ସିଓଲ

ଉଇକିପିଡ଼ିଆ‌ରୁ

ସିଓଲ୍ (କୋରିଆନ୍ ଉଚ୍ଚାରଣ: 서울 [sʌ.ul] ସଉଲ୍) ହେଉଛି ଦକ୍ଷିଣ କୋରିଆର ରାଜଧାନୀ । ୯.୭ ନିୟୁତ ଜନସଂଖ୍ୟା ବିଶିଷ୍ଟ ଏହି ମହାନଗର ଦେଶର ଉତ୍ତର-ପଶ୍ଚିମ ଦିଗରେ ହାନ-ଗାଙ୍ଗ ନଦୀକୂଳରେ ଅବସ୍ଥିତ ।[୧] ଏକ ବିଶ୍ୱ ସ୍ତରୀୟ ସହର ଭାବରେ ପରିଗଣିତ ହୋଇଥିବା ସିଓଲ୍ ଟୋକିଓ, ନ୍ୟୁୟର୍କ ସିଟି ଏବଂ ଲସ୍ ଆଞ୍ଜେଲସ୍ ପରେ ୨୦୧୪ରେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ମହାନଗର । ୨୦୧୭ ସୁଦ୍ଧା, ସିଓଲରେ ଜୀବନଯାପନର ଖର୍ଚ୍ଚ ମାପକରେ ବିଶ୍ୱ ସ୍ତରରେ ଏହାର ସ୍ଥାନ ରହିଥିଲା ଷଷ୍ଠ ​।

ଦେଶର ପ୍ରମୁଖ ବୈଷୟିକ ପେଣ୍ଠସ୍ଥଳୀଭାବେ ପରିଗଣିତ ଏହି ମହାନଗରର ସିଓଲ୍ କ୍ୟାପିଟାଲ୍ ଏରିଆରେ ସାମସଙ୍ଗ, ଏଲ.ଜି (LG), ଏବଂ ହୁଣ୍ଡାଇ ସମେତ ୧୪ ଗୋଟି ଫର୍ଚ୍ୟୁନ୍ ଗ୍ଲୋବାଲ୍-୫୦୦ କମ୍ପାନୀର ମୁଖ୍ୟାଳୟ ରହିଛି । ବିଶ୍ୱସ୍ତରୀୟ ସମ୍ମିଳନୀର ଆୟୋଜକ ଭାବେ ପାଞ୍ଚଟି ଅଗ୍ରଣୀ ମହାନଗର ମଧ୍ୟରୁ ଗୋଟିଏ ହୋଇଥିବାରୁ ବିଶ୍ୱ ବ୍ୟାପାରରେ ଏହାର ପ୍ରମୁଖ ପ୍ରଭାବ ପକାଇପାରିଛି [୨]। ସିଓଲ୍, ୧୯୮୬ ଏସିଆନ୍ ଗେମ୍ସ, ୧୯୮୮ ଗ୍ରୀଷ୍ମ ଅଲିମ୍ପିକ୍ସ, ୨୦୦୨ ଫିଫା ବିଶ୍ୱକପ୍ (ଜାପାନ ସହିତ) ଏବଂ ୨୦୧୦ ଜି -୨୦ ସିଓଲ୍ ଶିଖର ସମ୍ମିଳନୀ ଆୟୋଜନ କରିଛି ।

