ଜ୍ଞାନକୋଷ

ଉଇକିପିଡ଼ିଆ ରୁ

ମଣିଷ ତା'ନିଜ ଚାରିପଟକୁ ବୁଝିବା, ଜାଣିବା ପାଇଁ ସବୁବେଳେ କୌତୂହଳୀ । ଏଇ କୌତୂହଳରୁ ହିଁ ତା'ର ଜ୍ଞାନ ବଢ଼ିଚାଲିଛି । ସେ ଯେତେବେଳେ ଦଳବାନ୍ଧି ରହିବା ପାଇଁ ଆରମ୍ଭ କଲା, ନିଜ ନିଜ ଭିତରେ ଭାବର ଆଦାନ ପ୍ରଦାନ ପାଇଁ ବିଭିନ୍ନ ଶବ୍ଦ ଓ ସଙ୍କେ ତ ବ୍ୟବହାର କଲା ଏବଂ ଚାରିପାଖର ଜିନିଷକୁ ମନେ ରଖିବା ପାଇଁ ଗୋଟିଏ ଗୋଟିଏ ନାଁ ଦେଲା । ବିଭିନ୍ନ ଘଟଣା, ମନର ଭାବକୁ ବର୍ଣ୍ଣନ କରିବା ପାଇଁ ଅଧିକରୁ ଅଧିକ ଶବ୍ଦ ଦରକାର ହେଲା । ଏହିଭିଳି ଧୀରେ ଧୀରେ ଭାଷା ସୃଷ୍ଟି ହେଲା । ଆଦିମ ଅବସ୍ଥାରୁ ବିକଶିତ ହୋଇ ମଧ୍ୟଯୁଗରେ ମଣିଷର ଜ୍ଞାନ କଳା, କାରିଗରୀ, ଇତିହାସ, ଶରୀର ବିଜ୍ଞାନ, ରସାୟନ ଶାସ୍ତ୍ର, ଗଣିତ, ଜୀବ ବିଜ୍ଞାନ ଆଦି କେତେକ ନିର୍ଦ୍ଦିଷ୍ଟ ବିଷୟ ଭିତରେ ହିଁ ସୀମିତ ଥିଲା । ଏବେ କିନ୍ତୁ ତା'ର ଜ୍ଞାନର ପରିସୀମା ବହୁତ ବଢ଼ିଯାଇଛି । ପ୍ରତି ବିଭାଗ ଅନ୍ୟ ବିଭାଗ ସହ ଅଳ୍ପ ବହୁତ ଯୋଡ଼ା ହୋଇଛି । ତେଣୁ ଗୋଟିଏ ବିଷୟରେ ଜାଣିବାକୁ ହେଲେ ଅନ୍ୟ ବିଷୟରେ ବି କିଛିଟା ଧାରଣା ରହିବା ଜରୁରୀ । ବିଭିନ୍ନ ବିଷୟରେ ଊଣା ଅଧିକେ ଜଣାଇବା ପାଇଁ ଜ୍ଞାନକୋଷ ବା ଏନସାଇକ୍ଲୋପିଡ଼ିଆ ର ଜନ୍ମ । [୧]

ଜ୍ଞାନକୋଷର ଜନ୍ମ[ସମ୍ପାଦନା]

