ସେଣ୍ଟିନେଲି ଜନଜାତି

ଉଇକିପିଡ଼ିଆ ରୁ
Jump to navigation Jump to search
ସେଣ୍ଟିନେଲି ଜନଜାତି
ସମୁଦାୟ ଜନସଂଖ୍ୟା
୫୦-୨୦୦
ସଂଖ୍ୟାଧିକ ଜନସଂଖ୍ୟା ଥିବା ଅଞ୍ଚଳ
ଉତ୍ତର ସେଣ୍ଟିନେଲ୍ ଦ୍ୱୀପ
ଭାଷାସମୂହ
ସେଣ୍ଟିନେଲି ଭାଷା (ବୋଲି ଅନୁମାନ)
Footnotes
ଉତ୍ତର ସେଣ୍ଟିନେଲ୍ ଦ୍ୱୀପ is located in India
ଉତ୍ତର ସେଣ୍ଟିନେଲ୍ ଦ୍ୱୀପ
ଉତ୍ତର ସେଣ୍ଟିନେଲ୍ ଦ୍ୱୀପ
ଉତ୍ତର ସେଣ୍ଟିନେଲ୍ ଦ୍ୱୀପ (India)
ଉତ୍ତର ସେଣ୍ଟିନେଲ୍ ଦ୍ୱୀପ is located in Andaman and Nicobar Islands
ଉତ୍ତର ସେଣ୍ଟିନେଲ୍ ଦ୍ୱୀପ
ଉତ୍ତର ସେଣ୍ଟିନେଲ୍ ଦ୍ୱୀପ
ଉତ୍ତର ସେଣ୍ଟିନେଲ୍ ଦ୍ୱୀପ (Andaman and Nicobar Islands)

ସେଣ୍ଟିନେଲି ଜନଜାତି ବା ସେଣ୍ଟିନେଲ୍ ଜନଜାତି ବା ସେଣ୍ଟିନେଲୀୟ (ଇଂରାଜୀରେ Sentinelese, SentineliNorth Sentinel Islanders ଭାବେ ପରିଚିତ) ଭାରତରେ ବଙ୍ଗୋପସାଗର ମଧ୍ୟସ୍ଥ ଉତ୍ତର ସେଣ୍ଟିନେଲ୍ ଦ୍ୱୀପରେ ବାସ କରୁଥିବା ଏକ ଆଦିମ ଜନଜାତିକୁ ବୁଝାଇଥାଏ । ଆଧୁନିକ ଓ ସାମାଜିକ ଜୀବନ ସଂସ୍ପର୍ଶରେ ଆସିନଥିବା ବିଭିନ୍ନ ଆଦିମ ଜନଜାତିଙ୍କ ମଧ୍ୟରେ ଏମାନେ ଅନ୍ୟତମ । ଆଣ୍ଡାମାନର ସ୍ଥାନୀୟ ଲୋକ ଭାବେ ପରିଗଣିତ ସେଣ୍ଟିନେଲିମାନେ ଏକ “ଅନୁସୂଚୀତ ଜନଜାତି” ଓ ଏମାନଙ୍କ ଜନଜାତିର ସ୍ଥିତି ସଙ୍କଟାପନ୍ନ ବୋଲି କୁହାଯାଉଛି ।

ମହା ଆଣ୍ଡାମାନୀ, ଜାରୱା, ଓଂଗେ, ଶୋମ୍ପେନ୍, ନିକୋବରୀ ଓ ସେଣ୍ଟିନେଲି ହେଉଛନ୍ତି ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ୬ ବିଭିନ୍ନ ସ୍ଥାନୀୟ ଜାତି । ସେଣ୍ଟିନେଲିମାନେ ବାହ୍ୟ ସମାଜର ସଂସ୍ପର୍ଶରେ ଆସିବା ପସନ୍ଦ କରନ୍ତି ନାହିଁ । ବାହ୍ୟ ସମାଜରୁ ଲୋକମାନେ ତାଙ୍କ ଦ୍ୱୀପକୁ ଆସିଲେ ଓ ସେମାନଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କଲେ ସେମାନେ ପ୍ରତ୍ୟାକ୍ରମଣ କରନ୍ତି ଓ ଅତୀତରେ ବହୁ ଲୋକଙ୍କ ପ୍ରାଣ ମଧ୍ୟ ନେଇଛନ୍ତି ।[୧]

