ଇତି ସାମନ୍ତ

ଉଇକିପିଡ଼ିଆ‌ରୁ
ଇତି ସାମନ୍ତ
ଭୁବନେଶ୍ୱରରେ ଇତି ସାମନ୍ତ
ଭୁବନେଶ୍ୱରରେ ଇତି ସାମନ୍ତ
ଜନ୍ମ୧୯୭୦
କଲରାବାଙ୍କ, କଟକ ଜିଲ୍ଲା
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ପତ୍ରିକା ସମ୍ପାଦିକା, ଚଳଚ୍ଚିତ୍ର ପ୍ରଯୋଜିକା, ଲେଖିକା, ପ୍ରକାଶିକା
କାଦମ୍ବିନୀ ମିଡ଼ିଆ
ପିତାମାତା(s)ନୀଳିମାରାଣି ସାମନ୍ତ[୧], ଅନାଦି ଚରଣ ସାମନ୍ତ
ସମ୍ପର୍କୀୟଅଚ୍ୟୁତ ସାମନ୍ତ (ଭାଇ)
ପୁରସ୍କାରରାଜୀବଗାନ୍ଧୀ ସଦଭାବନା ସମ୍ମାନ, ୨୦୦୮
ୱେବସାଇଟwww.kadambini.org

ଇତି ସାମନ୍ତ ଜଣେ ଓଡ଼ିଆ ଲେଖିକା ଏବଂ ଚଳଚ୍ଚିତ୍ର ପ୍ରଯୋଜିକା । ସେ ଓଡ଼ିଆ ସାହିତ୍ୟ ପତ୍ରିକା କାଦମ୍ବିନୀ ପତ୍ରିକାର ସମ୍ପାଦିକା ଭାବରେ କାର୍ଯ୍ୟ କରୁଛନ୍ତି ।[୨]

ଜୀବନୀ[ସମ୍ପାଦନା]

ଇତି ସାମନ୍ତ କଟକ ଜିଲ୍ଲାର କଲରାବାଙ୍କ ଗ୍ରାମରେ ଜନ୍ମ ହୋଇଥିଲେ । ତାଙ୍କ ପିତା ଅନାଦି ଚରଣ ସାମନ୍ତ ଏବଂ ମାତା ନୀଳିମାରାଣି ସାମନ୍ତଙ୍କର[୧] ସାତଜଣ ସନ୍ତାନଙ୍କ ମଧ୍ୟରୁ ସେ ସର୍ବକନିଷ୍ଠା ଥିଲେ । ଚାଳିଶ ବର୍ଷ ବୟସରେ ତାଙ୍କ ପିତାଙ୍କ ମୃତ୍ୟୁପରେ ତାଙ୍କ ପରିବାର ଆର୍ଥିକ ଅସ୍ୱଚ୍ଛଳତା ମଧ୍ୟରେ କାଳାତିପାତ କରିଥିଲେ । ସେତେବେଳେ ତାଙ୍କୁ ପ୍ରାୟ ଦୁଇ ବର୍ଷ ବୟସ ହୋଇଥିଲା । ମାତା ନୀଳମଣି ସାମନ୍ତ ଏକାକୀ ନିଜ ସମସ୍ତ ସନ୍ତାନଙ୍କୁ ପାଳିଥିଲେ ।[୩] ସ୍କୁଲଶିକ୍ଷା ସରିବାପରେ ମାଆଙ୍କ କଥାନୁସାରେ ସେ ଇଲେକ୍ଟୋନିକ୍ସ ଆଣ୍ଡ ଟେଲିକମ୍ୟୁନିକେସନ ଇଞ୍ଜିନିଅରିଂ ପଢ଼ିଥିଲେ । ମାତ୍ର ତା'ପରେ ଓଡ଼ିଆ ସାହିତ୍ୟ ଏବଂ ମାସ-କମ୍ୟୁନିକେସନ ଓ ଜର୍ଣ୍ଣାଲିଜିମରେ ସ୍ନାତକୋତ୍ତର ଶିକ୍ଷା ଲାଭକଲେ । ଏହାପରେ ବିଶ୍ୱଭାରତୀ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରୁ ସାହିତ୍ୟରେ ପି.ଏଚ.ଡ଼ି ଡିଗ୍ରୀ ଲାଭ କରିଥିଲେ । ନିଜ ଭାଇ ଅଚ୍ୟୁତ ସାମନ୍ତଙ୍କ ସହ ମିଶି ସେ କାଦମ୍ବିନୀ ମିଡ଼ିଆ ପ୍ରାଇଭେଟ ଲିମିଟେଡ଼ ଆରମ୍ଭ କରିଥିଲେ । ଏହି ସଂସ୍ଥା ଜରିଆରେ ସେ ଓଡ଼ିଆଭାଷା ଏବଂ ସଂସ୍କୃତି ପ୍ରସାର ଦିଗରେ ଅନେକ ଉନ୍ନୟନମୂଳକ କାର୍ଯ୍ୟକ୍ରମ କରିଆସୁଛନ୍ତି ।

ରଚନାବଳୀ[ସମ୍ପାଦନା]

