ବ୍ୟବହାରକାରୀ:Surabhai/ନୟାଗଡ଼ର ମନ୍ଦିର
@Surabhai: ତଳେ ଥିବା ଆପଣଙ୍କ ଲିଖିତ ଲେଖା ଗୋଟିଏ ପ୍ରସଙ୍ଗରେ ନ ରହି ଭିନ୍ନ ଭିନ୍ନ ପ୍ରସଙ୍ଗରେ ରହିବ । ଆପଣ ଧୀରେ ଧୀରେ ସେସବୁକୁ ନିଜେ ନେଇପାରିବେ । ନୂଆ ପ୍ରସଙ୍ଗ ବା ଆଗରୁ ଥିବା ପ୍ରସଙ୍ଗରେ ସମ୍ପାଦନା କରିବା ବେଳେ ଉଇକିପିଡ଼ିଆ:ନିୟମାବଳୀ ଅନୁସାରେ ଲେଖିବା ପାଇଁ ଅନୁରୋଧ । ଅନେକ ସମୟରେ ଖବରକାଗଜ ବା ପତ୍ରିକାରେ ସାହିତ୍ୟ ପୁଟ ଓ ମନ୍ଦିର ଆଦି ପ୍ରସଙ୍ଗ ଥିଲେ ଭକ୍ତର ଭାବକୁ ନେଇ ଲେଖାଯାଇଥାଏ । ସେଥିରୁ କେବଳ ତଥ୍ୟ କାଢ଼ି ଉଇକିପିଡ଼ିଆରେ ଦେବାକୁ ହୁଏ ଆଉ କେତେକାଂଶରେ କିମ୍ବଦନ୍ତୀ ଆଦିକୁ ମଧ୍ୟ ରଖାଯାଏ । ତେବେ ପ୍ରତି ତଥ୍ୟ ପାଇଁ ବାହାର ଆଧାର ଦେବା ନିହାତି ଆବଶ୍ୟକ । ଜଣାଶୁଣା ବହି, ଜର୍ଣ୍ଣାଲ, ପତ୍ରପତ୍ରିକା, ଖବରକାଗଜ ଆଦିର ଆଧାର ସାଧାରଣତଃ ଦିଆଯାଇଥାଏ ।
ତଳ ଲେଖାକୁ ସମ୍ପାଦନା କରି ଲଡୁବାବା ମନ୍ଦିରରେ ରଖାଯିବ
[ସମ୍ପାଦନା]ନାମକରଣ
[ସମ୍ପାଦନା]ନୟାଗଡ଼ ଜିଲ୍ଲାର ଶରଣକୁଳରେ କେଉଁ ଆବାହମାନ କାଳରୁ ଭକ୍ତ ଜନଙ୍କର ସଙ୍କଟମୋଚନ କରିବା ନିମନ୍ତେ ସ୍ବୟଂ ଆବିର୍ଭୂତ ହୋଇ ଛତ୍ରାକାର ଲିଙ୍ଗ ସ୍ବରୁପୀ ହରିହର ମୂର୍ତ୍ତି ପୂଜା ପାଇ ଆସୁଛନ୍ତି ଲଡୁବାବା, ଲଡୁକେଶ ବା ଲଡୁକେଶ୍ଵର ନାମରେ । ପ୍ରଭୁଙ୍କ ପରି ପ୍ରଭୁଙ୍କର ଏହି ନାମକରଣ ମଧ୍ୟ ବଡ଼ ରହସ୍ୟମୟୀ । ନାମକରଣ ସଂପର୍କରେ ବିଭିନ୍ନ ଜ୍ଞାନୀ ବ୍ୟକ୍ତିମାନେ ବିଭିନ୍ନ ମତ ଦିଅନ୍ତି । ସେମାନଙ୍କର ସେହି ମତ ଗୁଡ଼ିକରୁ କେତୋଟି ଏଠାରେ ସ୍ଥାନିତ କରାଯାଉଛି।
(କ)ନକୁଳି ସଂପ୍ରଦାୟ: ପ୍ରଥମେ ଆଦିବାସୀ ନକୁଳିମାନେ ଏଠାରେ ବାସ କରି ଏହି ଲିଙ୍ଗଙ୍କର ପୂଜାରାଧନା କରୁଥିବାରୁ ପ୍ରଭୁଙ୍କର ନାମ ନକୁଳେଶ ହୋଇଥିଲା । ପରବର୍ତ୍ତୀ ସମୟରେ ତାହା ଲଡ଼ୁକେଶରେ ରୂପାନ୍ତରିତ ହୋଇଛି ।
(ଖ)ଲିଙ୍ଗର ଆକାରାନୁସାରେ: ପ୍ରଭୁଙ୍କର ଲିଙ୍ଗ ଲଡୁ ଆକାରର ବୋଲି ତାଙ୍କର ନାମକରଣ ଲଡୁବାବା ବା ଲଡ଼ୁକେଶ୍ଵର ହୋଇଅଛି।
(ଗ)ପାରିବାରିକ ସଂପର୍କ: ଅଗ୍ରପୂଜ୍ୟ ଗଜାନନ ଗଣେଶ ଲଡ଼ୁପ୍ରିୟ ଏଣୁ ତାଙ୍କର ଅନ୍ୟ ନାମ ମଧ୍ୟ ଲଡୁ । ଲଡ଼ୁ ନାମଧାରି ଗଣେଶଙ୍କ ପିତା ବା ବାବା ପ୍ରଭୁ ଶିବ ଶଙ୍କର, ଏଣୁ ତାଙ୍କ ନାମ ଲଡୁବାବା ।
(ଘ)କୁଳ ବା ଜାତି ହୀନତା: ପ୍ରଭୁ ଶିବ ଶଙ୍କରଙ୍କର କୁଳ ବା ଜାତି ନାହିଁ । ତାଙ୍କର ଅନୁଗାମୀ ମାନଙ୍କର ମଧ୍ୟ କୁଳ ନାହିଁ । ଏଣୁ ସେ କୁଳ ହୀନମାନଙ୍କର ଈଶ (ନ+କୁଳ+ଈଶ) ନକୁଳେଶ (ଲଡ଼ୁକେଶ) ।
(ଙ)ପଦ୍ମଶ୍ରୀ ସଦାଶିବ ରଥଶର୍ମାଙ୍କ ମତାନୁସାରେ: ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ପରେ ଗୋପପୁରରେ ନନ୍ଦଘରେ ନନ୍ଦଉତ୍ସବ ଚାଲିଥାଏ । ସମସ୍ତ ଦେବୀ ଦେବତାମାନେ ନିମନ୍ତ୍ରଣ ପାଇ ଉକ୍ତ ଉତ୍ସବରେ ଯୋଗ ଦେବା ନିମନ୍ତେ ତଥା ବାଳ ଗୋପାଳଙ୍କ ଦର୍ଶନ ପ୍ରାପ୍ତି ପାଇଁ ଗୋପପୁର ଅଭିମୁଖେ ଚାଲିଥାନ୍ତି । ନିମନ୍ତ୍ରଣ ପାଇ ପ୍ରଭୁ ଶିବଶଙ୍କର ମଧ୍ୟ ଖୁସି ମନରେ ଯାଉଥାନ୍ତି । ରାସ୍ତାରେ ଯମୁନା ଦେବୀ ଉଭା ହୋଇ ମହେଶ୍ଵରଙ୍କୁ ଅନୁରୋଧ କଲେ ଯେ ସେ ମଧ୍ୟ ନନ୍ଦ ଉତ୍ସବରେ ଯୋଗ ଦେବା ପାଇଁ ଇଚ୍ଛୁକ । କିନ୍ତୁ ବିନା ନିମନ୍ତ୍ରଣରେ ଯିବେ କିପରି । ନିମନ୍ତ୍ରିତ ଅତିଥିଙ୍କ ସହ ଯିବାରେ କିଛି ବାଧା ନାହିଁ ବୋଲି କହି ମା’ ଯମୁନାଙ୍କୁ ଶଙ୍କର ମହାପ୍ରଭୁ ସାଙ୍ଗରେ ନେଇ ଗୋପପୁରରେ ପହଁଚିଲେ ।
ବନ୍ଧୁଘରେ କୌଣସି ଉତ୍ସବରେ ଯୋଗଦେବାକୁ ଗଲେ ସେଠି ବନ୍ଧୁଙ୍କୁ ଟିକେ ସହଯୋଗ କରିବା କଥା । ଶଙ୍କର ମହାପ୍ରଭୁ ସାହାଯ୍ୟ କରିବାକୁ ଯାଇ ପରଶୁଣି ଦାୟିତ୍ଵ ତୁଲାଇଲେ ଏବଂ ଲଡ଼ୁ ବାଣ୍ଟିବା ପାଇଁ ବାହାରିଲେ । ପଂକ୍ତିରେ ବସିଥିବା ଭୋଜନାଥିର୍ମାନେ ପରଶୁଣି ବାବାଙ୍କର ନାମ ଜାଣିନଥିଲେ । ଏଣୁ ଲଡ଼ୁ ମାଗିବା ବେଳେ ପାଟି କରି ଡାକିଲେ ହେ ଲଡୁବାବା! ହେ ଲଡ଼ୁବାବା! ଫଳରେ ଲଡୁ ବାଣ୍ଟୁଥିବା ବାବାଜୀଙ୍କ ନାମ ଲଡ଼ୁବାବା ହୋଇଗଲା । ସଙ୍ଗରେ ଯାଇଥିବା ମା’ ଯମୁନା ଶିବଶଙ୍କରଙ୍କ ଯୋଗୁଁ ବାଳ ଗୋପାଳ ଦର୍ଶନ ପାଇଲେ ଏଣୁ ତାଙ୍କରି ପାଖରେ ସବୁଦିନ ରହିବାକୁ ଇଚ୍ଛା କରି ଆସ୍ଥାନ ଜମେଇଲେ । ମା’ ଯମୁନାଙ୍କର ବାହାନ କଇଁଛ । ଲଡ଼ୁବାବା ପୀଠରେ ଅବସ୍ଥାନ କରିଥିବା ମା’ଙ୍କ ସିଂହାସନ ଉପରେ କଇଁଛ ମୂର୍ତ୍ତି ଦେଖି ଏ ସ୍ଵୟଂ ଯମୁନା ବୋଲି ଶ୍ରୀମନ୍ଦିର ଗବେଷକ ତାଙ୍କର ଲଡ଼ୁକେଶ ମନ୍ଦିର ସମ୍ମୁଖସ୍ଥ ପ୍ରବଚନ ସଭାରେ ଯୁକ୍ତି ବାଢ଼ିଥିଲେ।
(ଚ) ଶୈବ ସଂପ୍ରଦାୟ ଅନୁସାରେ: ଶୈବ ସଂପ୍ରଦାୟର ଶୈବ, ପାଶୁପତ୍ୟ, କାଳଦମନ ଓ କାପାଳିକ ଏହିପରି ଚାରିଗୋଟି ଶ୍ରେଣୀ ରହିଛି । ଏମାନଙ୍କ ମଧ୍ୟରୁ ପାଶୁପତ୍ୟ ମତର ଐତିହାସିକ ପ୍ରଣେତା ନକୁଳୀଶ ବା ଲକୁଳୀଶ । ତାଙ୍କୁ ଭଗବାନ ଶଙ୍କରଙ୍କର ଅଷ୍ଟାଦଶ ଅବତାର ମଧ୍ୟରେ ପ୍ରଥମ ଅବତାର ଭାବରେ ଗ୍ରହଣ କରାଯାଏ । ତାଙ୍କର ରାଜପୁତନା (ଗୁଜୁରାଟ) ଅଞ୍ଚଳରେ ଥିବା ମୂର୍ତ୍ତିରେ ଡାହାଣ ହାତରେ ବୀଜପୁର ଫଳ ଏବଂ ବାମହସ୍ତରେ ଦଣ୍ଡ ବା ଲଗୁଡ଼ ଧାରଣ କରିଥିବାର ଦେଖାଯାଏ । ସେ ଲଡ଼ୁକ ବା ଦଣ୍ଡ ଧାରଣ କରିଥିବାରୁ ତାଙ୍କୁ ଲଡ଼ୁକେଶ୍ଵର କୁହାଯାଏ । ସେହି ନାମ ଭୋଳାନାଥ ଲଡୁବାବାଙ୍କର ଏକ ନାମ ଅଟେ।
(ଛ)ଏକଦା ଉକ୍ତ ସ୍ଥାନରେ ଲୋହାଶୁର ନାମକ ଏକ ବ୍ରହ୍ମ ଅସୁର ଉତ୍ପାତ ସୃଷ୍ଟିକରି ଅନେକ ମଣିଷଙ୍କୁ ଖାଇଗଲା, ଧନ ଜୀବନ ନଷ୍ଟ କଲା, ଦେବତାଙ୍କୁ କଷ୍ଟଦେଲା । ବ୍ରହ୍ମ ରାକ୍ଷସ ମଣିଷଙ୍କୁ ଖାଇସାରିବା ପରେ ଏକ ଲୁହାଖଣ୍ଡ ହୋଇ ଗୁପ୍ତରେ ଏକ ଆଜ୍ଞାତ ସ୍ଥାନରେ ପଡ଼ିଯାଏ । ପୁଣି ଭୋକ ହେଲେ ଉଠି ସ୍ବରୂପ ଧରି ମନ ଇଛା ମନୁଷ୍ୟଙ୍କୁ ମାରି ଖାଇଯାଏ । ଏପରି ଦେଖି ନିଜ ଜୀବନ ବଞ୍ଚାଇବା ପାଇଁ ଦେବତା ମନୁଷ୍ୟ ମିଳିତ ହୋଇ ବ୍ୟାକୁଳତାର ସହିତ ଈଶ୍ଵରଙ୍କୁ ପ୍ରାର୍ଥନା କଲେ । ଭକ୍ତଙ୍କ ଗୁହାରି ଶୁଣି ତ୍ରିଦେବ ଅସୁରକୁ ବଧ କରିବା ପାଇଁ ଉପାୟ ପାଞ୍ଚିଲେ, ଭଗବାନ ଶିବ ଲ୍ୟାହୀ ହେଲେ, ଭଗବାନ ବ୍ରହ୍ମା ହାତୁଡ଼ି ହେଲେ ଏବଂ ଭଗବାନ ବିଷ୍ଣୁ ଲୋହ୍ୟ ରୂପେ ପଡ଼ିଥିବା ଅସୁରକୁ ସେଥିରେ ରଖି ବ୍ରହ୍ମ ହାତୁଡିରେ ପିଟି ଅସୁରକୁ ବଧ କଲେ । ସ୍ଥାନର ନାମ ଅସୁରଢ଼ୀପା ଗ୍ରାମ ନାମରେ ବିଖ୍ୟାତ ହେଲା । ଲ୍ୟାହୀ ହରି ହର ଲିଙ୍ଗ ଲଡ଼ୁବାବାଙ୍କ ନାମରେ ପ୍ରସିଦ୍ଧ ହେଲେ।
(ଜ)ଲଡ଼ୁବାବାଙ୍କୁ ନିଜ ଇଷ୍ଟ କରିବା ନିମନ୍ତେ, ନୟାଗଡ଼ ରାଜା ଗୁହାରିଆ ପଡ଼ିଲେ, ଠାକୁରଙ୍କ ସ୍ବପ୍ନାଦେଶରେ ସେ ରଣପୁର ରାଜାଙ୍କ ସହ ଯୁଦ୍ଧ କଲେ । ଯୁଦ୍ଧରେ ଲଢ଼ି ବିଜୟଲାଭ କରି ଠାକୁରଙ୍କୁ ନିଜ ଇଷ୍ଟଦେବତା ରୂପେ ପ୍ରତିଷ୍ଠିତ କରିଥିବାରୁ ନାମ ରଖିଲେ ଲଢୁଆବାବା । କାଳକ୍ରମେ ଲଡ଼ୁବାବା ନାମରେ ପ୍ରସିଦ୍ଧ ହେଲେ।
(ଝ)ଠାକୁରଙ୍କୁ ଲଡ଼ୁ ପ୍ରିୟ ଥିବାରୁ ଲଡ଼ୁବାବା ବୋଲାଇଲେ ବୋଲି ମଧ୍ୟ ଏକ ଜନଶୃତି ଶୁଣାଯାଏ।
(ଞ) ନିଜମତ : କିନ୍ତୁ ଅନୁସନ୍ଧାନରୁ ଜଣାଯାଇଛି ଯେ ନୟାଗଡ଼ ଗଡ଼ଜାତରେ ଥିବା ଦ୍ଵାଦଶାର୍ଦ୍ଧ ଜ୍ୟୋତିର୍ଲିଙ୍ଗ ବା ଫୁଟା ଲିଙ୍ଗମାନଙ୍କର ନାମ କରଣ ପ୍ରାୟ ସେମାନଙ୍କୁ ଲୋକ ଲୋଚନକୁ ଆଣିଥିବା ବ୍ୟକ୍ତି ବିଶେଷଙ୍କ ନାମାନୁସାରେ ହୋଇଛି । ଯେପରିକି ଜାମୁପାଟଣାସ୍ଥ ଦ୍ଵିତୀକେଶ୍ଵର ମହାପ୍ରଭୁ । ‘ଦ୍ଵିତୀକା’ ନାମକ କନ୍ଧୁଣୀ ପିଠଳ ଖୋଳୁଖୋଳୁ ତା ଖଣତି ବାଜି ରକ୍ତ ଝରିବାରୁ ସେଠାରେ ଥିବା ଲିଙ୍ଗଙ୍କ ବିଷୟରେ ସମସ୍ତେ ଜାଣିବାକୁ ପାଇଲେ ଏଣୁ ତା’ ନାମାନୁସାରେ ନୟାଗଡ଼ ରାଜା ସେହି ମହାଦେବଙ୍କ ନାମ ଦ୍ଵୀତିକେଶ୍ଵର ରଖିଲେ । ସେହିପରି ‘ଫୁଲ’ ନାମକ ଶବରୁଣୀ ନାମାନୁସାରେ ବାହାଡା଼ଝୋଲାସ୍ଥ ଫୁଲେଶ୍ଵର, ଗତିକା କନ୍ଧୁଣୀ ନାମାନୁସାରେ ମାଳିସାହିସ୍ଥ ଗତିକେଶ୍ଵର, ମୁକୁତା ନାମକ କନ୍ଧୁଣି ନାମାନୁସାରେ ଗୋତିସାହିସ୍ଥ ମୁକ୍ତେଶ୍ଵର, ମଧୁ ନାମକ ଚଷାପୁଅ ଅନୁସାରେ ରାବେରାସ୍ଥ ମଧୁକେଶ୍ଵର ମହାଦେବଙ୍କ ନାମ କରଣ ହୋଇଛି । ଲଡ଼ୁବାବା ସେହିପରି ଲଡୁ ବେହେରା ଗଉଡ଼ର କପିଳାଗାଈ ଯୋଗୁଁ ଲୋକ ଲୋଚନକୁ ଆସିଥିବାରୁ ତାଙ୍କର ନାମ ଲଡୁବାବା, ଲଡ଼ୁକେଶ ବା ଲଡ଼ୁକେଶ୍ଵର ହୋଇଥିବା ସତ୍ୟର ଅଧିକ ନିକଟତର ବୋଲି ଗବେଷକ ସୁରେଶ ଚନ୍ଦ୍ର ବରାଡ଼ ମତ ଦିଅନ୍ତି।
ପୀଠ
ନୟାଗଡ଼ ଆସିକା ରାସ୍ତାରେ ନୟାଗଡ଼ଠାରୁ ମାତ୍ର ବାର କିଲୋମିଟର ଦୂର ସ୍ଥିତ ଶରଣକୁଳଠାରେ ରାସ୍ତା କଡ଼ରେ ପ୍ରଭୁ ଲଡ଼ୁବାବାଙ୍କର ସୁଦୃଶ୍ୟ ମନ୍ଦିର ଶୋଭା ପାଉଛି । ଭୁବନେଶ୍ଵର ଠାରୁ ନୟାଗଡ଼ ରାସ୍ତାରେ ଆସିକା ଠିକ୍ ଏକଶତ କିଲୋମିଟରର ରାସ୍ତା । ବର୍ତ୍ତମାନ ଶରଣକୁଳ କୁହାଯାଉଥିବା ଏହି ଗ୍ରାମର ନାମ ଥିଲା ଆଠପାଟଣା । ଆଠଟି ପାଟଣାର ସମାହାର ଏହି ଗ୍ରାମରେ ଗଜେନ୍ଦ୍ରପୁର ପାଟଣା, ସର୍ବରାପାଟଣା, ଶୋଧନ ପାଟଣା ବା ବଡ଼ପାଟଣା, ଏକ ଚାଳିଆ ପାଟଣା, ଚନ୍ଦ୍ରଶେଖରପୁର ପାଟଣା, ଭଞ୍ଜ ପାଟଣା, ହାଟ ପାଟଣା ଓ କମଳା ଦେଈ ପୁର ପାଟଣା ନାମକ ଆଠଟି ସାହି ଥିଲା । ଗଜେନ୍ଦ୍ରପୁର ପାଟଣାର ବର୍ତ୍ତମାନ ନାମ ପଥୁରିଆ ସାହି ଯେଉଁଠି ଭଣ୍ଡାରୀ ଜାତିର ସେବକମାନେ ରହୁଥିଲେ । ସର୍ବରା ପାଟଣାର ବର୍ତ୍ତମାନ ନାମ ଗୁଡ଼ିଆସାହି ସେଠି ଗୁଡ଼ିଆ ସେବକମାନେ ରହୁଥିଲେ । ସେହିପରି ଗୋଧନ ପାଟଣା ବା ରନି ପାଟଣାର ବର୍ତ୍ତମାନ ନାମ ବଡ଼ସାହି ଓ ସେଠି ମାଳି ସେବକମାନେ ରହୁଥିବା ବେଳେ ଏକଚାଳିଆ ପାଟଣାର ଏବକାର ନାମ ନରେନ୍ଦ୍ରପୁର ରନିସାହି ଯେଉଁଠି ବ୍ୟବସାୟୀ ଜାତିର ସେବକମାନେ ରହୁଥିଲେ ଓ ପ୍ରଭୁଙ୍କ ପାଇଁ ସେମାନେ ମସଲା ଯୋଗାଉଥିଲେ । ଚନ୍ଦ୍ରଶେଖର ପୁର ପାଟଣାର ବର୍ତ୍ତମାନ ନାମ ହଳିଆସାହି ସେଠି ପ୍ରଭୁଙ୍କର ଜମିଚାଷ କରୁଥିବା ହଳିଆମାନେ ରହୁଥିଲେ । ଭଂଜ ବଂଶୀୟ ରାଜାଙ୍କଦ୍ଵାରା ପ୍ରତିଷ୍ଠିତ ଭଞ୍ଜ ପାଟଣାରୁ ବର୍ତ୍ତମାନ ନାମ ଭଂଜସାହି । ହାଟପାଟଣା ଯେଉଁଠି ମାଳୀ ସେବଳ ମାନେ ରହୁଥିଲେ ତାହାର ବର୍ତ୍ତମାନ ନାମ ଛାମୁସାହି ଏବଂ ବ୍ରାହ୍ମଣ ସେବକମାନେ ରହୁଥିବା କମଳା ଦେଈ ପୁର ପାଟଣାର ବର୍ତ୍ତମାନ ନାମ ସୁଆର ସାହି । ମନ୍ଦିରର ପଛରେ ପଶ୍ଚିମକୁ ଭଣ୍ଡାର ପାହାଡ଼ ରହିଥିବା ବେଳେ ଦକ୍ଷିଣକୁ କୁସୁମୀ ନଦୀ ବହି ଯାଉଛି।
ପୀଠର ନାମକରଣ
ମହିମାମୟ ପ୍ରଭୁ ଲଡୁବାବାଙ୍କ ନାମକୁ ନେଇ ଯେପରି ବିଭିନ୍ନ ମତ ପ୍ରଚଳିତ ସେହିପରି ତାଙ୍କରି ପୀଠ ସ୍ଥଳ ଶରଣକୁଳକୁ ନେଇ ମଧ୍ୟ ଅନେକ ମତ । ସେଥିରୁ କେତୋଟି ମତ ଉପରେ ସାମାନ୍ୟ ଆଲୋକପାତ କରିବା ଅସମୀଚିନ ହେବନାହିଁ।
କ)ରୋଗୀ, ଭୋଗୀ, ଅନାଥ, ଭିକାରୀ ଏବଂ ବିଭିନ୍ନ ପାଟକର ଲୋକଙ୍କୁ ଏ ସ୍ଥାନ ଶରଣ ଦେଇଥିବାରୁ ଏ ସ୍ଥାନର ନାମ ଶରଣକୁଳ ବୋଲି କେତେକ କହୁଥିବା ବେଳେ,
ଖ)ଶରଣ ରକ୍ଷଣ ମହାପ୍ରଭୁ ଲଡ଼ୁକେଶ ଏଠାରେ ବିରାଜମାନ କରିଥିବାରୁ ଏ ସ୍ଥାନର ନାମ ଶରଣକୁଳ ବୋଲି କେତେକ କହନ୍ତି।
ଗ) କୁଳହୀନ ବ୍ୟକ୍ତିମାନଙ୍କୁ ଶରଣ ଦେଇ ଥିବାରୁ ଏ ସ୍ଥାନର ନାମ ଶରଣକୁଳ ବୋଲି କେହିକେହି କୁହନ୍ତି । କେତେକ
ଘ)କୁସୁମୀ ନଦୀ କୂଳରେ ଶରଣ ଦେଇଥିବାରୁ ଏ ସ୍ଥାନର ନାମ ଶରଣକୁଳ ବୋଲି ମଧ୍ୟ କୁହନ୍ତି ।
ତେବେ ଶରଣକୁଳ ନାମକରଣ ନିମନ୍ତେ ଗୋଟିଏ ମାତ୍ର କାରଣ ଯେ ଥିବ ଏଥିରେ ସତ୍ୟତା ଖୁବ କମ୍।
କିମ୍ବଦନ୍ତୀ
ସତ୍ୟ ଘଟଣା ବକ୍ତାମାନଙ୍କ ବାକଚାତୁରୀ ଫଳରେ କିଛି କିଛି ଅତିମାନୁଷୀ ତଥ୍ୟ ନିଜ ସାଥିରେ ନେଇ କିମ୍ବଦନ୍ତୀ ପାଲଟିଯାଏ । ତେବେ ଏହି କିମ୍ବଦନ୍ତୀ ଭିତରେ ସତ୍ୟତା ସହିତ ଘଟଣାର ମୁଖ୍ୟଙ୍କର ମହିମା ନିହିତ ଥାଏ । ଉକ୍ତ ରାଜ୍ୟରେ ଏହି କିମ୍ବଦନ୍ତୀ ହିଁ ରାଜତ୍ଵ କରେ । ସେହିପରି ଲଡୁବାବାଙ୍କର ମହିମା ଦ୍ଵାରା ପୁଷ୍ଟ କିମ୍ବଦନ୍ତୀ ତାଙ୍କର ଭକ୍ତମାନଙ୍କ ପ୍ରତି ଥିବା କରୁଣା ତଥା ପୀଠର ମହାତ୍ମ୍ୟ ବ୍ୟକ୍ତ କରେ । ଲଡୁବାବାଙ୍କୁ ନେଇ ଲୋକ ମୁଖରେ ପ୍ରଚଳିତ କେତେକ କିମ୍ବଦନ୍ତୀ ଯାହାକି ବର୍ତ୍ତମାନ ଥିବା ପାରିପାର୍ଶ୍ଵକ ସ୍ଥାନ, ଚିହ୍ନ ଓ ନାମ ଦ୍ଵାରା ପ୍ରମାଣିତ ହେଉଛି ତାହା ଏଠାରେ ବର୍ଣ୍ଣନା କରାଯାଉଛି।
୧. କପିଳା ଚରିତ : ବର୍ତ୍ତମାନର ହରିହର ପୁର(ଯାହାର ପୂର୍ବନାମ ଶରଣକୁଳ ଓ ଲୋକ ମୁଖରେ ପୋଡ଼ା ଶରଣକୁଳ) ଗ୍ରାମରେ ଲଡୁ ବେହେରା ନାମକ ଏକ ଗଉଡ଼ ବାସ କରୁଥିଲା । ତାହାର କପିଳା ନାମରେ ଏକ କାଳି ଗାଈ ସର୍ବଦା ଗୋଠରୁ କେଉଁ ଆଡେ଼ ଚାଲିଯାଉଥିବା ସେ ଲକ୍ଷ୍ୟ କଲା । ଗାଈଟି ଘରେ କ୍ଷୀର ଦେଇ ନଥିବାରୁ ଗଉଡ଼ ତା ଉପରେ ସ୍ବତନ୍ତ୍ର ଦୃଷ୍ଟି ରଖିଥାଏ।
ଥରେ ନଦୀରେ ବିରାଟ ବଢ଼ି ଆସିଛି କିନ୍ତୁ ଗାଈଟି ବଢ଼ିପାଣିକୁ ନ ମାନି କୁଆଡେ଼ ଚାଲିଗଲା । କେଉଁଆଡେ଼ ଗଲା ବୋଲି ଅନ୍ଵେଷଣ କରି କରି ଯିବା ସମୟରେ ଗଉଡ଼ ଗାଈ ଦେଖିଲା ଗାଈଟି ଏକ ଗିଲନଟି ଭିତରେ ବିଲ୍ଵବୃକ୍ଷ ପରିବେଷ୍ଟିତ ଏକ ସ୍ଥାନରେ ଠିଆ ହୋଇରହିଛି । ତା ପହ୍ନାରୁ କ୍ଷୀର ସ୍ବୟଂ ତଳେ ଥିବା ଏକ ଲିଙ୍ଗା କୃତି ଶିଳା ଉପରେ ପଡୁଛି । ଗଉଡ଼ ମୂର୍ଖ, ରାଗରେ ଗାଈକୁ କେନ୍ଦୁ ଠେଙ୍ଗାରେ ନିର୍ଘାତିଆ ପାହାରଟେ ଦେଲା । ତରତରରେ ଗାଈ ଦୌଡ଼ି ପଳାଇବା ସମୟରେ ତାର ଖୋଜ ଉକ୍ତ ପଥର ଉପରେ ପଡ଼ିଯିବାରୁ ପଥରଟିରୁ ଧାରଧାର ହୋଇ ରକ୍ତ ବହିବାକୁ ଲାଗିଲା ଏପରି ଅସମ୍ଭାବିତ ଦୃଶ୍ୟ ଦେଖି ଗଉଡ଼ ଡ଼ରରେ ଗାଁକୁ ଧାଇଁ ଆସି ସମସ୍ତଙ୍କୁ ଘଟଣା ବିଷୟରେ ଜଣାଇଲା । ଗାଁ ମୁଖିଆ ସହିତ ଅନ୍ୟ ଲୋକ ମାନେ ଦେଖନ୍ତି ଗଉଡ଼ କହୁଥିବା କଥା ସତ । ସ୍ଵୟଂ ମହାଦେବ ଲିଙ୍ଗ ସ୍ବରୂପୀ ହୋଇ ଫୁଟି ବାହାରିଛନ୍ତି । ସେମାନେ ବିଭିନ୍ନ ଦ୍ରବ୍ୟ ଦେଇ ପ୍ରଭୁଙ୍କର ପୂଜାର୍ଚ୍ଚନା କଲେ । କ୍ରମେ ଘଟଣା ଯାଇ ତତ୍କାଳୀନ ରାଜାଙ୍କ ପାଖରେ ପହଂଚିଲା । ରାଜା ଘଟଣାର ତଦନ୍ତ କରି ତା’ର ସତ୍ୟତା ଉପଲବଧି କଲେ ଏବଂ ପ୍ରଭୁଙ୍କର ପୂଜା ନୀତିପାଇଁ ସେବକ ନିଯୁକ୍ତି କଲେ । ମନ୍ଦିର ପାଇଁ ଜମି ଖଜା କଲେ । ପରେ ସେଠାରେ ମନ୍ଦିର ନିର୍ମିତ ହେଲା । ଗଉଡ଼ର ମୂଖାମୀ ଯୋଗୁଁ ପ୍ରଭୁ କଷ୍ଟ ପାଇଥିବାରୁ ପୀଠ ଠାରୁ ଦୁଇକୋଶ ମଧ୍ୟରେ କୌଣସି ଗଉଡ଼ ବାସ ନ କରିବାକୁ ରାଜା ନିର୍ଦ୍ଦେଶ ଦେଲେ ଯାହାକି ଆଜି ସୁଦ୍ଧା ପାଳିତ ହୋଇଆସୁଛି । ଏବେ ମଧ୍ୟ ଶରଣକୁଳ ମଧ୍ୟରେ ସବୁ ପାଟକର ଲୋକ ଥିଲେ ମଧ୍ୟ ଗଉଡ଼ ବସବାସ କରି ନାହାଁନ୍ତି।
୨. ବାଣାସୁର ଚରିତ : ଶରଣକୁଳର ଦକ୍ଷିଣରେ କୁସୁମୀ ନଦୀର ଅପର ପାର୍ଶ୍ଵରେ ଅସୁରଢ଼ିପା ନାମକ ଗ୍ରାମ ଅବସ୍ଥିତ । ଏହି ଗ୍ରାମର ଦକ୍ଷିଣକୁ ଏକ ଅତ୍ୟୁଚ୍ଚ ଢ଼ିପ ସ୍ଥାନ ଅଛି । ସେହି ଢ଼ିପ ଉପରେ ବାଣାସୁର ନାମକ ଏକ ରାକ୍ଷସ ରାଜା ବାସ କରୁଥିଲା । ସେ ଭଣ୍ଡାର ପାହାଡ଼ର ପୂର୍ବ ମୁଣ୍ଡରେ ଗିଲ ନଟୀ ପରିବେଷ୍ଟିତ ଏକ ଗୁମ୍ଫା ମଧ୍ୟରେ ଥିବା ଶିବଲିଙ୍ଗଙ୍କର ପୂଜା କରୁଥିଲା ଏବଂ ସେହି ଗୁମ୍ଫା ମଧ୍ୟରେ ତା’ର ସମସ୍ତ ଧନରନି ଲୁଚାଇ ରଖୁଥିଲା । ବାଣା ପ୍ରଭୁ କୃଷ୍ଣ ବଳରାମଙ୍କ ଠାରୁ ପରାସ୍ତ ହୋଇ (ଉଷା ଅନିରୁଦ୍ଧ ପରିଣୟ ଘଟଣାରେ) ସେ ଏ ସ୍ଥାନ ଛାଡ଼ି ବାଣପୁର ଅଞ୍ଚଳକୁ ଚାଲିଯିବା ପାଇଁ ଇଚ୍ଛା କରି ଦିନେ ପ୍ରଭୁ ଶିବଶଙ୍କରଙ୍କ ପାଖରେ ଅଧିଆ ପଡ଼ି ଅନୁମତି ମାଗିଲେ । ପ୍ରଭୁ ତାକୁ ଅନୁମତି ଦେଲେ କିନ୍ତୁ ସର୍ତ୍ତ ରଖିଲେ ଯେ ସେ ଲିଙ୍ଗଙ୍କୁ କେଉଁଠି ହେଲେ ତଳେ ଥୋଇବ ନାହିଁ । ବାଣାସୁର ତାର ଗଚ୍ଛିତ ସମସ୍ତ ସଂପତ୍ତି ନେବା ପୂର୍ବରୁ ପ୍ରଥମେ ପ୍ରଭୁଙ୍କୁ ନେଇ ଯଥା ସ୍ଥାନରେ ସ୍ଥାପନ କରିବା ଲକ୍ଷ୍ୟରେ ଗୁମ୍ଫା ମଧ୍ୟରୁ ଶିବଲିଙ୍ଗକୁ ଧରି ବାହାରିଲା । ଗୁମ୍ଫା ମଧ୍ୟରେ ସମସ୍ତ ସଂପତ୍ତି ଥିବାରୁ ଦ୍ଵାର ଭାବରେ ବ୍ୟବହୃତ ହୋଇଥିବା ବିରାଟ ଶିଳା ଦ୍ଵାରା ଦ୍ଵାର ବନ୍ଦ କରିବା ଦରକାର ଥିଲା । କିନ୍ତୁ ପ୍ରଭୁଙ୍କ ଲୀଳା, ଗୋଟିଏ ହାତରେ କାନ୍ଧ ଉପରେ ପ୍ରଭୁଙ୍କୁ ଧରି ଅନ୍ୟ ହାତରେ ଶିଳାଟିକୁ ଦ୍ଵାର ବନ୍ଦ କରିବା ପାଇଁ ଘୁଞ୍ଚାଇବା ସମ୍ଭବ ହେଲା ନାହିଁ । ଏଣୁ ଲିଙ୍ଗଙ୍କୁ ତଳେ ରଖି ବାଣାସୁର ଦ୍ଵାର ବନ୍ଦ କରିବାକୁ ଗଲା । ବିଧିର ବିଧାନ, ଦ୍ଵାର ବନ୍ଦ କରି ଲିଙ୍ଗକୁ ଉଠାଏ ତ ଲିଙ୍ଗ ଆଉ ଉଠିଲେ ନାହିଁ । ସେ ସେଇଠି ଅକର୍ମ କର୍ମ ଦାୟକ ଲିଙ୍ଗ ଭାବେ ଗୁମ୍ଫା ଦ୍ଵାରରେ ସେହି ଦିନଠାରୁ ସ୍ଥାପିତ ହୋଇ ରହିଲେ।
ଇତିହାସ
ବିଶ୍ଵାସ କରାଯାଏ ତ୍ରେତୟା ଯୁଗରେ ଏଠାରେ ମହର୍ଷି ବିଶ୍ଵାମିତ୍ର ମଠପଦା ନାମକ ସ୍ଥାନରେ ଆଶ୍ରମକରି ଏହି ଅକର୍ମ କର୍ମ ଦାୟକ ଶିବଶଙ୍କରଙ୍କର ଜ୍ୟୋତିର୍ଲିଙ୍ଗର ପୂଜା କରୁଥିଲେ।
ଦ୍ଵାପର ଯୁଗରେ ଏହି ଲିଙ୍ଗଙ୍କୁ ଅସୁରଢ଼ିପାର ଢ଼ିପ ଉପରେ ବାସ କରୁଥିବା ବାଣାସୁର ପୂଜା କରୁଥିଲା ଅନିଋଦ୍ଧ ସହିତ ତା’ର କନ୍ୟା ଉଷାର ପରିଣୟ ଘଟଣାରେ କୃଷ୍ଣ ବଳରାମଙ୍କ ଦ୍ଵାରା ସହସ୍ରବାହୁ ହରାଇ ଅପମାନିତ ହୋଇ ଏ ସ୍ଥାନରୁ ବାଣପୁରକୁ ଚାଲିଯିବା ପରେ ଏ ସ୍ଥାନ ଓ ପ୍ରଭୁ ଲୋକ ଲୋଚନର ଅଗୋଚରରେ ରହିଗଲେ ।