୧୯୫୬ ମସିହାରେ ଭାରତ ସରକାର ଉତ୍ତର ସେଣ୍ଟିନେଲ୍ ଦ୍ୱୀପକୁ ଏକ ଜନଜାତି ସଂରକ୍ଷିତ ଅଞ୍ଚଳ ରୂପେ ଘୋଷିତ କରିଥିଲେ ଏବଂ ଏହାର ୩ ମାଇଲ୍ (୪.୮ କିଲୋମିଟର୍) ପରିଧି ମଧ୍ୟକୁ ଯିବା ନିଷିଦ୍ଧ । ବାହାରୁ କେହି ଏହା ନିକଟକୁ ନ ଆସିବା ପାଇଁ ଉତ୍ତର ସେଣ୍ଟିନେଲ୍ ଦ୍ୱୀପକୁ ଅନେକ ବନ୍ଧୁକଧାରୀ ପ୍ରହରୀ ଜଗି ରଖିଥାନ୍ତି । ଏହି ଅଞ୍ଚଳରେ ଫଟୋଚିତ୍ର ଉତ୍ତୋଳନ କରିବା ଉପରେ ମଧ୍ୟ ନିଷିଦ୍ଧାଦେଶ ରହିଛି ।

ଏହି ଜନଜାତିର ସର୍ବମୋଟ ଜନସଂଖ୍ୟା ବର୍ତ୍ତମାନ ସୁଦ୍ଧା ଅଜଣା । କେହି କେହି ଏମାନଙ୍କ ଜନସଂଖ୍ୟା ୧୫ରୁ ୫୦୦ ମଧ୍ୟରେ ଥିବ ବୋଲି ଅନୁମାନ କରନ୍ତି । ତେବେ ଏମାନଙ୍କ ସଂଖ୍ୟା ୫୦-୨୦୦ ମଧ୍ୟରେ ହୋଇଥିବା ବିଶ୍ୱାସ କରାଯାଏ ।

ବିବରଣୀ[ସମ୍ପାଦନା]

ଭୌଗୋଳିକ ଅବସ୍ଥିତି[ସମ୍ପାଦନା]

ସେଣ୍ଟିନେଲି ଜନଜାତି ଆଣ୍ଡାମାନ ଦ୍ୱୀପର ଉତ୍ତର ସେଣ୍ଟିନେଲ୍ ଦ୍ୱୀପରେ ବାସ କରନ୍ତି । ଏହି ଦ୍ୱୀପ ବଙ୍ଗୋପସାଗର ମଧ୍ୟରେ ଅବସ୍ଥିତ ଏବଂ ଭାରତଦ୍ୱାରା ପ୍ରଶାସିତ ।[୨][୩] ଦକ୍ଷିଣ ଆଣ୍ଡାମାନ ଦ୍ୱୀପର ଦକ୍ଷିଣ-ପଶ୍ଚିମ ପଟକୁ ସେଣ୍ଟିନେଲ୍ ଦ୍ୱୀପ ରହିଛି । ଆଣ୍ଡାମାନ ଓ ନିକୋବର କେନ୍ଦ୍ରଶାସିତ ଅଞ୍ଚଳର ରାଜଧାନୀ ପୋର୍ଟ ବ୍ଲେୟରଠାରୁ ପଶ୍ଚିମ ଦିଗକୁ ପ୍ରାୟ ୬୪ କିଲୋମିଟର୍ ଦୂରରେ ସେଣ୍ଟିନେଲ୍ ଦ୍ୱୀପର ଅବସ୍ଥିତି ।[୪] ଏହି ଦ୍ୱୀପର କ୍ଷେତ୍ରଫଳ ପ୍ରାୟ ୫୯.୬୭ ବର୍ଗ କିଲୋମିଟର୍ ଏବଂ ଦେଖିବାକୁ ଏହା ଏକ ବର୍ଗକ୍ଷେତ୍ର ପରି ।[୫][୪] ଉତ୍ର ସେଣ୍ଟିନେଲ୍ ଦ୍ୱୀପର ଉପକୂଳରେ ଜଙ୍ଗଲ ରହିଛି ଓ ଦ୍ୱୀପ ମଧ୍ୟରେ କ୍ରାନ୍ତୀୟ ଚିରହରିତ ଅରଣ୍ୟ ରହିଛି ।[୪] କ୍ରାନ୍ତୀୟ ଜଳବାୟୁବିଶିଷ୍ଟ ଏହି ଦ୍ୱୀପର ଚାରିପଟେ ପ୍ରବାଳ ଶିଳାଭିତ୍ତି ରହିଛି ।[୪] ଓଂଗେ ଜାତିର ଲୋକେ ଉତ୍ତର ସେଣ୍ଟିନେଲ୍ ଦ୍ୱୀପକୁ ଚିଆ ଡାକୋୱେୟେ ବୋଲି କୁହନ୍ତି ।[୬]

ଆକାଶମାର୍ଗରୁ ଉତ୍ତର ସେଣ୍ଟିନେଲ୍ ଦ୍ୱୀପର ଫଟୋଚିତ୍ର

ବେଶଭୂଷା[ସମ୍ପାଦନା]

ପ୍ରାକ୍-ଅଷ୍ଟଦଶ ଶତାବ୍ଦୀ ଓ ବର୍ତ୍ତମାନ ସମୟରେ ଆଣ୍ଡାମାନର ସ୍ଥାନୀୟ ଜାତି ଓ ଜନଜାତିମାନଙ୍କ ବିତରଣର ଏକ ତୁଳନାତ୍ମକ ଉପସ୍ଥାପନା

