ରମଜାନ

ଉଇକିପିଡ଼ିଆ ରୁ


ଆରବୀ ଶବ୍ଦ ରମଜାନର ଆକ୍ଷରିକ ଅର୍ଥ ହେଲା ଜଳିଯିବା (ଯେଉଁ ମାସରେ ଧର୍ମ କର୍ମ ଦ୍ଵାରା ପାପରାଶି ଜଳିଯାଏ)୤ ଇସଲାମ ଧର୍ମର ହିଜରୀ କ୍ୟାଲେଣ୍ଡର ଅନୁସାରେ ରମଜାନ ମାସ ହେଉଛି ବର୍ଷର ନବମ ମାସ୤ ଏହା ସାବାନର ପରବର୍ତ୍ତୀ ଓ ସବାଲ୍‌ର ପୂର୍ବବର୍ତ୍ତୀ ମାସ୤ ଇସଲାମୀୟ ପରମ୍ପରା ଅନୁସାରେ ଏହି ରମଜାନ ମାସ ହିନ୍ଦୁମାନଙ୍କ କାର୍ତ୍ତିକ ମାସ ଭଳି ସବୁଠାରୁ ପୂଣ୍ୟ ଓ ପବିତ୍ର ମାସ୤

ଏହି ପବିତ୍ର ମାସସାରା ରୋଜା (ଉପବାସ) ଓ ଏବାଦତ (ବିଶେଷ ପ୍ରାର୍ଥନା) ଏବଂ ତରାବି ନମାଜ ପାଠ କରାଯାଏ ୤ ଇସଲାମ ଧର୍ମାବଲମ୍ବୀଙ୍କ ଅନୁସାରେ ଏହି ମାସରେ ୩୦ ଦିନ ଧରି ରୋଜା ରଖିବା, ଶ୍ରଦ୍ଧାଳୁମାନଙ୍କ ନିମନ୍ତେ ରକ୍ଷା କବଚ ସଦୃଶ, ଯାହା ସମସ୍ତ ବିପଦ ଆପଦରୁ ଭକ୍ତକୁ ରକ୍ଷା କରେ୤ ପ୍ରତ୍ୟେକ ଦିନ ସୂର୍ଯ୍ୟୋଦୟ ଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ନିର୍ଜଳ ଉପବାସ ବ୍ରତ ପାଳନ କରିବା ସହିତ ଚକ୍ଷୁ, କର୍ଣ୍ଣ, ନାସା, ଜିହ୍ଵା ଇତ୍ୟାଦି ଇନ୍ଦ୍ରିୟଗୁଡ଼ିକ ଉପରେ ସଞ୍ଜମ ଅବଲମ୍ବନ କରାଯାଇ ଆଲ୍ଲାଙ୍କ ସ୍ତୁତି କରିବାକୁ ରୋଜା କୁହାଯାଏ୤ ଏହି ସଂଯମ ବିନା ରୋଜା ଅସମ୍ପୂର୍ଣ୍ଣ ରହିଥାଏ ୤ ମାସସାରା ଧୈର୍ଯ୍ୟଶୀଳତା, ଆଧ୍ୟାତ୍ମିକତା, ଆଲ୍ଲାଙ୍କ ପ୍ରତି ବିନୟ ଏବଂ ଅର୍ପଣ ଭାଗ ଇତ୍ୟାଦି ବେଶ କଠୋର ଭାବେ ପାଳନ କରିବାକୁ ପଡ଼ିଥାଏ ୤

