ରାନିଲ ବିକ୍ରମସିଙ୍ଘେ

ଉଇକିପିଡ଼ିଆ ରୁ
Jump to navigation Jump to search

ରାନିଲ ବିକ୍ରମସିଙ୍ଘେ (ସିଂହଳୀ: රනිල් වික්‍රමසිංහ, ତାମିଲ: ரணில் விக்கிரமசிங்க; ଜନ୍ମ ୨୪ ମାର୍ଚ୍ଚ ୧୯୪୯) ଶ୍ରୀଲଙ୍କାର ଜଣେ ରାଜନେତା ଯିଏ ୧୨ ନଭେମ୍ବର ୧୯୯୪ ପରଠାରୁ ମିଳିତ ରାଷ୍ଟ୍ରୀୟ ଦଳର(United National party) ନେତା ଭାବରେ କାର୍ଯ୍ୟ କରିଛନ୍ତି । ସେ ପ୍ରଥମେ ୧୯୭୭ରେ ବିୟାଗାମା ନିର୍ବଚନ କ୍ଷେତ୍ର ପାଇଁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ ଏବଂ ପରେ ପରେ ୨୦୨୦ ପର୍ଯ୍ୟନ୍ତ ପୁନଃ ନିର୍ବାଚିତ ହୋଇଥିଲେ ଏବଂ ତିନିଥର ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]

ବିକ୍ରମସିଂହେ ମଧ୍ୟ ୧୯୯୩ରୁ ୧୯୯୪ ଏବଂ ୨୦୦୧ରୁ ୨୦୦୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୧୯୯୪ ରାଷ୍ଟ୍ରପତି ନିର୍ବାଚନ ପାଇଁ ଅଭିଯାନ ସମୟରେ ଗାମିନୀ ଦିସାନାୟକଙ୍କ ହତ୍ୟା ପରେ ସେ ନଭେମ୍ବର ୧୯୯୪ରେ ଦଳର ନେତା ଭାବରେ ନିଯୁକ୍ତ ହୋଇଥିଲେ । ୮ ଜାନୁୟାରୀ ୨୦୧୫ରେ, ବିକ୍ରମସିଙ୍ଘେଙ୍କୁ ରାଷ୍ଟ୍ରପତି ମୈଥ୍ରୀପାଲ ସିରିସେନା ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରିଥିଲେ, ଯିଏକି ୨୦୧୫ ରାଷ୍ଟ୍ରପତି ନିର୍ବାଚନରେ ​​ରାଷ୍ଟ୍ରପତି ମହିନ୍ଦା ରାଜପାକ୍‌ସେଙ୍କୁ ପରାସ୍ତ କରିଥିଲେ ।

ବିକ୍ରମସିଙ୍ଘେଙ୍କ ମିଳିତ ମଞ୍ଚ, 'ୟୁନାଇଟେଡ୍ ନ୍ୟାସନାଲ ଫ୍ରଣ୍ଟ ଫର ଗୁଡ୍ ଗଭର୍ନାନ୍ସ', ୨୦୧୫ ବିଧାନ ସଭା ନିର୍ବାଚନରେ ​​୧୦୬ଟି ଆସନ ଜିତିଥିଲା । ଯଦିଓ ଏହା ଏକ ସଂଖ୍ୟାଗରିଷ୍ଠତା ହାସଲ କରି ନ ଥିଲା, ୩୫ରୁ ଅଧିକ 'ଶ୍ରୀଲଙ୍କା ଫ୍ରିଡମ୍ ପାର୍ଟି' ସଦସ୍ୟ ତାଙ୍କ କ୍ୟାବିନେଟରେ ଯୋଗଦେବା ଫଳରେ ବିକ୍ରମସିଙ୍ଘେ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ ।[୨] ପୂର୍ବତନ ରାଷ୍ଟ୍ରପତି ମହିନ୍ଦା ରାଜାପାକ୍‌ସେଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରାଯିବା ସହିତ ୨୬ ଅକ୍ଟୋବର ୨୦୧୮ରେ ବିକ୍ରମସିଂହେଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିଲା, ଯାହା ବିକ୍ରମସିଂହେ ଅସାମ୍ବିଧାନିକ ବୋଲି ଦାବି କରିଛନ୍ତି ଏବଂ ଏହାକୁ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି । ୧୬ ଡିସେମ୍ବର ୨୦୧୮ରେ ସିରିସେନା ବିକ୍ରମସିଂହେଙ୍କୁ ପୁନର୍ବାର ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ କରିବା ସହିତ ସାମ୍ବିଧାନିକ ସଙ୍କଟ ସମାପ୍ତ ହୋଇଥିଲା । ୧୬ ନଭେମ୍ବର ୨୦୧୯ରେ ରାଷ୍ଟ୍ରପତି ନିର୍ବାଚନ ପରେ ସେ ୨୦ ନଭେମ୍ବର ୨୦୧୯ରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ସେ ୨୦୨୦ରେ ବିଧାନ ସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ସଂସଦରେ ଆସନ ପାଇବା ପାଇଁ ବିଫଳ ହୋଇଥିଲେ ।[୩]

