ୟୁନିଫର୍ମ୍ ରିସୋର୍ସ୍ ଲୋକେଟର୍ (Uniform Resource Locator)

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ଗୋଲ୍ ବୁଲାଯାଇଥିବା ଅଂଶରେ ଥିବା ଧାଡ଼ିଟି ଏହି ପୃଷ୍ଠାର URL ଅଟେ ।

ୟୁନିଫର୍ମ୍ ରିସୋର୍ସ୍ ଲୋକେଟର୍ (URL) ହେଉଛି ଇଣ୍ଟରନେଟରେ ଉପଲବ୍ଧ ଯେ କୌଣସି ପୃଷ୍ଠାର ଠିକଣା । ଏହାକୁ ମଧ୍ୟ ସାଧାରଣ ଭାବେ ଇଣ୍ଟରନେଟ ଆଡ୍ରେସ ବା ୱେବ ଆଡ୍ରେସ କୁହାଯାଏ ।[୧] ଏହି ଠିକଣା ଦ୍ୱାରା ଏକ କମ୍ପ୍ୟୁଟର ନେଟୱାର୍କ‌ରେ ସଂଲଗ୍ନ ପୃଷ୍ଠାଟିର ସ୍ଥିତି ତ‌ଥା ଏହାକୁ ଖୋଜି ପାଇବାର କୌଶଳ ସମ୍ପର୍କରେ ଜଣା ପଡ଼ିଥାଏ । ପ୍ରତ୍ୟେକ ୱେବ୍ ପେଜ୍ ବା ପୃଷ୍ଠା ପାଇଁ ଏହି URL ଅଲଗା ଅଲଗା ହୋଇଥାଏ । ୟୁନିଫର୍ମ ରିସୋର୍ସ ଲୋକେଟର (URL) ହେଉଛି ଏକ ପ୍ରକାରର ୟୁନିଫର୍ମ ରିସୋର୍ସ ଆଇଡେଣ୍ଟିଫାୟର (URI) । URI ଦ୍ୱାରା ଏକ ୱେବ ପେଜ୍‌କୁ କେବଳ ଚିହ୍ନଟ କରାଯାଇଥାଏ । କିନ୍ତୁ URL ଦ୍ୱାରା ୱେବ ପେଜ୍‌ଟିକୁ ଖୋଜି ପାଇବାର କୌଶଳ ମଧ୍ୟ ଜଣାପଡ଼ିଥାଏ । ଯଦିଓ ଏହାକୁ ମୁଖ୍ୟତଃ ୱେବ ପେଜ୍‌ର ଠିକଣା ଭାବେ ବ୍ୟବ‌ହାର କରାଯାଏ, ଫାଇଲ୍ ଆଦାନପ୍ରଦାନ (File transfer), ଇମେଲ (E-mail), ଡାଟାବେସ ବ୍ୟବ‌ହାର (Database access) ଏବଂ ଆହୁରି ଅନେକ କ୍ଷେତ୍ରରେ ମଧ୍ୟ ଏହା ବ୍ୟବ‌ହୃତ ହୋଇଥାଏ । ଅଧିକାଂଶ ୱେବ ବ୍ରାଉଜର‌ରେ ୱେବ ପେଜ୍‌ର ଉପରେ ଥିବା ଆଡ୍ରେସ ବାର‌ରେ ୱେବ ପେଜ୍‌ଟିର URL ପ୍ରଦର୍ଶିତ ହୋଇଥାଏ । ନିମ୍ନଲିଖିତ ଧାଡ଼ିଟିକୁ ଏକ ସାଧାରଣ URLର ଉଦାହରଣ ଭାବେ ନିଆଯାଇ ପାରେ :

http://www.example.com/index.html

ଏଠାରେ http ହେଉଛି ଏକ ପ୍ରୋଟୋକଲ୍, www.example.com ହେଉଛି ହୋଷ୍ଟ୍ ନେମ୍ ବା ସଂଲଗ୍ନ ପୃଷ୍ଠା (ଏଠାରେ ଫାଇଲ୍)ଟି ଥିବା ସର୍ଭର୍‌ର ନାମ ଏବଂ index.html ହେଉଛି ଫାଇଲ୍‌ର ନାମ (ଏଠାରେ ପୃଷ୍ଠାଟି ନିଜେ ହିଁ ଏକ ଫାଇଲ୍) । ସାଧାରଣତଃ http ଏବଂ https ପ୍ରୋଟୋକଲ୍‌କୁ ବ୍ୟବ‌ହାର କରୁଥିବା URLକୁ ହିଁ ୱେବ୍ ଆଡ୍ରେସ୍ କୁହାଯାଏ ।[୨] ଫାଇଲ୍ ଆଦାନପ୍ରଦାନ ପାଇଁ ବ୍ୟବ‌ହୃତ URLରେ ftp ପ୍ରୋଟୋକଲ୍ (File Transfer Protocol) ବ୍ୟବ‌ହୃତ ହୋଇଥାଏ ।[୩] ଉଦାହରଣ ସ୍ୱରୂପ :