ଇସଲାମୀ କ୍ୟାଲେଣ୍ଡରର ଅନୁଯାୟୀ ୨୯ ବା ୩୦ଦିନ ପରେ ନୂତନ ଚନ୍ଦ୍ର ଦେଖିବା ପରେ ରମଜାନ ମାସ 'ଇଦ ଉଲ-ଫିତର' ଦିନ ଶେଷ ହୋଇଥାଏ୤ ଇଦ୍ ର ଅର୍ଥ ଖୁସି, ଫିତର ଅର୍ଥ ଦାନ୤ ରମଜାନର ଶେଷ ରାତ୍ରି ଉପବାସ କରିଥିବା ଲୋକମାନଙ୍କ ପାଇଁ ମଗଫିରତ ରାତ୍ରି ଆଟେ ୤ ଏହି ରାତ୍ରିରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆଲ୍ଲା ଆଗାମୀବର୍ଷ ପାଇଁ ରୋଜି ଓ ରୋଜଗାର ଦେଥାନ୍ତି୤ ଇଦୁଲ ଫିତର ହେଉଛି ଦାନର ମହୋତ୍ସବ ୤ ଏହି ପବିତ୍ର ଦିନରେ ବର୍ଷସାରା ଯାହା ଆୟ କରିଥିବ ତାର ଅଢ଼େଇ ଭାଗ ଗରୀବ ଓ ନିଃସହାୟ ବ୍ୟକ୍ତିଙ୍କୁ ଦାନ କଲେ ପୂଣ୍ୟ ହୁଏ ବୋଲି ବିଶ୍ଵାସ ରହିଛି ୤

ରମଜାନ ମାସରେ ସମସ୍ତଙ୍କ ସୁଖ ସମୃଦ୍ଧି ପାଇଁ ମୁସଲମାନମାନେ ଆଲ୍ଲାତଲ୍ଲାଙ୍କ ନିକଟରେ ଦୁଆ (ପ୍ରାର୍ଥନା) କରିଥାନ୍ତି ୤ ସବେକଦର ଦିନଟି ରମଜାନ ମାସର ଶ୍ରେଷ୍ଠ ଦିନ ୤ ଏହି ଦିନ ଇସଲାମ ଧର୍ମାବଲମ୍ବୀମାନେ ରାତ୍ରି ଉଜାଗର ରହି ଆଲ୍ଲାଙ୍କ ନିକଟରେ ପ୍ରାର୍ଥନା କରିଥାନ୍ତି ୤

ମୁସଲିମ ବିଶ୍ଵାସ ଅନୁଯାୟୀ ଏହିମାସ ତିନି ଭାଗରେ ବିଭକ୍ତ

  • ପ୍ରଥମ ୧୦ଦିନ ଆଲ୍ଲାତଲ୍ଲା ଦୟା କରନ୍ତି
  • ୧୧ଦଶ ରୁ ୨୦ଶ ଦିନ ପାପୀର ପାପକୁ କ୍ଷମା କରିଥାନ୍ତି
  • ୨୧ଶ ରୁ ୩୦ଶ ଦିନ ପର୍ଯ୍ୟନ୍ତ ଦୋଜଖ (ନର୍କ) ନିଆଁରୁ ମୁକ୍ତି ଦେଇଥାନ୍ତି ୤

ବିଷୟସୂଚୀ

ନିତ୍ୟକର୍ମ [ସମ୍ପାଦନା]

ରୋଜା ରଖିବା ପାଇଁ ଭକ୍ତଙ୍କୁ ଇସଲାମୀୟ ପଦ୍ଧତିରେ ଅନୁଯାୟୀ ନିତ୍ୟକର୍ମ ସମ୍ପନ୍ନ କରିଥାନ୍ତି ୤

ରୋଜା [ସମ୍ପାଦନା]

୧୨ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କ ସମସ୍ତ ଇସଲାମୀୟ ଧର୍ମାବଲମ୍ବୀଙ୍କ ନିମନ୍ତେ ରୋଜା ଏକ ପ୍ରକାର ବାଧ୍ୟତାମୂଳକ କହିଲେ ଚଳେ୤ ଇସଲାମ ବିଶ୍ଵାସ ଅନୁଯାୟୀ ରମଜାନ ମାସରେ ଭଲ କାମ କଲେ ସାଧାରଣ ଦିନ ଅପେକ୍ଷା ୭୦ ଗୁଣା ଅଧିକ ପୂଣ୍ୟ ଅର୍ଜନ ହୁଏ୤ ଏହି ମାସରେ ନର୍କର ଦ୍ଵାର ବନ୍ଦ ଥାଏ ୤ ଏହି ମାସରେ ପୈଗମ୍ବର ମହମ୍ମଦ ଆଶୀର୍ବାଦ ସ୍ଵରୂପ ଆଲ୍ଲାଙ୍କ ବାଣୀ (କୋରାନ ସରିଫ) ପ୍ରାପ୍ତ ହୋଇଥିଲେ୤