ପରେ ଲଙ୍ଗୁଳି କନ୍ଧମାନେ ପ୍ରଭୁଙ୍କର ଉପସ୍ଥିତି କୌଣସି ପ୍ରକାରେ ଉପଲବ୍ଧି କରି ଗୁପ୍ତଭାବରେ ସେମାନଙ୍କର ନିଜସ୍ବ ପ୍ରଣାଳୀରେ ପୂଜାରାଧନା କରୁଥିଲେ । ସେମାନେ ଶାଳ ପତ୍ର ଠୋଲାରେ ଖାଦ୍ୟ ପଦାର୍ଥ ରଖି ତାକୁ ପୋଡ଼ି ପ୍ରଭୁଙ୍କୁ ଉତ୍ସର୍ଗ କରୁଥିଲେ । ଏବେ ବି ସେହି ପତ୍ରପୋଡ଼ା ‘ପୋଡ଼ାଭୋଗ’ ବା ‘ପୁଡ଼ା ଭୋଗ’ ରୂପେ ମନ୍ଦିରରରେ ପ୍ରଚଳିତ ରହିଛି । କାଳକ୍ରମେ ଏ ସ୍ଥାନରୁ ବିଭିନ୍ନ କାରଣଙ୍କୁ କନ୍ଧମାଳନେ ମଧ୍ୟ କେଉଁ ଆଡେ ଚାଲିଗଲେ ଫଳରେ ପ୍ରଭୁ ପୁୁଣି ଅପୂଜ୍ୟ ହୋଇ ଗୁପ୍ତ ଭାବରେ ଗିଲ ଲଟି ପୂର୍ଣ୍ଣ ବିଲ୍ଵବଣ ମଧ୍ୟରେ କ୍ଷୁଦ୍ର ଝରଣା କୂଳରେ ଅବସ୍ଥାନ କଲେ ।
ହରିହରପୁରରେ ଲଡ଼ୁବେହେରାର କପିଳା ନାମକ ଗାଈର ସ୍ବତଃ କ୍ଷୀର ଦେବା ଘଟଣାକୁ କଳିଯୁଗର ସଭ୍ୟଜଗତ ପ୍ରଥମେ ପ୍ରଭୁଙ୍କ ଉପସ୍ଥିତି ବିଷୟରେ ଜ୍ଞାତ ହେଲା।
ଉକ୍ତ ଘଟଣା ତତ୍କାଳୀନତ୍ରଣପୁର ରାଜାଙ୍କ ନିକଟକୁ ଗଲା ଓ ସେ ଜଙ୍ଗଲ ସଫାକରି ଉକ୍ତ ସ୍ଥାନରେ ଏକ ଛାୟା ମଣ୍ଡପ ନିର୍ମାଣ କଲେ ତଥା ନିକଟସ୍ଥ ଅଂଚଳର ବିସ୍ତୃତ ଚାଷୋପଯୋଗୀ ଭୂମି ସେବା ପୂଜା ପାଇଁ ଦାନ କଲେ । ସେବକମାନଙ୍କ ନିମନ୍ତେ କେତେକ ଗାଁ ମନ୍ଦିର ପାଖରେ ସ୍ଥାପନ କରିଥିଲେ । ପରେ ଠାକୁରଙ୍କର ଯଜମାନୀ ଧନର ଏକତ୍ରିକରଣ କରି ଠାକୁରଙ୍କ ପାଇଁ ଦେଉଳ, ମୁଖଶାଳା ଓ ଘଣ୍ଟବଜା ନିର୍ମାଣ କାର୍ଯ୍ୟ ଆରମ୍ଭ କଲେ ବୋଲି ଲୋକ ମୁଖରେ ପ୍ରବାଦ ରହିଛି । ସେମାନେ ନିଜର ଉପାଧି ନରେନ୍ଦ୍ର ଅନୁସାରେ ନରେନ୍ଦ୍ରପୁର ଗ୍ରାମ ମଧ୍ୟ ସ୍ଥାପନ କଲେ । ପରେ ନୟାଗଡ଼ ରାଜା ରଣପୁର ରାଜାଙ୍କୁ ପରାସ୍ତ କରି ଠାକୁରଙ୍କର ସେବା ପୂଜା ଓ ମନ୍ଦିର ପରିଚାଳନା ଦାୟିତ୍ଵ ନିଜ ହାତକୁ ନେଲେ । ଏହି ନୟାଗଡ଼ ରାଜାମାନେ ମହନ, ନାଟ ମଣ୍ଡପ, ମା ପାର୍ବତୀଙ୍କ ମନ୍ଦିର ଓ ଜଗନ୍ନାଥ ମନ୍ଦିର ନିର୍ମାଣ କରିଥିଲେ।
କେହି କେହି ମନ୍ଦିରର ପଦ୍ମପୃଷ୍ଠ ଠାରୁ ଉପରକୁ ନୟାଗଡ଼ ରାଜା ନିର୍ମାଣ କରିଥିବା କହୁଥିଲେ ମଧ୍ୟ ଦୁଇ ରାଜାଙ୍କର ମନ୍ଦିର ଦର୍ଶନ ନୀତି ଅନୁଧ୍ୟାନ କଲେ ମନ୍ଦିର ନିର୍ମାଣରେ ରଣପୁର ରାଜାଙ୍କର ଅବଦାନ ଯେ ସର୍ବାଧିକ ତାହା ଗ୍ରହଣ କରିବାକୁ ପଡେ଼।
ରଣପୁର ରାଜା ଓ ନୟାଗଡ଼ ରାଜାଙ୍କ ନିମନ୍ତେ ମନ୍ଦିରରେ ସୁତନ୍ତ୍ର ଦର୍ଶନନୀତି ଅନୁସୃତ ହେଉଥିବାର ଜଣାଯାଏ । ନୟାଗଡ଼ ରାଜା ଦକ୍ଷିଣ ଦ୍ଵାର ଦେଇ ଦର୍ଶନ ସେବା ପାଇଥିବା ବେଳେ ରଣପୁର ରାଜାଙ୍କୁ ସିଂହ ଦ୍ଵାର ଦେଇ ଦର୍ଶନ ସେବାପ୍ରାପ୍ତ ହୋଇଥିବାର ବିବରଣୀ ରହିଛି । ଇଂରେଜ ସରକାରଙ୍କ ଅମଳରେ ନୟାଗଡ଼ ରାଜା ନାବାଳକ ହେବାରୁ ଉପରୋକ୍ତ ସରକାର ଦ୍ଵାରା ନିଯୁକ୍ତ ସୁପରିଟେଣ୍ଡେଣ୍ଟ ତଥା ପ୍ରଶାସକ ଅବଦୁଲ ସତାର ଖାଁ (୧୯୨୬-୧୯୩୩) ଏହି ମନ୍ଦିରର ପରି ଚାଳନା ଭାର ପାଇଥିଲେ । ସ୍ବାଧୀନତା ପରେ ନୟାଗଡ଼ରାଜା ଅନିଚ୍ଛୁକ ହେବାରୁ ଏଣ୍ଡୋମେଣ୍ଟ କମିଶନର ମନ୍ଦିର ପରିଚାଳନା ଭାର ନିଜ ହାତକୁ ନେଇ ତାଙ୍କ ଅଧୀନରେ ଏକ ଦେବୋତ୍ତର ବିଭାଗ ଗଠନ କରି ତାହା ହାତରେ ଏହି ମନ୍ଦିରର ପରିଚାଳନା ଦାୟିତ୍ଵ ଅର୍ପଣ କରିଛନ୍ତି । ସଂପ୍ରତି ଏହି ମନ୍ଦିରର ଏକକୁଟିଭ ଅଫିସର ସବ କଲେକ୍ଟର ନୟାଗଡ଼ ରହିଛନ୍ତି । ମନ୍ଦିରର ପ୍ରତ୍ୟକ୍ଷ ପରିଚାଳନା ନିମନ୍ତେ ଜଣେ ମ୍ୟାନେଜର ଓ ଜଣେ ସୁପର ଭାଇଜରଙ୍କୁ ନିଯୁକ୍ତି ଦିଆଯାଇଛି।
ଲିଙ୍ଗ
ପ୍ରଭୁଙ୍କର ଲିଙ୍ଗ ଛତ୍ରାକାର । ଉପରେ ପଇତା ଚିହ୍ନ । ଗୋଟିଏ ପାର୍ଶ୍ଵରେ ହର ଅନ୍ୟ ପାର୍ଶ୍ଵରେ ହରି । କପିଳା ଗାଈର ଖୁରାଘାତ ଚିହ୍ନ ବା ଗୋଷ୍ପାଦ ପ୍ରଭୁ ଧାରଣ କରିଛନ୍ତି । ଚାରିପଟେ ବିରାଟ ଶକ୍ତି । ଏଣୁ ଲିଙ୍ଗ କ୍ଷୁଦ୍ର ଓ ଛତ୍ରାକାର ଦେଖା ଯାଉଛନ୍ତି । ଏହି ଅଲୌକିକ ଲିଙ୍ଗ ଉପରେ କେଉଁ ଆବାହମାନ କାଳରୁ ଟଭାଫଳ, ପଞ୍ଚାମୃତ ଓ ଅଁଳାରସ ଆଦି ମର୍ଦ୍ଦନ କରାଯାଉଛି ଏବଂ ଦିନକୁ ଦଶ କୋଡ଼ିଏ ଥର ଲୁଗାରେ ପୋଛା ଯାଉଛି । ପ୍ରତ୍ୟହ ଶତାଧିକ ଭକ୍ତ ଜଳଶାୟୀ କରାଉଛନ୍ତି ଏବଂ ମନ୍ଦିର ତରଫରୁ ମଧ୍ୟ ୧୦୮ ଗରା ଲେଖାଏଁ ଦୁଇ ତିନିଥର ଜଳ ଢ଼ଳାଯାଉଛି କିନ୍ତୁ ଆଜିସୁଦ୍ଧା ଲିଙ୍ଗ ଆକାର ବା ରୂପରେ କୌଣସି ପରିବର୍ତ୍ତନ ବା ଚିକ୍କଣତା ପରିଲକ୍ଷିତ ହୋଇନାହିଁ।
ମନ୍ଦିରର ବାସ୍ତୁଶିଳ୍ପ
ମନ୍ଦିରଟି ଏକ ରେଖ ମନ୍ଦିର । ଉଚ୍ଚତା ପଦ୍ମପୃଷ୍ଠଠାରୁ ୬୦ଫୁଟ । ରଥପରି ଏହାର ଆକାର । ଏଠାରେ ପଞ୍ଚାନନଙ୍କ ସହ ସାଦୃଶ୍ୟ ରକ୍ଷାକରି ମନ୍ଦିର, ମୁଖଶାଳ, ଘଣ୍ଟବଜା, ମହନ ଓ ନାଟ ମନ୍ଦିର, ଏହିପରି ପାଞ୍ଚୋଟି ମନ୍ଦିର ରହିଛି । ମନ୍ଦିରଟି ଟାଣ ବଉଳମାଳା ପଥରରେ ନିର୍ମିତ ଯାହା ନୟାଗଡ଼ ଜିଲ୍ଲାର ଗୟଳସିଂହ, ଶୁଳିଆ ଓ କୋମଣ୍ଡ ଆଦି ସ୍ଥାନରୁ ଅଣାଯାଇଥିଲା । ମନ୍ଦିରର ମୂଳଦୁଆ ମାଙ୍କଡ଼ା ପଥରରେ ନିର୍ମିତ । ପଥରକୁ ସ୍ବତନ୍ତ୍ର ପ୍ରଣାଳୀରେ କାଟି ପୃଷ୍ଠକୁ ଘୋରି ସଂପୂର୍ଣ୍ଣ ଚିକଣ କରିବା ପରେ ସେଥିରେ ଏକ ସ୍ବତନ୍ତ୍ର ରସଲେପ ଦିଆଯାଇ ଯୋଡ଼ାଯାଉଥିଲା । ମୂଳ ମନ୍ଦିରରେ ପ୍ରାୟତଃ ଲୁହାର ବ୍ୟବହାର ନାହିଁ କେବଳ ମୂଳ ମନ୍ଦିରର ପଦ୍ମପୃଷ୍ଠର ସ୍ଥାୟିତ୍ଵ ପାଇଁ ସେଥିରେ ପରବର୍ତ୍ତୀ ସମୟରେ ଲୁହାର ଯୋକିଆ ବ୍ୟବହୃତ ହୋଇଛି । ଦୁଆର ବନ୍ଧ ଉପରେ ପଥରର କଡ଼ି ବା ଲିଣ୍ଟେଲ ଦିଆଯାଇଛି । ମନ୍ଦିରଟି ୨୦ଂ ଦକ୍ଷିଣ ଅକ୍ଷାଂଶ ଉପରେ ଥିବାରୁ ଯେପରି ସୂର୍ଯ୍ୟ କିରଣ ସମ ଦିବସ (ମାର୍ଚ୍ଚ ୨୧ ଓ ସେପ୍ଟେମ୍ବର ୨୩)ରେ ଲିଙ୍ଗ ଉପରେ ପଡ଼ିବ, ସେଥିପାଇଁ ମନ୍ଦିରଟି ପଦ୍ମପୃଷ୍ଠ ଉପରେ ଉତ୍ତରକୁ ବକ୍ର ଅଛି । ଏଣୁ ଦକ୍ଷିଣ ପଟ ପଦ୍ମପୃଷ୍ଠ ଉତ୍ତର ପଟ ପଦ୍ମପୃଷ୍ଠଠାରୁ ଅଧିକ ପ୍ରଶସ୍ତ । ଗଣଶ, କାର୍ତ୍ତିକ ଓ ଗଂଗା ଦେବୀଙ୍କୁ ପାର୍ଶ୍ଵ ଦେବତା ଭାବରେ ସ୍ଥାପିତ କରାଯାଇଛି । ମନ୍ଦିରଟି ୧.୧୬ ଏକର ଭୂମି ଉପରେ ଅବସ୍ଥିତ।
ସ୍ଥାପନ ସମୟ
ଶିଳ୍ପ ଶାସ୍ତ୍ର ଅନୁସାରେ ଏକ ହଜାର ବର୍ଷରୁ ଅଧିକ ବର୍ଷ ହେଲେ ମନ୍ଦିରମାନଙ୍କରୁ ଶିଳାପାତ ହୁଏ । ଲଡ଼ୁବାବାଙ୍କ ମନ୍ଦିରରୁ ପ୍ରାୟ ଏକଶତ ବର୍ଷ ତଳେ ଶିଳାପାତ ହୋଇଥିଲା । ଏଣୁ ଏହି ମନ୍ଦିରର ବୟସ ପ୍ରାୟ ୧୧୦୦ ବର୍ଷ ଅର୍ଥାତ୍ ଏହା ୯ମ ୧୦ମ ଶତାବ୍ଦୀର ମନ୍ଦିର ବୋଲି ଅନୁମାନ।
ଅନ୍ୟ କେତେକଙ୍କର ମତ ଯେ ଏଠାରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଆସି ରାମତାରକ ମନ୍ତ୍ର ଜପ କରିଥିଲେ ଏଣୁ ଏହି ସୂତ୍ରାନୁସାରେ ମନ୍ଦିରଟି ନିଶ୍ଚୟ ୧୪ଶ ଶତାବ୍ଦୀ ପୂର୍ବର ବୋଲି ଆକଳନ କରାଯାଏ । ପ୍ରନିତତ୍ତ୍ଵ ବିଭାଗର ଅଫିସରମାନେ ଆସି ମନ୍ଦିରର ପଦ୍ମପୃଷ୍ଠ ପଥରକୁ ପରୀକ୍ଷା ନିରୀକ୍ଷା କରି ଏହା ୧୫୦୦ ବର୍ଷର ପୁରୁଣା ମନ୍ଦିର ବୋଲି ମତ ଦେବା କଥା ମନ୍ଦିର ପରିଚ୍ଛା ଶ୍ରୀଯୁକ୍ତ ତୋଷବନ୍ତ କରଙ୍କ ଠାରୁ ପ୍ରକାଶ । ତେବେ ମନ୍ଦିରର କୌଣସି ସ୍ଥାନରେ ମନ୍ଦିର ନିର୍ମାଣ ସମ୍ବନ୍ଧୀୟ ଶିଳାଲେଖ ବର୍ତ୍ତମାନ ସୁଦ୍ଧା ପ୍ରାପ୍ତ ହୋଇନାହିଁ କିମ୍ବା ଏ ସଂପର୍କରେ ତାମ୍ରଫଳକ ବା ସେହିପରି କିଛି ଐତିହାସିକ ତଥ୍ୟ ଆଜି ସୁଦ୍ଧା ମିଳିନାହିଁ । ଏଣୁ ମନ୍ଦିର ନିର୍ମାଣ ସମ୍ବନ୍ଧୀୟ ବା ନିର୍ମାଣ ସମୟ ମତରେ ସଠିକ ତଥ୍ୟ ଅଦ୍ୟାବଧି ଅନ୍ଧାରରେ ରହିଛି।
ମହାଦୀପ
ଏହାର ଅନ୍ୟନାମ ଚନ୍ଦ୍ରଦୀପ ଏକ ମାଟି ସରାରେ ବାଣଦାରୁ ଦିଆଯାଇ ତିଆରି ହୋଇଥିବା ଏହା ଏକ ବାଣ ବିଶେଷ । ବେଢ଼ା ସମୟରେ ପ୍ରତିଥର ବେଢ଼ା ପୂର୍ଣ୍ଣ ହେବା ପରେ ଗୋଟିଏ ଲେଖାଏଁ ମହାଦୀପ ମନ୍ଦିର ଉପର ଦଧି ନଉତି ଠାରେ ଲଗାଯାଏ । ଏଥି ନିମନ୍ତେ ମହାଦୀପ ଯୋଗାଣିଆ ସେବାସୀ ଆବଶ୍ୟକ ବାଣ ଯୋଗାନ୍ତି । ଚନ୍ଦ୍ରଦୀପ ସେବାସୀ ତାଙ୍କୁ ମନ୍ଦିର ଉପରେ ଲଗାନ୍ତି । ପ୍ରତି ସୋମବାର ବେଢ଼ା, ଚତୁର୍ଦ୍ଦଶୀ ବେଢ଼ା ଓ ନବାଙ୍କ ବେଢ଼ା ସମୟରେ ଏହି ଚନ୍ଦ୍ରଦୀପ ଲାଗେ । ଉକ୍ତ ସମୟରେ ରାଜାଙ୍କ ମଙ୍ଗଳ କାମନା କରି ମହାଦୀପ ସେବକ ଡାକ ଦିଅନ୍ତି।
ଅଭିଷେକ
ରୁଦ୍ରାଭିଷେକ ଶିବ ପୂଜନର ଏକ ବିଶେଷ ଅଂଗ । ଭକ୍ତମାନଙ୍କ ଦ୍ଵାରା ପ୍ରଭୁ ଲଡ଼ୁକେଶଙ୍କର କୌଣସି ପ୍ରକାର ରୁଦ୍ରାଭିଷେକ ନିଷେଧ କରାଯାଇଛି । ଯଦି କେହି ଭକ୍ତ ମାନସିକ ବା ଗ୍ରହପିଡ଼ା ଶାନ୍ତି ନିମନ୍ତେ ଅଭିଷେକ କରାଇବାକୁ ଚାହୁଁଥାନ୍ତି ତେବେ ପ୍ରଭୁଙ୍କର ପ୍ରତିନିଧି ବାବା ବୈଦ୍ୟନାଥଙ୍କଠାରେ କରାଯାଇ ପାରେ । ପ୍ରଭୁ ଲଡୁବାବାଙ୍କ ଠାରେ ରୁଦ୍ରାଭିଷେକ ଫଳ ପ୍ରାପ୍ତି ତାକୁ ସେଇଠାରେ ହୋଇଯିବ ବୋଲି ପ୍ରମାଣ ରହିଛି।
ଯାତ୍ରା
ଶ୍ରୀ ଶ୍ରୀ ଲଡ଼ୁବାବା ପୀଠରେ ଶିବରାତ୍ର, ଯମଦ୍ଵିତୀୟା ଓ ଶିବବିବାହ ତଥା ଶୀତଳ ଷଷ୍ଠୀକୁ ମୁଖ୍ୟ ଯାତ୍ରା ଭାବରେ ଗ୍ରହଣ କରାଯାଏ ।
ଶିବରାତ୍ରି : ଏହାକୁ ଜାଗର ଯାତ୍ରା ବୋଲି କହନ୍ତି ଏହି ଦିନ ଏଠାରେ ପ୍ରବଳ ଜନ ସମାଗମ ହୁଏ । ଭକ୍ତମାନେ ସାରାଦିନ ନିର୍ଜଳ ଉପବାସ ରହି ସନ୍ଧ୍ୟାରୁ ଉଜାଗର ରହି ଦୀପ ଜାଳି ବସନ୍ତି । ଏହାକୁ ଜାଗର ଜାଳିବା କୁହାଯାଏ । ଫାଲ୍ଗୁନ କୃଷ୍ଣ ଚତୁର୍ଦ୍ଦଶୀ ରାତ୍ରିକୁ ମହାଶିବ ରାତ୍ରି କହନ୍ତି । ଆନ୍ଧ୍ରପ୍ରଦଶ, ଫୁଲବାଣୀ, ଖୋର୍ଦ୍ଧା, କଟକ, ନୟାଗଡ଼, ପୁରୀ ଓ ଗଂଜାମ ଜିଲ୍ଲାମାନଙ୍କରୁ ଲକ୍ଷାଧିକ ଭକ୍ତ ଚାଲି ଚାଲି, ମଟର ସାଇକଲ, ସାଇକଲ, କାର, ଜିପ, ବସ୍ ଆଦିରେ ଆସି ପହଁଚନ୍ତି । ବହୁ ଦୂର ଦୂରାନ୍ତରୁ ଅନେକ ପ୍ରକାରର ଦୋକାନ, ଅପେରା, ସର୍କସ, କଳାକୁଞ୍ଜ ବିଭିନ୍ନ ପ୍ରକାରର ଦୋଳି ଏହି ଯାତ୍ରାକୁ ଆସିଥାଏ । ଡାକବାଜି ଯନ୍ତ୍ରର କାନଫଟା ଚିକିାରରେ କାନ ଅତଡା ପଡିଯାଏ । ବିଭିନ୍ନ ଧାର୍ମିକ ଅନୁଷ୍ଠାନ ନିଜ ନିଜର ଷ୍ଟଲ ଖୋଲନ୍ତି । ସ୍ବେଚ୍ଛାସେବୀ ସଂଗଠନମାନେ ଯାତ୍ରୀମାନଙ୍କ ସୁବିଧା ପାଇଁ ସୂଚନା କେନ୍ଦ୍ର, ପାନୀୟ ଜଳ ଯୋଗାଣ କେନ୍ଦ୍ର ଆଦି ସ୍ଥାପନ କରନ୍ତି । ଭକ୍ତମାନଙ୍କ ଭିଡ଼ ସୁଧାରିବା ପାଇଁ ପୋଲିସ୍ ଓ ନିକଟସ୍ଥ ଶିକ୍ଷାନୁଷ୍ଠାନ ମାନଙ୍କରୁ ସ୍ବେଚ୍ଛାସେବୀମାନେ ଅକ୍ଳାନ୍ତ ପରିଶ୍ରମ କରନ୍ତି । ମନ୍ଦିରକୁ ପୂର୍ବରୁ ରଙ୍ଗ କରି ଆଲୋକ ଦ୍ଵାରା ସୁସଜ୍ଜିତ କରାଯାଏ । ସେହିଦିନ ସମସ୍ତ ପୂର୍ବାହ୍ନ ନୀତି ସକାଳ ସାତଘଣ୍ଟା ମଧ୍ୟରେ ଶେଷ କରି ଭକ୍ତମାନଙ୍କୁ ଦର୍ଶନ ପାଇଁ ଛଡାଯାଏ । ପ୍ରଭୁଙ୍କର ଦର୍ଶନ ପାଇବା ପାଇଁ ସ୍ତ୍ରୀ ଲୋକଙ୍କ ଧାଡ଼ି ଓ ପୁରୁଷ ଲୋକଙ୍କର ଧାଡ଼ି ବହୁତ ଲମ୍ବା ହୋଇଥାଏ । ବେଳେବେଳେ ପ୍ରବଳ ଖରା ସତ୍ତ୍ଵେ ଭକ୍ତମାନେ ଘଣ୍ଟା ଘଣ୍ଟା ଧାଡ଼ିରେ ଠିଆ ହୁଅନ୍ତି । ସନ୍ଧ୍ୟା ସାତଟାରେ ଟେରାଠାରୁ ସନ୍ଧ୍ୟା ଧୂପ ଯାଏଁ ଅନ୍ୟ ସମସ୍ତ ନୀତି କରାଯାଇ ପୁଣି ସାହାଣ ମେଲା କରାଯାଏ । ରାତିରେ ଭକ୍ତଙ୍କର ପ୍ରଦୀପ ମାଳାରେ ସମଗ୍ର ଶରଣକୁଳ ଉଦ୍ଭାସିତ ହୋଇ ଉଠେ । ରାତ୍ରୀ ୧୨ଟାକୁ ମହାଦୀପ ଉଠେ । ଏହି ମହାଦୀପକୁ ଭକ୍ତମାନେ ଚାହିଁ ରହିଥାନ୍ତି । ଏହାପରେ ସେମାନେ ପଣା ସାରି ଉପବାସ ଭାଙ୍ଗନ୍ତି । ରାତିରେ ବେଢ଼ା ପରେ ଚାରି ପ୍ରହରରେ ଶତରୂଦ୍ରରେ ଚାରୋଟି ଅଭିଷକ, ପ୍ରତି ଅଭିଷେକ ଶେଷରେ ଧୂପ ଓ ପ୍ରତି ଧୂପ ପରେ ପ୍ରଭୁଙ୍କୁ ପାଟ ଲୁଗା ଲାଗି କରାଯାଏ । ଜାଗର ପ୍ରଭୁ ଶିବ ଶଙ୍କରଙ୍କର ଜନ୍ମୋତ୍ସବ । ଏହି ଦିନ ବହୁ ଭକ୍ତ ପ୍ରଭୁଙ୍କଠାରେ ଅଧିଆ ପଡନ୍ତି ଅନେକ ମଧ୍ୟ ହୁକୁମ ଲାଭ କରି ଉଠନ୍ତି।
୨. ଶିବ ବିବାହ ଓ ଶୀତଳ ଷଷ୍ଠୀ ଯାତ୍ରା: ଜ୍ୟେଷ୍ଠ ମାସ ଶୁକ୍ଳ ପଞ୍ଚମୀ ତିଥିରେ ଯଥାରୀତି ଶିବ ବିବାହ କାର୍ଯ୍ୟ ଅନୁଷ୍ଠିତ ହେବା ପରେ ଷଷ୍ଠୀ ତିଥିରେ ଶୀତଳ ଷଷ୍ଠୀ ଯାତ୍ରା ଅନୁଷ୍ଠିତ ହୁଏ । ନୟାଗଡ଼ ଗଡ଼ଜାତର ଦ୍ଵାଦଶାର୍ଦ୍ଧ ଜ୍ୟୋତିର୍ଲିଙ୍ଗଙ୍କର ପ୍ରତିନିଧି ବିଜେ ପ୍ରତିମାମାନେ, ହରିହରପୁର ଦଧିବାମନ ଜୀଉଙ୍କ ବିଜେ ପ୍ରତିମା, ମା ବିରଜାଙ୍କର ବିଜେ ପ୍ରତିମା ସବୁ ନିମନ୍ତ୍ରିତ ହୋଇ ସଂନ୍ଧ୍ୟାରେ ମନ୍ଦିର ବେଢାରେ ମହା ସମାରୋହରେ ଯେ ଯାହାର ଥାଟ ବାଟ ନେଇ ପହଁଚନ୍ତି । ତା ପରେ ସମସ୍ତ ଦିଅଁମାନେ ଶୋଭା ଯାତ୍ରାରେ ବାଣ ରୋଷଣୀ ଓ ବ୍ୟାଣ୍ଡବାଜା ତଥା ଘଣ୍ଟର ତାଳେ ତାଳେ ଭକ୍ତଜନଙ୍କ ମନ ହରଣ କରି ଯାଇ ଚାଳି ମଣ୍ଡପ ନିକଟରେ ନିର୍ମିତ ଭାଡିମାନଙ୍କରେ ଉପବେଶନ କରନ୍ତି । ତାହା ପରେ ଆତସବାଜି କାର୍ଯ୍ୟକ୍ରମ ଚାଲେ । ଭକ୍ତମାନଙ୍କ ଦାନ ଦ୍ଵାରା ପ୍ରଦତ୍ତ ଆତସବାଜୀ ଲାଗି ସାରିଲା ପରେ ପ୍ରତିଯୋଗିତା ବାଣ ଲଗାଯାଏ । ପ୍ରଭୁଙ୍କ ସାମନାରେ ନିର୍ମିତ ପେଣ୍ଡାଲରେ ଦଣ୍ଡନାଟ, ପାଲା, ଦାସକାଠିଆ କିମ୍ବା ଅନ୍ୟ ନାଟ ଅନୁଷ୍ଠିତ ହୁଏ । ସପ୍ତମୀ ଦିନ ସକାଳେ ପ୍ରବଳ ଜନ ସମାଗମ ହୁଏ । ଦୋକାନ ବଜାର ଖୋଲେ । ସମସ୍ତ ଠାକୁର ଚାଳିମଣ୍ଡପରେ ସମୁହ ଭୋଗ ଖାଇ ଗ୍ରାମ ପରିକ୍ରମାରେ ବାହାରନ୍ତି । ସେଠୁ ଯାଇ ଭିକାରିପଡା ପୂର୍ବ ପାର୍ଶ୍ଵ ଶୀତଳଷଷ୍ଠୀ ପଡ଼ିଆରେ ଥିବା ବିଭା ମଣ୍ଡପରେ ପୁଣି ଆଳତି ଓ ସମୂହ ଭୋଗ ହୁଏ । ସେଠୁ ଫେରି ସମସ୍ତେ ମନ୍ଦିରକୁ ଆସନ୍ତି ଏବଂ ମହନରେ କୋଠ ଭୋଗ ଗ୍ରହଣ କରି ଯେ ଯାହାର ଆସ୍ଥାନକୁ ଫେରି ଯାଆନ୍ତି।
୩. ଯମ ଦ୍ଵିତୀୟା ଯାତ୍ରା : ମାର୍ଗଶୀର ମାସ କୃଷ୍ଣପକ୍ଷ ଦ୍ଵିତୀୟା ଦିନ ଏହି ଯାତ୍ରା ଅନୁଷ୍ଠିତ ହୁଏ । ଏ ଦିନ ବେଢ଼ାରେ ବହୁ ଭକ୍ତଙ୍କର ସମାବେଶ ହୋଇଥାଏ । ବିବିଧ ଶ୍ରେଣୀର ଦୋକାନ ବଜାର ଆସିଥାଏ । ବିଭିନ୍ନ ଗ୍ରାମରୁ ସଂକୀର୍ତ୍ତନ ମଣ୍ଡଳୀ ଆସି ହରିନାମ କୀର୍ତ୍ତନ ସହ ବେଢା ପରିକ୍ରମା କରିଥାଆନ୍ତି । ସଂନ୍ଧ୍ୟାରୁ ରାତ୍ର ଦଶ ଘଣ୍ଟା ଯାଏ ବିଭିନ୍ନ ଗାୟକ ଓ ବାଦକମାନେ ଶୃଙ୍ଖଳିତ ଭାବେ ଭଜନ ପରିବେଷଣ କରନ୍ତି ଶେଷରେ ଚୈତନ୍ୟ ଦେବଙ୍କ ପୂଜା ସଂପାଦିତ ହୁଏ ଅନେକ ବହି ଦୋକାନ ସେମାନଙ୍କ ପସରା ଖୋଲିଥାନ୍ତି।
ଯାତ୍ରାଙ୍ଗୀ
ବର୍ଷକରେ ଚଉଦପାଳି ଯାତ୍ରାଙ୍ଗୀ ପଢେ଼ । ଏହି ଦିନମାନଙ୍କରେ ଭକ୍ତମାନେ ନିଷ୍ଠାର ସହିତ ଉପାସ ରହି ପୂଜାର୍ଚ୍ଚନା କରନ୍ତି । ମନ୍ଦିରରେ ଏହି ଦିନ ମାନଙ୍କରେ ସ୍ଵତନ୍ତ୍ର ନୀତି ଅନୁଷ୍ଠିତ ହୁଏ । ଏହି ବିଶିଷ୍ଟ ନୀତି ପୁରୋଧା କରନ୍ତି । ଶୈବ କଳ୍ପଦ୍ରୁମ ଅନୁସାରେ ଏହି ନୀତି ହୁଏ । ଗଙ୍ଗୋଦକରେ ପ୍ରଭୁଙ୍କୁ ସ୍ନାନ କରାଇ ଚନ୍ଦନ କର୍ପୂର ଅଗୁର ରକ୍ତ ଚନ୍ଦନ ଇତ୍ୟାଦି ଓ ବସ୍ତ୍ର ଲାଗି କରାଯାଏ । ଖଟଣୀ ଭୋଗ ହୁଏ । ଅରୁଆ ଚାଉଳ ଓ ହଳଦୀ ମିଶ୍ରିତ କରି ବନ୍ଦାପନା ନିର୍ମିତ ହୋଇ ପ୍ରଭୁଙ୍କୁ ବନ୍ଦାପନା କରାଯାଏ । ଏହି ବନ୍ଦାପନା ସାରିଲା ପରେ ଉପବାସିଆ ଭକ୍ତମାନେ ଅନ୍ୟ ଭୋଗ ସାରନ୍ତି । ଚଉଦପାଳି ଯାତ୍ରାଙ୍ଗୀ ହେଲା
୧)ଚୈତ୍ର ଶୁକ୍ଲ ଅଷ୍ଟମୀ (ଅଶୋକାଷ୍ଟମୀ)
୨) ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀ (ଶିବ ଚତୁର୍ଦ୍ଦଶୀ)
୩) ବୈଶାଖ ଶୁକ୍ଳ ତୃତୀୟା (ଅକ୍ଷୟ ତୃତୀୟା)
୪) ଆଷାଢ଼ ଶୁକ୍ଳ ଅଷ୍ଟମୀ (ପର୍ଶୁରାମ ଅଷ୍ଟମୀ)
୫) ଆଷାଢ଼ ଶୁକ୍ଳ ଚତୁର୍ଦ୍ଦଶୀ (ଶୟନ ଚତୁର୍ଦ୍ଦଶୀ)
୬) ଶ୍ରାବଣ ଶୁକ୍ଳ ଚତୁର୍ଦ୍ଦଶୀ (ଶ୍ରାବଣୀ)
୭) କାର୍ତ୍ତିକ ଶୁକ୍ଳ ଦ୍ଵିତୀୟା (ଯମ ଦ୍ଵିତୀୟା)
୮) କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ (ଉତ୍ଥାନ ଚତୁର୍ଦ୍ଦଶୀ)
୯) ମାର୍ଗଶିର କୃଷ୍ଣ ଅଷ୍ଟମୀ (ପ୍ରଥମାଷ୍ଟମୀ)
୧୦) ମାର୍ଗଶିର ଶୁକ୍ଳ ଷଷ୍ଠୀ (ଓଢ଼ଣୀ ଷଷ୍ଠୀ)
୧୧) ମକର ସଂକ୍ରାନ୍ତୀ
୧୨) ପୌଷ ପୂର୍ଣ୍ଣମୀ
୧୩) ମାଘ ଶୁକ୍ଳ ସପ୍ତମୀ
୧୪) ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ (ଶିବରାତ୍ର)
ମାନସିକ ସହ ଏହି ଯାତ୍ରାଙ୍ଗୀ ଉପବାସ କରିବାକୁ ଇଚ୍ଛୁକ ଭକ୍ତମାନେ ପ୍ରଥମାଷ୍ଟମୀ ବା ଅଶୋକାଷ୍ଟମୀ ଦିନ ଯାତ୍ରାଙ୍ଗୀ ଧରନ୍ତି । ଏକ ବର୍ଷ ଧରି ବିଧିବଦ୍ଧଭାବେ ପାଳନ କରି ଚଉଦପାଳି ପରେ ଛାଡ଼ନ୍ତି । ଏଥି ପାଇଁ ସଂକଳ୍ପ କରିବାକୁ ପଡେ଼ । ଜଣେ ଚଉଦପାଳି କିମ୍ବା ଚଉଦ ବର୍ଷ ଏ ଯାତ୍ରାଙ୍ଗୀ କରିପାରିବ।
ଭୋଗ
ପ୍ରଭୁ ଲଡୁବାବାଙ୍କ ମନ୍ଦିରର ଭୋଗ ବିଶେଷତଃ ଗଜା କଦମ୍ବା ସାରା ଓଡ଼ିଶାରେ ପ୍ରସିଦ୍ଧ । ସ୍ଥାନୀୟ ଲୋକମାନେ କୁହନ୍ତି ଯଦି ଜଣେ କାହାକୁ ଏହି ଗଜା କଦମ୍ବା ଭେଟି ଦିଏ ତେବେ ତା କାର୍ଯ୍ୟ ନିଶ୍ଚିତ ସିଦ୍ଧ ହୁଏ । ଏହିପରି ମହିମା ଥିବା ଭୋଗ ବିଷୟରେ ଜାଣିବା ପାଇଁ ମନରେ ସ୍ବତଃ ଆଗ୍ରହ ସୃଷ୍ଟି ହୁଏ । ମନ୍ଦିରରେ ପ୍ରଚଳିତ ଭୋଗଗୁଡ଼ିକ ନିମ୍ନରେ ବର୍ଣ୍ଣନା କରାଯାଇଛି ।
୧)ଖଇ- ଲିଆ, ଚିନି, ଘିଅ, କର୍ପୁର ଓ ନଡ଼ିଆ ପାତି ପଡ଼ି ତିଆରି କରାଯାଏ ।
୨)ପୁରଖୁରୁମା-ନଡ଼ିଆ ପୁର ଦିଆଯାଇ ଅଟା ଓ ଚିନି ଦ୍ଵାରା ତିଆରିକରି ଘିଅରେ ଛଣାଯାଏ।
୩)ସାଧା ଖୁରୁମା-ଚିନି, ଅଟା, ଘିଅ
୪)କୋରା - ନଡ଼ିଆ, ଚିନି, ଅଳେଇଚ, ଗୋଲମରିଚ
୫)ଗୋଟି ମୁଆଁ-ଗୁଡ଼, ଲିଆ, ଜୁଆଣୀ ଦ୍ଵାରା ପ୍ରସ୍ତୁତ
୬)ଚକା ମୁଆଁ-ଗୁଡ଼, ଲିଆ, ଜୁଆଣୀ
୭)କାନିକା-ଘିଅ, ଚିନି, କିସମିସ, ଡାଳଚିନି ଓ ଅଳେଇଚ ମିଶା ଅନ୍ନ
୮)ସାଧା ଖେଚେଡ଼ି – ଚାଉଳ, ଜାଇ, ହଳଦୀରୁ ପ୍ରସ୍ତୁତ ଅନ୍ନ
୯)ପାୟସ-ଚିନି, ଚାଉଳ, କ୍ଷୀର ଓ ଅଳେଇଚ
