ରଣସିଂହେ ପ୍ରେମଦାସ

ଉଇକିପିଡ଼ିଆ‌ରୁ

ଶ୍ରୀଲଙ୍କାଭିମାନ୍ୟ ରଣସିଂହେ ପ୍ରେମଦାସ (ସିଂହଳୀ: රණසිංහ ප්‍රේමදාස, ତାମିଲ: ரணசிங்க பிரேமதாசா; ୨୩ ଜୁନ୍ ୧୯୨୪- ୧ ମଇ ୧୯୯୩) ୨ ଜାନୁୟାରୀ ୧୯୮୯ରୁ ୧ ମଇ ୧୯୯୩ ପର୍ଯ୍ୟନ୍ତ ଶ୍ରୀଲଙ୍କାର ତୃତୀୟ (ଦ୍ୱିତୀୟ କାର୍ଯ୍ୟନିର୍ବାହୀ) ରାଷ୍ଟ୍ରପତି ଥିଲେ [୧]। ଏହାପୂର୍ବରୁ ସେ ୬ ଫେବୃଆରୀ ୧୯୭୮ରୁ ୧ ଜାନୁଆରୀ ୧୯୮୯ ପର୍ଯ୍ୟନ୍ତ ଜେ. ଆର. ଜୟବର୍ଦ୍ଧନେଙ୍କ ନେତୃତ୍ୱରେ ସରକାରରେ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ରାଷ୍ଟ୍ରପତି ଜୁନିୟସ୍ ରିଚାର୍ଡ ଜୟବର୍ଦ୍ଧନେଙ୍କଦ୍ୱାରା ୧୯୮୬ରେ ତାଙ୍କୁ ଶ୍ରୀଲଙ୍କାର ସର୍ବୋଚ୍ଚ ବେସାମରିକ ସମ୍ମାନ "ଶ୍ରୀଲଙ୍କାଭିମାନ୍ୟ " ପ୍ରଦାନ କରାଯାଇଥିଲା । ଶ୍ରୀଲଙ୍କା ଇତିହାସରେ ଏହି ସମ୍ମାନ ପାଇଥିବା ସେ ହେଉଛନ୍ତି ପ୍ରଥମ ବ୍ୟକ୍ତି ।[୨] କଲମ୍ବୋରେ LTTEଦ୍ୱାରା ଆତ୍ମଘାତୀ ବିସ୍ଫୋରଣରେ ତାଙ୍କୁ ହତ୍ୟା କରାଯାଇଥିଲା ।[୩]

ରଣସିଂହେ ପ୍ରେମଦାସ

ଆଦ୍ୟ ଜୀବନ[ସମ୍ପାଦନା]

ରଣସିଂହେ ପ୍ରେମଦାସ ୨୩ ଜୁନ୍ ୧୯୨୪ରେ କଲମ୍ବୋ ୧୧ର ଡିଆସ୍ ପ୍ଲେସଠାରେ ରିଚାର୍ଡ ରଣସିଂହେ ଏବଂ ହୋଟାନାର ବାଟୁଇଟା ଜୟସିଂହ ଆରାଚିଜି ଏନ୍ସିନା ହାମିନଙ୍କ ପରିବାରରେ ଜନ୍ମଗ୍ରହଣ କରିଥିଲେ । ପ୍ରେମାଦାସା ପାଞ୍ଚ ପିଲା, ଅର୍ଥାତ ତିନି ଭଉଣୀ ଏବଂ ଗୋଟିଏ ଭାଇଙ୍କ ମଧ୍ୟରୁ ଜ୍ୟେଷ୍ଠ ଥିଲେ । ତାଙ୍କ ପିତା କଲମ୍ବୋରେ ରିକ୍‌ସା ନିୟୋଜିତ ପରିବହନ ବ୍ୟବସାୟରେ ଜଡ଼ିତ ଥିଲେ ।

ସେ ଭେନ୍ ଅନ୍ତର୍ଗତ ପୁରୱାରାମା ଟେମ୍ପଲ ବିଦ୍ୟାଲୟରେ ତାଙ୍କର ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ । ସେ ସାଉଥ ମାରାଡୋନାର ଲୋରେଞ୍ଜ ମହାବିଦ୍ୟାଳୟରେ ଏବଂ କଲମ୍ବୋର ସେଣ୍ଟ ଜୋସେଫ୍ କଲେଜରେ ତାଙ୍କର ସେକେଣ୍ଡରୀ ଶିକ୍ଷା ସମାପ୍ତ କରିଥିଲେ ।[୪]