Ranil Wickremesinghe

ଆଦ୍ୟ ଜୀବନୀ[ସମ୍ପାଦନା]

୨୪ ମାର୍ଚ୍ଚ ୧୯୪୯ରେ କଲମ୍ବୋରେ ଜନ୍ମଗ୍ରହଣ କରିଥିବା ବିକ୍ରମସିଙ୍ଘେ ଏସମଣ୍ଡ ବିକ୍ରମସିଙ୍ଘେ ଏବଂ ନଳୀନି ବିକ୍ରମସିଙ୍ଘେ ନୀ ୱିଜେୱର୍ଦ୍ଧନେଙ୍କ ଦ୍ୱିତୀୟ ପୁତ୍ର ଥିଲେ । ତାଙ୍କ ପିତା ଜଣେ ଓକିଲ ଥିଲେ ଯିଏ 'ଲେକ୍ ହାଉସ୍ ଗ୍ରୁପ୍ ଅଫ୍ ନିଉସପେପର‌ସ' ଖବରକାଗଜର ମାଲିକାନା ଗ୍ରହଣ କରିଥିଲେ । ତାଙ୍କ ଜେଜେବାପା ଥିଲେ ସିରିଲ୍ ବିକ୍ରମସିଙ୍ଘେ ।

ବିକ୍ରମସିଙ୍ଘେ କଲମ୍ବୋର ରୟାଲ କଲେଜରେ ଶିକ୍ଷା ଲାଭ କରିଥିଲେ ଯେଉଁଠାରେ ସେ ତତକାଳୀନ ପ୍ରଧାନମନ୍ତ୍ରୀ ଶଲୋମନ ବନ୍ଦରନାଇକେଙ୍କ ପୁଅ ଅନୁରା ବନ୍ଦରନାଇକେଙ୍କ ସହପାଠୀ ତଥା ବନ୍ଧୁ ଥିଲେ । ତାପରେ ବିକ୍ରମସିଙ୍ଘେ ସିଲୋନ ବିଶ୍ୱବିଦ୍ୟାଲୟ, କଲମ୍ବୋ କ୍ୟାମ୍ପସ (ବର୍ତ୍ତମାନ କଲମ୍ବୋ ବିଶ୍ୱବିଦ୍ୟାଳୟ)ର ଆଇନ ବିଭାଗରେ ନାମ ଲେଖାଇଥିଲେ । ସ୍ନାତକୋତ୍ତର ପରେ ସେ ଶ୍ରୀଲଙ୍କା ଆଇନ ମହାବିଦ୍ୟାଳୟରେ ଆଇନ ପରୀକ୍ଷା ସମାପ୍ତ କରିଥିଲେ ଏବଂ ଏଚ୍ ଡବ୍ଲୁ ଜୟୱର୍ଦ୍ଧନେ(QC)ଙ୍କ ଅଧୀନରେ ତାଲିମପ୍ରାପ୍ତ ହୋଇ ୧୯୭୨ ମସିହାରେ ଆଡଭୋକେଟ ଭାବରେ ଶପଥ ଗ୍ରହଣ କରିଥିଲେ । ଅର୍ଥନୀତି, ଶିକ୍ଷା ଏବଂ ମାନବିକ ଅଧିକାରରେ ସଂସ୍କାର ଆଣିବାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ବିକ୍ରମସିଂହେ ଅଷ୍ଟ୍ରେଲିଆର ଡେକିନ୍ ବିଶ୍ୱବିଦ୍ୟାଳୟରୁ ଫେବୃଆରୀ ୧୪, ୨୦୧୭ରେ ତାଙ୍କୁ ସମ୍ମାନଜନକ ଡକ୍ଟରେଟ୍ ଉପାଧୀରେ ସମ୍ମାନିତ କରାଯାଇଛି ।[୪]

