ଇନ୍ଦ୍ରଦ୍ୟୁମ୍ନ
ଇନ୍ଦ୍ରଦ୍ୟୁମ୍ନ ମାଳବ ଦେଶର ସୋମବଂଶୀୟ ରାଜା ଥିଲେ । ମହାଭାରତ ଓ ପୂରାଣରେ ବର୍ଣିତ ତଥ୍ୟ ଅନୁଯାୟୀ ଇନ୍ଦ୍ରଦ୍ୟୁମ୍ନ ଭରତ ଓ ସୁମତିଙ୍କ ପୁତ୍ର ଥିଲେ । [୧] ସେ ମାଳବ ଦେଶର ଅବନ୍ତି ନାମକ ଅଞ୍ଚଳକୁ ଶାସନ କରୁଥିଲେ ଓ ଜଗନ୍ନାଥ ମନ୍ଦିରର ତିନି ବିଗ୍ରହଙ୍କୁ ପ୍ରତିଷ୍ଠା କରିଥିବାର କିଛି ପୁରାଣ ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି । [୨]
କିମ୍ବଦନ୍ତୀ
[ସମ୍ପାଦନା]ସ୍କନ୍ଧ ପୁରାଣ, ବ୍ରହ୍ମ ପୁରାଣ ଓ ଅନ୍ୟ ପୁରାଣରେ ବର୍ଣ୍ଣିତ ତଥ୍ୟ ଅନୁସାରେ ଶ୍ରୀଜଗନ୍ନାଥ ପ୍ରକୃତରେ ନୀଳମାଧାବ ନାମରେ ବିଶ୍ୱାବସୁ ନାମକ ଜାଣେ ଶବର ରାଜାଙ୍କଦ୍ୱାରା ଜଙ୍ଗଲରେ ଗୋଟିଏ ଗୁମ୍ଫାରେ ଲୁକ୍କାୟିତ ଭାବେ ପୂଜା ପାଉଥିଲେ । ନୀଳ ମାଧବଙ୍କ ନାମ ଶୁଣିବା ପରେ, ଏହି ବିଷୟରେ ଖବର ପାଇ ରାଜା ଇନ୍ଦ୍ରଦ୍ୟୁମ୍ନ, ବିଦ୍ୟାପତି ନାମକ ଜଣେ ବ୍ରାହ୍ମଣଙ୍କୁ ଠାକୁରଙ୍କ ଅନୁସନ୍ଧାନ କରିବା ନିମନ୍ତେ ସେଠାକୁ ପଠାଇଥିଲେ । ବହୁ ଚେଷ୍ଟା ପରେ ମଧ୍ୟ ବିଦ୍ୟାପତି ଠାକୁରଙ୍କୁ ଠାବ କରିବାରେ ବିଫଳ ହୋଇଥିଲେ । କିଛି ଦିନ ସେଠାରେ ରହି ସେ ଶେଷରେ ବିଦ୍ୟାପତିଙ୍କ କନ୍ୟା ଲଳିତାଙ୍କୁ ବାହା ହୋଇଥିଲେ ଓ ନିଜ ଶ୍ୱଶୁର ବିଶ୍ୱାବସୁଙ୍କ ବିଶ୍ୱାସଭାଜନ ହୋଇଥିଲେ । [୩] ବିଶ୍ୱାବସୁ ଶେଷରେ ନିଜ ଜ୍ୱାଇଁଙ୍କ ଅନୁରୋଧ ରକ୍ଷାକରି, ବିଦ୍ୟାପତିଙ୍କ ଆଖିରେ ଅନ୍ଧପୁଟୁଳି ବାନ୍ଧି ନୀଳମାଧବ ପୂଜା ପାଉଥିବା ଜାଗାକୁ ନେଇ ଠାକୁରଙ୍କ ଦର୍ଶନ କରାଇଥିଲେ । କିନ୍ତୁ ଚତୁର ବ୍ରାହ୍ମଣ ବିଦ୍ୟାପତି ଉକ୍ତ ସ୍ଥାନର ପୁନଃ ଚିହ୍ନଟ କରିପାରିବା ନିମନ୍ତେ ସେଠାରେ ସୋରିଷ ମଞ୍ଜି ବୁଣିଦେଇ ଆସିଯାଇଥିଲେ ଯାହାକି ତାଙ୍କୁ ପରବର୍ତ୍ତୀ ସମୟରେ ଗୁମ୍ଫା ଭିତରକୁ ରାସ୍ତା ଚିହ୍ନାଇବାରେ ସାହାଯ୍ୟ କରିଥିଲା । ସେଠାରୁ ଫେରିବା ପରେ ସେ କଥା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ଜଣାଇଥିଲେ । [୪]
ବିଦ୍ୟାପତିଠାରୁ ଏ କଥା ଶୁଣି ରାଜା ଇନ୍ଦ୍ରଦ୍ୟୁମ୍ନ, ନୀଳମାଧବଙ୍କ ଦର୍ଶନ ନିମନ୍ତେ ଉତ୍କଳ ଦେଶକୁ ଯାଇଥିଲେ । ଯଦିଓ ବିଦ୍ୟାପତିଙ୍କ ସହାୟତାରେ ନିଳକନ୍ଦରକୁ ଠାବ କରିବାରେ ସକ୍ଷମ ହୋଇଥିଲେ କିନ୍ତୁ ସେଠାରେ ନୀଳମାଧବଙ୍କ ଦର୍ଶନ କରିପାରିନଥିଲେ । ପୁରାଣରେ ବର୍ଣ୍ଣିତ ତଥ୍ୟ ଅନୁଯାୟୀ ରାଜାଙ୍କୁ ନୀଳସିନ୍ଧୁ କୂଳରେ ଅବସ୍ଥିତ ନୀଳଶଇଳଠାରେ ଗୋଟିଏ ଭବ୍ୟ ମନ୍ଦିର