ଯକ୍ଷ୍ମା

ଉଇକିପିଡ଼ିଆ ରୁ
ଯକ୍ଷ୍ମା
ଶ୍ରେଣୀବିଭାଗ ଓ ବାହାର ସ୍ରୋତ

Chest X-ray of a person with advanced tuberculosis. Infection in both lungs is marked by white arrow-heads, and the formation of a cavity is marked by black arrows.
ICD-10 A15.A19.
ICD-9 010018
OMIM 607948
ରୋଗ ଡାଟାବେସ 8515
MedlinePlus 000077 000624
eMedicine med/2324 emerg/618 radio/411
MeSH D014376

ପ୍ରତିଶବ୍ଦ- କ୍ଷୟ ରୋଗ, ଯକ୍ଷ୍ମା । ଇଂରାଜୀରେ ଏହାର ନାମ ଟ୍ୟୁବରକୁଲୋସିସ୍(Tuberculosis/ MTB),ଲୋକମୁଖରେ ଏହାର ନାମ ଟିବି । ଏହି ରୋଗରେ ଶରୀର ଦୁର୍ବଳ ବା କ୍ଷୟ ହେଉଥିବାରୁ ଏହାର ନାମ ଓଡିଆରେ କ୍ଷୟ ରୋଗ ଦିଆଯାଇଥିଲା । ଏହା ଗୋଟିଏ ସୁପରିଚିତ ଓ ଭୟାବହ ପ୍ରାଣ ଘାତକ ସଂକ୍ରାମକ ରୋଗ ଯାହା କେତେକ ମାଇକୋବାକ୍ଟେରିଅମ୍ ଜୀବାଣୁ ମଧ୍ୟରୁ ମୂଖ୍ୟତଃ ମାଇକୋବାକ୍ଟେରିଅମ୍ ଟ୍ୟୁବରକୁଲୋସିସ୍(Mycobacterium Tuberculosis) ଜୀବାଣୁ ଦ୍ଵାରା ସୃଷ୍ଟି ହୁଏ । ଶରୀରର ଯେ କୌଣସି ଅଙ୍ଗକୁ ଟିବି ଜୀବାଣୁ ଆକ୍ରମଣ କରି ପାରିଲେ ମଧ୍ୟ ଫୁସଫୁସ ଏହାର ମୂଖ୍ୟ ଲକ୍ଷ୍ୟ । ଟିବି ରୋଗୀ କାଶିଲେ ବା ଛିଙ୍କିଲେ ଦେହର ଶ୍ଳେଷ୍ମା ସହ ଅସଂଖ୍ୟ ଜୀବାଣୁ ବାହାରି ବାୟୁ ମଣ୍ଡଳ ମାଧ୍ୟମରେ ଉଡି ଯାଇ ସୁସ୍ଥ ମଣିଷର ପ୍ରଶ୍ଵାସରେ ଯାଇ ତାକୁ ଆକ୍ରମଣ କରେ । ଏହିଭଳି ଆକ୍ରମଣ ପରେ ଅନେକ ସମୟରେ ମଣିଷ ଲକ୍ଷଣହୀନ ରହେ ବା ରୋଗ ଲୁକ୍କାୟିତ ହୋଇ ରହେ । ଏହି ଲୁକ୍କାୟିତ ଅବସ୍ଥାରୁ ଏକ ଦଶମାଂଶ ଲୋକଙ୍କଠାରେ ରୋଗ ଲକ୍ଷଣ ପ୍ରକାଶ ପାଏ ଓ ତନ୍ମଧ୍ୟରୁ ଶତକଡା ୫୦ ଭାଗ ଲୋକ ମୃତ୍ୟୁ ମୁଖରେ ପତିତ ହୁଅନ୍ତି । ରୋଗର ମୂଖ୍ୟ ଲକ୍ଷଣ: ଦୀର୍ଘକାଳୀନ କାଶ, ରକ୍ତ ମିଶା କଫ, ସଂଧ୍ୟାକାଳିନ ଜ୍ଵର, ରାତିରେ ଝାଳ ବୋହିବା ଓ ଓଜନ ହ୍ରାସ । ଶରୀରର ଅନ୍ୟ ଅଙ୍ଗ ସଂକ୍ରମିତ ହେଲେ ସେହି ଅଙ୍ଗ ସମ୍ପର୍କୀୟ ଲକ୍ଷଣମାନ ପ୍ରକାଶ ପାଏ । ଏହାର ରୋଗ ନିର୍ଣ୍ଣୟ ମୂଖ୍ୟତଃ ରଞ୍ଜନ ରଶ୍ମି ବା ଏକ୍ସରେ ଉପରେ ନିର୍ଭରଶୀଳ । ଶରୀର ନିର୍ଗତ ତରଳ ପଦାର୍ଥକୁ ଅଣୁବିକ୍ଷଣ ଯନ୍ତ୍ରରେ ପରୀକ୍ଷା କରି ଓ ତାହାକୁ ଅଣୁଜୀବବିଜ୍ଞାନ ପଦ୍ଧତିରେ ପୋଷଣ କରି(Culture) ନିର୍ଦ୍ଦିଷ୍ଟ ଭାବରେ ରୋଗ ନିର୍ଣ୍ଣୟ କରାଯାଏ । ଟ୍ୟୁବରକୁଲିନ (Tuberculin) ଓ ରକ୍ତ ପରିକ୍ଷାଦ୍ଵାରା ଲୁକ୍କାୟିତ(Latent) ରୋଗ ନିର୍ଣ୍ଣୟ କରାଯାଏ । ଏହାର ଚିକିତ୍ସାରେ ବହୁ ଆଣ୍ଟିବାୟୋଟିକ୍ ବହୁତ ଦିନ ଧରି ଦିଆଯାଏ । ରୋଗୀ ସଂସ୍ପର୍ଶରେ ଆସୁଥିବା ଲୋକମାନଙ୍କର ଦରକାର ହେଲେ ପରୀକ୍ଷାଦ୍ଵାରା ରୋଗ ଲୁକ୍କାୟିତ ଅଛି କି ନାହିଁ ଜଣାଯାଏ । ଯକ୍ଷ୍ମା ଜୀବାଣୁର ଆଣ୍ଟିବାୟୋଟିକ୍ ପ୍ରତିରୋଧ କ୍ଷମତା ଯୋଗୁ ଚିକିତ୍ସା ଏକ ବିଷମ ସମସ୍ୟାରେ ଉପନୀତ ହୋଇଛି । ବିସିଜି(B.C.G.) ଟିକା ଦେବାଦ୍ଵାରା ପ୍ରତିଷେଧକ ବ୍ୟବସ୍ଥା କରାଯାଏ ।
ପୃଥିବୀ ଜନସଂଖ୍ୟାର ଏକ ତୃତୀଆଂଶ ଯକ୍ଷ୍ମା ଦ୍ଵାର ସଂକ୍ରମିତ ହେଉଥିବା ଜଣାଯାଏ । ପ୍ରତି ମୂହୁର୍ତ୍ତରେ ଗୋଟିଏ ନୁଆ ଲୋକ ସଂକ୍ରମିତ ହେଉଛି । ପୃଥୀବିରେ ୨୦୦୭ ମସିହାରେ ୧୩.୭ ନିୟୁତ ପୁରୁଣା ରୋଗୀ ଥିଲେ । ୨୦୧୦ ସୁଦ୍ଧା ୮.୮ ନିୟୁତ ନୁଆ ରୋଗୀ ସହ ୧.୫ ନିୟୁତ ମୃତ୍ୟୁ କେବଳ ବିକାଶଶିଳ ଦେଶମାନଙ୍କରେ ଦେଖାଦେଇଥିଲା । ମୋଟ ରୋଗୀ ସଂଖ୍ୟା ୨୦୦୬ ପରଠାରୁ କମିଛି ଓ ୨୦୦୨ଠାରୁ ନୁଆ ରୋଗୀ ସଂଖ୍ୟା ମଧ୍ୟ କମିଛି । ଏସିଆ ଓ ଆଫ୍ରିକା ଦେଶମାନଙ୍କରେ ଜନସଂଖ୍ୟାର ଶତକଡା ଅଶୀ ଭାଗ ଲୋକ ଟ୍ୟୁବରକୁଲିନ ପରୀକ୍ଷା ଦ୍ଵାରା ରୋଗ ସଂକ୍ରମିତ ଥିବା ଯଣାଯାଏ । ସଂଯୁକ୍ତ ଯୁକ୍ତରାଷ୍ଟ୍ରରେ ମଧ୍ୟ ୫-୧୦% ଲୋକ ଏହି ପରୀକ୍ଷାରେ ରୋଗବାହକ ଥିବା ଜଣାପଡୁଛି । ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଯୋଗୁ ଜୀବାଣୁ ଦେହରେ ପ୍ରବେଶ କଲେ ମଧ୍ୟ ମରି ଯାଆନ୍ତି । କେତେକ କାରଣ ଯେପରିକି ଏହ୍.ଆଇ.ଭି ସଂକ୍ରମଣ ରୋଗ ଯୋଗୁ ପ୍ରତିରୋଧକ ଶକ୍ତି କମିଯାଏ । ଅଧୁନା ଯକ୍ଷ୍ମା ରୋଗର ଅଧିକ ସଂକ୍ରମଣର ଏହା ଏକ ପ୍ରଧାନ, ଉଲ୍ଲେଖ ଯୋଗ୍ୟ ଓ ଚିନ୍ତା ଉଦ୍ରେକକାରୀ କାରଣ ।

ଚିହ୍ନ ଓ ଲକ୍ଷଣ[ସମ୍ପାଦନା]