ସେଣ୍ଟିନେଲି ଜନଜାତିର ଲୋକଙ୍କ ଦେହର ରଙ୍ଗ କୃଷ୍ଣ ବର୍ଣ୍ଣର ଏବଂ ମନୁଷ୍ୟଙ୍କ ହାରାହାରି ଉଚ୍ଚତା ତୁଳନାରେ ସେମାନେ ଅଳ୍ପ ଗେଡ଼ା । ହାଇନ୍ରିଖ୍ ହାରରଙ୍କ ଏକ ରିପୋର୍ଟ ଅନୁସାରେ ସେଣ୍ଟିନେଲିମାନଙ୍କ ଉଚ୍ଚତା ପ୍ରାୟ ୧.୬ ମିଟର୍ (୫’ ୩”) ଏବଂ ଏକ ଦ୍ୱୀପରେ ସୀମିତ ରହିଥିବାରୁ ବଂଶାନୁକ୍ରମିକ ପ୍ରଭାବ ତଥା ଏକ ପ୍ରକାରର ଖାଦ୍ୟ ଯୋଗୁଁ ଏମାନଙ୍କଠାରେ ଏପରି ବାମନତ୍ୱ ସୃଷ୍ଟି ହୋଇଛି ।[୭] ୨୦୧୪ ମସିହାରେ ଏମାନଙ୍କ ଦ୍ୱୀପକୁ ଏକ ପରୀକ୍ଷଣ ପାଇଁ ଚାରିପଟୁ ଘେରା ଯାଇ ନିରୀକ୍ଷଣ କରାଯାଇଥିଲା । ସେହି ସର୍ବେକ୍ଷଣ ଅନୁଯାୟୀ ଏମାନଙ୍କ ଉଚ୍ଚତା ୫’୩”ରୁ ୫’୫” ପର୍ଯ୍ୟନ୍ତ । ସେମାନଙ୍କ ଶରୀରର ବର୍ଣ୍ଣ ଚିକ୍କଣିଆ କୃଷ୍ଣ ରଙ୍ଗର ଏବଂ ସେମାନଙ୍କ ଦାନ୍ତ ସାମାନ୍ୟ ଭାବେ ବିକଶିତ । ସେମାନଙ୍କ ଶରୀରରେ ମେଦବହୁଳତା ପ୍ରାୟ ଦେଖାଯାଇନଥିଲା ବରଂ ସୁଗଠିତ ମାଂସପେଶୀ ଦେଖାଯାଇଥିଲା ।

ଜନସଂଖ୍ୟା[ସମ୍ପାଦନା]

ସେଣ୍ଟିନେଲିଙ୍କ ଜନସଂଖ୍ୟା ଜାଣିବା ପାଇଁ ଯୋଜନାବଦ୍ଧ ଗଣନା କାର୍ଯ୍ୟକ୍ରମ କରାଯାଇନାହିଁ[୪] ଓ ଏମାନଙ୍କ ଜନସଂଖ୍ୟାକୁ ନେଇ କରାଯାଇଥିବା ଅନେକ ଅନୁମାନ ଅନୁସାରେ ଏମାନଙ୍କ ସମୁଦାୟ ସଂଖ୍ୟା ୧୫ରୁ ୫୦୦ ମଧ୍ୟରେ ହୋଇପାରେ । ତନ୍ମଧ୍ୟରୁ ଅଧିକାଂଶ ଗଣନା ଏମାନଙ୍କ ଜନସଂଖ୍ୟା ୫୦ରୁ ୨୦୦ ମଧ୍ୟରେ ବୋଲି ଅନୁମାନ କରିଛନ୍ତି ।[୮][୯][୩][୧୦] ୨୦୧୬ ମସିହାରେ ଭାରତୀୟ ମାନବବିଜ୍ଞାନ ସର୍ବେକ୍ଷଣ ବିଭାଗଦ୍ୱାରା ସଙ୍କଟାପନ୍ନ ଜନଜାତିଙ୍କ ଜନସଂଖ୍ୟା ସମ୍ପର୍କିତ ସର୍ବେକ୍ଷଣରେ ସେଣ୍ଟିନେଲିମାନଙ୍କ ସଂଖ୍ୟା ୧୦୦ରୁ ୧୫୦ ମଧ୍ୟରେ ବୋଲି କୁହାଯାଇଥିଲା ।[୪]

