ଶେଖ ମୁଜିବୁର ରହମାନ

ଉଇକିପିଡ଼ିଆ‌ରୁ

ଶେଖ ମୁଜିବୁର ରହମାନ (ବଙ୍ଗାଳୀ: শেখ মুজিবুর রহমান; ୧୭ ମାର୍ଚ୍ଚ ୧୯୨୦ - ୧୫ ଅଗଷ୍ଟ ୧୯୭୫) ଜଣେ ବଙ୍ଗଳାଦେଶୀୟ ରାଜନୈତିଜ୍ଞ ତଥା ଜାତୀୟ ନେତା ଥିଲେ । ତାଙ୍କୁ ବଙ୍ଗଳାଦେଶରେ "ଜାତିର ପିତା" ଓ "ବଙ୍ଗବନ୍ଧୁ" ଉପାଧିରେ ଭୁଷିତ କରାଯାଇଛି । ସେ ବଙ୍ଗଳାଦେଶର ପ୍ରଥମ ରାଷ୍ଟ୍ରପତି ଭାବରେ ଏବଂ ପରେ ୧୭ ଏପ୍ରିଲ ୧୯୭୧ରୁ ୧୫ ଅଗଷ୍ଟ ୧୯୭୫ରେ ତାଙ୍କର ହତ୍ୟାକାଣ୍ଡ ପର୍ଯ୍ୟନ୍ତ ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ସେ ୧୯୪୯ ମସିହାରେ ପାକିସ୍ତାନର ପୂର୍ବ ପାକିସ୍ତାନ ଭିତ୍ତିକ ରାଜନୈତିକ ଦଳ ଆୱାମୀ ଲିଗର ଅଗ୍ରଣୀ ନେତା ଭାବେ ଉଭା ହୋଇଥିଲେ । ତାଙ୍କୁ ବଙ୍ଗଳାଦେଶର ସ୍ୱାଧୀନତା ପାଇଁ ମୁଖ୍ୟ ପ୍ରେରଣା ବୋଲି ବିବେଚନା କରାଯାଏ । ସେ ୧୯୭୧ ମସିହାରେ ବଙ୍ଗଳାଦେଶ ମୁକ୍ତି ଆନ୍ଦୋଳନ ଏବଂ ବଙ୍ଗଳାଦେଶ ମୁକ୍ତି ଯୁଦ୍ଧର କେନ୍ଦ୍ରୀୟ ବ୍ୟକ୍ତିତ୍ୱ ଥିଲେ । ତାଙ୍କ ଝିଅ ଶେଖ ହସିନା ଆୱାମୀ ଲିଗର ବର୍ତ୍ତମାନର ନେତା ତଥା ବଙ୍ଗଳାଦେଶର ପ୍ରଧାନମନ୍ତ୍ରୀ ଅଟନ୍ତି ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ମୁଜିବଙ୍କ ୧୯୫୦ ଦଶକରେ

ମୁଜିବ ବ୍ରିଟିଶ ଭାରତର ବଙ୍ଗ ପ୍ରଦେଶର ଗୋପାଳଗଞ୍ଜ ଜିଲ୍ଲାର ଟୁଙ୍ଗିପାରାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାମାତାଙ୍କ ନାମ ଶେଖ ଲୁଥଫୁର ରହମାନ ଏବଂ ତାଙ୍କ ପତ୍ନୀ ଶେଖ ସାୟେରା ଖାତୁନର । ତାଙ୍କ ପିତା ଗୋପାଳଗଞ୍ଜ ସିଭିଲ କୋର୍ଟର ସେରେସ୍ତାଦର (କୋର୍ଟ କିରାଣୀ) ପଦବୀରେ ଚାକିରି କରୁଥିଲେ । ଚାରି ଭଉଣି ଓ ଦୁଇ ଭାଇଙ୍କ ମଧ୍ୟରେ ମୁଜିବ୍ ତୃତୀୟ ସନ୍ତାନ ଥିଲେ ।

