ଆଲୋକ

ଉଇକିପିଡ଼ିଆ ରୁ

ଆଲୋକ ଏକ ପ୍ରକାରର ଶକ୍ତି ଅଟେ । ଏହା ଆମ ଆଖି ବାରି ପାରୁଥିବା ବିଦ୍ୟୁତ୍-ଚୁମ୍ବକୀୟ ତରଙ୍ଗ ଅଟେ । ପଦାର୍ଥ ବିଜ୍ଞାନରେ ଅନେକ ସମୟରେ ଏହା ଉଭୟ ଦୃଶ୍ୟ ଓ ଅଦୃଶ୍ୟ ବିଦ୍ୟୁତ୍-ଚୁମ୍ବକୀୟ ତରଙ୍ଗକୁ ବୁଝାଇଥାଏ । ଆଲୋକ କ୍ଷୁଦ୍ର ଗୁଚ୍ଛ ଆକାରରେ ବିଦ୍ୟମାନ ଥାଏ । ଏହା ଉଭୟ ତରଙ୍ଗ ଓ ପଦାର୍ଥର ଗୁଣ ପ୍ରଦର୍ଶନ କରିଥାଏ । ଆଲୋକବିଜ୍ଞାନ ଅଧୁନା ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ ଗବେଷଣା ଅଟେ ।

The Sun ପୃଥିବୀରେ ଆଲୋକର ଏକ ପ୍ରଧାନ ଉତ୍ସ ହେଉଛି ସୂର୍ଯ୍ୟ କିରଣ

ତୀବ୍ରତା, ବାରମ୍ବାରତା, ତରଙ୍ଗଦୈର୍ଘ୍ୟ ଇତ୍ୟାଦି ଆଲୋକର ମୁଖ୍ୟ ଗୁଣ ଅଟନ୍ତି ।

ଆଲୋକର ଗତି[ସମ୍ପାଦନା]

ଶୂନ୍ୟରେ, ଯଦି କୌଣସି କଣିକା ବାଧା ନ ଦିଅନ୍ତି, ଆଲୋକ ୨୯୯,୭୯୨,୪୫୮ ମିଟର୍, ବା ହାରାହାରି ୧୮୬,୨୮୨ ମାଇଲ୍ ପ୍ରତି ସେକେଣ୍ଡରେ ଗତି କରେ । ଅତଏବ ଆଲୋକ ସୂର୍ଯ୍ୟ ନିକଟରୁ ପୃଥିବୀକୁ ଆସିବାକୁ ୮ ମିନିଟ୍ ସମୟ ନିଏ । କାଚରେ ଗତି ଦୁଇ ତୃତୀୟାଂଶ ହୋଇଯାଏ ।

ଆଲୋକ ସରଳରେଖାରେ ଗତି କରେ, ବାଧାପ୍ରାପ୍ତ ହେଲେ ଛାୟା ସୃଷ୍ଟି କରେ । କଠିନ ବସ୍ତୁ ଗାଢ‍ ଛାୟା ତିଆରି କରେ ଏବଂ ସ୍ୱଚ୍ଛ ବସ୍ତୁ କ୍ଷୀଣ କିମ୍ବା ଆଦୌ ଛାୟା ସୃଷ୍ଟି କରି ନଥାଏ । ସ୍ୱଚ୍ଛ ବସ୍ତୁ ମଧ୍ୟ ଦେଇ ଆଲୋକ ଅକ୍ଳେଶରେ ଗତି କରିଥାଏ । ଆମେ ଯେତେବେଳେ କୌଣସି ବସ୍ତୁକୁ ଦେଖିଥାଉ, ଆମେ ସେ ବସ୍ତୁ ତ୍ୟାଗ କରୁଥିବା କିମ୍ବା ପ୍ରତିଫଳିତ କରୁଥିବା ଆଲୋକକୁ ଦେଖିଥାଉ । ଦୃଷ୍ଟାନ୍ତ ସ୍ୱରୂପ, ବତୀ ଆଲୋକ ପ୍ରଦାନ କରେ ଓ କୋଠରୀର ଅନ୍ୟ ସମସ୍ତ ବସ୍ତୁ ଏହି ଆଲୋକ ପ୍ରତିଫଳନ କରେ ।

ଆଲୋକ ବର୍ଣ୍ଣାଳି[ସମ୍ପାଦନା]