ନିର୍ମାଣ କରିବା ନିମନ୍ତେ ଏକ ଦିବ୍ୟଶ୍ୱର ମାଧ୍ୟମରେ ଆଦେଶନାମା ହୋଇଥିଲା । ରାଜା ଇନ୍ଦ୍ରଦ୍ୟୁମ୍ନ ତୁରନ୍ତ ସେହି ସ୍ଥାନରେ ଗୋଟିଏ ଭବ୍ୟ ମନ୍ଦିର ନିର୍ମାଣ କରିବା ନିମନ୍ତେ ଆଦେଶ ଦେଲେ । ବିଗ୍ରହ ତିଆରି କରିବାପାଇଁ ସେ ଗୋଟିଏ ରହସ୍ୟମୟ ବୁଢ଼ା ମହାରଣାଙ୍କୁ ସେ ଦାୟିତ୍ୱ ଦେଇଥିଲେ । [୫] କିନ୍ତୁ ମହାରଣା ଜଣକ ନିଜର କିଛି ସର୍ତ୍ତାବଳୀ ରଖି କାର୍ଯ୍ୟ ଆରମ୍ଭ କରିଥିଲେ ଓ ୨୧ ଦିନ ଯାଏ ବିଗ୍ରହ ତିଆରି ଚାଲିଥିବା ଗୃହର କବାଟ ନ ଖୋଲିବା ପାଇଁ ରାଜାଙ୍କୁ କହିଥିଲେ । ଏବଂ ରାଜା ମଧ୍ୟ ଉକ୍ତ ସର୍ତ୍ତକୁ ସାଦରେ ଗ୍ରହଣ କରିଥିଲେ ଓ ବିଗ୍ରହ ତିଆରି କାମ ମଧ୍ୟ ଆରମ୍ଭ ହୋଇଥିଲା । ଏମିତି ଅଳ୍ପ କିଛିଦିନ ଗଲାପରେ ଉକ୍ତ ଗୃହମଧ୍ୟରୁ ସମସ୍ତ ପ୍ରକାର ଶବ୍ଦ ଶୁଣାଯିବାର ବନ୍ଦ ହୋଇଗଲା । କିଛି ଅଘଟଣ ଘଟିଥିବାର ଅନୁମାନ କରି, ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ରାଣୀ "ଗୁଣ୍ଡିଚା" ବ୍ୟସ୍ତବିବ୍ରତ ହୋଇ ଉକ୍ତ ଗୃହର କବାଟ ଖୋଲି ଦେଇଥିଲେ । କିନ୍ତୁ ସେଠାରେ ସେ କେବଳ କାଠର ତିନୋଟି ଦରଗଢ଼ା ମୁର୍ତ୍ତି ହିଁ ଦେଖିବାକୁ ପାଇଥିଲେ ଓ କାରିଗର ଜଣଙ୍କୁ ସେଠାରୁ ଅନ୍ତର୍ଧାନ ହୋଇଯାଇଥିଲେ । ବିଧାତାଙ୍କ ଆଦେଶ ଭାବି, ରାଜା ଇନ୍ଦ୍ରଦ୍ୟୁମ୍ନ ଦରଗଢ଼ା ତିନି ବିଗ୍ରହଙ୍କୁ ନେଇଁ ନୀଳଶଇଳରେ ସ୍ଥାପନ କରିଥିଲେ ।[୬]
ଜଗନ୍ନାଥ ସାହିତ୍ୟରେ ଇନ୍ଦ୍ରଦ୍ୟୁମ୍ନ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "ଜଗନ୍ନାଥ ମନ୍ଦିର କିମ୍ବଦନ୍ତୀ". Odisha Tourism. Retrieved 10 September 2015.
- ↑ "ନିଳଚକ୍ର". Nilachakra Team. Archived from the original on 7 April 2015. Retrieved 10 September 2015.
- ↑ Mahesh Sharma (2005). Tales From The Puranas. Diamond Pocket Books (P) Ltd. pp. 55–. ISBN 978-81-288-1040-4.
- ↑ "ଇନ୍ଦ୍ରଦ୍ୟୁମ୍ନ". wikipedia. Retrieved 10 September 2015.
- ↑ "ଜଗନ୍ନାଥ ଦର୍ଶନ". Bhakti Bedant book trust. Archived from the original on 21 September 2015. Retrieved 10 September 2015.
- ↑ "ଶ୍ରୀମନ୍ଦିର ଇତିହାସ". Jgannath Puri. Archived from the original on 16 April 2015. Retrieved 10 September 2015.