୧୯୭୧ ମସିହାର ଏକ ଜନଗଣନା ଏମାନଙ୍କ ସଂଖ୍ୟା ପ୍ରାୟ ୮୨ ଓ ୧୯୮୧ ମସିହାର ଏକ ଜନଗଣନା ଏମାନଙ୍କ ସଂଖ୍ୟା ୧୦୦ ଥିବ ବୋଲି ଅନୁମାନ କରିଥିଲେ ।[୪] ୧୯୮୬ ମସିହାରେ ଜନଗଣନା ପାଇଁ ହୋଇଥିବା ଏମାନଙ୍କ ସଂଖ୍ୟା ୯୮ ବୋଲି ଅନୁମାନ କରିଥିଲା ।[୪] ୨୦୦୧ ମସିହାରେ କରାଯାଇଥିବା ଭାରତର ଜାତୀୟ ଜନଗଣନାରେ ସେଣ୍ଟିନେଲି ଜନଜାତିର ପୁରୁଷ ସଂଖ୍ୟା ୨୧ ଓ ମହିଳା ସଂଖ୍ୟା ୧୮ ବୋଲି ସରକାରୀ ଦସ୍ତାବିଜରେ ପ୍ରକାଶ କରିଅଛି ।[୧୧] ଏହି ସର୍ବେକ୍ଷଣ କିଛି ଦିନ ଧରି ଦ୍ୱୀପରୁ ସାମାନ୍ୟ ଦୂରରେ ରହି କରାଯାଇଥିଲା ଏବଂ ଏହା ସଠିକ ସଂଖ୍ୟା ବୋଲି କହିହେବ ନାହିଁ ।[୧୨] ୨୦୦୪ ମସିହାର ସୁନାମି ପରେ ୨୦୦୪ ଓ ୨୦୦୫ ମସିହାରେ ଯଥାକ୍ରମେ ୩୨ ଓ ୧୩ ଜଣ ସେଣ୍ଟିନେଲିଙ୍କୁ ଦେଖାଯାଇଛି ।[୪] The ୨୦୧୧ ମସିହାର ଜାତୀୟ ଜନଗଣନା ୧୨ ଜଣ ପୁରୁଷ ଓ ୩ ଜଣ ମହିଳା ସେଣ୍ଟିନେଲିଙ୍କୁ ଠାବ କରିପାରିଥିଲା ।[୧୩][୧୪] ୨୦୦୪ ମସିହାରେ ଦ୍ୱୀପର ଚତୁଃପାର୍ଶ୍ୱରୁ କରାଯାଇଥିବା ଏକ ସର୍ବେକ୍ଷଣରେ ୬ ଜଣ ମହିଳା, ୭ ଜଣ ପୁରୁଷ (ପ୍ରାୟ ୪୦ ବର୍ଷରୁ କମ୍) ଏବଂ ୩ଟି ଶିଶୁ (ପ୍ରାୟ ୪ ବର୍ଷରୁ କମ୍) ଦେଖାଯାଇଥିଲେ ।

ପ୍ରଥା ଓ ଜୀବନଶୈଳୀ[ସମ୍ପାଦନା]

ସେଣ୍ଟିନେଲିମାନେ ଶିକାର ଓ ବିଭିନ୍ନ ଆବଶ୍ୟକୀୟ ଜିନିଷ ସଂଗ୍ରହ କରି ଜୀବନ ନିର୍ବାହ କରନ୍ତି । ପକ୍ଷୀ ବା ଗଛ ଉପରର ଜୀବଜନ୍ତୁଙ୍କ ଶିକାର ପାଇଁ ଏମାନେ ଧନୁତୀର ବ୍ୟବହାର କରନ୍ତି । ପଙ୍କରେ କଙ୍କଡ଼ା, ଶାମୁକା ଜାତୀୟ ଜୀବଙ୍କୁ ବା ଅନ୍ୟ ସାମୁଦ୍ରିକ ଜୀବଙ୍କୁ ଧରିବା କିମ୍ବା ମାରିବା ପାଇଁ ଏମାନେ ପାରମ୍ପରିକ ପଦ୍ଧତି ଅବଲମ୍ବନ କରନ୍ତି । ଏମାନଙ୍କ ବସତି ସ୍ଥାନ ନିକଟରେ ବହୁ ପୋଡ଼ା ଶାମୁକା ଖୋଳପା ପଡ଼ିରହିଥିବା ଦେଖିବାକୁ ମିଳେ ଓ ଏଥିରୁ ଅନୁମାନ କରାଯାଏ ଯେ ଏମାନେ ଗେଣ୍ଡା, ଶାମୁକା, ଶଙ୍ଖ ପ୍ରଭୃତି ଅଧିକ ଖାଇଥାନ୍ତି ।[୪] ସେମାନଙ୍କ ଦୈନନ୍ଦିନ ଜୀବନର କିଛି ଅଭ୍ୟାସ ଏଯାବତ ପାଷାଣ ଯୁଗର ଜୀବନ ପରି ଏବଂ ଏମାନେ କୃଷିକାର୍ଯ୍ୟ କରିବା ଦେଖାଯାଏ ନାହିଁ ।[୧୫][୧୬][୧୭] ନିଆଁ ଜଳାଇବା ପଦ୍ଧତି ଏମାନେ ଜାଣନ୍ତି ନା ନାହିଁ ତାହା ଅସ୍ପଷ୍ଟ କିନ୍ତୁ କିଛି ଗବେଷଣା ସମୟରେ ଏମାନଙ୍କୁ ନିଆଁ ବ୍ୟବହାର କରିବା ଦେଖାଯାଇଛି ।[୧୮]