୧୯୨୯ ମସିହାରେ, ମୁଜିବ୍ ଗୋପାଳଗଞ୍ଜ ପବ୍ଲିକ ସ୍କୁଲରେ ତୃତୀୟ ଶ୍ରେଣୀରେ ନାମ ଲେଖେଇଥିଲେ ଏବଂ ଦୁଇ ବର୍ଷ ପରେ ମଦାରିପୁର ଇସଲାମିଆ ହାଇସ୍କୁଲରେ ଚତୁର୍ଥ ଶ୍ରେଣୀରେ ପ୍ରବେଶ କରିଥିଲେ । ୧୯୩୪ ମସିହାରେ ତାଙ୍କର ଆଖିରେ ଏକ ଅସ୍ତ୍ରୋପଚାର ହୋଇଥିଲା ଓ ସେଥିପାଇଁ ସେ ଚାରି ବର୍ଷ ପାଇଁ ସ୍କୁଲରୁ ବୀରତି ନେଇଥିଲେ ।

ସେ ୧୯୪୨ ମସିହାରେ ଗୋପାଳଗଞ୍ଜ ମିଶନାରୀ ସ୍କୁଲରୁ ମାଟ୍ରିକ୍ୟୁଲଶନ, ୧୯୪୪ ମସିହାରେ ଇସଲାମିଆ କଲେଜ (ବର୍ତ୍ତମାନର ମୌଲାନା ଆଜାଦ କଲେଜ)ର ମଧ୍ୟବର୍ତ୍ତୀ କଳା ଏବଂ ୧୯୪୭ ମସିହାରେ ବି.ଏ. ଡିଗ୍ରୀ ହାସଲ କରିଥିଲେ । ଭାରତ ବିଭାଜନ ପରେ ସେ ନିଜକୁ ଢାକା ବିଶ୍ୱବିଦ୍ୟାଳୟରେ ଆଇନ ଅଧ୍ୟୟନ ପାଇଁ ନାମ ଲେଖେଇଥିଲେ । ୧୯୪୯ ମସିହାର ପ୍ରାରମ୍ଭରେ ଏକ ବିଶ୍ୱବିଦ୍ୟାଳୟ କର୍ମଚାରୀଙ୍କ ଆନ୍ଦୋଳନର ନେତୃତ୍ୱ ନେଇଥିବା ହେତୁ ବିଶ୍ୱବିଦ୍ୟାଳୟରୁ ବହିଷ୍କୃତ ହୋଇଥିଲେ । [୧]

ରାଜନୈତିକ ଜୀବନ[ସମ୍ପାଦନା]

ଭାରତ ବିଭାଜନ ପରେ ମୁଜିବ ପାକିସ୍ତାନରେ ରହିବାକୁ ବାଛିଥିଲେ । ସେ ଏହି ପ୍ରଦେଶର ଜଣେ ପ୍ରମୁଖ ଛାତ୍ର ରାଜନୈତିକ ନେତା ଭବେ ପରିଚିତ ହୋଇଥିଲେ । ଏହି ସମୟରେ, ମୁଜିବ ସମାଜବାଦ ପ୍ରତି ଆକର୍ଷିତ ହୋଇଥିଲେ ।

ଜାନୁୟାରୀ ୧୯୫୦ ମସୀହାରେ, ପାକିସ୍ତାନର ପ୍ରଧାନମନ୍ତ୍ରୀ ଲିଆକତ ଅଲି ଖାନଙ୍କ ପୂର୍ବ ପାକିସ୍ଥାନରେ ଗସ୍ତ ଅବସରରେ ଆୱାମୀ ମୁସଲିମ ଲିଗ ଢାକାରେ ଦୁର୍ଭିକ୍ଷ ବିରୋଧୀ ଶୋଭାଯାତ୍ରା କରିଥିଲେ ଏବଂ ଏହି ଶୋଭାଯାତ୍ରାରେ ତାଙ୍କ ନେତୃତ୍ୱ ହେତୁ ତାଙ୍କୁ ଗିରଫ କରାଯାଇଥିଲା । ତାଙ୍କୁ ଦୁଇ ବର୍ଷ କାରାଗାରରେ ରଖାଯାଇଥିଲା । ୨୬ ଜାନୁଆରୀ ୧୯୫୨ରେ, ପାକିସ୍ତାନର ପ୍ରଧାନମନ୍ତ୍ରୀ ଖ୍ୱାଜା ନାଜିମୁଦ୍ଦିନ ଘୋଷଣା କରିଥିଲେ ଯେ ଉର୍ଦ୍ଦୁ ପାକିସ୍ତାନର ଏକମାତ୍ର ସରକାରୀ ଭାଷା ହେବ । ଏହି ଘୋଷଣା ପରେ ଜେଲରେ ଥିବା ସତ୍ତ୍ବେ ବିରୋଧର ଆୟୋଜନରେ ମୁଜିବ ଏକ ବିଶେଷ ଭୂମିକା ଗ୍ରହଣ କରିଥିଲେ । ସେ ଜେଲରୁ ନିର୍ଦ୍ଦେଶ ଜାରି କରି ରାଜ୍ୟ ବଙ୍ଗଳା ଭାଷା ଆନ୍ଦୋଳନର ମାର୍ଗଦର୍ଶନ କରିଥିଲେ । ଏହା ପରେ ୨୧ ଫେବୃଆରୀ ରାଜ୍ୟ ଭାଷା ପାଇଁ ସ୍ୱୀକୃତି ଦିବସ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନିଆଗଲା | ଏଥି ସହିତ ମୁଜିବ ୧୪ ଫେବୃଆରୀରେ ଜେଲରୁ ଉପବାସ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ । ତାଙ୍କର ଉପବାସ ୧୩ ଦିନ ଧରି ଚାଲିଥିଲା । ଫେବୃଆରୀ ୨୬ରେ ତାଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା ।[୨]