ପ୍ରାୟ ୨୦୦୦ ବର୍ଷ ତଳୁ ଜ୍ଞାନକୋଷ ରହିଛି । ସବୁଠାରୁ ପୁରୁଣା ଜ୍ଞାନକୋଷ ହେଉଛି ୭୭ ଖ୍ରୀଷ୍ଟାବ୍ଦରେ ପ୍ରକାଶିତ "ନାଚୁରାଲିସ ହିଷ୍ଟୋରିଆ' । ପ୍ଲିନୀ ନାମକ ଜଣେ ରୋମୀୟ ବୟୋଜ୍ୟେଷ୍ଠ ବ୍ୟକ୍ତି ଏହାର ପ୍ରସ୍ତୁତକର୍ତ୍ତା ଥିଲେ । ଏଥିରେ ପ୍ରାକୃତିକ ଇତିହାସ, କଳା ଏବଂ ପୃଥିବୀର ଅନ୍ୟାନ୍ୟ ବିଷୟ ଉପରେ ୩୭ଟି ଅଧ୍ୟାୟ ଥିଲା । ସେ ତାଙ୍କ ର ମୁଖବନ୍ଧରେ କହିଛନ୍ତି ଯେ ଏଥିରେ ୨୦୦ ଲେଖକଙ୍କ ର ୨୦୦୦ କାମରୁ ସେ ୮୦,୦୦୦ ତଥ୍ୟ ସଂଗ୍ରହ କରିଛନ୍ତି । ଏଥିରେ ସେ ତାଙ୍କ ନିଜ ଅନୁଭୂତିରୁ ମଧ୍ୟ କିଛି ଯୋଡ଼ିଛନ୍ତି । ୭୭-୭୯ ଖ୍ରୀଷ୍ଟାବ୍ଦ ଭିତରେ ଏହା ପ୍ରକାଶିତ ହୋଇଥିଲା । ୭୯ ମସିହାରେ ବିସୁଭିୟସ ଆଗ୍ନେୟଗିରି ଉଦଗିରଣ ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ବୋଧହୁଏ ସେ ସମୟ ଯାଏ ସେ ତାଙ୍କ କାମର ପ୍ରୁଫ୍ ସଂଶୋଧନ ଶେଷ କରିପାରି ନ ଥିଲେ ।

ଏହା ଆଗରୁ ମାକେଙଏଛାସ ଟେରେଣ୍ଟିଅସ ଭାରୋ ନାମକ ଜଣେ ବ୍ୟକ୍ତି ଏହିଭଳି ଗୋଟିଏ ପ୍ରଚେଷ୍ଟା କରିଥିଲେ । କିନ୍ତୁ ତାହା ସେତେ ଜଣାଶୁଣା ହୋଇପାରି ନ ଥିଲା । ପ୍ଲିନୀଙ୍କ ଏନସାଇକ୍ଲୋପିଡିଆ ରୋମରେ ବହୁତ ଲୋକପ୍ରିୟ ଥିଲା । ଏହାର ଅନେକଗୁଡ଼ିଏ ନକଲ କରାଯାଇ ପାଶ୍ଚାତ୍ୟ ଦେଶମାନଙ୍କ ରେ ପ୍ରସାର କରାଯାଇଥିଲା । ୧୪୭୦ ମସିହାରେ ପୁନଃ ପ୍ରକାଶିତ ହୋଇଥିବା ଅନେକଗୁଡ଼ିଏ ମୌଳିକ ପାଣ୍ଡୁଲିପି ଭିତରୁ ଏହା ଗୋଟିଏ । ରୋମର କଳା, କାରିଗରୀ, ଯାନ୍ତ୍ରିକୀ ଭଳି ଅନେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ପାଇଁ ଏହା ଅତି ଉପାଦେୟ ପୁସ୍ତକ ଥିଲା । ସେ ସମୟର ଲେଖକମାନଙ୍କ ଦ୍ଵାରା ଆଲୋଚିତ ହୋଇ ନ ଥିବା ଭେଷଜ ବିଜ୍ଞାନ, କଳା, ଖଣିଜ ବିଜ୍ଞାନ, ପ୍ରାଣିବିଜ୍ଞାନ, ଉଦ୍ଭିଦ ବିଜ୍ଞାନ, ଭୂବିଜ୍ଞାନ ଭଳି ଅନେକ ବିଷୟରେ ମଧ୍ୟ ଏଥିରେ ଆଲୋଚନା କରାଯାଇଥିଲା । ସେଭିଲାର ସନ୍ଥ ଇସିଦୋର ମଧ୍ୟଯୁଗର ଜଣେ ପ୍ରସିଦ୍ଧ ଜ୍ଞାନୀ ଥିଲେ । ଏନସାଇକ୍ଲୋପିଡିଆ ଏଟିମାଲୋଜିଆ ବା ଅରିଜିନର ପ୍ରସ୍ତୁତକର୍ତ୍ତା ଭାବରେ ସେ ବେଶ ଜଣାଶୁଣା । ଏହା ପ୍ରାୟ ୬୩୦ ମସିହା ବେଳକୁ ପ୍ରକାଶିତ ହୋଇଥିଲା । ସେ ସମୟରେ ଉପଲବ୍ଧ ଜ୍ଞାନର ଅଧିକାଂଶ ଭାଗକୁ ସେ ଏଥିରେ ଏକାଠି କରିଥିଲେ । ଏହି ଏନସାଇକ୍ଲୋପିଡିଆରେ ୨୦ଟି ଭାଗରେ ୪୪୮ଟି ଅଧ୍ୟାୟ ରହିଛି । ଏହାର ବିଶେଷତ୍ଵ ହେଉଛି ସେଥିରେ ଥିବା ଅନେକ ଲେଖକଙ୍କ ଲେଖା ଏବଂ ଉକ୍ତିର ଉଦ୍ଧୃତି । ଏଥିରେ ସଂଗୃହୀତ ହୋଇ ନ ଥିଲେ ବୋଧହୁଏ ସେଗୁଡ଼ିକ ବିଲୁପ୍ତ ହୋଇଯାଇଥା'ନ୍ତା । ସେହିଭଳି ୯୬୦ ମସିହା ବେଳକୁ ଅନେକ ମୁସଲମାନ ପଣ୍ଡିତ ମଧ୍ୟ ଏନସାଇକ୍ଲୋପିଡ଼ିଆ ପ୍ରସ୍ତୁତ କରିଥିଲେ ।