ଓଂଗେ ଜନଜାତି ସହ ଏମାନଙ୍କ ସମାନତା ଓ ଅସମାନତାର ଅନୁଶୀଳନ କରାଯାଇଛି । ଉଭୟଙ୍କ ଖାଦ୍ୟ ପ୍ରସ୍ତୁତି ପଦ୍ଧତିରେ ସମାନତା ରହିଛି ।[୧୯] ସେମାନଙ୍କ ଶରୀରରେ ଚିତ୍ର ଅଙ୍କିତ ବା ଖୋଦିତ କରିବାର ପ୍ରଥା ମଧ୍ୟ ରହିଛି ।[୬] ଉଭୟଙ୍କଦ୍ୱାରା ନିର୍ମିତ ଡଙ୍ଗା ଏକା ପ୍ରକାରର ପଦ୍ଧତିରେ ପ୍ରସ୍ତୁତ ହୁଏ । ସମସ୍ତ ଆଣ୍ଡାମାନୀ ଜନଜାତିମାନଙ୍କ ମଧ୍ୟରୁ କେବଳ ଓଂଗେ ଓ ସେଣ୍ଟିନେଲି ହିଁ ଡଙ୍ଗା ତିଆରି କରିଥାନ୍ତି ।[୬] ଓଂଗେମାନେ ସେଣ୍ଟିନେଲିମାନଙ୍କୁ "ଚାଂକୁ-ଆଟେ" ବୋଲି କୁହନ୍ତି ।[୪] ଜାରୱା ଓ ସେଣ୍ଟିନେଲିମାନଙ୍କ ମଧ୍ୟରେ ମଧ୍ୟ କିଛି ସମାନତା ଦେଖିବାକୁ ମିଳେ । ଜାରୱା ଓ ସେଣ୍ଟିନେଲିମାନଙ୍କ ଧନୁର ସଜ୍ଜା ଏକ ପ୍ରକାରର ଯାହା ଓଂଗେମାନଙ୍କ ଧନୁଠାରୁ ଭିନ୍ନ । ଉଭୟ ଜାରୱା ଓ ସେଣ୍ଟିନେଲିମାନେ ଭୂମିରେ ଶୋଉଥିବା ବେଳେ ଓଂଗେମାନେ ଏକ ଜଗତି ବା ସାମାନ୍ୟ ଉଚ୍ଚ ପୀଠ ଉପରେ ଶୁଅନ୍ତି ।[୨୦] ସେଣ୍ଟିନେଲିମାନଙ୍କ ତୀରର ଅଗ ଧାତବ, ବଡ଼ ଓ କୋଡ଼ିକୋଦାଳ ପରି ଆକାରର, କିନ୍ତୁ ଅନ୍ୟ ଆଣ୍ଡାମାନୀ ଜନଜାତି ଏପରି ଓଜନିଆ ତୀର ବ୍ୟବହାର କରନ୍ତି ନାହିଁ ।[୨୧]

