କେଦାରନାଥ ଜେନା

ଉଇକିପିଡ଼ିଆ‌ରୁ

କେଦାର ନାଥ ଜେନା । ଭୁବନେଶ୍ୱର ଉପକଣ୍ଠ ଜଟଣୀ ବ୍ଲକ ରେତଙ୍ଗ ଷ୍ଟେସନ ନିକଟ ବ୍ରହ୍ମକୁଣ୍ଡଳ ଗାଁରେ ତାଙ୍କ ଘର । 1928 ମସିହା ଫେବୃଆରୀ 24 ତାରିଖରେ ତାଙ୍କର ଜନ୍ମ । ସେ ଜଣେ ପାଲାକାର ଥିଲେ । ବୟସ ବେଳେ ପାଲା ଗାଉଥିଲେ । ପ୍ରାଚୀନ ଗୀତ ଗୁଡ଼ିକ ମନେପକାଇ ଅନର୍ଗଳ ଗାଉଥିଲେ । ତାଙ୍କର ଅଳ୍ପ ବୟସରୁ କଳାପ୍ରତି ଆଗ୍ରହ ସୃଷ୍ଟି ହେଲା । ସେତେବେଳେ ତାଙ୍କ ଗାଁରେ ଏକ ଯାତ୍ରା ପାର୍ଟି ଥାଏ । ତାହା ହେଲା - ଜାଗୁଳେଇ ଅପେରା । କେଦାର ଏହି ଯାତ୍ରାପାର୍ଟିରେ ମିଶିଲେ । ତାଙ୍କର ଯାତ୍ରା ଦଳ ସେତେବେଳେ ପାରିକୁଦ , ସାତପଡ଼ା , କୃଷ୍ଣପ୍ରସାଦଗଡ଼ , ବାରଙ୍ଗ , ପଟିଆ ଓ ଖୋର୍ଦ୍ଧା ପ୍ରଭୃତି ବହୁ ଯାଗାରେ ଅପେରା ପ୍ରଦର୍ଶନ କରିଛି । ଏସବୁ ଯାଗାରେ ସେ ମଧ୍ୟ ନିଜର ଅଭିନୟ ପ୍ରଦର୍ଶନ କରି ବାହାବା ପାଇଛନ୍ତି । ପ୍ରଥମେ ପ୍ରଥମେ ସୈନିକ , ନାଉରୀ ଓ ଝିଅ ବେଶରେ ଦାସୀ ଭାବେ ଅଭିନୟ କଲେ । ପରେ ହାସ୍ୟ ଅଭିନେତା ଭାବେ ମଧ୍ୟ ଅଭିନୟ କରିଛନ୍ତି । ତେବେ ସବୁଠୁ ବଡ଼ କଥା ହେଲା ,ସେ ଅନେକ ନାଟକରେ ଯୁବରାଜ ଭୂମିକାରେ ଅଭିନୟ କରିଛନ୍ତି । ସେସବୁ ନାଟକ ହେଲା – ଗୈ।ରାଙ୍ଗ ବାରିକଙ୍କ ଲେଖା ‘ଅଭିଯାନ’ ଓ ‘ମାୟାଜାଲ’ , ନିଶାକର ମଙ୍ଗରାଜଙ୍କ ‘ରକ୍ତଛିଟା’ ଓ ଓଡ଼ିଆ ଅନୁଦିତ ବଙ୍ଗଳା ନାଟକ ‘ ଜାତୀୟ ପତାକା’ । ଏହି ‘ଜାତୀୟ ପତାକା’ ନାଟକଟି ଦେଶପ୍ରେମରେ ଖୁବ ଉଦବୁଦ୍ଧ କରିଥିଲା ସେ ସମୟର ଦର୍ଶକଙ୍କୁ । ଏଥିରେ ସେ ରାଣାପ୍ରତାପଙ୍କ ପୁଅ ଅମର ସିଂହ ଭୂମିକାରେ ଅଭିନୟ କରିଥିଲେ । ଏହା ବ୍ୟତୀତ ତାଙ୍କ ଅଭିନୀତ ଆଉ କେତେକ ନାଟକ ମଧ୍ୟରେ ରହିଛି - ‘ଜଳନ୍ଧର ବଧ’ ଓ ‘ସାବିତ୍ରୀ’ ପ୍ରଭୃତି । ଏହି ଯାତ୍ରା ପାର୍ଟିରେ ଥିବା ବେଳେ ସେ ପ୍ରଥମେ ସାନ ଭାଗ ଅର୍ଥାତ ବାରଣା ଏବଂ ପରେ ବଡ଼ ଭାଗ ଅର୍ଥାତ ଟଙ୍କାଏ ପାଉଣା ପାଉଥିଲେ । ପ୍ରାୟ ପଞ୍ଚବର୍ଷ ସେ ଯାତ୍ରା ପାର୍ଟିରେ ରହିଥିଲେ ।