ଏକ ସଂକ୍ଷିପ୍ତ କାଳ(୧୩୯୯–୧୪୦୫), ବ୍ୟତିରେକ ସିଓଲ୍ ୧୩୯୪ରୁ ୧୯୪୮ ମସିହାରେ ଦେଶର ଆନୁଷ୍ଠାନିକ ବିଭାଜନ ପର୍ଯ୍ୟନ୍ତ କୋରିଆର ରାଜଧାନୀ ଥିଲା । ହାନ ନଦୀ କୂଳରେ ଅବସ୍ଥିତ, ସିଓଲର ଇତିହାସ ଦୁଇ ହଜାର ବର୍ଷରୁ ଅଧିକ ସମୟ ବ୍ୟାପ୍ତ, ଯେତେବେଳେ ଏହା ଖ୍ରୀଷ୍ଟପୂର୍ବ ଅଷ୍ଟାଦଶ ଶତାବ୍ଦୀରେ କୋରିଆର ତିନୋଟି ରାଜ୍ୟ ମଧ୍ୟରୁ ବାକେଜେର ଲୋକଙ୍କଦ୍ୱାରା ପ୍ରତିଷ୍ଠିତ ହୋଇଥିଲା । ପରେ ଏହି ସହରଟି ଜୋସନ୍ ରାଜବଂଶ ଅଧୀନରେ କୋରିଆର ରାଜଧାନୀ ଭାବରେ ମାନ୍ୟତା ପ୍ରାପ୍ତ ହେଲା । ସହରର ଉତ୍ତର ସୀମା ବୁଖାନ୍ ପର୍ବତଦ୍ୱାରା ଘେରି ରହିଛି । ଏହାର ଦୀର୍ଘ ଇତିହାସ ପରି, ସିଓଲ୍ କ୍ୟାପିଟାଲ୍ ଏରିଆରେ ପାଞ୍ଚଟି ୟୁନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ ରହିଛି: ଚାଙ୍ଗଡେକ୍ ପ୍ୟାଲେସ୍, ହ୍ୱାସଙ୍ଗ ଦୁର୍ଗ, ଜୋଙ୍ଗମିଓ ପୁଣ୍ୟକ୍ଷେତ୍ର, ନାମହାନସେଙ୍ଗ ଏବଂ ଜୋସନ୍ ରାଜବଂଶର ରାଜକୀୟ ସମାଧୀ ।[୩] ୨୦୧୪ ମସିହାରେ ସିଓଲକୁ ୧୦ ମିଲିୟନରୁ ଅଧିକ ଆନ୍ତର୍ଜାତୀୟ ପରିଦର୍ଶକ ଆସିଥିଲେ । ଏହା ବିଶ୍ୱର ନବମ ସର୍ବାଧିକ ପରିଦର୍ଶିତ ସହର ତଥା ପର୍ଯ୍ୟଟନଶିଳ୍ପରେ ଚତୁର୍ଥ ବୃହତ୍ତମ ରୋଜଗାରକାରୀ ଭାବରେ ପରିଗଣିତ ହୁଏ ।[୪]

ଭୂଗୋଳ[ସମ୍ପାଦନା]

ସିଓଲ୍ ଦକ୍ଷିଣ କୋରିଆର ଉତ୍ତର-ପଶ୍ଚିମ ଦିଗରେ ରହିଛି ।[୫] ସିଓଲର ଆକାର ସଠିକ୍ ଭାବରେ ୬୦୫.୨୫ ବର୍ଗ କିଲୋମିଟର (୨୩୩.୬୯ ବର୍ଗ ମାଇଲ୍) ଏବଂ ହାନ ନଦୀର ଦୁଇପାର୍ଶ୍ୱରେ ଉତ୍ତର ଏବଂ ଦକ୍ଷିଣ ଭାଗରେ ବିଭକ୍ତ । କୋରିଆ ଇତିହାସରେ ହାନ ନଦୀ ଏବଂ ଏହାର ଆଖପାଖ ଅଞ୍ଚଳ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି । କୋରିଆର ତିନୋଟି ରାଜ୍ୟ ଏହି ଅଞ୍ଚଲକୁ ନିଜ ଅଧୀନକୁ ନେବାକୁ ଚେଷ୍ଟା କରିଥିଲେ ।, ହାନ ନଦୀ, (ଲୋହିତ ସାଗର ଦେଇ) ଚୀନକୁ ବାଣିଜ୍ୟ ମାର୍ଗ ଭାବରେ ବ୍ୟବହୃତ ହୋଇଥିଲା ।[୬] ଐତିହାସିକ ଦୃଷ୍ଟିକୋଣରୁ ଦେଖିଲେ, ଏହି ସହରଟି ସିଓଲ୍ ଦୁର୍ଗ ପ୍ରାଚୀରଦ୍ୱାରା ସୀମିତ ଥିବା ଜୋସନ୍ ରାଜବଂଶ ସମୟରେ ଥିଲା, ଯାହା କେନ୍ଦ୍ରୀୟ ସିଓଲର ଚାରିଟି ମୁଖ୍ୟ ପର୍ବତ ମଧ୍ୟରେ ବିସ୍ତାର କରିଥିଲା: ନାମସାନ୍, ନାକସନ୍, ବୁଖାନସାନ୍ ଏବଂ ଇନୱାଙ୍ଗସାନ୍ । ଏହି ସହରଟି ଆଠଟି ପର୍ବତ, ଏବଂ ହାନ ନଦୀ ସମତଳ ଏବଂ ପଶ୍ଚିମ ଅଞ୍ଚଳର ସ୍ତରୀୟ ଜମିଦ୍ୱାରା ସୀମାବଦ୍ଧ ।