ଚାରୋଟି କାଠ ଖମ୍ବ ଉପରେ ପତ୍ର-ବାହୁଙ୍ଗା ଛାତବିଶିଷ୍ଟ ଛୋଟ ଅସ୍ଥାୟୀ କୁଡ଼ିଆ ଘରେ ସେଣ୍ଟିନେଲିମାନେ ରୁହନ୍ତି । ଧାତୁରୁ ଉପକରଣ ଓ ଅସ୍ତ୍ରଶସ୍ତ୍ର ନିର୍ମାଣ କରିବାର ଅନୁଭବ ରହିଥିବାରୁ ଏମାନେ ଧାତବ ପଦାର୍ଥର ମୂଲ୍ୟ ଜାଣନ୍ତି । ୧୯୭୪ ମସିହାରେ ନ୍ୟାସନାଲ ଜିଓଗ୍ରାଫିକ୍ ସୋସାଇଟିର ଲୋକମାନେ ଛାଡ଼ିଯାଇଥିବା ଆଲୁମିନିୟମ୍ ବାସନକୁସନ ନେଇ ବ୍ୟବହାର କରିଥିଲେ ।[୮] ସମୁଦ୍ରରୁ ମାଛ ମାରିବା ପାଇଁ ଏମାନେ ଛୋଟ ଡଙ୍ଗା ତିଆରି କରିଥାନ୍ତି, କିନ୍ତୁ ଡଙ୍ଗା ଚଳାଇବା ପାଇଁ ଆହୁଲା ପରିବର୍ତ୍ତେ କାତର ବ୍ୟବହାର କରନ୍ତି ।[ଆଧାର ଲୋଡ଼ା][୪][୨୨] ଦ୍ୱୀପରୁ ଅନ୍ୟ ଦ୍ୱୀପକୁ ଯିବା ପାଇଁ ଏମାନେ ଡଙ୍ଗା ବ୍ୟବହାର କରନ୍ତି ନାହିଁ ।[୨୨] ଉଭୟ ପୁରୁଷ ଓ ମହିଳା ଗଛ ବକ୍କଳ ପରିଧାନ କରନ୍ତି ଓ ଅଣ୍ଟା ପାଖରେ ଏକ ଛୁରି ଖୁଞ୍ଚିଥାନ୍ତି ।[ଆଧାର ଲୋଡ଼ା][୪] ଗଳାହାର, ମୁଣ୍ଡବନ୍ଧା ପରି କିଛି ଅଳଙ୍କାରକୁ ଛାଡ଼ିଦେଲେ ସେମାନେ ପ୍ରାୟତଃ ନଗ୍ନ ଅବସ୍ଥାରେ ଥାଆନ୍ତି ।[୧୮][୨୩][୨୪] ସେଣ୍ଟିନେଲିମାନେ ମୃତ ବଂଶଧରଙ୍କ ମାଢ଼ିହାଡ଼ ପିନ୍ଧିବା ଦେଖାଯାଇଛି ।[୧୮] ଏମାନଙ୍କ ଶସ୍ତ୍ରରେ ସରଳ ରୈଖିକ ଓ ଭିନ୍ନ ରଙ୍ଗର ଚିତ୍ର ଦେଖାଯାଏ ।[୪] ସେଣ୍ଟିନେଲି ମହିଳାମାନେ ବସିବା ପରି ନଇଁଯାଇ ତାଳରେ ଗୋଡ଼ ବାଡ଼େଇ ଏବଂ ପାପୁଲିକୁ ଜଂଘରେ ବାଡ଼େଇ ନାଚିବା ଦେଖାଯାଇଛି ।[୪]

କୌଣସି ଏକ ଅନିର୍ଦ୍ଦିଷ୍ଟ ଆଣ୍ଡାମାନ ଜନଜାତି ମାଛ ମାରୁଥିବାର ଚିତ୍ର (ପ୍ରାୟ ୧୮୭୦ ମସିହାର) । ଏମାନେ ସେଣ୍ଟିନେଲି ଜନଜାତି ବୋଲି ନିଶ୍ଚିତତା ନାହିଁ । ଆଦିମ ଜନଜାତିଙ୍କ ଜୀବନଶୈଳୀର ଏହା ଏକ ଉପସ୍ଥାପନା ମାତ୍ର

ଭାଷା[ସମ୍ପାଦନା]

ଆଧୁନିକ ମାନବ ସଭ୍ୟତାଠାରୁ ଦୂରେଇ ରହିଥିବାରୁ ସେଣ୍ଟିନେଲି ଭାଷା ବିଷୟରେ ବେଶୀ କିଛି ତଥ୍ୟ ଜଣାନାହିଁ ଓ ଏହି ଭାଷାକୁ ଅବର୍ଗୀକୃତ ଭାଷାଙ୍କ ଶ୍ରେଣୀରେ ରଖାଯାଇଛି ।[୨୫][୨୬][୨୭] ଜାରୱା ଓ ସେଣ୍ଟିନେଲି ଭାଷାଭାଷୀ ଲୋକେ ଅପରର ଭାଷା ବୁଝିପାରନ୍ତି ନାହିଁ ।[୨୫][୧୧] କିନ୍ତୁ ଓଂଗେ ଭାଷା ସହିତ ସେଣ୍ଟିନେଲି ଭାଷାର ସମାନତା ଅଛି ନା ନାହିଁ, ଥିଲେ କେତେ ସମାନତା ଅଛି ତାହା ଅନିଶ୍ଚିତ ।[୨୮] ୨୦୧୬ ମସିହାରେ ଭାରତୀୟ ମାନବବିଜ୍ଞାନ ସର୍ବେକ୍ଷଣ ବିଭାଗଦ୍ୱାରା ପ୍ରକାଶିତ ପୁସ୍ତିକାରେ ଓଂଗେ ଓ ସେଣ୍ଟିନେଲି ଭାଷା ପରସ୍ପରକୁ ଅଜ୍ଞାତ ବୋଲି ଲିଖିତ ଅଛି ।[୪]

ଉଦ୍ଭବକାଳ[ସମ୍ପାଦନା]