ଆଧୁନିକ ଯୁଗର ଜ୍ଞାନକୋଷ[ସମ୍ପାଦନା]

ଆଧୁନିକ ଯୁଗର ଏନସାଇକ୍ଲୋପିଡ଼ିଆ ଭିତରେ ରହିଛି ୧୭୨୮ ମସିହାରେ ପ୍ରକାଶିତ ଚାମ୍ବର୍ସ ସାଇକ୍ଲୋପିଡ଼ିଆ ଏବଂ ତା'ର ପ୍ରାୟ ୪୦ ବର୍ଷ ପରେ ପ୍ରକାଶ ପାଇଥବା ଏନସାଇକ୍ଲୋପିଡ଼ିଆ ବ୍ରିଟାନିକା । ଏଥିରେ ବିଷୟଗୁଡ଼ିକ ଅକ୍ଷର କ୍ରମରେ ରହିଛି ଏବଂ କେତେ ଜାଗାରେ ଗଭୀର ଭାବରେ ଆଲୋ ଚିତ ହୋଇ ଛି । ଏନସାଇକ୍ଲୋପିଡ଼ିଆ ବ୍ରିଟାନିକା ପ୍ରଥମେ ସ୍କଟଲ୍ୟାଣ୍ଡରୁ ପ୍ରକାଶିତ ହୋଇଥିଲା । ସେତେବେଳେ ଏହା ମାତ୍ର ୨୩୯୧ ପୃଷ୍ଠାର ତିନୋଟି ଭାଗ (A-B,C-L ଏବଂ M-Z) ରେ ରହିଥିଲା । ୧୭୭୭-୮୪ରେ ୧୦ଟି ଭାଗ ଏବଂ ୮୫୯୫ ପୃଷ୍ଠାର ଦ୍ଵିତୀୟ ସଂସ୍କରଣ ପ୍ରକାଶିତ ହୋଇଥିଲା । ୧୭୯୭ ମସିହାରେ ଏହାର ତୃତୀୟ ସଂସ୍କରଣ ପ୍ରକାଶିତ ହେଲା ବେଳକୁ ତାହା ବଢ଼ିଯାଇ ୧୮ ଭାଗ ହୋଇଥିଲା । ବିଭିନ୍ନ ପରିବର୍ତ୍ତନ ପରେ ୧୯୭୪ ମସିହାରେ ଏହାର ପଞ୍ଚଦଶ ସଂସ୍କରଣ ପ୍ରକାଶିତ ହୋଇଥିଲା । ଏହି ସଂସ୍କରଣଟି ୩୨ ଖଣ୍ଡରେ ପ୍ରାୟ ୩୨୦୦ ପୃଷ୍ଠାର ହୋଇଥିଲା । ଏହାକୁ ଲେଖିବାରେ ୧୩୧ଟି ଦେଶର ୪୦୦୦ ବିଶେଷଜ୍ଞ ଲାଗିଥିଲେ ।