ପନ୍ଦର ବର୍ଷ ବୟସରେ, ପ୍ରେମଦାସ "ସୁଚରିତା ଶିଶୁ ସମାଜ"(Sucharita Childrens' Society) ଆରମ୍ଭ କରିଥିଲେ, ଯାହା ପରେ "ସୁଚରିତା ଆନ୍ଦୋଳନ" (Sucharita Movement) ନାମରେ ଖ୍ୟାତ ହେଲା । ରାଜଧାନୀର ବସ୍ତି ଅଞ୍ଚଳରେ ରହୁଥିବା ସ୍ୱଳ୍ପ ଆୟର ବିଶିଷ୍ଟ ପରିବାରର ଲୋକଙ୍କ ଅର୍ଥନୈତିକ, ସାମାଜିକ ତଥା ଆଧ୍ୟାତ୍ମିକ ବିକାଶକୁ ବୃଦ୍ଧି କରିବାର ଲକ୍ଷ୍ୟ ନେଇ ଏହି ସ୍ୱେଚ୍ଛାସେବୀ ସଂଗଠନ ହୋଇଗଲା । ସେ ୧୯୩୯ ମସିହାରେ ଏହି ଅଞ୍ଚଳର ସମ୍ପ୍ରଦାୟ ବିକାଶ ପ୍ରକଳ୍ପର ପୂର୍ଣ୍ଣକାଳୀନ ସଂଗଠକ ଥିଲେ । ତାଙ୍କ ବିକାଶ ଆନ୍ଦୋଳନରେ ନାମ ଲେଖାଇଥିବା ଏହି ଯୁବକମାନେ ମଦ ପିଇବା, ଧୂମପାନ ଏବଂ ଜୁଆ ଖେଳରୁ ଦୂରେଇ ରହିଥିଲେ । ପ୍ରେମଦାସ ମଧ୍ୟ ମଦ୍ୟଠାରୁ ନିଜକୁ ଦୁରେଇ ରଖିଥିଲେ ।[୪]

ରାଜନୈତିକ ଜୀବନ[ସମ୍ପାଦନା]

ଆଲେକଜାଣ୍ଡାର ଏକାନାୟକ ଗୁଣସିଙ୍ଘେଙ୍କ "ସିଲୋନ ଲେବର ପାର୍ଟି" (Ceylon Labour Party)ରେ ଯୋଗଦାନ ପୁର୍ବକ ସେ ତାଙ୍କର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ଜଣେ ସକ୍ରିୟ କର୍ମକର୍ତ୍ତା ଭାବେ ସେ ୧୯୪୭ର ଶ୍ରୀଲଙ୍କାର ସାଧାରଣ ନିର୍ବାଚନରେ ଗୁଣସିଙ୍ଘେଙ୍କ ସମର୍ଥନରେ ନିର୍ବାଚନରେ ପ୍ରଚାର କରିଥିଲେ ।

କଲମ୍ବୋ ମ୍ୟୁନିସିପାଲିଟି ପରିଷଦ[ସମ୍ପାଦନା]

୧୯୫୦ମସିହାରେ, ସେ ସାନ ସେବାଷ୍ଟିଆନ ୱାର୍ଡର ସଦସ୍ୟ ଭାବରେ କଲମ୍ବୋ ମ୍ୟୁନିସିପାଲିଟି ପରିଷଦକୁ ନିର୍ବାଚିତ ହୋଇଥିଲେ । ୧୯୫୦ ଦଶକର ମଧ୍ୟ ଭାଗରେ ଲେବର ପାର୍ଟିରେ ଉଚ୍ଚ ଭବିଷ୍ୟତର କୌଣସି ଆଶା ହୃଦୟଙ୍ଗମ ନ କରି ସେ ସାର୍ ଜନ କୋଟେଲାୱାଲାଙ୍କ କଲମ୍ବୋର "ଲଙ୍କା ସମ ସମାଜ ପାର୍ଟି" (LSSP) ମେୟର ଡଃ ଏନ.ଏମ୍ ପେରିୟାରାଙ୍କୁ ବହିଷ୍କାର କରିବାକୁ ଚଳାଇଥିବା ଆନ୍ଦୋଳନରେ ଯୋଗ ଦେଲେ । ୧୯୫୫ ମସିହାରେ, ଟି.ରୁଡ୍ରାଙ୍କ ପରେ ସେ ଡେପୁଟି ମେୟର ଭାବରେ ନିଯୁକ୍ତି ହୋଇଥିଲେ ଏବଂ ଫେବୃଆରୀ ୧୯୫୬ରେ କଲମ୍ବୋ ମେୟର ଭାବରେ ଡକ୍ଟର ଏନ.ଏମ୍.ପେରିୟାରାଙ୍କ ବହିଷ୍କାର ପରେ ୧୯୫୬ରେ "United national Party" (UNP)ରେ ଯୋଗ ଦେଇଥିଲେ ।

ୟୁନାଇଟେଡ୍ ନ୍ୟାସନାଲ ପାର୍ଟି[ସମ୍ପାଦନା]