Electromagnetic spectrum with light highlighted

ଆଲୋକର ପ୍ରତ୍ୟେକ ରଙ୍ଗର ପୃଥକ ତରଙ୍ଗଦୈର୍ଘ୍ୟ ଥାଏ । ତରଙ୍ଗଦୈର୍ଘ୍ୟ ଯେତେ କମ୍ ହୁଏ, ଆଲୋକର ଶକ୍ତି ସେତେ ଅଧିକ ହୁଏ । ଆଲୋକର ଗତି ଓ ଶକ୍ତି ମଧ୍ୟରେ କୌଣସି ସମ୍ପର୍କ ନାହିଁ । ଅର୍ଦ୍ଧସ୍ୱଚ୍ଛ ବସ୍ତୁ ମଧ୍ୟ ଦେଇ ଗଲାବେଳେ ଗତି ସାମାନ୍ୟ କମି ଯାଇଥାଏ ।

ଶ୍ୱେତବର୍ଣ ଆଲୋକ ବିଭିନ୍ନ ରଙ୍ଗର ଆଲୋକକୁ ନେଇ ଗଠିତ ଅଟେ । ପ୍ରିଜିମ୍ ମଧ୍ୟ ଦେଇ ଶ୍ୱେତବର୍ଣ ଆଲୋକ ଗତି କରାଇଲେ ଏହା ବିଭିନ୍ନ ରଙ୍ଗରେ ପରିବର୍ତ୍ତିତ ହୋଇ ଏକ ବର୍ଣାଳୀ ସୃଷ୍ଟି କରେ। ଏହି ବର୍ଣାଳୀରେ ଆମେ ଦେଖି ପାରୁଥିବା ସମସ୍ତ ତରଙ୍ଗଦୈର୍ଘ୍ୟର ଆଲୋକ ଥାଏ । ଲୋହିତର ସର୍ବାଧିକ ଓ ବାଇଗଣିର ସର୍ବନିମ୍ନ ତରଙ୍ଗଦୈର୍ଘ୍ୟ ଥାଏ ।

ବାଇଗଣି ଠାରୁ କମ୍ ତରଙ୍ଗଦୈର୍ଘ୍ୟ ବିଶିଷ୍ଟ ଆଲୋକକୁ ଅତିବାଇଗଣି କୁହାଯାଏ । ଏକ୍ସ୍-ରଶ୍ମି ଓ ଗାମା ରଶ୍ମିର ଅତିବାଇଗଣି ଠାରୁ ମଧ୍ୟ କମ୍ ତରଙ୍ଗଦୈର୍ଘ୍ୟ ଥାଏ । ଲୋହିତ ଠାରୁ ଅଧିକ ତରଙ୍ଗଦୈର୍ଘ୍ୟ ବିଶିଷ୍ଟ ଆଲୋକକୁ ଅବଲୋହିତ କୁହାଯାଏ । ରେଡିଓ ତରଙ୍ଗ ମାନଙ୍କର ତରଙ୍ଗଦୈର୍ଘ୍ୟ ଅବଲୋହିତ ଠାରୁ ମଧ୍ୟ ଅଧିକ ଥାଏ । ମାଇକ୍ରୋୱେଭ୍ ଓଭେନ୍‌ରେ ଖାଦ୍ୟ ଗରମ କରିବା ପାଇଁ ବ୍ୟବହୃତ ତରଙ୍ଗ ମଧ୍ୟ ଏକ ପ୍ରକାରର ବିଦ୍ୟତ୍-ଚୁମ୍ବକୀୟ ତରଙ୍ଗ । ଆମ ଆଖି ଏପରି ଶକ୍ତିକୁ ଦେଖିପାରେ ନାହିଁ, କିନ୍ତୁ କିଛି କ୍ୟାମେରା ଏହାକୁ ଦେଖିପାରେ । ବିଦ୍ୟୁତ୍-ଚୁମ୍ବକୀୟ ବର୍ଣାଳୀରେ ଉଭୟ ଦୃଶ୍ୟମାନ ଓ ଅଦୃଶ୍ୟ ଆଲୋକ ଥାଏ ।

ବର୍ଷାଜଳରେ ପ୍ରତିସରିତ ହୋଇ ଆଲୋକ ଇନ୍ଦ୍ରଧନୁ ସୃଷ୍ଟି କରେ । ବର୍ଷାଜଳ ପ୍ରିଜିମ୍ ପରି କାମ କରେ ଓ ଶ୍ୱେତବର୍ଣର ଆଲୋକକୁ ପ୍ରତିସରିତ କରି ବର୍ଣାଳୀର ରଙ୍ଗସମୂହ ପ୍ରଦର୍ଶିତ କରେ ।