୧୯୨୦ ଦଶକ ବେଳକୁ ଅନେକ ଲୋକପ୍ରିୟ ଏବଂ ଶିଶୁ ଏନସାଇକ୍ଲୋପିଡ଼ିଆ ପ୍ରକାଶିତ ହୋଇଥିଲା । ୧୯୫୦-୬୦ ଦଶକ ବେଳକୁ ଆମରେିକାରେ ଅନେକ ଲୋକପ୍ରିୟ ଏନସାଇକ୍ଲୋପିଡିଆ ପ୍ରକାଶିତ ହେଲା ଏବଂ ଏଗୁଡ଼ିକ କିସ୍ତି ଆକାରରେ କିଣିବାର ସୁଯୋଗ ସୃଷ୍ଟି କରାଗଲା । ଏଗୁଡ଼ିକ ଭିତରେ ମୁଖ୍ୟ ଥିଲା ୱାର୍ଲଡ ବୁକ, ଫଙ୍କ ଏବଂ ୱାଗନଲସ ଆଦି ।

ଭାରତରେ ଜ୍ଞାନକୋଷ[ସମ୍ପାଦନା]

ପରାଧୀନ ଭାରତରେ ଇଂରେଜ ସରକାର ଜ୍ଞାନକୋଷ ପ୍ରସ୍ତୁତି ଦିଗରେ କୌଣସି ଆଗ୍ରହ ପ୍ରକାଶ କରି ନ ଥିଲେ । ସେତେବେଳେର ଶିକ୍ଷିତ ଲୋକେ ବି ଭାବୁଥିଲେ ଯେ କୌଣସି ଭାରତୀୟ ଭାଷାରେ ବିଜ୍ଞାନ ସମ୍ବନ୍ଧୀୟ ଲେଖା ଲେଖିବା ସମ୍ଭବ ନୁହେଁ । କିନ୍ତୁ ଊନବିଂଶ ଶତାବ୍ଦୀର ଶେଷ ବେଳକୁ ବଙ୍ଗ ପ୍ରଦେଶର ନଗେନ୍ଦ୍ର ନାଥ ବସୁ ଏ ଦିଗରେ ପ୍ରଚେଷ୍ଟା ଆରମ୍ଭ କରିଥିଲେ । ନିଜର କଠୋର ପରିଶ୍ରମ ଓ ମନୋବଳକୁ ନେଇ ଏକା ଏକା ବଙ୍ଗଳା ବିଶ୍ଵକୋଷ ଲେଖିବାରେ ଲାଗି ପଡ଼ିଥିଲେ । ଏହା ୧୯୧୧ ମସିହାରେ ୨୨ ଖଣ୍ଡରେ ପ୍ରକାଶିତ ହୋଇଥିଲା । ପରେ ଏହାର ହିନ୍ଦୀ ଅନୁବାଦ ବି କରାଯାଇଥିଲା । ଏହାପରେ ମରାଠୀ ଭାଷାରେ ଏନସାଇକ୍ଲୋପିଡ଼ିଆ ପ୍ରସ୍ତୁତ କରାଯାଇଥିଲା ।

ଓଡ଼ିଆ ଜ୍ଞାନକୋଷ[ସମ୍ପାଦନା]