ରାଜନୈତିକ ଜୀବନ[ସମ୍ପାଦନା]

ବିକ୍ରମସିଙ୍ଘେ 'ୟୁନାଇଟେଡ୍ ନ୍ୟାସନାଲ ପାର୍ଟି' (UNP)ରେ ଯୋଗ ଦେଇଥିଲେ ଏବଂ ସମୟକ୍ରମେ ଦଳର ଉଚ୍ଚତର ପଦବୀ ଅଳଂକୃତ କଲେ । ସେ ୧୯୭୦ ଦଶକ ମଧ୍ୟ ଭାଗରେ କେଲାନିଆ ନିର୍ବାଚନ କ୍ଷେତ୍ରର ମୁଖ୍ୟ ସଂଗଠକ ଭାବରେ ନିଯୁକ୍ତ ହୋଇଥିଲେ କିନ୍ତୁ ପରେ ବିୟାଗାମା ନିରବାଚନ କ୍ଷେତ୍ରର ମୁଖ୍ୟ ସଂଗଠକ ଭାବରେ ନିଯୁକ୍ତ ହୋଇଥିଲେ, ଯେଉଁଠାରୁ ସେ ୧୯୭୭ ବିଧାନ ସଭା ନିର୍ବାଚନରେ ​​ଜିତିଥିଲେ ।

ସେ ଜେ. ଆର ଜୟୱର୍ଦ୍ଧନେଙ୍କ ନୂତନ ସରକାରରେ ବୈଦେଶିକ ବ୍ୟାପାର ଉପମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିଲେ ଏବଂ ଖୁବ୍ ଶୀଘ୍ର ଯୁବ ବ୍ୟାପାର ଏବଂ ନିଯୁକ୍ତି ମନ୍ତ୍ରୀ ପଦରେ ପଦୋନ୍ନତି ପାଇଲେ ଯାହା ଫଳରେ ସେ ଶ୍ରୀଲଙ୍କାର ସର୍ବକନିଷ୍ଠ କ୍ୟାବିନେଟ ମନ୍ତ୍ରୀ ହୋଇପରିଥିଲେ । ଡେପୁଟି ମନ୍ତ୍ରୀ ଥିବା ସମୟରେ ସେ ଶ୍ରୀଲଙ୍କା ନ୍ୟାସନାଲ ଗାର୍ଡ ଏବଂ ନ୍ୟାସନାଲ ୟୁଥ୍ ସର୍ଭିସେସ୍ କାଉନସିଲ୍ (NYSCO) ଆରମ୍ଭ କରିଥିଲେ, ଯାହାକି ବିଦ୍ୟାଳୟର ଛାତ୍ରମାନଙ୍କୁ ବୃତ୍ତିଗତ ଏବଂ ବୈଷୟିକ ତାଲିମ ପ୍ରଦାନ କରିଥାଏ । ପରେ ବିକ୍ରମସିଙ୍ଘେଙ୍କୁ ଶିକ୍ଷା ମନ୍ତ୍ରୀ କରାଯାଇଥିଲା ।[୫]

ପ୍ରଧାନମନ୍ତ୍ରୀ ଭାବେ ପ୍ରଥମ ପାଳି(1993–1994)[ସମ୍ପାଦନା]