Linear visible spectrum.svg

ଆଲୋକ ସଂକ୍ରାନ୍ତୀୟ ଐତିହାସିକ ମତବାଦ[ସମ୍ପାଦନା]

ପ୍ରାଚୀନ ଭାରତୀୟ ମତବାଦ[ସମ୍ପାଦନା]

ପ୍ରାଚୀନ ଗ୍ରୀକ ମତବାଦ[ସମ୍ପାଦନା]

ଆଲୋକର ତରଙ୍ଗ ରୂପ[ସମ୍ପାଦନା]

ଥମାସ୍ ୟଙ୍ଗ୍‌ଙ୍କ ଦ୍ଵାରା ୟଙ୍ଗଙ୍କ ଦୁଇଟି-ପାତ ପରୀକ୍ଷା. ୟଙ୍ଗ୍‌ ଏହି ପରୀକ୍ଷା ଦ୍ଵାରା ଆଲୋକର ତରଙ୍ଗାୟିତ ଗତି ସମ୍ପର୍କରେ ତାଙ୍କ ମତବାଦକୁ ପ୍ରମାଣ କରିଥିଲେ ।

ଆଲୋକ ହେଉଛି ଶକ୍ତିର ଏକ ପ୍ରବାହା ଶକ୍ତିର ପ୍ରବାହକୁ ତରଙ୍ଗ କୁହାଯାଏ । ତେଣୁ ଆଲୋକକୁ ଏକ ତରଙ୍ଗ କହିବା ଯୁକ୍ତିଯୁକ୍ତ । ତେବେ ସାର୍ ଆଇଜାକ୍ ନିଉଟନ୍ ବିଶ୍ଵାସ କରୁଥିଲେ ଯେ ଆଲୋକ କେତେକ କଣିକାକୁ ନେଇ ଗଠିତ । ଦର୍ପଣ ଉପରେ ଆଲୋକ ପଡ଼ିଲେ ପ୍ରତିଫଳିତ (Reflection ) ହେବା ଓ ବାୟୁ ମାଧ୍ୟମରୁ କାଚ ମାଧ୍ୟମକୁ ଆଲୋକ ପ୍ରବେଶ କଲେ ବଙ୍କେଇ ଯିବା (ପ୍ରତିସରଣ - Reflection) ଭଳି ଆଲୋକୀୟ ପରିଘଟଣାଗୁଡ଼ିକୁ ମଧ୍ୟ ନିଉଟନ୍ ବୁଝେଇ ପାରିଲ । ଆଲୋକ ଉପରେ ନିଉଟନ୍‌ଙ୍କର ଗୁରୁତ୍ତ୍ଵପୂର୍ଣ୍ଣ ଗବେଷଣା ବିଷୟରେ ତାଙ୍କର "ଅପ୍‌ଟିକ୍ସ' (Optiks ) ପୁସ୍ତକରେ ସେ ଲେଖିଛନ୍ତି । ନିଉଟନ୍‌ଙ୍କର ସମସାମୟିକ ପଦାର୍ଥ ବିଜ୍ଞାନୀ ଖ୍ରୀଷ୍ଟିଆନ୍ ହାଇଜେନ୍‌ସ୍ (Christiaan Huygens ) କିନ୍ତୁ ଆଲୋକକୁ ଭିନ୍ନ ରୂପରେ ଦେଖୁଥିଲ । ସେ ଆଲୋକକୁ ତରଙ୍ଗ ବୋଲି କହୁଥିଲେ । ସେ ଭାବୁଥିଲେ ଯେ ଶବ୍ଦ ଭଳି ଆଲୋକ ଏକ ଯାନ୍ତ୍ରିକ ତରଙ୍ଗ, ଯାହାକି ଇଥର୍ (Ether ) ମାଧ୍ୟମରେ ପ୍ରବାହିତ ହୋଇଥାଏ । କିନ୍ତୁ, ସେତେବେଳେ ନିଉଟନ୍‌ଙ୍କ କଥାକୁ ଲୋକେ ଗୁରୁତ୍ଵ ଦେଉଥିଲେ । ପ୍ରାୟ ୧୦୦ ବର୍ଷ ପରେ ବୈଜ୍ଞାନିକ ଥମାସ୍ ୟଙ୍ଗ୍ (Thomas Young ) ନିଜର ଗୁରୁତ୍ବପୂର୍ଣ୍ଣ ଦ୍ଵି-ରେଖାଛିଦ୍ର (Double-Slit ) ପରୀକ୍ଷା ମାଧ୍ୟମରେ ପ୍ରମାଣ କରିଦେଲେ ଯେ ଆଲୋକ ଏକ ତରଙ୍ଗ ।[୧]