ଭକ୍ତମାନେ ପରମ୍ପରା ଅନୁସାରେ ପ୍ରାତଃ କାଳରେ ରୋଜା ରଖିବା ବେଳେ ଆଲ୍ଲାଙ୍କୁ ସ୍ମରଣ କରି କହନ୍ତି “ଆଲ୍ଲା ମୁଁ ଆପଣଙ୍କ ପାଇଁ ରୋଜା ରଖୁଛି ମୋ ରୋଜାକୁ ଗ୍ରହଣ କରନ୍ତୁ”୤ ସେହିପରି ରୋଜା ଖୋଲିବା ବେଳେ କହନ୍ତି “ଆଲ୍ଲା ମୁଁ ଆପଣଙ୍କ ପାଇଁ ରୋଜା ରଖିଥିଲି ଏବଂ ଆପଣଙ୍କ ଆଶୀର୍ବାଦରୁ ଖୋଲୁଛି”।

ସହେରୀ [ସମ୍ପାଦନା]

ରୋଜା ରଖିବା ନିମନ୍ତେ ମୁସଲମାନମାନେ ରାତ୍ରିର ଶେଷ ପ୍ରହରରେ କରୁଥିବା ଭୋଜନକୁ ସହେରୀ କୁହାଯାଏ୤ ଏହି ଭୋଜନ ରୋଜା ରଖୁଥିବା ସମସ୍ତ ଭକ୍ତଙ୍କ ନିମନ୍ତେ ବାଧ୍ୟତାମୁଳକ ଅଟେ ୤

ଇଫତାର [ସମ୍ପାଦନା]

ରୋଜା ଖୋଲିବା ପରେ ଯେଉଁ (ଅଳ୍ପ) ଭୋଜନ କରାଯାଏ ତାହାକୁ ଇଫତାର କୁହାଯାଏ୤ ସୂର୍ଯ୍ୟାସ୍ତପରେ ଅଜାନ ପାଠ କରିବା ସମୟ ଇଫତାରର ପ୍ରକୃତ ସମୟ ୤

ତରାବୀ [ସମ୍ପାଦନା]

ସାଧାରଣ ଦିନମାନଙ୍କରେ ପ୍ରତିଦିନ ପାଞ୍ଚଥର ନିୟମିତ ନମାଜ (ସୁବ୍ହା, ଜୋହର, ଅସର, ମଗରୀବ ଓ ଇଶା) ପଢ଼ାଯାଏ୤ କିନ୍ତୁ ରମଜାନ ମାସରେ ନିୟମିତ ଇଶା କି ନମାଜ ପରେ ପ୍ରାୟ ଏକଘଣ୍ଟାରୁ ଦୁଇଘଣ୍ଟା ଧରି ସ୍ଵତନ୍ତ୍ର ତରାବି (ତରାୱିହ୍) ନମାଜ ପାଠ କରାଯାଇଥାଏ ୤

ସବେ କଦର [ସମ୍ପାଦନା]

ରମଜାନ ମାସର ବିଶେଷ ରାତିରେ ଉଜାଗର ରହି ନମାଜ ପାଠ, କୋରାନ ପାଠ ଓ ଆଲ୍ଲାଙ୍କ ନାମଜପ କରିବାକୁ ସବେ କଦର କୁହାଯାଏ୤ ଏହି ମାସର ୨୧, ୨୩, ୨୫, ୨୭ ଓ ୨୯ତମ ରାତିରେ ସବେ କଦର କରାଯାଏ ୤ ଏଥିମଧ୍ୟରୁ ୨୭ତମ ରାତିରେ ପବିତ୍ର ଧର୍ମଗ୍ରନ୍ଥ କୋରାନ ଆଲ୍ଲାଙ୍କ ନିକଟରୁ ଆସିଥିବାରୁ ଅଧିକ ସଂଖ୍ୟକ ଭକ୍ତ ଉଜାଗର ରହିଥାନ୍ତି ୤

ଏତେକାଫ [ସମ୍ପାଦନା]

