ମୁକୁନ୍ଦ ଦେବ

ଉଇକିପିଡ଼ିଆ‌ରୁ
(Mukunda Devaରୁ ଲେଉଟି ଆସିଛି)

ଖୋର୍ଦ୍ଧା ଭୋଇ ରାଜବଂଶର ଇତିହାସ ହେଉଛି ଓଡ଼ିଶାର ଦୀର୍ଘ ଅଢ଼େଇଶହ ବର୍ଷର ଇତିହାସ । ଓଡ଼ିଶାର ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କ ଅସ୍ତିତ୍ୱ ସହିତ ସେହି ଇତିହାସ ଓତଃପ୍ରୋତଃ ଭାବେ ଜଡ଼ିତ । ଭୋଇ ରାଜବଂଶର ପ୍ରତିଷ୍ଠାତା ହେଲେ ଗଜପତି ରାମ ଚନ୍ଦ୍ର ଦେବ ଏବଂ ସେହି ବଂଶର ଦ୍ୱାଦଶ ରାଜା ମୁକୁନ୍ଦଦେବ ବା ମୁକୁନ୍ଦ ହରିଚନ୍ଦନ ହେଉଛନ୍ତି ଓଡ଼ିଶାର ଶେଷ ସ୍ୱାଧୀନ ରାଜା । ସୂର୍ଯ୍ୟବଂଶ ପରେ ୧୫୪୦ ଖ୍ରୀ:ଅ:ରୁ ୧୫୫୯ ଖ୍ରୀ:ଅ: ପର୍ଯ୍ୟନ୍ତ ଭୋଇ ବଂଶ ଏବଂ ୧୫୫୯ ଖ୍ରୀ:ଅ:ରୁ ୧୫୬୮ ଖ୍ରୀ:ଅ: ପର୍ଯ୍ୟନ୍ତ ଚାଲୁକ୍ୟ ତେଲେଙ୍ଗା ମୁକୁନ୍ଦ ଦେବ ଓଡ଼ିଶାରେ ରାଜୁତି କରିଥିଲେ ।[୧]

ଇତିହାସ[ସମ୍ପାଦନା]