୧୦)ତରକାରୀ - ଦେଶୀଆଳୁ, କଦଳୀ, ବାଇଗଣ, କଖାରୁ, ମୂଳା, କନ୍ଦମୂଳ, ଗୋଜିବୁଟ, ଜିରା, ଗୋଲମରିଚ ଅଦା ପଡ଼ି ଘିଅରେ ଫୁଟଣ ହୁଏ।
୧୧)ଡାଲି-ହରଡ଼ ବା ମୁଗ ଡାଲି, ଘିଅ, ଅଦା, ଜିରା, ଗୋଲମରିଚ
୧୨)ଖଟା- କଖାରୁ, ପାଣିକଖାରୁ, ତିନ୍ତୁଳିଗୁଡ଼
୧୩)ଭଜା- କଦଳୀ ବା ବାଇଗଣ ଭଜା
୧୪)ପୁଡ଼ା ଭୋଗ - ସାଧା ଅନ୍ନ ଓ ଡାଲମା
୧୫)ଅରୁଆ ଅନ୍ନ-ସାଧା ଅରୁଆ ଅନ୍ନ
୧୬)କାକରା- ଅଟା, ଗୁଡ଼, ନଡ଼ିଆ ପୁର, ଅଳେଇଚ
୧୭)କାନ୍ତି-ବିରିବରା, ଚିନି ଝାଳ
୧୮)ଏଣ୍ଡୁରି- ବିରି, ଚାଉଳ, ନଡ଼ିଆ
୧୯)ସର ପଣା-ଚିନି ପଣା, ଛେନା
୨୦)ସାଦା ପଣା-ପଣା ଓ ଛେନା
୨୧)ରାବିଡ଼ି-ଖିର ମରାଯାଇ ସେଥିରେ ଚିନି କିସ୍ମିସ୍ ଓ ଅଳେଇଚ ଗୁଣ୍ଡ ଦିଆଯାଏ ।
୨୨)ଅମ୍ବିକା ବିଳାସ-ଅଟା ଘିଅରେ ଭଜାଯାଇ ଚିନି ପାଗ କରି ଗୋଳେଇ ବାଡ଼ିଆ ଯାଏ।
୨୩)ଛେନା ପାରିଜାତକ-ଛେନା, ଘିଅ, ପାନଖୁରୁମା, ଚିନି
୨୪)ଗୋପାଳ-ଅଟା, ଚିନି
୨୫)ଚୂଡ଼ା ଗଜା-ଚୂଡ଼ାକୁ ଭାଜି ଗୁଡ଼ରେ ଗୋଳେଇ ମୂଆଁ କରାଯାଏ
୨୬)ଛେନାଗଜା - ଛେନା, କମ ଅଟା, ଚିନି ଝାଳ
୨୭)କଦମ୍ବା-ଛେନା, କମ ଅଟା, ଚିନି ଝାଳ, ନଡ଼ିଆ ପୁର ଗୋଟି
୨୮)ଛେନା ତାଡ଼ିଆ-ଅଟା, ଚିନି, ଛେନା, ଘିଅ
୨୯)ବୁନ୍ଦି-ଅଟା, ଚିନି, ଘିଅ
୩୦)ଝିଲ୍ଲୀ-ବିରି, ଅଟା, ଚିନି, ଘିଅ
୩୧)ସର ସୁଆଳି-ଖିର ପରରେ ଗଜା କଦମ୍ବା ପାଗରୁ ଚାରୋଟି ଗୋଟି ପକାଯାଏ । ଉକ୍ତ ଗୋଟିକୁ ସୁଆଳି କହନ୍ତି
୩୨)ମାଣ୍ଡୁଅ ପଣା - ପଣା, ଛେନା, ଖୁରୁମା
୩୩)ମଣ୍ଡା- ଅଟା,ଗୁଡ଼, ଘିଅ, ନଡ଼ିଆ ପୁର
୩୪)ଶ୍ରାବଣୀ-ଗହମ ଚୂନା, ଗୁଡ଼ ବା ଚିନି, ଅଳେଇଚ
୩୫)ଖଟଣୀ-ଲିଆ, ଗୁଡ଼
୩୬)ସୁବାସ ଭୋଗ-ଦହି ପଖାଳ
୩୭)ମକର-ଛେନା, ଖିର, କଂଚା ଚାଉଳ ଗୁଣ୍ଡ, ଚିନି, କଦଳୀ, ଅଦା, ନଡ଼ିଆ, ଅଳେଇଚ, ଗୋଲମରିଚ, ଆଖୁ, ବରକୋଳି
୩୮)ଧନୁ ମୁଆଁ-ମୁଆଁ, ଜୁଆଣି
୩୯)ଚିତ୍ତୋଉ-ବିରି, ଚାଉଳ, ନଡ଼ିଆ
୪୦)ମେଣ୍ଢା ଶିଙ୍ଗ-ଅଟା, ଚିନି, ଘିଅ
୪୧)ଦୁଦୁର୍ରା ଫୁଲ-ଅଟା, ଚିନି, ଘିଅ
୪୨)ଚଉତା ପୁରୀ - ଅଟା, ଚିନି, ଘିଅ
୪୩)ବିଡ଼ିଆ ପାନ-ପାନ, ଲବଙ୍ଗ, ଜାଇଫଳ, ଅଳେଇଚ
ବେଶ
ଶ୍ରୀ ଲଡ଼ୁବାବା ମନ୍ଦିରରେ ସ୍ମାର୍ତ୍ତମତ ଚଳେ । ସ୍ମାର୍ତ୍ତ କହିଲେ ନାରାୟଣ, ଗଣଶ, ରୁଦ୍ର, ଅମ୍ବିକା ଓ ସୂର୍ଯ୍ୟାଦି ପଞ୍ଚ ଦେବତାଙ୍କୁ ସମାନ ମନେକରି ପ୍ରତ୍ୟେକଙ୍କୁ ମାନିବା । ବହୁ ଦେବତା ମଧ୍ୟରେ ଏକ ବ୍ରହ୍ମ ସ୍ବରୂପର ଚିନ୍ତନ ହିଁ ଏହାର ଆଦର୍ଶ । ଏଠି ଲଡୁବାବା ସ୍ଵୟଂ ହରିହର ମୂର୍ତ୍ତି ବୋଲି ଗୃହୀତ ହେଇଛନ୍ତି । ସେ ଗଣେଶଙ୍କୁ ପାର୍ଶ୍ଵ ଦେବତା ଭାବେ ଗ୍ରହଣ କରିବା ସଂଗେ ସଂଗେ ମା’ଙ୍କୁ ଐଶାନ୍ୟ କୋଣରେ ଏବଂ ସୂର୍ଯ୍ୟଙ୍କୁ ଅଗ୍ନି କୋଣରେ ସ୍ଥାନ ଦେଇଛନ୍ତି । ଏଣୁ ଏଠାରେ ପଞ୍ଚ ଦେବତାବାଦ ବା ସ୍ମାର୍ତ୍ତ ମତରେ ସମସ୍ତ ନୀତି ହୁଏ । ପଞ୍ଚଞ୍ଚ ଦେବତାବାଦୀ ମାନେ ବାସ୍ତବରେ ନିରପେକ୍ଷ । ସେମାନେ ସମନ୍ଵୟରେ ବିଶ୍ଵାସ କରନ୍ତି।
ପଞ୍ଚ ଦେବତାଙ୍କ ମଧ୍ୟରୁ ଗଣେଶ ନୈବେଦ୍ୟ ବା ଭୋଗପ୍ରିୟ, ନାରାୟଣ ଅଳଙ୍କାର ପ୍ରିୟ, ଶିବ ଜଳଧାରା ବା ଅଭିଷେକ ପ୍ରିୟ ଏବଂ ସୂର୍ଯ୍ୟ ନମସ୍କାର ବା ମନ୍ତ୍ରଯୁକ୍ତ ପ୍ରଣାମ ପ୍ରିୟ।
ବିଷ୍ଣୁ ଅଳଙ୍କାର ପ୍ରିୟ ହୋଇଥିବାରୁ ବିଷ୍ଣୁ ମନ୍ଦିର ମାନଙ୍କରେ ଉପାସିତ ବିଗ୍ରହମାନେ ନାନାଳଂକାର, ରନିଭୂଷଣ ଓ ଭବ୍ୟ ଆୟୁଧମାନ ପରିଧାନ କରିଥାନ୍ତି । ଏହାର ନାମ ବେଶ ବା ଶୃଙ୍ଗାର ଅଟେ । ଏହି ବେଶ ଦୁଇ ପ୍ରକାରର (୧) ପୁଷ୍ପ ଶୃଙ୍ଗାର ଓ (୨) ରନି ଶୃଙ୍ଗାର ଲଡୁ ବାବାଙ୍କର ଉଭୟ ଶୃଙ୍ଗାର ହୁଏ । ସେ ସ୍ବୟଂ ହରିହର ମୂର୍ତ୍ତି ହୋଇଥିବାରୁ ହରିଙ୍କ ପାଇଁ ବେଶ ଓ ହରଙ୍କ ପାଇଁ ଅଭିଷେକ ଏହି ପରି ଉଭୟଙ୍କ ସନ୍ତୋଷ ବିଧାନ ପାଇଁ ଏଠାରେ ବ୍ୟବସ୍ଥା ଗ୍ରହଣ କରାଯାଇଛି । ହରଙ୍କ ସନ୍ତୋଷ ପାଇଁ ସକାଳ ଅବକାଶରେ ଅଁଳାରସ ଦ୍ଵାରା, ଦ୍ଵିତୀୟ ଅବକାଶରେ ପଞ୍ଚାମୃତ ଦ୍ଵାରା, ତୃତୀୟ ଅବକାଶରେ ଗୋରସ ଦ୍ଵାରା, ଚତୁର୍ଥ ଅବକାଶରେ ତିଳ ତୈଳ ଦ୍ଵାରା ଓ ପଞ୍ଚମ ଅବକାଶରେ ଗଙ୍ଗୋଦକ ଦ୍ଵାରା ଅଭିଷେକ ହେବାର ବନ୍ଦୋବସ୍ତ ରହିଛି।
ଅନ୍ୟପକ୍ଷରେ ହରିଙ୍କ ସନ୍ତୋଷ ପାଇଁ ବିଭିନ୍ନ ସମୟରେ ଫୁଲ ଓ ବସ୍ତ୍ର ଲାଗି କରାଯାଏ।
ତେବେ ଶ୍ରୀକ୍ଷେତ୍ରରେ ହସ୍ତ ପଦାଦି ଖଞ୍ଜି ବିଭିନ୍ନ ଅଳଙ୍କାର ଦ୍ଵାରା ପ୍ରଭୁ ଜଗନ୍ନାଥଙ୍କର ଶୃଙ୍ଗାର କରାଗଲା ପରି ଏଠି ହରି ସ୍ବରୂପ ଲଡୁବାବାଙ୍କର ବର୍ଷରେ ଗୋଟିଏ ବେଶ ହୁଏ।
ବେଶର ନାମ:- ରାବଣର କୈଳାସ ଉତ୍ପାଟନ ବେଶ ।
ତିଥି:-କାର୍ତ୍ତିକ ପୂର୍ଣ୍ଣମୀ
ଆଧାର:-ରାବଣ ଗର୍ବରେ ଅନ୍ଧହୋଇ, ନିଜକୁ ଶ୍ରେଷ୍ଠ ଭକ୍ତ ତଥା ସର୍ବଶ୍ରେଷ୍ଠ ବଳଶାଳୀ ମନେକରି କୈଳାସ ସହ ପ୍ରଭୁ ଶିବ ଶଙ୍କରଙ୍କୁ ଉପାଡ଼ି ଲଙ୍କାକୁ ନେଇଯିବା ପାଇଁ ଚିନ୍ତା କଲା । ପ୍ରଭୁ ଭୋଳାନାଥ ଗର୍ବଗଜନକାରୀ । ରାବଣର ଗର୍ବ ଖଣ୍ଡନ କରିବା ପାଇଁ ସେ କୈଳାସକୁ ଉପାଡ଼ିବା ବେଳେ ନିଜକୁ ଅତି ଗରିଷ୍ଠ କରିଦେଲେ ଫଳରେ ରାବଣ କୈଳାସ ତଳେ ଚାପି ହୋଇ ରହିଗଲା ।
ଆବଶ୍ୟକ ଉପକରଣ:-କାଠ ନିର୍ମିତ ରାବଣ, ରୂପାର ପାଦ, ହାତ, ତ୍ରିଶୂଳ, ପ୍ରଭା ଓ ଘୋଡ଼ଣୀ, ସୁନାର ଚନ୍ଦ୍ର ଓ ପୋହଳା ଖଚିତ ସୁନା ମାଳ, ଫୁଲ, ବିଲୁପତ୍ର, ପାଟବସ୍ତ୍ର, ରୂପାର ବେଲ ପତ୍ରମାଳ, ଇତ୍ୟାଦି ।
ଲଡୁବାବାଙ୍କ ପୀଠରେ ପ୍ରଭୁ ଲଡ଼ୁବାବାଙ୍କ ପାର୍ଶ୍ଵଦେବତା ଭାବରେ ଥିବା ଜଗନ୍ନାଥଙ୍କ ମନ୍ଦିରରେ ମଧ୍ୟ କେତେକ ବେଶ ହୁଏ ।
୧. କାର୍ତ୍ତିକ ଶୁକ୍ଳ ଏକାଦଶୀ - ଠିଆକିଆ ବା ଲକ୍ଷ୍ମୀ ନାରାୟଣ ବେଶ।
୨. କାର୍ତ୍ତିକ ଶୁକ୍ଳ ଦ୍ଵାଦଶୀ - ବାଙ୍କ ଚୂଡ଼ା ବା ବାମନ ବେଶ
୩. କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ-ଆଡ଼କିଆ ବା ତ୍ରିବିକ୍ରମ ବେଶ
୪. ଶୁକ୍ଳ ଚତୁର୍ଦ୍ଦଶୀ ଡାଳିକିଆ ବା ନୃସିଂହ ବେଶ
୫. କାର୍ତ୍ତିକ ପୂର୍ଣ୍ଣିମା-ରାଜା ରାଜେଶ୍ଵର ବେଶ
୬. କାର୍ତ୍ତିକ ବଢ଼ା ଶୁକ୍ଳ ଚତୁର୍ଦ୍ଦଶୀ - ନାଗାର୍ଜୁନ ବେଶ
ଏହି ବେଶ ସବୁ ଶ୍ରୀକ୍ଷେତ୍ରରେ ପ୍ରଭୁ ଜଗନ୍ନାଥଙ୍କ ବେଶାନୁକରଣରେ ହୁଏ । ଏଣୁ ଏ ସଂପର୍କ ବିଶେଷ ବିବରଣୀ ପାଇଁ ପଦ୍ମଶ୍ରୀ ପଣ୍ଡିତ ସଦାଶିବ ରଥଶର୍ମାଙ୍କ ଶ୍ରୀ ଜଗନ୍ନାଥ ବେଶ ରହସ୍ୟ ପୁସ୍ତକ ଏବଂ ମଦ୍ପ୍ରଣିତ ଶ୍ରୀ ଜଗନ୍ନାଥ ବେଶ:ଏକ ଅଧ୍ୟୟନ ଦେଖନ୍ତୁ।
ପୂଜା ନୀତିରେ ଶାସ୍ତ୍ର
୧. ଶୈବ କଳ୍ପଦ୍ରୁମ ତାଳପତ୍ର ପୋଥି ଅନୁସାରେ ମନ୍ଦିରର ସମସ୍ତ ନୀତି ପରିଚାଳିତ ହୁଏ ଓ ଆବଶ୍ୟକ ମନ୍ତ୍ର ସବୁ ଉକ୍ତଗ୍ରନ୍ଥରୁ ବ୍ୟବହୃତ ହୁଏ।
୨. ଚତୁସମ ନୀତି ସମୟରେ ଗୀତ ଗୋବିନ୍ଦ ପାଠ ହୁଏ । କିନ୍ତୁ ଏଥି ନିମନ୍ତେ ଗଂଜା ଜମି ସଂପ୍ରତି ରୟତି ହୋଇଯିବାରୁ ଏହା ବନ୍ଦ ହୋଇଯାଇଛି । ଏହାର ପୁନଃ ପ୍ରଚଳନ ନିମନ୍ତେ ବଦାନ୍ୟ ବ୍ୟକ୍ତିଙ୍କର ଶୁଭ ଦୃଷ୍ଟିର ଆବଶ୍ୟକତା ଅନୁଭୁତ ହେଉଛି।
୩. ସକାଳ ପ୍ରାୟ ୬.୩୦ ମିନିଟରେ ବେଦପାଠ କରାଯାଏ।
ପାର୍ଶ୍ଵଦେବତା
ପ୍ରଭୁ ଲଡୁବାବାଙ୍କ ମନ୍ଦିର କେବେ ନିର୍ମିତ ହୋଇଥିଲା ସେ ସମ୍ବନ୍ଧୀୟ ତଥ୍ୟ ବର୍ତ୍ତମାନ ବି ଅନ୍ଧାରରେ । ତେବେ ପରବର୍ତ୍ତୀ ସମୟରେ ମନ୍ଦିର ବେଢ଼ାରେ ଭକ୍ତମାନଙ୍କ ପ୍ରଚେଷ୍ଟାରେ ଅନେକ ଦେବାଦେବୀ ମୂର୍ତ୍ତି ଓ ସେମାନଙ୍କ କ୍ଷୁଦ୍ର ମନ୍ଦିର ସବୁ ନିର୍ମିତ ହୋଇଛି । କାଳକ୍ରମେ ପରିବାରର ସଦସ୍ୟ ପରି ସେମାନେ ଲଡୁବାବାଙ୍କ ମନ୍ଦିରର ତଥା ମନ୍ଦିର ନୀତିର ଏକ ଏକ ଅଂଶ ବିଶେଷରେ ପରିଣତ ହୋଇଯାଇଛନ୍ତି । ଲଡୁବାବାଙ୍କ ମନ୍ଦିରର ନୀତି ବିଷୟରେ ଜାଣିବାକୁ ଗଲାବେଳେ ଏହି ପାର୍ଶ୍ଵଦେବତାମାନଙ୍କ ସମ୍ବନ୍ଧରେ ସମ୍ୟକ ଜ୍ଞାନ ହାସଲ କରିବା ଉଚିତ ମନେ ହୁଏ । ଏ ସଂପର୍କରେ ସଂଗୃହୀତ କେତେକ ତଥ୍ୟ ଏଠାରେ ସ୍ଥାନିତ କରିବାର ପ୍ରୟାସ କରାଯାଇଛି।
୧. ସୂର୍ଯ୍ୟ ମନ୍ଦିର-ଏହି ବୈଦିକ ଦେବତାଙ୍କ ପୂଜନ ପଞ୍ଚଦେବତା ପୂଜନ ପ୍ରଣାଳୀରେ ପ୍ରଥମେ ହୁଏ । ଏହାଙ୍କର ଏକ ପ୍ରତିନିଧି ଦକ୍ଷିଣ ଦ୍ଵାର ବାମ ପାଖରେ ଥିଲେ । ୨୦୦୧ ମସିହାରେ ଶରଣକୁଳର ସୁଦାମ ଡାକୁଆ ଏହାର ସଂପ୍ରସାରଣ କରାଇଥିଲେ।
୨. ବାବା ବୈଦ୍ୟନାଥ-ଦକ୍ଷିଣ ଦ୍ଵାରର ଦକ୍ଷିଣ ପାର୍ଶ୍ଵରେ ଥିବା ଏହି ପ୍ରଭୁ ଲଡୁବାବାଙ୍କର ପ୍ରତିନିଧି । ଭକ୍ତମାନେ ଲଡୁବାବାଙ୍କ ମନ୍ଦିରରେ ରୁଦ୍ରାଭିଷେକ କରିବାକୁ ଆସିଲେ, ଏଇଠି କରନ୍ତି । ଲଡୁବାବାଙ୍କ ମନ୍ଦିର ସହିତ ଏହାଙ୍କର ପ୍ରତିଷ୍ଠା ହୋଇଥିବା ଅନୁମାନ ।
୩. ଅନ୍ନପୂର୍ଣ୍ଣା-ସର ଘରୁ ଭୋଗ ଆସିବା ବାଟର ଶେଷରେ ଦକ୍ଷିଣ ଦ୍ଵାରର ଡାହାଣ ପଟେ ବାବା ବୈଦ୍ୟନାଥଙ୍କ ପାଖରେ ବାଡ଼ରେ ଏହି ଦେବୀ ଅଛନ୍ତି । ୧୯୪୬ ମସିହାରେ ଜଳାକୁଞ୍ଜ ଶିଳ୍ପୀ ଗନ୍ଧର୍ବ ବେହେରା ଏହାଙ୍କର ନିର୍ମାଣ କରିଥିବାର କଥିତ ରହିଛି ।
୪. ବାସୁଦେବ-ଲଡ଼ୁବାବାଙ୍କର ଦର୍ଶନସାରି ଦକ୍ଷିଣ ଦ୍ଵାର ଦେଇ ବାହାରକୁ ଆସି ବେଢ଼ା ପରିକ୍ରମା ନିମନ୍ତେ ବାହାରିଲେ ମୂଳ ମନ୍ଦିରର ପଦ୍ମପୃଷ୍ଠ ଉପରେ ଏହାଙ୍କର ଦର୍ଶନ ହୁଏ । ମନ୍ଦିର ନିର୍ମାଣ ସହ ଏହାଙ୍କର ପ୍ରତିଷ୍ଠା ହୋଇଛି ବୋଲି କୁହାଯାଏ।
୫. ଶ୍ରୀ ଗଣେଶ-ମୂଳ ମନ୍ଦିରର ଦକ୍ଷିଣ ଦିଗରେ ମନ୍ଦିର ଗାତ୍ରରେ ପାର୍ଶ୍ଵ ଦେବତା ଭାବରେ ଏ ପ୍ରତିଷ୍ଠିତ ହୋଇଛନ୍ତି।
୬. ଶ୍ରୀ କାର୍ତ୍ତିକେୟ- ମୂଳ ମନ୍ଦିରର ପଶ୍ଚିମପଟ ମନ୍ଦିର ଗାତ୍ରରେ ପାର୍ଶ୍ଵଦେବତା ଭାବେ ଏ ମନ୍ଦିର ସହ ପ୍ରତିଷ୍ଠିତ ହୋଇଛନ୍ତି।
୭.ଗଂଗା-ମୂଳ ମନ୍ଦିରର ପାଦୁକ ନଳା ଉପରେ ଉତ୍ତର ପଟେ ମନ୍ଦିର ଗାତ୍ରରେ ପାର୍ଶ୍ଵଦେବତା ଭାବେ ଓ ସ୍ଥାନିତ ହୋଇଛନ୍ତି।
୮. ଲକ୍ଷ୍ମୀ ସରସ୍ବତୀ-ବାହାର ପଟେ ମୁଖଶାଳା ଓ ମନ୍ଦିର ମଝିରେ ମନ୍ଦିରର ଉତ୍ତର ପାର୍ଶ୍ଵରେ ବାରଣ୍ଡା ଉପରେ ଏ ଦୁଇ ଦେବୀଙ୍କୁ ସ୍ଥାନିତ କରାଯାଇଛି । ଗମ୍ଭାଡ଼ିଡିହିର ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ ୧୯୯୦-୯୧ରେ ଏହାଙ୍କର ପ୍ରତିଷ୍ଠା କରାଇଥିଲେ।
୯. ଶ୍ରୀ ତ୍ରିନାଥ ଠାକୁର-ମନ୍ଦିରର ଦକ୍ଷିଣ ପାର୍ଶ୍ଵରେ ବାସୁଦେବଙ୍କ ସାମନାରେ ବାଡ଼ରେ ପଶ୍ଚିମକୁ ମୁହଁକରି ତ୍ରୀନାଥ ଠାକୁର ବସିଛନ୍ତି ନରେନ୍ଦ୍ର ପୁରର ସୋମନାଥ ସାହୁଙ୍କ ଦାନରେ ୧୯୯୦-୯୧ ମସିହାରେ ଏହାଙ୍କର ପ୍ରତିଷ୍ଠା ହୋଇଛି ।
୧୦.ଦଶମହା ବିଦ୍ୟା-ବେଢ଼ା ଉପରେ ପଶ୍ଚିମ ପଟେ ବାମ୍ପିଠାରୁ ସରଘରକୁ ଯିବା ରାସ୍ତା ମଧ୍ୟରେ ଥିବା ବାଡ଼ରେ ପୂର୍ବକୁ ମୁହଁକରି ଏମାନେ ବସିଛନ୍ତି । ମନ୍ଦିର ପରିଛା ତୋଷବନ୍ତ କରଙ୍କର ଉପଦେଶ ଅନୁସାରେ ବରଡିହିର ଶିଶିର କୁମାର ମହାପାତ୍ର ସ୍ବ ପିତା ରାମଚନ୍ଦ୍ର ମହାପାତ୍ରଙ୍କର ନାମରେ ଏହି ଦେବୀମାନଙ୍କର ଗଠନ ଓ ପ୍ରତିଷ୍ଠା ନିମନ୍ତେ ସମସ୍ତ ଅର୍ଥ ବହନ କରିଛନ୍ତି । ସ୍ଥାପନ ସମୟ ୨୦୦୦ ମସିହା ।
୧୧.ନବଗ୍ରହ-ସରଘରୁ ଭୋଗନେବା ରାସ୍ତାର ବାଡ଼ରେ ଉତ୍ତରରୁ ମୁହଁକରି ବେଢ଼ା ଭିତରେ ମନ୍ଦିରର ଦକ୍ଷିଣରେ ନବଗ୍ରହ ବସିଛନ୍ତି । ୧୯୪୫-୪୬ ମସିହାରେ ଭିକାରିପଡ଼ାର ବ୍ରହ୍ମା ବ୍ରଜବନ୍ଧୁ ଦାସଙ୍କ ପ୍ରଚେଷ୍ଟାରେ ଏମାନଙ୍କର ପ୍ରତିଷ୍ଠା କରାଯାଇଥିଲା ।
୧୨.ଦଶଅବତାର-ମନ୍ଦିରର ଉତ୍ତରପଟ ବେଢାରେ ଜଗନ୍ନାଥ ମନ୍ଦିରର ଦକ୍ଷିଣକୁ ଲାଗିଥିବା ବାଡ଼ରେ ମୂଳ ମନ୍ଦିରକୁ ମୁହଁ କରି ଦଶଅବତାର ବସିଛନ୍ତି । ବେଢ଼ାରୁ ଜଗନ୍ନାଥ ମନ୍ଦିରକୁ ଗଲାବେଳେ ବାମପଟକୁ ଚାହିଁଲେ ଏମାନଙ୍କର ଦର୍ଶନ ହୁଏ । ଶରଣକୁଳର ଉଦ୍ୟନାଥ ସାହୁ, ଘନଶ୍ୟାମ ଦାସ ଓ ଶ୍ରୀ ତୋଷବନ୍ତ କର ଇତ୍ୟାଦିଙ୍କ ପ୍ରଚେଷ୍ଟାରେ ଲୋକମାନଙ୍କଠାରୁ ଦାନ ସଂଗ୍ରହ କରି, ୧୯୯୮-୯୯ ମସିହାରେ ଏହି ଦଶ ଅବତାର ମାନଙ୍କର ସ୍ଥାପନ କରାଯାଇଥିଲା ।
୧୩. ଶ୍ରୀ ଜଗନ୍ନାଥ-ଏହାଙ୍କୁ ନିମକହାରାମ ଜଗନ୍ନାଥ କୁହାଯାଏ । ନୟାଗଡ଼ ରାଜାଙ୍କ ନବର ମଧ୍ୟରେ ପୂଜା ପାଉଥିବା ଏହି ପ୍ରଭୁ ରାଜାଙ୍କର କୌଣସି ମନସ୍କାମନା ପୂର୍ଣ୍ଣ ନକରିବାରୁ ସେ ଏହାଙ୍କୁ ନିମକହାରାମ କହି ପରିତ୍ୟାଗ କରିଦେଲେ । ଭିକାରିପଡ଼ାର ସାଧୁ ରାୟଗୁରୁ ତାଙ୍କୁ ଆଣି ଲଡୁବାବାଙ୍କ ମନ୍ଦିରର ଉତ୍ତରରେ ଏକ ସୁଦୃଶ୍ୟ ମନ୍ଦିରରେ ସ୍ଥାପନ କରାଇଥିଲେ । ଓଡ଼ଗାଁ ରଘୁନାଥ ମନ୍ଦିର ନିର୍ମାଣ ସମୟରେ ଏହି ମନ୍ଦିର ନିର୍ମିତ ହୋଇଥିଲା ବୋଲି ଜନଶ୍ରୁତି ରହିଛି।
୧୪. ମା ଲକ୍ଷ୍ମୀ-ଜଗନ୍ନାଥ ମନ୍ଦିରର ଉତ୍ତରକୁ ଲାଗି ଲକ୍ଷ୍ମୀଙ୍କ ମନ୍ଦିର । ମନ୍ଦିର ୨୦୦୧ ମସିହାରେ ପରିଚ୍ଛା ତୋଷବନ୍ତ କର ଆନ୍ତରିକ ପ୍ରଚେଷ୍ଟା ଓ ନରେନ୍ଦ୍ର ପୁରର ସୁରେଶ ପଣ୍ଡା ଓ ଭାଇମାନଙ୍କ ଅକୁଣ୍ଠିତ ଦାନ ଫଳରେ ମା'ଙ୍କ ମନ୍ଦିର ଓ ପୂଜା ନିମନ୍ତେ ଭୋଗ ଆଦିର ବ୍ୟବସ୍ଥା ହୋଇଛି।
୧୫. ନବଶକ୍ତି-ମୂଳ ମନ୍ଦିରର ଉତ୍ତରରେ ପାର୍ବତୀ ମା’ଙ୍କ ମନ୍ଦିରର ଦକ୍ଷିଣ ବାଡ଼କୁ ଲାଗି ବେଡ଼ା ଉପରେ ଏହି ନବଶକ୍ତି ସ୍ଥାପିତ ହୋଇଛନ୍ତି । ମନ୍ଦିରର ପୂର୍ବତନ ଚର୍ଚ୍ଚିତ ମୃତ୍ୟୁଞ୍ଜୟ ମହାପାତ୍ର ଓ ବ୍ରହ୍ମା ବ୍ରଜବନ୍ଧୁ ଦାସଙ୍କର ଆନ୍ତରିକ ଉଦ୍ୟମରେ ଏମାନଙ୍କର ପ୍ରତିଷ୍ଠା ହୋଇଥିଲା । ସ୍ଥାପନ ସମୟ ୧୯୪୫-୪୬ ମସିହା।
୧୬. ପଞ୍ଚମୁଖୀ ହନୁମାନ- ଉତ୍ତର ଦ୍ଵାର ବା ହାତୀଦ୍ଵାର ଦେଇ ମନ୍ଦିର ମଧ୍ୟକୁ ପ୍ରବେଶ କଲା ସମୟରେ ବାମ କଡ଼ରେ ପଞ୍ଚମୁଖୀ ହନୁମାନଙ୍କର ସୁନ୍ଦର ଓ ସୁଦୃଶ୍ୟ ବିରାଟ ସିନ୍ଦୁର ବୋଳା ମୂର୍ତ୍ତି ପାଚେରୀ ବାଡ଼ରେ ଦକ୍ଷିଣକୁ ମୁହଁକରି ଦଣ୍ଡାୟମାନ ହୋଇଥିବା ଦୃଷ୍ଟିକୁ ଆସିବ । ବ୍ରହ୍ମା ବ୍ରଜବନ୍ଧୁ ଦାସ ଓ ଚର୍ଚ୍ଚିତ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ପ୍ରଚେଷ୍ଟାରେ ପ୍ରାୟ ୧୯୪୫-୪୬ ମସିହାରେ ଏହି ପ୍ରଭୁଙ୍କର ସ୍ଥାପନ ହୋଇଥିଲା।
୧୭. ଶ୍ରୀ ରଘୁନାଥ-ହାତୀ ଦ୍ଵାର ଦେଇ ମନ୍ଦିର ବେଢ଼ାକୁ ପ୍ରବେଶ କରିବା ସମୟରେ ଡାହାଣ ପଟେ ପାଚେରୀକୁ ଲାଗି ଶ୍ରୀ ରଘୁନାଥ ମନ୍ଦିର ପୂର୍ବକୁ ମୁହଁ କରି ଏକ ଛାତ ଘର । ଚର୍ଚ୍ଚିତ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ପ୍ରଚେଷ୍ଟାରେ ୧୯୪୫-୪୬ ମସିହାରେ ପ୍ରତିଷ୍ଠିତ ଏହି ପ୍ରଭୁଙ୍କର ମନ୍ଦିର ୨୦୦୧ ମସିହାରେ ରନିାକର ଆଚାର୍ଯ୍ୟ ଓ ସୁରେଶ ପଣ୍ଡାଙ୍କ ଆର୍ଥିକ ସାହାଯ୍ୟରୁ ସଂପ୍ରସାରିତ ହୋଇଛି।
୧୮. ଅର୍ଦ୍ଧନାରୀଶ୍ଵର-ବାମ୍ଫୀର ଉତ୍ତରକୁ ମା ଲକ୍ଷ୍ମୀଙ୍କ ମନ୍ଦିର ପଛପରେ ଚଡ଼ୟାପଲ୍ଲୀ ନିବାସୀ ଦୀନବନ୍ଧୁ ପୃଷ୍ଟିଙ୍କ ଦାନରେ ନିର୍ମାଣ ହୋଇଛିଏହି ଅର୍ଦ୍ଧନାରୀଶ୍ଵର ମନ୍ଦିର । ସ୍ଥାପିତ ୨୦୦୩ ମସିହା।
୧୯. କାମଧେନୁ-ମା’ ଙ୍କ ମନ୍ଦିର ସାମନାରେ ସୁନ୍ଦର ଗୋମାତା କାମଧେନୁଙ୍କର ମୂର୍ତ୍ତି । ଶରଣକୁଳର ପ୍ରଫୁଲ୍ଲ ମହାପାତ୍ର ଏହାର ସ୍ଥାପନ କରାଇଛନ୍ତି।
୨୦.ମା’ ପାର୍ବତୀ ମନ୍ଦିର-ମୂଳ ମନ୍ଦିରର ଐଶାନ୍ୟ କୋଣରେ ମା'ଙ୍କ ମନ୍ଦିର । ଏହା ନୟାଗଡ଼ ରାଜାଙ୍କ ଦ୍ଵାରା ନିର୍ମିତ।
୨୧.ଷଠି ବୁଢ଼ୀ ଓ ସାବିତ୍ରୀ-ମା'ଙ୍କ ମନ୍ଦିର ଦକ୍ଷିଣ ବାଡ଼କୁ ଲାଗି ବେଢ଼ା ଭିତରେ ନବଶକ୍ତିଙ୍କର ଡାହାଣକୁ ତଥା ମା'ଙ୍କ ମନ୍ଦିରକୁ ଯିବା ରାସ୍ତାରେ, ବାମପଟେ ଏହାଙ୍କୁ ସ୍ଥାନିତ କରାଯାଇଛି । ସାବିତ୍ରୀ ଦେବୀଙ୍କର ମୂର୍ତ୍ତି ହରିହର ପୁରର ଚତୁରାନନ ସାହୁ ଓ ଷଷ୍ଠୀଦେବୀଙ୍କ ମୂର୍ତ୍ତି ଶରଣକୁଳ ଗୁଡ଼ିଆ ସାହିର ନାରାୟଣ ସାହୁ ସ୍ଥାପନ କରାଇଛନ୍ତି।
୨୨.ସଙ୍କଟ ମୋଚନ ହନୁମାନ-ମା' ପାର୍ବତୀଙ୍କ ମନ୍ଦିରର ଉତ୍ତରକୁ ପାଚେରୀ ବାଡ଼କୁ ଲାଗି ଏକ ପିଣ୍ଡି ଉପରେ ସଂଙ୍କଟମୋଚନ ହନୁମାନ ବସିଛନ୍ତି । ଏହି ପିଣ୍ଡି ଉପର ଛାତ ନରେନ୍ଦ୍ରପୁରର ବିଜୟ ସାହୁ ନିର୍ମାଣ କରିଛନ୍ତି ।
୨୩.ଗାୟତ୍ରୀ ଓ ମୃତ୍ୟୁଞ୍ଜୟ-ଏମାନଙ୍କୁ ମହନ ମଧ୍ୟରେ ବାଡ଼ରେ ସ୍ଥାନିତ କରାଯାଇଛି।
୨୪.ବୃନ୍ଦାବତୀ-ମା’ଙ୍କ ମନ୍ଦିର ପଛରେ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ସମ୍ମୁଖରେ ମା’ ବୃନ୍ଦାବତୀ ପ୍ରଭୁ ଜଗନ୍ନାଥଙ୍କୁ ଚାହିଁ ବସିଛନ୍ତି ।
ଦେବତା ଓ ପାର୍ଶ୍ଵଦେବତାଙ୍କ ପୂଜନକ୍ରମ
ଲଡୁବାବାଙ୍କ ମନ୍ଦିରରେ ଦେବତା ଓ ପାର୍ଶ୍ଵଦେବତାଙ୍କ ପୂଜନ ଏକ ନିର୍ଦିଷ୍ଟ କ୍ରମରେ ହୁଏ । ଅବଶ୍ୟ ବଲ୍ଲଭ ସମୟରେ ଗୋଟିଏ କ୍ରମ ଓ ବଡ଼ ସିଂହାରରେ ଗୋଟିଏ କ୍ରମ ଏହିପରି ଦୁଇଟି କ୍ରମ ଏଠାରେ ଅନୁସୃତ ହୁଏ । ବଲ୍ଲଭ ସମୟରେ ଅନୁସୃତ କ୍ରମ:-ବଲ୍ଲଭ ସମୟରେ ପ୍ରଥମେ ସୂର୍ଯ୍ୟ ପୂଜା ହେବାପରେ ଦ୍ଵାରପାଳ (ଯଥା ନନ୍ଦି ଲୁଙ୍ଗି, ଗଙ୍ଗା ଯମୁନା, ମହାଲକ୍ଷ୍ମୀ ଆଦିଙ୍କୁ ଏକାଠି) ପୂଜା କରାଯାଏ । ତା ପରେ ଭିତର ପୂଜା ହୁଏ । ଭିତର ପୂଜା ପରେ ପାର୍ଶ୍ଵ ଦେବତାମାନଙ୍କୁ ଗଣଶ, କାର୍ତ୍ତିକେୟ ଓ ଗଙ୍ଗା କ୍ରମରେ ପୂଜା କରାଯାଏ । ମନ୍ଦିର ବେଢ଼ାରେ ଥିବା ଅନ୍ୟ ଦେବାଦେବୀ ମାନଙ୍କୁ ନିମ୍ନ କ୍ରମରେ ଭୋଗ ଅର୍ପଣ ହୁଏ।
୧.ଲକ୍ଷ୍ମୀ ସରସ୍ଵତୀ
୨.ବୈଦ୍ୟନାଥ
୩.ଅନ୍ନପୂର୍ଣ୍ଣା
୪.ନବଗ୍ରହ
୫.ତ୍ରିନାଥ ଠାକୁର
୬.ଦଶ ମହାବିଦ୍ୟା
୬.ଗାୟତ୍ରୀ ଓ ମୃତ୍ୟୁଞ୍ଜୟ
୮.ନବଶକ୍ତି
୯.ବୃନ୍ଦାବତୀ
୧୦.ଜଗନ୍ନାଥ
୧୧.ରଘୁନାଥ