ରମଜାନ ମାସର ଶେଷ ଦଶଦିନ କିଛି ପୁରୁଷ ଘର ଛାଡ଼ି ମସଜିଦରେ ଓ କିଛି ମହିଳା ଘର ଭିତରେ ରହି ଆଲ୍ଲାଙ୍କୁ ସ୍ତୁତି କରନ୍ତି, ଏହା ଏତେକାଫ ଭାବେ ନାମିତ ୤ ଇଦର ଜହ୍ନ ଦେଖିବା ପରେ ମସଜିଦର ପୁରୁଷମାନେ ଘରକୁ ଫେରନ୍ତି ଓ ଘରେ ଥିବା ମହିଳା ବାହାରକୁ ବାହାରନ୍ତି୤

ରୋଜା ମକ୍ରୁ [ସମ୍ପାଦନା]

ମୁସଲମାନ ମାନେ ରମଜାନ ମାସର ଦିନବେଳେ ଖାଦ୍ୟ ପାନୀୟ ପରିହାର କରିବା ସହ ପୁରା ମାସ ସାରା ସମଗ୍ର ଶରୀରକୁ ହିଂସା, ଦ୍ୱେଷ ଓ ପରଶ୍ରୀକାତର ଭଳି ଖରାପ କାମରୁ ଦୁରେଇ ରଖନ୍ତି ୤ ଏହି ସମୟରେ ନାଚ-ଗୀତ ଭଳି ମନୋରଞ୍ଜନଧର୍ମୀ ଦୃଶ୍ୟ, କଥାଚିତ୍ର ଆଦି ଦେଖିବା ନିଶେଧ୤ ଏହି ସମୟରେ ଗାଳି, କୁମନ୍ତ୍ରଣା, ମିଥ୍ୟା କହିବାରୁ ଦୁରେଇ ରହନ୍ତି ୤ ପରଚର୍ଚ୍ଚା ଓ ପରର ସମାଲୋଚନାରେ ଭାଗ ନିଅନ୍ତି ନାହିଁ, ଏଥି ସହ, ରହସ୍ୟ କଥା ଓ ସିନେମା ସଙ୍ଗୀତ ରୁ ଦୁରେଇ ରହନ୍ତି ୤ ନିଜ ହାତ ଓ ଗୋଡ଼କୁ କୌଣସି ଖରାପ କାମ ନିମନ୍ତେ ବ୍ୟବହାର କରନ୍ତି ନାହିଁ ୤ ଏହି ସବୁ ନୀତି ନିୟମକୁ ପାଳନ କରିନଥିବା ବ୍ୟକ୍ତିର ରୋଜା ମକ୍ରୁ (ଅସଫଳ) ହୋଇଥାଏ୤ ଏହା ଛଡ଼ା ଅନ୍ୟାନ୍ୟ କାରଣରୁ ଯଥା ବାନ୍ତି ହେଲେ କିମ୍ବା ଶରୀରରୁ ରକ୍ତ ନିର୍ଗତ ହେଲେ ମଧ୍ୟ ରୋଜା ମକ୍ରୁ ହୁଏ ୤

ସାର ଅର୍ଥରେ କହିବାକୁ ଗଲେ ଏହି ପବିତ୍ର ମାସରେ ରୋଜା ରଖିଥିବା ଭକ୍ତ ଆଲ୍ଲାଙ୍କ ନିକଟତର ହେବା ପାଇଁ ପଞ୍ଚେନ୍ଦ୍ରିୟ ସମତେ ଭୋକ ଶୋଷ ଓ ସମସ୍ତ ଇଚ୍ଛାକୁ ଆୟତ୍ତ କରି ଆଲ୍ଲାଙ୍କ ନିକଟତର ହେବା ନିମନ୍ତେ ନିରନ୍ତର ପ୍ରୟାସ ଜାରି ରଖେ୤ ସାଧାରଣ ଭାବେ ଶାନ୍ତି, ମୈତ୍ରୀ, ସୌହାର୍ଦ୍ଦ୍ୟ ଭାବ ତଥା ସମସ୍ତଙ୍କୁ ଏକତାର ସୂତ୍ରରେ ବାନ୍ଧିବା ରୋଜା ଓ ରମଜାନ ମାସର ବୈଶିଷ୍ଟ୍ୟତା ୤ ଏହି ମାସ ଇଦ ବା ଇଦୁଲ ଫିତର ପର୍ବ ପାଳନ ସହ ସମାପ୍ତ ହୋଇଥାଏ୤

ଆଧାର [ସମ୍ପାଦନା]

ବାହାର ଆଧାର [ସମ୍ପାଦନା]