ହାଇଡ୍ରୋମିଟର୍

ଉଇକିପିଡ଼ିଆ‌ରୁ

ଆମ ପୃଥିବୀରେ ବିଭିନ୍ନ ପ୍ରକାରର ତରଳ ଦେଖିବାକୁ ମିଳେ । ସେହି ତରଳ ଗୁଡ଼ିକର ଗୁଣ ଓ ଧର୍ମ ଏକା ପରି ନୁହେଁ । ସେହି ତରଳ ଗୁଡ଼ିକ ମଧ୍ୟରୁ କେତେଗୋଟି ଖୁବ୍ ହାଲୁକା ହୋଇଥାଏ ତ ପୁଣି କେତେକ ଖୁବ୍ ଭାରୀ ହୋଇଥାଏ । ତୁମେ ଯଦି ଗୋଟିଏ ଲିଟର ପାଣି ନେଇ ଓଜନ କର ତେବେ ତାହା ଏକ କିଲୋଗ୍ରାମ ସହ ସମାନ ହେବ ମାତ୍ର ତୁମେ ଯଦି ଗୋଟିଏ ଲିଟର ପାରଦ ଓଜନ କରିବ ତାହା ହେବ ପ୍ରାୟ ୧୪ କିଲୋଗ୍ରାମ ହେବ । କୌଣସି ତରଳ ଭାରୀ ହେବ କି ହାଲୁକା ହେବ ତାହା ତା’ର ଘନତା ଉପରେ ନିର୍ଭର କରେ । ଯେଉଁ ତରଳର ଘନତା ଯେତେ ଅଧିକ ତାହା ସେତେ ଅଧିକ ଭାରୀ ହେବ । ବିଭିନ୍ନ ପ୍ରକାର ତରଳ ପଦାର୍ଥର ଘନତା ବା ସାନ୍ଦ୍ରତା ମାପ ପାଇଁ ଏକ ପ୍ରକାରର ଉପକରଣ ଲାଗିଥାଏ । ଏହାକୁ ଉଦ୍ମାପକ ଯନ୍ତ୍ର ବା ହାଇଡ୍ରୋମିଟର କୁହାଯାଏ । ଏହା କେବଳ ତରଳ ପଦାର୍ଥର ଘନତା ବା ସାନ୍ଦ୍ରତା ମାପ କରେ ନାହିଁ । ସେହି ପଦାର୍ଥଟି ଜଳଠାରୁ କେତେଗୁଣ ଭାରୀ ତାହା ମଧ୍ୟ ସୂଚାଇଦିଏ ।

