ଜଉ କଳା

ଉଇକିପିଡ଼ିଆ‌ରୁ

ଜଉ କଳା ଲାଖ ଜଉକୁ ବ୍ୟବହାର କରି ତିଆରି କରାଯାଉଥିବା ନାନାଦି କଳାକୃତିକୁ ବୁଝାଇଥାଏ । ଓଡ଼ିଶାର ବାଲେଶ୍ୱରଠାରେ ପୁରାତନ ଜଉ କଳାର ଆରମ୍ଭ । ଏହା ଏକ ପାରମ୍ପରିକ ଓ ଲୁପ୍ତପ୍ରାୟ ଓଡ଼ିଆ କଳା । ଆଗରୁ ମେଳାମାନଙ୍କରେ ପ୍ରଚୁର ଭାବରେ ଜଉ କଣ୍ଢେଇ ମିଳୁଥିଲା ।

ପ୍ରକାର[ସମ୍ପାଦନା]

ଜଉ କଣ୍ଢେଇ[ସମ୍ପାଦନା]

ବାଲେଶ୍ୱରୀ ଜଉ କଣ୍ଢେଇ ଏକ ଜଉ ବା ଲାଖରୁ ତିଆରି ଏକ ପ୍ରକାରର କଣ୍ଢେଇ । ଆଗକାଳରେ ଜଉ ବା ଲାଖ ଅଧିକ ପରିମାଣରେ ମିଳୁଥିବାରୁ ଏଥିରେ କମ ଦରରେ କଣ୍ଢେଇ ସବୁ ତିଆରି କରାଯାଇ ପାରୁଥିଲା । [୧]

ଜଉ ଶଙ୍ଖା ବା ଚୁଡ଼ି[ସମ୍ପାଦନା]

ବାହାଘର ସମୟରେ କନିଆଁମାନଙ୍କୁ ଏହି ଚୁଡ଼ି ପିନ୍ଧାଯାଇଥାଏ । ଓଡ଼ିଶାର ଅନେକ ସ୍ଥାନରେ ଏବେ ବି ଜଉ ଶଙ୍ଖା ବା ଚୁଡ଼ି ନାରୀମାନେ ପିନ୍ଧିଥାନ୍ତି । ପୋଡ଼ା ମାଟିରେ ତିଆରି ଚୁଡ଼ି ଉପରେ ଗରମ ଲାଖର ଆବରଣ ଦିଆଯାଇ ସେଥିରେ ଛୋଟ ଛୋଟ ଆରିସି (ଆଇନା), ଧାତବ କୋଟିକମ କରା ଅଂଶ ସବୁ ଖଞ୍ଜାଯାଇଥାଏ । ଏହା ଦେଖିବାକୁ ବହୁତ ସୁନ୍ଦର ହୋଇଥାଏ ।

ଇତିହାସ[ସମ୍ପାଦନା]

ବାହାଘର ବେଳରେ ବରକନିଆଁଙ୍କୁ ଜଉ କଣ୍ଢେଇ ଯୋଡ଼ା ଉପହାର ଦେବର ବିଧି ରହିଛି ଯାହା ସେମାନଙ୍କ ସୁଖୀ ଜୀବନ କାମନା କରି କରାଯାଇଥାଏ । ଏହି ପ୍ରକାର ଜଉ କଣ୍ଢେଇରେ ଗୋଟିଏ ବର ଓ ଗୋଟିଏ କନିଆଁ ରହିଥାଏ ।[୨]

ଆଗରୁ ଏହି ଜଉ କଣ୍ଢେଇକୁ ନେଇ ପିଲାମାନେ ଖେଳୁଥିଲେ । ପିଲାମାନଙ୍କ ଜଉ କଣ୍ଢେଇ ବାହାଘର ମଧ୍ୟ କରାଯାଉଥିଲା । ଏଥିପାଇଁ ପାଲିଙ୍କି ବା ଟେମଜାନିର ବ୍ୟବହାର କରାଯାଉଥିଲା । ଏହି ବର କନିଆଁ ବାହାଘର ବାଲେଶ୍ୱରୀ ଲୋକ ପର୍ବ ଭାବରେ ଖ୍ୟାତି ଅର୍ଜନ କରିଥିଲା ।[୧]

ତିଆରି ପ୍ରଣାଳୀ[ସମ୍ପାଦନା]

ପ୍ରଥମେ କଞ୍ଚା ମାଟିରେ କଣ୍ଢେଇ ସବୁ ତିଆରି କରାଯାଇ ଏହି ମାଟି କଣ୍ଢେଇ ସବୁକୁ ଭାଟିରେ ପୋଡ଼ାଯାଇ ଥାଏ । ତହିଁରେ ଜଉର ଆବରଣ ଦିଆଯାଏ । ରଙ୍ଗ ମାନିଲା ପରି ସରୁ ସରୁ ଜଉ ସୂତାରେ କୋଟିକମ କରାଯାଏ । ପୋଡ଼ା ମାଟି କଣ୍ଢେଇର ଭିତର ଭାଗ ଟାଣ ଥାଏ ଓ ବାହାର ଭାଗ ଜଉ ଆବରଣ ହେତୁ ପିଚ୍ଛିଳ ହୋଇଥାଏ ଓ ଦେଖିବାକୁ ସୁନ୍ଦର ଦିଶେ । ଜଉ କଣ୍ଢେଇ ମୁଖ୍ୟତଃ ବର କନିଆଁ କଣ୍ଢେଇ ହୋଇଥିଲେ ହେଁ ପାଲିଙ୍କି, ଗଣେଶ, ହାତୀ, ଘୋଡ଼ା, ଷଣ୍ଢ, ମୟୂର, ହଂସ ଆଦି ମଧ୍ୟ ତିଆରି କରାଯାଇଥାଏ । କଣ୍ଢେଇ ରଙ୍ଗ କଲାବେଳେ ବରକୁ ନାରଙ୍ଗୀ ଓ କନିଆଁକୁ ହଳଦୀ ରଙ୍ଗ ଦିଆଯାଇଥାଏ ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ସୁଦର୍ଶନ ମହାରଣା. ବାଲେଶ୍ୱରର ଅବଲୁପ୍ତ କଳା ଓ ସଂସ୍କୃତି. ଉନ୍ନୟନୀ (୨୦୦୬) ପୃ. ୯୮
  2. ଅଶୋକ କୁମାର ମହାନ୍ତି. ବାଲେଶ୍ୱର: ଏକ ସଂକ୍ଷିପ୍ତ ଆକଳନ. ଉନ୍ନୟନୀ (୨୦୦୬) ପୃ. ୭୩-୭୪