲ୍.ଏମ୍.ପି. ଶିକ୍ଷା ସମାପ୍ତକରି କିଛି ଦିନ ଅନନ୍ତପୁର ଜିଲ୍ଲାରେ ଡାକ୍ତର ଚାକିରି କରିଥିଲେ । ପରେ କିଛିଦିନ ପାରଳାଖେମୁଣ୍ଡିରେ କାର୍ଯ୍ୟ କରି ୧୯୨୫ରେ ପୁରୀ ଜିଲ୍ଲା ବୋଡ୍ ଅଧିନରେ ମେଡିକାଲ ଅଫିସର ଭାବେ ଯୋଗ ଦେଲେ । ସେ ୧୯୪୫ ମସିହା ପର୍ଯ୍ୟନ୍ତ ପାରିକୁଦ, କାକଟପୁର, ଅସ୍ତରଙ୍ଗ, କଣାସ ଆଦି ସ୍ଥାନରେ ସରକାରୀ ଡାକ୍ତରଖାନା ମାଧ୍ୟମରେ ଜନସେବା କରିଥିଲେ । ୧୯୪୫ରେ ଗାନ୍ଧିଜୀଙ୍କ ବ୍ରିଟିଶ ରାଜତ୍ୱ ବିରୋଧୀ ଆନ୍ଦୋଳନରେ ଡାକ୍ତରି ଚାକିରୀରୁ ଇସ୍ତଫା ଦେଇ ଖୋର୍ଧା ଜିଲ୍ଲାସ୍ଥ ନିଜ ବାଲୁଗାଁ ବାସଭବନରେ ‘ସ୍ୱାଧୀନ ଚିକିତ୍ସାଳୟ’ ସ୍ଥାପନ କରିଥିଲେ । ୧୯୩୨ ମସିହାରେ ପତ୍ନୀଙ୍କ ପରଲୋକ ହେତୁ, ୧୯୩୪ (?) ମସିହାରେ ଦ୍ୱିତୀୟ ପତ୍ନୀ ଭାବରେ ମଂଜୁଷାର ସୋମନାଥ ସାହୁଙ୍କ ଝିଅ ଉମାମଣି ଦେବୀଙ୍କୁ ବିବାହ କରିଥିଲେ ।[୧]
ରଚନାବଳୀ
[ସମ୍ପାଦନା]୧୯୨୮ ମସିହାରେ ପ୍ରକାଶିତ ତାଙ୍କର ପ୍ରଥମ ପୁସ୍ତକ ‘ସ୍ୱାସ୍ଥ୍ୟଶିକ୍ଷା’ ସେତେବେଳେ ପ୍ରାଇମେରିଠାରୁ ମାଟ୍ରିକ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକ ଭାବରେ ଚଳୁଥିଲା । ଏପରିକି ୧୯୬୦ ମସିହା ଯାଏ ଏ ବହିର ଷାଠିଏତମ ସଂସ୍କରଣ ବା ମୁଦ୍ରଣ ହୋଇପାରିଥିଲା । ରାଧାଚରଣ ମଧ୍ୟ ଗୋପାଳଚନ୍ଦ୍ର ପ୍ରହାରାଜଙ୍କୁ ‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’ ପାଇଁ ଶବ୍ଦ ସଂଗ୍ରହରେ ବହୁ ସହଯୋଗ କରିଥିଲେ । ତାଙ୍କର ଲେଖକୀୟ ଛଦ୍ମନାମ ଥିଲା ‘ନାଡ଼ିଚିପା’ ।[୧] ତାଙ୍କର ପ୍ରମୁଖ ବହିର ତାଲିକା-
- ପାରିକୁଦର ଇତିହାସ[୨]
- ଚିଲିକା, ୧୯୭୭
- ବାଣପୁର
- ପ୍ରାଚୀନଦୀର ଐତିହାସିକ ବିଭବ, ୧୯୬୯
- ଉତ୍କଳର କୁଟୀରଶିଳ୍ପ
- ଉତ୍କଳର ଶିଳ୍ପ ଚାତୁରୀ
- ଉତ୍କଳର ପଲ୍ଲୀ ପ୍ରସଙ୍ଗ
- ରାଜକବି ବିକ୍ରମଦେବ ବର୍ମା
- ମହାପୁରୁଷ ପିଟର [୩]
- ଡାକ୍ତର ଲିଭିଂଷ୍ଟୋନ
- ନାରୀକବି ଅନ୍ନପୂର୍ଣ୍ଣା
- ଦାନବୀର କ୍ଷେତ୍ରବାସୀ ରାଉତରାୟ
- ଗଣସେବକ ଡକ୍ଟର ଗୋଦାବରୀଶ
- ଗୋପାଳଚନ୍ଦ୍ର ପ୍ରହରାଜ ବ୍ୟକ୍ତି ଓ ବ୍ୟକ୍ତିତ୍ୱ
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ମହାନ୍ତି, ସନ୍ତୋଷ କୁମାର (2011). ପଣ୍ଡା-ପଣ୍ଡିତ ପତ୍ରାବଳି. କଟକ: ଅଗ୍ରଦୂତ. p. 96.
- ↑ Nanda, Ramesh. "Chilika and Legend of Goddess Kalijai" (PDF). Orissa Review (January 2009): 49. Retrieved 14 November 2015.
- ↑ Amaresh Datta (1987). Encyclopaedia of Indian Literature: A-Devo. Sahitya Akademi. pp. 707–. ISBN 978-81-260-1803-1.