ଏଚ୍.ଆଇ.ଭି ସଂକ୍ରମିତ ଲୋକମାନଙ୍କ ମଧ୍ୟରୁ ୩୦% ଲୋକ ଯକ୍ଷ୍ମାର ଶିକାର ହୁଅନ୍ତି, ଅନ୍ୟ ପକ୍ଷରେ ସଂକ୍ରମିତ ନ ହୋଇଥିବା ଲୋକମାନଙ୍କ ମଧ୍ୟରୁ ମାତ୍ର ୫ ରୁ ୧୦% ଲୋକ ଶିକାର ହୁଅନ୍ତି । ଯେ କୌଣସି ଅଙ୍ଗରେ ଯକ୍ଷ୍ମା ହୋଇପାରେ କିନ୍ତୁ ଏହାର ପ୍ରଥମ ପସନ୍ଦ ହେଲା ଫୁସଫୁସ । ଫୁସଫୁସ ଯକ୍ଷ୍ମା ସ୍ଵତନ୍ତ୍ର ଭାବେ ହୁଏ ବା ଅନ୍ୟ ଅଙ୍ଗର ସଂକ୍ରମଣ ସଙ୍ଗେ ମିଶିକରି ହୁଏ । ରୋଗର ଚିହ୍ନ ଓ ଲକ୍ଷଣ ମଧ୍ୟରେ ଜ୍ଵର, ରାତ୍ରୀକାଳିନ ଝାଳ ବୁହା, ଶୀତୁଆ ଲାଗିବା, ଓଜନ ହ୍ରାସ, ଦୁର୍ବଳ ଅନୁଭବ ସହ ଫୁସଫୁସରେ ରୋଗ ହେଲେ ଆଙ୍ଗୁଠି ଅଗରେ କ୍ଳବିଙ୍ଗ(Clubbing) ହୁଏ ।

ଫୁସଫୁସ ସମ୍ପର୍କୀୟ(Pulmonary)[ସମ୍ପାଦନା]

ଯକ୍ଷ୍ମା ସକ୍ରିୟ ହେଲେ ୯୦% କ୍ଷେତ୍ରରେ ଫୁସଫୁସକୁ ଆକ୍ରମଣ କରେ । ଲକ୍ଷଣ ମଧ୍ୟରେ ଛାତି ଯନ୍ତ୍ରଣା ଏବଂ ଦୀର୍ଘ ସମୟ ଧରି କଫ ସହ କାଶ ହୁଏ । ବେଳେ ବେଳେ କଫ ସହ ଅଳ୍ପ ପରିମାଣର ରକ୍ତ ପଡେ । ବେଳେ ବେଳେ ଫୁସଫୁସ କ୍ଷୟ ହୋଇ ରକ୍ତ ନାଳି ମଧ୍ୟ କ୍ଷୟ ହୁଏ । ଫୁସଫୁସିୟ ରକ୍ତ ନାଳି(Pulmonary artery) କଟି ଗଲେ ପ୍ରବଳ ରକ୍ତ ସ୍ରାବ ହୁଏ(Rasmussen's aneurysm)। ଫୁସଫୁସର ଉପର ଅଂଶ ନିମ୍ନ ଅଂଶ ଅପେକ୍ଷା ଅଧିକ ସଂକ୍ରମିତ ହୁଏ । ଏହି ପାର୍ଥକ୍ୟର କାରଣ ଜଣା ପଡିନାହିଁ । ଉପର ଅଂଶରେ ଅଧିକ ବାୟୁ ପ୍ରବାହ ଓ ସ୍ଵଳ୍ପ ଲସିକା ନିଷ୍କାସନ(Lymph drainage) ଯୋଗୁ ଘଟି ଥାଇପାରେ ।

ବହିଃଫୁସଫୁସିୟ(Extrapulmonary)[ସମ୍ପାଦନା]

ଚଳ ଚଞ୍ଚଳ(Active)ଯକ୍ଷ୍ମା ମଧ୍ୟରୁ ୧୫ରୁ ୨୦% ଫୁସଫୁସ ବାହାରେ ଦେଖାଯାଏ ଏବଂ ସମୂହ ଭାବରେ ସମସ୍ତ ରୋଗ ଗୁଡିକୁ ଏହି ସଂଘରେ(Group)ଅନ୍ତର୍ଭୁକ୍ତ କରାଯାଏ । ରୋଗ ପ୍ରତିରୋଧ ଅସାମର୍ଥ୍ୟ ଥିବା ଲୋକ ଓ ଯୁବପିଲାମାନଙ୍କ(Young children) ଠାରେ ପ୍ରକାର ରୋଗ ଦେଖାଯାଏ । ଶତକଡା ୫୦% ଲୋକ ଏଚ୍.ଆଇ.ଭି. ସଂକ୍ରମିତ ହୋଇଥାଆନ୍ତି । ଏହି ଦଳିୟ ରୋଗ ମଧ୍ୟରେ ପ୍ଲୁରା(Tubercular pleuritis), କେନ୍ଦ୍ରୀୟ ସ୍ନାୟୁ ମଣ୍ଡଳ(Central nervous system), ଲସିକା ମଣ୍ଡଳ (Lymphatic system), ମୂତ୍ର ଜନନାଙ୍ଗ (Uro-genital) ସମ୍ବନ୍ଧୀୟ ଓ ଅସ୍ଥି-ଗଣ୍ଠି ମଣ୍ଡଳ ଅନ୍ତର୍ଭୁକ୍ତ। ଏହି ଦଳିୟ ରୋଗ ମଧ୍ୟରେ ପ୍ଲୁରା(Tubercular pleuritis),କେନ୍ଦ୍ରୀୟ ସ୍ନାୟୁ ମଣ୍ଡଳ(Central nervous system), ଲସିକା ମଣ୍ଡଳ(Lymphatic system), ମୂତ୍ର ଜନନାଙ୍ଗ (Uro-genital)ସମ୍ବନ୍ଧୀୟ ଓ ଅସ୍ଥି-ଗଣ୍ଠି ମଣ୍ଡଳ ଯକ୍ଷ୍ମା ଅନ୍ୟତମ । ଅସ୍ଥି ସଂକ୍ରମିତ ହେଲେ ହାଡ଼ ଯକ୍ଷ୍ମା ନାମ ଦିଆଯାଏ ଯାହା ଏକ ପ୍ରକାର ଅସ୍ଥି-ମଜ୍ଜା ପ୍ରଦାହ (Tubercular osteomylitis)। ମିଲିଆରି ଯକ୍ଷ୍ମା(Miliary tuberculosis)ଏହି ମଣ୍ଡଳର ଗୋଟିଏ ଅତି ସାଂଘାତିକ ରୋଗ ଯେଉଁଥିରେ ଶରୀରର ବିଭିନ୍ନ ଅଙ୍ଗରେ ଯକ୍ଷ୍ମା କ୍ଷତ ଦେଖାଯାଏ ।

କାରଣ[ସମ୍ପାଦନା]

ମାଇକୋବାକ୍ଟେରିଆ[ସମ୍ପାଦନା]

ଯକ୍ଷ୍ମା ରୋଗ ଗୋଟିଏ ବାୟୁଜୀବୀ, ଅଣଚଳନଶୀଳ ଅତି କ୍ଷୁଦ୍ର ବ୍ୟାସିଲସ୍ (ଏକ ପ୍ରକାର ଜୀବାଣୁ)ଦ୍ଵାରା ସଂଘଟିତ ହୁଏ । ଏହି ଜୀବାଣୁ ଦେହରେ ଥିବା ଚର୍ବି ଜାତିୟ ପଦାର୍ଥ ଯୋଗୁ ଏହାର ଅନନ୍ୟ ଲକ୍ଷଣ ଦେଖାଯାଏ । ଅନ୍ୟ ଜୀବାଣୁ ଅଧ ଘଣ୍ଟାରୁ କମ୍ ସମୟ ମଧ୍ୟରେ ବିଘଟିତ ହେଲାବେଳେ ଏହି ଜୀବାଣୁ ଏଥି ନିମିତ୍ତ ୧୬ ରୁ ୨୦ ଘଣ୍ଟା ସମୟ ନିଏ । ଏହାର ଦୁଇଟି ଚର୍ବି(Lipid)ବାହ୍ୟ୍ ସ୍ତର ଥାଏ । ବାହାର ସ୍ତରରେ ଲିପିଡ ଓ ମାଇକୋଲିକ୍ ଅମ୍ଳ ଥିବା ଯୋଗୁ ଏହା ଗ୍ରାମ୍ ସ୍ଟେନ୍ ନିଏ ନାହିଁ ବା ଅତି ସ୍ଵଳ୍ପ ସ୍ଟେନ ନିଏ । ଦୁର୍ବଳ ଜୀବାଣୁ ନାଶକାରି ଔଷଧ ପ୍ରୟୋଗରେ ଓ ଶୁଷ୍କ ପରିସ୍ଥିତିରେ ମଧ୍ୟ ଜୀବାଣୁ ସପ୍ତାହ ସପ୍ତାହ ଧରି ବଞ୍ଚି ରହି ପାରେ । ଏହି ଜୀବାଣୁ ଗୋଟିଏ ଶରୀର ପାଇଲେ ତା ମଧ୍ୟରେ ବଢେ, ବାହାରେ ନୁହେଁ, କିନ୍ତୁ ଏହା ପରୀକ୍ଷାଗାରରେ ପୋଷଣ କରି ଏହାକୁ ବଢାଯାଇ ପାରେ ।
ଉତ୍ତକ ବିଜ୍ଞାନ(Histology) ଅନୁଯାୟୀ ଜୀବାଣୁକୁ ରଙ୍ଗ(Stain)କରାଗଲେ ଅଣୁବୀକ୍ଷଣ ଯନ୍ତ୍ରରେ ଦେଖି ହୁଏ । ରୋଗୀର କଫରେ ଥିବା ଶ୍ଳେଷ୍ମାକୁ ସ୍ଟେନ କରି ସାଧାରଣ ଅଣୁବୀକ୍ଷଣ ୟନ୍ତ୍ରରେ ଜୀବାଣୁକୁ ଦେଖି ହୁଏ ଓ ଚିହ୍ନି ହୁଏ । ସ୍ଟେନ କଲା ବେଳେ ଅମ୍ଳ ପ୍ରୟୋଗ ପରେ ମଧ୍ୟ ଏହାର ରଙ୍ଗ ଅକ୍ଷୁର୍ଣ୍ଣ ରହେ, ଏଣୁ ଏହାକୁ ଏସିଡ ଫାଷ୍ଟ ଜୀବାଣୁ କୁହାଯାଏ । ଜିଲନିଲସନ୍(Ziehl Neelsen)ପଦ୍ଧତି ଦ୍ଵାରା ସ୍ଟେନ କଲେ ନୀଳ ପୃଷ୍ଠ ଭୁମି ଉପରେ ଯକ୍ଷ୍ମା ଜୀବାଣୁ ଲାଲ ଦେଖାଯାଏ । ଅରାମିନ୍ ରୋଡାମିନ୍ ସ୍ଟେନ୍ (auramine-rhodamine stain) କରି ଫ୍ଲୋରିସେନ୍ସ ଅଣୁବୀକ୍ଷଣ ଯନ୍ତ୍ରରେ (followed by fluorescence microscopy) ଦେଖା ଯାଇପାରେ ।
ମାଇକୋବାକ୍ଟେରିଅମ ପୁଞ୍ଜରେ ଥିବା ଅନ୍ୟ ଜୀବାଣୁମାନଙ୍କର ନାମ ଏମ୍ ବୋଭିସ୍(M. bovis), ଏମ୍ ଆଫ୍ରିକାନମ୍(M. africanum) ଏମ୍ କାନେଟ୍ଟି(M.canetti) ଓ ଏମ୍ ମାଇକ୍ରୋଟି(M. microti) । ଏମ ଆଫ୍ରିକାନମ୍ ଆଫ୍ରିକାରେ ଦେଖାଯାଏ । ଏମ୍ କାର୍ନେଟି ଉତ୍ତର ପୂର୍ବ ଆଫ୍ରିକା ଓ ସୋମାଲିଆରେ ଦେଖାଯାଏ, ଅନ୍ୟତ୍ର କ୍ଵଚିତ ଦେଖଯାଏ । ଠିକ ସେହିଭଳି ଏମ୍ କାର୍ନେଟି କ୍ବଚିତ ଦେଖାଯାଏ, କିନ୍ତୁ ଏହା ପ୍ରତିରୋଧକ ଶକ୍ତି ବିହୀନ ଲୋକଙ୍କଠାରେ ହେଉ ଥିବାରୁ ଏହାର ପ୍ରକୃତ ହିସାବ ଠିକ ନ ହୋଇପାରେ । ଏମ ବୋଭିସ ବିକାଶଶୀଳ ଦେଶମାନଙ୍କରେ ବହୁତ ଦେଖା ଯାଉଥିଲା, କିନ୍ତୁ ଦୁଗ୍ଧର ପାଶ୍ଚୁରାଇଜେସନ ପରେ ଏହାର ପ୍ରଦୁର୍ଭାବ ଅସମ୍ଭବ ଭାବେ କମି ଯାଏଛି ।
ଏମ ଆଭିଅମ୍ ଓ ଏମ୍ କାନ୍ସାସି ଜୀବାଣୁଦ୍ଵୟ ଫୁସଫୁସ ଆକ୍ରମଣ କରେ କିନ୍ତୁ ଏହା ଯକ୍ଷ୍ମା ନୁହେଁ ।