ରଣସିଂହେ ପ୍ରେମାଦାସଙ୍କ ଅଧ୍ୟକ୍ଷତାରେ ବିକ୍ରମସିଙ୍ଘେଙ୍କୁ ଶିଳ୍ପ ମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯାଇଥିଲା, ଯେଉଁଥିରେ ସେ ଔଦ୍ୟୋଗିକ ସଂସ୍କାର ଆରମ୍ଭ କରିଥିଲେ ଏବଂ 'ବିୟାଗାମା ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍' ପ୍ରତିଷ୍ଠା କରିଥିଲେ । ସେ ୧୯୮୯ରେ ଗୃହର ନେତା ଭାବରେ ନିଯୁକ୍ତ ହୋଇଥିଲେ । ୭ ମଇ ୧୯୯୩ରେ, ତାମିଲ ଟାଇଗରଙ୍କଦ୍ୱାରା ରାଷ୍ଟ୍ରପତି ରଣସିଂହେ ପ୍ରେମାଦାସଙ୍କୁ ହତ୍ୟା କରାଯିବା ପରେ ତତକାଳୀନ ପ୍ରଧାନମନ୍ତ୍ରୀ ଡି.ବି.ୱିଜେତୁଙ୍ଗା ରାଷ୍ଟ୍ରପତି ଭାବେ ନିଯୁକ୍ତ ହେବା ସହ ସେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ ।

ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ଏକ ପ୍ରଭାବଶାଳୀ ଅର୍ଥନୈତିକ ସଂସ୍କାର ମାଧ୍ୟମରେ ଦେଶକୁ ଆଗେଇ ନେଇଥିବାରୁ ତାଙ୍କୁ ଶ୍ରେୟ ଦିଆଯାଇଥିଲା ଏବଂ ସାଧାରଣତଃ ବ୍ୟବସାୟ ସମ୍ପ୍ରଦାୟ ପକ୍ଷରୁ ତାଙ୍କୁ ଏଥିପାଇଁ ବିପୁଳ ସମର୍ଥନ ମିଳିଥିଲା ।

ପ୍ରଧାନମନ୍ତ୍ରୀ ଭାବେ ଦ୍ୱିତୀୟ ପାଳି (୨୦୦୧-୨୦୦୪)[ସମ୍ପାଦନା]

ସଂସଦୀୟ ସାଧାରଣ ନିର୍ବାଚନରେ ​​୨୦୦୧ରେ ମିଳିତ ଜାତୀୟ ସାମ୍ମୁଖ୍ୟ (UNF), ରାନିଲ ବିକ୍ରମସିଙ୍ଘେଙ୍କ ନେତୃତ୍ୱରେ ୧୦୯ଟି ଆସନ ଜିତିଥିଲା ​​ଏବଂ Peoples Alliance(PA) ଦଳ ମାତ୍ର ୭୭ଟି ଆସନ ପାଇବାରେ ସକ୍ଷମ ହୋଇଥିଲା । ଫଳସ୍ୱରୂପ, ସେ ଏକ ନୂତନ ମିଳିତ ସାମ୍ମୁଖ୍ୟ ସରକାର ଗଠନ କରିବାରେ ସକ୍ଷମ ହୋଇଥିଲେ ଏବଂ ୯ ଡିସେମ୍ବର ୨୦୦୧ରେ ଶ୍ରୀଲଙ୍କାର ୧୭ତମ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ ।

ତେବେ ଚନ୍ଦ୍ରିକା କୁମାରତୁଙ୍ଗା ଦେଶର ରାଷ୍ଟ୍ରପତି ରହିଥିଲେ । ଏହାଦ୍ୱାରା ଦେଶର ରାଜନୈତିକ କ୍ଷେତ୍ରରେ ଏକ ଦ୍ୱନ୍ଦ୍ୱପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା ଯେଉଁଠାରେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଦୁଇଟି ବିପରୀତ ଦଳର ଥିଲେ । ଯଦିଓ, ସମ୍ବିଧାନ ଅନୁଯାୟୀ, ଉଭୟ ରାଜ୍ୟ ମୁଖ୍ୟ ଏବଂ ସରକାରର ମୁଖ୍ୟ ଥିଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ରାନିଲ ୱିକ୍ରେମସିଂହେ ନିଜ କ୍ୟାବିନେଟ ନିଯୁକ୍ତ କରିବାରେ ସକ୍ଷମ ହୋଇଥିଲେ ଏବଂ ସରକାରଙ୍କ ଉପରେ ତାଙ୍କର ପ୍ରକୃତ ନିୟନ୍ତ୍ରଣ ଥିଲା । ରାଷ୍ଟ୍ରପତି ଚନ୍ଦ୍ରିକା କୁମାରତୁଙ୍ଗା ମଧ୍ୟ କ୍ୟାବିନେଟ୍ ବୈଠକରେ ଅଧ୍ୟକ୍ଷତା କରିଥିଲେ, କିନ୍ତୁ ସରକାରୀ ନିଷ୍ପତ୍ତି ନେବା ଉପରେ ତାଙ୍କର ପ୍ରଭାବ ଅତ୍ୟନ୍ତ ସୀମିତ ରହିଥିଲା ।