୧୨.ପଞ୍ଚମୁଖୀ ହନୁମାନ
୧୩.ସଙ୍କଟ ମୋଚନ ହନୁମାନ
୧୪.ପାର୍ବତୀ
୧୫.ମହାଲକ୍ଷ୍ମୀ ଓ କାମଧେନୁଙ୍କର ପୂଜା ଭିତର ପୂଜାପରେ ସେହି ବଲ୍ଲଭ ସମୟ ମଧ୍ୟରେ ଯେ କୌଣସି ସମୟରେ ସେମାନଙ୍କର ସ୍ବତନ୍ତ୍ର ପୂଜକ ମାନଙ୍କ ଦ୍ଵାରା କରାଯାଏ ।
ବଡ଼ ସିଂହାର କ୍ରମ:-ପ୍ରଥମେ ଜଗନ୍ନାଥଙ୍କର ଓ ତା’ପରେ ରଘୁନାଥଙ୍କର ପୂଜା ହୁଏ । ଏହାପରେ ପଞ୍ଚମୁଖୀ ହନୁମାନ ଓ ମା'ଙ୍କ ମନ୍ଦିରରେ ପରେ ପରେ ପୂଜା ହୁଏ । ଶେଷରେ ଭିତର ଧୂପ ହୁଏ । ଏହି ସମୟରେ ଘଣ୍ଟୁଆ ମନ୍ଦିର ବେଢ଼ାରେ ବୁଲି ବୁଲି ଘଣ୍ଟ ବାଡେ଼ଇ ଅନ୍ୟାନ୍ୟ ସମସ୍ତ ଦେବାଦେବୀଙ୍କୁ ଆବାହନ କରିବାର ପରମ୍ପରା ପୁରୀ ଶ୍ରୀମନ୍ଦିର ପରି ଦେଖାଯାଏ।
ଜଳଶାୟୀ
ମାନସିକ କିମ୍ବା ଗ୍ରହପିଡ଼ା ଥିଲେ ଭକ୍ତମାନେ ଲଡୁବାବାଙ୍କ ମନ୍ଦିରରେ ଜଳଶାୟୀ କରନ୍ତି । ଏହା ଦୁଇ ପ୍ରକାରର ଅର୍ଦ୍ଧ ଜଳଶାୟୀ ଓ ପୂର୍ଣ୍ଣ ଜଳଶାୟୀ । ନିର୍ଦ୍ଧାରିତ ଫିସ ବାନ୍ଧିଦେଲେ ଯଜମାନମାନଙ୍କ ଉପସ୍ଥିତିରେ ତାଙ୍କର ମଙ୍ଗଳ କାମନା କରି ଶିବଶଙ୍କର ମହାପ୍ରଭୁଙ୍କୁ ଡାକୁଥିବା ଅବସ୍ଥାରେ ମାଳୀ ସେବକମାନେ ମନ୍ଦିର କୂପରୁ ଗରା ଓ ହଣ୍ଡାରେ ଜଳ ନେଇ ପ୍ରଭୁଙ୍କ ଉପରେ ଢ଼ାଳି ଜଳରେ ପ୍ରଭୁଙ୍କୁ ବୁଡେ଼ଇ ରଖିବାକୁ ଜଳଶାୟୀ କହନ୍ତି । ଅର୍ଦ୍ଧଜଳଶାୟୀରେ ୫୪ ଗରା ଏବଂ ପୂର୍ଣ୍ଣ ଜଳଶାୟୀରେ ୧୦୮ ଗରା ପାଣି ଦିଆଯାଏ । ଏହା ଦ୍ଵିତୀୟ ଅବକାଶ ବା ପଞ୍ଚାମୃତ ସ୍ନାନ ପରେ ସକାଳେ ଏବଂ ଚତୁର୍ଥ ଅବକାଶ ବା ଫୁଲୁରୀ ମର୍ଦ୍ଦନ ପରେ ସଂଧ୍ୟାରେ କରାଯାଏ । ସଂକ୍ରାନ୍ତି ଓ ସୋମବାରରେ ଭକ୍ତମାନେ କଳାଶାୟୀ କରିବା ନିମନ୍ତେ ଆଗ୍ରହ ପ୍ରକାଶ କରନ୍ତି । ଏଥି ନିମନ୍ତେ ମାଳୀ ସେବକ ବା ମନ୍ଦିର ଅଫିସ ସହ ସଂପର୍କ ସ୍ଥାପନ କରାଯିବା ଦରକାର।
ସେବାସୀ
ପ୍ରଭୁ ସେବାସୀ ପାଇଁ ଚଳଚଞ୍ଚଳ ହୁଅନ୍ତି । ସେବାସୀ ପ୍ରଭୁଙ୍କର ଅଙ୍ଗଲାଗି ସେବା କରନ୍ତି, ସେବକ ଦ୍ଵାରା ପ୍ରଭୁ ଖାଅନ୍ତି, ପିଅନ୍ତି, ସୁଅନ୍ତି ଓ ବିଭିନ୍ନ ମେଳା ମଉଛବ କରନ୍ତି । ଏଣୁ ପ୍ରଭୁଙ୍କୁ ଜାଣିବାକୁ ହେଲେ ତାଙ୍କର ସେବକଙ୍କୁ ନିହାତି ଜାଣିବା ଦରକାର । ଲଡ଼ୁବାବାଙ୍କ ମନ୍ଦିରରେ ପ୍ରାୟ ସବୁ ପାଟକର ସେବାସୀ ସେବା ପାଇଛନ୍ତି । ସେମାନଙ୍କର ବର୍ଣ୍ଣନା ନିମ୍ନରେ କରାଯାଇଛି।
୧.ପରିଚ୍ଛା:-ନୈଷ୍ଠିକ ବ୍ରାହ୍ମଣ ସେବକ । ରାଜ ନିଯୁକ୍ତ ଏବଂ ଏବେ ବଂଶାନୁକ୍ରମିକ । ମନ୍ଦିରର ସମସ୍ତ ନୀତି ରୋଗ ଓ ସେବାସୀମାନଙ୍କ କାର୍ଯ୍ୟ ତଦାରଖ କରନ୍ତି । ସେବାସୀଙ୍କ ମଧ୍ୟରେ ବାଦାନୁବାଦ ଦେଖାଗଲେ ତାହାର ସମାଧାନ କରନ୍ତି ।
୨.ରାଜ ପୁରୋଧା:-ରାଜା ନିଯୁକ୍ତ ନୈଷ୍ଠିକ ବ୍ରାହ୍ମଣ । ମନ୍ଦିରର କେତେକ ମୁଖ୍ୟ ନୀତି ଏହାଙ୍କ ଦ୍ଵାରା ଅନୁଷ୍ଠିତ ହୁଏ ।
୩.ଚାମର ସେବକ:-ନୈଷ୍ଠିକ ବ୍ରାହ୍ମଣ । ଚାମର ସେବା କରନ୍ତି । ମାଘ, ବୈଶାଖ ଓ କାର୍ତ୍ତିକ ମାସର ସୋମବାର ଦିନମାନଙ୍କରେ ଚାମର ପକାନ୍ତି ।
୪.ଯାତ୍ରାଙ୍ଗୀ ନୀତି ସେବକ:-ଚଉଦପାଳୀ ଯାତ୍ରାଙ୍ଗୀରେ ଯାତ୍ରାଙ୍ଗୀର ସ୍ବତନ୍ତ୍ରନୀତି କରନ୍ତି।
୫.ପୂଜକ:-ପୂଜକ ବ୍ରାହ୍ମଣ । ମନ୍ଦିରରେ ପ୍ରଭୁଙ୍କର ବିଭିନ୍ନ ଧୂପରେ ପୂଜା କରନ୍ତି । ୭.ସୁଆର:-ବ୍ରାହ୍ମଣ ସେବକ । ଅନ୍ନଭୋଗ ଓ ଅନ୍ୟାନ୍ୟ ଭୋଗ ରନ୍ଧନ କରନ୍ତି।
୬.ପ୍ରତି ସୁଆର:-ରୋଷେଇ ଘରେ (ସରଘର) ଖଜା ତିଆରି କରନ୍ତି । ବାହ୍ମଣ ସେବକ।
୮.ପ୍ରତିହାରି:-ବ୍ରାହ୍ମଣ ସେବକ । ଦ୍ଵାର ଜଗିବେ । ଭୋଗ କରି ସାଥିରେ ଆସିବେ ।
୯.ଚର୍ଚ୍ଚୈତ:-ବ୍ରାହ୍ମଣ ସେବକ । ଭୋଗ ପ୍ରସ୍ତୁତି ଠିକ ରୂପେ ହେଉଛି କି ନାହିଁ ଦେଖିବେ । ୧୦.ପାଳିଆ ମାଳୀ:-ଚନ୍ଦନଘୋରି ଯୋଗାଇବେ, ଭୋଗ ଯୋଗାଇବେ । ମନ୍ଦିରର ସମସ୍ତ ଜିନିଷ ଓ ଚାବି ଦିନବେଳେ ଏହାଙ୍କ ଦାୟିତ୍ଵରେ ରହିବ।
୧୧.ଅଖଣ୍ଡଳିଆ:- ମାଳି ସେବକ । ଅଖଣ୍ଡଳ ଦୀପ ଏହାଙ୍କ ଦାୟିତ୍ଵରେ ରୁହେ।
୧୨.ବେଦଜ୍ଞ ବ୍ରାହ୍ମଣ:-ସକାଳେ ବେଦପାଠ କରନ୍ତି । ବ୍ରାହ୍ମଣ ସେବକ ।
୧୩.ପାନରା:-ପାନରା ଜାତିର ସେବକ ସ୍ଥାନ ଯୋଗାନ୍ତି ।
୧୪.ବାନାବନ୍ଧା ସେବକ:-ସେ ମନ୍ଦିର ଚୂଡ଼ାରେ ବାନା ବାନ୍ଧନ୍ତି । ମାଳୀ ସେବକ।
୧୫.କାହାଳିଆ:-ତନ୍ତୀ ସେବକ । ନୀତି ସମୟରେ କାହାଳୀ ଫୁଙ୍କନ୍ତି ।
୧୬.ଘଣ୍ଟୁଆ:-ମାଳୀ ସେବକ ବିଭିନ୍ନ ନୀତି ସମୟରେ ଘଣ୍ଟ ବଜାନ୍ତି।
୧୭.ଚଉଧଳିଆ:-ମାଳୀ ସେବକ । ବେଢ଼ା ସମୟରେ ମନ୍ଦିର ବେଢ଼ାରେ ଚଉଧଳ କାନ୍ଧାନ୍ତି ।
୧୯.ମଶାଲିଆ:-ଭଣ୍ଡାରୀ ସେବକ । ପ୍ରଭୁଙ୍କ ସାମ୍ନାରେ ମଶାଲ ଜାଳନ୍ତି।
୨୦.ଜ୍ୟୋତିଷ:-ଗ୍ରହବିପ୍ର ବ୍ରାହ୍ମଣ । ସକାଳେ ବଲ୍ଲଭ ପୂର୍ବରୁ ବୃଷଭ ପାଖରେ ପାଞ୍ଜି ଶୁଣାନ୍ତି ।
୨୧.ଗୀତଗୋବିନ୍ଦ ପାଠକ:-ଚତୁସମ ନୀତି ବେଳେ ଗୀତଗୋବିନ୍ଦ ପାଠ କରନ୍ତି । ବ୍ରାହ୍ମଣ ସେବକ ।
୨୨.କଂସାରୀ:-କଂସାରୀ ଜାତିର ସେବକ । ଦୁର୍ଗାପୂଜା ଦିନ ଆମିଷ ପୂଜା ହୋଇଥିବା ଗିନା ପୋଡ଼ନ୍ତି ।
୨୩.ତେଲ ଯୋଗାଣିଆ:-ତେଲି ଜାତିର ସେବକ । ତେଲ ଯୋଗାନ୍ତି ।
୨୪.କୁମ୍ଭାର:-କୁମ୍ଭାର ଜାତିରେ ସେବକ । ହାଣ୍ଡି ସରା କୁଡୁଆ ମାଠିଆ ଯୋଗାନ୍ତି।
୨୫.ତନ୍ତୀ:-ତନ୍ତୀ ସେବକ । ସୂତା କଣ୍ଡା ଯୋଗାନ୍ତି।
୨୬.ଗଉଡ଼:-କ୍ଷୀର, ଦହି, ଛେନା ଯୋଗାନ୍ତି ।
୨୭.ଚଷା:-ଚଷା ଜାତିର ସେବକ । ନୂଆଧାନ, ଗୁଡ଼ ଓ ଆଖୁରସ ଯୋଗାନ୍ତି।
୨୮.ଗୁଡ଼ିଆ:-ବଲ୍ଲଭ ତିଆରି କରନ୍ତି।
୨୯.ତୁଳା ଭିଣା:-ଭିଣା ଜାତିର । ତୁଳା ଯୋଗାନ୍ତି।
୩୦.ଦରଜି:-ବ୍ରାହ୍ମଣ ସେବକ । ବସ୍ତ୍ର ସିଲେଇ କରନ୍ତି ।
୩୧.ମହାଦୀପ ସେବାସୀ:-ମାଳୀ ଜାତିର । ମନ୍ଦିର ଉପରେ ମହାଦୀପ ଲଗାନ୍ତି।
୩୨.ମହାଦୀପ ଯୋଗାଣିଆ:-ବ୍ରାହ୍ମଣ ସେବକ । ମହାଦୀପ ପାଇଁ ବାଣ ଯୋଗାନ୍ତି।
୩୩.ହାଡ଼ି:-ବାଜା ବଜାନ୍ତି, ସିଂହଦ୍ଵାର ଓ ପୋଖରୀ ତୁଠ ସଫା କରନ୍ତି । ଶିବରାତ୍ର ପରେ ପଶ୍ଚିମ ହାଇ ବାଟେ ଆସି ବେଡ଼ା ସଫା କରନ୍ତି । କୁଲା, ଭୋଗେଇ ଚାଙ୍ଗୁଡ଼ି ଯୋଗାନ୍ତି।
୩୪.ମହାରଣା:-ବଢେ଼ଇ ବଂଶର । ମନ୍ଦିରରୁ ଗଛ କାଟନ୍ତି । ରଥ ତିଆରି କରନ୍ତି।
୩୫.ପାଣ: ମୁତୁରୀ ଦାନ୍ତକାଠି ଯୋଗାନ୍ତି।
୩୬.ଧୋବା:-ଲୁଗା ସଫା କରନ୍ତି।
୩୭.କଂଚିଆ:-ମାଳୀ ଜାତିର । ରାତ୍ରିରେ ମନ୍ଦିର ମାନଙ୍କର କଂଚି ରଖି ମନ୍ଦିର ଜଗି ଶୁଅନ୍ତି । ୩୮.ନାଉରିଆ:-ଚନ୍ଦନ ସମୟରେ ଡଙ୍ଗା ଚଳାନ୍ତି । ପୂର୍ବରୁ ମହାନ୍ତି ଜାତିର ଥିଲେ । ଏବେ ମାଳୀ ଜାତିର ସେବକ ଏ କାର୍ଯ୍ୟ କରୁଛନ୍ତି ।
୩୯.ମନ୍ଦିର ସଫାକାରୀ:-ତନ୍ତୀ ଜାତିର ସେବକ । ବେଢ଼ା ସଫା କରନ୍ତି ।
୪୦.ବଡ଼ମାଳୀ:-ମାଳୀ ଜାତିର ସେବଳ । ଶିବରାତ୍ରରେ ଅଭିଷେକ ନିମନ୍ତେ ଜଳ ଯୋଗାନ୍ତି । ଭୋଗ ଆଣନ୍ତି । ଯାତ୍ରାଙ୍ଗୀ ଖଟଣୀ ଯୋଗାନ୍ତି । ଚାମର ସଜାନ୍ତି ।
ପର୍ବପର୍ବାଣୀ
୧.ଚିତ୍ତାଲାଗି:(ଶ୍ରାବଣ ଅମାବାସ୍ୟା): ସକାଳ ଧୂପ ପରେ ଘଣ୍ଟ ବାଜୁଥିବ ଦେଉଳ ଶୋଧା ହୋଇ ଚିତ୍ତୋର ପିଠା ଧୂପ ହେବ ।
୨.ଶ୍ରାବଣୀ-(ଶ୍ରାବଣ ଶୁକ୍ଳ ଚତୁର୍ଦ୍ଦଶୀ): ପୁଡ଼ା ଭୋଗ ପରେ କ୍ଷୀରାଭିଷେକ ହୋଇ ଯାତାଙ୍ଗୀ ନୀତି ହେବ । ଶ୍ରାବଣୀ ଭୋଗ ହେବ । ବନ୍ଦାପନା ହେବା ପୂର୍ବରୁ ନଡିଆ, ପଇତା ପୁରୋଧା ଲାଗି କରିବେ ।
୩.ଗହ୍ମା ପର୍ବ-(ଶ୍ରାବଣ ପୂର୍ଣ୍ଣିମା): ସକାଳ ଧୂପ ପରେ ଘଣ୍ଟ ବାଜୁଥିବ, ଦେଉଳ ଶୋଧା ହୋଇ ମଣ୍ଡାପିଠା ଧୂପ ହେବ । ପିଠା ଧୂପ ପୂର୍ବରୁ ପୁରୋଧା ନଡିଆ ପଇତା ଲାଗି କରିବେ । ଯଦି ଶ୍ରାବଣୀ ଓ ଗହ୍ମା ପୂର୍ଣ୍ଣମୀ ଏକାଦିନ ହୁଏ ତେବେ ଗୋଟିଏ ନଡ଼ିଆ ପଇତା ଲାଗି ହେବ।
୪.ଜନ୍ମାଷ୍ଟମୀ-(ଭାଦ୍ରବ କୃଷ୍ଣ ଅଷ୍ଟମୀ):ସଂନ୍ଧ୍ୟା ଧୂପ ପରେ ଜଗନ୍ନାଥଙ୍କ ମନ୍ଦିରରେ ଜନ୍ମ ବିଧାନ ହେବ ।
୫.ନନ୍ଦ ଉତ୍ସବ-(ଶ୍ରାବଣ କୃଷ୍ଣ ନବମୀ) ଦିନ ଚାରିଟା ବେଳେ ବାଳ ମୁକୁନ୍ଦ ଓ ଗୋପୀନାଥ ଚଉଧଳ ବିମାନରେ ବସି ଗ୍ରାମ ପରିକ୍ରମାରେ ବାହାରିବେ । ଚାଳି ମଣ୍ଡପରେ ଚାଳି ଭୋଗ ଖାଇ ଭିଖାରିପଡା ବିଭା ମଣ୍ଡପରେ ସର ଲବଣୀ ଧୂପ ହେବ । ସର ଲବଣୀ ଅଣାଯାଇ ଠାକୁର ମନ୍ଦିରକୁ ଫେରିବା ପରେ ଜନ୍ମ ବିଧାନ ମଣ୍ଡଳରେ ଭଙ୍ଗାଯିବ ।
୬.ସପ୍ତପୁରୀ-(ଭାଦ୍ରବ ଅବାବାସ୍ୟା):ସକାଳ ଅବକାଶ ପରେ ଛତି, ଘଣ୍ଟ, କାହାଳୀ ସହ ଠାକୁରାଣୀଙ୍କଠାରୁ ପୂଜକ ଧଣ୍ଡି(ଫୁଲମାଳ) ନେଇ ସର ଘରକୁ ଯିବେ । ଧୂପପରେ ଘଣ୍ଟ ବାଜୁଥିବ, ପଣ୍ଡା ଭିତରେ ଥିବେ ଛତିଶାନିଯୋଗ ସହ ସାତପୁରୀ ଉତ୍ତର ପଟେ ସରଘରଠାରୁ ବାହାରି ପୂର୍ବଦ୍ଵାର ଦେଇ ମନ୍ଦିର ଭିତରକୁ ଯିବ । ଧୂପ ହୋଇ ଭିତରୁ ଏକ ଶାଢୀ, ପୂର୍ବ ଦ୍ଵାର ଦେଇ ବାହାରି ଦକ୍ଷିଣ ପଟେ ସର ଘରକୁ ଯିବ।
୭.ଅଙ୍କ(ନୂଆଖିଆ)-(ଭାଦ୍ରବ ଶୁକ୍ଳ ଦ୍ଵାଦଶୀ):ବଲ୍ଲଭରେ ନୂଆ ଚୂଡା ପୂଜାହୁଏ । ସକାଳ ଧୂପ ପରେ ନବାହ୍ନ ପୂଜା ହୁଏ । ଧୂପ ଶେଷରେ ସୁପର ଭାଇଜର ମହାପ୍ରଭୁଙ୍କୁ ଭେଟି ଦେବେ।
୮.ମୂଳାଷ୍ଟମୀ-(ଆଶ୍ଵିନ କୃଷ୍ଣ ଅଷ୍ଟମୀ): ନୟାଗଡ଼ ବାଉତି ଠାକୁରାଣୀଙ୍କଠାରୁ ଚାଉଳ ଗୁଆ ପର୍ବ ପୂଜକ ଆଣି ଚଣ୍ଡୀ ପୂଜକଙ୍କୁ ଦେବା ପରେ ସହସ୍ର କୁମ୍ଭ ଆରମ୍ଭ ହୁଏ । ଏହି ସମୟରେ ମନ୍ଦିର ପୂଜକ ସଂଖ୍ୟା କରନ୍ତି । ଏହି ପର୍ବ ୧୬ଦିନ ଧରି ଚାଲେ । ଷଷ୍ଠୀ, ସପ୍ତମୀ ଓ ଅଷ୍ଟମୀ ଦିନ ଠାକୁରାଣୀଙ୍କଠାରେ ଆମିଷ ଭୋଗ ହୁଏ । ଲଡୁବାବାଙ୍କ ମନ୍ଦିର ବନ୍ଦ ହେବାପରେ ଏହି ନୀତି ହୁଏ । ଆମିଷ ରନ୍ଧନ ପରେ ଚୁଲି କଡେ଼ଇ ଇତ୍ୟାଦିକୁ ଗୋବର ପାଣିରେ ସଂସ୍କାର କରାଯାଏ।
୯.ଦଶହରା-(ଆଶ୍ଵିନ ଶୁକ୍ଳ ଦଶମୀ):ଠାକୁର ଠାକୁରାଣୀ (ଚନ୍ଦ୍ରଶେଖର ଓ ପାର୍ବତୀ) ଏକାଠି ପ୍ରଭାରେ ବିଜେ ହୋଇ ମହନରେ ପହଁଚନ୍ତି । ସେଇଠି ଧୂପ ହୁଏ । ଏହି ସମୟରେ ମନ୍ଦିରର ସମସ୍ତ ସେବାସୀ, ଥାନା ଅଫିସର ଇତ୍ୟାଦି ନିଜର ସାଧ୍ୟମତ୍ତେ ପ୍ରଭୁଙ୍କୁ ଭେଟି ଅର୍ପଣ କରନ୍ତି । ତା'ପରେ ଗୋଟିଏ ବିମାନରେ ଏ ଦୁହେଁ ଓ ଜୟ ଦୁର୍ଗା ସିଂହ ପରେ ବିଜେ କରନ୍ତି । ପୂର୍ବ ଦ୍ଵାରରେ ଆଳତି ହେବା ପରେ ଠାକୁର ଚାଳି ମଣ୍ଡପକୁ ଯାଆନ୍ତି । ଚାଳି ମଣ୍ଡପରୁ ଭିକାରୀପଡ଼ାସ୍ଥ ବିଭାମଣ୍ଡପକୁ ଯାଇ ଫେରି ପଥୁରିଆ ସାହି ଗାଁ ମୁଣ୍ଡ ପର୍ଯ୍ୟନ୍ତ ଭୋଗଖାଇ ଯାଆନ୍ତି । ସେଠୁ ଫେରିବା ପରେ ବଡ଼ ସିଂହାର ହୁଏ ।
୧୦.ଏକାଦଶୀ-ଆଶ୍ଵିନ ମାସ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ଦଶମୀ ଯାଏଁ ସଂଖୁଡି ଧୂପ ପରେ ଦାମୋଦର ଭୋଗ ହୁଏ ।
୧୧.କୁମାର ପୂର୍ଣ୍ଣମୀ-(ଆଶ୍ଵିନ ପୂର୍ଣ୍ଣିମା): ସମସ୍ତ ଠାକୁର ନୂଆବସ୍ତ୍ର ପିନ୍ଧନ୍ତି । କାର୍ତ୍ତିକେଶ୍ଵରଙ୍କଠାରେ ଚତୁସମ ନୀତିପରେ ଧୂପ ହୁଏ । କଉଡି ଖେଳ ହୁଏ ।
୧୨.ଦୀପାବଳୀ-(କାର୍ତ୍ତିକ ଅମାବାସ୍ୟା): ମନ୍ଦିର ଉପରେ ଏ ଦିନ ଦୀପ ଲାଗିଲେ ଟେରା ଫିଟା ନୀତି ହୁଏ।
୧୩. ଗିରି ଗୋବର୍ଦ୍ଧନ ପୂଜା-କାର୍ତ୍ତିକ ଶୁକ୍ଳ ପ୍ରତିପଦା ଦିନ ଗିରି ଗୋବର୍ଦ୍ଧନ ପୂଜା ଚତୁସମ ନୀତି ପରେ ଜଗନ୍ନାଥଙ୍କ ଠାରେ ହୁଏ ।
୧୪.ଯମ ଦ୍ଵିତୀୟା ଯାତ୍ରା-(କାର୍ତ୍ତିକ ଶୁକ୍ଳ ଦ୍ଵିତୀୟା): ବନ୍ଦାପନା ପରେ ଖଟଣୀ ପୂଜା ହୋଇ ଦ୍ଵିପହର ଧୂପ ହୁଏ ।
୧୫.ପଞ୍ଚୁକ-କାର୍ତ୍ତିକ ଶୁଳ୍କପକ୍ଷରେ ଏକାଦଶୀଠାରୁ ସଂନ୍ଧ୍ୟା ଧୂପ ପରେ ପଞ୍ଚୁ କୁଡୁଆ ଭୋଗ ହୁଏ । ଘଣ୍ଟ ବଜା ମନ୍ଦିରରେ ଦୀପ ବସେ । ଚତୁସମ ପରେ ରାହାସ ବିହାରୀ ରାସ ମଣ୍ଡପକୁ ଯାଆନ୍ତି ଓ ସେଠାରେ ଧୂପ ହୁଏ।
୧୬. ଶିବ ଉତ୍ଥାପନ ଚତୁର୍ଦ୍ଦଶୀ-(କାର୍ତ୍ତିକ ଶୁକ୍ଳ ଚତୁର୍ଦ୍ଦଶୀ): ଟେରାଫିଟା ପରେ ଯାତ୍ରାଙ୍ଗି ନୀତି ପରେ ବେଢ଼ା ହୁଏ । ପ୍ରଥମେ ଚତୁର୍ଦ୍ଦଶୀ ଧୂପ ତା’ପରେ ବନ୍ଦାପନା ଧୂପ ଓ ପଛରେ ସଂନ୍ଧ୍ୟା ଧୂପ ହୁଏ ।
୧୭.କାର୍ତ୍ତିକ ପୂର୍ଣ୍ଣିମା-ଭୋରରୁ ପୁରୋହିତ ଦୀପ ବସାଇ ସାରିବା ପରେ ଠାକୁରଙ୍କର ମଙ୍ଗଳ ଆଳତି ହୁଏ । ଅନ୍ୟନୀତି ଯଥାରୀତି ହୁଏ । କ୍ଷୀରାଭିଷେକ ପରେ ଆଖୁ ରସରେ ଅଭିଷେକ ହୁଏ । ମନ୍ଦିର ଉପରେ ଦଧିନଉତିରେ ନେତ ବନ୍ଧା ହୁଏ । ଏହି ସମୟରେ ଘଣ୍ଟ କାହାଳୀ ବାଜୁଥାଏ । ଛତି ଧରା ହୋଇଥାଏ ଓ ପରିଛା ଆଦି ଉପସ୍ଥିତ ହୋଇ ନେତ ବନ୍ଧା ଦେଖନ୍ତି।
୧୮.ଯମଦ୍ଵିତୀୟା-(ମାର୍ଗଶୀର କୃଷ୍ଣ ଦ୍ଵିତୀୟା): ଦୀପ ଲାଗିବା ପରେ ଅବକାଶ ହୁଏ । ପକାଳ ଧୂପ ପୂର୍ବରୁ ପୁଣି ଦୀପ ବସିବ । ଧୂପ ପରେ କ୍ଷୀରାଭିଷେକ ହୁଏ । ତା' ପରେ ପଞ୍ଚାମୃତର ଗୋଟିଏ ଗୋଟିଏ ଦ୍ରବ୍ୟରେ ପ୍ରଭୁଙ୍କୁ ଥରେ ଥରେ ସ୍ନାନ କରାଯିବ । ପରେ ଲିଙ୍ଗ ଶୁଦ୍ଧି ପାଇଁ ଗରମ ପାଣି ଓ ଅଟାରେ ଧୁଆ ଯାଏ । ଉଖୁଡା, ଗୋପାଳ ଖୁରୁମା, ନଡ଼ିଆ ପୂଜା ହୁଏ । ବେଢ଼ା ପରେ ମହନରେ ଧୂପ ହେବ । ଶାଢୀ ପୂର୍ବ ଦ୍ଵାର ବାଟେ ସର ଘରକୁ ଯିବ।
୧୯.ପ୍ରଥମାଷ୍ଟମୀ-(ମାର୍ଗଶୀର କୃଷ୍ଣ ଅଷ୍ଟମୀ): କ୍ଷୀରାଭିଷେକ ପରେ ଏଣ୍ଡୁରି ପିଠା ଭୋଗ ହୁଏ । ଏତିକି ବେଳେ ଠାକୁର ନୂଆ ଲୁଗା ଓ ନଡିଆ ପଇତା ଲାଗି ହେବେ । ପିଠା ଧୂପ ପରେ ବନ୍ଦାପନା ହେବ । ସକାଳ ଧୂପଠାରୁ ବନ୍ଦାପନା ଯାଏଁ ଘଣ୍ଟ ବାଜୁଥିବ।
୨୦.ଦୀପାବଳୀ ଅମାବାସ୍ୟା-(ମାର୍ଗଶୀର ଅମାବାସ୍ୟା):ସନ୍ଧ୍ୟା ବେଳେ ମନ୍ଦିର ଉପରେ ଏବଂ ଭିତରେ ଚାରି ପାର୍ଶ୍ଵରେ ସମସ୍ତ ଦେବଦେବୀଙ୍କ ଠାରେ ଗୋଟିଏ ଲେଖାଏଁ ଦୀପ ଲାଗିବ।
୨୧.ଓଡ଼ଣୀ ଷଷ୍ଠୀ-(ମାର୍ଗଶୀର ଶୁକ୍ଳ ଷଷ୍ଠୀ):କ୍ଷୀରାଭିଷେକ ପରେ ତିନୋଟି ଥାଳିରେ ଘୋଡ଼ ସଜ ହୋଇ ଦକ୍ଷିଣ ଦ୍ଵାର ପଟେ ଛତିଶାନିଯୋଗରେ ବାହାରି ପୂର୍ବଦ୍ଵାର ଦେଇ ଭିତରକୁ ଯିବ । ବାଟରେ ଜଗନ୍ନାଥଙ୍କ ପଣ୍ଡା ଜଗନ୍ନାଥଙ୍କ ଘୋଡ଼ ଓ ଠାକୁରାଣୀଙ୍କ ପଣ୍ଡା ଠାକୁରାଣୀଙ୍କ ଘୋଡ଼ ନେଇଯିବେ । ଘୋଡ଼ ଲାଗି ପରେ ସେହି ଘଣ୍ଟରେ ବନ୍ଦାପନା ନୀତି ହେବ।
୨୨.ଧନୁ ସଂକ୍ରାନ୍ତି-ସକାଳୁ ଧଣ୍ଡି ହେବ । ସକାଳ ଧୂପ ପରେ ସାତପୁରୀ ଆସିଲା ପରି ଦୁଇଥର ଧନୁମୁଆଁ ଆସି ଶାଢୀ ବାହାରିବ । ଧନୁ ସଂକ୍ରାନ୍ତି ବାସିଠାରୁ ଅବକାଶ ପରେ ପରବର୍ତ୍ତୀ ମାସାନ୍ତ ଯାଏଁ ପହିଲି ମୁଆଁ ପୂଜା ହୁଏ ।
୨୩.ବକୁଳ ଅମାବାସ୍ୟା-(ପୌଷ ଅମାବାସ୍ୟା):ଦ୍ଵିପ୍ରହର ଧୂପ ସାଥିରେ ବଉଳ ସହ ପାଏସ୍ ବା ଅଟକାଳି (ଯେଉଁଥିରେ କି ଗୋଟି ପଡିଥିବ) ପୂଜା ହୁଏ।
୨୪.ପୁଷ ପୂର୍ଣ୍ଣିମା-ବନ୍ଦାପନା ସାଥିରେ ପିଠା ପୂଜା ହୁଏ । ଯାତ୍ରାଙ୍ଗୀ ନ ପଡ଼ିଲେ ବନ୍ଦାପନା ଧୂପ ହେବ । ସକାଳ ଧୂପ ପରେ ନଡ଼ିଆ ପଇତା ଲାଗି ପରେ ପୁଷ ମଣ୍ଡା ଧୂପ ହେବ।
୨୫.ନବାଙ୍କ ବେଢ଼ା-ମକର ସଂକ୍ରାନ୍ତି ପୂର୍ବଦିନ ଟେରା ପରେ ମହାପ୍ରଭୁ ବେଶ ହୋଇ ବୃଷଭ ଚାରିପଟେ ଛଅ ବେଢ଼ା ଓ ବାହାରେ ତିନି ବେଢ଼ା ବୁଲି ଭିତରକୁ ଯିବେ । ନବାଙ୍କ ଧୂପ ପରେ ସନ୍ଧ୍ୟା ଧୂପ ହେବ । ଯଦି ଏ ଦିନ ଚତୁର୍ଦ୍ଦଶୀ ପଡେ ତେବେ ନବାଙ୍କ ବେଢ଼ା ପରେ ମହାପ୍ରଭୁ ପୂର୍ବ ଦ୍ଵାରରୁ ଭିତରକୁ ଯିବେ, ପୁଣି ଦକ୍ଷିଣ ଦ୍ଵାରରେ ଆଳତି ହୋଇ ତିନି ବେଢ଼ା ବୁଲିବେ ଓ ନବାଙ୍କ ଓ ଚତୁର୍ଦଶୀ ଧୂପ ଏକାଠି ହେବାପରେ ସଂନ୍ଧ୍ୟା ଧୂପ ହେବ ।
୨୬.ମକର ସଂକ୍ରାନ୍ତି-ସକାଳୁ ଧଣ୍ଡୀ ହେବ । ସରକାରୀ ନୀତି ପରେ ତିନି ଘେରା ବେଢ଼ା ପରେ ସରଘର ଠାରୁ ମକର, ଉତ୍ତର ପଟେ ଯାଇ ପୂର୍ବଦ୍ଵାର ଦେଇ ଭିତରକୁ ଯିବ । ଏହି ଧୂପରେ ବନ୍ଦାପନା, ଦ୍ଵିପହର ଧୂପ ସରକାରୀ ଖଟଣୀ ପୂଜା ହେବ । ଭିତର ସିଂହଠାରେ ଘଣ୍ଟ ବାଜିବ । ଶାଢ଼ୀ ହବ, ବାହାରେ ପରିଚ୍ଛା ଥିବେ।
୨୭. ବସନ୍ତ ପଞ୍ଚମୀ-(ମାଘ ଶୁକ୍ଳ ପଞ୍ଚମୀ): କ୍ଷୀରାଭିଷେକ ପରେ ଚନ୍ଦ୍ରଶେଖର ଦକ୍ଷିଣ ଦ୍ଵାରେ ବାହାରି ଦୋଳ ବେଦୀକୁ ଆସିବେ । ସେଠାରେ ଧୂପ ପରେ ବସନ୍ତ ଭୋଗ ହୋଇ ଶାଢ଼ୀ ହେବ।
୨୮. ମାଘ ସପ୍ତମୀ-(ମାଘ ଶୁକ୍ଳ ସପ୍ତମୀ): କ୍ଷୀରାଭିଷେକ ନୀତି ପରେ ସରକାରୀ ନୀତି ହୋଇ ବନ୍ଦାପନା ଧୂପ ପରେ ସରକାରୀ ଖଟଣୀ ପୂଜା ହେବ । ଟେରା ପରେ ପୂର୍ବ ଦ୍ଵାରେ ବାହାରି ଠାକୁର ବାଉଁଶିଆ ଯିବେ । ଫେରିଲେ ସଂନ୍ଧ୍ୟା ଧୂପ ଓ ବଡ଼ ସିଂହାର ନୀତି ହେବ ।
୨୯.ଜାଗର-(ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ): ସକାଳୁ ପୁରୋଧା ଗୋଟିଏ ଦୀପ ଲାଗାଇଲେ ଠାକୁରଙ୍କର ଅବକାଶ ନୀତି ହେବ । ବଲ୍ଲଭ ସରିଲେ ଷୋହଳଟି ଦୀପ ଲାଗିବାପରେ ସକାଳ ଧୂପ ହେବ । ଦିପ୍ରହର ଧୂପ ପରେ ଦର୍ଶନ ହେବ । ଟେରା ପରେ ସର୍କାରୀ ନୀତି ହୋଇ କେତକୀ ଲାଗି ହେବ । ସଂନ୍ଧ୍ୟା ଧୂପ ପରେ ବେଢ଼ା ହେବ । ଏହି ସମୟରେ ମନ୍ଦିର ଶୀର୍ଷରେ ନେତ ବନ୍ଧା ହେବ । ବେଢ଼ା ପରେ ମହନରେ ଧୂପ ହେବ ବନ୍ଦାପନା ହେବ ଓ ଶାଢୀ ବାହାରିବ । ଠାକୁର ଭିତରକୁ ଯିବେ । ରାତ୍ରୀରେ ବେଢ଼ା ପରେ ଚାରି ପ୍ରହରରେ ଚାରୋଟି ଶତରୁଦ୍ରରେ ଅଭିଷେକ ହେବ । ପ୍ରତି ଅଭିଷେକ ପରେ ପାଟ ଲୁଗା ଲାଗି ହେବ । ପ୍ରତିଥର ବସ୍ତ୍ର ଲାଗିପରେ ବଡ଼ ପଣ୍ଡାଙ୍କ ଦ୍ଵାରା ଧୂପ ହେବ । ଏହି ଅଭିଷେକ ନିମନ୍ତେ ନୂଆ ଆଟିକାରେ ବଡମାଳୀ ଜଳ ଆଣିବେ ଓ ସେହି ଜଳକୁ ବଡପଣ୍ଡା ପୁରୋଧାଙ୍କୁ ଅଭିଷେକ ପାଇଁ ଯୋଗାଇବେ । ଯଦି ଚତୁର୍ଦ୍ଦଶୀ ପରଦିନକୁ ଥାଏ ତେବେ ପୁଣି ବେଢ଼ା ହେବ।