ftp://www.somecompany.com/whitepapers/widgets.ps

ସେହିପରି କୌଣସି ଇ-ମେଲ୍ କ୍ଲାଇଣ୍ଟ୍‌କୁ ଖୋଲିବା ପାଇଁ mailto ପ୍ରୋଟୋକଲ୍ ଓ କୌଣସି ଡାଟାବେସ୍ ବ୍ୟବ‌ହାର କରିବା ପାଇଁ jdbc ପ୍ରୋଟୋକଲ୍ ବ୍ୟବ‌ହୃତ ହୋଇଥାଏ ।[୪]

ଇତିହାସ[ସମ୍ପାଦନା]

ଟିମ୍ ବର୍ନର୍ସ୍-ଲି

ୟୁନିଫର୍ମ୍ ରିସୋର୍ସ୍ ଲୋକେଟର୍ (URL) ୧୯୯୪ ମସିହାରେ ୱାର୍ଲଡ୍ ୱାଇଡ୍ ୱେବ୍ (WWW)ର ଉଦ୍ଭାବକ ଟିମ୍ ବର୍ନର୍ସ୍-ଲି ଓ URI ଉପରେ କାମ କରୁଥିବା ଇଣ୍ଟର୍‌ନେଟ୍ ଇଂଜିନିୟରିଂ ଟାସ୍କ୍ ଫୋର୍ସ୍ (IETF)ର ଏକ ଦଳଙ୍କ ମିଳିତ ଉଦ୍ୟମରେ ତିଆରି ହୋଇଥିଲା ।[୫] ରିକ୍ୱେଷ୍ଟ୍ ଫର୍ କମେଣ୍ଟ୍‌ସ୍ (RFC) ୧୭୩୮ରେ URLର ଲିଖନ ଶୈଳୀ ବିଷୟରେ ବର୍ଣ୍ଣନା କରାଯାଇଛି ।[୬] URLର ଲିଖନ ଶୈଳୀରେ ୧୯୮୫ ମସିହାରେ ତିଆରି ହୋଇଥିବା ଡୋମେନ୍ ନେମ୍ ସିଷ୍ଟମ୍ ଓ ଫାଇଲ୍ ପାଥ୍ ସିନ୍ଟାକ୍ସ୍ ବ୍ୟବ‌ହୃତ ହୋଇଥାଏ । URLର ଅନ୍ୟାନ୍ୟ ଅଂଶଗୁଡ଼ିକ ଠାରୁ ଡାଇରେକ୍ଟୋରି କିମ୍ବା ଫାଇଲ୍‌ର ନାମକୁ ଅଲଗା କରିବା ପାଇଁ ସ୍ଲାଶ୍ (/) ସଙ୍କେତ ବ୍ୟବ‌ହାର କରାଯାଏ । ସେହିପରି ୱେବ୍‌ସାଇଟ୍‌ର ନାମ ବା ହୋଷ୍ଟ୍ ନେମ୍‌ଟି // (୨ଟି ସ୍ଲାଶ୍) ସଙ୍କେତରୁ ଆରମ୍ଭ ହୋଇଥାଏ ।

ସିନ୍ଟାକ୍ସ୍[ସମ୍ପାଦନା]

URLର ସିନ୍ଟାକ୍ସ୍ ବା ଲିଖନ ଶୈଳୀ URIର ସିନ୍ଟାକ୍ସ୍ ସ‌ହିତ ପ୍ରାୟ ସମାନ । URIର ସିନ୍ଟାକ୍ସ୍ ନିମ୍ନରେ ଦିଆଗଲା—

scheme:[//[user:password@]host[:port]][/]path[?query][#fragment]

ଏଥିରେ ଥିବା ଅଂଶଗୁଡ଼ିକ ହେଲା :