ଅସ୍ତ୍ରବିରତି ଉଲ୍ଲଂଘନ ସମୟରେ ଦେଶର ବିକାଶରେ ସହଯୋଗ କରିବାକୁ ସେ ଅନ୍ତର୍ଜାତୀୟ ସମୁଦାୟକୁ ଅନୁରୋଧ କରିଥିଲେ ଯାହାଦ୍ୱାରା ୨୦୦୩ ଜୁନ୍ ୨୦୦୩ରେ ଶ୍ରୀଲଙ୍କାର ପୁନଃନିର୍ମାଣ ଏବଂ ବିକାଶ ଉପରେ ଟୋକିଓ ଦାତା ସମ୍ମିଳନୀ(Tokyo Donor Conference) ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ପୁନଃନିର୍ମାଣ ଏବଂ ବିକାଶ ସହାୟତା ପାଇଁ ଶ୍ରୀଲଙ୍କା ୪.୫ ବିଲିୟନ ଡଲାରରୁ ଅଧିକ ଆର୍ଥିକ ସହାୟତା ପାଇଥିଲା ।

ଏହି ସମୟ ମଧ୍ୟରେ ସେ "ପାଶ୍ଚାତ୍ୟ ଅଞ୍ଚଳ ମେଗାପୋଲିସ୍" (Western Region Megapolis)ପ୍ରକଳ୍ପ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଥିଲେ । ସିଙ୍ଗାପୁରର ଏକ ନିର୍ମାନ ଫାର୍ମ (CESMA)ର ସ୍ଥପତି ମାନଙ୍କ ସହାୟତାରେ ଯୋଜନା କରାଯାଇ ଏହା ଶ୍ରୀଲଙ୍କାର ପଶ୍ଚିମ ପ୍ରଦେଶରେ ଏକ ବଡ଼ ସହର ସୃଷ୍ଟି କରିବାକୁ ଏହି ପ୍ରସ୍ତାବ ଦିଆଯାଇଥିଲା ଯାହା ବିଶ୍ୱର ପ୍ରମୁଖ ସହର ଗୁଡିକ ସହିତ ପ୍ରତିଦ୍ୱନ୍ଦ୍ୱିତା କରିପାରିଥାନ୍ତା । ତେବେ ତାଙ୍କ ଶାସନର ପତନ ପରେ ଏହି ପ୍ରକଳ୍ପ ଅଗ୍ରଗତି ହୋଇପାରିନାହିଁ ।

ପ୍ରଧାନମନ୍ତ୍ରୀ ଭାବେ ତୃତୀୟ ପାଳି (୨୦୧୫-୨୦୧୮)[ସମ୍ପାଦନା]

୨୦୧୫ ରାଷ୍ଟ୍ରପତି ନିର୍ବାଚନର ୟୁନାଇଟେଡ୍ ନ୍ୟାସନାଲ ପାର୍ଟି ନେତୃତ୍ୱାଧୀନ ସାଧାରଣ ପ୍ରାର୍ଥୀ ମୈଥ୍ରିପାଲା ସିରିସେନା ୫୧.୨୮% ଭୋଟ୍ ଜିତିବା ପରେ ଏକ 'ବୁଝାମଣା ଚୁକ୍ତିନାମା' ଅନୁଯାୟୀ ବିକ୍ରମସିଙ୍ଘେ ୧୦୦ ଦିନିଆ କାର୍ଯ୍ୟକ୍ରମ ଯୋଜନା ପାଇଁ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ ହେଲେ । ପ୍ରଧାନମନ୍ତ୍ରୀ ଭାବରେ ଏହା ତାଙ୍କର ତୃତୀୟ କାର୍ଯ୍ୟକାଳ ଅଟେ ।

ସେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ପୂର୍ବତନ ଯୁଦ୍ଧ ପ୍ରଭାବିତ କ୍ଷେତ୍ରର ବିକାଶ ପାଇଁ ପଦକ୍ଷେପ ନେଇଥିଲେ ଏବଂ ନାଗରିକ କାର୍ଯ୍ୟକର୍ତ୍ତାଙ୍କୁ ଭେଟି ଜାଫ୍ନା ନାଗରିକ ତଥା ବିଦ୍ୟାଳୟଗୁଡ଼ିକ ସମ୍ମୁଖୀନ ହୋଇଥିବା ସମସ୍ୟା ବିଷୟରେ ଆଲୋଚନା କରିଥିଲେ ଏବଂ ନିଖୋଜ ବ୍ୟକ୍ତିଙ୍କ ତଦନ୍ତ ତ୍ୱରାନ୍ୱିତ କରିବାକୁ ପ୍ରାସ ଜାରି ରଖିଥିଲେ । ସେ ମଧ୍ୟ ଉତ୍ତର ପ୍ରୋଭିନ୍‌ସର ସମ୍ପ୍ରଦାୟକୁ ଉନ୍ନତ କରିବା ଏବଂ ସେମାନଙ୍କ ଜୀବନ ଶୈଳୀରେ ଉନ୍ନତି ଆଣିବା ପାଇଁ ପଦକ୍ଷେପ ନେଇଥିଲେ ।[୬]

ସେ ୨୦୦୧-୨୦୦୪ ମସିହାରେ ପ୍ରଧାନମନ୍ତ୍ରୀ ଥିବାବେଳେ ସେ ଆରମ୍ଭ କରିଥିବା ମେଗାପୋଲିସ୍ ଯୋଜନାକୁ ପୁନଃ ଆରମ୍ଭ କରିଥିଲେ । ନୂତନ ଆବଶ୍ୟକତା ଅନୁଯାୟୀ ମାଷ୍ଟରପ୍ଲାନକୁ ସଂଶୋଧନ କରିବାକୁ ସୁରବାନାଙ୍କୁ ପରାମର୍ଶ ଦିଆଯାଇଥିଲା ।

ସେ ପ୍ରମୁଖ ଅର୍ଥନୈତିକ ସଂସ୍କାର ପାଇଁ ପ୍ରସ୍ତାବ ଦେଇଥିଲେ ଏବଂ ଏକ 'ଜ୍ଞାନ ଆଧାରିତ ସାମାଜିକ ବଜାର ଅର୍ଥନୀତି'ର ପ୍ରସ୍ତାବ ଦେଇଥିଲେ ଯାହା ସାମାଜିକ ନ୍ୟାୟ ନୀତି ଉପରେ ନିର୍ମିତ ହେବ ଯାହା ଏକବିଂଶ ଶତାବ୍ଦୀର ସ୍ୱାସ୍ଥ୍ୟ ସମସ୍ୟାକୁ ସାମ୍ନା କରିବା ସହ ଶିକ୍ଷା ତଥା ବିଶ୍ୱ ବ୍ୟବସ୍ଥାର ସୁଦୃଢତା ଉପରେ ଧ୍ୟାନ ଦେବ । ଘରୋଇ ଅର୍ଥନୀତିରେ ଉଚ୍ଚ ଆୟର ଅସମାନତା ହ୍ରାସ ସହିତ ରପ୍ତାନି ବୃଦ୍ଧି ଉପରେ ମଧ୍ୟ ସେ ଯୋଜନା କରିଥିଲେ ।

ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ସଂସ୍କାର ଆଣିବା, ବଜାର ପ୍ରବେଶ ବୃଦ୍ଧି ତଥା ଜିଏସପି +କୁ ପୁନଃ ପ୍ରାପ୍ତ କରିବା, ପ୍ରମୁଖ ପୁଞ୍ଜି ବିନିଯୋଗ ପ୍ରୋତ୍ସାହନ ଏଜେନ୍ସିଗୁଡ଼ିକର ପୁନଃ ନିର୍ମାଣ, ପର୍ଯ୍ୟଟନର ବିକାଶ, ଅଧିକ ଖର୍ଚ୍ଚ କରୁଥିବା ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଏବଂ ଗ୍ରାମୀଣ ଅର୍ଥନୀତିର ବିକାଶ ପାଇଁ ସେ ଏକ ଯୋଜନା ଆରମ୍ଭ କରିଥିଲେ । କଲମ୍ବୋରେ ସ୍ୱତନ୍ତ୍ର ଅର୍ଥନୈତିକ ଜୋନ୍ ଏବଂ ଏକ ସ୍ୱତନ୍ତ୍ର ଆର୍ଥିକ ଏବଂ ବ୍ୟବସାୟ ହବ୍ ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା ।

ସେ ଆନ୍ତର୍ଜାତୀୟ ନିବେଶକ ତଥା ଓପନ୍ ସୋସାଇଟିର ପ୍ରତିଷ୍ଠାତା ଚେୟାରମ୍ୟାନ୍ ଜର୍ଜ ସୋରୋସ୍ ଏବଂ ନୋବେଲ ବିଜେତା ଅର୍ଥନୀତିଜ୍ଞ ଜୋସେଫ୍ ଷ୍ଟିଗଲିଜ୍‌ଙ୍କ ଉପସ୍ଥିତିରେ 'ଶ୍ରୀଲଙ୍କା ଅର୍ଥନୈତିକ ଫୋରମ୍-୨୦୧୬'ର ଆୟୋଜନ କରିଥିଲେ । ଏହି ଫୋରମ୍ ଶ୍ରୀଲଙ୍କା ଅର୍ଥନୀତିରେ ଅଗ୍ରଗତି ନିମିତ୍ତ ଏହା ଏକ ବଳିଷ୍ଠ ପଦକ୍ଷେପ ଭାବରେ କାର୍ଯ୍ୟ କରିଥିଲା ଏବଂ ଫୋରମ୍ ସମୟରେ ସୋରୋସ୍ ଶ୍ରୀଲଙ୍କାରେ ପୁଞ୍ଜି ବିନିଯୋଗ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରାରମ୍ଭିକ ବିନିଯୋଗ ପ୍ରାୟ ୩୦୦ ମିଲିୟନ୍ ଡଲାର୍ ହେବ ବୋଲି ଆଶା କରାଯାଉଥିଲା । ଗ୍ରାମୀଣ ଉଦ୍ୟୋଗୀମାନଙ୍କୁ ସଶକ୍ତିକରଣ ଏବଂ ଗ୍ରାମୀଣ ଅର୍ଥନୀତିର ବିକାଶ ପାଇଁ ସେ ସ୍ୱଶକ୍ତି("Swa Shakthi") ନାମକ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡିକ ପାଇଁ ଏକ ଋଣ ଏବଂ ଅନୁଦାନ ଯୋଜନା ମଧ୍ୟ ଆରମ୍ଭ କରିଥିଲେ ।

ଦୁର୍ନୀତି ବିରୁଦ୍ଧରେ ପଦକ୍ଷେପ[ସମ୍ପାଦନା]