ଆଶଙ୍କା ପ୍ରତିନିଧି[ସମ୍ପାଦନା]

ଏଚ.ଆଇ.ଭି ଥିବା ରୋଗୀଙ୍କର ମୂଖ୍ୟ ଆଶଙ୍କା ଯକ୍ଷ୍ମା । ସମୁଦାୟ ଯକ୍ଷ୍ମା ରୋଗୀଙ୍କର ୧୩ % ଏଚ.ଆଇ.ଭି ଆକ୍ରାନ୍ତ ଥାଆନ୍ତି । ସାହାରା ପାର୍ଶ୍ଵବର୍ତୀ ଆଫ୍ରିକା ଇଲାକାରେ ଏଚ୍.ଆଇ.ଭି ବହୁଳ ଭାବରେ ଦେଖା ଯାଉଥିବାରୁ ଯକ୍ଷ୍ମା ଆଶଙ୍କା ପବଳ ଥଏ । ପୁଷ୍ଟି ହୀନତା ଓ ଦାରିଦ୍ର୍ୟ ଏହାର ଅନ୍ୟତମ ପ୍ରତିନିଧି । ଅନ୍ୟାନ୍ୟ ପ୍ରବଳ ଆଶଙ୍କାଗ୍ରସ୍ତ ଅବସ୍ଥା: - ନିଷିଦ୍ଧ ଔଷଧ ସେବନ, ଜେଲ ଓ ଗୃହହୀନ ମାନଙ୍କର ଆବାସସ୍ଥଳିରେ କାମ କରୁଥିବା ଲୋକ ତଥା ସେମାନଙ୍କ ପିଲାମାନେ, ସ୍ଵାସ୍ଥ୍ୟ ସୁବିଧା ନ ଥିବା ସ୍ଥାନର ଲୋକ, ସଂଖ୍ୟା ଲଘୁ ସମ୍ପ୍ରଦାୟ ଓ ଏ ସମସ୍ତଙ୍କର ସେବା କରୁଥିବା ବ୍ୟକ୍ତିମାନେ । ଫୁସଫୁସ ରୋଗାକ୍ରାନ୍ତ ଥାଏ । ସିଗାରେଟ ନ ଖାଇବା ଲୋକଙ୍କ ଅପେକ୍ଷା ଖାଇବା ଲୋକଙ୍କର ୩୦ ଗୁଣ ଅଧିକ ଆଶଙ୍କା ଥଏ । ଡାଏବେଟିସ୍, ଆଲକହଲ, ସ୍ଟିରଏଡ ସେବନ ଦ୍ବାରା ବିକଶିତ ଦେଶରେ ଆଶଙ୍କା ବହୁତ ଅଧିକ ଦେଖାଯାଏ । ଏହା ବ୍ୟତିତ ଜେନେଟିକର କିଛି ଯୋଗ ସୂତ୍ର ଥାଇ ପାରେ ।

ପ୍ରକ୍ରିୟା[ସମ୍ପାଦନା]