ଏଠାରେ https ପ୍ରୋଟୋକଲ୍ scheme ଭାବେ ବ୍ୟବ‌ହୃତ ହୋଇଛି ।
  • scheme : ଏହା ଇଂରାଜୀ ଅକ୍ଷର, ଇଂରାଜୀ ସଂଖ୍ୟା ତ‌ଥା କିଛି ବିଶେଷ ସଙ୍କେତକୁ ନେଇ ଗଠିତ ଏକ ଧାଡ଼ି । ଏହା ଏକ ଇଂରାଜୀ ଅକ୍ଷରରୁ ଆରମ୍ଭ ହୋଇଥାଏ ଏବଂ ଏଥିରେ ଯେ କୌଣସି ସଂଖ୍ୟକ ଇଂରାଜୀ ସଂଖ୍ୟା, ଯୁକ୍ତ ଚିହ୍ନ (+), ପିରିୟଡ଼୍ (.) ଓ ହାଇଫେନ୍ (-) ରହିପାରେ । ଏହା କେସ୍ ସେନ୍ସିଟିଭ୍ ଅଟେ । ତେବେ ସାଧାରଣତଃ ଏଥିରେ ଲୋଅର୍ କେସ୍ ଅକ୍ଷର ହିଁ ବ୍ୟବ‌ହୃତ ହୋଇଥାଏ । ଏହାର ଶେଷରେ ଏକ କଲୋନ୍ ଚିହ୍ନ (:) ଥାଏ । ମୁଖ୍ୟତଃ http, https (httpର ସୁରକ୍ଷିତ ଭର୍ସନ୍), ftp, mailto, data ଇତ୍ୟାଦି ପ୍ରୋଟୋକଲ୍‌ଗୁଡ଼ିକ scheme ଭାବରେ ବ୍ୟବ‌ହୃତ ହୋଇଥାଏ ।
ଏଠାରେ ଗୋଲାକାର ଅଂଶଟି URLରେ ବ୍ୟବ‌ହୃତ ୨ଟି ସ୍ଲାଶ୍ ଚିହ୍ନ ଅଟେ ।
  • ୨ଟି ସ୍ଲାଶ୍ (//) : ଏହା କେତେକ କ୍ଷେତ୍ରରେ ବାଧ୍ୟତାମୂଳକ ହୋଇଥିବା ବେଳେ ଏନ୍ୟ କେତେକ କ୍ଷେତ୍ରରେ ଏହାକୁ ଲେଖିବାର ଆବଶ୍ୟକତା ନ ଥାଏ । authority ଭାଗଟି (ନିମ୍ନରେ ବର୍ଣ୍ଣନା କରାଯାଇଥିବା) ଉହ୍ୟ ଥିଲେ path ଭାଗଟି // ଦ୍ୱାରା ଆରମ୍ଭ ହୋଇନଥାଏ ।
  • authority : ଏହା ତିନିଟି ଅଂଶକୁ ନେଇ ଗଠିତ, ଯଥା—
  • authentication : ଏହି ଭାଗଟି ବାଧ୍ୟତାମୂଳକ ନୁହେଁ । ଏଥିରେ ଗୋଟିଏ ୟୁଜର୍ ନେମ୍ (user) ଓ ତ‌ତ୍‌ସଂଲଗ୍ନ ପାସ୍‌ୱାର୍ଡ଼୍‌ଟି (password) ଥାଏ । ଏହି ୟୁଜର୍ ନେମ୍ ଓ ପାସ୍‌ୱାର୍ଡ଼୍ ପରସ୍ପରଠାରୁ ଏକ କଲୋନ୍ ଚିହ୍ନ (:) ଯୋଗେ ଅଲଗା ହୋଇଥାନ୍ତି । ଏହି authentication ଅଂଶର ଶେଷରେ ଏକ ଆଟ୍ ଚିହ୍ନ (@) ଥାଏ ।
URLରେ ଓଡ଼ିଆ ଉଇକିପିଡ଼ିଆର ହୋଷ୍ଟ୍ ନେମ୍ ।
  • host : ଏହା ଏକ ରେଜିଷ୍ଟର୍ଡ଼୍ ହୋଇଥିବା ହୋଷ୍ଟ୍ ନେମ୍ ବା ସର୍ଭର୍‌ର ନାମ କିମ୍ବା ଏକ IP ଆଡ୍ରେସ୍‌କୁ ନେଇ ଗଠିତ । ଏଠାରେ IP ଆଡ୍ରେସ୍‌ଟି IPv4 ଆଡ୍ରେସ୍ ହୋଇଥିଲେ ଏହାକୁ ଡଟେଡ୍-ଡେସିମାଲ୍ ନୋଟେସନ୍‌ରେ ଲେଖାଯାଇଥାଏ ଏବଂ IPv6 ଆଡ୍ରେସ୍ ହୋଇଥିଲେ ଏହାକୁ ବର୍ଗ ବନ୍ଧନୀ ([ ]) ଭିତରେ ରଖିବା ବାଧ୍ୟତାମୂଳକ ହୋଇଥାଏ । ଏହି ହୋଷ୍ଟ୍ ନେମ୍‌କୁ ଡୋମେନ୍ ନେମ୍ ମଧ୍ୟ କୁହାଯାଏ । କ୍ଲାଇଣ୍ଟ୍ କେଉଁ ୱେବ୍ ସର୍ଭର୍‌କୁ ରିକ୍ୱେଷ୍ଟ୍ ପଠାଉଛି, ତାହା ଏହି ଡୋମେନ୍ ନେମ୍‌ରୁ ହିଁ ଜଣାପଡ଼ିଥାଏ । ଏଠାରେ ଡୋମେନ୍ ନେମ୍ ବଦଳରେ ସିଧାସଳଖ ସର୍ଭର୍‌ଟିର IP ଆଡ୍ରେସ୍ ମଧ୍ୟ ବ୍ୟବ‌ହାର କରାଯାଇପାରେ । କିନ୍ତୁ ଅନେକଗୁଡ଼ିଏ ୱେବ୍ ସର୍ଭର୍‌ର IP ଆଡ୍ରେସ୍‌କୁ ମନେ ରଖି, ସେଗୁଡ଼ିକୁ URLରେ ବାରମ୍ବାର ବ୍ୟବ‌ହାର କରିବା ଏକ କଷ୍ଟସାଧ୍ୟ କାମ ହୋଇଥିବାରୁ ସାଧାରଣତଃ ଡୋମେନ୍ ନେମ୍‌କୁ ହିଁ URLଗୁଡ଼ିକରେ ବ୍ୟବ‌ହାର କରାଯାଇଥାଏ ।[୭]