୩୦. ଫଗୁ ଦଶମୀ (ଫାଲ୍ଗୁନ ଶୁକ୍ଳ ଦଶମୀ ): ଚତୁସମ ବେଳେ ସବୁ ଠାକୁର ଫଗୁ ଲାଗି ହେବେ । ଏହାକୁ ଭିତର ଭୋଗ କହନ୍ତି ।
୩୧.ଚାଚେରୀ-ଫାଲଗୁନ ଶୁକ୍ଳ ଏକାଦଶୀ ଠାରୁ ଚତୁର୍ଦ୍ଦଶୀ ଯାଏଁ ଚନ୍ଦ୍ରଶେଖର ଚତୁସମ ସରିଲେ ପୂର୍ବଦ୍ଵାର ଦେଇ ବାହାରି ଗ୍ରାମ ପରିକ୍ରମାରେ ଯିବେ । ଏହି ଚାଚେରୀରେ ହରିହରପୁର ଦଧିବାମନଜୀଉ ଯୋଗ ଦେବେ । ଫେରିଲେ ମହନରେ ଉଭୟଙ୍କ ପାଇଁ ଧୂପ ହେବ । ଚତୁର୍ଦ୍ଦଶୀ ଦିନ ଟେରା ପରେ ମହାପ୍ରଭୁ ନଗର ପରିକ୍ରମାରେ ଯିବେ । ଦୋଳ ମଣ୍ଡପରେ ହୋମ ହେବ । ପଣ୍ଡାମାନେ ହୋମାଗ୍ନିକୁ ହୁଳାରେ ନେଇ ଅଗ୍ନି ଉତ୍ସବ ପଡିଆରେ ଅଗ୍ନି ଲଗାଇ ଅଗ୍ନି ଉତ୍ସବ ପାଳନ କରିବେ । ପରେ ମହନ ଧୂପ ହୋଇ ଚତୁର୍ଦ୍ଦଶୀ ବେଢ଼ା, ଚତୁର୍ଦ୍ଦଶୀ ଧୂପ ଓ ସନ୍ଧ୍ୟା ଧୂପ କ୍ରମାନୁସାରେ ହେବ । ପରେ ଅନ୍ୟ ନୀତି ହେବ।
୩୭.ଦୋଳ ପୂର୍ଣ୍ଣିମା-(ଫାଲ୍ଗୁନ ପୂର୍ଣ୍ଣିମା): କ୍ଷୀରାଭିଷେକ ପରେ ସବୁ ବିଜେ ପ୍ରତିମା ଚଉଧଳରେ ଦକ୍ଷିଣ ଦ୍ଵାର ଦେଇ ବାହାରି ଦୋଳ ବେଦୀକୁ ଯିବେ । ହରିହରପୁର ବିଜେ ଦଧିବାମନ ଜୀଉଙ୍କର ଆଗମନ ପରେ ସେଠାରେ ଧୂପ ହେବ ଓ ଶାଢ଼ୀ ବାହାରିବ । ଟେରା ଓ ସଂନ୍ଧ୍ୟା ଧୂପ ସରିଲେ ଠାକୁରଙ୍କ ଜ୍ୟୋତିଷ ନୂଆ ପାଞ୍ଜି ଶୁଣେଇବେ । ତା'ପରେ ସମସ୍ତେ ଗ୍ରାମ ପରିକ୍ରମାରେ ବାହାରିବେ।
୩୩.ହୋଲି-(ଚୈତ୍ର କୃଷ୍ଣ ପ୍ରତିପଦା):ପ୍ରଭୁ ହୋଲି ଖେଳି ଖେଳି ଭିକାରିପଡ଼ା ପରିକ୍ରମା କରନ୍ତି।
୩୪.ଅଶୋକାଷ୍ଟମୀ-(ଚୈତ୍ର ଶୁକ୍ଲ ଅଷ୍ଟମୀ): ପୂର୍ବଦିନଠାରୁ ରଥକୁ ଯାଇ ରଥ ପ୍ରତିଷ୍ଠା ହେବ । ରଥରେ ଆଳତି ହୋଇ ଠାକୁର ମନ୍ଦିରକୁ ଫେରିବେ । ମହାରଣା ସେବକ ବୃଷଭଙ୍କୁ ଛତି ଘଣ୍ଟ ବାଜୁଥିବା ଅବସ୍ଥାରେ ନେଇ ରଥ ପ୍ରତିଷ୍ଠାରେ ଯୋଗ ଦେବେ । ଅଶୋକାଷ୍ଟମୀ ଦିନ କ୍ଷୀରାଭିଷେକ ପରେ ବିଜେ ପ୍ରତିମା ଚନ୍ଦ୍ରଶେଖର, ପଣ୍ଡାଙ୍କ ହାତରେ ପହଣ୍ଡି ହୋଇ ରଥକୁ ଯିବେ । ରଥ ଛେରାପହଁରା, ବନ୍ଦାପନା, ଧୂପ ଓ ଶାଢ଼ୀ ଲାଗି ହେବ । ରଥ ଟଣା ହୋଇ ଗୁଣ୍ଡିଚା ଘରକୁ ଯିବ।
୩୫.ହେରା-ଅଶୋକାଷ୍ଟମୀ ପରେ ତୃତୀୟ ଦିନ ସଂନ୍ଧ୍ୟା ଧୂପ ସାରି ଠାକୁରାଣୀ ପୂର୍ବଦ୍ଵାର ଦେଇ ବାହାରି ଗୁଣ୍ଡିଚା ଘରଠାକୁ ଯିବେ । ସେଠାରେ ଆଳତି ପରେ ଫେରିବେ।
୩୬.ରାମନବମୀ-(ଚୈତ୍ର ଶୁକ୍ଳ ନବମୀ): କ୍ଷୀରାଭିଷେକ ପରେ ରାମଜନ୍ମ ଉତ୍ସବ ହେବ । ନବ ଦିନଯାଏଁ ରାତ୍ରିରେ ରଘୁନାଥଙ୍କଠାରେ ଅଧିକ ଭୋଗ ହେବ।
୩୭.ନବ ପତ୍ରିକା-(ଚୈତ୍ର ଶୁକ୍ଳ ପ୍ରତିପଦା ଠାରୁ ନବମୀ): ଚତୁସମ ପରେ ଠାକୁରାଣୀଙ୍କ ଠାରେ ଠାକୁରାଣୀ ପୂଜକ ନବ ପତ୍ରିକା ଧୂପ କରିବେ ।
୩୮.ବାହୁଡା-(ଚୈତ୍ର ଶୁକ୍ଳଦଶୀ): ଚନ୍ଦ୍ରଶେଖର ଠାକୁର ଗୁଣ୍ଡିଚା ଘରୁ ବାହାରି ବୃଷଭ ଉପରେ ଆସି ସିଂହ ଦ୍ଵାରରେ ପହଁଚିବେ । ଠାକୁରାଣୀ ବିମାନରେ ଆସି ସେଇଠି ଭେଟ ହେବେ । ତା ପରେ ଦୁହେଁ ଭିତରକୁ ଯିବେ । ନାଟମଣ୍ଡପ ଠାରେ ଠାକୁରଙ୍କର କବାଟ କିଳିବେ । ସେଠାରେ ପଣ୍ଡାମାନେ ଠାକୁର ଠାକୁରାଣୀଙ୍କ ଭିତରେ କବାଟ ଫିଟା ଗୀତ ଗାଇବେ । ତା ପରେ ଶେଷକୁ ନାଟମଣ୍ଡପରେ ଆଳତି ହୋଇ ସିଂହାସନକୁ ବିଜେ କରିବେ।
୩୯.ଦମନକ ଚତୁର୍ଦ୍ଦଶୀ-(ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀ): ଟେରା ପରେ ନୀତି ହୋଇ ବେଢା ହେବ । ତା'ପରେ ଚତୁର୍ଦ୍ଦଶୀ ନୀତି ଓ ବନ୍ଦାପନା ନୀତି ହୋଇ ସନ୍ଧ୍ୟା ଧୂପ ହେବ।
୪୦.ଅକ୍ଷୟ ତୃତୀୟା-(ବୈଶାଖ ଶୁକ୍ଳ ତୃତୀୟା): କ୍ଷୀରାଭିଷେକ ପରେ ଠାକୁର ଠାକୁରାଣୀ ବେଶ ହୋଇ ସୁବାଷ ଭୋଗ (ଦହି, ଭାତ, ଡାଲି) ଗ୍ରହଣ କରିବେ । ଛତିଶାନିଯୋଗରେ ବଡ ପଣ୍ଡାଙ୍କ ହାତରେ ଥାଇ ଯାହା ଖାଇବେ, ଦକ୍ଷିଣ ଦ୍ଵାରେ ଆଳତି ହୋଇ ଗୋଟିଏ ଘେରା, ବେଢ଼ା ବୁଲି ଠାକୁର ଡଙ୍ଗାରେ ବିଜେ କରି ସରୋବରରେ ଗୋଟିଏ ଘେରା ବୁଲି ଚନ୍ଦନ ଘରେ ଧୂପ ହେବ । ଠାକୁର ସେଇଠି ଚନ୍ଦନପାଣିରେ ବୁଡି ରହିବେ । ସଂନ୍ଧ୍ୟାରେ ବଡ଼ପଣ୍ଡା ଯାଇ ଠାକୁରଙ୍କୁ ପାଣିରୁ ବାହାର କରି ବେଶ କରିବେ । ଭୋଗ ଲଗାଇବେ । ତା'ପରେ ମନ୍ଦିର ଭିତରେ ସଂନ୍ଧ୍ୟା ଧୂପ ଓ ଚତୁସମ ନୀତି ପରେ ପୁଣି ଠାକୁର ଡଙ୍ଗାରେ ବସି ପୋଖରୀରେ ତିନି ବେଢ଼ା ପରିକ୍ରମା କରି ଡଙ୍ଗାରୁ ଓହ୍ଲେଇ ଗ୍ରାମ ପରିକ୍ରମାରେ ବାହାରିବେ । ଚାଳି ମଣ୍ଡପରେ ଚାଳି ଧୂପ ଖାଇ ମନ୍ଦିରକୁ ଫେରିବେ ଏହି ପରି ଅକ୍ଷୟ ତୃତୀୟାଠାରୁ ୨୦ଦିନ ଯାଏଁ କାର୍ଯ୍ୟକ୍ରମ ଚାଲେ, ଏହାକୁ ଚନ୍ଦନଯାତ୍ରା କୁହାଯାଏ । ୨୧ତମ ଦିନଟିକୁ ମହା ଆଡମ୍ବରରେ ପାଳନ କରାଯାଏ । ଏ ଦିନ ଏକୋଇଶ ବାର ଚାପରେ ପରିକ୍ରମା କରନ୍ତି । ଏହି ଶେଷ ଦିନ ଦଧିବାମନ ଆସି ଚାପରେ ଯୋଗ ଦିଅନ୍ତି । ଏହା ଭିତରେ ଯଦି ଚତୁର୍ଦ୍ଦଶୀ ପଡେ ତେବେ ଠାକୁର ଚନ୍ଦନରୁ ଫେରିଲେ ଚତୁର୍ଦ୍ଦଶୀ ବେଢ଼ା ହୁଏ । ତା ପରେ ଚତୁର୍ଦ୍ଦଶୀ ଧୂପ ହୋଇ ଅନ୍ୟାନ୍ୟ ନୀତିହୁଏ । ଭଉଁରୀ ବାସି ୨୨ତମ ଦିନ ଠାକୁର ଟେରା ପରେ ଡଙ୍ଗାରେ ବସି ଲାଭ ବେଢ଼ାଟିଏ ବୁଲି ତା ପରେ ଗ୍ରାମ ପରିକ୍ରମାରେ ବାହାରନ୍ତି।
୪୧.ଭିତର ଚନ୍ଦନ-ଭଉଁରୀ ବାସି ଦିନଠାରୁ ଦେବସ୍ନାନ ପୂର୍ଣ୍ଣିମା ଯାଏଁ ଭିତର ଚନ୍ଦନ ହୁଏ । ଚଳନ୍ତି ପ୍ରତିମା ଦ୍ଵିପ୍ରହର ପରେ ଚନ୍ଦନ ପାଣିରେ ବୁଡି ରହନ୍ତି । ଟେରା ପୂର୍ବରୁ ବେଶ ହୋଇ ପଣା ଭୋଗ ହୁଏ । ତା ପରେ ଟେରା ଫିଟା ନୀତି ହୁଏ।
୪୨.ପଣା ସଂକ୍ରାନ୍ତି-କ୍ଷୀରାଭିଷେକ ପରେ ପାଟ ବୃଷଭଠାରେ ସାତଟି ମାଠିଆ କଣା କରି ସଂସ୍କାର କରାଯାଏ । ତା'ପରେ ଛତା ଉତ୍ସର୍ଗ ନୀତି ହୁଏ । ପୁରୋହିତ ପଣ୍ଡାଙ୍କୁ ଓ ପଣ୍ଡା ପୁରୋହିତଙ୍କୁ ଗୋଟିଏ ଗୋଟିଏ ଛତା ଦିଅନ୍ତି । ଚଉରା ଠାରେ ବସୁଧାରା ବସେ । ଏହା ଦେବସ୍ନାନ ପୂର୍ଣ୍ଣିମା ଯାଏ ରୁହେ । ପଣା ସଂକ୍ରାନ୍ତିଠାରୁ ବୃଷ ସଂକ୍ରାନ୍ତି ଯାଏଁ କ୍ଷୀରାଭିଷେକ ପରେ ଠାକୁରଙ୍କୁ ପଣା ଭୋଗ ଲାଗି ହୁଏ।
୪୩.ସାବିତ୍ରୀ ଅମାବାସ୍ୟା–(ଜ୍ୟେଷ୍ଠ ଅମାବାସ୍ୟା):ଏ ଦିନ ସକାଳ ଧୂପ ପରେ ଠାକୁରାଣୀଙ୍କ ଠାରେ ମଙ୍ଗଳବାର ଧୂପ ପରି ଧୂଆମୁଗ, ଫଳମୂଳ ଇତ୍ୟାଦି ଭୋଗ ହୁଏ।
୪୪.ମଙ୍ଗନ-(ଜ୍ୟେଷ୍ଠ ଶୁକ୍ଳ ଚତୁର୍ଥୀ):ଟେରାନୀତି ପୂର୍ବରୁ ରୋଷଘର ଠାରେ ମଙ୍ଗନ ହାଣ୍ଡି ବସିଲେ ଟେରା ଫିଟା ହେବ । ଚତୁସମ ପରେ ଠାକୁରାଣୀଙ୍କଠାରେ ନିମନ୍ତ୍ରଣ ପଢ଼ାଯିବ । କ୍ଷୀରିପିଠା ପୂଜା ହେବ । କାହାଳୀ ବାଜି ନିମନ୍ତ୍ରଣ ପୂର୍ବ ଦ୍ଵାର ଦେଇ ଭିତରକୁ ଆସିବ । ସେଠାରେ ଠାକୁରାଣୀଙ୍କ ନିମନ୍ତ୍ରଣ ପୁରୋଧା ପଢ଼ି ମହାଦେବଙ୍କୁ ଶୁଣେଇବେ।
୪୫.ବିବାହ-(ଜ୍ୟେଷ୍ଠ ଶୁକ୍ଳ ପଞ୍ଚମୀ):ଟେରା ଫିଟା ପରେ ଚନ୍ଦ୍ରଶେଖର ବୃଷଭରେ ଆରୋହଣ କରି ଯାଇ ପୂର୍ବଦ୍ଵାରରେ ଆଳତି ହେବ । ସେତେବେଳକୁ ଭିକାରିପଡା ଗୋସେଇଁମାନେ ବେଠିଆ ପଠାଇ ଥିବେ । ଘଣ୍ଟ ନ ବାଜି ପ୍ରଭୁଙ୍କୁ ସିଧା ଭିକାରିପଡାସ୍ଥ ବିଭା ମଣ୍ଡପକୁ ନିଆଯିବ । ତାଙ୍କ ପଛରେ ଗୋପୀନାଥ ପୂର୍ବ ଦ୍ଵାରରେ ଆଳତି ହୋଇ ଛତିଶା ନିଯୋଗରେ ଚାଳି ମଣ୍ଡପରେ ଚାଳି ଭୋଗ ଖାଇ ପୂର୍ବୋକ୍ତ ବିଭାମଣ୍ଡପକୁ ଯିବେ । ବେଠିଆଙ୍କ କାନ୍ଧରେ ଥାଇ ଧୂପ ହେବ । ଧୂପ ସରିଲେ ଉଭୟେ ଭିକାରିପଡାରେ ଦ୍ଵାରଭୋଗ ପୂଜା ଖାଇ ପୋଖରୀ ପାଖ ଉଠାଣି ଯାଏଁ ଆସିବେ । ସେଇଠି ବାଟବରଣ ନୀତି ହେବ । ତେଣେ ଚନ୍ଦ୍ରଶେଖର ମହନକୁ ଫେରିବା ପରେ ସେଇଠି ପୁରୋଧା ବିବାହ ନୀତି ସମାପନ କରିବେ ।
୪୬.ଶୀତଳ ଷଷ୍ଠୀ-(ଜ୍ୟେଷ୍ଠ ଶୁକ୍ଳଷଷ୍ଠୀ): ବଡସିଂହାର ପରେ ଠାକୁର ମାନେ ବେଶ ହୋଇ ମହନରେ ବସିବେ । ସେଇଠି ଧୂପ ହେବ । ଶାଢୀ ବାହାରିବ, ନିମନ୍ତ୍ରିତ ଠାକୁର ମାନେ ବେଢ଼ାରେ ଆସି ପହଁଚିଲା ପରେ ପୂର୍ବ ଦ୍ଵାରଠାରେ ସମସ୍ତ ଠାକୁର ମାନଙ୍କୁ ଆଳତି କରାଯିବ । ହରିହରପୁର ଦଧିବାମନଜୀଉ ଥାଟବାଟ ସହ ସାଜସଜାରେ ଆସି ପହଞ୍ଚି ଥାନ୍ତି । ଆଳତି ପରେ ସମସ୍ତ ଠାକୁର ସାଜସଜାରେ ଯାଇ ଚାଳି ମଣ୍ଡପ ପାଖରେ ନିର୍ମିତ ମେଳନ ପଡିଆରେ ଭାଡ଼ିରେ ବସିଲେ ବାଣ ରୋଷଣି ଫୁଟିବ । ବାସି ଦିନ ସକାଳ ମନ୍ଦିରରେ ଅବକାଶ ନୀତି ହେବା ପରେ ମେଳନ ପଡିଆରେ ଅବକାଶ ନୀତି ହେବ । ତା ପରେ ମା'ଙ୍କବାଡ଼, ବିଷ୍ଣୁଙ୍କ ବାଡ଼ ଓ ମହେଶ୍ଵରଙ୍କ ବାଡ଼ ଏହିପରି ତିନିବାଡ଼ ପାଇଁ ଅଲଗା ଚାଳି ଧୂପ ହେବ । ଧୂପ ପରେ ସମସ୍ତ ଦିଅ ଭିକାରିପଡା ଶେଷରେ ଥିବା ଶୀତଳଷଷ୍ଠୀ ପଡିଆକୁ ଯାଆନ୍ତି । ସେଠାରେ ଧୂପ ହୁଏ । ଠାକୁର ସେଠାରୁ ଫେରିଲା ବେଳେ ଭିକାରିପଡାରେ ଦ୍ଵାର ଭୋଗ ଖାଇ ଖାଇ ଆସିବେ । ସମସ୍ତେ ମହନକୁ ଯିବେ । ମହନରେ ନିଜ ନିଜ ପାଇଁ ଉଦ୍ଦିିଷ୍ଟ ଆସନରେ ବସି ମାଘସ୍ନାନ ହେବେ । ଚନ୍ଦନ ଦିଆଯାଏ । ପଙ୍ଖା ବା ଆଲଟ ଚାମର ପକାଯାଏ । ରାଜକୀୟ ନୀତିରେ ଭୋଗ ହୁଏ । ତା'ପରେ ନିମନ୍ତ୍ରିତ ଠାକୁରମାନେ ଫେରି ଯାଆନ୍ତି ଓ ମନ୍ଦିରରେ ଦୈନିକ ନୀତି ରୀତିମତ ହୁଏ।
୪୭.ଚଉଠୀ-(ବିବାହ ଠାରୁ ଚାରିଦିନ): ଟେରା ପରେ ଗୋପୀନାଥ ବିନା ଘଣ୍ଟରେ ବିଭାମଣ୍ଡପକୁ ଯା'ନ୍ତି । ବୃଷଭ ଉପରେ ଉମା ମହେଶ୍ଵର ଓ ବିମାନରେ ଚନ୍ଦ୍ରଶେଖର ପାର୍ବତୀ ବସି ପୂର୍ବ ଦ୍ଵାରରେ ଆଳତି ହୋଇ ଛତିଶାନିଯୋଗରେ ବାହାରି ଚାଳିଭୋଗ ଖାଇ ଭିକାରିପଡା ବିଭା ମଣ୍ଡପକୁ ଯାଆନ୍ତି । ବେଠିଆଙ୍କ କାନ୍ଧରେ ଥାଇ ସେଠାରେ ଭୋଗ ଖାଆନ୍ତି । ଫେରିବା ସରେ ମହନରେ ଚତୁର୍ଥୀ କର୍ମ ହୁଏ।
୪୮.ସାତ ମଙ୍ଗଳା-(ବିବାହଠାରୁ ସାତଦିନ): ଦେବ ଦମ୍ପତିଙ୍କର ବିବାହ ଉପରାନ୍ତ ସାତ ଦିନରେ ସାତ ମଙ୍ଗଳା ଯାତ୍ରା ଅନୁଷ୍ଠିତ ହୁଏ । ବିବାହର ସପ୍ତମ ଦିନ ମହାପ୍ରଭୁ ଚନ୍ଦ୍ର ଶେଖର ଓ ମାତା ପାର୍ବତୀ ବାଉଁଶିଆସ୍ଥିତ ବଡ଼ଭାଇ ମହାପ୍ରଭୁ ସ୍ବପ୍ନେଶ୍ଵର ମନ୍ଦିରକୁ ଆଶୀବାର୍ଦ ନିମନ୍ତେ ଯାଆନ୍ତି।
ବିବାହ ଦିନ ଠାରୁ ସପ୍ତମ ଦିବସରେ ମହାପ୍ରଭୁଙ୍କର ସାତମଙ୍ଗଳା ଉତ୍ସବ ପାଳିତ ହୁଏ । ଶୀତଳ ଷଷ୍ଠୀ ଦିନ ବାଉଁଶିଆ ରଘୁନାଥପୁର ବ୍ରାହ୍ମଣ ଶାସନରୁ ଲଡ଼ୁବାବାଙ୍କ ମନ୍ଦିରକୁ ବଡ଼ଭାଇ ସ୍ବପ୍ନେଶ୍ଵର ମହାଦେବଙ୍କ ତରଫରୁ ବ୍ରାହ୍ମଣ ମହାଜନମାନେ ଭେଟି ତଥା ବରଣ ଦ୍ରବ୍ୟମାନ ଧରି ଆସି ମହାପ୍ରଭୁଙ୍କୁ ବରଣ କରି ଯାଆନ୍ତି । କିମ୍ବଦନ୍ତୀ ତଥା ପ୍ରଚଳିତ ଲୋକକଥା ଅନୁସାରେ ସ୍ବପ୍ନେଶ୍ଵର ମହାଦେବ ହେଉଛନ୍ତି ପ୍ରଭୁ ଲଡ଼ୁବାବାଙ୍କର ବଡ଼ ଭାଇ ଓ ଛୋଟା । ତେଣୁ ମହାପ୍ରଭୁଙ୍କ ବିବାହ ଉତ୍ସବରେ ସେ ଯୋଗ ଦେଇ ପାରି ନ ଥିବାରୁ ସାନଭାଇ ସ୍ବୟଂ ଯାଇ ତାଙ୍କୁ ଭେଟି ଆଶୀବାର୍ଦ ପ୍ରାପ୍ତ କରିବା ପାଇଁ ନିମନ୍ତ୍ରଣ ପଠାଇଥାଆନ୍ତି । ଭାଇଙ୍କ ନିମନ୍ତ୍ରଣ ରକ୍ଷାକରି ମହାପ୍ର୍ରଭୁ ତଥା ମାତା ପାର୍ବତୀ ସନ୍ଧ୍ୟାରେ ମନ୍ଦିରରେ ଟେରା ନୀତି ସରିବା ପରେ ଗୋଟିଏ ପ୍ରଭାରେ ଘଣ୍ଟ, ଘଣ୍ଟା, ଛତି, ତ୍ରାଶ, ବାନା ବଇରଖ ତଥା ସାଜସଜ୍ଜାରେ ବାଉଁଶିଆ ଯାତ୍ରା କରିଥାଆନ୍ତି । ସେଠାରେ ପ୍ରଭୁ ସ୍ବପ୍ନେଶ୍ଵରଙ୍କ ତରଫରୁ ମନ୍ଦିରରେ ପ୍ରଭୁ ଲଡ଼ୁବାବାଙ୍କୁ ସ୍ବାଗତ କରାଯାଇଥାଏ । ବନ୍ଦାପନ ହୋଇଥାଏ । ଦୁଇଭାଇ ଏକାଠି ବସନ୍ତି । ତାଙ୍କୁ ଶୋଡ଼ଶ ଉପଚାରରେ ଚାରିଧୂପ ଏକାଥରରେ ଅର୍ପଣ କରାଯାଇଥାଏ । ବାଉଁଶିଆ ତରଫରୁ ଗ୍ରାମ ସଭାପତି, ସମ୍ପାଦକ ଆଦି ସହଯୋଗ କରିଥାଆନ୍ତି । ଭୋଗ ଉପରାନ୍ତେ ବଡ଼ଭାଇଙ୍କ ଠାରୁ ଆଶୀବାର୍ଦ ଗ୍ରହଣ କରି ମହାପ୍ରଭୁ ଫେରିବା ବାଟରେ ବାଉଁଶିଆ ରଘୁନାଥପୁର ଶାସନ ଓ ଭିକାରୀପଡ଼ା ହରିହରପୁର ଶାସନରେ ଦ୍ଵାର ଭୋଗ ଅପିର୍ତ ହୋଇ ମନ୍ଦିରକୁ ଫେରିଥାଆନ୍ତି । ମନ୍ଦିରକୁ ଆସିବା ପରେ ମହାପ୍ରଭୁଙ୍କୁ ମହନ ଭିତରକୁ ନିଆ ଯାଇ ସେଠାରେ ମନ୍ଦିର ପରିଛା ତଥା ପୁରୋହିତଙ୍କ ଦ୍ଵାରା ସାତମଙ୍ଗଳା କର୍ମ କରାଯାଇଥାଏ । ବିବାହ ମୁକୁଟ ତଥା ଅଷାଢ଼ୁଆ ସୁତା ଖୋଲା ଯାଇ ଥାଏ । ତାହା ପରେ ସନ୍ଧ୍ୟାଧୂପ ହୋଇଥାଏ।
୪୯. ରୁକ୍ମିଣୀ ବିବାହ-(ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ): ଟେରା ପରେ ଗୋପୀନାଥ ଓ ମହାଲକ୍ଷ୍ମୀ ଦେଶ ହୋଇ ଜଗନ୍ନାଥ ମନ୍ଦିରକୁ ଯାଆନ୍ତି । ସେଠାରେ ବିବାହ କାର୍ଯ୍ୟ ସମାପନ ହୁଏ । ପରିଲେ ଦୈନିକ ନୀତି ହୁଏ।
୫୦.ରଜ-(ମିଥୁନ ସଂକ୍ରାନ୍ତି ପୂର୍ବଦିନରୁ ପରଦିନ): ମହାଲକ୍ଷ୍ମୀ ତିନି ଦିନ ସିଂହାସନ ତଳେ କାଠ ପ୍ରକାରେ ଅଲଗା ହୋଇ ବସନ୍ତି । ଫଳମୂଳ ଭୋଗ ହୁଏ । ମହାଲକ୍ଷ୍ମୀ ବୁଡ ଦିନ ଅଁଳା ଓ ହଳଦୀରେ ମହାଲକ୍ଷ୍ମୀଙ୍କୁ ଗାଧୋଇ ଦିଆଯାଏ । ସେ ନବବସ୍ତ୍ର ଲାଗି ହେବା ପରେ ମହନରେ ଗୁରୁବାର ଧୂପ ପରି ମହନରେ ଧୂପ ହୁଏ।
୫୧.ପର୍ଶୁରାମ ଅଷ୍ଟମୀ-(ଆଷାଢ଼ ଶୁକ୍ଳ ଅଷ୍ଟମୀ) କ୍ଷୀରାଭିଷେକ ପରେ ସର୍କାରୀନୀତି ହୋଇ ବନ୍ଦାପନା ହୁଏ ପରେ ଦ୍ଵିପହର ଧୂପ ହୁଏ।
୫୨.ଶୟନ ଚତୁର୍ଦ୍ଦଶୀ-(ଆଷାଢ଼ ଶୁକ୍ଳ ଚତୁର୍ଦ୍ଦଶୀ): ଟେରା ପଲେ ଚତୁର୍ଦ୍ଦଶୀ ବେଢା ହୋଇ ଚତୁର୍ଦ୍ଦଶୀ ଧୂପ ବନ୍ଦାପନା ଧୂପ ଓ ସନ୍ଧ୍ୟା ଧୂପ ଆଦି ପରେ ପରେ ହୁଏ।
୫୩.ଜ୍ୟେଷ୍ଠ ପୂର୍ଣ୍ଣିମା-(ସ୍ନାନପୂର୍ଣ୍ଣିମା):ଭୋର ପାଞ୍ଚଟାରୁ ଲଡ଼ୁବାବାଙ୍କର ବଲ୍ଲଭ ପରେ ଛତି କାହାଳୀ ସହ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କୁ ଧାଡ଼ିି ପହଣ୍ଡିରେ ସ୍ନାନ ବେଦୀକୁ ନିଆଯାଏ । ଗୋପୀନାଥ ମନ୍ଦିରରୁ ଗୋପୀନାଥ ମଧ୍ୟ ସ୍ନାନ ବେଦୀକୁ ବିଜେ ହୁଅନ୍ତି । ୧୦୮ ଗରା ଜଳ ବାମ୍ଫି(ସ୍ବତନ୍ତ୍ର କୂପ)ରୁ ପାଳିଆ ସେବକମାନେ ଆଣି ସଜେଇ ରଖିଥାନ୍ତି । ଅବକାଶ ପରେ ଉକ୍ତ ଜଳକୁ ପୂଜକଙ୍କ ଦ୍ଵାରା ମନ୍ତ୍ରପୁତ କରି ଚନ୍ଦନ କର୍ପୁର ଦେଇ ସୁବାଷିତ କରାଯାଇଥାଏ । ଅବକାଶ ପରେ ଉକ୍ତ ଜଳରୁ ବଳଭଦ୍ରଙ୍କୁ ୩୩, ଜଗନ୍ନାଥଙ୍କୁ ୩୫, ସୁଭଦ୍ରାଙ୍କୁ ୨୨ ଓ ସୁଦର୍ଶନଙ୍କୁ ୧୮ କୁମ୍ଭ ଜଳରେ ସ୍ନାନ କରାଯାଏ । ଗୋପୀନାଥଙ୍କୁ ମଧ୍ୟ ୧୧ଗରା ଜଳରେ ସ୍ନାନ କରାଯାଏ । ସ୍ନାନ ପରେ ବଲ୍ଲଭ ହୁଏ । ଏଥିରେ ଏକ ହଣ୍ଡା ପଣାଭୋଗ ହୁଏ । ଲଡ଼ୁବାବାଙ୍କର ସକାଳ ଧୂପ ପରେ ଜଗନ୍ନାଥଙ୍କର ସ୍ନାନ ମଣ୍ଡପରେ ସକାଳ ଧୂପ, ଦ୍ଵିପହର ଧୂପ ଓ ସ୍ନାନ ପୂର୍ଣ୍ଣମୀର ଅଧିକ ଭୋଗ ହୋଇଥାଏ । ବଡ଼ପଣ୍ଡା, ସୁଆର ଓ ପ୍ରତିହାରୀମାନେ ଠାକୁରଙ୍କୁ ବେଶ କରାଇଥାନ୍ତି । ତାପରେ ଠାକୁରଙ୍କୁ ଗୋଟି ପହଣ୍ଡିରେ ଅଣସର ଘରକୁ ବିଜେ କରାଯାଏ । ସେଠାରେ ଚକଟା ଭୋଗ ଅର୍ପଣ କରାଯାଏ । ମୂଖ୍ୟ ମନ୍ଦିରରେ ପଟ୍ଟିଦିଅଁ ଧବଳ ବର୍ଣ୍ଣ ବାସୁଦେବ(ଶେଷଦେବ), ହରିଦ୍ରା ବର୍ଣ୍ଣା ମାତା ଭୁବନେଶ୍ଵରୀ ଓ କୃଷ୍ଣ ବର୍ଣ୍ଣର ମହାନାରାୟଣଙ୍କୁ ସ୍ଥାନିତ କରାଯାଇ ଭୋଗ ଅର୍ପଣ ହୁଏ । ପର ଦିନ ସକାଳୁ ପଟିଦିଅଁମାନେ ଭକ୍ତଙ୍କୁ ଦେଖା ଦିଅନ୍ତି । ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ମହାପ୍ରଭୁଙ୍କର ଯାତ୍ରାରେ ଭାଗ ନିଅନ୍ତି । ପଟ୍ଟି ଦିଅଁଙ୍କର ପୂଜା ଏହିପରି ଚତୁର୍ଦ୍ଦଶୀ ଯାଏଁ ଚାଲେ । ଅମାବାସ୍ୟା ଦିନ ରାତି ବଡ ସିଂହାର ପରେ ପଟି ଦିଅଁ ବାହାରି ଭଦ୍ରାସନରେ ଚକା ଲାଗି ହେବେ।
୫୪.ନେତ୍ର ଉତ୍ସବ-(ଆଷାଢ଼ ଅମାବାସ୍ୟା ଯୁକ୍ତ ପ୍ରତିପଦା): ସକାଳୁ ତିନି ଠାକୁର ଛତିଶା ନିଯୋଗରେ ନୂଆ ବସ୍ତ୍ର ପରିଧାନ କରିବା ପରେ ଆଖିଫିଟା ନୀତି ହେବ । ଏତିକି ବେଳେ ପଣା ଖଈ ଆଦି ଅଧିକ ଭୋଗ ହୁଏ । ପରେ ସେଠାରେ ଅବକାଶ ହୁଏ । ପୂର୍ବପରି ଧୂପ ହୁଏ । ଏ ଦିନ ଘଣ୍ଟ କାହାଳୀ ବାଜିବ । ରାତ୍ରିରେ ତିନି ଠାକୁର ଚକାରୁ ଓହ୍ଲାଇବେ।
୫୫. ଶ୍ରୀ ଗୁଣ୍ଡିଚା-(ଆଷାଢ଼ ଶୁକ୍ଳ ଦ୍ଵିତୀୟ): ସକାଳୁ ଅବକାଶ, ବଲ୍ଲଭ ଓ ସକାଳ ଧୂପ ହେବା ପରେ ଛେଣାପଟା ଲାଗି ହୋଇ ସୁଦର୍ଶନଙ୍କ ସହ ତିନିଠାକୁର ବୃନ୍ଦାବତୀଙ୍କ ପାଖରେ ଦକ୍ଷିଣକୁ ମୁହଁ କରି ବସନ୍ତି, ସେଇଠି ଆଳତି ହୁଏ । ପହଣ୍ଡି କାର୍ଯ୍ୟ ତା' ପରେ ଆରମ୍ଭ ହୁଏ । ପହଣ୍ଡି ସମୟରେ ଲଡ଼ୁବାବାଙ୍କ ପୂର୍ବଦ୍ଵାର ସାମନାରେ ବେଢ଼ାରେ ବିଶ୍ରାମ ନେବା ଲକ୍ଷ୍ୟରେ ଟିକେ ରୁହନ୍ତି । ସେଇଠି ଆଳତି ଓ ଭୋଗ ହୁଏ । ତା' ପରେ ରଥ ପାଖକୁ ଯାଆନ୍ତି । ରଥ ତଳେ ଥାଇ ପୂର୍ବପରି ଭୋଗ ଓ ଆଳତି ହୁଏ । ତା ପରେ ଠାକୁରମାନେ ନିଜ ନିଜ ରଥରେ ଚଢ଼ନ୍ତି । ସୁଭଦ୍ରାଙ୍କ ରଥରେ ସୁଦର୍ଶନ ରୁହନ୍ତି । ଠାକୁରମାନେ ବେଶ ହେବା ପରେ ରଥକୁ ବଡ଼ପଣ୍ଡା ଛେରାପହଁରା କରନ୍ତି । ରଥ ଉପରେ ଧୂପ ହେବା ପରେ ରଥ ଟଣା ହୁଏ।
୫୭.ନବମୀ ସନ୍ଧ୍ୟା ଦର୍ଶନ-(ଆଷାଢ଼ ଶୁକ୍ଳ ନବମୀ):ନବମୀ ଦିନ ଟେରାଫିଟା ପରେ ଆଡ଼ପ ମଣ୍ଡପରେ ସନ୍ଧ୍ୟା ଦର୍ଶନ ହୁଏ।
୫୬.ବାହୁଡା- (ଆଷାଢ଼ ଶୁକ୍ଳ ଦଶମୀ): ସକାଳ ଧୂପପରେ ଠାକୁର ଗୁଣ୍ଡିଚା ମଣ୍ଡପରେ ଆଳତି ହୋଇ ରଥରେ ବସିବେ । ସିଂହ ଦ୍ଵାରରେ ରଥ ଲାଗିବା ପରେ ରଥ ଉପରେ ପ୍ରଭୁ ଏକାଦଶୀ କରନ୍ତି । ଦ୍ଵାଦଶୀ ଦିନ ସକାଳୁ ମହାଲକ୍ଷ୍ମୀ ବେଶ ହୋଇ ବିମାନରେ ରଥ ପାଖକୁ ଆସନ୍ତି । ସେଠାରେ ଆଳତି ପରେ ସେ ଯାଇ ଜଗନ୍ନାଥଙ୍କ ମହନରେ ବସନ୍ତି । ତା ପରେ ରଥ ଉପରେ ଧୂପ ହୋଇ ପହଣ୍ଡି ହୁଏ । ବଡ ଠାକୁର ଓ ସୁଭଦ୍ରା ମନ୍ଦିର ଭିତରକୁ ଯିବେ କିନ୍ତୁ ଜଗନ୍ନାଥଙ୍କୁ ଦାସୀମାନେ କବାଟ କିଳି ବାହାରେ ରଖିବେ । ପରେ ଲାଞ୍ଚ ପାଇବା ପରେ ଦ୍ଵାର ଫିଟାନ୍ତି । ମହନରେ ଲକ୍ଷ୍ମୀନାରାୟଣ ଭେଟ ହୁଏ ଓ ଭେଟ ଆଳତି ହୁଏ । ଏହା ପରେ ସେ ସିଂହାସନରେ ବିଜେ ହୁଅନ୍ତି ଓ ଅନ୍ୟାନ୍ୟ ନୀତି ହୁଏ ।