ସଂକ୍ରମଣ ପ୍ରକ୍ରିୟା
କାଶିଲା ଛିଙ୍କିଲା ବେଳେ ଯକ୍ଷ୍ମା ରୋଗୀ ଶରୀରରୁ ଅସଂଖ୍ୟ ୦.୫ ରୁ ୫.୦ µm ବିଶିଷ୍ଟ ଶ୍ଳେଷ୍ମା କଣା ବାହାରି ବାୟୁରେ ଉଡି ବୁଲନ୍ତି । ରୋଗ ସଂକ୍ରମଣ ନିମନ୍ତେ ମାତ୍ର ୧୦ଟି ଜିବାଣୁ ଯଥେଷ୍ଟ ଥିବାରୁ ପ୍ରତ୍ୟେକ ଶ୍ଳେଷ୍ମା କଣା ରୋଗ ସୃଷ୍ଟି କରିବା ନିମନ୍ତେ ଯଥେଷ୍ଟ । ରୋଗୀ ସଂଷ୍ପର୍ଶରେ ବହୁତ ଦିନ ଥିବା, ବାରମ୍ଵାର ଆସୁଥିବା ଓ ନିକଟତମ ବ୍ୟକ୍ତିମାନଙ୍କର ରୋଗ ହେବା ସଂଭାବନା ୨୨% । ଲୁକ୍କାୟିତ(Latent infection) ରୋଗ ସଂକ୍ରମଣ କରି ପାରେ ନାହିଁ ।
ଅଚିକିତ୍ସିତ ରୋଗୀ ବର୍ଷକେ ୧୦ ରୁ ୧୫ ଜଣ ଲୋକଙ୍କୁ ସଂକ୍ରମିତ କରି ପାରିବେ । ଏହି ସଂକ୍ରମଣ ନିମନ୍ତେ କେତେକ ଉପକାରଣ ଅଛି । ଶ୍ଳେଷ୍ମା କଣାର ସଂଖ୍ୟା, ବାୟୁ ପ୍ରବାହର ମାନ, ସଂଷ୍ପର୍ଶର ସମୟ, ଜୀବାଣୁର ରୋଗ ସୃଷ୍ଟିକାରି କ୍ଷମତା (Virulence)ଓ ସୁସ୍ଥ ଲୋକର ରୋଗ ପ୍ରତିରୋଧ କ୍ଷମତା ଉପରେ ସଂକ୍ରମଣ ନିର୍ଭରଶୀଳ । ରୋଗୀରୁ ରୋଗୀ ସଂକ୍ରମଣ ବିଭିନ୍ନ ଉପାୟରେ ବାଧା ଦିଆଯାଇ ପାରେ । ଉପଯୁକ୍ତ ଚିକିତ୍ସା, ରୋଗୀକୁ ଅଲଗା ସ୍ଥାନରେ ରଖିବା ଦ୍ଵାରା ଏହା ସମ୍ଭବ ହୁଏ । ଦୁଇ ସପ୍ତାହର ପର୍ଯ୍ୟାପ୍ତ ଚିକିତ୍ସା ପରେ ଚଳ ଚଞ୍ଚଳ ରୋଗ ଜୀବାଣୁ ସଂକ୍ରମଣ ଅକ୍ଷମ ହୋଇଯାଏ । ସଂକ୍ରମିତ ହୋଇଥିବା ବ୍ୟକ୍ତି ୩ ରୁ ଚାରି ସପ୍ତାହ ପରେ ସଂକ୍ରମଣ କ୍ଷମତା ହାସଲ କରେ ।
ରୋଗ ସୃଷ୍ଟିକାରୀ ପ୍ରକ୍ରିୟା
ଜୀବାଣୁ ସଂକ୍ରମିତ ହୋଇଥିବା ଲୋକଙ୍କ ମଧ୍ୟରୁ ୯୦%ଲୋକ ଦେହରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ ବା ଏହା ଲୁକ୍କାୟିତ(Latent) ଭାବରେ ରହେ । ବାକି ୧୦% ଲୋକଙ୍କର ରୋଗ ଭୋଗିବାର ସମ୍ଭାବନା ରହେ । ଏଚ୍.ଆଇ. ଭି. ସଂକ୍ରମିତ ବ୍ୟକ୍ତିମାନଙ୍କ ମଧ୍ୟରୁ ୧୦% ଲୋକ ପ୍ରତି ବର୍ଷ ଯକ୍ଷ୍ମା ଭୋଗନ୍ତି । ଉପଯୁକ୍ତ ଚିକିତ୍ସା ଅଭାବରେ ୬୬% ଲୋକ ମୃତ୍ୟୁ ମୁଖରେ ପଡନ୍ତି ।
ଯକ୍ଷ୍ମା ଜୀବାଣୁ ପବନ ମାଧ୍ୟମରେ ଫୁସଫୁସରେ ପହଞ୍ଚି ଆଲଭିଓଲାଇର ମାକ୍ରୋସୋମର ଏଣ୍ଡୋସୋମ ମଧ୍ୟରେ ସଂଖ୍ୟା ବୃଦ୍ଧି କରନ୍ତି । ଫୁସଫୁସରେ ପ୍ରଥମ ରୋଗଗ୍ରସ୍ତ ସ୍ଥାନକୁ ଘନ୍ ଫୋକସ୍ (Ghon focus) କୁହାଯାଏ । ଫୁସଫୁସରେ ତିନୋଟି ଭାଗ(Lobe) ଥାଏ । ଉପର ଲୋବର ତଳ ପଟେ ବା ତଳ ଲୋବର ଉପର ପଟେ ରୋଗ ଆରମ୍ଭ ହୁଏ । ଶରୀରର ଅନ୍ୟ ସ୍ଥାନରୁ ରକ୍ତ ପଥ ଦେଇ ଫୁସଫୁସରେ ମଧ୍ୟ ଜୀବାଣୁ ପହଞ୍ଚି ଲୋବର ସର୍ବୋଚ୍ଚ ସ୍ଥାନରେ ତନ୍ତୁ ନଷ୍ଟ କରେ, ଏହାକୁ ସାଇମନ ଫୋକସ୍ (Simon focus) କହନ୍ତି । ରକ୍ତ ପଥ ମାଧ୍ୟମରେ ଯେ କୌଣସି ସ୍ଥାନକୁ ଯଥା ମସ୍ତିଷ୍କ, ବୃକକ, ଅସ୍ଥିକୁ ଯାଇ ରୋଗ ସୃଷ୍ଟି କରି ପାରେ । ଜୀବାଣୁ ଶରୀରର ଯେ କୌଣସି ସ୍ଥାନରେ ରୋଗ ସୃଷ୍ଟି କରିବା କ୍ଷମତା ରଖିଥିଲେ ମଧ୍ୟ କୌଣସି ଅଜଣା କାରଣରୁ ହୃତପିଣ୍ଡ, ଅସ୍ଥିଗତ ମାଂସପେଶୀ, ଅଗ୍ନାଶୟ ଓ ଥାଇରଏଡକୁ ଏହା କ୍ଵଚିତ୍ ଆକ୍ରମଣ କରେ ।
ଯକ୍ଷ୍ମା ଏକ ପ୍ରକାର ସ୍ଥାୟୀ ପ୍ରଦାହ (Chronic Inflammatory Disease)ରୋଗ । ରୋଗାକ୍ରାନ୍ତ ଅଙ୍ଗରେ ପ୍ରଥମେ ଗୋଟିଏ କ୍ଷୁଦ୍ରାକାର କଣିକାଗୁଳ୍ମ(Granuloma) ସୃଷ୍ଟି ହୁଏ । ଏହାର ମଧ୍ୟାଂଶରେ କିଛି ଜୀବକୋଷ ନଷ୍ଟ୍ ହୋଇଥାଏ ଯାହା ଛେନା ଭଳି ଦେଖାଯାଏ । ଏଣୁ ଇଂରାଜୀରେ ଏହାକୁ କେଜିଅସ ନେକ୍ରୋସିସ(Caseous necrosis) କହନ୍ତି । ଏହାକୁ ପରିବେଷ୍ଟନ କରି ମାକ୍ରୋଫେଜ, ଟି ଲିମ୍ଫୋସାଇଟ, ବି ଲିମ୍ଫୋସାଇଟ ଓ ଫାଇବ୍ରୋବ୍ଲାଷ୍ଟ ଜୀବକୋଷ ଥାଏ । ଲିମ୍ଫୋସାଇଟ ଗୁଡିକ ମାକ୍ରୋଫେଜ ଚାରି ପଟେ ଦେଖା ଯାଆନ୍ତି । ଏହି ଗ୍ରାନୁଲୋମା ଜୀବାଣୁକୁ ଖେଳି ଯିବାରୁ ରକ୍ଷା କରେ । ଜୀବାଣୁ ଏହି ଗ୍ରାନୁଲୋମା ଭିତରେ ଅକର୍ମଣ୍ୟ ଅବସ୍ଥାରେ ରହନ୍ତି ।
ନଷ୍ଟଯୁକ୍ତ ତନ୍ତୁରୁ ଜୀବାଣୁ ରକ୍ତ ପ୍ରବାହ ମଧ୍ୟରେ ପ୍ରବେଶ କରି ସାରା ଶରୀରରେ ଖେଳି ଯାଇ ଅନେକ ଅନେକ ସ୍ଥାନରେ କ୍ଷତି କରନ୍ତି । ଏହି ଭୟାବହ ଅବସ୍ଥାକୁ ମିଲିଆରି ଯକ୍ଷ୍ମା କହନ୍ତି । ଏହି ରୋଗରେ ୩୦% ଲୋକଙ୍କ ମୃତ୍ୟୁ ହୁଏ ।
ଅଧିକାଂଶ ଲୋକଙ୍କର ରୋଗ ବଢେ ଓ କମେ । ତନ୍ତୁ କ୍ଷୟ ଓ ତନ୍ତୁ ମୃତ୍ୟୁ ସଙ୍ଗେ ସଙ୍ଗେ ଶୁଖିବା ପ୍ରକ୍ରିୟା ଓ ଫାଇବ୍ରୋସିସ(Fibrosis) ମଧ୍ୟ ଚାଲିଥାଏ । କ୍ଷତିଗ୍ରସ୍ତ ଅଙ୍ଗରେ ଛୋଟ ଛୋଟ ଗର୍ତ(Cavity)ଭିତରେ କେଜିଅସ ପଦାର୍ଥ ଥାଇ ଏହାର କ୍ଷତ ଦାଗ ରହିଯାଏ । ବେଳେ ବେଳେ ଏହି କ୍ୟାଭିଟି ଗୁଡିକ ଶ୍ଵାସ ନଳୀ ସହ ସଂଯୁକ୍ତ ହୋଇଗଲେ ତାହା ଭିତର ପଦାର୍ଥ୍ କାଶ ସହ ପଦାକୁ ବାହାରି ଆସେ । ଏହି ପଦାର୍ଥ ମଧ୍ୟରେ ଜୀବାଣୁ ଥାଏ ଯାହା ରୋଗ ସଂକ୍ରମଣ କରେ । ଆଣ୍ଟିବାଇଓଟିକ ଚିକିତ୍ସାଦ୍ଵାରା ଜୀବାଣୁ ମରି ଯାଆନ୍ତି ଓ କ୍ଷତ ସ୍ଥାନ ଶୁଖି ଯାଇ ସ୍କାର(Scar) ଦାଗ ରହିଯାଏ ।

ରୋଗ ନିର୍ଣ୍ଣୟ[ସମ୍ପାଦନା]

କଫରେ ଥିବା ମାଇକୋବ୍ୟାକ୍ଟେରିଅମ ଟ୍ୟୁବରକୁଲୋସିସ (ନାଲି ରଙ୍ଗ)

ଆମେ ଦୁଇ ପ୍ରକାର୍ ଯକ୍ଷ୍ମା ବିଷୟରେ ଜାଣିଲେ, ଯଥା- ସଚଳ(Active) ଯକ୍ଷ୍ମା ଓ ଲୁକ୍କାୟିତ(Latent) ବା ଗୁପ୍ତ ଯକ୍ଷ୍ମା ।

ସଚଳ(Active) ଯକ୍ଷ୍ମା[ସମ୍ପାଦନା]

ଅନ୍ୟ ରୋଗ ତୁଳନାରେ ଯକ୍ଷ୍ମା ରୋଗ ନିର୍ଣ୍ଣୟ କଷ୍ଟକର ବ୍ୟାପାର । ରୋଗୀର ନିଜସ୍ଵ ବଖାଣ ଓ ଶରୀରରେ ଥିବା ରୋଗ ଚିହ୍ନ ଦେଖି ସହଜରେ ଚିହ୍ନି ହୁଏ ନାହିଁ । ଇମ୍ୟୁନିଟି କମ ଥିଲେ ଆହୁରି ଅସୁବିଧା । ଫୁସଫୁସ ସମ୍ବନ୍ଧିୟ ରୋଗ ଲକ୍ଷଣ ଓ ଦୈହିକ ଲକ୍ଷଣ(Constitutional Symptoms)ଦୁଇ ସପ୍ତାହରୁ ଅଧିକ ହୋଇଥିଲେ ଯକ୍ଷ୍ମା ସନ୍ଦେହ କରାଯାଏ । କଫକୁ ପୋଷଣ କରି ଅଣୁବୀକ୍ଷଣ ଯନ୍ତ୍ରରେ ପରୀକ୍ଷା କରି ଏବଂ ଏକ୍ସରେ ଦ୍ଵାରା ନିର୍ଣ୍ଣୟ କରି ହେବ । ବିକାଶଶୀଳ ଦେଶମାନଙ୍କରେ କରାଯାଉଥିବା ଇନ୍ଟରଫେରନ ୱାଇ (Interferon-Y) ଓ ଟ୍ୟୁବରକ୍ୟୁଲିନ ପରିକ୍ଷା ବିକାଶଶୀଳ ଦେଶରେ ବିଷେଶ ଉପାଦେୟ ହୁଏ ନାହିଁ ।

ରୋଗୀ ଦେହରୁ ନିଷ୍କାସିତ ପଦାର୍ଥକୁ(କଫ ବା ତନ୍ତୁ ବିଶେଷ)ପୋଷଣ(Culture) କରି ସେଥିରେ ଜୀବାଣୁ ଦେଖିଲେ ଯକ୍ଷ୍ମା ନିର୍ଣ୍ଣୟ ନିର୍ଭୁଲ ହୁଏ । କିନ୍ତୁ ଏହି ପୋଷଣ କରିବା ଏତେ ସହଜ ନୁହେଁ । ପୋଷଣ କଲେ ଏହି ଜୀବଣୁ ୨ ରୁ ୬ ସପ୍ତାହ ପରେ ଦେଖାଯାଆନ୍ତି । ତେଣୁ ସୁନିର୍ଦ୍ଦିଷ୍ଟ ଭାବେ ରୋଗ ନିର୍ଣ୍ଣୟ ନିମନ୍ତେ ଏତେ ଅଧିକ ସମୟ ଲାଗୁଥିବାରୁ ସନ୍ଦେହାଷ୍ପଦ ସ୍ଥାନରେ ପୋଷଣ ଫଳ ବାହାରିବା ପୂର୍ବରୁ ଔଷଧ ଦିଆଯାଇ ଚିକିତ୍ସା ଆରମ୍ଭ କରାଯାଏ ।

ଗୁପ୍ତ ଯକ୍ଷ୍ମା[ସମ୍ପାଦନା]