  • port ନମ୍ବର : ଏହି ଭାଗଟି ବାଧ୍ୟତାମୂଳକ ନୁହେଁ । ଏହା ଏକ କଲୋନ୍ ଚିହ୍ନ (:) ଦ୍ୱାରା ହୋଷ୍ଟ୍ ନେମ୍ ଠାରୁ ଅଲଗା ହୋଇଥାଏ । URLରେ ଦିଆଯାଇଥିବା ୱେବ୍ ସର୍ଭର୍‌ରୁ ଆବଶ୍ୟକୀୟ ସମ୍ବଳକୁ (ଫାଇଲ୍, ଡାଟା ଇତ୍ୟାଦି) ବ୍ୟବ‌ହାର କରିବା ପାଇଁ ବ୍ୟବ‌ହୃତ ଟେକ୍ନିକାଲ୍ ଗେଟ୍‌କୁ ଏହି port ନମ୍ବର ଦର୍ଶାଇଥାଏ । ଦିଆଯାଇଥିବା ସର୍ଭର୍‌ଟି ନିଜ ସମ୍ବଳ ରିକ୍ୱେଷ୍ଟ୍ କରିଥିବା କ୍ଲାଇଣ୍ଟ୍ ଦ୍ୱାରା ବ୍ୟବ‌ହୃତ ହୋଇପାରିବ ବୋଲି ସ୍ୱୀକୃତି ପ୍ରଦାନ କରିବା ପାଇଁ http ପ୍ରୋଟୋକଲ୍‌ର ମାନ‌କ ପୋର୍ଟ୍ (Standard port) ବ୍ୟବ‌ହାର କରୁଥିଲେ, URLର ଏହି ଭାଗଟି ଉହ୍ୟ ରହେ । ଅନ୍ୟ ଅମସ୍ତ କ୍ଷେତ୍ରରେ ଏହି ଭାଗଟି ବାଧ୍ୟତାମୂଳକ ଅଟେ । http ପ୍ରୋଟୋକଲ୍‌ର ମାନ‌କ ପୋର୍ଟ୍ ନମ୍ବର ୮୦ ହୋଇଥିବା ବେଳେ https ପ୍ରୋଟୋକଲ୍‌ର ମାନ‌କ ପୋର୍ଟ୍ ନମ୍ବର ୪୪୩ ଅଟେ ।[୭]
ଗୋଲ୍ ବୁଲାଯାଇଥିବା ଅଂଶଟି ଏହି ପୃଷ୍ଠାଟିର path ଅଟେ ।
  • path : ଏହା ପଦାନୁକ୍ରମିକ (Hierarchical form) ଭାବେ ସଜାହୋଇଥିବା କେତେକ ତ‌ଥ୍ୟକୁ (Data) ନେଇ ଗଠିତ । ଏହି ତ‌ଥ୍ୟଗୁଡ଼ିକ ପରସ୍ପରଠାରୁ ସ୍ଲାଶ୍ ଚିହ୍ନ (/) ଦ୍ୱାରା ଅଲଗା ହୋଇଥାନ୍ତି । ଏହି ଭାଗଟି ସାଧାରଣତଃ ଏକ ଫାଇଲ୍ ସିଷ୍ଟମ୍ ପାଥ୍‌କୁ ଦର୍ଶାଇଥାଏ । pathଟି ଏକ ସ୍ଲାଶ୍ ଚିହ୍ନରୁ (/) ଆରମ୍ଭ ହୋଇଥାଏ । କିନ୍ତୁ ଏହା ୨ଟି ସ୍ଲାଶ୍ ଚିହ୍ନରୁ (/) ଆରମ୍ଭ ହୋଇପାରିବ ନାହିଁ । ଏହି ପାଥ୍ ନେମ୍ ୱେବ୍ ସର୍ଭର୍‌ରେ ଥିବା ସମ୍ବଳର ପାଥ୍‌କୁ ଦର୍ଶାଇଥାଏ । ଆଗରୁ ଏହି ପାଥ୍ ନେମ୍ କେବଳ ୱେବ୍ ସର୍ଭର୍‌ରେ ଥିବା କୌଣସି ଫିଜିକାଲ୍ ଫାଇଲ୍‌ର ସ୍ଥିତିକୁ ହିଁ ଦର୍ଶାଉଥିଲା । ମାତ୍ର ଏବେ ଅଧିକାଂଶ କ୍ଷେତ୍ରରେ ଏହା କୌଣସି ଫିଜିକାଲ୍ ଅସ୍ତିତ୍ତ୍ୱ ନ ଥିବା ଆବ୍‌ଷ୍ଟ୍ରାକ୍ସନ୍‌କୁ ଦର୍ଶାଉଛି ।[୭]
URL କ୍ୱେରୀ