୫୮.ଶେଷ ସୋମବାର-ବୈଶାଖ ମାସର ଶେଷ ସୋମବାର ଦିନଟିକୁ ସରନ୍ତି ସୋମବାର ବୋଲି କହନ୍ତି । ଏହି ଦିନ ନୟାଗଡ଼ ଷୋଳ ଶାସନ ଓ ଛତିଶ କରବାଡ଼ର ବ୍ରାହ୍ମଣମାନେ ଆସି ପୃଥକ ପୃଥକ ଭାବରେ ବେଢା ମଧ୍ୟରେ ନାନା ନିସଂଖୁଡ଼ି ଭୋଗ ପ୍ରସ୍ତୁତ କରନ୍ତି । ଏହି ଭୋଗ ଠାକୁରଙ୍କର ଚନ୍ଦନ ଯାତ୍ରା ସମୟରେ ଠାକୁରଙ୍କୁ ସମର୍ପଣ କରାଯାଏ । ବ୍ରାହ୍ମଣମାନେ ଶେଷରେ ବେଢ଼ା ମଧ୍ୟରେ ଏକାସମୟରେ ରାଜା ଆଂଶାଂଶା ପୂର୍ବକ ଏହି ପ୍ରସାଦ ସେବନ କରନ୍ତି।
୫୯.ଝୁଲଣ ଯାତ୍ରା-ଶ୍ରାବଣ ମାସର ଶୁକ୍ଳ ଏକାଦଶୀ ତିଥିଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ମଦନ ମୋହନ ଝୁଲଣ ମଣ୍ଡପରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଦୋଳିରେ ଆରୋହଣ କରନ୍ତି । ନିର୍ଦ୍ଧାରିତ ଭୋଗ ସମର୍ପିତ ହେବା ପରେ ଠାକୁର ଗମ୍ଭିରା ମଧ୍ୟରେ ପ୍ରବେଶ କରନ୍ତି।
୬୦.ପହିଲି-ଧନୁସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଏକମାସ ବ୍ୟାପି ଠାକୁରଙ୍କ ମନ୍ଦିରରେ ପହିଲି ଭୋଗ ଲାଗି ହୁଏ । କାନିକା, ଖେଚେଡ଼ି, ଖିରି, ତରକାରୀ, ଡାଲି, ଖଟା ଯାହା ସକାଳ ଧୂପରେ ହୁଏ ସେସବୁ ସକାଳ ୭ଘଣ୍ଟା ପୂର୍ବରୁ ଠାକୁରଙ୍କୁ ଅର୍ପଣ କରାଯାଏ।
ବେଢ଼ା
ଠାକୁରଙ୍କର ବିଜେ ପ୍ରତିମା ଚଉଧଳ ବା ବିମାନରେ ଚଢ଼ି ଛତିଶାନିଯୋଗରେ ମନ୍ଦିର ପରିକ୍ରମା କରିବାକୁ ବେଢ଼ା କହନ୍ତି । ସମସ୍ତ ସୋମବାର, ସମସ୍ତ ଚତୁର୍ଦ୍ଦଶୀ, ଯମ ଦ୍ଵିତୀୟା (ମାର୍ଗଶିର କୃଷ୍ଣ ଦ୍ଵିତୀୟା ଏବଂ ନବାଙ୍କ (ମକର ସଂକ୍ରାନ୍ତି ପୂର୍ବଦିନ) ଦିନମାନଙ୍କରେ ବେଢ଼ା ହୁଏ । ପ୍ରଭୁଙ୍କର ବିଜେ ପ୍ରତିମା ଚଉଧଳ ଚଢ଼ି ଦକ୍ଷିଣ ଦ୍ଵାର ଦେଇ ବାହାରକୁ ବାହାରନ୍ତି । ଦକ୍ଷିଣ ଦ୍ଵାରରେ ଆଳତି ହୁଏ । ମନ୍ଦିର ପରିଚ୍ଛା ଆଳତି ଗ୍ରହଣ କରି ସାରିବା ପରେ ଠାକୁର ମନ୍ଦିର ପରିକ୍ରମା କରନ୍ତି । ଏହିପରି ପ୍ରତିଦିନ ତିନି ଥର ପରିକ୍ରମା ହୁଏ । ପ୍ରତିଥର ପରିକ୍ରମା ଶେଷରେ ମହାଦୀପ ସେବକ ଥରେ ଲେଖାଏଁ ତିନିଥର ମନ୍ଦିର ଉପରେ ମହାଦୀପ ଜାଳି ନୟାଗଡ଼ ରାଜାଙ୍କର ମଙ୍ଗଳ କାମନା କରେ । ନବାଙ୍କ ଦିନ ଅଧିକ ଛଅଥର ବେଢ଼ା ହୁଏ । ଏହି ଅଧିକ ବେଢ଼ା ପାଟବୃଷଭ ଠାରେ ଭିତରେ ଛଅ ଥର ହୁଏ । ଘଣ୍ଟ ଘଣ୍ଟା ଛତି, ଚାମର, କାହାଳୀ ସହିତ ଏବଂ ବେଳେ ବେଳେ ନାମ ସଂକୀର୍ତ୍ତନ ସହିତ ପ୍ରଭୁ ବେଢ଼ା ପରିକ୍ରମା କରନ୍ତି।
ବେଢା ପରିକ୍ରମା
ଭକ୍ତମାନେ ପ୍ରଭୁଙ୍କୁ ପ୍ରଦକ୍ଷିଣ କଲେ ଶକ୍ତି ପ୍ରାପ୍ତ ହୁଅନ୍ତି ବୋଲି କଥିତ ଅଛି । ଶିବଙ୍କୁ ଅର୍ଦ୍ଧ ପରିକ୍ରମା କରାଯାଏ ବୋଲି ଶାସ୍ତ୍ରୀୟ ପ୍ରମାଣ ଅଛି । ଏହି ଅର୍ଦ୍ଧ ପରିକ୍ରମା କରାଯିବାର କାରଣ ସ୍ବରୂପ ତିନୋଟି ମତ ପ୍ରଚଳିତ ରହିଛି ।
୧) ସୋମ ସୂତ୍ର ନ ଲଙ୍ଘିବା ପାଇଁ-କୁହାଯାଏ ସୋମ ସୂତ୍ର ଲଙ୍ଘନ କଲେ ଶିବ ଶଙ୍କରଙ୍କୁ ଲାଗିଥିବା ବ୍ରହ୍ମ କପାଳୀ ଦୋଷ ସୋମସୂତ୍ର ଲଙ୍ଘନକାରୀକୁ ଲାଗେ।
୨) ଶିବଶଙ୍କର ଶ୍ମଶାନର ଦକ୍ଷିଣରେ ଅବସ୍ଥାନ କରନ୍ତି ଏଣୁ ତାଙ୍କର ଉତ୍ତରକୁ ଶ୍ମଶାନ ଥାଏ । ଭକ୍ତମାନେ ଶ୍ମଶାନ ମଧ୍ୟରେ ପ୍ରବେଶ ନ କରିବା ପାଇଁ ଶିବ ମନ୍ଦିରର ଉତ୍ତର ପଟକୁ ଯାଆନ୍ତି ନାହିଁ।
୩) ସାଧାରଣତଃ ପାଦୁକ ନଳା ଉତ୍ତର ଦିଗ ଥାଏ । ପାଦୁକ ନଳା ଯାଏ ମନ୍ଦିରର ଅଧା ହୋଇ ଥିବାରୁ ଶିବାର୍ଦ୍ଧ ପରିକ୍ରମା ନିୟମାନୁସାରେ ସେଇଠୁ ଗଂଗାଦେବୀଙ୍କ ଦର୍ଶନ ପରେ ଫେରିବାର ପରଂପରା ରହିଛି । ଏହି ନିୟମ ଅନୁସାରେ ଭକ୍ତମାନେ ବେଢ଼ା ପରିକ୍ରମା କରିବା ସମୟରେ ନିମ୍ନ କ୍ରମରେ କରିବା ଉଚିତ । ୧.ବୃଷଭ ଦର୍ଶନ, ୨. ଲଡୁବାବାଙ୍କ ଦର୍ଶନ, ୩.ଗଣଶ, ୪. କାର୍ତ୍ତିକୟ, ୫. ଗଙ୍ଗା ଦର୍ଶନ କରି ପାଦୁକ ନଳାଠାରୁ ଫେରିବ, ପରେ ୬. ମା'ଙ୍କ ଦର୍ଶନ କରି ଶେଷରେ ଅନ୍ୟ ଦେବଦେବୀଙ୍କର ଦର୍ଶନ କରାଯାଏ।
ନୟାଗଡ଼ ରାଜ୍ୟର ଇଷ୍ଟ ଦେବତା ଲଡ଼ୁବାବା
ନୟାଗଡ଼ ରାଜ୍ୟର ଇଷ୍ଟ ଦେବତା ଲଡ଼ୁବାବା ଥିବାର ଅନେକ ଐତିହାସିକ ପ୍ରମାଣ ଉପଲବ୍ଧ ଅଛି । ନୟାଗଡ଼ ରାଜା ହରିହର ସିଂହ(୧୫୯୫-୧୬୩୦)ଙ୍କ ଠାରୁ ଆରମ୍ଭ କରି ଶେଷ ରାଜା କୃଷ୍ଣଚନ୍ଦ୍ର ସିଂହଙ୍କ ଶାସନ ପର୍ଯ୍ୟନ୍ତ ରାଜ୍ୟର ସୁନାମଧନ୍ୟ କବି ମାନେ, ଯଥା-ଗଦାଧର ସିଂହ(୧୬୯୦-୧୭୨୦)ଙ୍କ ଦରବାରୀ କବି, ବିନାୟକ ସିଂହ(୧୭୯୩-୧୮୨୩)ଙ୍କ ଶାସନେ ଉତ୍କଳ ଘଣ୍ଟ ଯଦୁମଣି ମହାପାତ୍ର ଆଦି ନିଜନିଜ ପୁସ୍ତକ ଏବଂ କବିତାରେ ବର୍ଣ୍ଣନା କରିଛନ୍ତି ଯେ ଲଡ଼ୁକେଶ ମହେଶ ହେଉଛନ୍ତି ନୟାଗଡ଼ର ଇଷ୍ଟଦେବତା । ଅନ୍ୟ ଏକ ଉଦାହରଣ ହେଉଛି ନୟାଗଡ଼ର ଶେଷ ରାଜା ଶ୍ରୀ କୃଷ୍ଣଚନ୍ଦ୍ର ସିଂହ ମାନ୍ଧାତା ମଧ୍ୟ ନିଜ କବିତା ଏବଂ ପୁସ୍ତକରେ ଲଡ଼ୁବାବାଙ୍କୁ ନିଜ ବଂଶର ଇଷ୍ଟ ଦେବତା ରୂପେ ବର୍ଣ୍ଣନା କରିଛନ୍ତି । ରାଜା ପୁରୁଷୋତ୍ତମ ସିଂହ ମାନ୍ଧାତା (୧୭୫୦-୧୭୫୫)ମଧ୍ୟ ନିଜ କାବ୍ୟ "ଶୋଭାବତୀ’ ରେ ଲଡ଼ୁବାବାଙ୍କୁ ନିଜ ବଂଶର ଇଷ୍ଟ ରୂପେ ସ୍ତୁତି କରିଥିବାର ଜଣାପଡେ।
ନୟାଗଡ଼ ରାଜପରମ୍ପରାରେ ଲଡ଼ୁବାବାଙ୍କ ଭୂମିକା
ନୟାଗଡ଼ର ରାଜବଂଶୀ ମାନେ ଠାକୁରଙ୍କ ପାଇଁ ଅନେକ ଜମି ଭୋଗ ଖଞ୍ଜାଇଥିଲେ । ବେଢ଼ାରେ ଅନେକ ଦେବାଦେବୀ ମନ୍ଦିର ନିର୍ମାଣ କଲେ । ସେବାୟତଙ୍କ ପାଇଁ ଗ୍ରାମ ଏବଂ ବ୍ରାହ୍ମଣ ସେବାୟତଙ୍କ ପାଇଁ ଅନେକ ଶାସନ ବସାଇଥିଲେ । ଠାକୁରଙ୍କ ଅନେକ ଯାନିଯାତ୍ରା ଯଥା-ଜାଗର, ଅଶୋକାଷ୍ଟମୀ, ଚନ୍ଦନଯାତ୍ରା, ଶୀତଳଷଷ୍ଠୀ ଆଦି ଆରମ୍ଭ କଲେ । ରାଜ ପରମ୍ପରା ମୁତାବକ ପ୍ରତିଦିନ ସକାଳୁ ଠାକୁରଙ୍କ ଅବକାଶ ଭୋଗ ରାଜବାଟୀରେ ପହଁଚିଲେ, ରାଜା ପ୍ରଥମେ ତାହାକୁ ସେବନ କରି ରାଜ୍ୟ କାମ କରିଥାନ୍ତି । ରାଜ୍ୟ ଅଭିଷେକ ଦିନ କର୍ମ ପରେ ପ୍ରଥମେ ନିଜ ଇଷ୍ଟ ଦେବୀ ମା’ ବାଉରୀଙ୍କ ଦର୍ଶନ ପରେ ଏକମୁହାଁ ହୋଇ ମଣିମା ମହାପ୍ରଭୁଙ୍କ ଧାମକୁ ଯାଇ ପରମେଶ୍ଵର ଲଡ଼ୁବାବାଙ୍କୁ ଦର୍ଶନ ପରେ ରାଜା ହେବାର ପ୍ରଥମ ଶାସନ କାର୍ଯ୍ୟ ଆରମ୍ଭ କରିଥାନ୍ତି।
ଶାଢୀ
ପ୍ରଭୁ ଲଡୁବାବାଙ୍କଠାରେ ପାଟଶାଢୀ ଲାଗି ହୋଇ ସାରିବା ପରେ ସେହି ଶାଢୀକୁ ରାଜତନ୍ତ୍ର ସମୟରେ ନୟାଗଡ଼ ରାଜବାଟିକୁ ମହା ସମାରୋହରେ ପୂଜକ ନେଇ ଯାଉଥିଲେ । ସେହି ଶାଢୀ ରାଜାଙ୍କୁ ପ୍ରଦାନ କରାଯାଉଥିଲା ଯାହାକୁ ଯେ ପଗଡ଼ି ଭାବେ ଧାରଣ କରୁଥିଲେ । ଏବେ ରାଜତନ୍ତ୍ର ଉଠିଗଲା ପରେ ରାଜା ନଥିବାରୁ ରାଜବାଟିକୁ ଆଉ ଶାଢ଼ୀ ପଠା ଯାଉନାହିଁ । କିନ୍ତୁ ଶାଢୀ ବାହାରିବା ନୀତି ବନ୍ଦ ହୋଇ ନାହିଁ । ତିନି ଚାରି ଅଙ୍ଗୁଳିର ଖଣ୍ଡେ ପାଟ କନା ସଂମ୍ପ୍ରତି ପ୍ରଭୁ ଲଡ଼ୁକେଶଙ୍କଠାରେ ଲାଗି ହେବାପରେ ତାହା ମନ୍ଦିର ଅଫିସକୁ ଯାଉଛି । ଏହାକୁ ଶାଢୀ ବାହାରିବା କୁହାଯାଏ । ସପ୍ତପୁରୀ, ଧନୁ ସଂକ୍ରାନ୍ତି, ମକର ସଂକ୍ରାନ୍ତି ବସନ୍ତ ପଞ୍ଚମୀ, ଯମ ଦ୍ଵିତୀୟା, ଅଶୋକାଷ୍ଟମୀ, ଦୋଳପୂର୍ଣ୍ଣମୀ, ଶିବରାତ୍ର ଓ ଶୀତଳ ଷଷ୍ଠୀ ଏହି ପରି ବର୍ଷରେ ନଅଦିନ ଏହି ଶାଢୀ ବାହାରିବାର ପରଂପରା ଲଡ଼ୁବାବା ମନ୍ଦିରରେ ଏବେ ମଧ୍ୟ ପ୍ରଚଳିତ ରହିଛି।
ଲଡ଼ୁବାବାଙ୍କ ମନ୍ଦିରକୁ ନେଇ ଯୁଦ୍ଧ
ଲଡ଼ୁବାବାଙ୍କ ମନ୍ଦିରକୁ ନେଇ ଯୁଦ୍ଧ ସମ୍ପର୍କରେ ଭିନ୍ନ ଭିନ୍ନ ଐତିହାସିକଙ୍କ ଭିନ୍ନ ଭିନ୍ନ ମତ ରହିଛି । କେତେକ ଐତିହାସିକଙ୍କ ମତରେ ଲଡ଼ୁବାବାଙ୍କ ବିଜେ ଗ୍ରାମ ଶରଣକୁଳ ଥିଲା ବାଣପୁର ରାଜାଙ୍କ ସୀମା । ଅତଏବ ପ୍ରଭୁଙ୍କ ମନ୍ଦିରଟି ବାଣପୁର ରାଜବଂଶୀଙ୍କ କୀର୍ତ୍ତି । ଆଉ କେତେକ ଐତିହାସିକଙ୍କ ମତରେ ରଣପୁରର ନରେନ୍ଦ୍ର ରାଜବଂଶୀଙ୍କ କୀର୍ତ୍ତି ହେଉଛନ୍ତି ଲଡ଼ୁବାବା । ଲଡ଼ୁବାବାଙ୍କ ମନ୍ଦିର ନିର୍ମାଣରେ ବାଣପୁର ରାଜା, ରଣପୁର ରାଜାଙ୍କୁ ସାହାଯ୍ୟ କରିଥିବାର ଇତିହାସରୁ ସୂଚନା ମିଳେ । ମହାପ୍ରଭୁ ହେଉଛନ୍ତି ବିଶ୍ଵ ପ୍ରସିଦ୍ଧ ଲିଙ୍ଗରାଜଙ୍କ ଭଳି ପ୍ରତ୍ୟକ୍ଷ ହରି-ହର ଲିଙ୍ଗ ରୁପୀ ମହେଶ ।
ଇତିହାସରୁ ଜଣାଯାଏ ଉକ୍ତ ଅଞ୍ଚଳଟି ପ୍ରଥମେ ବାଣପୁର, ପରେ ଘୁମୁସର ଶେଷରେ ରଣପୁର ରାଜ୍ୟର ଅଂଶ ଥିଲା । ଘୁମୁସର ଭଞ୍ଜବଂଶୀ ରାଜା ମାନେ ପ୍ରଥମେ ମହେଶଙ୍କୁ ଏକ ଛାୟାମଣ୍ଡପରେ ପୂଜା କରୁଥିଲେ । ପରେ ଏହି ଅଞ୍ଚଳ ରଣପୁର ରାଜ୍ୟର ଅଂଶ ହେଲା । ଅତଏବ ରଣପୁର ନରେନ୍ଦ୍ର ରାଜବଂଶୀଙ୍କ ସମୟରେ ଉକ୍ତ ମନ୍ଦିରଟି ନିର୍ମାଣ ହେବାର ଜଣାପଡେ । କିନ୍ତୁ ଲଡ଼ୁକେଶ୍ଵର ମହାଦେବଙ୍କୁ କୌଣସି ରାଜ୍ୟ ନିଜର ଇଷ୍ଟ ଦେବତା ରୂପେ ଗ୍ରହଣ କରିନଥିଲେ।
ସମୟ ଥାଏ ରଘୁନାଥ ସିଂହ ପ୍ରଥମ(୧୫୬୫-୧୫୯୫)ଙ୍କ ଶାସନ । ରାଜାଙ୍କ ଦୁଇପୁତ୍ର ହରିହର ସିଂହ ଏବଂ ଯଦୁନାଥ ମଙ୍ଗରାଜ (ଖଣ୍ଡପଡାର ପ୍ରଥମ ରାଜା ସାହେବ)ଙ୍କ ଉଦ୍ୟମରେ, ବାଣପୁର ଶାସନରୁ ମାଛିପଡା, ଶରଣକୁଳ ଆଦି ନୟାଗଡ଼ରେ ମିଶିଲା, ରଣପୁର ଏବଂ ନୟାଗଡ଼ ରାଜାଙ୍କ ମଧରେ ଶରଣକୁଳକୁ ନେଇ ପ୍ରଥମ ଯୁଦ୍ଧ ଏହି ସମୟରେ ହିଁ ହୋଇଥିଲା । ଉକ୍ତ ଯୁଦ୍ଧରେ ବାଣପୁର ରାଜା ରଣପୁର ରାଜାଙ୍କୁ ସାହାଯ୍ୟ କରିଥିବାର ଶୁଣାଯାଏ । କିନ୍ତୁ ଯୁଦ୍ଧରେ ନୟାଗଡ଼ ରାଜା ବିଜୟ ଲାଭ କଲେ ଏବଂ ଲଡ଼ୁକେଶ ମହେଶ ନୟାଗଡ଼ର ଇଷ୍ଟ ରୂପେ ପ୍ରତିଷ୍ଠା ହେଲେ । ସେ ସମୟରୁ ମୋଗଲ, ମରହଟା, ଏବଂ ଇଂରେଜଙ୍କ ଓଡିଶା ଶାସନ ସମୟରେ ନୟାଗଡ଼ ଏବଂ ରଣପୁର ମଧ୍ୟରେ ଲଡ଼ୁବାବାଙ୍କୁ ନେଇ ଅନେକ ଥର ଯୁଦ୍ଧ ହୋଇଥିଲା, ଏବଂ ସେତେବେଳର ଓଡିଶା ଶାସକଙ୍କ ମଧ୍ୟସ୍ଥତାରେ ଉଭୟଙ୍କ ସୀମା ବିବାଦ ସମଧାନ ହୋଇଥିବାର ଜଣାଯାଏ । ସମୟେ ସମୟେ ଏଥିପାଇଁ ନୟାଗଡ଼ ରାଜା ମାନେ ସେତେବେଳର ଓଡିଶା ଶାସକ ମାନଙ୍କୁ ପେସକିସ ଦେଇ ଠାକୁରଙ୍କୁ ନିଜର ଇଷ୍ଟ ରୂପେ ରଖିଆସିଛନ୍ତି।
ଗୁହାରିଆ
ଅକର୍ମ କର୍ମଦାୟକ ପ୍ରଭୁ ଶିବଶଙ୍କର, ଆଶୁତୋଷ ସେ, ଅଳ୍ପରେ ସାଙ୍ଗେ ସାଙ୍ଗେ ସନ୍ତୁଷ୍ଟ ହୋଇଯାଆନ୍ତି, ଭକ୍ତର କଷ୍ଟ ସେ ସହିପାରନ୍ତି ନାହିଁ । ଅନେକ ଭକ୍ତ ନିଜର ଅଭିଷ୍ଟ ସିଦ୍ଧି ନିମନ୍ତେ ନ ଖାଇ ନ ପିଇ ଆସି ଜଣେ ଜଣେ ମାଳି ସେବକଙ୍କ ଯଜମାନ ଭାବରେ ରହି ଅଧିଆ ପଡ଼ନ୍ତି । ଏହିପରି ନିଷ୍ଠାର ସହିତ ଉପବାସ ରହି ନିଜର ମନସ୍କାମନା ପୁରଣ ନିମନ୍ତେ ଲଡୁବାବାଙ୍କ ପାଖରେ ଗୁହାରି ଜଣେଇବାକୁ ଆସିଥିବା ଭକ୍ତ ମାନଙ୍କୁ ‘ଗୁହାରିଆ’ କୁହାଯାଏ । ସେମାନଙ୍କୁ କେବଳ ପାଦୁକ ଟିକିଏ ବା ପଣା ଟିକିଏ ସାରିବାକୁ ଦିଆଯାଏ । ଭକ୍ତ ନିଷ୍ଠାର ସହ ଗୁହାରିଆ ପଡ଼ି ବରପ୍ରାପ୍ତ କରିବାକୁ ‘ଗୁହାରିଆ ଉଠିବା’ କହନ୍ତି । ଏହି ପୀଠରୁ ଅସଂଖ୍ୟ ଗୁହାରିଆ ଉଠିଥିବା କଥା ଲୋକମୁଖରେ ଶୁଣାଯାଏ । ଗୁହାରିଆ ପଡ଼ି ବର ପାଇଥିବା ଭକ୍ତ ମାନେ ମନସ୍କାମନା ପୂର୍ଣ୍ଣ ହେବା ପରେ ଲଡୁବାବାଙ୍କୁ ଜମି, ନାଗ, ଗରା ଆଦି ଦାନ ଦେଇଥାନ୍ତି । ଗଞ୍ଜାମ ଜିଲ୍ଲାରେ ଲଡୁବାବାଙ୍କ ନାମରେ ଥିବା ଜମି ସବୁ ଏହି ଗୁହାରିଆ ଭକ୍ତ ମାନଙ୍କ ଦ୍ଵାରା ଦାନ କାରଣରୁ ମିଳିଛି ଓ ସେମାନଙ୍କ ଦାୟିତ୍ଵରେ ରହିଛି । ଗୁହାରିଆ ପଡିଥିବା ଭକ୍ତ ମାନଙ୍କ ମଧ୍ୟରୁ କେହି କେହି ଗଳାକାଟି, କେହି ତଣ୍ଟିକାଟି ଚା କେହି ଅଣ୍ଡ କାଟି ଅଧିଆ ପଡ଼ିବା ପରେ ସୁସ୍ଥହୋଇ ଫେରିଥିବାର ଅନେକ ଜନଶ୍ରୁତି ରହିଛି । ଗୁହାରିଆ ମାନେ ସାଧାରଣତଃ ସାତଦିନ, ଏଗାର ଦିନ କିମ୍ବା ୨୧ ଦିନରେ ଉଠୁଥିବାର ଜଣାଯାଏ । ଆଜିଯାଏଁ ପ୍ରାୟ କେହି ହେଲେ ବିଫଳ ହୋଇ ଫେରି ନାହିଁନ୍ତି ବୋଲି ସେବକ ମାନେ ଦୃଢତାର ସହିତ ପ୍ରକାଶ କରିଥାନ୍ତି।
ମହିମା
ଗଞ୍ଜାମ ଆଠଗଡ ଅଞ୍ଚଳର ଜଣେ ଯୁବକ ନାମ ମହେଶ୍ଵର ମିଶ୍ର, ମାତା ତା’ର ଜାତକ ଜ୍ୟୋତିଷଙ୍କୁ ଦେଖାଇବା ପରେ ଜ୍ୟୋତିଷ କହିଲେ ଯେ ଏହାର ଜାତକରେ ୧୦ ବର୍ଷ ବୟସରେ ଗୃହଦାହ ଓ ୧୫ ବର୍ଷ ବୟସରେ ପିତୃ ବିୟୋଗ ଦଶା ରହିଛି । ଏହା ସହିତ ୨୦ ବର୍ଷ ୬ ମାସ ୬ଦିନ ଦିନରେ ମୃତ୍ୟୁ ଯୋଗ ବଳବତ୍ତର ରହିଛି । ମାତା ଦେଖିଲେ ଜ୍ୟୋତିଷଙ୍କ ଭବିଷ୍ୟତ ବାଣୀ ଅନୁସାରେ ୧୦ ବର୍ଷ ଓ ୧୫ ବର୍ଷ ବୟସରେ ନିର୍ଦ୍ଧାରିତ ଘଟଣା ଘଟିଗଲା । ଫଳରେ ତାଙ୍କ ମନରେ ଦୃଢ ବିଶ୍ଵାସ ଜନ୍ମିଲା ଯେ ମହେଶ୍ଵର ଜ୍ୟୋତିଷଙ୍କ ପୂର୍ବାନୁମାନ ତିଥିରେ ନିଶ୍ଚୟ ମୃତ୍ୟୁ ମୁଖରେ ପଡିବ । ସ୍ଥାନୀୟ ଲୋକ ମାନଙ୍କ ଉପଦେଶ ଅନୁସାରେ ପୁଅକୁ ଧରି ବିଧବା ମାତା ଦ୍ଵିତୀକେଶ୍ଵର ମହାପ୍ରଭୁଙ୍କ ପୀଠରେ ଆସି ପହଁଞ୍ଚିଲେ । ସେଇଠି ପୁଅ ଅଧିଆ ପଡିଲା, କିନ୍ତୁ କିଛିଦିନ ପରେ ପ୍ରଭୁ ସ୍ବପ୍ନରେ ନିର୍ଦ୍ଦେଶ ଦେଇ କହିଲେ, ବତ୍ସ! ତୁମର ମାରକ ଦଶା ପରିବର୍ତ୍ତନ ମୋ ଶକ୍ତିର ବାହାରେ, ତୁମେ ଲଡୁବାବାଙ୍କ ପାଖକୁ ଯାଅ । ସେ ଚାହିଁଲେ ତୁମ୍ଭଙ୍କୁ ଅଧିକ ଆୟୁ ପ୍ରଦାନ କରି ତୁମର ମନସ୍କାମନା ପୂର୍ଣ୍ଣ କରି ପାରନ୍ତି । ମହେଶ୍ଵର ଆସି ଶରଣକୁଳର ଭରତ ରାୟଗୁରୁଙ୍କ ହେପାଜତରେ ଲଡ଼ୁବାବାଙ୍କ ପୀଠରେ ମା’ ପାର୍ବତୀଙ୍କ ଦ୍ଵାର ଦେଶରେ ଅଧିଆ ପଡିଲା । ସେହି ଦିନ ଥିଲା ଶିବରାତ୍ର ଓ ତାର ନିଦ୍ଧାରିତ ମୃତ୍ୟୁ ଦିବସ । ନିଦ୍ଦିଷ୍ଟ ମୂହୂର୍ତ୍ତରେ ମହେଶ୍ଵରର ଅବସ୍ଥା ସଂକଟାପର୍ଣ୍ଣ ହେଲା, ତା’ର ଏ ଅବସ୍ଥା ଦେଖି ଡାକ୍ତର ଡକାଗଲା । ଡାକ୍ତର ତାକୁ ମୃତ ବୋଲି ଘୋଷଣାକଲେ । ମନ୍ଦିର ମଧ୍ୟରେ ମୃତ ବାଳକ! ବେଢ଼ା କିପରି ହେବ । ବଡପଣ୍ଡା ଓ ମାଳୀ ସେବକ ମାନେ ଏକ ସ୍ବରରେ ପ୍ରଭୁଙ୍କୁ ଡାକିବାକୁ ଲାଗିଲେ । ବିଶ୍ଵାସ, ସେ ଚାହିଁଲେ ଏ ଅକଳିଆ ପରିସ୍ଥିତିରୁ ଉଦ୍ଧାର ମିଳିବ । ଭୋର ଚାରିଟା ବେଳକୁ ଦେଖାଗଲା, ମୃତ ଘୋଷିତ ବାଳକ ଉଠି ନିଜେ ଯାଇ ପ୍ରଭୁଙ୍କ ଦର୍ଶନ ପାଇଁ ମନ୍ଦିର ମୁଖଶାଳାଠାରେ ପହଞ୍ଚିଛି । ସମସ୍ତଙ୍କ ମନରେ ଦେଖା ଦେଇଥିବା ଆନନ୍ଦ ଅବର୍ଣ୍ଣନୀୟ । ଭକ୍ତ ଓ ସେବାସୀ ମାନଙ୍କ ବଂ ବଂ ଭୋଳାନାଥ ଡାକରାରେ ଗଗନ ପବନ ମୁଖରିତ ହୋଇ ଉଠିଲା । ମହାସମାରୋହରେ ବେଢ଼ା ସମାପ୍ତ ହୋଇଗଲା । ଏହି ଘଟଣା ସାରା ଅଞ୍ଚଳରେ ପ୍ରଚାରିତ ହେଲା । ଜଙ୍ଗଲ ନିଆଁପରି ଏ ଘଟଣା ଯାଇ ତତ୍କାଳୀନ ମୁସ୍ଲିମ୍ ଶାସକ ସତାର ଖାଁ କାନରେ ପଡ଼ିଲା । ସେ ମହେଶ୍ଵରଙ୍କୁ ଡକାଇ ଘଟଣାର ସତ୍ୟା ସତ୍ୟ ବୁଝିବାକୁ ଜେରା କଲେ; ହେଲେ ତାଙ୍କର ବିଶ୍ଵାସ ହେଲା ନାହିଁ । କିନ୍ତୁ ପରେ ତାଙ୍କରି ରୋଗଗ୍ରସ୍ତ ପୁଅ ପ୍ରଭୁଙ୍କ କୃପାରୁ ରୋଗମୁକ୍ତ ହେଲା । ଫଳରେ ସତାର ଖାଁ କୃତଜ୍ଞତା ସ୍ବରୁପ ମନ୍ଦିର ପୁଷ୍କରିଣୀର ପଙ୍କୋଦ୍ଧାର କରି ତାର ସଂପ୍ରସାରଣ କରାଇ ସୁନ୍ଦର ପାବଛ ଶ୍ରେଣୀ ନିର୍ମାଣ କଲେ, ଯାହା ଏବେ ପୁଷଷ୍କରିଣୀର ଶୋଭା ବର୍ଦ୍ଧନ କରାଉଛି । ଏହା ସହିତ ମନ୍ଦିର ପ୍ରତି ବର୍ଷ ରଙ୍ଗ କରିବା ନିମନ୍ତେ ସେ ନିର୍ଦ୍ଦେଶ ଜାରି କଲେ । ଯଦିଓ ପ୍ରତିବର୍ଷ ଅନେକ ଭକ୍ତ ଗୁହାରିଆ ପତି ଇପ୍ସିତ ବର ପାଇ ଏ ପୀଠରୁ ଫେରିବା ଦେଖାଯାଉଛି, ତଥାପି ଉକ୍ତ ଦୁଇ ଘଟଣା ଜନମାନସରେ ସର୍ବାଧିକ ପ୍ରଭାବ ପକାଇ ମହିମାବନ୍ତ ପ୍ରଭୁ ଲଡ଼ୁବାବାଙ୍କର ମହିମା ପ୍ରଚାରରେ ସବୁଠାରୁ ଅଧିକ ସହଯୋଗ କରିଛି।
ସମ୍ପତ୍ତିବାଡି
ମନ୍ଦିର ନିମନ୍ତେ ଭଂଜବଂଶୀୟ, ଭୋଇବଂଶୀୟ, ରଣପୁର ଓ ନୟାଗଡ଼ ରାଜାମାନେ ଅନେକ ଜମିଦାନ କରିଛନ୍ତି । ଯାହା ନୟାଗଡ଼ ଜିଲ୍ଲାରେ ତଥା ପୁରୀ ନିକଟବର୍ତ୍ତୀ ଅନେକ ଗ୍ରାମରେ ମଧ୍ୟ ଖଞ୍ଜା ଜମି ରହିଛି । ସର୍ବୋମୋଟ ଜମିର ପରିମାଣ ପ୍ରାୟ ଦୁଇ ହଜାର ଏକର ହେବ । ସେଥିରୁ ୫୮୯.୦୪ ଏକର ଠାକୁରଙ୍କ ସେବା ପାଇଁ ସେବାସୀମାନଙ୍କ ଦଖଲରେ ଅଛି । ପ୍ରାୟ ଏକହଜାର ଏକର ସିଲିଂ ଜମି ସତ୍ତ୍ଵାଧିକାରୀ ସୂତ୍ରେ ପ୍ରଜାମାନଙ୍କ ଦଖଲରେ ରହିଛି । ଅବଶିଷ୍ଟ ପାଞ୍ଚ ହଜାର ଏକର ମଧ୍ୟରୁ ଜଳାଶୟ ଓ ଚାଷଉପଯୋଗୀ ଜମି ନିଜ ଦଖଲରେ ଜମି ରୂପେ ରହିଛି । ଏଥିରୁ ବହୁତ ଜମି ଅନେକ ପ୍ରଜାଙ୍କୁ ଦିଆଯାଇଛି, ଯେଉଁ ମାନେ ଠାକୁରଙ୍କର ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ ଯୋଗାନ୍ତି । କିଛି ସେବା ଜମି ୧୯୩୨ ମସିହା ସେଟଲ ମେଣ୍ଟରେ ରୟତି କରି କେତେକ ସେବସୀ ନେଇ ଏବେ ସେବା କରୁନଥିବା ଜଣା ପଡିଛି । ନିଜ ଅଧିନରେ ଥିବା ଜମିରୁ କେତେକ ଜମି ଫୁଟକର ଦେଇ ପ୍ରଜାମାନେ ଭୋଗ ଦଖଲ କରୁଛନ୍ତି । ସଂପ୍ରତି ମନ୍ଦିର ପ୍ରଶାସନ ଦାୟିତ୍ଵରେ ଥିବା ଉପଜିଲ୍ଲାପାଳ ଠାଙ୍କୁରଙ୍କର କିଛି ପତିତ ଜମି ବିକ୍ରିକରି ସେହି ଟଙ୍କାକୁ ବ୍ୟାଙ୍କରେ ଜମା ଦେଇଛନ୍ତି । ଯାହା ଫଳରେ ମନ୍ଦିର ପରିଚାଳନା ନିମନ୍ତେ ନିଯୁକ୍ତ କର୍ମଚାରୀ ମାନେ ଦରମା ପାଇବାରେ ସୁବିଧା ହେଉଛି । ଠାକୁରଙ୍କ ନୀତି ଲାଗି ବ୍ୟବହୃତ ଓ ନୟାଗଡ଼ ଟ୍ରେଜେରିରେ ଗଚ୍ଛିତ ଥିବା ମୋଟ ସୁନାର ପରିମାଣ ୧୯୫ ତୋଳା ଓ ରୂପାର ପରିମାଣ ୩୩୮୦ ତୋଳା।
ମନ୍ଦିର ସହ ସଂପୃକ୍ତ ଦେବାଦେବୀ