  • ତଥାପି (କ୍ଷୁଦ୍ରଗଳ୍ପ ସଂକଳନ)
  • ଇତି ତୋର ଲିପ୍ସା (କ୍ଷୁଦ୍ରଗଳ୍ପ ସଂକଳନ)
  • କଥାବାର୍ତ୍ତା (ସାକ୍ଷାତକାର ସଂକଳନ)
  • ଝଡ଼ ପରର ସୂର୍ଯ୍ୟ ଓ କ୍ରାନ୍ତିଧାରା (କ୍ଷୁଦ୍ରଗଳ୍ପ ଏବଂ ଚଳଚ୍ଚିତ୍ର ଆଲେଖ)
  • ନିରବ ଆଳାପ (ଉପନ୍ୟାସ)
  • ଇତିବୃତ୍ତି -୧ (ସମ୍ପାଦକୀୟ ସଂକଳନ)
  • ଇତିବୃତ୍ତି -୨ (ସମ୍ପାଦକୀୟ ସଂକଳନ)
  • କଥାରେ କଥାରେ ଉପନ୍ୟାସରେ ନାରୀଚରିତ୍ର
  • ଚର୍ଚ୍ଚାରେ ଚନ୍ଦ୍ରଶେଖର(ସମ୍ପାଦିତ)
  • କାଦମ୍ବିନୀ ଆମ ରୋଷେଇ (ସଂଗ୍ରହ ଏବଂ ସଂକଳନ)

ଚଳଚ୍ଚିତ୍ର କ୍ଷେତ୍ରରେ ଅବଦାନ[ସମ୍ପାଦନା]

ଇତି ସାମନ୍ତ ଅନେକ ଓଡ଼ିଆ ଚଳଚ୍ଚିତ୍ର ପ୍ରସ୍ତୁତ କରିଛନ୍ତି । ତାଙ୍କ ପ୍ରଯୋଜିତ ଚଳଚ୍ଚିତ୍ର କଥାନ୍ତର ଓଡ଼ିଶାରେ ମହାବାତ୍ୟା-ପ୍ରଭାବିତ ଶରଣାର୍ଥୀଙ୍କ ଉପରେ ଆଧାରିତ ।[୪] ଚଳଚ୍ଚିତ୍ରଟି ବିଭିନ୍ନ ଜାତୀୟ ଏବଂ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହୋଇ ଅନେକ ସମାଲୋଚକଙ୍କଦ୍ୱାରା ଆଦୃତ ହୋଇଛି । ଅନ୍ୟ ଏକ ଚଳଚ୍ଚିତ୍ର କ୍ରାନ୍ତିଧାରା ରାଜନୀତିରେ ଜଣେ ମହିଳାଙ୍କ ସଂଘର୍ଷ ଉପରେ ଆଧାରିତ ହୋଇଛି । ସଂସ୍କୃତି ବିଭାଗରୁ ଶ୍ରେଷ୍ଠ ଚଳଚ୍ଚିତ୍ର ରୂପେ ଗୃହୀତ କ୍ଷୁଦ୍ର ଚଳଚ୍ଚିତ୍ର କାହାଣୀ ନୁହେଁ ତାଙ୍କ ନିଜର ଜୀବନୀ ଉପରେ ଆଧାରିତ । ସେ ମଧ୍ୟ ଚିଠି ଏବଂ କନ୍ୟାରତ୍ନ ନାମକ ଚଳଚ୍ଚିତ୍ରଦ୍ୱୟ ପ୍ରସ୍ତୁତ କରିଛନ୍ତି । ଏତଦବ୍ୟତୀତ ଓଡ଼ିଶା ସରକାରଙ୍କ ପାଇଁ ଇତି ସାମନ୍ତ ଅନେକ ପ୍ରଚାରଧର୍ମୀ ବୃତ୍ତଚିତ୍ର ପ୍ରସ୍ତୁତି କରିଛନ୍ତି ।

ଅନ୍ୟାନ୍ୟ ଅବଦାନ[ସମ୍ପାଦନା]

ଇତି ସାମନ୍ତ ମାସିକ ପତ୍ରିକା କାଦମ୍ବିନୀ ଏବଂ ମାସିକ ଶିଶୁ ପତ୍ରିକା କୁନିକଥାର ସମ୍ପାଦକ ଦାୟିତ୍ୱ ନିର୍ବାହ ସହ ନିଜ ମାଆ ନୀଳମଣି ସାମନ୍ତଙ୍କ ନାମରେ ନୀଳମଣି ଚାରିଟେବଲ ଟ୍ରଷ୍ଟ ତିଆରି କରି ନିଜ ନିଜ ଜନ୍ମଭୂମି କଲରାବାଙ୍କର ଉନ୍ନୟନ କରୁଛନ୍ତି । ସେ ମଧ୍ୟ ଓଡ଼ିଆ ସାହିତ୍ୟ ଏକାଡେମୀର ଜଣେ ସଦସ୍ୟ । ଓଡ଼ିଶା ଡାକ ବିଭାଗର ଡାକମଞ୍ଚର ସେ ଜଣେ ସଦସ୍ୟ ଅଟନ୍ତି ।

ଆଧାର[ସମ୍ପାଦନା]

  1. ୧.୦ ୧.୧ "Social activist Nilimarani passes away". The New Indian Express. Retrieved 12 August 2018.
  2. "Kadambini Media Pvt Ltd". kadambini.org. Retrieved 12 August 2018.
  3. "KIIT Founder Achyuta Samanta's Mother Neelimarani dies at 89 -". Odisha News Insight. 2 August 2016. Retrieved 12 August 2018.
  4. "Capturing the aftermath of a tragedy". The Hindu (in Indian English). 8 August 2006. Retrieved 12 August 2018.