  • query : ଏହି ଭାଗଟି ବାଧ୍ୟତାମୂଳକ ନୁହେଁ । ଏହା URLର ପୂର୍ବବର୍ତ୍ତୀ ଭାଗଠାରୁ ଏକ ପ୍ରଶ୍ନବାଚକ ଚିହ୍ନ (?) ଯୋଗେ ଅଲଗା ହୋଇଥାଏ । ଏଥିରେ ପଦାନୁକ୍ରମିକ ଭାବେ ସଜା ହୋଇନଥିବା ଏକ କ୍ୱେରୀ ଷ୍ଟ୍ରିଙ୍ଗ୍ ଥାଏ । ଏଥିରେ ସାଧାରଣତଃ ଏକ ଡେଲିମିଟର୍ ଦ୍ୱାରା ଅଲଗା ହୋଇଥିବା କିଛି ଯୋଡ଼ା ଆଟ୍ରିବ୍ୟୁଟ୍ଭ୍ୟାଲ୍ୟୁ (Attribute-Value pair) ରହିଥାଏ । ଏଠାରେ ଆଟ୍ରିବ୍ୟୁଟ୍‌କୁ କି (Key) ମଧ୍ୟ କୁହାଯାଇଥାଏ ଏବଂ ଆମ୍ପର୍ସାଣ୍ଡ୍ (&) କିମ୍ବା ସେମିକଲୋନ୍‌କୁ (;) ଡେଲିମିଟର୍ ଭାବେ ବ୍ୟବ‌ହାର କରାଯାଇପାରେ ।
କ୍ୱେରୀ ଡେଲିମିଟର୍ ଉଦାହରଣ
ଆମ୍ପର୍ସାଣ୍ଡ୍ (&) ?key1=value1&key2=value2
ସେମିକଲୋନ୍‌ (;) ?key1=value1;key2=value2
ଏହି query ହେଉଛି ୱେବ୍ ସର୍ଭର୍‌କୁ ଦିଆଯାଉଥିବା ଅତିରିକ୍ତ ପାରାମିଟର୍ । ଏହାକୁ ବ୍ୟବ‌ହାର କରି ୱେବ୍ ସର୍ଭର୍ ରିକ୍ୱେଷ୍ଟ୍ କରାଯାଇଥିବା ଫାଇଲ୍‌ଟି ଦେବା ପୂର୍ବରୁ କିଛି ଅତିରିକ୍ତ କାର୍ଯ୍ୟ କରିଥାଏ । ପାରାମିଟର୍‌ଗୁଡ଼ିକୁ ନେଇ ପ୍ରତ୍ୟେକ ୱେବ୍ ସର୍ଭର୍‌ର ନିଜସ୍ୱ କିଛି ନିୟମ ଥାଏ । ଗୋଟିଏ ନିର୍ଦ୍ଦିଷ୍ଟ ୱେବ୍ ସର୍ଭର୍ ପାରାମିଟର୍‌ଗୁଡ଼ିକୁ କିପରି ହ୍ୟାଣ୍ଡେଲ୍ କରୁଛି ତାହା ଜାଣିବା ପାଇଁ ସେହି ୱେବ୍ ସର୍ଭର୍‌ର ମାଲିକଙ୍କୁ (Owner) ପଚାରିବାକୁ ପଡ଼ିଥାଏ ।[୭]
URLର fragment ଅଂଶ ।
  • fragment : ଏହି ଭାଗଟି URLର ପୂର୍ବବର୍ତ୍ତୀ ଭାଗଠାରୁ ଏକ ହାଶ୍ ଚିହ୍ନ (#) ଦ୍ୱାରା ଅଲଗା ହୋଇଥାଏ । ଏହି fragmentରେ ଏକ ଫ୍ରାଗ୍‌ମେଣ୍ଟ୍ ଆଇଡେଣ୍ଟିଫାୟର୍ ଥାଏ । ଏହା ୱେବ୍ ସର୍ଭର୍‌ରେ ଥିବା ଏକ ସେକେଣ୍ଡାରୀ ସମ୍ବଳକୁ (Secondary resource), ଯଥା- URL ଦ୍ୱାରା ଚିହ୍ନଟ କରାଯାଇଥିବା କୌଣସି ପ୍ରସଙ୍ଗ ବା ଲେଖାର କୌଣସି ବିଭାଗର ଶୀର୍ଷକ (Heading), ଦର୍ଶାଇଥାଏ । ପ୍ରାଇମେରୀ ସମ୍ବଳଟି (Primary Resource) ଏକ HTML ଡକୁମେଣ୍ଟ୍ ହୋଇଥିଲେ, ଫ୍ରାଗ୍‌ମେଣ୍ଟ୍ କୌଣସି ନିର୍ଦ୍ଦିଷ୍ଟ ଏଲିମେଣ୍ଟ୍‌ର id ଆଟ୍ରିବ୍ୟୁଟ୍‌କୁ ଦର୍ଶାଇଥାଏ ଏବଂ ୱେବ୍ ବ୍ରାଉଜର୍ ଏହି ଆଟ୍ରିବ୍ୟୁଟ୍‌କୁ ଦେଖାଇଥାଏ । ଅନ୍ୟ ଅର୍ଥରେ କ‌ହିଲେ ଫ୍ରାଗ୍‌ମେଣ୍ଟ୍ ଏକ ଉପସ୍ଥାପକ ଭଳି କାମକରିଥାଏ । ଏହା ରିକ୍ୱେଷ୍ଟ୍ କରାଯାଇଥିବା ସମ୍ବଳର ଏକ ବିଭାଗକୁ ଉପସ୍ଥାପନ କରିଥାଏ । ଏହି ଉପସ୍ଥାପକ ମୁଖ୍ୟ ସମ୍ବଳଟି ମଧ୍ୟରେ ଏକ ବୁକ୍‌ମାର୍କ୍ ତିଆରି କରିଥାଏ, ଯାହା ୱେବ୍ ବ୍ରାଉଜର୍‌କୁ ସେହି ବୁକ୍‌ମାର୍କ୍ କରାଯାଇଥିବା ବିଭାଗକୁ ଯିବା ପାଇଁ ଦିଗ ସୂଚାଇଥାଏ । ତେଣୁ ଫ୍ରାଗ୍‌ମେଣ୍ଟ୍‌କୁ anchor ମଧ୍ୟ କୁହାଯାଏ । ତେବେ ଏହି ଫ୍ରାଗ୍‌ମେଣ୍ଟ୍‌କୁ କ୍ଲାଇଣ୍ଟ୍ ରିକ୍ୱେଷ୍ଟ୍‌ର ଏକ ଅଂଶ ଭାବରେ ସର୍ଭର୍‌କୁ ପଠାଯାଏ ନାହିଁ ।[୭]