ସେ ପାକିସ୍ତାନର ୧୯୫୫ରେ ଦ୍ୱିତୀୟ ସମ୍ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୧୯୫୮ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ୧୯୫୬ ମସିହାରେ ମୁଜିବ ଏକ ମିଳିତ ସରକାରରେ ଶିଳ୍ପ, ବାଣିଜ୍ୟ, ଶ୍ରମ, ଦୁର୍ନୀତି ନିବାରଣ ତଥା ଗ୍ରାମ ସହାୟତା ମନ୍ତ୍ରୀ ଭାବରେ ପ୍ରବେଶ କରିଥିଲେ । ୧୯୫୭ ମସିହାରେ ଦଳର ସଂଗଠନ ପାଇଁ ପୂର୍ଣ୍ଣକାଳୀନ କାର୍ଯ୍ୟ କରିବାକୁ ଇସ୍ତଫା ଦେଇଥିଲେ । ୧୯୫୮ ମସିହାରେ ଜେନେରାଲ ଆୟୁବ ଖାନ ସମ୍ବିଧାନକୁ ସ୍ଥଗିତ ରଖିଥିଲେ ଏବଂ ସାମରିକ ଆଇନ ପ୍ରଣୟନ କରିଥିଲେ । ଏହାର ପ୍ରତିରୋଧର ସଂଗଠନ ପାଇଁ ମୁଜିବଙ୍କୁ ଗିରଫ କରାଯାଇ ୧୯୬୧ ପର୍ଯ୍ୟନ୍ତ କାରାଗାରରେ ରଖାଯାଇଥିଲା । ମୁକ୍ତ ହେବା ପରେ ମୁଜିବ ଆୟୁବ ଖାନଙ୍କ ଶାସନକୁ ବିରୋଧ କରିବା ପାଇଁ ଛାତ୍ର ନେତାଙ୍କୁ ନେଇ ସ୍ୱାଧୀନ ବଙ୍ଗଳା ବିପ୍ଲବୀ ପରିଷଦ ନାମକ ଏକ ଗୁପ୍ତ ରାଜନୈତିକ ସଂଗଠନ ସୃଷ୍ଠି କରିଥିଲେ । ବଙ୍ଗୀୟମାନଙ୍କ ପାଇଁ ରାଜନୈତିକ ଶକ୍ତି ବୃଦ୍ଧି ଏବଂ ପୂର୍ବ ପାକିସ୍ଥାନର ସ୍ୱାଧୀନତା ପାଇଁ ସେମାନେ କାର୍ଯ୍ୟ କରିଥିଲେ । ଏଥି ପାଇଁ ତାଙ୍କୁ ୧୯୬୨ ମସିହାରେ ପୁନର୍ବାର ଗିରଫ କରାଯାଇଥିଲା ।

ବଙ୍ଗଳାଦେଶର ପ୍ରତିଷ୍ଠା[ସମ୍ପାଦନା]