ସେଣ୍ଟିନେଲିମାନଙ୍କୁ ପାଷାଣ ଯୁଗ (ବା ପ୍ରସ୍ତର ଯୁଗ) କାଳର ଜନଜାତି ବୋଲି କୁହାଯାଇଛି । ଗତ ୬୦,୦୦୦ ବର୍ଷ ସେମାନେ ଅନ୍ୟ ସଭ୍ୟତାର ସଂସ୍ପର୍ଶରେ ଆସିନାହାନ୍ତି । ପାଣ୍ଡ୍ୟଙ୍କ ମତରେ ନିକଟ ଅତୀତର କୌଣସି ଜନଜାତିର ବିସ୍ଥାପନ ବା କ୍ଷୁଦ୍ର ଆଣ୍ଡାମାନର ଭୂସଞ୍ଚଳନ ପରେ ସେଣ୍ଟିନେଲି ଜନଜାତି ଅସ୍ଥିତ୍ୱକୁ ଆସିଥିବ ।

ଯୋଗାଯୋଗ ସ୍ଥିତି[ସମ୍ପାଦନା]

ଯୋଗାଯୋଗ ହୋଇପାରିନଥିବା ବିଶ୍ୱର ଅବଶିଷ୍ଟ କିଛି ଜନଜାତି ମଧ୍ୟରେ ସେଣ୍ଟିନେଲି ଅନ୍ୟତମ । ସଙ୍କଟାପନ୍ନ ଜନଜାତି[୨୯] ଓ ଅନୁସୂଚୀତ ଜନଜାତି[୩୦] ମାନ୍ୟତା ପାଇଥିବା ସେଣ୍ଟିନେଲି ମୋଟାମୋଟି ଭାବେ ଆଣ୍ଡାମାନୀ ଲୋକଙ୍କ ଗୋଷ୍ଠୀରେ ସ୍ଥାନ ପାଇଥାନ୍ତି ।

ମହା ଆଣ୍ଡାମାନୀ, ଜାରୱା, ଓଂଗେ, ଶୋମ୍ପେନ୍, ନିକୋବରୀ ଓ ସେଣ୍ଟିନେଲି – ଏହି ୬ ଜାତି ବା ଜନଜାତି ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଆଦିମ ସ୍ଥାନୀୟ ବାସିନ୍ଦା ।[୨୯] ଅନ୍ୟ ୫ ଜନଜାତି ବାହ୍ୟ ଜଗତର ସଂସ୍ପର୍ଶରେ ଆସିବା ସ୍ୱୀକାର କରିଛନ୍ତି କିନ୍ତୁ ସେଣ୍ଟିନେଲିମାନେ ଏପରି ଚେଷ୍ଟା ସମୟରେ ଆକ୍ରାମକ ପ୍ରତିକ୍ରିୟା ଦେଖାଇଛନ୍ତି ଏବଂ ତାଙ୍କ ଦ୍ୱୀପକୁ ଯିବାକୁ ଚେଷ୍ଟା କରୁଥିବା ଲୋକଙ୍କୁ ମାରି ପକାଇଛନ୍ତି ।[୩୧][୩୨]

ଆଧାର[ସମ୍ପାଦନା]