URLକୁ ଏକ ଡାକ ଠିକଣା ଭାବରେ ନିଆଯାଇପାରେ । ଏଠାରେ ପ୍ରୋଟୋକଲ୍ ହେଉଛି ବ୍ୟବ‌ହାର କରିବାକୁ ଚାହୁଁଥିବା ଡାକ ସେବା, ଡୋମେନ୍ ନେମ୍ ହେଉଛି ସ‌ହରର ନାମ ଏବଂ ପୋର୍ଟ୍ ହେଉଛି ଜିପ୍ କୋଡ୍ ବା ପିନ୍ କୋଡ୍ । ଏଠାରେ ପାଥ୍ ଚିଠି ପ‌ହଞ୍ଚିବାକୁ ଥିବା ବିଲ୍‌ଡିଙ୍ଗ୍‌କୁ ଦର୍ଶାଏ । କ୍ୱେରୀ କିଛି ଅତିରିକ୍ତ ତ‌ଥ୍ୟ, ଯଥା- ଆପାର୍ଟ୍‌ମେଣ୍ଟ୍ ନମ୍ବରକୁ ଦର୍ଶାଏ ଏବଂ ଶେଷରେ ଫ୍ରାଗ୍‌ମେଣ୍ଟ୍ ଚିଠିର ପ୍ରକୃତ ଗ୍ରାହକ‌କୁ ଦର୍ଶାଇଥାଏ ।[୭]