ମଣ୍ଟୁକ୍ସ ପରୀକ୍ଷା (Mantoux Tubeculin skin test) ଦ୍ଵାରା ଏହା ସନ୍ଦେହ କରାଯାଏ । ଏହି ପଦ୍ଧତି ସର୍ବଦା ନିର୍ଭୁଲ ନୁହେଁ । ସାର୍କଏଡୋସିସ୍, ହଜକିନ୍ସ ରୋଗ, ଅପପୁଷ୍ଟି ଓ ଯକ୍ଷ୍ମା ଭୋଗୁଥିବା ଗୋଗୀଙ୍କର ଏହି ପରୀକ୍ଷା ମିଥ୍ୟା ବିଯୁକ୍ତ (False Negative) ହୁଏ । ସେହିଭଳି ଟିକା ନେଇଥିବା ଲୋକଙ୍କର ମିଥ୍ୟା ଯୁକ୍ତ (False Positive)। ସବୁଠାରୁ ସଠିକ ଫଳ ନିମନ୍ତେ ଆଇ.ଜି.ଆର୍.ଏ. ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଏ ।

ନିବାରଣ(Prevention)[ସମ୍ପାଦନା]

ପିଲାମାନଙ୍କୁ ଟୀକା ଦେବା ଓ ରୋଗୀମାନଙ୍କୁ ଚିହ୍ନି ଉପଯୁକ୍ତ ଚିକିତ୍ସା କରିବା ଦ୍ଵାରା ଏହି ରୋଗ ନିବାରଣ କରି ହେବ । ରୋଗୀ ସଂଖ୍ୟା କମିବାରୁ ଜଣାଯାଏ, ଉନ୍ନତ ଚିକିତ୍ସା ଦ୍ଵାରା ଡବ୍ଲ୍ୟୁ. ଏଚ୍.ଓ.(W.H.O.)ସଫଳ ହୋଇଛି ।
ଟୀକା(Vaccines)
ଅଧୁନା ବି.ସି.ଜି.(B.C.G.) କେବଳ ଏକ ମାତ୍ର ଟୀକା ମିଳୁଛି, ଯାହା ଫୁସଫୁସ ଯକ୍ଷ୍ମା ରୋକିବାରେ ସବୁ ବେଳେ ଫଳପ୍ରଦ ହେଉ ନାହିଁ । ତଥାପି ପୃଥୀବିରେ ୯୦% ପିଲାମାନଙ୍କୁ ଟୀକା ଦିଆଯାଉଛି । ଟୀକାର ଗୁଣାତ୍ମକ ମାନ ୧୦ବର୍ଷ ପରେ କମିଯାଏ । କ୍ୟାନାଡା, ଇଂଲଣ୍ଡ ଓ ଆମେରିକାରେ ରୋଗ କ୍ଵଚିତ ହେଉଥିବାରୁ କେବଳ ଉଚ୍ଚ ରିସ୍କ ଥିବା ଲୋକଙ୍କୁ ଦିଆଯାଏ । ଟୀକା ନ ଦେବା ପଛରେ ଗୋଟିଏ ବଳିଷ୍ଠ ଯୁକ୍ତି ହେଲା, କେତେକ କ୍ଷେତ୍ରରେ ଟ୍ୟୁବରକୁଲିନ ପରୀକ୍ଷା ମିଛ ଫଳ ପ୍ରଦାନ କରେ । ଆଜି କାଲି କେତେକ ନୂଆ ଟୀକାର ପରୀକ୍ଷଣ ଚାଲିଛି ।
ଜନ ସ୍ଵାସ୍ଥ୍ୟ
ମସିହା ୧୯୯୩ରେ ଡବ୍ଲ୍ୟୁ. ଏଚ୍.ଓ.ସାରା ପୃଥୀବିରେ ଯକ୍ଷ୍ମା ଏମର୍ଜେନ୍ସି ଘୋଷଣା କଲେ । ମସିହା ୨୦୦୬ରେ ଗୋଟିଏ ପ୍ଲାନ (Global Plan to Stop Tuberculosis) ଦ୍ଵାରା ୨୦୧୫ ସୁଦ୍ଧା ୧୪ ନିୟୁତ ପ୍ରାଣ ବଞ୍ଚାଇବା ଲକ୍ଷ ରଖିଲେ । ଏଚ୍.ଆଇ.ଭି ସଂକ୍ରମଣ ଯୋଗୁ, ଓ ରୋଗ ପ୍ରତିରୋଧକାରି ଜୀବାଣୁ ସୃଷ୍ଟି ହେବାରୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଏହା ସମ୍ଭବ ହେବା ଆଶା ନାହିଁ ।

ପ୍ରବନ୍ଧ(Management)[ସମ୍ପାଦନା]

ଯକ୍ଷ୍ମା ଜିବାଣୁକୁ ମାରିବା ନିମନ୍ତେ ଆଣ୍ଟିବାୟୋଟିକ ପ୍ରୟୋଗ କରାଯାଏ । ଅଗତାନୁଗତିକ ଗଢଣ ଓ କୋଷ ଆବରଣର ରାସାୟନିକ ଗଠନ ଯୋଗୁ ଯକ୍ଷ୍ମା ଜୀବାଣୁ ଭିତରକୁ ଆଣ୍ଟିବାୟୋଟିକ୍ ସହଜରେ ପ୍ରବେଶ କରି ପାରେ ନାହିଁ । ତେଣୁ ଏହା ବିଶେଷ ଫଳପ୍ରଦ ହୁଏ ନାହିଁ ଓ ଜୀବାଣୁ ଔଷଧକୁ ପ୍ରତିରୋଧ କରେ । ଏଥି ନିମନ୍ତେ ଅନେକ ଗୁଡିଏ ଆଣ୍ଟିବାୟୋଟିକ ବ୍ୟବହାର କରାଯାଏ ଓ ଅନେକ ମାସ ଧରି ରୋଗୀକୁ ଦିଆଯାଏ । ଗୁପ୍ତ ଯକ୍ଷ୍ମା ଯେପରି ସଚଳ ଯକ୍ଷ୍ମା ନ ହେବ ସେଥି ନିମନ୍ତେ ମଧ୍ୟ ଔଷଧ ଦିଆଯାଏ । ଅନେକ ଦିନ ଧରି ଖାଇବାକୁ ରୋଗୀମାନେ ପସନ୍ଦ କରନ୍ତି ନାହିଁ ଓ ସାମାନ୍ୟ ଉପଶମ ହେଲାପରେ ଭଲ ହୋଇଗଲା ଭାବି ଆଉ ଓଷଧ ଖାଆନ୍ତି ନାହିଁ । ସେଥି ନିମନ୍ତେ ସ୍ବାସ୍ଥ୍ୟ କର୍ମଚାରୀମାନେ ରୋଗୀମାନଙ୍କର ଘର ଘର ବୁଲି ତାଙ୍କୁ ଔଷଧ ଖାଇବାକୁ ଦିଅନ୍ତି । ଏହାକୁ ଡବ୍ଲ୍ୟୁ.ଏଚ.ଓ.(W.H.O.)ଡି.ଓ.ଟି (Direct observation therapy) ନାମ ଦେଇ ଉପଯୁକ୍ତ ଚିକିତ୍ସାର ପ୍ରବନ୍ଧ କରନ୍ତି ।
ସଦ୍ୟ ପ୍ରାରମ୍ଭ
୧୯୧୦ ମସିହାର ଉପଦେଶ ଅନୁଯାୟୀ ୪ଟି ଔଷଧ ଯଥା ରିଫାମ୍ପିସିନ୍, ଆଇସୋନିଆଜିଡ୍, ପାଇରୋଜିନାମାଇଡ୍ ଓ ଇଥାମ୍ଵୁଟଲ ପ୍ରଥମ ଦୁଇ ମାସ ନିମନ୍ତେ ଦିଆଯାଏ ଓ କେବଳ ରିଫାମ୍ପିସିନ୍, ଆଇସୋନିଆଜିଡ୍ ତା ପର ଚାରି ମାସ ଦିଆଯାଏ । ଆଇସୋନିଆଜିଡ୍ ପ୍ରତିରୋଧ ହେଉଥିଲେ ଇଥାମ୍ବୁଟଲ ଦୁଇ ଔଷଧ ସାଥୀରେ ମିଶାଇ ଦିଆଯାଏ ।
ପୁନଃ ପୌନିକ ରୋଗ
ଏହି ସ୍ଥଳରେ କେଉଁ ଔଷଧ ଜୀବାଣୁକୁ ମାରି ପାରିବ ତାହା ସ୍ଥିର କରାଯାଏ । ଏକାଧିକ ଔଷଧ ପ୍ରତିରୋଧ ଥିଲେ ୪ଟି ଆଣ୍ଟିବାୟୋଟିକ୍ ୧୮ରୁ ୨୪ ମାସ ପର୍ଯ୍ୟନ୍ତ ଦିଆଯାଏ ।
ଔଷଧ ପ୍ରତିରୋଧ
ଜୀବାଣୁ ଔଷଧକୁ ପ୍ରଥମରୁ ପ୍ରତିରୋଧ କରିପାରେ ଅଥବା ଅନିୟମିତ ଚିକିତ୍ସା ବା ନିମ୍ନ୍ ମାନର ଔଷଧ ସେବନ ଯୋଗୁ ପରେ ପ୍ରତିରୋଧ କରିପାରେ । ଏହା ବିକାଶଶୀଳ ରାଷ୍ଟ୍ରମାନଙ୍କର ଏକ ଜନ ସ୍ଵାସ୍ଥ୍ୟ ସମସ୍ୟା । ଏଥି ନିମନ୍ତେ ବହୁତ ଦାମୀ ଔଷଧ ଦରକାର ହୁଏ । ୨୦୦୩ ମସିହାରେ ପ୍ରଥମ ଥର ପାଇଁ ସର୍ବ ଔଷଧ ପ୍ରତିରୋଧ ସମୀକ୍ଷା ପ୍ରକାଶ ପାଇଥିଲା ।

ଫଳାଫଳ ସୂଚନା(Prognosis)[ସମ୍ପାଦନା]