  1. Wire Staff (22 November 2018). "'Adventurist' American Killed by Protected Andaman Tribe on Island Off-Limits to Visitors". The wire. Archived from the original on 22 November 2018. Retrieved 24 November 2018.
  2. Foster, Peter (8 February 2006). "Stone Age tribe kills fishermen who strayed on to island". The Telegraph (in ଇଂରାଜୀ). ISSN 0307-1235. Archived from the original on 22 November 2018. Retrieved 11 November 2018.
  3. ୩.୦ ୩.୧ Dobson, Jim (21 November 2018). "A Human Zoo on the World's Most Dangerous Island? The Shocking Future of North Sentinel". Forbes (in ଇଂରାଜୀ). Archived from the original on 22 November 2018. Retrieved 11 November 2018.
  4. ୪.୦୦ ୪.୦୧ ୪.୦୨ ୪.୦୩ ୪.୦୪ ୪.୦୫ ୪.୦୬ ୪.୦୭ ୪.୦୮ ୪.୦୯ ୪.୧୦ ୪.୧୧ ୪.୧୨ ୪.୧୩ ୪.୧୪ ୪.୧୫ "The Sentineles of Andaman & Nicobar Islands". The Particularly Vulnerable Tribal Groups in India : Privileges and Predicaments. Anthropological Survey of India. 2016. pp. 659–668. ISBN 9789350981061.
  5. "[[:ଛାଞ୍ଚ:Not a typo]]". The Bay of Bengal Pilot. Admiralty. London: United Kingdom Hydrographic Office. 1887. p. 257. OCLC 557988334. URL–wikilink conflict (help)
  6. ୬.୦ ୬.୧ ୬.୨ Pandya 2009, p. 362.
  7. Harrer, Heinrich (1977). Die letzten Fünfhundert: Expedition zu d. Zwergvölkern auf d. Andamanen [The last five hundred: Expedition to the dwarf peoples in the Andaman Islands] (in German). Berlin: Ullstein. ISBN 978-3-550-06574-3. OCLC 4133917. Retrieved 26 July 2015.CS1 maint: unrecognized language (link)
  8. ୮.୦ ୮.୧ Pandya, Vishvajit (2009). "Through Lens and Text: Constructions of a 'Stone Age' Tribe in the Andaman Islands". History Workshop Journal (67): 173–193. JSTOR 40646218.
  9. "American 'killed by arrow-wielding tribe'". BBC News (in ଇଂରାଜୀ). 21 November 2018. Archived from the original on 21 November 2018. Retrieved 21 November 2018.
  10. Bagla, Pallava; Stone, Richard (2006). "After the Tsunami: A Scientist's Dilemma". Science. 313 (5783): 32–35. doi:10.1126/science.313.5783.32. JSTOR 3846572. PMID 16825546.
  11. ୧୧.୦ ୧୧.୧ Enumeration of Primitive Tribes in A&N Islands: A Challenge (Report). http://censusindia.gov.in/Ad_Campaign/drop_in_articles/06-Enumeration_of_Primitive_Tribes_in_A&N_Islands.pdf#page=3. "The first batch could identify 31 Sentinelese. The second batch could count altogether 39 Sentinelese consisting of male and female adults, children and infants. During both the contacts the enumeration team tried to communicate with them through some Jarawa words and gestures, but, Sentinelese could not understand those verbal words." 
  12. "Forest Statistics – Department of Environment & Forests, Andaman & Nicobar Islands" (PDF). 2013. Archived (PDF) from the original on 20 December 2016. Retrieved 16 December 2016.
  13. "Census of India 2011 Andaman & Nicobar Islands" (PDF). censusindia.gov.in. 2011. Archived from the original (PDF) on 1 August 2015. Retrieved 18 March 2019.
  14. Government of India, Ministry of Tribal Affairs (24 February 2016). "Tribals in A & N Islands". Press Information Bureau. Retrieved 18 March 2019.
  15. Burman, B. K. Roy, ed. (1990). Cartography for Development of Outlying States and Islands of India: Short Papers Submitted at NATMO Seminar, Calcutta, December 3–6, 1990. National Atlas and Thematic Mapping Organisation, Ministry of Science and Technology, Government of India. p. 203. OCLC 26542161.
  16. Weber, George. "The Tribes: Chapter 8". andaman.org. Archived from the original on 2 April 2013. Retrieved 18 March 2019.
  17. ଆଧାର ଭୁଲ: ଅଚଳ <ref> ଚିହ୍ନ; :0 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  18. ୧୮.୦ ୧୮.୧ ୧୮.୨ ଆଧାର ଭୁଲ: ଅଚଳ <ref> ଚିହ୍ନ; :3 ନାମରେ ଥିବା ଆଧାର ଭିତରେ କିଛି ଲେଖା ନାହିଁ ।
  19. Portman, Maurice Vidal (1899). "XVIII: The Jàrawas". A History of Our Relations with the Andamanese. II. Calcutta: Office of the Superintendent of Government Printing, India. p. 728. OCLC 861984. Retrieved 26 July 2015.
  20. Pandit 1990, p. 14.
  21. Pandya 2009, p. 361.
  22. ୨୨.୦ ୨୨.୧ Pandya 2009, p. 346.
  23. Shammas, John (22 April 2015). "Mysterious island is home to 60,000-year-old community who KILL outsiders". Daily Mirror. Archived from the original on 21 November 2018. Retrieved 21 November 2018.
  24. "The Forbidden Island". Neatorama (in ଇଂରାଜୀ). Archived from the original on 22 November 2018. Retrieved 21 November 2018.
  25. ୨୫.୦ ୨୫.୧ Zide, Norman; Pandya, Vishvajit (1989). "A Bibliographical Introduction to Andamanese Linguistics". Journal of the American Oriental Society. 109 (4): 639–651. doi:10.2307/604090. JSTOR 604090.
  26. Moseley, Christopher (2007). Encyclopedia of the World's Endangered Languages (in ଇଂରାଜୀ). Routledge. p. 342. ISBN 9780700711970.
  27. "Chapter 8: The Tribes". web.archive.org. 5 July 2013. Retrieved 5 December 2018.
  28. Pandit 1990, p. 21-22.
  29. ୨୯.୦ ୨୯.୧ Dutta, Prabhash K. (21 November 2018). "Beyond killing of American national: Sovereign citizens of India". India Today. Retrieved 19 March 2019.
  30. "List of notified Scheduled Tribes" (PDF). Census India. p. 27. Archived (PDF) from the original on 7 November 2013. Retrieved 15 December 2013.
  31. Gettleman, Jeffrey (21 November 2018). "American Is Killed by Bow and Arrow on Remote Indian Island". The New York Times (in ଇଂରାଜୀ). Archived from the original on 21 November 2018. Retrieved 19 March 2019.
  32. Westmass, Reuben. "North Sentinel Island Is Home to the Last Uncontacted People on Earth". curiosity.com. Archived from the original on 22 November 2018. Retrieved 19 March 2019.

ପୁସ୍ତକ ଆଧାର[ସମ୍ପାଦନା]

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]