ଚନ୍ଦ୍ରିକା କୁମାରତୁଙ୍ଗା
ଚନ୍ଦ୍ରିକା ବନ୍ଦରନାଇକେ କୁମାରତୁଙ୍ଗା (ସିଂହଳୀ: චන්ද්රිකා බණ්ඩාරනායක Tam, ତାମିଲ: சந்திரிகா பண்டாரநாயக்க குமாரதுங்க; ଜନ୍ମ ୨୯ ଜୁନ୍ ୧୯୪୫) ବା ଚନ୍ଦ୍ରିକା କୁମାରତୁଙ୍ଗା ଜଣେ ଶ୍ରୀଲଙ୍କା ରାଜନେତ୍ରୀ ଯିଏକି ୧୨ ନଭେମ୍ବର ୧୯୯୪ରୁ ୧୯ ନଭେମ୍ବର ୨୦୦୫ ପର୍ଯ୍ୟନ୍ତ ଶ୍ରୀଲଙ୍କାର ପଞ୍ଚମ ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିଥିଲେ । ଅଦ୍ୟାବଧି ଶ୍ରୀଲଙ୍କାର ଏକମାତ୍ର ମହିଳା ରାଷ୍ଟ୍ରପତି କୁମାରତୁଙ୍ଗା ହେଉଛନ୍ତି ଦୁଇଜଣ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଝିଅ ଏବଂ ସେ ୨୦୦୫ ଶେଷ ପର୍ଯ୍ୟନ୍ତ ଶ୍ରୀଲଙ୍କା ଫ୍ରିଡମ୍ ପାର୍ଟି (SLFP)ର ନେତା ଥିଲେ ।[୧]
ଆଦ୍ୟ ଜୀବନୀ
[ସମ୍ପାଦନା]ଚନ୍ଦ୍ରିକା କୁମାରତୁଙ୍ଗା ୨୯ ଜୁନ୍ ୧୯୪୫ରେ କଲମ୍ବୋସ୍ଥିତ ଗୁଇଡଫୋର୍ଡ କ୍ରେସେଣ୍ଟର ୱେଣ୍ଟୱର୍ଥରେ, ପିତା ସୋଲୋମନ ୱେଷ୍ଟ ରିଜୱେ ଡାଏସ୍ ବନ୍ଦରନାଇକେ ଏବଂ ମାତା ସିରିମା ରାଟୱାଟ ଡିଆସ୍ ବନ୍ଦରନାଇକେଙ୍କ କନ୍ୟା ଭାବେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଏସ୍. ଡବ୍ଲୁ. ଆର.ଡି ବନ୍ଦରନାଇକେ ଅକସଫୋର୍ଡ ବିଶ୍ୱବିଦ୍ୟାଲୟରୁ ବାରିଷ୍ଟର ଭାବେ ଶିକ୍ଷାଲାଭ କରିଥିଲେ । ଚନ୍ଦ୍ରିକାଙ୍କ ଜନ୍ମ ବେଳକୁ ସେ ସ୍ଥାନୀୟ ପ୍ରଶାସନରେ ସେ ଜନେ ମନ୍ତ୍ରୀ ଥିଲେ । ସେ ଜଣେ ଜାତୀୟତାବାଦୀ ତଥା ବାମପନ୍ଥୀ ରାଜନେତା, ଯିଏ କି 'ସିଂହଳ ମହାସଭା' ଭାବରେ ଜଣାଶୁଣା ଏକ ଦଳ ଗଠନ କରିଥିଲେ । ସେ ମହା ମୁଦଲିୟର୍, ସିଲୋନର ମୁଖ୍ୟ ପ୍ରତିନିଧୀ ତଥା ସିଲୋନ୍ ରାଜ୍ୟପାଳଙ୍କ ପରାମର୍ଶଦାତା ସାର୍ ସୋଲୋମନ ଡିଆସ୍ ବନ୍ଦରନାଇକେଙ୍କ ଏକମାତ୍ର ପୁତ୍ର ଥିଲେ ।