ଆହୁରି ଦେଖନ୍ତୁ: ଜ୍ଞାନମଣ୍ଡଳ

ବିଂଶ ଶତାବ୍ଦୀର ତୃତୀୟ ଦଶକ ବେଳକୁ ଲାଲା ମାଧବ ଲାଲ ଓଡ଼ିଆ ଭାଷାରେ ଏହିଭଳି ଗୋଟିଏ ତଥ୍ୟ ସମ୍ବଳିତ ପୁସ୍ତକ ପ୍ରସ୍ତୁତ କରିଥିଲେ ଏବଂ ଏହାର ନାଁ ରଖିଥିଲେ ବିବିଧ ସଂଗ୍ରହ । ଏଥିରେ ବିଷୟଗୁଡିକ ଅକ୍ଷରକ୍ରମରେ ନ ଥିଲା ବା କୌଣସି ନିର୍ଦ୍ଦିଷ୍ଟ କ୍ରମରେ ମଧ୍ୟ ନ ଥିଲା । ତେଣୁ ପ୍ରକୃତ ଅର୍ଥରେ ଏହାକୁ ଗୋଟିଏ ଜ୍ଞାନକୋଷ କୁହାଯାଇ ପାରିବନାହିଁ । ଏହାପରେ ଭାଗୀରଥି ମହାପାତ୍ର, ଲାଲା ନଗେନ୍ଦ୍ରକୁମାର ରାୟ ଏବଂ ଅକ୍ଷୟକୁମାର ଚକ୍ରବର୍ତ୍ତୀ ଯଥାକ୍ରମେ ରତ୍ନକୋଷ, ବିବିଧରତ୍ନ ସଂଗ୍ରହ ଏବଂ ବିବିଧସାର ସଂଗ୍ରହ ସଙ୍କଳନ କରିଥିଲେ । ଏସବୁ ଗୋଟିଏ ଗୋଟିଏ ଖଣ୍ଡରେ ପ୍ରକାଶିତ ହୋଇଥିଲା । ଏଭିତରୁ ଲାଲା ନଗେନ୍ଦ୍ରକୁମାରଙ୍କ ପୁସ୍ତକଟି ସବୁଠାରୁ ଅଧିକ ବ୍ୟବସ୍ଥିତ ଥିଲା ।

୧୯୩୦ ଦଶକରେ ପ୍ରକାଶିତ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ ଏକ ବିଶାଳ ଅଭିଧାନ ଥିଲା । ସାତ ଖଣ୍ଡରେ ପ୍ରକାଶିତ ପ୍ରାୟ ୧୦,୦୦୦ ପୃଷ୍ଠାର ଏହି ଭାଷାକୋଷରେ ୧,୮୫,୦୦୦ ଶବ୍ଦ ରହିଛି । ଏଭିତରୁ ଅନେକ ଶବ୍ଦର ବେଶ ଲମ୍ବା ବ୍ୟାଖ୍ୟା ରହିଛି । ତେଣୁ ଏହା କେବଳ ଗୋଟିଏ ସାଧାରଣ ଅଭିଧାନ ବା ଭାଷାକୋଷ ନଥିଲା । ସେଥିରେ କିଛି ସଂକ୍ଷିପ୍ତ ଓ ବିସ୍ତୃତ ରଚନା ରହିଥିଲା ଯାହା ତାକୁ ଏକ ଜ୍ଞାନକୋଷର ମାନ୍ୟତା ଦେଇପାରିବ ।