ସଂସ୍କୃତି[ସମ୍ପାଦନା]

Korea-Seoul-National Museum Gyeongcheonsa Pagoda 0187&8-06

ଚାରୋଟି ଜାତୀୟ ଏବଂ ନଅଟି ସରକାରୀ ମ୍ୟୁନିସିପାଲିଟି ସଂଗ୍ରହାଳୟ ସହିତ ସିଓଲରେ ୧୧୫ଟି ସଂଗ୍ରହାଳୟ ରହିଛି । ସହରର ଜାତୀୟ ସଂଗ୍ରହାଳୟ ମଧ୍ୟରେ କୋରିଆର ଜାତୀୟ ସଂଗ୍ରହାଳୟ କେବଳ ସିଓଲ୍ ନୁହେଁ ଦକ୍ଷିଣ କୋରିଆର ସଂଗ୍ରହାଳୟର ସର୍ବ ବୃହତ ଅଟେ । ୧୯୪୫ ମସିହାରେ ଏହାର ପ୍ରତିଷ୍ଠା ପରଠାରୁ, ସଂଗ୍ରହାଳୟ ୨୨୦,୦୦୦ କଳାକୃତିର ସଂଗ୍ରହ କରିଛି | ଅକ୍ଟୋବର ୨୦୦୫ରେ, ସଂଗ୍ରହାଳୟ ୟୋଙ୍ଗସାନ୍ ଫ୍ୟାମିଲି ପାର୍କରେ ଏକ ନୂତନ କୋଠାକୁ ଚାଲିଯାଇଛି ।

ସିଓଲର ନଅଟି ମ୍ୟୁନିସିପାଲିଟି ସଂଗ୍ରହାଳୟ ମଧ୍ୟରୁ ୱାର୍ ମେମୋରିଆଲ୍ ପରିଦର୍ଶକମାନଙ୍କୁ ବିଭିନ୍ନ ଯୁଦ୍ଧର ଏକ ଶିକ୍ଷଣୀୟ ତଥା ଭାବପ୍ରବଣ ଅନୁଭୂତି ପ୍ରଦାନ କରିଥାଏ, ଯେଉଁଥିରେ କୋରିଆ ଯୁଦ୍ଧ ବିଷୟବସ୍ତୁ ସମେତ କୋରିଆ ଜଡ଼ିତ ରହିଛି । ସେଓଡେମୁନ୍ କାରାଗାର ହେଉଛି ଜାପାନୀ ଦଖଲ ସମୟରେ ନିର୍ମିତ ଏକ ପୂର୍ବ କାରାଗାର ଏବଂ ଏହା ଏକ ଐତିହାସିକ ସଂଗ୍ରହାଳୟ ଭାବରେ ବ୍ୟବହୃତ ହୋଇଥିଲା |

ଗମନାଗମନ[ସମ୍ପାଦନା]