ଯୁବା ଚନ୍ଦ୍ରିକା ତାଙ୍କ ପିତାଙ୍କ ନିର୍ବାଚନ ମଣ୍ଡଳୀ ଆସନ ହୋରାଗୋଲା ୱାଲାୱାଙ୍କ ତଥା କଲମ୍ବୋର ରୋଜମିଡ୍ ପ୍ଲେସରେ ଥିବା ତାଙ୍କ ମହଲରେ ଧନୀ ବନ୍ଦରନାଇକେ ପରିବାରର ଖୁବ୍ ଆରାମରେ ବଢିଥିଲେ । ତାଙ୍କର ପ୍ରାରମ୍ଭିକ ବର୍ଷଗୁଡ଼ିକରେ ତାଙ୍କ ପିତାଙ୍କ ରାଜନୈତିକ କ୍ୟାରିୟରର ଉତଥାନ ଘଟିଥିଲା ଯେତେବେଳେ ସେ ୧୯୪୮ ମସିହାରେ ସିଲୋନ୍ ସ୍ୱାଧୀନତା ଲାଭ କରିବାପରେ ସେ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ଲାଭ କରିଥିଲେ । ତେବେ ଏହା ପରେ ପରେ ସେ ଶାସକ ଦଳରୁ ନାଟକୀୟ ଭାବେ ବିଦାୟ ନେଇ ସିଂହଳ ମହାସଭାର ତାଙ୍କର ଅନୁଗାମୀମାନଙ୍କୁ ନେଇ ୧୯୫୧ ମସିହାରେ ଶ୍ରୀଲଙ୍କା ଫ୍ରିଡମ୍ ପାର୍ଟି (SLFP) ଗଠନ କରିଥିଲେ । ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ସହିତ ନିଜ ଦଳ 'SLFP'କୁ ମଜବୁତ କରିବା ମଧ୍ୟରେ ସେ ୧୯୫୨ରେ ବିରୋଧୀ ଦଳର ନେତା ଏବଂ ୧୯୫୬ରେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ହୋଇଥିଲେ । ପ୍ରଧାନମନ୍ତ୍ରୀ ଭାବରେ ସେ ଅନେକ ବିବାଦୀୟ ଆଇନ ପ୍ରଣୟନ କରିଥିଲେ ଯାହାଦ୍ୱାରା ଶ୍ରୀଲଙ୍କାରେ ଜାତିଆଣ ଦଙ୍ଗା ସୃଷ୍ଟି ହୋଇଥିଲା ଏବଂ ୧୯୫୯ ମସିହାରେ, ଯେତେବେଲେ କି ଚନ୍ଦ୍ରିକାଙ୍କୁ ଚଉଦ ବର୍ଷ ବୟସ, ତାଙ୍କୁ ତାଙ୍କୁ ହତ୍ୟା କରାଯାଇଥିଲା । ହତ୍ୟା ପରେ ବନ୍ଦରନାଇକେଙ୍କ ଦୁଃଖୀ ବିଧବା ମାତା SLFPର ନେତୃତ୍ୱ ନେଇଥିଲେ ଏବଂ ଏହାକୁ ନିର୍ବାଚନରେ ବିଜୟୀ କରାଇ ୧୯୬୦ମସିହାରେ ବିଶ୍ୱର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହୋଇପାରିଥିଲେ । ଏହିପରି ଭାବେ ଚନ୍ଦ୍ରିକା ନିଜ ଭାଇଭଉଣୀଙ୍କ ସହ ଖୁବ କମ୍ ବୟସରୁ ରାଜନୀତିରେ ଜଡ଼ିତ ଥିଲେ । ସେ ପରିବାରର ତିନି ପିଲାଙ୍କ ମଧ୍ୟରୁ ଦ୍ୱିତୀୟ ଥିଲେ । ତାଙ୍କ ବଡ଼ ଭଉଣୀ ସୁନେତ୍ରା ବନ୍ଦରନାଇକେ ଜଣେ ସମାଜସେବୀ ଥିଲେ ଏବଂ ସାନଭାଇ ଅନୁରା ବନ୍ଦରନାଇକେ ସକ୍ରିୟ ରାଜନୀତିରେ ଯୋଗ ଦେଇଥିଲେ ।
ଶିକ୍ଷା