ବାଳକୃଷ୍ଣ କରଙ୍କ ଶିଶୁସଙ୍ଖ।ଳି ଓଡ଼ିଆ ଭାଷାରେ ପ୍ରଥମ ଯୋଜନାବଦ୍ଧ ଜ୍ଞାନକୋଷ । ୧୯୩୨ ମସିହା ବେଳକୁ ଏହାର ପରିକଳ୍ପନା କରାଯାଇଥିଲା । ଦଶବର୍ଷର କାମ ପରେ ୧୯୪୧ ମସିହାରେ ତାହାର ପ୍ରଥମ ଖଣ୍ଡ - ବିଚିତ୍ର ଜୀବଜଗତ - ପ୍ରକାଶ ପାଇଥିଲା । ବର୍ଷକ ପରେ ଦ୍ଵିତୀୟ ଖଣ୍ଡ - ବିଚିତ୍ର ଇତିହାସ -ପ୍ରକାଶିତ ହେଲା । ତିନି-ଚାରି ବର୍ଷ ଭିତରେ ବିଚିତ୍ର ବିଶ୍ଵ, ବିଚିତ୍ର ବିଜ୍ଞାନ, ବିଚିତ୍ର ଉଦ୍ଭାବନ, ବିଚିତ୍ର ଦେଶ, ବିଚିତ୍ର ଶିଳ୍ପ, ବିଚିତ୍ର ଭାରତ ନାମରେ ଅନ୍ୟ ଖଣ୍ଡମାନ ପ୍ରକାଶ ପାଇବାର ଯୋଜନା ରହିଥିଲା । କିନ୍ତୁ ଅନେକ ଅସୁବିଧା ଯୋଗୁଁ ତାହା ବନ୍ଦ ରହିଲା । ୧୯୫୭ ମସିହାରେ ଶିଶୁସଙ୍ଖ।ଳିର ପୁନରୁଦ୍ଧାର କରି ବିଜ୍ଞାନ ବିଷୟକ ସଂଖ୍ୟାଗୁଡ଼ିକ ପ୍ରଥମେ ବାହାର କରିବାର ଚେଷ୍ଟା କରାଗଲା । ଏହି କ୍ରମରେ ବିଚିତ୍ର ଜୀବଜଗତର ପୁନଃପ୍ରକାଶନ ସହିତ ବିଚିତ୍ର ବିଶ୍ଵ ପ୍ରକାଶିତ ହେଲା । କିନ୍ତୁ ଯୋଜନାଟି ଆଉ ଆଗେଇ ନପାରି ସବୁଦିନ ପାଇଁ ଅପୂର୍ଣ୍ଣ ରହିଗଲା । ଏହା ମୁଖ୍ୟତଃ ଶିଶୁ ଓ କିଶୋରମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବାରୁ ବିଷୟଭିତ୍ତିକ କରାଯାଇଥିଲା । ସରଳ ଭାଷା, ମନଛୁଆଁ ବର୍ଣ୍ଣନା ଏବଂ ବେଶ କିଛି ସାଦା ଓ ରଙ୍ଗିନ ଚିତ୍ର ଥିଲା ଶିଶୁସଙ୍ଖ।ଳିର ବିଶେଷତା । ଏହାର ଅପ୍ରକାଶିତ ପାଞ୍ଚଖଣ୍ଡଯାକ ପ୍ରକାଶ ପାଇଥିଲେ ଶିଶୁ ଓ କିଶୋର ସାହିତ୍ୟ ପାଇଁ ଏକ ଅମୂଲ୍ୟ ସମ୍ପଦ ହୋଇଥା'ନ୍ତା ସେଥିରେ ସନ୍ଦେହ ନାହିଁ ।

ଏହାପରେ ୧୯୫୦ ଦଶକରେ ଉତ୍କଳ ବିଶ୍ଵବିଦ୍ୟାଳୟ ଦ୍ଵାରା ଜ୍ଞାନକୋଷ ପ୍ରସ୍ତୁତି କାମ ଆରମ୍ଭ ହୋଇଥିଲା । ବଡ଼ ଧରଣର ଜ୍ଞାନକୋଷ ସଂକଳନ ଯଦିଓ ଏହାର ଲକ୍ଷ୍ୟ ଥିଲା ତାହା ପୂରଣ ହୋଇପାରିଲା ନାହିଁ । ଶେଷରେ ୧୯୬୩ ମସିହା ବେଳକୁ ୪ଟି ଭାଗରେ ୩୨୦୦ ପୃଷ୍ଠାର ସଂକ୍ଷିପ୍ତ ଓଡ଼ିଆ ଜ୍ଞାନକୋଷର ପ୍ରକାଶନ ସହିତ ଯୋଜନାଟି ବନ୍ଦ ହୋଇଗଲା । ସେହି ସମୟରେ, ୧୯୬୨ ମସିହାରେ, ରାମକୃଷ୍ଣ ନନ୍ଦଙ୍କର ଏକକ ଉଦ୍ୟମର ଫ ଳ ୮୪୦ ପୃଷ୍ଠାର ବିଶ୍ଵ ପରିଚୟ ପ୍ରକାଶ ପାଇଲା । ଏକ ସଂକ୍ଷିପ୍ତ ଜ୍ଞାନକୋଷ ଭାବରେ ଏହା ବେଶ ପ୍ରଶଂସନୀୟ ।

ଆଧାର[ସମ୍ପାଦନା]

  1. http://www.orissabigyanacademy.nic.in/pdf/June-2012-SH.pdf Monthly Odia magazine "Bigyan Diganta"(June,2012 ) * Content Copied using OR-TTsarala2UNICODE CONVERTER

ଅଧିକ ତଥ୍ୟ[ସମ୍ପାଦନା]