ଯକ୍ଷ୍ମା ଜୀବାଣୁ ରୋଗୀ ଦେହରେ ପ୍ରବେଶ କଲା ପରେ ଶରୀରର ପ୍ରତିରୋଧ ପ୍ରଣାଳୀ ତାହାକୁ ପ୍ରତିରୋଧ କରେ । ଏହି ପ୍ରଣାଳୀର କାର୍ଯ୍ୟ ଦକ୍ଷତା କମ ଥିଲେ ଜୀବାଣୁ ବଂଶ ବୃଦ୍ଧି କରେ ଓ ୧ ରୁ ୫ % ଲୋକ ରୋଗଗ୍ରସ୍ତ ହୁଅନ୍ତି । କିନ୍ତୁ ଅଧିକାଂଶ କ୍ଷେତ୍ରରେ କୌଣସି ଲକ୍ଷଣ ପ୍ରକାଶ ନ କରି ଏହା ଲୁକ୍କାୟିତ ସଂକ୍ରମଣ ହୋଇ ରହେ । ଏମାନଙ୍କ ମଧ୍ୟରୁ ୫ ରୁ ୧୦ % ଲୋକ ଅନେକ ବର୍ଷ ପରେ ଯକ୍ଷ୍ମା ପିଡିତ ହୁଅନ୍ତି ।
ପ୍ରତିରୋଧ ଶକ୍ତି କମିଗଲେ (ଯେପରିକି ଏଚ୍.ଆଇ.ଭି.)ବର୍ଷକୁ ୧୦% ହିସାବରେ ଯକ୍ଷ୍ମା ପୁନଃ ସଚଳ ହୁଏ । ଡି.ଏନ୍.ଏ. ପଦ୍ଧତିରୁ ଜଣାଯାଏ ଯେ ଆଗରୁ ଯେତିକି ଅନୁମାନ କରଯାଉଥିଲା ତା ଠାରୁ ଅନେକ ବେଶି ପୁନଃ ସଚଳ (ପାୟ ୫୦%)ହେଉଛି । ୧୯୯୫ରେ ମୃତ୍ୟୁ ହାର ୮% ଥିବା ବେଳେ ୨୦୦୮ରେ ଏହା ୪%କୁ କମିଛି ।

ସଂକ୍ରମଣ ଅନୁଶୀଳନ (Epidemiology)[ସମ୍ପାଦନା]

ସାରା ପୃଥୀବିରେ ପ୍ରତି ସେକଣ୍ଡରେ ଜଣେ ହିସାବରେ ମୋଟାମୋଟି ଏକ ତୃତୀଆଂଶ ଲୋକ ଯକ୍ଷ୍ମା ସଂକ୍ରମିତ ହୁଅନ୍ତି । ଏମାନଙ୍କ ମଧ୍ୟରୁ ୯୦ରୁ୯୫% ଲୋକ ଲକ୍ଷଣହୀନ ରହନ୍ତି । ୨୦୦୭ ମସିହାରେ ୧୩.୭ ନିୟୁତ ପୁରୁଣା ସଚଳ ରୋଗୀ ଥିଲେ । ୧୯୧୦ ମସିହାରେ ୮.୮ନିୟୁତ ନୂଆ ରୋଗ ନିର୍ଣ୍ଣୟ୍ ହୋଇଥିଲା ଓ ଅଧିକାଂଶ ବିକାଶଶୀଳ ଦେଶର ଲୋକ ଥିଲେ । ଏମାନଙ୍କ ମଧ୍ୟରୁ ୧.୪୫ ନିୟୁତ ଲୋକଙ୍କର ମୃତ୍ୟୁ ହେଲା ଓ ସେଥିରୁ ୦.୩୫ ନିୟୁତ ଲୋକଙ୍କର ଏଚ୍.ଆଇ.ଭି. ଥିଲା ।
ସଂକ୍ରାମକ ରୋଗ ମଧ୍ୟରେ ସର୍ବାଧିକ ମୃତ୍ୟୁ ସଂଖ୍ୟାରେ ଯକ୍ଷ୍ମାର ସ୍ଥାନ ଦ୍ଵିତୀୟ । ୨୦୦୨ ମସିହା ପରଠାରୁ ନୂଆ ରୋଗୀ ସଂଖ୍ୟା କମିଛି, ଓ ୨୦୦୫ ଠାରୁ ସମୁଦାୟ ରୋଗୀ ସଂଖ୍ୟା କମିଛି । ୧୯୯୦ ଓ ୨୦୧୦ ମଧ୍ୟରେ ଚୀନ୍ ନାଟକୀୟ ଭାବେ ଯକ୍ଷ୍ମା ମୃତ୍ୟୁ ସଂଖ୍ୟକୁ ୮୦% କମେଇ ଦେଇଛି । ଏସିଆ ଓ ଆଫ୍ରିକା ଭଳି ବିକାଶଶୀଳ ରାଷ୍ଟ୍ରରେ ଜନ ସଂଖ୍ୟାର ୮୦% ଲୋକ ଓ ଆମେରିକାରେ କେବଳ ୫ରୁ ୧୦% ଲୋକ ଟ୍ୟୁବରକ୍ୟୁଲିନ ପରୀକ୍ଷାରେ ସକାରାତ୍ମାକ ଦେଖାନ୍ତି । ଯକ୍ଷ୍ମା ନିରାକରଣ ଆଶା ନାଟକୀୟ ଭାବେ କମି ଯାଉଛି । ସକ୍ରିୟ ଟିକା ଅଭାବ, ଖର୍ଚ୍ଚ ସାପେକ୍ଷ ଓ ଲମ୍ଵା ସମୟର ରୋଗ ନିର୍ଣ୍ଣୟ ପଦ୍ଧତି, ଅନେକ ମାସର ଚିକିତ୍ସା ଆବଶ୍ୟକତା, ଏଚ୍.ଆଇ.ଭି ଯକ୍ଷ୍ମାର ସହଯୋଗିତା ଓ ଔଷଧ ପ୍ରତିରୋଧ କ୍ଷମତା ଏହି ନିରାକରଣରେ ବାଧା ସୃଷ୍ଟି କରୁଛନ୍ତି ।
୨୦୦୭ ମସିହାରେ ସ୍ଵାଜିଲ୍ୟାଣ୍ଡରେ ସବୁ ଠାରୁ ଅଧିକ ପ୍ରତି ୧୦୦୦୦୦ ଲୋକରେ ୧୨୦୦ ଲୋକ ରୋଗଗ୍ରସ୍ତ ଥିଲେ । ଭାରତରେ ସବୁଠାରୁ ବେଶୀ ୨ନିୟୁତ ନୂଆ ରୋଗୀ ଥିଲେ । ବିକଶିତ ଦେଶମାନଙ୍କରେ ବହୁତ ଅଳ୍ପ ରୋଗୀ, ବିଶେଷତଃ ସହରାଞ୍ଚଳରେ ଦେଖାଯାଆନ୍ତି । ୨୦୧୦ ମସିହାରେ ପ୍ରତି ଲକ୍ଷେ ଲୋକ ହିସାବରେ ଆଫ୍ରିକାରେ ୩୩୨, ଆମେରିକାରେ ୩୬, ପୂର୍ବ ମେଡିଟେରାନିଆନ୍ ଦେଶମାନଙ୍କରେ ୧୭୩, ୟୁରୋପରେ ୬୩, ଦକ୍ଷିଣ ପୂର୍ବ ଏସିଆରେ ୨୭୮, ପଶ୍ଚିମ ପ୍ରଶାନ୍ତ ମହାସାଗରିୟ ଅଞ୍ଚଳରେ ୧୩୯ ଓ ପୃଥୀବିରେ ୧୭୮ ରୋଗୀ ଥିଲେ । କାନାଡା ଓ ଅଷ୍ଟ୍ରେଲିଆରେ ଦୂର ଦୂରାନ୍ତରେ ରହୁଥିବା ଆଦିବାସି ଲୋକ ସାଧାରଣତଃ ଏହାର ଶୀକାର ହୁଅନ୍ତି । ଆମେରିକାର ଆଦିବାସି ଅଞ୍ଚଳରେ ଅନ୍ୟ ଅଞ୍ଚଳ ଅପେକ୍ଷା ୫ଗୁଣ ଲୋକ ମୃତ୍ୟୁ ମୁଖରେ ପଡନ୍ତି ।
ବିଭିନ୍ନ ବୟସରେ ଯକ୍ଷ୍ମା ହାର ବିଭିନ୍ନ ହୋଇଥାଏ । ଆଫ୍ରିକାର ଯୁବକ ଓ ନବ ଯୁବକମାନେ ପ୍ରାୟ ସଂକ୍ରମିତ ହୁଅନ୍ତି । ଆମେରିକା ଭଳି ବିକସିତ ଦେଶମାନଙ୍କରେ ବୃଦ୍ଧ ଓ ପ୍ରତିରୋଧ ଅକ୍ଷମ ଲୋକଙ୍କଠାରେ ଅଧିକ ଦେଖାଯାଏ ।

ଇତିହାସ[ସମ୍ପାଦନା]