[ସମ୍ପାଦନା]ଚନ୍ଦ୍ରିକା କଲମ୍ବୋସ୍ଥିତ ସେଇଣ୍ଟ ବ୍ରିଜେଟ କନଭେଣ୍ଟରେ ଶିକ୍ଷାଲାଭ କରିଥିଲେ ଏବଂ ଆଇନ ଡିଗ୍ରୀ ପାଈବା ପାଇଁ କଲମ୍ବୋର ରୋମାନ କ୍ୟାଥୋଲିକ ଆକ୍ୱିନସ ୟୁନିଭରସିଟି ମହାବିଦ୍ୟାଳୟରେ ନାମ ଲେଖାଇଥିଲେ । ଅବଶ୍ୟ, ୧୯୬୭ ମସିହାରେ ଆଇନ ଅଧ୍ୟୟନ ସମାପ୍ତ ନକରି ସେ ଫ୍ରେଞ୍ଚ ଷ୍ଟଡିଜ୍ ଇନଷ୍ଟିଚ୍ୟୁଟରୁ ଛାତ୍ରବୃତ୍ତିପାଇ ଫ୍ରାନ୍ସକୁ ଚାଲିଯାଇଥିଲେ । ସେଠାରେ ସେ ଫ୍ରେଞ୍ଚ ଭାଷା ଏବଂ ସଂସ୍କୃତିର ଏକ ପାଠ୍ୟକ୍ରମ ଅଧ୍ୟୟନ କରି ଇନଷ୍ଟିଚ୍ୟୁଟ୍ ଡି’ଟୁଡସ୍ ପଲିଟିକ୍ସ ଡି’ଆକ୍ସ-ଏନ୍-ପ୍ରୋଭେନ୍ସରେ ଏକ ବର୍ଷ ବିତାଇଲେ । ୧୯୬୮ ମସିହାରେ ସେ ରାଜନୀତି ବିଜ୍ଞାନରେ ଡିପ୍ଲୋମା ହାସଲ କରିବା ପରେ ସେ ୧୯୭୦ରେ ଇନଷ୍ଟିଚ୍ୟୁଟ୍ ଡି’ଟୁଡେସ୍ ପଲିଟିକ୍ସ ଡି ପ୍ୟାରିସ୍ (ସାଇନ୍ସ ପ୍ରୋ) ଅଧ୍ୟୟନ କରିବାକୁ ଯାଇଥିଲେ ଏବଂ ପରେ ବିକାଶ-ଅର୍ଥଶାସ୍ତ୍ରରେ ପିଏଚଡି କାର୍ଯ୍ୟକ୍ରମରେ ପ୍ୟାରିସରେ ନାମ ଲେଖାଇଥିଲେ, ଯେଉଁଠାରେ ସେ ୧୯୭୦ରୁ ୧୯୭୩ ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ [୨]। ସିଂହଳ, ଇଂରାଜୀ ଏବଂ ଫରାସୀ ଭାଷାରେ ତାଙ୍କର ଭଲ ଦକ୍ଷତା ରହିଥିଲା ।
ରାଜନୈତିକ ଜୀବନ
[ସମ୍ପାଦନା]ସେ ୧୯୭୨ ମସିହାରେ ସିଲୋନକୁ ଫେରିଥିଲେ, ଯେଉଁଠାରେ ତାଙ୍କ ମା ୧୯୭୦ରେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ସମାଜବାଦୀ ସଂସ୍କାରର ଏକ ବ୍ୟାପକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ଏବଂ ୧୯୭୧ ମସିହାରେ ଏକ ହିଂସାତ୍ମକ କମ୍ୟୁନିଷ୍ଟ ବିଦ୍ରୋହର ସମ୍ମୁଖୀନ ହୋଇଥିଲେ । ଫେରିବା ପରେ ସେ ନାମ ଲେଖାଇଲେ ଏବଂ SLFPରେ ସକ୍ରିୟ ହେଲେ ଯାହା ତାଙ୍କ ପିତାଙ୍କଦ୍ୱାରା ପ୍ରତିଷ୍ଠିତ ହୋଇଥିଲା ଏବଂ ବର୍ତ୍ତମାନ ତାଙ୍କ ମାଙ୍କଦ୍ୱାରା ପରିଚାଳିତ ହୋଇଥିଲା । ୧୯୭୪ରେ, ସେ ଏହାର ମହିଳା ଗୋଷ୍ଠୀର ଏକ କାର୍ଯ୍ୟନିର୍ବାହୀ କମିଟି ସଦସ୍ୟ ହୋଇଥିଲେ ।