ଚାଲୁକ୍ୟ ବଂଶର ରାଜା ମୁକୁନ୍ଦ ଦେବ ୧୫୫୯ରେ ସିଂହାସନ ଆରୋହଣ କରିଥିଲେ । ୧୫୬୦ରେ ବଂଗଳାର ସୁଲତାନ ଗୀୟାସୁଦ୍ଦିନ୍ ଜଲାଲା ସାହା ଓଡ଼ିଶା ଆକ୍ରମଣ ପୂର୍ବକ ଯାଜପୁର ପର୍ଯ୍ୟନ୍ତ ମାଡିଆସିଥିଲେ । ତେବେ ମୁକୁନ୍ଦଦେବ ତାଙ୍କୁ ପରାସ୍ତ କରି ଘଉଡାଇଦେଲେ । ଠିକ ସେହି ସମୟରେ ଆଫଗାନ ସେନାପତି ସୁଲତାନ ସୁଲେମାନ କିର୍ରାନି ବଙ୍ଗ ଅଧିକାର କରି ସୁଲତାନ ପଦରେ ଅଭିଷିକ୍ତ ହେଲେ । ତାଙ୍କ ଶତ୍ରୁ ଇବ୍ରାହୀମ ବଂଗରୁ ପଳାୟନ କରି ମୁକୁନ୍ଦ ଦେବଙ୍କ ଶରଣାପନ୍ନ ହେଲେ । ଆକବର ସେତେବେଳେ ବଙ୍ଗ ଅଧିକାର ପାଇଁ ଯୋଜନା କରୁଥିଲେ । ଅତଏବ ସେ ମୁକୁନ୍ଦ ଦେବଙ୍କ ସହାୟତା ଲୋଡିଲେ । ମୁକୁନ୍ଦ ଦେବ ଏଥିପାଇଁ ସମ୍ମତି ପ୍ରଦାନ କରି ସୁଲେମାନ ଖାଁ କରାଣୀଙ୍କର ଶତ୍ରୁ ବନିଗଲେ । ୧୫୬୭ରେ ଆକବର ଯେତେବେଳେ ଚିତୋର ଆକ୍ରମଣରେ ବ୍ୟସ୍ତ ଥିଲେ, ହଠାତ୍‌ ବଙ୍ଗଳାର ମୋଗଲ ଶାସକ ସୁଲତାନ ସୁଲେମାନ କିର୍ରାନି ଓଡ଼ିଶା ଆକ୍ରମଣ କଲେ । ଇତିମଧ୍ୟରେ, ସୁଲତାନଙ୍କ ପୁଅ ବୟାଜିଦ୍ ଏବଂ ସେନାପତି କଳାପାହାଡ଼ ସୈନ୍ୟବାହିନୀ ସହ ଆସି ଅତର୍କିତ ଓଡ଼ିଶା ଆକ୍ରମଣ କଲେ । ଏହି ସମୟରେ କଳାପାହାଡ଼ର ଆକ୍ରମଣରେ ଓଡ଼ିଶାର ଅନେକ ମନ୍ଦିର ଧ୍ୱଂସ ହୋଇଗଲା ।[୨] ମାଦଳା ପାଞ୍ଜିରେ କଳାପାହାଡ଼ କୋଣାର୍କ ମନ୍ଦିର ଧ୍ୱଂସ କରିବା କଥା ଲିପିବଦ୍ଧ ଅଛି । ମନ୍ଦିରରେ ଥିବା ୨୦ ଫୁଟର କାନ୍ଥ ଭାଙ୍ଗିବା ପାଇଁ ସେ ସକ୍ଷମ ହୋଇଥିଲେ । ମନ୍ଦିରର ଦଧିନଉତି ତଥା ଅଧିକାଂଶ ମୂର୍ତ୍ତି ସେ ଭାଙ୍ଗିଦେଇଥିଲେ । ଏକାକୀ ମୁକୁନ୍ଦଦେବ ଏହି ଅତର୍କିତ ଆକ୍ରମଣକୁ ପ୍ରତିହତ କରି ନ ପାରି ସୁଲତାନଙ୍କଦ୍ୱାରା ବନ୍ଦୀ ହେଲେ । ତେବେ, ସାରଙ୍ଗଗଡର କରଦ ରାଜା ଗଜପତି ରାମଚନ୍ଦ୍ର ଭଞ୍ଜ ବିଦ୍ରୋହ କରି ନିଜକୁ ରାଜା ଘୋଷଣା କଲେ । ଅତଏବ, ମୁକୁନ୍ଦଦେବ ତାଙ୍କର ଏହି ଶତ୍ରୁ ରାଜାଙ୍କୁ ପରାସ୍ତ କରିବା ନିମନ୍ତେ ସୁଲେମାନଙ୍କ ସାହାଯ୍ୟ ନେଇଥିଲେ । ଏଭଳି ଘଡିସନ୍ଧି ମୁହୁର୍ତ୍ତରେ ମୁକୁନ୍ଦ ଦେବ ବୟାଜିତଙ୍କ ସହ ଏକ ସନ୍ଧି କରି ରାମଚନ୍ଦ୍ର ଭଞ୍ଜଙ୍କ ବିପକ୍ଷରେ ଯୁଦ୍ଧ କରିବାକୁ ଆଗେଇ ଆସିଲେ । ଗୋହିରାଟିକିରିଠାରେ ଉଭୟଙ୍କ ମଧ୍ୟରେ ଭୟଂକର ଯୁଦ୍ଧ ହେଲା । ଯୁଦ୍ଧରେ ମୁକୁନ୍ଦ ଦେବ ପ୍ରାଣ ହରାଇଲେ । ରାମଚନ୍ଦ୍ର ଭଞ୍ଜ ମଧ୍ୟ ବୟଜିତଙ୍କଦ୍ୱାରା ନିହତ ହେଲେ ଏବଂ ଓଡ଼ିଶା ଏହିପରି ଭାବେ ୧୫୬୮ରେ ଆଫଗାନ ଅଧିନକୁ ଚାଲିଗଲା ।[୩]

ଆଧାର[ସମ୍ପାଦନା]

  1. ଚୌଧୁରୀ, ଡଃ ଜନ୍ମେଜୟ. "ଭାରତର ଶେଷ ସ୍ୱାଧୀନ ରାଜା ମୁକୁନ୍ଦ ଦେବ" (PDF). ଉତ୍କଳ ପ୍ରସଙ୍ଗ (ଜାନୁୟାରୀ ୨୦୦୬): ୨୭-୩୧. Retrieved 15 September 2015.
  2. Durga Prasad Patnaik (1 January 1989). Plam-Leaf Etchings Of Orissa. Abhinav Publications. ISBN 978-81-7017-248-2. Retrieved ୧୬ ସେପ୍ଟେମ୍ବର ୨୦୧୫. {{cite book}}: Check date values in: |accessdate= (help)
  3. Pattnaik, Durga prasad. Palm Leaf Etchings of Orissa. Abhinaba Publications. pp. 4–5.