ରାଜତନ୍ତ୍ର ସମୟରେ ରାଜ୍ୟର ସମସ୍ତ ଶିବ ମନ୍ଦିର ସହିତ ଲଡ଼ୁବାବା ମନ୍ଦିର ସଂପର୍କ ସ୍ଥାପନ ପାଇଁ ରାଜା ସ୍ବତନ୍ତ୍ର ବ୍ୟବସ୍ଥା କରିଥିଲେ । ଶିବ ବିବାହ ଉପଲକ୍ଷେ ଏଠାରେ ଅନୁଷ୍ଠିତ ଶୀତଳ ଷଷ୍ଠୀ ଯାତ୍ରାରେ ନିମନ୍ତ୍ରଣ ପାଇ ହରିହରପୁରସ୍ଥ ଦଧିବାମନଙ୍କ ସହିତ ଷୋଳ ଶମ୍ଭୁ ଏଠାରେ ଆସି ପହଁଚନ୍ତି । ନୟାଗଡ଼ ରାଜାଙ୍କ ରାଜ୍ୟରେ ଥିବା ଦ୍ଵାଦଶାର୍ଦ୍ଧ ଜ୍ୟୋତିର୍ଲିଙ୍ଗ ଅବସ୍ଥାନ କରିଥିବା ସ୍ଥାନ ମାନଙ୍କରୁ ବିମାନରେ ବିଜେ ପ୍ରତିମା ମାନେ ଏହିଦିନ ସମ୍ପୂର୍ଣ୍ଣ ସାଜ ସଜ୍ଜାରେ ଆସୁଥିଲେ । ଏମାନଙ୍କ ସହିତ ବରପଲ୍ଲୀ; ପଦ୍ମା ଦେଈପୁର, ପଲ୍ଲୀ ଶାସନ, ପଞ୍ଚିରିଡା, ପନ୍ତିଖାରୀ ଓ ଶିଖରପୁରସ୍ଥ ଶିବମନ୍ଦିର ମାନଙ୍କରୁ ମଧ୍ୟ ବିଜେପ୍ରତିମା ମାନେ ମହାସମାରୋହରେ ଥାଟ୍ଟ ବାଟ ସହ ମେଳନ ପଡିଆକୁ ଆସୁଥିଲେ । ରାଜତନ୍ତ୍ର ଲୋପ ହେବା ପରେ ଆର୍ଥିକ ଦୃଷ୍ଟିକୋଣରୁ ଏହି ବ୍ୟବସ୍ଥା ପ୍ରାୟ ବନ୍ଦ ହୋଇଯାଇଛି ଏବେ ଦଧିବାମନ, ବିରଜାଈ ଠାକୁରାଣୀ ମାନଙ୍କ ବିଜେ ପ୍ରତିମା ମାନେ କେବଳ ଆସୁଛନ୍ତି । କୌଣସି ଦୃଢ଼ ପ୍ରଶାସକ ତଥା ବଦାନ୍ୟ ବ୍ୟକ୍ତି ଏଥି ନିମନ୍ତେ ଦୃଷ୍ଟି ଦେଲେ ଏ ମେଳନର ପୁନରୁଦ୍ଧାର ହୋଇପାରନ୍ତା । ଏହା ବାଦ ଶିବ ବିବାହ ପରେ ସାତ ମଙ୍ଗଳା ଦିନ ଲଡୁବାବାଙ୍କ ମନ୍ଦିରରୁ ଚନ୍ଦ୍ରଶେଖର ଓ ମା ପାର୍ବତୀ ବିମାନରେ ବାଉଁଶିଆସ୍ଥ ସ୍ବପ୍ନେଶ୍ଵର ମହାଦେବଙ୍କ ମନ୍ଦିରକୁ ଯା'ନ୍ତି ।
ଲଡୁବାବାଙ୍କ ମନ୍ଦିର ସହିତ ଅଳ୍ପ ବହୁତେ ସଂପର୍କିତ ମନ୍ଦିର ସଂପର୍କରେ ସଂକ୍ଷେପରେ ଏଠାରେ ବର୍ଣ୍ଣନା କରାଯାଇଛି।
୧.ଦଧିବାମନ ଜୀଉ :- ଶରଣକୁଳ ନିକଟସ୍ଥ ହରିହରପୁର ବା ପୋଡା ଶରଣକୁଳ ଗ୍ରାମରେ ଶ୍ରୀ ଦଧିବାମନ ଜୀଉଙ୍କର ମନ୍ଦିର ରହିଛି । ଲଡ଼ୁବାବାଙ୍କ ମନ୍ଦିର ସହିତ ଅଙ୍ଗାଙ୍ଗୀ ଭାବେ ଜଡିତ ଏକ ମନ୍ଦିର, ଏହି ଦଧିବାମନ ଜୀଉ ମନ୍ଦିର । ହରିହର ମୂର୍ତ୍ତି ନାମରେ ଖ୍ୟାତ ଲଡ଼ୁକେଶ ମହେଶଙ୍କର ବଡ ଭାଇ ବିଷ୍ଣୁ ଅଂଶୀ ଦଧିବାମନ । ଚାଚେରୀରେ ପାଞ୍ଚଦିନ, ଦୋଳ ପୂର୍ଣ୍ଣମୀରେ ପାଞ୍ଜିଶୁଣା, ଅଗ୍ନି ଉତ୍ସବ, ଭଉଁରୀ ଯାତ୍ରା ତଥା ଶୀତଳ ଷଷ୍ଠୀ ଯାତ୍ରାରେ ଦଧିବାମନଙ୍କ ଯୋଗଦାନ ଏକ ନିୟମରେ ପରିଣତ ହୋଇଛି । ଉକ୍ତ ଦିନ ମାନଙ୍କରେ ଦଧିବାମନଙ୍କର ବିଜେ ପ୍ରତିମା ଲଡ଼ୁବାବାଙ୍କ ମନ୍ଦିରରେ ପହଞ୍ଚିଲେ ଲଡୁବାବାଙ୍କ ବିଜେ ପ୍ରତିମା ତାଙ୍କ ସହିତ ନଗର ପରିକ୍ରମାରେ ବାହାରନ୍ତି । ଦୋଳ ପୂଣ୍ଣିମାର ପାଞ୍ଜିଶୁଣା କାର୍ଯ୍ୟ ଦଧିବାମନଙ୍କ ଉପସ୍ଥିତିରେ ହୁଏ । ଶୀତଳ ଷଷ୍ଠୀରେ ନିମନ୍ତ୍ରଣ ପାଇ ଦଧିବାମନଜୀଉ ପୂର୍ଣ୍ଣ ସାଜସଜ୍ଜାରେ ଆସି ଲଡୁବାବାଙ୍କ ମନ୍ଦିରରେ ପହଞ୍ଚିଲେ ଉକ୍ତ ଯାତ୍ରା ଆରମ୍ଭ ହୁଏ । ଆଜିର ହରିହରପୁର ୧୯୨୬-୩୩ ମସିହା ପୂର୍ବରୁ ଶରଣକୁଳ ନାମରେ ଖ୍ୟାତ ଥିଲା । ଏବର ଶରଣକୁଳର ନାମ ଥିଲା ଆଠପାଟଣା, ସୁପରିଟେଣ୍ଡେଣ୍ଟ ଅବଦୁଲ ସତାର ଖାଁ ଗ୍ରାମବାସୀଙ୍କୁ ବୁଝାଇ ହରିହର ମୂତ୍ତିର୍ ପ୍ରଭୁ ଲଡ଼ୁବାବାଙ୍କ ନାମ ଅନୁସାରେ ଏହି ଗ୍ରାମର ନାମ ହରିହରପୁରକୁ ପରିବର୍ତ୍ତନ କରି ଆଠପାଟଣାକୁ ଶରଣକୁଳ ନାମକୁ ପରିବର୍ତ୍ତନ କରାଇଥିଲେ । ହରିହରପୁର ଗ୍ରାମବାସୀ ମାନଙ୍କର ଏହି ମହାନତା ପ୍ରତିବଦଳରେ ଉକ୍ତ ଗ୍ରାମରେ ବିଜେ କରିଥିବା ଦଧିବାମନଙ୍କ ନିମନ୍ତେ ଉପରୋକ୍ତ ସ୍ବତନ୍ତ୍ର ସମ୍ମାନର ବ୍ୟବସ୍ଥା କରାଯାଇଛି ବୋଲି ବୟସ୍କ ଗ୍ରାମବାସୀ ମାନଙ୍କ ଠାରୁ ଶୁଣିବାକୁ ମିଳେ।
ସୋମନାଥଦେବ ମନ୍ଦିର ଓ କେଦାରେଶ୍ଵର ମନ୍ଦିର -- ଅଲଗା ପ୍ରସଙ୍ଗ ହେବ ଓ ଏ ପ୍ରସଙ୍ଗ ଭିତରେ ରହିବ ନାହିଁ
ନୟାଗଡ଼ର ଉତ୍ତର ଦିଗରେ ମାତ୍ର ୭ କି.ମି. ଦୂରରେ ଗୋବିନ୍ଦପୁର ଶାସନ ଅବସ୍ଥିତ । ଏହି ଗ୍ରାମଟି ନୟାଗଡ଼ ଗଡଜାତରେ ଥିବା ସର୍ବ ପୁରାତନ ଗ୍ରାମ ଗୁଡିକ ମଧ୍ୟରୁ ଅନ୍ୟତମ । ବିଶିଷ୍ଟ ଐତିହାସିକ ଶ୍ରୀ ସତ୍ୟନାରାୟଣ ରାୟଗୁରୁ ନିଜ ପୁସ୍ତକ ଓଡିଶାର ସାଂସ୍କୃତିକ ଇତିହାସରେ ଲେଖିଛନ୍ତି ଆଜିର ଯାଜପୁର ଠାରୁ ଭୁବନେଶ୍ଵର ଦୟାନଦୀ କୂଳ ଦେଇ ବରୁଣେଇ ପାହାଡ଼, ଗୋବିନ୍ଦପୁର (ନୟାଗଡ଼) କଣ୍ଟିଲୋ, ବରମୁଳ ବଉଦ ଦେଇ ପଶ୍ଚିମ ଓଡିଶା ସୋନପୁର ବଲାଙ୍ଗୀରକୁ ଏକ ରାଜପଥ ସ୍ପର୍ଶ କରୁଥିଲା । ଯେଉଁ ରାସ୍ତା ଦେଇ ସେ ସମୟରେ ରାଜା ମହାରାଜା ତଥା ସାଧାରଣ ପ୍ରଜା ଉପକୁଳ ଓଡିଶାରୁ ପଶ୍ଚିମ ଓଡିଶାକୁ ସହଜରେ ଯାତାୟାତ କରିପାରୁଥିଲେ । ଅତଏବ ଓଡିଶାରେ କେଶରୀ ବଂଶ ଶାସନ ସମୟେ, ଏକଦା ଜଣେ ରାଜା ଯାହାଙ୍କୁ ରାଜା ଅନନ୍ତ କେଶରୀ (ଖ୍ରୀ:୬୧୭-୬୩୧) ବୋଲି ଅନେକ ଐତିହାସିକ ମତ ଦିଅନ୍ତି ସେହି ରାଜା କୁଷ୍ଠ ରୋଗଗ୍ରସ୍ତ ହୋଇଥିଲେ । ରୋଗ ନିରାକାରଣ ନିମିତ୍ତ ଠାକୁରଙ୍କ ଆଜ୍ଞାରେ ଅଶ୍ଵାରୋହୀ ହୋଇ ପଶ୍ଚିମ ଦିଗେ ଯାତ୍ରା ଆରମ୍ଭ କରିଥିଲେ । ପ୍ରଭୁଙ୍କ ଆଜ୍ଞା ଥିଲା ଯେଉଁଠାରେ ମୋତେ ପଶ୍ଚିମ ମୁଖ ହୋଇଥିବାର ଦେଖିବ ସେଠି ମୋତେ ପ୍ରତିଷ୍ଠା କରିବ । ବୋଧହୁଏ ରାଜା ଉପରୋକ୍ତ ରାଜପଥ ଦେଇ ଆସିଥିବେ ଯାହା ଫଳରେ ସେ ଆଜିର ନୟାଗଡ଼ ନିକଟବର୍ତ୍ତୀ ଗୋବିନ୍ଦପୁର ଗ୍ରାମରେ ପହଁଚିଥିବେ ଏବଂ ଏଠାରେ ସ୍ବୟ ଶମ୍ଭୁ ଲିଙ୍ଗ ରୂପେ ଆବିର୍ଭାବ ହେବାର ଦେଖି ତଥା ଦେବଙ୍କ ମୁଖ ପଶ୍ଚିମକୁ ଥିବାର ଲକ୍ଷ୍ୟ କରି, ରାଜା ସେଠାରେ ଅଟକି ଠାକୁରଙ୍କୁ ଧ୍ୟାନ କରି, ମହେଶ୍ଵେରଙ୍କ ଆଦେଶରେ ସେଠାରେ ଠାକୁରଙ୍କୁ ପ୍ରତିଷ୍ଠା କରାଇଥିବେ । ଏହା ସହ ଠାକୁରଙ୍କ ପାଇଁ ମନ୍ଦିରଟିଏ ତୋଳାଇଲେ । ତତ୍ ସହ ନିଜ ବଂଶର ରାଜପୁରୋହିତ ବତ୍ସସ ଗୋତ୍ରର ଯଦୁର୍ବେଦି ବ୍ରାହ୍ମଣ ମାନଙ୍କୁ ଆଣି ଏଠାରେ ଠାକୁରଙ୍କ ସେବାରେ ନିୟୋଜିତ କରିବା ସହ ଅନେକ ଜମି ଭୋଗ ଖଞ୍ଜାଇଥିଲେ । ସେଠାରେ ଠାକୁରେ ନାମ ବହିଲେ ସୋମନାଥ ଶମ୍ଭୁ । ନୟାଗଡ଼ ଦ୍ଵାଦଶ ଶମ୍ଭୁ ମଧ୍ୟରୁ ସୋମନାଥ ଶମ୍ଭୁ ହେଉଛନ୍ତି ଅନ୍ୟତମ ।
ବେଢ଼ାରେ ବାବା ସୋମନାଥଙ୍କ ସହ ବାବା କେଦାରନାଥ ଏବଂ ଅନ୍ୟ ଚାରି ଶମ୍ଭୁ ମଧ୍ୟ ପୂଜା ପାଉଛନ୍ତି । ବାବା କେଦାରନାଥଙ୍କ ସହ ଅନ୍ୟ ଚାରି ଶମ୍ଭୁ ଦକ୍ଷିଣମୁଖି ହୋଇ ପୂଜା ପାଉଥିବା ବେଳେ ଠାକୁରଙ୍କ ମୁଖ୍ୟ ମନ୍ଦିରକୁ ଲାଗି ମା କାଉଁରୀ କାମାକ୍ଷା ଦେବୀ ପୁର୍ବମୁଖି ହୋଇ ପୂଜା ପାଉଛନ୍ତି।
ମହାଦେବଙ୍କ ମନ୍ଦିର ବେଢ଼ାରେ ଦେବୀ କାଉଁରୀ ମା’ଙ୍କ ମନ୍ଦିର ନିର୍ମାଣ :-
ଏହିପରି କିଛିଦିନ ଉପରାନ୍ତେ ଦିନେ ସୋମନାଥ ଦେବଙ୍କ ମାଳି ଦେଖିଲେ ଜଣେ ମହିଳା ମନ୍ଦିର ବେଢାରେ ପ୍ରତିଦିନ ଅର୍ଦ୍ଧରାତ୍ରରେ ବୁଲୁଛନ୍ତି, ମାଳି ଏହା ଦେଖି ଦିନେ ଭୟରେ ପଚାରିବାରୁ ମହିଳା ଜଣକ ଉତ୍ତର ଦେଇଥିଲେ ମୁଁ କାଉଁରୀ କାମାକ୍ଷୀ ଦେବୀ, ମୋତେ ୟେ ସ୍ଥାନର ପ୍ରକୁତିକ ସୋନ୍ଦର୍ଯ୍ୟ ଭଲ ଲାଗୁଛି । ମୋ ପାଇଁ ଏଠାରେ ମନ୍ଦିରଟିଏ ନିର୍ମାଣ କର ।
ଏହା ପଛରେ ଆଉ ଏକ କାହାଣୀ ମଧ୍ୟ ସ୍ଥାନୀୟ ଲୋକଙ୍କ ଠାରୁ ଶୁଣାଯାଏ ଯେ, ଏକ ଦିନ ମା କାମାକ୍ଷୀ ଠାକୁରାଣୀ କାମାକ୍ଷା ରାଜ୍ୟରୁ ଆସି ଭ୍ରମଣ କରୁଥିବା ବେଳେ ଏଠାରେ ଥିବା ସୋମନାଥ ଦେବଙ୍କ ସହ ଭେଟ ହୋଇଥିଲା ଏବଂ କଥୋପକଥନରେ ରାତି ପାଇଗଲା, ତେଣୁ ଦେବୀ ଏଠାରେ ରହିଗଲେ ।
ମାଳି ସେବକ ଦେବୀଙ୍କ ଆଦେଶ ରାଜାଙ୍କୁ ଜଣାଇବାରେ ରାଜା ତୁରନ୍ତ ଆସି ଦେବୀଙ୍କୁ ପାଷାଣ ପ୍ରତିମା ରୂପେ ଏଠାରେ ସ୍ଥାପନ କରି, ମା’ ଙ୍କ ନିମନ୍ତେ ମନ୍ଦିରଟିଏ ନିର୍ମାଣ କଲେ । ମା’ ଙ୍କ ପୂଜା ତଥା ଦୈନନ୍ଦିନ ନୀତିକାନ୍ତି ପାଇଁ ଦକ୍ଷିଣ ଦିଗରୁ କମା ଜାତିର କିଛି ଦେବୀ ବ୍ରାହ୍ମଣ ପୂଜକ ଆଣି ଏଠାରେ ରଖାଇଲେ ।
ଏହିପରି କାଳକ୍ରମେ ଉକ୍ତ ଗ୍ରାମରେ ଦେବ ସୋମନାଥ, କେଦାରେଶ୍ଵର ଏବଂ ମା’ କାଉଁରୀ କାମାକ୍ଷା ଦେବୀ ଏକତ୍ର ପୂଜା ପାଇଲେ।
ବାଲୁଁଗାର ରାଜାଙ୍କ ଦ୍ଵାରା କାଉଁରୀ ଦେବୀଙ୍କ ପୂଜକ କମା ବ୍ରାହ୍ମଣ ମାନଙ୍କ ନରସଂହାର ତଥ୍ୟ:-
ନୟାଗଡ଼ ଗଡ଼ଜାତ ସୃଷ୍ଟି ପୂର୍ବର ଘଟଣା, ସେତେବେଳେ ଓଡିଶା ରାଜାଙ୍କ କରଦ ଗଡ଼ ଭାବରେ ଦିଘିରି, ବୋଲଗଡ, ସୁନାଖେଳା, ଇଟାମାଟି, ଚମ୍ପତିପୁର, ଏପରି ବାଉନଟି ଗ୍ରାମକୁ ନେଇ ଏକ ଗଡ଼ ବସାଇ ଜଣେ ସାମନ୍ତ (ରାଜା) ଉକ୍ତ ଅଞ୍ଚଳରେ ଶାସନ କରୁଥିଲେ । କାଳକ୍ରମେ ଉକ୍ତ ଗଡ଼ଟିର ନାମ ବାଉନ ଗାଁରୁ ବାଲୁଗାଁ ରୂପେ ପରିଚିତ ହୋଇଥିଲା ବୋଲି ଅନେକ ଐତିହାସିକ ମତ ଦିଅନ୍ତି । ଏହା ନୟାଗଡ଼ ସହର ଠାରୁ ଉତ୍ତର ଦିଗରେ ମାତ୍ର ୫ କି.ମି. ଦୂରରେ ଅବସ୍ଥିତ।
ଦିନେ ଉକ୍ତ ବାଲୁଁଗାର ରାଣୀ ଗୋବିନ୍ଦପୁରର କାମାକ୍ଷା ଦେବୀଙ୍କ ପାଖରେ ଏକ ବିଶେଷ ପୂଜାର ଆୟୋଜନ କରୁଥାନ୍ତି । ବିଧି ମୁତାବକ ଏକ କଦଳୀ ଭଣ୍ଡାର ଆବଶ୍ୟକତା ପଡିଲା । ରାଜା ନିଜ ସୈନିକଙ୍କୁ ଆଦେଶ ଦେଲେ ନିକଟସ୍ଥ ବ୍ରାହ୍ମଣ ଗାଁରୁ ଭଣ୍ଡା ଆଣିବାକୁ । ରାଜାଙ୍କ ଆଦେଶରେ ସୈନିକ ମାନେ ଯେତେବେଳେ ଯାଇ ବ୍ରାହ୍ମଣ ଗାଁରେ ରାଣୀଙ୍କ ପୂଜା ପାଇଁ ଆବଶ୍ୟକ ଭଣ୍ଡା ପାଇଁ କହିଥିଲେ, ସେଠାର କିଛି ବ୍ରାହ୍ମଣ ରାଣୀଙ୍କ ଉଦେଶ୍ୟରେ ତାଛଲ୍ୟ କରି କହିଲେ "ରାଣୀଙ୍କ ଭଣ୍ଡା ଦରକାର ନା ଭେଣ୍ଡା’ । ଏ କଥା ଯେତେବେଳେ ରାଜାଙ୍କ କାନରେ ପଡିଲା, ରାଜା କ୍ରୋଧିତ ହୋଇ ସୈନିକଙ୍କୁ ଆଦେଶ ଦେଲେ, ସେ ଗ୍ରାମର ସମସ୍ତ ବ୍ରାହ୍ମଣଙ୍କୁ ଅବିଳମ୍ବେ ହତ୍ୟା କରିବାକୁ ।
ରାଜାଙ୍କ ଆଦେଶରେ ସୈନିକମାନେ ଅତି କ୍ରୁରତା ଏବଂ ନୃଶଂସତାର ସହିତ ବ୍ରାହ୍ମଣ ମାନଙ୍କୁ ହତ୍ୟା କରିଥିଲେ । ଅନେକ ନିର୍ଦୋଷ ବ୍ରାହ୍ମଣ ମୃତ୍ୟୁ ବରଣ କରିଥିଲେ । ଶୁଣାଯାଏ କେବଳ ଜଣେ ବ୍ରାହ୍ମଣ କୌଣସି ମତେ ନିଜ ଘର ବାରି ପଛରେ ଥିବା କୂପରେ ଲୁଚି ରହି ନିଜ ଜୀବନ ବଞ୍ଚାଇଥିଲେ । ପରେ ସେ ନିକଟସ୍ଥ ଇଟାମାଟି ଗ୍ରାମ ତା ପରେ ପଲ୍ଲୀଶାସନ ଗ୍ରାମରେ ଅନ୍ୟ ବ୍ରାହ୍ମଣଙ୍କ ସାହାଯ୍ୟରେ ଜୀବିତ ରହିଥିଲେ । ବର୍ତ୍ତମାନ ତାଙ୍କର ବଂଶଜ ଉକ୍ତ ଗ୍ରାମରେ ବଟବର୍ମା ବ୍ରାହ୍ମଣ ନାମରେ ପରିଚିତ ହୋଇ ବାସକରୁଛନ୍ତି ।
ଶୁଣାଯାଏ ଉକ୍ତ ବ୍ରାହ୍ମଣ ନର ସଂହାର ପରେ, ବ୍ରହ୍ମ ହତ୍ୟା ଦୋଷ ଏବଂ ଦେବୀ ମା’ଙ୍କ କୋପରେ ରାଜା ଏବଂ ତାଙ୍କ ରାଣୀ ଦୁହେଁ ନିଜ ମାନସିକ ସନ୍ତୁଳନ ହରାଇ ବସିଥିଲେ ଏବଂ ରାଜ୍ୟ ହରା ହୋଇ ଜଙ୍ଗଲରେ ବୁଲିବାକୁ ଲାଗିଲେ । କିଛି ଦିନ ପରେ ନୟାଗଡ଼ ନିକଟସ୍ଥ ଇଟାମାଟି ଗ୍ରାମରେ ଥିବା ଏକ ବଡ଼ ପୁଷ୍କରିଣୀରେ ଦୁଇଜଣ ଯାକ ଆତ୍ମାହୃତି କରିଥିଲେ । ଯାହା ଆଜି "ରାଜାବୁଡ଼ା ପୋଖରୀ’ ନାମରେ ଇଟାମାଟି ଗ୍ରାମରେ ପରିଚିତ।
ଏହାପରେ କିଛି ବର୍ଷ ଅନ୍ତେ ରଣପୁର ରାଜା ଠାକୁର ଏବଂ ଦେବୀଙ୍କ ସେବା ପାଇଁ କିଛି ବ୍ରାହ୍ମଣ ଆଣି ଅଭୟ ନରେନ୍ଦ୍ରପୁର ନାମରେ ଏକ ଶାସନ ବସାଇଥିଲେ । କିନ୍ତୁ ଏ ଘଟଣା ପରେ ସେଠାରେ ରହିବାକୁ କେହି ବ୍ରାହ୍ମଣ ଭୟରେ ରାଜି ହୋଇନଥିଲେ । ପରେ ନୟାଗଡ଼ ରାଜ୍ୟ ସ୍ଥାପନ ହେବାରୁ ନୟାଗଡ଼ ରାଜା ରଘୁନାଥ ସିଂହ(୧୫୬୫-୧୫୯୫), ଠାକୁର ଏବଂ ମା’ କାମାକ୍ଷାଙ୍କ ସେବା ପାଇଁ ଗୋବିନ୍ଦପୁର ନାମରେ ଏକ ବ୍ରାହ୍ମଣ ଶାସନ ବସାଇଥିଲେ ଏବଂ ଠାକୁରଙ୍କ ସମସ୍ତ ଦାୟିତ୍ଵ ନିଜ ହାତକୁ ନେଇ ଅନେକ ଜମି ଭୋଗ ଖଞ୍ଜିଥିଲେ । କେତେକଙ୍କ ମତରେ ନୟାଗଡ଼ର ସପ୍ତମ ରାଜା ଗୋବିନ୍ଦ ସିଂହ ନିଜ ନାମ ଅନୁସାରେ ଗୋବିନ୍ଦ ପୁର ଶାସନ ବସାଇଥିଲେ । କିନ୍ତୁ ନୟାଗଡ଼ ରାଜବଂଶଙ୍କୁ ଅନୁଧ୍ୟାନ କଲେ ବାଘେଲା ବଂଶୀୟ ନବମ ରାଜା ବାଘା ସିଂହ(୧୪୮୦-୧୫୧୦) ଆଜିର ନୟାଗଡ଼ ଦୁର୍ଗଟି ନିର୍ମାଣ କରିଥିଲେ ଏହା ପୁର୍ବରୁ ସେମାନେ ରଳବ ଗଡ଼ରେ ରାଜ୍ୟ ସ୍ଥାପନ କରି ଶାସନ କରୁଥିଲେ ଏବଂ ନିଜ ରାଜ୍ୟ ରେବାରୁ କୂଳ ଆଚାର୍ଯ୍ୟ ମାନଙ୍କୁ ଆଣି କଣ୍ଟାବଣିଆ ନାମକ ଏକ ବ୍ରାହ୍ମଣ ଶାସନ ବସାଇଥିବାର ଅନେକ ଐତିହାସିକ ମତ ଦିଅନ୍ତି । ସେ ସମୟରେ ଆଉ କୋଣସି ବ୍ରାହ୍ମଣ ଶାସନ ବସାଇଥିବାର ଇତିହାସରୁ କୌଣସି ସୂଚନା ମିଳେନାହିଁ । ସୁତରାଂ ନୟାଗଡ଼ ଦୁର୍ଗ ସ୍ଥାପନ ପରେ ନୟାଗଡ଼ ରାଜା ମାନେ ପୁରୀ ୧୬ ଶାସନରୁ କେତେକ ବ୍ରାହ୍ମଣ ଆଣି ନୟାଗଡରେ ଅନେକ ବ୍ରାହ୍ମଣ ଶାସନ ବସାଇଥିଲେ।
ସେଠାରେ ପୂର୍ବରୁ ରହୁଥିବା କମା ବ୍ରାହ୍ମଣମାନେ ନିଜ ଗୃହ ବାଡ଼ିରେ ଦୁଇଟି କୂପ ଖୋଳାଇଥିବାର ଶ୍ରୀ ସତ୍ୟନାରାୟଣ ରାୟଗୁରୁ ଏବଂ ପ୍ରାଣକୃଷ୍ଣ ଆଚାର୍ଯ୍ୟ ନିଜ ପୁସ୍ତକରେ ଲେଖିଛନ୍ତି । ଗୋଟିଏ ରେ ସ୍ନାନ, ରୋଷେଇ ଆଦି ଗୃହ କାର୍ଯ୍ୟ ପାଇଁ ବ୍ୟବହାର କରିବା ବେଳେ ଅନ୍ୟ କୂପଟି କେବଳ ଦେବ ପୂଜା ପାଇଁ ବ୍ୟବହାର କରୁଥିଲେ । ଆଜି ମଧ୍ୟ ଉକ୍ତ ବ୍ରାହ୍ମଣ ଶାସନ ଗ୍ରାମରେ ପ୍ରାୟ ଲୋକଙ୍କ ବାଡ଼ିରେ ଦୁଇଟି କୂପ ଥିବାର ଲକ୍ଷ୍ୟ କରାଯାଏ । ଏବଂ ଐତିହାସିକ ମାନେ ଅନୁମାନ କରନ୍ତି ଯେ ଉକ୍ତ କୂପ ଗୁଡିକ ସେଇ କମା ବ୍ରାହ୍ମଣ ମାନଙ୍କ ବ୍ୟବହୃତ କୂପ ବୋଲି।
ବର୍ତ୍ତମାନର ସେ ଗ୍ରାମର କିଛି ଲୋକ କୁହନ୍ତି ସେ ସ୍ଥାନରୁ କିଛି ବର୍ଷ ପୂର୍ବେ ମାଟିତଳୁ ଅନେକ ରୁପା ଏବଂ ସ୍ବର୍ଣ୍ଣ ମୁଦ୍ରା ସହ କିଛି ପୁରୁଣା ସାମଗ୍ରୀ ମିଳିଥିଲା । ସେତେବେଳର ବ୍ୟବହୃତ ମାଟି ନନ୍ଦ ଯୁକ୍ତ କୂପ ଆଜି ମଧ୍ୟ ଏଠାରେ ଦେଖିବାକୁ ମିଳେ।
ନୟାଗଡ଼ ରାଜାରଘୁନାଥ ସିଂହଙ୍କ ଦ୍ଵାରା ବସା ଯାଇଥିବା ଗୋବିନ୍ଦପୁର ବ୍ରାହ୍ମଣ ଶାସନ ପଛର ତଥ୍ୟ:-
ଗୋବିନ୍ଦପୁର ଶାସନ ବସାଇବାର ପଛରେ ଆଉ ଏକ ଲୋକ କଥା ଶୁଣାଯାଏ । ସେଠି ଜଣେ ଗୋବିନ୍ଦ ନାମକ ଏକ ଚାଷୀ ଥିଲା ସେ ରାଜାଙ୍କର କୌଣସି କାରଣରୁ ବିଶ୍ଵାସ ଭାଜନ ହୋଇଥିବାରୁ ତାକୁ ସନ୍ତୁଷ୍ଟ କରାଇବା ନିମନ୍ତେ ତା’ରି ନାମ ଅନୁସାରେ ରାଜା ଗ୍ରାମଟିର ନାମ ଗୋବିନ୍ଦପୁର ରଘୁନାଥପୁର ଶାସନ ରଖିଥିଲେ । ଏବଂ ତା ପୁଅ ମାନଙ୍କ ନାମରେ ମଧ୍ୟ ବିଭିନ୍ନ ଜମିଚକକୁ ନାମିତ କରିଥିଲେ । ଏହି ଗ୍ରାମର ବ୍ରାହ୍ମଣ ମାନେ ପ୍ରଥମେ ପୁରୀ ନିକଟସ୍ଥ କୌଣସି ପୁରାତନ ୧୬ ଶାସନରୁ ଆସିଥିଲେ ପରେ ଭୋଇ ବଂଶର ଗଜପତି ମହାରାଜ ନରସିଂହ ଦେବ (୧୬୨୨-୧୬୪୮)ଙ୍କ ଦ୍ଵାରା ସ୍ଥାପିତ ବୀର ନରସିଂହପୁରରୁ କିଛି ବ୍ରାହ୍ମଣ ଆସିଥିବାର ଐତିହାସିକ ମାନେ ମତ ଦିଅନ୍ତି।
ମନ୍ଦିର ବେଢାରେ ଥିବା କିଛି ଶିଳାଲେଖ:
ମା କାଉଁରୀ ଦେବୀଙ୍କ ମନ୍ଦିର ଦକ୍ଷିଣପାର୍ଶ୍ଵରେ ଥିବା ବ୍ରାହ୍ମୀ ଅକ୍ଷରରେ ଲିଖିତ ଶିଳାଲେଖ ସମ୍ବନ୍ଧରେ ଡକ୍ଟର ହରେକୃଷ୍ଣ ମହତାବ ତାଙ୍କ ଓଡ଼ିଶା ଇତିହାସରେ ସାମାନ୍ୟ ସୂଚନା ଦେଇଛନ୍ତି । ଶିଳାଲେଖଟିକୁ ଡକ୍ଟର ସତ୍ୟ ନାରାୟଣ ରାଜଗୁରୁ ଏବଂ ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ନିମ୍ନମତେ ପାଠ କରିଛନ୍ତି
୧ମ ଧାଡ଼ି- ଶ୍ରୀ ଉଦ୍ୟୋତ କେ
୨ୟ ଧାଡ଼ି- ସ(ଶ)ରୀ ଦେବସ୍ୟ ବିଜୟ ରାଜ୍ୟ
୩ୟ ଧାଡ଼ି– ଅମିୟଂ ଖୋଦିତ ପୁଷ୍କରିଣୀ
ଏହାର ଅର୍ଥ ହେଉଛି- ଶ୍ରୀ ଉଦ୍ୟୋତ କେଶରୀଙ୍କ ବିଜିତ ରାଜ୍ୟରେ ଏହି ମଧୁମୟ ପୁଷ୍କରିଣୀ ଖୋଦିତ ହେଲା । ଉଲ୍ଲେଖଯୋଗ୍ୟ ଯେ ଗୋବିନ୍ଦପୁର ଗ୍ରାମରେ କେଦାରେଶ୍ଵର ମହାଦେବଙ୍କ ମନ୍ଦିରର ପୂର୍ବ ପାର୍ଶ୍ଵରେ ପଥରରେ ସୁସଜ୍ଜିତ ଏକ କ୍ଷୁଦ୍ର ଜଳାଶୟ ରହିଛି । ଲୋକମୁଖରେ ଏହା ଶାମୁକା ନାମରେ ଅଭିହିତ । ଏହି ଜଳାଶୟଟି ହେଉଛି ଶିଳାଲେଖରେ ଉଲ୍ଲେଖଥିବା ପୁଷ୍କରିଣୀ । ତେଣୁ ଏହା ପ୍ରମାଣ କରେ ଯେ ଗୋବିନ୍ଦପୁର ଗ୍ରାମର ଦକ୍ଷିଣ ମୁଖା ଶ୍ରୀକେଦାରେଶ୍ଵର ମହାଦେବଙ୍କ ମନ୍ଦିର ବଂଶର ରାଜା ଉଦ୍ୟୋତକେଶରୀ (ଖ୍ରୀ ୧୦୪୦-୧୦୬୫)ଙ୍କ ଦ୍ଵାରା ନିର୍ମିତ।
୧୯୩୨-୩୩ ସେଟଲମେଣ୍ଟ ରିପୋର୍ଟ ଅନୁଯାୟୀ ଗୋବିନ୍ଦପୁର ଗ୍ରାମର ସୋମନାଥ ମହାଦେବଙ୍କର ଖଞ୍ଜା ଜମି ପରିମାଣ ୧୧ ଏକର ୮୩ ଡେ଼ସିମିଲ୍ । ଗୋବିନ୍ଦପୁର ମନ୍ଦିର ବେଢ଼ାରେ କେଦାରେଶ୍ଵର ଓ ସୋମନାଥଦେବଙ୍କ ବ୍ୟତୀତ କାଉଁରୀ ଠାକୁରାଣୀ (କାମାକ୍ଷାଦେବୀ)ଙ୍କ ମନ୍ଦିର ବିଦ୍ୟମାନ । ଗୋବିନ୍ଦପୁର ଗ୍ରାମର ମନ୍ଦିର ବେଢ଼ା ଭିତରେ ପଞ୍ଚଲିଙ୍ଗେଶ୍ଵର ଠାକୁର ପୂଜା ପାଉଛନ୍ତି । ଏହି ପଞ୍ଚଲିଙ୍ଗ ହେଉଛନ୍ତି- ସୋମନାଥଦବ, କେଦାରେଶ୍ଵର, ବୈଦ୍ୟନାଥ, ବେଳେଶ୍ଵର ଓ କାର୍ତ୍ତିକେଶ୍ଵର ମହାଦେବ।
୩.ଗତୀଶ୍ଵର ମନ୍ଦିର:-ମାଳିସାହି ଗ୍ରାମ ନୟାଗଡ଼ ଟାଉନ୍ ଠାରୁ ୧୧ କିଲୋମିଟର ଉତ୍ତର-ପଶ୍ଚିମ ଦିଗରେ ଅବସ୍ଥିତ । ଏହି ଗ୍ରାମଟି ବାଲୁଗାଁ ମହିପୁର ରାସ୍ତାରେ ପଡେ଼ । ଏହି ଗ୍ରାମର ଗତୀଶ୍ଵର ମନ୍ଦିରଟି ବୌଦ୍ଧରାଜା ରଣଭଞ୍ଜଙ୍କର କୀର୍ତ୍ତି ଅଟେ ।
ମନ୍ଦିରର ନିର୍ମାଣ କୌଶଳ: ଗତୀଶ୍ଵର ମହାଦେବଙ୍କ ମନ୍ଦିରର ଗଠନ କୌଶଳ କଳିଙ୍ଗ ଓ ଦ୍ରାବିଡ଼ ଦେଉଳର ଗଠନ କୌଶଳ ଦ୍ଵାରା ପ୍ରଭାବିତ । ଦ୍ରାବିଡ଼ ଶୈଳୀ ଅନୁସରଣରେ ଏଠାରେ ଦୁଇଗୋଟି ସଂଲଗ୍ନ ମନ୍ଦିର ଦେଖିବାକୁ ମିଳେ । ଯଥା
(କ) ମୁଖ୍ୟ ବା ପ୍ରଧାନ ଦେଉଳ, ଗର୍ଭଗୃହ ବା ବିମାନ (ଖ) ଗୌଣ ମନ୍ଦିର ବା ଭୋଗ ମନ୍ଦିର ବା ଜଗମୋହନ
ଗତୀଶ୍ଵର ମନ୍ଦିର ବିମାନ ଏବଂ ଜଗମୋହନ ପୀଢ଼ ଦେଉଳ ଅନ୍ତର୍ଗତ । ଜଗମୋହନର ସମ୍ମୁଖ ଲାଗି ଏକ ମଣ୍ଡପ ନିର୍ମିତ ହୋଇଛି । ଏହାର ଉପର ଅଂଶ ଟିଣ ସିଟ୍ ଦ୍ଵାରା ଆଚ୍ଛାଦିତ । ଏହା ହେଉଛି ନାଟ ମଣ୍ଡପ ।