ଡିସେମ୍ବର ୧୯୭୦ରେ ଅନୁଷ୍ଠିତ ପାକିସ୍ତାନ ସାଧାରଣ ନିର୍ବାଚନରେ ମୁଜିବଙ୍କ ନେତୃତ୍ୱରେ ଆୱାମୀ ଲିଗ୍ ପ୍ରାଦେଶିକ ବିଧାନ ସଭାରେ ବହୁ ସଂଖ୍ୟାରେ ଜିତିଥିଲା ଏବଂ ପାକିସ୍ତାନର ନୂତନ ଜାତୀୟ ସଂସଦରେ ପୂର୍ବ ପାକିସ୍ତାନର ଦୁଇଟି ଆସନ ବ୍ୟତୀତ ଅନ୍ୟ ସମସ୍ତ ଆସନ ଜିତି ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା । ପାକିସ୍ତାନୀ ସାମରିକ ନେତୃତ୍ୱ ଏବଂ ଅଧିକାଂଶ ଇସଲାମୀୟ ରାଜନୈତିକ ଦଳ ମୁଜିବଙ୍କୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବାର ବିରୋଧ କରିଥିଲେ । ରାଷ୍ଟ୍ରପତି ୟାହ୍ୟା ଖାନ ଜାତୀୟ ସଂସଦ ଡାକରାକୁ ବିଳମ୍ବ କରିଥିଲେ । ଏହି ପଦକ୍ଷେପ ଯାହାକି ବଙ୍ଗୀୟମାନଙ୍କୁ ଉତ୍ତେଜିତ କରିଥିଲା । ୭ ମାର୍ଚ୍ଚ ୧୯୭୧ରେ ମୁଜିବ ସ୍ୱାଧୀନତା ପାଇଁ ଆହ୍ୱାନ ଦେଇଥିଲେ ଏବଂ ଢାକାର ରେସ କୋର୍ସ ଗ୍ରାଉଣ୍ଡରେ ଆୟୋଜିତ ଏକ ଜନସମାବେଶରେ ନାଗରିକ ଅସହୋଯୋଗ ଅଭିଯାନ ଆରମ୍ଭ କରିବାକୁ ତଥା ଲୋକଙ୍କୁ ସଶସ୍ତ୍ର ପ୍ରତିରୋଧର ଆୟୋଜନ କରିବାକୁ କହିଥିଲେ ।[୩]

ଶୃଙ୍ଖଳା ଫେରାଇ ଆଣିବା ପାଇଁ ୟାହ୍ୟା ଖାନ ସାମରିକ ଆଇନ ଘୋଷଣା କରିଥିଲେ, ଆୱାମୀ ଲିଗକୁ ନିଷିଦ୍ଧ କରିଥିଲେ ଏବଂ ମୁଜିବ ଏବଂ ଅନ୍ୟ ବଙ୍ଗୀୟ ନେତା ତଥା କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରିବାକୁ ପାକିସ୍ତାନୀ ସେନାକୁ ନିର୍ଦ୍ଦେଶ ଦେଇଥିଲେ । ମଧ୍ୟରାତ୍ରି ପରେ ମୁଜିବଙ୍କୁ ଗିରଫ କରାଯାଇ ପଶ୍ଚିମ ପାକିସ୍ଥାନକୁ ନିଆଯାଇଥିଲା । ଶୃଙ୍ଖଳା ଫେରାଇ ଆଣିବା ପାଇଁ ସେନାର ଅଭିଯାନ ଖୁବ୍ ଶୀଘ୍ର ଆତଙ୍କ ଏବଂ ରକ୍ତପାତରେ ପରିଣତ ହୋଇଥିଲା ।