ପ୍ରକାର[ସମ୍ପାଦନା]

ଡାଇନାମିକ୍ ୟୁ.ଆର୍.ଏଲ୍ (Dynamic URL)[ସମ୍ପାଦନା]

କୌଣସି ଡାଇନାମିକ୍ ୱେବ୍ ପେଜ୍‌ର ଆଡ୍ରେସ୍‌କୁ ଡାଇନାମିକ୍ URL କୁହାଯାଏ । ଏହି ପ୍ରକାର URL ସ‌ହ ଜଡ଼ିତ ଥିବା ୱେବ୍‌ସାଇଟ୍‌ଗୁଡ଼ିକ ସାଧାରଣତଃ ସ୍କ୍ରିପ୍ଟ୍ (Script) ରନ୍ କରି ଆଉଟ୍‌ପୁଟ୍ ଦେଖାଇଥାନ୍ତି । ସ୍କ୍ରିପ୍ଟ୍ ହେଉଛି ଏକ ସର୍ଭର୍ ସାଇଟ୍ ପ୍ରୋଗ୍ରାମ୍ । କ୍ଲାଇଣ୍ଟ୍ ଡାଇନାମିକ୍ URL ମାଧ୍ୟମରେ କୌଣସି ରେକ୍ୱେଷ୍ଟ୍ ପଠାଇଲେ ସେହି ରିକ୍ୱେଷ୍ଟ୍‌ର ପରିଣାମ ସ୍ୱରୂପ ସର୍ଭର୍‌ର ହାର୍ଡ଼ ଡିସ୍କ୍‌ରେ ଥିବା ଆବଶ୍ୟକୀୟ ସ୍କ୍ରିପ୍ଟ୍ ବା ପ୍ରୋଗ୍ରାମ୍‌ଟିକୁ ଚିହ୍ନିତ କରାଯାଏ । ଏହା ପରେ ସେହି ଚିହ୍ନିତ ପ୍ରୋଗ୍ରାମ୍‌ଟିକୁ ମେମୋରୀରେ ଲୋଡ଼୍ କରାଯାଇ ଏହାକୁ ରନ୍ କରାଯାଏ । ଏଥିରୁ ଯେଉଁ ଆଉଟ୍‌ପୁଟ୍ ବାହାରେ, ତାହାକୁ URLର ରେସ୍‌ପନ୍ସ୍ ସ୍ୱରୂପ କ୍ଲାଇଣ୍ଟ୍ ପାଖକୁ ପଠାଇ ଦିଆଯାଏ ।[୮] କେତେକ କ୍ଷେତ୍ରରେ କିଛି କ୍ୱେରୀ ଯୋଗେ ସର୍ଭର୍‌ରେ ଥିବ୍ ଡାଟାବେସ୍‌ରୁ କିଛି ତ‌ଥ୍ୟ ଉଦ୍ଧାର କରାଯାଇ ରେସ୍‌ପନ୍ସ୍ ସ୍ୱରୂପ କ୍ଲାଇଣ୍ଟ୍ ପାଖକୁ ପଠାଇ ଦିଆଯାଏ । ଏହି ପ୍ରକାର URLର ରେସ୍‌ପନ୍ସ୍ ସର୍ବଦା କୌଣସି ସ୍କ୍ରିପ୍ଟ୍ ବା କ୍ୱେରୀର ଆଉଟ୍‌ପୁଟ୍ ଉପରେ ନିର୍ଭର କରେ, ଯାହା ଡାଇନାମିକ୍ ଭାବରେ ସୃଷ୍ଟି ହୋଇଥାଏ । ଡାଇନାମିକ୍ URLଗୁଡ଼ିକରେ ମୁଖ୍ୟତଃ ତଳ‌ଲିଖିତ ସଙ୍କେତଗୁଡ଼ିକ ଥାଏ :[୯]

  • ?
  • &
  • %
  • +
  • =
  • $
  • cgi-bin
  • .cgi

ଉଦାହରଣ ସ୍ୱରୂପ :

http://www.springerlink.com/link.asp?id=100408[୧୦]

ଷ୍ଟାଟିକ୍ ୟୁ.ଆର୍.ଏଲ୍ (Static URL)[ସମ୍ପାଦନା]

ଏହି URL କୌଣସି ସ୍କ୍ରିପ୍ଟ୍‌କୁ କଲ୍ କରି ନ ଥାଏ ।[୧୧] ଏହା ସାଧାରଣତଃ .htm ବା .html ଫାଇଲ୍ ଏକ୍ସ୍‌ଟେନ୍‌ସନ୍ ଥିବା HTML ଡକୁମେଣ୍ଟ୍‌କୁ ପ୍ରଦର୍ଶିତ କରିଥାଏ ।[୧୨] ଉଦାହରଣ ସ୍ୱରୂପ :

http://muse.jhu.edu/journals/american_literature/[୧୩]

ବ୍ୟବ‌ହାର[ସମ୍ପାଦନା]

ଇଣ୍ଟର୍‌ନେଟ୍‌ରେ କୌଣସି ସମ୍ବଳକୁ ଖୋଜି ପାଇବା ପାଇଁ ସେହି ସମ୍ବଳର URLକୁ ବ୍ରାଉଜର୍‌ର ଆଡ୍ରେସ୍ ବାର୍‌ରେ ଟାଇପ୍ କାରାଯାଏ । ଏହାଛଡ଼ା ଏହାର ଆହୁରି ମଧ୍ୟ ଅନେକ ବ୍ୟବ‌ହାର ଅଛି । HTML ଲାଙ୍ଗୁଏଜ୍‌ରେ URLର ବ‌ହୁଳ ବ୍ୟବ‌ହାର କାରାଯାଇଥାଏ । ଯଥା :