ଆଲୋକର କଣିକା ରୂପ - ଫୋଟନ୍[ସମ୍ପାଦନା]

ପ୍ରଥମରୁ ଆଲୋକକୁ କେବଳ ତରଙ୍ଗ ବୋଲି କୁହାଯାଉଥିଲା । ମାତ୍ର କେତେଗୁଡ଼ିଏ ପରିସ୍ଥିତିରେ ଆଲୋକର ତରଙ୍ଗ ଗୁଣ ଆମକୁ ସନ୍ତୁଷ୍ଟ କରିପାରିଲା ନାହିଁ । ସେମିତିକା ଏକ ପରିଘଟଣା ହେଉଛି "ଆଲୋକ-ବିଦ୍ୟୁତ୍ ପ୍ରଭାବ" (Photoelectric Effect ) । ୧୯୦୦ ମସିହାରେ ଜର୍ମାନୀର ପଦାର୍ଥ ବିଜ୍ଞାନୀ ଫିଲିପ୍ ଏଡୁଆର୍ଡ୍ ଏଣ୍ଟନ୍ ଲେନାର୍ଡ (Philipp Eduard Anton Lenard ) ଜାଣିବାକୁ ପାଇଲେ ଯେ କୌଣସି ଧାତବପୃଷ୍ଠ ଉପରେ ନୀଳ ଓ ବାଇଗଣୀ ପ୍ରଭୃତି ରଙ୍ଗର ଆଲୋକ ପଡ଼ିଲେ ଧାତବପୃଷ୍ଠରୁ ଇଲେକ୍‌ଟ୍ରୋନ୍ କଣିକାମାନ ବାହାରକୁ ବାହାରି ଆସୁଛନ୍ତି । ଏହାକୁ "ଆଲୋକ-ବିଦ୍ୟୁତ୍ ପ୍ରଭାବ" କୁହାଗଲା । ଅବଶ୍ୟ ୧୩ ବର୍ଷ ପୂର୍ବରୁ ୧୮୮୭ ମସିହାରେ ଜର୍ମାନୀର ପଦାର୍ଥ ବିଜ୍ଞାନୀ ହେନେରିକ୍ ରୁଡୋଲ୍‌ଫ୍ ହର୍ଜ୍ (Heinrich Rudolf Hertz ) ଏଭଳି ପରିଘଟଣା ପ୍ରଥମେ ଲକ୍ଷ୍ୟ କରିଥିଲେ । ସେ ସମୟରେ ଆଲୋକର ତରଙ୍ଗୀୟ ଗୁଣ ଉପରେ ବୈଜ୍ଞାନିକମାନେ ବିଶ୍ଵାସ କରୁଥିଲେ, ଯାହାକି ଏହି ପରିଘଟଣାକୁ ସଫଳତାର ସହିତ ବୁଝେଇ ପାରିଲା ନାହିାଁ ବରଂ ଆଲୋକର କଣିକା ରୂପ ଦ୍ଵାରା ଆଇନ୍‌ଷ୍ଟାଇନ୍ ଏହାର ସଫଳ ବ୍ୟାଖ୍ୟା କରିପାରିଥିଲେ । ୧୯୦୫ ମସିହାରେ "ଆଲୋକ-ବିଦ୍ୟୁତ୍ ପ୍ରଭାବ'କୁ ବୁଝାଇବାକୁ ଯାଇ ଆଇନ୍‌ଷ୍ଟାଇନ୍ ସ୍ପଷ୍ଟ କରିଦେଲେ ଯେ, ଆଲୋକ ଏଠାରେ ତରଙ୍ଗ ପରି ନୁହଁ ବରଂ କଣିକା ପରି ବ୍ୟବହାର କରେ ।[୧]

କ୍ଵାଣ୍ଟମ ମତବାଦ[ସମ୍ପାଦନା]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ କମଳକାନ୍ତ ଜେନା (ସେପ୍ଟେମ୍ବର ୨୦୧୨). "ଆଲୋକକଣିକା - ଫୋଟୋନ୍". ବିଜ୍ଞାନ ଦିଗନ୍ତ ୯ମ ସଂଖ୍ୟା: ୧୨. 

ଅନ୍ୟ ୱେବ୍‌ସାଇଟ୍[ସମ୍ପାଦନା]