ରାଜପାକ୍‌ସେ ଶାସନ କାଳରେ ଶାସନର ପରାଜୟ ପରେ ରାଜପାକ୍‌ସେଙ୍କ ସରକାରୀ ମନ୍ତ୍ରୀ ଏବଂ ଅଧିକାରୀଙ୍କଦ୍ୱାରା ଆଇନଶୃଙ୍ଖଳା ଭଙ୍ଗ ତଥା ରାଜ୍ୟ କ୍ଷମତାର ଅପବ୍ୟବହାରର ତଦାରଖ ନିମନ୍ତେ, ପ୍ରଧାନମନ୍ତ୍ରୀ ବିକ୍ରେମେସିଂହେ ଉଚ୍ଚ କ୍ଷମତା ସମ୍ପନ୍ନ ପୋଲିସ୍ ବିଭାଗ ତଥାକଥିତ "ଆର୍ଥିକ ଅପରାଧ ଅନୁସନ୍ଧାନ ବିଭାଗ" ଗଠନ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହାଦ୍ୱାରା ମହିନ୍ଦା ରାଜପାପସାଙ୍କ ସାନଭାଇ ବେସିଲ ରାଜପକ୍ସା ଏବଂ ବଡ଼ ଧରଣର ଦୁର୍ନୀତିରେ ସମ୍ପୃକ୍ତ ଥିବା ତାଙ୍କ ରାଜନୈତିକ ଅନୁଗାମୀମାନଙ୍କୁ ମଧ୍ୟ କମିଟି ଗଠନ ହେବାର କିଛି ମାସ ମଧ୍ୟରେ ଗିରଫ କରାଯାଇଥିଲା । ତେବେ ରାଜପକ୍ସର ଅନେକ ପରିବାର ସଦସ୍ୟ ଏବଂ ବନ୍ଧୁଙ୍କୁ ଏଫସିଆଇଡି ପଚରାଉଚରା କରିଥିଲା, ରାଜପକ୍ସା ଭୟ କରିଛନ୍ତି ଯେ ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କୁ କୋର୍ଟ ଚାଲାଣ କରାଯିବ ।

ପୂର୍ବତନ ରାଷ୍ଟ୍ରପତି ରାଜପକ୍ସା ତାଙ୍କ ପରିବାର ସଦସ୍ୟ ଏବଂ ରାଜନୈତିକ ସଙ୍ଗଠନ ବିରୋଧରେ ବିଚାରାଧୀନ ଅଭିଯୋଗ ଉପରେ ରାଷ୍ଟ୍ରପତି ସିରିସେନାଙ୍କୁ କହିଥିଲେ । ପ୍ରକାଶ ଥାଉକି, ରାଷ୍ଟ୍ରପତି ସିରିସେନା ଚାଲିଥିବା ଅଭିଯୋଗକୁ ହଟାଇଦେବାକୁ ମନା କରିଦେଇଥିଲେ । ରାଷ୍ଟ୍ରପତି ସିରିସେନା ଏବଂ ପୂର୍ବତନ ରାଷ୍ଟ୍ରପତି ରାଜପକ୍ସାଙ୍କ ମଧ୍ୟରେ ହୋଇଥିବା କଥାବର୍ତ୍ତା ଜରିଆରେ ରାଜପକ୍ସାଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ନିଯୁକ୍ତି ଦିଆଯିବାର ମୁଖ୍ୟ ଦାବୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୁଦ୍ଧରେ ହୋଇଥିବା ଅଭିଯୋଗ ଉପରେ ବିଚାର କରିବାକୁ ମନା କରିଦେଇଥିଲେ ।

ଆଧାର[ସମ୍ପାଦନା]

  1. "Sri Lanka Speaker recognises Wickremesinghe as lawful PM, 3 days after sacking by President". Hindustan Times (in ଇଂରାଜୀ). 28 October 2018. Retrieved 29 November 2020.
  2. "Prime Minister Wickremesinghe Calls For Buddhist Approach: Nikkei". asianmirror.lk (in ଇଂରାଜୀ). Retrieved 29 November 2020.
  3. Nathaniel, Amali Mallawaarachchi and Camelia. "Ranil resigns, Mahinda takes oaths as PM today". Daily News (in ଇଂରାଜୀ). Retrieved 29 November 2020.
  4. "Prime Minister Wickremesinghe awarded an honorary doctorate". www.adaderana.lk (in ଇଂରାଜୀ). Retrieved 29 November 2020.
  5. "Ranil Wickremasinghe is scheduled to take oaths as Prime Minister tomorrow | ITN News". web.archive.org. 6 January 2016. Retrieved 29 November 2020.
  6. "Probe on missing persons will be completed within 6 months: PM says in Jaffna | DailyFT - Be Empowered". web.archive.org. 2 April 2015. Retrieved 29 November 2020.