ହାଇଡ୍ରୋମିଟର ଯନ୍ତ୍ରଟି ଗୋଟିଏ ସରଳ ଉପକରଣ । ଏହା ଆର୍କିମେଡ଼ିସଙ୍କ ସୂତ୍ର ଅନୁସାରେ କାମ କରିଥାଏ । ଏଥିରେ ଗୋଟିଏ ସରୁ କାଚ ନଳୀ ରହିଥାଏ । ସେହି କାଚନଳୀର ଶେଷ ଭାଗରେ ଗୋଟିଏ ମୋଟା କାଚନଳୀ ବା ବଲ୍ବ ଲାଗିଥାଏ । ସେଥିରେ ସୀସା ବା ପାରଦ ରଖି ତାହାର ମୁହଁକୁ ବନ୍ଦ କରି ଦିଆଯାଇଥାଏ । ସରୁ କାଚନଳୀଟିରେ ସ୍କେଲ ପରି ବିଭିନ୍ନ ଅଙ୍କର ସୂଚନା ଥାଏ । ଏହାକୁ ଗୋଟିଏ କାଚ ପାତ୍ର ମଧ୍ୟରେ ରଖାଯାଇଥାଏ । କାଚ ପାତ୍ରଟିରେ ତରଳ ରଖି ତାହା ମଧ୍ୟରେ ହାଇଡ୍ରୋମିଟରଟିକୁ ବୁଡ଼ାଇଲେ ତାହାର ଓଜନିଆ ପାଖଟି ତରଳ ମଧ୍ୟରେ ବୁଡ଼ିରହେ । ମାତ୍ର ସରୁ କାଚନଳୀଟି ତରଳ ଉପରେ ଠିକ୍ ସିଧା ଭାବରେ ରହିଥାଏ । ତେବେ ତରଳ ମଧ୍ୟରେ ସରୁ କାଚନଳୀଟିର କିଛି ଅଂଶ ବୁଡ଼ି ରହିଥାଏ । ତରଳ ମଧ୍ୟରେ କାଚନଳୀର ଏହି ବୁଡ଼ି ରହିଥିବା ଅଂଶକୁ ଲକ୍ଷ୍ୟ କରି ତରଳ ପଦାର୍ଥର ସାନ୍ଦ୍ରତା ନିରୂପଣ କରାଯାଇଥାଏ । ତରଳ ପଦାର୍ଥର ସାନ୍ଦ୍ରତା କମ୍ ହୋଇଥିଲେ ହାଇଡ୍ରୋମିଟର ଅଧିକ ଅଂଶ ତରଳ ମଧ୍ୟରେ ବୁଡ଼ି ରହେ । ମାତ୍ର ତରଳ ପଦାର୍ଥର ସାନ୍ଦ୍ରତା ଅଧିକ ହୋଇଥିଲେ ହାଇଡ୍ରୋମିଟର ଅଧିକ ଅଂଶ ତରଳ ଉପରକୁ ରହିଥାଏ । ହାଇଡ୍ରୋମିଟରଟିକୁ ଜଳରେ ବୁଡ଼ାଇଲେ ତାହା ସରୁନଳୀରେ ୧ଅଙ୍କ ଲେଖାଥିବା ସ୍ଥାନ ପର୍ଯ୍ୟନ୍ତ ବୁଡ଼ିରହେ । ଏଥିରୁ ଜଣାଯାଏ ଜଳର ସାନ୍ଦ୍ରତା ୧ଗ୍ରାମ୍/ଘନ ସେ.ମି. । ଗ୍ରୀକ୍ ବୈଜ୍ଞାନିକ ହିପାସିଆ ପ୍ରଥମେ ହାଇଡ୍ରୋମିଟର ଉଦ୍ଭାବନ କରିଥିଲେ । ସେ ଚତୁର୍ଥ ଶତାବ୍ଦୀର ଶେଷ ବା ପମ ଶତାବ୍ଦୀର ଆରମ୍ଭରେ ଏହାକୁ ତିଆରି କରିଥିଲେ । ବିଭିନ୍ନ ତରଳର ସାନ୍ଦ୍ରତା ପାଇଁ ପରେ ସ୍ୱତନ୍ତ୍ର ଧରଣର ହାଇଡ୍ରୋମିଟର ବାହାରିଲା । ଦୁଗ୍ଧର ବିଶୁଦ୍ଧତା ମାପ ପାଇଁ ଲାକ୍ଟୋମିଟର ତିଆରି କରାଗଲା ସେହିପରି ଶର୍କରା ଦ୍ରବଣରେ ଶର୍କରାର ପରିମାଣ ମାପପାଇଁ ସେକେରୋମିଟର ନାମରେ ଗୋଟିଏ ଉପକରଣ ବାହାରିଲା । ଏହାକୁ ୧୭୮୪ ମସିହାରେ ଜନ୍ ରିଚାର୍ଡ଼ସନ ତିଆରି କରି ଥିଲେ । ଏହାକୁ ମଦତିଆରି, ଆଇସ୍କ୍ରିମ୍ ତିଆରି କ୍ଷେତ୍ରରେ ବ୍ୟବହାର କରାଯାଇଥାଏ ।