ପୂର୍ବ ବଙ୍ଗୀୟ ସେନା ଏବଂ ପୋଲିସ୍ ରେଜିମେଣ୍ଟ ଏହି ରକ୍ତପାତ ବିରୋଧରେ ବିଦ୍ରୋହ କଲେ । ଆୱାମି ଲିଗ୍ ରାଜନେତା ତଥା ମୁଜିବଙ୍କ ସହକର୍ମୀ ତାଜୁଦ୍ଦିନ ଅହମ୍ମଦଙ୍କ ଅଧୀନରେ କୋଲକାତାରେ ନିର୍ବାସିତ ଲିଗ୍ ନେତାମାନେ ଏକ ସରକାର ଗଠନ କଲେ । ଡିସେମ୍ବରରେ ଭାରତୀୟ ହସ୍ତକ୍ଷେପ ପରେ, ୧୯୭୧ର ଭାରତ-ପାକିସ୍ତାନୀ ଯୁଦ୍ଧ ପରେ ପାକିସ୍ତାନୀ ସେନା ବଙ୍ଗାଳୀ ମୁକ୍ତି ବାହିନୀ ଏବଂ ଭାରତୀୟ ସେନାର ମିଳିତ ବାହିନୀ ସମକ୍ଷ୍ୟରେ ଆତ୍ମସମର୍ପଣ କଲା । ୟାହ୍ୟା ଖାନଙ୍କ ଇସ୍ତଫା ପରେ ଜୁଲଫିକର ଅଲି ଭୁଟ୍ଟୋ ରାଷ୍ଟ୍ରପତି ପଦ ଗ୍ରହଣ କଲେ ଓ ଅନ୍ତର୍ଜାତୀୟ ଚାପରେ ମୁଜିବଙ୍କୁ ମୁକ୍ତ କରିଥିଲେ । ମୁଜିବ ଢାକା ପ୍ରତ୍ୟାବର୍ତ୍ତନ ପରେ ରାଷ୍ଟ୍ରପତି ଭାବେ ଏକ ସଂକ୍ଷିପ୍ତ କାର୍ଯକାଳ ପରେ ପରେ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟଭାର ଗ୍ରହଣ କଲେ ।[୩]

ହତ୍ୟାକାଣ୍ଡ[ସମ୍ପାଦନା]

ମୁଜିବଙ୍କ ସମାଧି

୧୯୭୫ ମସିହା ଅଗଷ୍ଟ ମାସ ୧୫ ତାରିଖରେ, ଅଧସ୍ତନ ସେନା ଅଧିକାରୀଙ୍କ ଏକ ଦଳ ଟ୍ୟାଙ୍କ ସାହାଯ୍ୟରେ ରାଷ୍ଟ୍ରପତିଙ୍କ ବାସଭବନ ଉପରେ ଆକ୍ରମଣ କରି ମୁଜିବ, ତାଙ୍କ ପରିବାର ଏବଂ ବ୍ୟକ୍ତିଗତ କର୍ମଚାରୀଙ୍କୁ ହତ୍ୟା କରିଥିଲେ । ସେହି ସମୟରେ ପଶ୍ଚିମ ଜର୍ମାନୀ ଗସ୍ତରେ ଆସିଥିବା ତାଙ୍କ ଝିଅ ଶେଖ ହସିନା ଏବଂ ଶେଖ ରେହାନା ବର୍ତ୍ତି ଯାଇଥିଲେ । ଅସନ୍ତୁଷ୍ଟ ଆୱାମୀ ଲିଗ୍ ସହକର୍ମୀ ତଥା ସାମରିକ ଅଧିକାରୀଙ୍କଦ୍ୱାରା ଆକ୍ରମଣ ଯୋଜନା କରାଯାଇଥିଲା, ଯେଉଁଥିରେ ମୁଜିବଙ୍କ ସହକର୍ମୀ ତଥା ପୂର୍ବତନ ବିଶ୍ୱାସୀ ଖୋଣ୍ଡେକର ମୋସ୍ତାକ୍ ଅହମ୍ମଦ ଜଡ଼ିତ ଥିଲେ ।[୪]

ଆଧାର[ସମ୍ପାଦନା]

  1. Maprayil, C. (2001). Bangabandhu Sheikh Mujibur Rahman: The Founding Father of Bangladesh. Reliance Publishing House. ISBN 978-81-7510-121-0. Retrieved 2020-11-22.
  2. Rahman, Dr. Atiur. "The lighthouse of Bengali mentality - The Asian Age Online, Bangladesh". The Asian Age. Retrieved 2020-11-22.
  3. ୩.୦ ୩.୧ "Welcome to Bangladesh Awami League - Sheikh Hasina's call to expedite fall of 'failed, corrupt' rule". albd.org. 2006-04-26. Archived from the original on 2006-04-26. Retrieved 2020-11-22.
  4. "Breaking & Latest News from Bangladesh". The Daily Star Archive. 2005-08-15. Retrieved 2020-11-22.