ସେ ଜମି ସଂସ୍କାର ଆୟୋଗ (LRC)ରେ ଅତିରିକ୍ତ ପ୍ରିନ୍ସିପାଲ୍ ଡାଇରେକ୍ଟର ଭାବରେ ନିଯୁକ୍ତ ହୋଇଥିଲେ ଯାହାକି ଜମି ସଂସ୍କାର ଆଇନ ଅନୁଯାୟୀ ରାଜ୍ୟକୁ ପ୍ରାୟ 228,000 ହେକ୍ଟର ବେସରକାରୀ ଜମି ଅଧିଗ୍ରହଣ କରିଥିଲା, ଯାହା ଘରୋଇ ମାଲିକାନା ଉପରେ କୋଡ଼ିଏ ହେକ୍ଟର ଛାତ ଲଗାଇଥିଲା। 1976ରେ LRC ଛାଡି ସେ ଜନୱାସା ଆୟୋଗର ଚେୟାରମ୍ୟାନ୍ ହୋଇଥିଲେ, ଯାହାକି LRCଦ୍ୱାରା ପ୍ରାପ୍ତ ଜମିରୁ ସାମୂହିକ ଚାଷ ପ୍ରତିଷ୍ଠା କରିଥିଲେ | 1977 ସାଧାରଣ ନିର୍ବାଚନରେ ତାଙ୍କ ମାତା SLFP ସରକାରଙ୍କ ପରାଜୟ ପରେ ସେ ସରକାରୀ ସେବା ଛାଡି 1979 ପର୍ଯ୍ୟନ୍ତ ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନର ପରାମର୍ଶଦାତା ଭାବରେ କାର୍ଯ୍ୟ କରିଥିଲେ।
ପ୍ରଧାନମନ୍ତ୍ରୀତ୍ୱ
[ସମ୍ପାଦନା]୧୯୯୪ରେ ସାଧାରଣ ନିର୍ବାଚନ ପାଇଁ ଡାକରା ଆସିବା ସହ ସେ ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପିପୁଲ୍ସ ଆଲାଇନ୍ସ ନାମକ ଏକ ମିଳିତ ମଞ୍ଚ ଗଠନ କରୁଥିବା SLFPର କାମଚଳା ନେତା ହୋଇଥିଲେ । ନିର୍ବାଚନରେ ଚନ୍ଦ୍ରିକା ଅଗଷ୍ଟ ୧୯୯୪ରେ ଗମ୍ପାହା ଜିଲ୍ଲାରୁ ସଂସଦକୁ ନିର୍ବାଚିତ ହୋଇଥିଲେ । ସିଲୋନ୍ ୱାର୍କର୍ସ କଂଗ୍ରେସର ସମର୍ଥନ ହାସଲ କରି ସଂସଦରେ ଏକକ ସଂଖ୍ୟାଗରିଷ୍ଠତା ହାସଲ କରି ପ୍ୟୁପିଲସ୍ ଏଲାଏନସ୍ (PA) ଯେଉଁ ସରକାର ଗଠନ କରିଥିଲା ସେଥିରେ ଚନ୍ଦ୍ରିକା ୧୯ ଅଗଷ୍ଟ ୧୯୯୪ରେ ପ୍ରଧାନମନ୍ତ୍ରୀ ହୋଇଥିଲେ । ସେ ମଧ୍ୟ SLFPର ନେତା ଭାବରେ ତାଙ୍କ ମାଙ୍କ ଉତ୍ତରାଧିକାରୀ ହୋଇଥିଲେ । ଏହାର କିଛି ସମୟ ପରେ ନଭେମ୍ବରରେ ରାଷ୍ଟ୍ରପତି ନିର୍ବାଚନ ଡକାଯାଇଥିଲା ।
ରାଷ୍ଟ୍ରପତି (ପ୍ରଥମ ପାଳି)
[ସମ୍ପାଦନା]ପ୍ୟୁପିଲସ ଏଲାଏନସ (PA)ଦ୍ୱାରା ସମର୍ଥିତ ପ୍ରଧାନମନ୍ତ୍ରୀ କୁମାରତୁଙ୍ଗା ୟୁଏନପି ସମର୍ଥିତ ବିରୋଧୀ ଦଳର ନେତା ଗାମିନୀ ଦିଶାନାୟାକେଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ତେବେ ଖୁବ୍ ଶୀଘ୍ର ଡିସାନାଇକେଙ୍କୁ LTTE ଆତ୍ମଘାତୀ ବିସ୍ଫୋରଣରେ ହତ୍ୟା କରାଯାଇଥିଲା ଏବଂ ତାଙ୍କ ବିଧବା ପତ୍ନୀ ଶ୍ରୀମା ଦିସାନାୟାକେ ତାଙ୍କ ନାମାଙ୍କନ ଦାଖଲ କରିଥିଲେ । ୧୯୯୪ରେ ରାଷ୍ଟ୍ରପତି ନିର୍ବାଚନରେ ଚନ୍ଦ୍ରିକା ୬୨.୨୮% ଭୋଟ୍ ପାଇ ଜିତିଥିଲେ । ନଭେମ୍ବର ୧୯୯୪ରେ ଶ୍ରୀଲଙ୍କାର ପ୍ରଥମ ମହିଳା ରାଷ୍ଟ୍ରପତି ହେବାପରେ ସେ ତାଙ୍କ ମାତାଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରିଥିଲେ ।