  • <a> ଏଲିମେଣ୍ଟ୍ ବ୍ୟ‌ବ‌ହାର କରି ଅନ୍ୟ HTML ଡକୁମେଣ୍ଟ୍‌କୁ ଲିଙ୍କ୍ ତିଆରି କାରିବା ପାଇଁ URL ବ୍ୟବ‌ହୃତ ହୋଇଥାଏ ।[୧୪]
  • <link> ତ‌ଥା <script> ଆଦି ଏଲିମେଣ୍ଟ୍ ସବୁ ବ୍ୟବ‌ହାର କରି ଗୋଟିଏ HTML ଡକୁମେଣ୍ଟ୍‌କୁ ଏହା ସ‌ହ ସମ୍ପର୍କ ଥିବା ସମ୍ବଳ ସ‌ହ ଲିଙ୍କ୍ କରିବା ପାଇଁ URL ବ୍ୟବ‌ହୃତ ହୋଇଥାଏ ।[୧୫] [୧୬]
  • HTML ଡକୁମେଣ୍ଟ୍‌ରେ ମିଡିଆ ଫାଇଲ୍, ଯଥା ଛବି (<img> ଏଲିମେଣ୍ଟ୍ ବ୍ୟ‌ବ‌ହାର କରି), ଭିଡିଓ (<video> ଏଲିମେଣ୍ଟ୍ ବ୍ୟ‌ବ‌ହାର କରି), ଶବ୍ଦ ଓ ସଙ୍ଗୀତ (<audio> ଏଲିମେଣ୍ଟ୍ ବ୍ୟ‌ବ‌ହାର କରି), ସଂଯୋଗ କରିବା ପାଇଁ URL ବ୍ୟବ‌ହୃତ ହୋଇଥାଏ ।[୧୭]
  • <iframe> ଏଲିମେଣ୍ଟ୍ ବ୍ୟ‌ବ‌ହାର କରି ଗୋଟିଏ HTML ଡକୁମେଣ୍ଟ୍ ଭିତରେ ଆଉ ଗୋଟିଏ HTML ଡକୁମେଣ୍ଟ୍ ଦେଖାଇବା ପାଇଁ URL ବ୍ୟବ‌ହୃତ ହୋଇଥାଏ ।[୧୮]

ୱେବ୍‌ରେ ମୁଖ୍ୟ ଭୂମିକା ତୁଲାଉଥିବା CSSJavaScript ଭଳି ଟେକ୍ନୋଲୋଜିଗୁଡ଼ିକରେ ମଧ୍ୟ URL ବ‌ହୁଳ ଭାବରେ ବ୍ୟବ‌ହୃତ ହୋଇଥାଏ ।[୧୯]

ଆଧାର[ସମ୍ପାଦନା]

  1. Management, Network (6 June 2016). Understanding Internet. Bhubaneswar: Central Tool Room and Training Center. p. 84. 
  2. "What is web address". 
  3. "URL for file transfer". Retrieved 7 June 2016. 
  4. "Protocol". Retrieved 7 June 2016. 
  5. "Development of URL". Retrieved 7 June 2016. 
  6. "RFC". Retrieved 7 June 2016. 
  7. ୭.୦ ୭.୧ ୭.୨ ୭.୩ ୭.୪ ୭.୫ Developer Network, Mozilla. "Anatomy of URL". Retrieved 9 June 2016. 
  8. Python, Head First. Web Development. O'Really Media, Inc. p. 217. ISBN 9781449382674. 
  9. Webopedia, URL. "What is dynamic URL". Retrieved 14 June 2016. 
  10. clearinghouse, URL. "URL types". Retrieved 14 June 2016. 
  11. URL, clearinghouse. "Types of URL". Retrieved 14 June 2016. 
  12. engine, geeks. "The difference between dynamic URL and static URL". Retrieved 14 June 2016. 
  13. URL, clearinghouse. "Types of URL". Retrieved 14 June 2016. 
  14. w3schools, URL. "HTML a tag". Retrieved 13 June 2016. 
  15. MDN, URL. "<link> - MDN". Retrieved 13 June 2016. 
  16. MDN, URL. "<script> - HTML". Retrieved 13 June 2016. 
  17. w3schools, URL. "HTML Multimedia". Retrieved 13 June 2016. 
  18. w3schools, URL. "HTML iframe tag". Retrieved 13 June 2016. 
  19. Stack overflow, URL. "Using relative URL in CSS file". Retrieved 13 June 2016.