(କ)ପ୍ରଧାନ ମନ୍ଦିର ବା ଗର୍ଭଗୃହ:ଏହା ହେଉଛି ଗତୀଶ୍ଵର ମନ୍ଦିରର ମୁଖ୍ୟ ଦେଉଳ । ଏହାର ଉଚ୍ଚତା ୪୫ ଫୁଟ । ଏହା ଆୟତାକାର ଶୈଳୀରେ ନିର୍ମିତ । ଏହି ମନ୍ଦିରଟିରେ ଭୂ-ପତ୍ତନଠାରୁ ଶୀର୍ଷ ଭାଗରେ ରହିଥିବା ପତାକା ପର୍ଯ୍ୟନ୍ତ ଯଥାକ୍ରମେ ନିମ୍ନ ଅଂଶଗୁଡ଼ିକ ଦେଖିବାକୁ ମିଳିଥାଏ–
ପୀଠ:-ଏହା ମନ୍ଦିରର ସର୍ବନିମ୍ନ ଅଂଶ । ଏହା ଭୂମିତଳୁ ନିର୍ମିତ୍ତ ହୋଇ ଭୂପତ୍ତନ ଉପରେ ରହିଛି । ଏହାର ଦୈର୍ଘ୍ୟ ୨୪.୯ ଫୁଟ, ପ୍ରସ୍ଥ ୨୨.୯ ଫୁଟ ଏବଂ ଉଚ୍ଚତା ୩ ଫୁଟ । ଏହି ପୀଠ ଉପରେ ଆଉ ଗୋଟିଏ ଅଳ୍ପ ଉଚ୍ଚତା ବିଶିଷ୍ଟ ପୀଠ ରହିଛି । ଏହାର ଦୈର୍ଘ୍ୟ ୧୭ ଫୁଟ ଓ ପ୍ରସ୍ଥ ୧୬ ଫୁଟ । ଏହା ଉପରେ ପ୍ରଧାନ ମନ୍ଦିରଟି ଅବସ୍ଥିତ।
ବାଡ଼:-ଏହା ପୀଠର ଉପର ଭାଗରେ ଏବଂ ରେଖ ବା ଚାଳର ନିମ୍ନ ଭାଗରେ ରହିଛି ଏହାର ଉଚ୍ଚତା ୩ ଫୁଟ । ଏହାର ଦୈର୍ଘ୍ୟ ଓ ପ୍ରସ୍ଥ ୧୫ ଫୁଟ ଲେଖାଏଁ ଅଟେ । ବିମାନ ବାଡ଼ର ପଶ୍ଚିମ, ଉତ୍ତର ଓ ଦକ୍ଷିଣ ପାର୍ଶ୍ଵ ପାଞ୍ଚ ଭାଗରେ ବିଭକ୍ତ ବାଡ଼ର ଦକ୍ଷିଣ ପାର୍ଶ୍ଵରେ କଳାମୁଗୁନି ପଥରରେ ନିର୍ମିତ ଶ୍ରୀଗଣେଶ ମୂର୍ତ୍ତି ପୂଜା ପାଉଛନ୍ତି ବାଡ଼ର ଏହି ଦକ୍ଷିଣ ପାର୍ଶ୍ଵରେ ‘ଭରାଣ୍ଡି’ ବା ‘ଠଣା’ ଭିତରେ ପ୍ରାଚୀନ ବରାହ ମୂର୍ତ୍ତି ରହିଛି । ଏହା ବ୍ୟତୀତ ଏହି ଦକ୍ଷିଣ ପାର୍ଶ୍ଵରେ ନବଗୁଞ୍ଜର, ଭାରଣ୍ଡ ପକ୍ଷୀ, ମୟୂର, ବକପକ୍ଷୀ ଓ ସର୍ପ ଇତ୍ୟାଦିର କମନୀୟ ଚିତ୍ର ରହିଛି । ବାଡ଼ର ପଶ୍ଚିମ ପାର୍ଶ୍ଵ ‘ଠଣା’ରେ ହିରଣ୍ୟକଶ୍ୟପୁ ବିନାଶକାରୀ ନୃସିଂହ ମୂର୍ତ୍ତି ସ୍ଥାନିତ । ନୃସିଂହ ମୂତ୍ତି ବାମପାର୍ଶ୍ଵରେ ଏକ କ୍ଷୁଦ୍ର ‘ଠଣା’ରେ ବ୍ରହ୍ମାଙ୍କର ମୂର୍ତ୍ତି ଏବଂ ଦକ୍ଷିଣପାର୍ଶ୍ଵରେ ବିଷ୍ଣୁଙ୍କର ମୂତ୍ତିର୍ ରହିଛି । ବାଡ଼ର ଉତ୍ତରପାର୍ଶ୍ଵ ମଧ୍ୟ ଭାଗରେ ଉପବେଶନରତ ଶିବ ଓ ପାର୍ବତୀଙ୍କର ଯୁଗଳ ନଗ୍ନ ମୂର୍ତ୍ତି ରହିଛି ।
ରେଖ:- ମନ୍ଦିରଟିର ବାଡ଼ ଉପରୁ ବେକି ପର୍ଯ୍ୟନ୍ତ କାନ୍ଥକୁ ‘ରେଖ’ କୁହାଯାଏ । ଏଥିରେ ପାଞ୍ଚଗୋଟି ‘ପାଗ’ ବା ‘ଭାଗ’ ରହିଛି ।
ବେକି:-ରେଖର ଉପର ଅଂଶ ହେଉଛି ବେକି । ମନ୍ଦିରର ବେକର ଐଶାନ୍ୟ, ଆଗ୍ନୟ, ନୈଋତ ବା ବାୟୁକୋଣରେ ଗୋଟିଏ ଲେଖାଏଁ ଏହିପରି ଚାରିଗୋଟି ଶାର୍ଦ୍ଦୂଳ ଏବଂ ଚାରି ଦିଗରେ ଜଣେ ଲେଖାଏଁ ଏହିପରି ଚାରିଜଣ ନଗ୍ନ ସ୍ତ୍ରୀ ଦୁଇହାତ ଓ ମୁଣ୍ଡରେ ଆମଳକକ ଧାରଣ କରିଥିବାର ମୂର୍ତ୍ତି ରହିଛି ।
ଆମଳକ:-ଏହି ଶିଳାର ଗଠନ ଅଁଳା ଫଳ ପରି ହୋଇଥିବାରୁ ଏହାକୁ ଆମଳକ ଶିଳା ବା ଅଁଳାପୀଢ଼ କୁହାଯାଏ । ଦେଉଳର ଗଣ୍ଡି ବା ରେଖର ପ୍ରସ୍ତରଗୁଡ଼ିକୁ ଦୃଢ଼ ଭାବରେ ଧରି ରଖୁବା ପାଇଁ ବେକି ଉପରେ ଏହି ଆମଳକ ଶିଳା ରଖାଯାଇଛି।
ଖପୁରୀ:-ଆମଳକ ଶିଳା ଉପରେ ଖପୁରୀ ରହିଛି । ଏହି ଖପୁରୀ ଦ୍ଵାରା ମଧ୍ୟ ଗୃହର ମୁଣ୍ଡ ବନ୍ଧା ଯାଇଛି । ଏହାକୁ ମଧ୍ୟ ଦେଉଳ ମୁଦ କୁହାଯାଏ । ଆମଳକ ଶିଳା ଉପରେ ଏବଂ ଖପୁରୀ ତଳେ ଧନରନି ଦେଇ ଦେଉଳ ମୁଦ କରାଯାଇଛି।
କଳସପାଗ:-ଏହା ଖପୁରୀ ଉପରେ ଓ କଳସର ନିମ୍ନ ଭାଗରେ ରହିଛି । ଏହା କଳସର ଏକ ଅଂଶ ରୂପେ ରହିଛି।
କଳସ ଡୋର:–କଳସର ମଧ୍ୟ ଭାଗରେ ଚାରିପଟେ ଗୋଟିଏ ବଳୟ ସଦୃଶ ଗଠିତ ରହିଛି । ଏହାକୁ କଳସ ଡୋର କୁହାଯାଏ ।
କଳସ ବା ଦଧିନଉତି–କଳସ ଡୋର ଉପରେ ମନ୍ଦିରର ଚୂଡ଼ାରେ ଏହା ଅବସ୍ଥିତ । ଏହା ଦେଖିବାକୁ କଳସ ପରି । ଏହାକୁ ମଧ୍ୟ ‘କମ୍ଭ ପଥର’ କୁହାଯାଏ । ଏହାର ଚାରିକୋଣରେ ଚାରିଗୋଟି ‘ଅର୍ଦ୍ଧଚନ୍ଦ୍ର’ ରହିଛି।
କଳସ ଘଡ଼ି-ଏହା କଳସ ଉପରେ ରହିଛି । ଏଥିରେ ରହିଥିବା ଗର୍ଭ ଦେହରେ ତ୍ରିଶୂଳ ପୋତା ଯାଇଛି । ଏଠାରେ ମଧ୍ୟ ବିମାନର ପତାକା ବା ଧ୍ଵଜ ଦଣ୍ଡଦ୍ଵାରା ରଖାଯାଇଛି।
(ଖ)ଭୋଗ ମନ୍ଦିର ବା ଜଗମୋହନ ବା ମୁଖଶାଳା:ପ୍ରଧାନ ମନ୍ଦିରର ପୂର୍ବଦିଗରେ ଜଗମୋହନ ଅବସ୍ଥିତ । ଏହାକୁ ମଧ୍ୟ ଭୋଗ ମନ୍ଦିର, ମୁଖଶାଳା ବା ଅନ୍ତରାଳ କୁହାଯାଏ । ଏହାର ଉଚ୍ଚତା ବଡ଼ ଦେଉଳର ଉଚ୍ଚବା ଠାରୁ କମ୍ । ଏହାର ଉଚ୍ଚତା ୩୮ ଫୁଟ।
ଗତୀଶ୍ଵର ମହାଦେବ ଶିବଲିଙ୍ଗ-ଗତୀଶ୍ଵର ମହାଦେବ ଶିବଲିଙ୍ଗ ପ୍ରଧାନ ମନ୍ଦିର ବା ଗର୍ଭଗୃହ ଭିତରେ ଅବସ୍ଥିତ । ଗତୀଶ୍ଵର ମହାଦେବ ଶିବଲିଙ୍ଗରେ ଖଣତି ଆଘାତ ଚିହ୍ନ ରହିଛି । ଅଲୋୈକିକତା-ବର୍ଷାଋତୁରେ ଆଷାଢ଼ ମାସ ଠାରୁ ଆଶ୍ଵିନ ମାସ ପର୍ଯ୍ୟନ୍ତ ମୁଖ୍ୟ ଦେଉଳ ଓ ଜଗମୋହନ ଭିତର ଜଳମଗ୍ନ ହୋଇ ରହେ ।
ସମ୍ପତ୍ତି-୧୯୩୨-୩୩ ମସିହା ସେଟଲମେଣ୍ଟ ଅନୁଯାୟୀ ଗତୀଶ୍ଵର ମହାଦେବଙ୍କର ଖଞ୍ଜାଜମି ପରିମାଣ ୧୧୮ ଏକର ୯୦ ଡେ଼ସିମିଲ୍ ।
ପ୍ରଧାନ ଯାତ୍ରା -ଗତୀଶ୍ଵର ପୀଠ ମାଳିସାହିରେ ପ୍ରଧାନ ଯାତ୍ରା ଶୀତଳ ଷଷ୍ଠୀ ପ୍ରତ୍ୟେକ ବର୍ଷ ମହାସମାରୋହରେ ପାଳିତ ହୁଏ ।
୪. ଦୁତୀକେଶ୍ଵର ମହାଦେବ:ଦୁତୀକେଶ୍ଵର ମହାଦେବ ନୟାଗଡ଼ ଜିଲ୍ଲାରେ ଅତ୍ୟନ୍ତ ପ୍ରସିଦ୍ଧ ଓ ଜନପ୍ରିୟ ଦେବତା । ଦୁତୀକେଶ୍ଵର ମହାଦେବ ଜାମୁପାଟଣାରେ ପୂଜା ପାଉଛନ୍ତି । କାମୁପାଟଣା ଗ୍ରାମଟି ଓଡ଼ଗାଁ-ବାହାଡ଼ା ଝୋଲା ରାସ୍ତାରେ ପଡେ଼ । ଦୁତୀକେଶ୍ଵରଙ୍କୁ କେନ୍ଦ୍ରକରି ଏକ କିମ୍ବଦନ୍ତୀ ରହିଛି ।
କିମ୍ବଦନ୍ତୀ- ଦୂତିକା ନାମ୍ନୀ ଏକ କନ୍ଧୁଣୀ ଶୂଳିଆ ପର୍ବତରେ ଏକ ବିଲ୍ଵବୃକ୍ଷ ନିକଟରେ ଥିବା ପିଠଳ କନ୍ଦ ଖୋଳୁ ଖୋଳୁ ମହାଦେବ ଆବିର୍ଭୂତ ହୋଇଥିଲେ । ଦୁତୀକେଶ୍ଵର ମହାଦେବଙ୍କର ମସ୍ତକରେ କନ୍ଧୁଣୀର ଖଣତି ବାଜି ରକ୍ତ ଝରିଥିଲା ଏବଂ ମହାଦେବ ଆବିର୍ଭୂତ ହୋଇଥିବା କଥା ନୟାଗଡ଼ ରାଷ୍ଟ୍ରରେ ପ୍ରସ୍ଫୁରିତ ହେଲା ।
ଦ୍ଵିତୀକେଶ୍ଵରଙ୍କ ମନ୍ଦିରଟି ଶୂଳିଆ ପର୍ବତର ପାଦ ଦେଶରେ ଅବସ୍ଥିତ । ମନ୍ଦିରଟିର ଉଚ୍ଚତା ପ୍ରାୟ ୪୦ ଫୁଟ । ଭକ୍ତମାନେ ମାନସିକ ପୂରଣ ପାଇଁ ନିଷ୍ଠାର ସହିତ ଉପବାସ କରି ଶରୀରକୁ କଷ୍ଟଦେଇ ଗୁହାରିଆ ପଡ଼ନ୍ତି । ଆଶୁତୋଷ ଦ୍ଵିତୀକେଶ୍ଵର ମହାଦେବଙ୍କ କରୁଣାରୁ ଗୁହାରିଆ ମାନଙ୍କର ମନସ୍କାମନା ପୂର୍ଣ୍ଣ ହୁଏ ।
ମୁଖ୍ୟ ଯାତ୍ରା-ଏହି କ୍ଷେତ୍ରର ପ୍ରସିଦ୍ଧ ବାରେଡ଼ି ଯାତ୍ରା କାର୍ତ୍ତିକ ମାସ ପୂର୍ଣ୍ଣିମା ଦିବସରେ ଅନୁଷ୍ଠିତ ହୁଏ ।
ସମ୍ପତ୍ତି-ମହାଦେବଙ୍କ ଖଞ୍ଜା ଜମି ପରିମାଣ ହେଉଛି ୮୯ ଏକର ୯୭ ଡେସିମିଲ୍।
୫.ଉଗ୍ରେଶ୍ଵର ମହାଦେବ: ବଡ଼ପଣ୍ଡୁସର ଗ୍ରାମ ନୟାଗଡ଼-ଭୁବନେଶ୍ଵର ରାଜପଥରେ ନୟାଗଡ଼ଠାରୁ ୭ କିଲୋମିଟର ଦୂରତାରେ ଅବସ୍ଥିତ । ଏହି ମନ୍ଦିରଟିର ନିର୍ମାତା ହେଉଛନ୍ତି ନୟାଗଡ଼ର ୨୫ତମ ରାଜା ନାରାୟଣ ସିଂହ ମାନଧାତା । ସମ୍ପତ୍ତି-୧୯୩୨-୩୩ ମସିହା ସେଟଲମେଣ୍ଟ ରିପୋର୍ଟ ଅନୁଯାୟୀ ଉଗ୍ରେଶ୍ଵର ମହାଦେବଙ୍କ ଖଞ୍ଜାଜମି ପରିମାଣ ହେଉଛି ୯୩ ଏକର ୪୩ ଡେସିମିଲ୍ ।
ମୁଖ୍ୟ ଯାତ୍ରା-ଏଠାରେ ପାଳିତ ହେଉଥିବା ପ୍ରଧାନ ପର୍ବପର୍ବାଣି ମଧ୍ୟରେ କାର୍ତ୍ତିକ ପୂର୍ଣ୍ଣିମା ପ୍ରଧାନ।
୬.ସିଂହେଶ୍ଵର ମନ୍ଦିର: ନୟାଗଡ଼ ସହରଠାରୁ ଖଣ୍ଡପଡ଼ା ଯିବା ରାସ୍ତାରେ ଯଦୁପୁର ଗ୍ରାମଟି ପଡେ଼ । ଯଦୁପୁର ଗ୍ରାମ ନୟାଗଡ଼-ଖଣ୍ଡପଡ଼ା ରାସ୍ତାରେ ନୟାଗଡ଼ଠାରୁ ୪ କିଲୋମିଟର ଦୂରତାରେ ଅବସ୍ଥିତ । ଏହି ଗ୍ରାମର ପୂର୍ବ ଦିଗରେ ଏକ ସୁରମ୍ୟ ପୁଷ୍କରିଣୀ ତଟରେ ସିଂହେଶ୍ଵର ମହାଦେବଙ୍କ ମନ୍ଦିର ବିଦ୍ୟମାନ ।
ମନ୍ଦିର-ଏହି ମନ୍ଦିରର ଉଚ୍ଚତା ୩୫ ଫୁଟ । ଏହି ମନ୍ଦିରର ପାବଚ୍ଛ ନିକଟରେ ଏକ ପୁଷ୍କରିଣୀ ରହିଛି ।
ମୁଖ୍ୟ ଯାତ୍ରା-ଏଠାରେ ଯାତ୍ରାଙ୍ଗି ପର୍ବ ପାଳନ କରାଯାଏ । ଏହା ବ୍ୟତୀତ କାର୍ତ୍ତିକ ମାସର ପ୍ରତ୍ୟେକ ସୋମବାର ବ୍ରତ ଏଠାରେ ପାଳିତ ହୁଏ । ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏଠାରେ ଠାକୁରଙ୍କ ଦର୍ଶନ ନିମିତ୍ତ ଏକତ୍ରିତ ହୁଅନ୍ତି ।
ସମ୍ପତ୍ତି-ସିଂହେଶ୍ଵର ମହାଦେବଙ୍କ ଖଞ୍ଜା ଜମି ପରିମାଣ ହେଉଛି ୩୦ ଏକର ୪୭ ଡେସିମିଲ୍ ।
୭.ଧବଳେଶ୍ଵର ମନ୍ଦିର:ନୟାଗଡ଼ ଟାଉନଠାରୁ ୧୮ କିଲୋମିଟର ଦୂରତାରେ ବାଘରା ଗ୍ରାମ ଅବସ୍ଥିତ । ଏହି ଗ୍ରାମ ନିକଟସ୍ଥ ଏକ କ୍ଷୁଦ୍ର ପାହାଡ଼ ଶୀର୍ଷରେ ଧବଳେଶ୍ଵର ମହାଦେବଙ୍କ ମନ୍ଦିର ଏକ ରମ୍ୟ ପରିବେଶରେ ଅବସ୍ଥିତ । ଏହି ପାହାଡ଼ର ସମସ୍ତ ପଥର ଧଳା ବର୍ଣ୍ଣ ଅଟେ । ବୋଧହୁଏ ସେହି ଦୃଷ୍ଟିରୁ ମହାଦେବଙ୍କ ନାମ ଧବଳେଶ୍ଵର ରଖାଯାଇଛି ।
ଲିଙ୍ଗ-ଧବଳେଶ୍ଵର ଫୁଟା ଲିଙ୍ଗ ଅଟନ୍ତି ।
ମନ୍ଦିର-ଧବଳେଶ୍ଵର ମହାଦେବଙ୍କ ମନ୍ଦିର ପଶ୍ଚିମ ମୁଖା । ସୁତରାଂ ଧବଳେଶ୍ଵର ପଶ୍ଚିମ ମୁଖା ଶିବ ଅଟନ୍ତି । ମୁଖ୍ୟ ମନ୍ଦିରର ଉଚ୍ଚତା ପ୍ରାୟ ୩୫ ଫୁଟ । ଧବଳେଶ୍ଵର ମନ୍ଦିରକୁ ଯିବାପାଇଁ ପାହାଡ଼ ପାଦ ଦେଶରୁ ମନ୍ଦିର ପର୍ଯ୍ୟନ୍ତ ୧୯୦ ଗୋଟି ପାବଳ ରହିଛି । ଧବଳେଶ୍ଵର ମନ୍ଦିରକୁ ନୟାଗଡ଼ ଜିଲ୍ଲାର କପିଳାସ କହିଲେ ଅତ୍ୟୁକ୍ତି ହେବନାହିଁ । ଏହି ମହାଦେବ ରାଜ ପ୍ରତିଷ୍ଠିତ ।
ଅଲୋୈକିକତା-ଲୋକ ବିଶ୍ଵାସ ରହିଛି ଯେ ଧବଳକୃଷ୍ଠ ରୋଗାକ୍ରାନ୍ତ ବ୍ୟକ୍ତି ଏହି ମହାଦେବଙ୍କ ଶରଣାପନ୍ନ ହେଲେ ରୋଗରୁ ମୁକ୍ତ ହୁଅନ୍ତି । ଏହି ମହାଦେବଙ୍କ ଆବିର୍ଭାବ ସମ୍ପର୍କରେ କାଳିଗାଈ କ୍ଷୀରଦେବା ଉପାଖ୍ୟାନଟି ଜଡ଼ିତ ।
ସମ୍ପତ୍ତି-ଠାକୁରଙ୍କର ଖଞ୍ଜାଜମି ପରିମାଣ ୬୮ ଏକର ୮୧ ଡ଼ି ସମିଲ୍
ମୁଖ୍ୟ ଯାତ୍ରା-ଏଠାରେ ପାଳିତ ହେଉଥିବା ପର୍ବପର୍ବାଣି ମଧ୍ୟରେ କାର୍ତ୍ତିକ ମାସର ପ୍ରତି ସୋମବାର ବ୍ରତ, ବଡ଼ଓଷା ଓ କାର୍ତ୍ତିକ ପୂର୍ଣ୍ଣିମା ଯାତ୍ରା ପ୍ରଧାନ।
୮.ମୁକ୍ତେଶ୍ଵର ମହାଦେବ : ଗୋତିସାହି ଗ୍ରାମର ଆରାଧ ଦେବତା ହେଉଛନ୍ତି ମୁକ୍ତେଶ୍ଵର ମହାଦେବ । ଗୋତି ସାହି ଗ୍ରାମଟି ନୟାଗଡ଼-ଓଡ଼ଗାଁ ରାସ୍ତାରେ ପଡେ଼ ।
ଗୋତିସାହି ଗ୍ରାମର ପୂର୍ବ ଦିଗରେ ରାଜାଙ୍କର ଚିନାମାଳି ଧାନ ଗହୀର ମଧ୍ୟରେ ମୁକ୍ତେଶ୍ଵର ମହାଦେବଙ୍କ ମନ୍ଦିର ବିଦ୍ୟମାନ । ନୟାଗଡ଼ର ଦ୍ଵାଦଶ ଶମ୍ଭୁ ମଧ୍ୟରେ ମୁକ୍ତେଶ୍ଵର ମହାଦେବ ଅନ୍ୟତମ ।
କିମ୍ବଦନ୍ତୀ-କିମ୍ବଦନ୍ତୀ ଅନୁସାରେ ମୁକ୍ତା ନାମକ କନ୍ଧ କନ୍ୟା କନ୍ଦ ଖୋଳୁଥିବା ସମୟରେ ମହାଦେବଙ୍କ ମସ୍ତକରେ ଖଣତି ଆଘାତ ଲାଗି ରକ୍ତ ଝରିଥିଲା ଏହି ବିଚିତ୍ର ଘଟଣା ସେହି ଅଞ୍ଚଳରେ ଚର୍ଚ୍ଚିତ ଥିଲା । ସେହିପରି ଗୋତିସାହି ଗ୍ରାମରେ ଠାକୁର ଆବିର୍ଭୂତ ହୋଇଥିବା କଥା ନୟାଗଡ଼ ରାଷ୍ଟ୍ରରେ ଚହଳ ପଡିଲା । ନୟାଗଡ଼ ରାଜା ଏହି ବିଷୟ ଅବଗତ ହେଲେ ଓ ଏଠାରେ ମନ୍ଦିର ନିର୍ମାଣ କରାଇଲେ ।
ସମ୍ପତ୍ତି-ଏହି ମହାଦେବଙ୍କର ସେବାପୂଜା ଲାଗି ରାଜା ୩୬ ଏକ ୬୭ ଡିସିମିଲି ଜମି ଖଞ୍ଜା ବ୍ୟବସ୍ଥା କରିଛନ୍ତି ।
ମୁଖ୍ୟ ଯାତ୍ରା-ଏଠାରେ କାର୍ତ୍ତିକ ପୂଣ୍ଣିର୍ମା । ଏହି ଦିନ ଅନ୍ନକୂଟ ହୁଏ ।
୯.ଫୁଲେଶ୍ଵର ମହାଦେବ: ଓଡ଼ଗାଁ ତହସିଲ୍ ଅନ୍ତର୍ଗତ ବାହାଡ଼ଝୋଲା ଗ୍ରାମରେ ଫୁଲେଶ୍ଵର ମହାଦେବଙ୍କ ମନ୍ଦିର ଅବସ୍ଥିତ । ଫୁଲେଶ୍ଵର ମହାଦେବ ମଧ୍ୟ ହେଉଛନ୍ତି ସ୍ଵୟଂ ଲିଙ୍ଗ ।
ମନ୍ଦିର-ଫୁଲେଶ୍ଵର ମହାଦେବଙ୍କ ମନ୍ଦିରଟି ଅନୁଚ ହେଲେ ମଧ୍ୟ ବେଶ ରମଣୀୟ । ଏଠାରେ ଶିବ ଶ୍ରୀ ଫୁଲେଶ୍ଵର ମହାଦେବ ।
ମୁଖ୍ୟଯାତ୍ରା-ଏଠାରେ ଶିବ ଚତୁର୍ଦ୍ଦଶୀ, କାର୍ତ୍ତିକ ସୋମବାର ବ୍ରତ, ମହାସମାରୋହରେ ପାଳିତ ହୁଏ ।
ସମ୍ପତ୍ତି-ଏହି ମହାଦେବଙ୍କର ଖଞ୍ଜାଜମି ହେଉଛି ୧୫ ଏକର ୯୮ ଡିସିମିଲି ।
୧୦.ମଧୁକେଶ୍ଵର ମହାଦେବ: ନୟାଗଡ଼ର ଦ୍ଵାଦଶ ଶମ୍ଭୁ ମଧ୍ୟରେ ମଧୁକେଶ୍ଵର ମହାଦେବ ଅନ୍ୟତମ । ଓଡ଼ଗାଁ ନିକଟବର୍ତ୍ତୀ ରାବରା ଗ୍ରାମରେ ପ୍ରଭୁ ଶ୍ରୀ ମଧୁକେଶ୍ଵର ମହାଦେବ ବିରାଜିତ ।
କିମ୍ବଦନ୍ତୀ-ମଧୁ ନାମକ ଜଣେ କୃଷକ ଜମିରେ ହଳ କଲା ବେଳେ ଲଙ୍ଗଳ ଲୁହା ବାଜି ମୃତ୍ତିକା ଭିତରେ ଥିବା ଏକ ପଥରରୁ ରକ୍ତ ନିର୍ଗତ ହେବା ଦେଖିଥିଲା । ତାହାକୁ ଗ୍ରାମରେ ରାଷ୍ଟ୍ର କରିବା ପରେ ରାଜା ଆସି ଏଠାରେ ମହାପ୍ରଭୁଙ୍କ ପାଇଁ ମନ୍ଦିର ନିମାର୍ଣ କରି ସେବା ପୂଜା ଖଞ୍ଜି ବ୍ରାହ୍ମଣ ଶାସନ ବସେଇଥିଲେ।
୧୧.କପିଳେଶ୍ଵର ମହାଦେବ: ନୟାଗଡ଼ର ପ୍ରସିଦ୍ଧ ଶୈବପୀଠ ଶରଣକୁଳ ନିକଟବର୍ତ୍ତୀ ଗୁଞ୍ଜବାରଣ ଗ୍ରାମଠାରେ କୁସୁମୀ ନଦୀ ତଟରେ ଏବଂ ତାଳସାହି ମୁଣ୍ଡିଆ ନିକଟରେ, ଚିନାମାଳି ଗହୀର ମଧ୍ୟରେ କପିଳେଶ୍ଵର ମହାଦେବ ବିରାଜିତ ।
କିମ୍ବଦନ୍ତୀ-କିମ୍ବଦନ୍ତୀ ଅନୁସାରେ କପିଳା ଗାଈ ନାମରେ ଠାକୁରଙ୍କ ନାମ ନାମିତ କରାଯାଇଛି । ଜନଶ୍ରୁତି ରହିଛି ଯେ କପିଳା ନାମକ ଗାଈ ପ୍ରତ୍ୟହ ଏହି ଶିବ ଲିଙ୍ଗଙ୍କ ଉପରେ କ୍ଷୀର ବର୍ଷଣ କରୁଥିଲା ତେଣୁ ଠାକୁରଙ୍କନାମ କପିଳେଶ୍ଵର । କପିଳେଶ୍ଵର ମହାଦେବଙ୍କ ପ୍ରଥମ ମନ୍ଦିରଟି ନୟାଗଡ଼ର ରାଜା ଚନ୍ଦ୍ରଶେଖର ସିଂହ ମାନଧାତାଙ୍କ ଦ୍ଵାରା ନିର୍ମିତ ହୋଇଥିଲା । ବର୍ତ୍ତମାନର ମନ୍ଦିରଟି ରାଜା ବିନାୟକ ସିଂହଙ୍କ ଦ୍ଵାରା ନିର୍ମିତ ହୋଇଛି।
ମୁଖ୍ୟ ପର୍ବ-ଏଠାରେ କାର୍ତ୍ତିକ ପୂର୍ଣ୍ଣିମା ଯାତ୍ରା, ଜାଗର ଯାତ୍ରା, ଶୀତଳ ଷଷ୍ଠୀ ଯାତ୍ରା, ପ୍ରଭୃତି ଅନୁଷ୍ଠିତ ହୁଏ । କପିଳେଶ୍ଵର ମହାଦେବଙ୍କୁ ଉପଜୀବ୍ୟ କରି ବହୁ କବି ଭଜନ ଓ ଜଣାଣ ରଚନା କରିଛନ୍ତି।
୧୨.ନୀଳକଣ୍ଠେଶ୍ଵର ମହାଦେବ: ନୟାଗଡ଼ର ଲାଠିପଡ଼ା ଗ୍ରାମଠାରେ ନୀଳକଣ୍ଠେଶ୍ଵର ମହାଦେବ ପୂଜା ପାଉଛନ୍ତି । ଏଠାରେ ଅନୁଚ ମନ୍ଦିରଟି ବେଶ୍ ରମଣୀୟ । ମନ୍ଦିର ପାର୍ଶ୍ଵକୁ ଲାଗି ପୁଷ୍କରିଣୀଟିଏ ଅଛି ।
ପର୍ବପବାର୍ଣି-ଏଠାରେ ପାଳନ କରାଯାଉ ଥିବା ପର୍ବପର୍ବାଣି ମଧ୍ୟରେ ଯାତ୍ରାଙ୍ଗି, କାତ୍ତୀର୍କ ସୋମବାର, ଜାଗର ପ୍ରଭୃତି ପ୍ରଧାନ । ଏଠାରେ ଶିବଙ୍କର ବିବାହ ଉତ୍ସବକୁ କେନ୍ଦ୍ରକରି ଶୀତଳଷଷ୍ଠୀ ଯାତ୍ରା ଯାକଜମକରେ ପାଳିତ ହୁଏ । ନୀଳକଣ୍ଠେଶ୍ଵର ମହାଦେବଙ୍କ ମହିମା ଅନିର୍ବଚନୀୟ ।
୧୩.ଅର୍ଦ୍ଧଶମ୍ଭୁ ସୋମନାଥଦେବ: ସୋମନାଥ ଦେବ ମହାଦେବ ଖୋର୍ଦ୍ଧା ଏବଂ ନୟାଗଡ଼ର ସୀମାରେ ବିରାଜିତ । ଠାକୁରଙ୍କର ଅର୍ଦ୍ଧଭାଗ ନୟାଗଡ଼ ରାଜ୍ୟରେ ଏବଂ ଅନ୍ୟ ଅର୍ଥ ଭାଗ ଖାସମାହାଲରେ ଥିବାରୁ ତାଙ୍କୁ ଅର୍ଦ୍ଧଶମ୍ଭୁ ନାମରେ ଲୋକମାନେ କହିଥାନ୍ତି । ପାଞ୍ଚଗଡ଼ ଦିବ୍ୟସିଂହପୁର ଗ୍ରାମରେ ସୋମନାଥ ମନ୍ଦିର ବିଦ୍ୟମାନ ।
କିମ୍ବଦନ୍ତୀ-ଏହି ଠାକୁରଙ୍କ ଆବିର୍ଭାବ ପ୍ରସଙ୍ଗଟି ଗାଈ କ୍ଷୀର ଢ଼ାଳିବା ପ୍ରସଙ୍ଗ ଉପରେ ଆଧାରିତ ।
ମୁଖ୍ୟଯାତ୍ରା-ଏଠାରେ ତିନି ଦୋଳଯାତ୍ରା ଅନୁଷ୍ଠିତ ହୁଏ ।
୧୫. ମା’ ବିରଜାଈ :- ଶରଣକୁଳରେ ନାରାୟଣ ହାଇସ୍କୁଲ ପାଖରେ ଗ୍ରାମ ଦେବତୀ ମା' ବିରଜାଈଙ୍କର ଆସ୍ଥାନ । ଏହାଙ୍କ ବିଜେ ପ୍ରତିମା ଶୀତଳ ଷଷ୍ଠୀ ମେଳନକୁ ଯାଆନ୍ତି । ଅଞ୍ଚଳ ଯାକର ବିବାହ ଓ ନିର୍ବନ୍ଧ କାର୍ଯ୍ୟ ଏଇଠି ହୁଏ । ମା’ଙ୍କର ମନ୍ଦିରଟିକୁ ସମ୍ପ୍ରତ୍ତି ସୁଆର ସାହିର ବିଭୁ ପ୍ରସାଦ ମହାପାତ୍ର ନୂତନ ଭାବେ ନିମାର୍ଣ କରାଇଛନ୍ତି।
୧୬.ମା' ବାଉତୀ :- ନୟାଗଡ଼ ପୁରୁଣା ରାଜବାଟିସ୍ଥ ଏହି ଠାକୁରାଣୀଙ୍କର ଠାରୁ ଚାଉଳ ଓ ଗୁଆ ଆସିଲେ ଲଡୁବାବା ମନ୍ଦିରରେ ଦଶହରା ପର୍ବ ବା ଆଶ୍ଵିନ ପର୍ବ ପାଳିତ ହୁଏ ।
୧୭.ରାମଚଣ୍ଡୀ :- ନରେନ୍ଦ୍ର ପୁରରେ ଥିବା ମା’ ରାମଚଣ୍ଡୀଙ୍କର ବିଜେ ପ୍ରତିମା ପ୍ରଭୁଙ୍କ ଶୀତଳ ଷଷ୍ଠୀ ଯାତ୍ରାରେ ଯୋଗ ଦିଅନ୍ତି।
୧୮.ନାରାୟଣୀ:- ନରେନ୍ଦ୍ରପୁର ମାଳିସାହି ବା ମିଶ୍ରଲେନରେ ଥିବା ମା’ ନାରାୟଣୀଙ୍କ ବିଜେ ପ୍ରତିମା ପ୍ରଭୁଙ୍କ ଶୀତଳ ଷଷ୍ଠୀ ଯାତ୍ରାରେ ଯୋଗଦେଉଛନ୍ତି ।
୧୯.କୁଞ୍ଜ ବିହାରୀ:-ନରେନ୍ଦ୍ରପୁରରେ ଥିବା ଏହି ପ୍ରଭୁଙ୍କର ବିଜେ ପ୍ରତିମା ଲଡୁବାବାଙ୍କ ଶୀତଳ ଷଷ୍ଠୀ ଯାତ୍ରାରେ ଯୋଗଦେଉଛନ୍ତି।
୨୦.ରଘୁନାଥ:-ଶରଣକୁଳ ମାଳି ସାହି ବା ଛାମୁ ସାହିସ୍ଥ ଏହି ପ୍ରଭୁଙ୍କର ବିଜେ ପ୍ରତିମା ପ୍ରଭୁଙ୍କ ଶୀତଳ ଷଷ୍ଠୀ ଯାତ୍ରାରେ ଯୋଗଦେଉଛନ୍ତି । ଏଠାରେ ପ୍ରତିବର୍ଷ ମୁଣ୍ଡ ରାମାୟଣ ଅନୁଷ୍ଠିତ ହୁଏ । ଏହି ପ୍ରଭୁଙ୍କ ସ୍ଥାପନା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ତାରକ ମନ୍ତ୍ର ସିଦ୍ଧି ସହିତ ଜଡ଼ିତ । ସେ ନିକଟସ୍ଥ ଭଞ୍ଜ ସାହିରେ ରହୁଥିଲେ । ଲଡ଼ୁବାବାଙ୍କ ମନ୍ଦିରରେ ତାରକ ମନ୍ତ୍ର ଜପ କରି ସିଦ୍ଧି ପ୍ରାପ୍ତ କରିଥିଲେ । ପ୍ରତ୍ୟହ ଘୋଡ଼ାରେ ଓଡ଼ଗାଁ ରଘୁନାଥଙ୍କ ଦର୍ଶନ ପାଇଁ କୁସୁମୀ ନଦୀ ପାର ହୋଇ ଯାଉଥିଲେ । ତେବେ ଥରେ କୁସୁମୀ ନଦୀରେ ବାରମ୍ବାର ବନ୍ୟା ଆସିଲା । ସେ ଓଡ଼ଗାଁ ରଘୁନାଥଙ୍କ ଦର୍ଶନ କରିବା ପାଇଁ ଯିବାରେ ବାଧା ଉପୁଜିଲା । ଏଣୁ ଏହି ରଘୁନାଥଙ୍କ ପ୍ରତିଷ୍ଠା କରାଇ ସେ ରଘୁନାଥଙ୍କର ଦର୍ଶନ ଆଶା ମେଣ୍ଟାଇଥିଲେ।
୨୧.ରାମେଶ୍ଵର:-ଭିକାରୀପଡା ପୂର୍ବ ପାର୍ଶ୍ଵରେ ଥିବା ଏହି ମହାଦେବଙ୍କ ପ୍ରତିନିଧି ପ୍ରତିବର୍ଷ ଶୀତଳ ଷଷ୍ଠୀ ମେଳନ ପଡିଆକୁ ନିମନ୍ତ୍ରଣ ହୋଇ ଆସନ୍ତି ।
୨୨.ଦଧିବାମନ:-ଶିଖରପୁରସ୍ଥ ଏହି ପ୍ରଭୁଙ୍କ ପ୍ରତିନିଧି ପ୍ରଭୁଙ୍କ ଶୀତଳ ଷଷ୍ଠୀ ଯାତ୍ରାରେ ଯୋଗ ଦିଅନ୍ତି।
୨୩.ସ୍ବପ୍ନେଶ୍ଵର ମହାଦେବ:-ବାଉଁଶିଆ ଗ୍ରାମର ପୂର୍ବ ପାର୍ଶ୍ଵରେ ସ୍ଵପ୍ନେଶ୍ଵର ମହାଦେବ ବିରାଜ ମାନ କରିଛନ୍ତି । ସାତ ମଙ୍ଗଳା ଦିନ ଲଡୁବାବାଙ୍କ ବିଜେ ପ୍ରତିମା ଏଇଠିକୁ ଯା’ନ୍ତି ଓ ଭୋଗଖାଇ ଫେରନ୍ତି।