କାହିଁ କେଉଁ ପୁରାକାଳରୁ ମଣିଷ ଦେହରେ ଯକ୍ଷ୍ମା ଦେଖାଯାଉଛି । ୧୭୦୦୦ବର୍ଷ ତଳେ ଏହି ରୋଗ ଭୋଗିଥିବା ଏକ ମଇଁଷିର ଦେହାବଶେଷ ମିଳିଛି । ଏ ରୋଗ ଗୋମହିଷାଦି ଜନ୍ତୁମାନଙ୍କଠାରୁ ମନୁଷ୍ୟକୁ ଡେଇଁଛି ବା ଏକ ପୂର୍ବ ପୁରୁଷଠାରୁ ଏହି ଦୁଇ ପ୍ରକାର ଜୀବାଣୁ ସୃଷ୍ଟି ହୋଇଛନ୍ତି ତାହା ଏ ପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ । ଜିନ(Gene) ଅନୁଶୀଳନ ଓ ତୁଳନା ପରେ ଏହା ପଶୁ ଦେହରୁ ଆସି ନ ଥିବା ଜଣାଯାଏ ଯାହା ପୂର୍ବରୁ ଆସିଥିବା ବିଶ୍ଵାସ କରାଯାଉଥିଲା । ଉଭୟ ପଶୁ ଓ ମନୁଷ୍ୟ ଜୀବାଣୁ ନିଓଲିଥିକ ଯୁଗରୁ ମନୁଷ୍ୟକୁ ଆକ୍ରମଣ କରି ଆସିଛି । ପ୍ରାଗ୍ ଐତିହାସିକ (ଖ୍ରୀ.ପୁ ୪୦୦୦) ଯୁଗର ଅସ୍ଥିରେ ଯକ୍ଷ୍ମାର ପ୍ରମାଣ ମିଳିଛି । ଖ୍ରୀଷ୍ଟ ପୂର୍ବ ୩୦୦୦-୨୪୦୦ର ଇଜିପ୍ଟ ଦେଶୀୟ ମମିର ମେରୁ ଅସ୍ଥିରେ ମଧ୍ୟ ଯକ୍ଷ୍ମାର ପ୍ରମାଣ ମିଳିଛି । ଫୁସଫୁସ ଯକ୍ଷ୍ମାକୁ ଗ୍ରୀକ ଶବ୍ଦ ଥାଇସିସ(Phthisis)ନାମ ଦିଆ ଯାଇଥିଲା । ଖ୍ରୀ.ପୂ. ୪୬୦ ଆଡକୁ ହିପୋକ୍ରିଟ ସେ ସମୟର ସବୁଠାରୁ ବେଶୀ ସଂକ୍ରମଣକାରୀ ରୋଗ ବୋଲି ଜାଣି ପାରିଥିଲେ । ରକ୍ତ ମିଶା କଫ ଓ ଜ୍ଵର ହୋଇ ଏହି ରୋଗ ଅତ୍ୟନ୍ତ ମୃତ୍ୟୁକାରି ବୋଲି ଜଣାଥିଲା । ଜେନେଟିକ୍ ପାଠ ଦ୍ଵାରା ୧୦୦ ମସିହା ଠାରୁ ଆମେରିକାବାସିଙ୍କଠାରେ ଏ ରୋଗ ଥିବା ଜଣା ପଡିଛି ।
ଶିଳ୍ପ ବିପ୍ଳବ ପୁର୍ବରୁ ଯକ୍ଷ୍ମାକୁ ଭାମ୍ପାୟାର ସାଥିରେ ତୁଳନା କରା ଯାଉଥିଲା । ପରିବାରର ଜଣେ ମରିଗଲେ ଅନ୍ୟ୍ ସଂକ୍ରମିତ ବ୍ୟକ୍ତିର ଧୀରେ ଧୀରେ ସ୍ଵାସ୍ଥ୍ୟ ହାନୀ ହେଉଥିଲା । ସେତେବେଳେ ପ୍ରଥମ ବ୍ୟକ୍ତି ଅନ୍ୟମାନଙ୍କ ପ୍ରାଣ ଧୀରେ ଧୀରେ ଶୋଷି ନେଉଥିବା ବିଶ୍ଵାସ କରାଯାଉଥିଲା ।

ଡାଃ ରିଚାର୍ଡ ମର୍ଟନ ୧୬୮୯ ମସିହାରେ ସର୍ବ ପ୍ରଥମେ ଫୁସଫୁସରେ ଯକ୍ଷ୍ମା ଟ୍ୟୁବରକ୍ଲ ଆକାରରେ ଆରମ୍ଭ ହୁଏ ବୋଲି ଦେଖାଇଥିଲେ । ବହୁତ ପ୍ରକାର ଲକ୍ଷଣ ଦେଖାଯାଉଥିବାରୁ ୧୮୨୦ମସିହା ପର୍ଯ୍ୟନ୍ତ ଗୋଟିଏ ରୋଗ ବୋଲି ଜଣାଯାଇ ନ ଥିଲା ଓ ଜେ.ଏନ୍. ସୋନଲେନ୍ ୧୯୩୯ ମସିହାରେ ଏହାକୁ ଯକ୍ଷ୍ମା ନାମ ଦେଇଥିଲେ । ଜନ କୋଘାନ ୧୮୨୯ ରୁ ୧୮୪୫ ମସିହା ମଧ୍ୟରେ ନିଜର ଗୋଟିଏ ମାମୋଥ ଗୁମ୍ଫାରେ ଯକ୍ଷ୍ମା ରୋଗୀମାନଙ୍କୁ ରଖି ଚିକିତ୍ସା କରୁଥିଲେ, ଏହି ଭାବନାରେ ଯେ ଗୁମ୍ଫାର ଖୋଲା ପବନ ଓ ଏକ ନିର୍ଦିଷ୍ଟ ଉତ୍ତାପରେ ରୋଗ ଭଲ ହୋଇଯିବ । ବର୍ଷକ ମଧ୍ୟରେ ସମସ୍ତେ ମରିଯାଇଥିଲେ । ପୋଲାଣ୍ଡର ସୋକୋଲୋସ୍କୋ ସ୍ଥାନରେ ୧୮୫୯ ମସିହାରେ ହରମାନ ବ୍ରେମର୍ ପ୍ରଥମେ ସାନାଟୋରିଅମ୍ ପ୍ରସ୍ତୁତ କରିଥିଲେ ।

ରବର୍ଟ୍ କକ୍, ଯକ୍ଷ୍ମା ଜୀବାଣୁର ଉଦଭାବକ

ଚିର ନମସ୍ୟ ରବର୍ଟ କକ୍ ୧୮୮୨ ମସିହାରେ ମାଇଲୋବ୍ୟାକ୍ଟେରିଅମ୍ ଟ୍ୟୁବରକ୍ୟୁଲୋସିସ୍ ଦ୍ଵାରା ଯକ୍ଷ୍ମା ରୋଗ ହୁଏ ବୋଲି ସର୍ବ ପ୍ରଥମେ ପ୍ରମାଣିତ କରିଥିଲେ ଓ ଏଥି ନିମନ୍ତେ ୧୯୦୫ ମସିହାରେ ଫିଜୋଲୋଜି ଓ ମେଡିସିନ ବିଭାଗର ନୋବେଲ୍ ପୁରସ୍କାର ପାଇଥିଲେ । ଗୋମହିସାଦି ଓ ମନୁଷ୍ୟର ଯକ୍ଷ୍ମା ଏକା ପ୍ରକାରର ଜୀବାଣୁ ଦ୍ଵାରା ହେବାକୁ ଅସ୍ଵିକାର କରୁଥିଲେ , ତେଣୁ ଦୁଷିତ ଦୁଗ୍ଧ ଯୋଗୁ ରୋଗ ସଂକ୍ରମିତ ହେଉଛି ବୋଲି ଜାଣିବାରେ ଡେରି ହୋଇଥିଲା । ଦୁଧର ପାଶ୍ଚୁରାଇଜସନ ପରେ ଏହି ପ୍ରକାର ସଂକ୍ରମଣ ବନ୍ଦ ହୋଇଗଲା । କକ୍ ଯକ୍ଷ୍ମା ଜୀବାଣୁର ଗ୍ଲିସେରିନ୍ ଏକ୍ସଟ୍ରାକ୍ଟକୁ ଟ୍ୟୁବରକ୍ୟୁଲିନ ନାମ ଦେଇ ଯକ୍ଷ୍ମା ଚିକିତ୍ସା କଲେ କିନ୍ତୁ ଏହା ଫଳପ୍ରଦ ହେଲା ନାହିଁ । ପରେ ଏହା ଲକ୍ଷଣହୀନ ରୋଗୀମାନଙ୍କୁ ସ୍କ୍ରୀନ କରିବାର ସାହାଯ୍ୟ କଲା । ଆଲବର୍ଟ୍ କ୍ୟାଲମେଟ ଓ କ୍ୟାମିଲ୍ ଗେରିନ୍ ଦୁହେଁ ମିଶି ୧୯୦୬ ମସିହାରେ ଗୋମହିସାଦିର ଯକ୍ଷ୍ମା ଜୀବାଣୁକୁ ଶକ୍ତିହୀନ କରି ଟୀକା ପ୍ରସ୍ତୁତ କଲେ । ଏହି ଜୀବାଣୁ ବ୍ୟାସିଲସ ଗୋଷ୍ଟିର ଅନ୍ତର୍ଭୁକ୍ତ । ଏଣୁ ଏହି ଶକ୍ତିହୀନ ଟୀକାର ଜୀବାଣୁକୁ କ୍ୟାଲମେଟ୍ ଗ୍ୟାରିନ୍ ବ୍ୟାସିଲସ (Bacillus of Calmette and Guerin or B.C.G.) କୁହାଗଲା । ଫ୍ରନ୍ସରେ ୧୯୨୧ ମସିହାରେ ଏହାର ପ୍ରୟୋଗ ପରେ ଏହା ପ୍ରସିଦ୍ଧି ଲାଭ କଲା ଓ ଦ୍ୟିତୀୟ ବିଶ୍ଵଯୁଦ୍ଧ ପରେ ଆମେରିକା, ଇଂଲଣ୍ଡ ଓ ଜର୍ମାନୀରେ ପ୍ରୟୋଗ କରାହେଲା ।