ରାଷ୍ଟ୍ରପତି (ଦ୍ୱିତୀୟ ପାଳି)
[ସମ୍ପାଦନା]ଅକ୍ଟୋବର ୧୯୯୯ରେ, କୁମାରାତୁଙ୍ଗା ଏକ ଆଗୁଆ ରାଷ୍ଟ୍ରପତି ନିର୍ବାଚନ ପାଇଁ ବ୍ୟବସ୍ଥା କଲେ । ତେବେ ୧୮ ଡିସେମ୍ବର ୧୯୯୯ରେ କଲମ୍ବୋ ଟାଉନ୍ ହଲ୍ ପରିସରରେ ତାଙ୍କର ଏକ ନିର୍ବାଚନୀ ସଭାରେ ତାମିଲ୍ ଟାଇଗରଙ୍କ ହତ୍ୟା ଉଦ୍ୟମରୁ ସେ ଅଳ୍ପକେ ବଞ୍ଚିଗଲେ ସିନା, ସେ ତାଙ୍କ ଡାହାଣ ଆଖିର (ସ୍ଥାୟୀ ଅପ୍ଟିକ୍ ସ୍ନାୟୁ କ୍ଷତି) ଦୃଷ୍ଟି ଶକ୍ତି ହରାଇଥିଲେ । ୨୧ ଡିସେମ୍ବରରେ ଅନୁଷ୍ଠିତ ନିର୍ବାଚନରେ ସେ ପ୍ରତିଡ୍ୱନ୍ଦୀ ରାନିଲ ବିକ୍ରମସିଙ୍ଘେଙ୍କୁ ହରାଇ ତା ପରଦିନ ଅନ୍ୟ ଏକ ଅବଧି ପାଇଁ ରଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିଲେ ।[୩]
ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳରେ ଗୃହଯୁଦ୍ଧ ବୃଦ୍ଧି ପାଇଥିଲା ଏବଂ ତାଙ୍କ ସରକାରକୁ LTTE ବିରୁଦ୍ଧରେ ବନ୍ଦରନାଇକେ ବିମାନବନ୍ଦର ଆକ୍ରମଣ ଭଳି ଅନେକ ସ୍ଥାନରେ ପରାଜୟ ବରଣ କରିବାକୁ ପଡିଥିଲା । କେବଳ ସେତିକି ନୁହେଁ, ୨୦୦୧ ମସିହାରେ ଶ୍ରୀଲଙ୍କା ଇତିହାସରେ ପ୍ରଥମ ଥର ପାଇଁ ଦେଶର ଅର୍ଥନୀତିରେ ଅହେତୁକ ଶୀଥିଳତା ଦେଖାଦେଲା ।
ଆଧାର
[ସମ୍ପାଦନା]- ↑ "Profile: Chandrika Kumaratunga". www.news.bbc.co.uk. 26 August 2005. Retrieved 30 November 2020.
- ↑ "Alumni | Sciences Po International". alumni.html (in ଇଂରାଜୀ). 4 February 2015. Retrieved 30 November 2020.
- ↑ "BBC News | SOUTH ASIA | Kumaratunga re-elected in Sri Lanka". news.bbc.co.uk. Retrieved 30 November 2020.