ସିଓଲରେ ଏକ ଭଲ ବିକଶିତ ପରିବହନ ବ୍ୟବସ୍ଥା ରହିଛି । ଏହାର ବ୍ୟବସ୍ଥା କୋରିଆ ସାମ୍ରାଜ୍ୟର ଯୁଗରୁ ଆରମ୍ଭ ହୋଇଥିଲା, ଯେତେବେଳେ ପ୍ରଥମ ଷ୍ଟ୍ରିଟକାର ପାଇଁ ପଥ ତିଆରି ହୋଇଥିଲା ଏବଂ ସିଓଲ ଏବଂ ଇଞ୍ଚୋନକୁ ସଂଯୋଗ କରୁଥିବା ଏହି ରେଳପଥ ତିଆରି ହୋଇଥିଲା [୭]। ସିଓଲ୍ ସହରର ଅନ୍ୟାନ୍ୟ ଉଲ୍ଲେଖନୀୟ ରାସ୍ତାରେ ଇଉଲଜିରୋ, ତେହେରାନୋ, ସେଜୋଙ୍ଗୋ, ଚୁଙ୍ଗମୁରୋ, ୟୁଲଗୋଙ୍ଗୋ, ଏବଂ ଟୋଗିରୋ ଅନ୍ତର୍ଭୁକ୍ତ । ସିଓଲରେ ଗୋଟିଏ ଅତିରିକ୍ତ ଲାଇନ ଯୋଜନା ସହିତ ୨୫୦ କିଲୋମିଟର (୧୫୫ ମାଇଲ)ରୁ ଦୈର୍ଘ୍ୟର ଅଧିକ ନଅଟି ପ୍ରମୁଖ ମେଟ୍ରୋ ରେଳପଥ ଅଛି ।

ବସ ବ୍ୟବସ୍ଥା[ସମ୍ପାଦନା]

ସିଓଲରେ ଗମନା ଗମନ ପାଇଁ ବସ୍ ବ୍ୟବସ୍ଥା "ସିଓଲ୍ ମେଟ୍ରୋପଲିଟାନ୍ ସରକାର" (S.M.G.)ଦ୍ୱାରା ପରିଚାଳିତ । ଚାରୋଟି ପ୍ରାଥମିକ ବସ୍ ସଂରଚନା ସହରର ଅଧିକାଂଶ ସେବା ଯୋଗାଇଥାଏ । ସିଓଲରେ ଅନେକ ବଡ଼ ଆନ୍ତଃରାଜ୍ୟ / ଏକ୍ସପ୍ରେସ ବସ୍ ଟର୍ମିନାଲ୍ ଅଛି । ଏହି ବସ୍ଗୁଡ଼ିକ ସିଓଲକୁ ଦକ୍ଷିଣ କୋରିଆର ସମସ୍ତ ସହର ସହିତ ସଂଯୋଗ କରେ । ସିଓଲ୍ ଏକ୍ସପ୍ରେସ୍ ବସ୍ ଟର୍ମିନାଲ୍, ସେଣ୍ଟ୍ରାଲ୍ ସିଟି ଟର୍ମିନାଲ୍ ଏବଂ ସିଓଲ୍ ନାମ୍ବୁ ଟର୍ମିନାଲ୍ ସେଓଚୋ ଜିଲ୍ଲାରେ ଅବସ୍ଥିତ ।

ଆଧାର[ସମ୍ପାଦନା]

  1. "Seoul | national capital, South Korea". Encyclopedia Britannica (in ଇଂରାଜୀ). Retrieved 6 November 2020.
  2. "Press Release" (PDF). www.uia.be. Retrieved 6 November 2020.
  3. Centre, UNESCO World Heritage. "Republic of Korea". UNESCO World Heritage Centre (in ଇଂରାଜୀ). Retrieved 6 November 2020.
  4. "2014 Global Destination Cities Index" (PDF). www.newsroom.mastercard.com. Archived from the original (PDF) on 3 August 2019. Retrieved 6 November 2020.
  5. "서울 열린데이터광장". data.seoul.go.kr. Retrieved 6 November 2020.
  6. "Brief History of Hangang (River) - Tours : Visit Seoul - The Official Travel Guide to Seoul". web.archive.org. 31 October 2016. Archived from the original on 31 October 2016. Retrieved 6 November 2020.{{cite web}}: CS1 maint: bot: original URL status unknown (link)
  7. Service (KOCIS), Korean Culture and Information. "Seoul metro turns 40: the subway's past and present : Korea.net : The official website of the Republic of Korea". www.korea.net. Retrieved 6 November 2020.