ୟୁନାଇଟେଡ୍ ନ୍ୟାସନାଲ ପାର୍ଟିରୁ ପ୍ରେମଦାସ ୧୯୫୬ ସାଧାରଣ ନିର୍ବାଚନରେ ​​ରୁୱାନୱେଲା ନିର୍ବାଚନ କ୍ଷେତ୍ରରୁ ପ୍ରତିଦ୍ୱନ୍ଦ୍ୱିତା କରି ଡକ୍ଟର ଏନ.ଏମ୍.ପେରିୟାରାଙ୍କଠାରୁ ପରାଜିତ ହୋଇଥିଲେ । ଏହାପରେ, ସେ ଡଡଲି ସେନାୟାକେଙ୍କ ଅଧୀନରେ ଦଳ ପୁନର୍ଗଠନ ପାଇଁ କାର୍ଯ୍ୟ କରିବାକୁ ଜେ.ଆର. ଜୟବର୍ଦ୍ଧନେଙ୍କ ସହ ଯୋଗଦାନ କରିଥିଲେ ଏହାସହ ସେ ୨୫୦୦ତମ ବୁଦ୍ଧ ଜୟନ୍ତୀ ଉତ୍ସବ ଆୟୋଜନ ପାଇଁ ସରକାରଙ୍କଦ୍ୱାରା ନିଯୁକ୍ତ ବୈଦ୍ଧ ପରିଷଦର ଧାର୍ମିକ ବ୍ୟାପାର କମିଟିର ସଚିବ ଭାବରେ କାର୍ଯ୍ୟ କରିଥିଲେ [୫]। ପର ବର୍ଷ ସେ ଅକ୍ଟୋବର ୩ରେ ଜେ.ଆର.ଜୟବର୍ଦ୍ଧନେଙ୍କଦ୍ୱାରା ଆୟୋଜିତ ପଦଯାତ୍ରାରେ ଯୋଗ ଦେଇଥିଲେ । ଇମ୍ବୁଲଗୋଡାଠାରେ ଏସ୍ ଡି ବନ୍ଦରନାଇକେଙ୍କ ନେତୃତ୍ୱରେ ଠଗମାନଙ୍କଦ୍ୱାରା ଏହି ଯାତ୍ରା ବ୍ୟାହତ ହୋଇଥିଲା । ମାର୍ଚ୍ଚ ୧୯୬୦ ସାଧାରଣ ନିର୍ବାଚନରେ ​​ସେ କଲମ୍ବୋ ସେଣ୍ଟ୍ରାଲରୁ ତୃତୀୟ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ । ୧୯୬୧ ମସିହାରେ, ସେ କଲମ୍ବୋ ମ୍ୟୁନିସିପାଲିଟି କାଉନସିଲରେ ଥିବା ଦାଲଚିନି ଗାର୍ଡେନ୍ ୱାର୍ଡର ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ ଏବଂ ୧୯୬୫ ପର୍ଯ୍ୟନ୍ତ ଏହି ପଦବୀରେ ରହି କାର୍ଯ୍ୟ କରିଥିଲେ । ଏହି ସମୟ ମଧ୍ୟରେ ସେ ଗରିବ ପରିବାରଙ୍କ ପାଇଁ ପ୍ରାକ୍-ବିଦ୍ୟାଳୟ ଖୋଲିବା ସହ ଯୁବକ ମାନଙ୍କ ପାଇଁ ବୈଷୟିକ ତଥା ଟେଲରିଂରେ ବୃତ୍ତିଗତ ତାଲିମ କେନ୍ଦ୍ର ମଧ୍ୟ ଖୋଲିଥିଲେ ।

ହତ୍ୟା[ସମ୍ପାଦନା]

୧ ମଇ, ଶନିବାର, ୧୯୯୩ ଦିନ ପ୍ରାୟ ୧୨.୪୫ ସମୟରେ କଲମ୍ବୋରେ ୟୁନାଇଟେଡ ନ୍ୟାସନାଲ ପାର୍ଟିର ମଇ ଦିବସ ସମାବେସରେ, ଜଣେ LTTE ଆତ୍ମଘାତୀ ବିସ୍ଫୋରଣକାରୀଦ୍ୱାରା ରଣସିଙ୍ଘେ ପ୍ରେମଦାସଙ୍କ ସହିତ ଅନ୍ୟ ୧୭ ଜଣ ପ୍ରାଣ ହରାଇଲେ ।

ଆଧାର[ସମ୍ପାଦନା]

  1. "Former Presidents – Presidential Secretariat of Sri Lanka". www.presidentsoffice.gov.lk. Retrieved 30 November 2020.
  2. "National Honours – Presidential Secretariat of Sri Lanka". www.presidentsoffice.gov.lk. Retrieved 30 November 2020.
  3. Gargan, Edward A. (2 May 1993). "Suicide Bomber Kills President of Sri Lanka (Published 1993)". The New York Times. Retrieved 30 November 2020.
  4. ୪.୦ ୪.୧ Weerakoon, Bradman (1992). Premadasa of Sri Lanka: A Political Biography. Colombo: Vikas Publishing House.
  5. "Election Commission of Sri lanka". elections.gov.lk. Retrieved 30 November 2020.