୧୯୦୦ ଓ ୨୦୦୦ ଶତାବ୍ଦିରେ ଯକ୍ଷ୍ମା ସହରର ଗରିବ ଲୋକଙ୍କର ପ୍ରଧାନ ଜନ ସ୍ଵାସ୍ଥ୍ୟ ସମସ୍ୟା ରୁପେ ଉଭା ହୋଇଥିଲା । ୧୮୧୫ ମସିହାରେ ଇଂଲଣ୍ଡରେ ଚାରି ଜଣରେ ଜଣେ ଖାଦ୍ୟ ଯୋଗୁ ମରୁ ଥିଲେ । ଫ୍ରାନ୍ସରେ ୧୯୧୮ ମସିହାରେ ପ୍ରତି ୬ ଜଣରେ ଜଣେ ଯକ୍ଷ୍ମା ଯୋଗୁ ମରୁଥିଲେ । ୧୮୮୦ ମସିହାରେ ଏହା ଗୋଟିଏ ଡିଆଁ ରୋଗ ବୋଲି ଜଣାପଡିବା ପରେ ଇଂଲଣ୍ଡରେ ଏହା ସୂଚୀକୃତ ରୋଗ (Notifiable Disease) ହିସାବରେ ଗ୍ରହଣ କରାଗଲା । ତା ପରେ ଲୋକମାନଙ୍କୁ ଏଣେ ତେଣେ ଛେପ ଖଙ୍କାର ପକେଇବାକୁ ମନା କରାଗଲା । ଗରିବ ଲୋକମାନଙ୍କୁ ଜେଲ ସଦୃଶ ସାନାଟୋରିଅମରେ ରହିବାକୁ କୁହାଗଲା । ଧନୀମାନଙ୍କ ନିମନ୍ତେ ଅଲଗା ଉତ୍ତମ ସାନାଟୋରିଅମର ବନ୍ଦବୋସ୍ତ ଥିଲା । ମୁକ୍ତ ବାୟୁ ସେବନ, ଆଲୋକ ଆଦି ରୋଗୀମାନଙ୍କ ଦେହରେ ପ୍ରତିରୋଧ ସୃଷ୍ଟି କରିବାରେ ସକ୍ଷମ ହେଲା ଓ ଫଳ ସ୍ଵରୁପ ୫୦% ଲୋକ ୫ବର୍ଷ ପର୍ଯ୍ୟନ୍ତ ବଞ୍ଚି ପାରୁଥିଲେ ଓ ସମ ପରିମାଣ ଲୋକ ୫ବର୍ଷ ମଧ୍ୟରେ ମରି ଯାଉଥିଲେ ।(ସିର୍କା ୧୯୧୬)
ୟୁରୋପରେ ଯକ୍ଷ୍ମା ରୋଗୀ ସଂଖ୍ୟା ୧୬୦୦ ଶତାବ୍ଦିରେ ବଢି ଚାଲିଲା । ୧୮୦୦ ମସିହା ବେଳକୁ ସମୁଦାୟ ମୃତ୍ୟୁ ସଂଖ୍ୟାର ୨୫% କେବଳ ଯକ୍ଷ୍ମା ରୋଗ ଯୋଗୁ ହେଉଥିଲା । ୧୯୧୩ ମସିହା ବେଳକୁ ବ୍ରିଟେନରେ କେବଳ ଯକ୍ଷ୍ମା ନିମନ୍ତେ ମେଡିକାଲ୍ ରିସର୍ଚ୍ଚ କାଉନସିଲ ଗଠନ କରାଗଲା । ୧୯୫୦ ମସିହା ସୁଦ୍ଧା ଉପଯୁକ୍ତ ଜନ ସ୍ଵାସ୍ଥ୍ୟ ଶିକ୍ଷା ଯୋଗୁ ଉପଯୁକ୍ତ ଔଷଧ ଉଦ୍ଭାବନ ନ ହୋଇ ମଧ୍ୟ ମୃତ୍ୟୁ ହାର ୯୦% କମିଗଲା ।
ଆଣ୍ଟିବାୟୋଟକର ବିକାଶ ହେବା ପୂର୍ବରୁ ଗୁରୁତର ଫୁସଫୁସ ଯକ୍ଷ୍ମା ରୋଗୀମାନଙ୍କର ଫୁସଫୁସକୁ ଅପରେସନ୍ ଦ୍ଵାରା କଣା କରି ସଙ୍କୁଚିତ (Pneumothorax Technique ) କରିଦେଇ ବିଶ୍ରାମ ଦେଉଥିଲେ । ଫଳତଃ ରୋଗ ଉପଶମ ହେଉଥିଲା । ଆଜିକାଲି ଅପରେଶନ କ୍ଵଚିତ ହେଉଛି । ଫୁସଫୁସରେ ଫାଙ୍କା ସ୍ଥାନ() ରହିଲେ ଅପରେଶନ କରି ତାହାକୁ ବନ୍ଦ କରିଦିଆଯାଉଛି । ଫଳରେ ଜୀବାଣୁ ରକ୍ତାରେ ଥିବା ଆଣ୍ଟିବାୟୋଟିକ ସଂସ୍ପର୍ଷରେ ଆସି ମରିଯାଉଛନ୍ତି । ଔଷଧ ପ୍ରତିରୋଧକାରୀ ଜୀବାଣୁ ସୃଷ୍ଟି ହେବା ପରେ ପୁନଶ୍ଚ ଡବ୍ଲ୍ୟୁ.ଏଚ.ଓ. ଦ୍ଵାରା ସ୍ଵାସ୍ଥ୍ୟ୍ ଏମର୍ଜେନ୍ସି ଘୋଷଣା କରା ହୋଇଛି ।

ସମାଜ ଓ ଉତ୍କର୍ଷ[ସମ୍ପାଦନା]

ନିମ୍ନ ଓ ମଧ୍ୟ ଆମଦାନୀକାରି ଦେଶମାନଙ୍କ ନିମନ୍ତେ ଡବ୍ଲ୍ୟୁ.ଏଚ.ଓ. ଏବଂ ମେଲିନ୍ଡା ଗେଟ୍ସ ଫାଉଣ୍ଡେସନ ଦ୍ଵୟ ଏକ ନୂତନ ଅତି ଶୀଘ୍ର କାମ କରୁଥିବା ପରୀକ୍ଷା(Test)ନିମନ୍ତେ ଅର୍ଥ ସାହାଯ୍ୟ କରୁଛନ୍ତି । ୨୦୧୧ ମସିହାରେ ମଧ୍ୟ ଅନେକ ଗରିବ ଦେଶ କଫ ଖଙ୍କାର ପରୀକ୍ଷା ଦ୍ଵାରା ରୋଗ ନିର୍ଣ୍ଣୟ ନିମନ୍ତେ ଅଣୁବୀକ୍ଷଣ ଯନ୍ତ୍ର ଉପରେ ନିର୍ଭରଶୀଳ ।
୨୦୧୦ ମସିହାରେ ଭାରତରେ ପୃଥୀବିର ଅନ୍ୟ ସମସ୍ତ ଦେଶ ଅପେକ୍ଷା ଅଧିକ ଯକ୍ଷ୍ମା ରୋଗି ଥିଲେ । ଏହା କିଛି ପରିମାଣରେ ଘରୋଇ ସ୍ଵାସ୍ଥ୍ୟ ସେବାର ଅନୁପଯୁକ୍ତ ରୋଗୀ ଯତ୍ନ ଯୋଗୁ ହୋଇପାରେ । ଜନ ସ୍ଵାସ୍ଥ୍ୟ ସେବା ଅନ୍ତର୍ଗତ ଆର୍.ଏନ୍.ଟି.ସି.ପି ପ୍ରୋଗ୍ରାମ ଜରିଆରେ ରୋଗୀ ସଂଖ୍ୟା କମେଇବା ଚେଷ୍ଟା ଚାଲିଛି ।

ଗବେଷଣା[ସମ୍ପାଦନା]

ବି.ସି.ଜି. ଟୀକା ଅନେକ ସମୟରେ ଫଳପ୍ରଦ ନ ହେଉ ଥିବାରୁ ନୂଆ ଟୀକା ଉଦ୍ଭାବନ ନିମନ୍ତେ ଚେଷ୍ଟା ଚାଲିଛି । ଅନେକ ସମ୍ଭାବ୍ୟ ରୋଗୀମାନଙ୍କ ଦେହରେ ପ୍ରଥମ ଓ ଦ୍ଵିତୀୟ ସୋପାନର ପରୀକ୍ଷା ନିରିକ୍ଷା ଚାଲିଛି । ପ୍ରଚଳିତ ଟୀକାର ଉପାଦେୟତା ବୃଦ୍ଧି କରିବା ନିମନ୍ତେ ଦୁଇ ପ୍ରକାର ଚେଷ୍ଟା ଚାଲିଛି । ଗୋଟିଏ ପ୍ରଣାଳିରେ ପ୍ରଚଳିତ ଟୀକାରେ ନୂଆ କିଛି ଯୋଗ କରିବା ଉଦ୍ୟମ ଓ ଅନ୍ୟ ପ୍ରଣାଳିରେ ସଂମ୍ପୁର୍ଣ୍ଣ ନୂଆ ଟୀକା ବାହାର କରିବାର ଉଦ୍ୟମ ଚାଲିଛି । ଭାକ୍ସିନିଆ ଭାଇରସର ଜୀନ ପରିବର୍ତ୍ତନ କରି ଏମ୍.ଭି.ଏ.୮୫ ଏ ଟୀକା ପରୀକ୍ଷା ଚାଲିଛି । ଗୁପ୍ତ ଓ ସଚଳ ରୋଗରେ ଟୀକା କାମ କରିବା ଆଶା ରହିଛି ।
ଗବେଷକ ଓ ସମିକ୍ଷକମାନେ ବିଭିନ୍ନ ପୁରସ୍କାର, ଅର୍ଥ ସାହାଯ୍ୟ ଓ ବଜାର ସୃଷ୍ଟି ସୁଯୋଗ ଦେଇ ଏ ଦିଗରେ ଆଗେଇବା ଚେଷ୍ଟା କରୁଛନ୍ତି । ଗବେଷଣା ରତ ସଂସ୍ଥାମାନଙ୍କର ନାମ: ସ୍ଟପ ଟିବି ପାର୍ଟନରସିପ, ଏରାସ ଗ୍ଲୋବାଲ ଟିବି ଭାକସିନ୍ ଫାଉଣ୍ଡେସନ, ସାଉଥ ଆଫ୍ରିକାନ ଟିବି ଭାକସିନ ଇନିସିଏଟିଭ । ବିଲ୍ ଓ ଏଲିଣ୍ଡା ଗେଟ୍ସ ଫାଉଣ୍ଡେସନ ତରଫରୁ ଏରାଲ୍ ଗ୍ଲୋବାଲ୍ ଟିବି ଫାଉଣ୍ଡେସନକୁ ଅତ୍ୟଧିକ ଯକ୍ଷ୍ମା ପ୍ରବଣ ଦେଶମାନଙ୍କ ସକାଶେ ଉନ୍ନତ ଟୀକା ପ୍ରସ୍ତୁତ ନିମନ୍ତେ ୨୮୦ମିଲିଅନ୍ ୟୁ.ଏସ୍. ଡକାରରୁ ଅଧିକ ଅର୍ଥ ସାହାଯ୍ୟ କରାଯାଇଛି ।

ଅନ୍ୟ ପଶୁ ନିମନ୍ତେ[ସମ୍ପାଦନା]

ବଣୁଆ ପଶୁ ମାନଙ୍କଠାରେ ମାନବ ଯକ୍ଷ୍ମା କ୍ବଚିତ ଦେଖାଯାଏ । ନିଉଜିଲ୍ୟାଣ୍ଡର ଗୋ ପଶୁ ଓ ହରିଣ ପଶୁଙ୍କର ଯକ୍ଷ୍ମା ନିର୍ମୁଳ ନିମନ୍ତେ ଚେଷ୍ଟା ସଫଳ ହୋଇଛି କିନ୍ତୁ ଇଂଲଣ୍ଡରେ ଏହ ଫଳପ୍ରଦ ହୋଇପାରି ନାହିଁ ।

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

ଅଧିକ ତଥ୍ୟ[ସମ୍ପାଦନା]