ସମନୁ

ଉଇକିପିଡ଼ିଆ‌ରୁ

ସମନୁ (ପାର୍ସୀ: سمنو‎‎) ହେଉଛି ଇରାନର ଏକ ମିଠା ହାଲୁଆ । ଏହା କେବଳ ଅଙ୍କୁରିଥିବା ଗହମରୁ ପ୍ରସ୍ତୁତ ହୁଏ । ପାର୍ସୀ ନବବର୍ଷ ବା ନ‌ଉରୁଜ ଦିନ ଲାଗି ଏହା ଏକ ବିଶେଷ ମିଠା । ପ୍ରାକ୍-ଇସଲାମିକ ପାରସ୍ୟ ଯାଏଁ ଏହାର ଇତିହାସ ଲମ୍ବିଛି ।

କେବଳ ଇରାନ ନୁହଁ ବରଂ ଏହାର ଆଖପାଖ ଅଞ୍ଚଳ ଯଥା ଆଜେରବୈଜାନ, ତାଜିକିସ୍ତାନ, ଉଜବେକିସ୍ତାନ, କିର୍ଗୀଜସ୍ତାନ, ଆଫଗାନିସ୍ତାନ ଆଦିରେ ମଧ୍ୟ ଏହା ବେଶ୍ ପ୍ରଚଳିତ । ଏହାର ଅନ୍ୟ ନାମ ଗୁଡ଼ିକ ହେଲା: ସମନକ୍ (ପାର୍ସୀ: سمنک‎‎), ସୁମାଲକ୍/ ସୁମାଲ୍ୟକ୍; ଆଜେରବୈଜାନୀ: Səməni halvası; ତାଜିକ: сумалак; ଉଜବେକ: sumalak [sʉmælǽk]) or Sümölök; କିରଗୀଜ: сүмөлөк [symœlœ́k]) ଆଦି । ପ୍ରତ୍ୟେକ ଦେଶରେ ସମନୁକୁ ନେଇ ନିଜ ନିଜର ପ୍ରଥା ରହିଛି ।

ପ୍ରସ୍ତୁତି[ସମ୍ପାଦନା]

ଯେହେତୁ ଏହି ମିଠା ଲାଗି ଚିନି ଆଦୌ ବ୍ୟବହାର କରାଯାଏନାହିଁ ତେଣୁ ଏହାର ମିଠାପଣ ଲାଗି ଅଙ୍କୁରୋଦ୍‌ଗମ ବେଳେ ଗହମରେ ସୃଷ୍ଟି ହେଉଥିବା ଶର୍କରା ଦାୟୀ । ଅଙ୍କୁରୋଦ୍‌ଗମ ଲାଗି ଗହମକୁ ବତୁରେଇ କିଛିଦିନ ରଖିବାକୁ ହୁଏ ଏଣୁ ପୁରା ପ୍ରସ୍ତୁତି ପ୍ରକ୍ରିୟା ଲାଗି ସପ୍ତାହେ ଯାଏଁ ସମୟ ଲାଗିପାରେ । ବତୁରା ଗହମ ଗଜା ହେବାରେ ଦିନେ ଦୁଇ ଦିନ ପରେ ତାକୁ ଭଲ ଭାବେ ବାଟି କନା ଦେଇ ଛାଣିବାକୁ ହୁଏ । ତା ପରେ ଏହାକୁ ଅଳ୍ପ ନିଆଁରେ ରନ୍ଧା ଯାଏ । ପ୍ରାୟତଃ ସମନୁ ତିଆରିରେ କେବଳ ଗହମ ଓ ପାଣି ଛଡା ଆଉ କିଛି ବ୍ୟବହାର ହୁଏନାହିଁ ତେବେ ଆଜିକାଲି ହାଲୁଆକୁ ଶୀଘ୍ର ବହଳିଆ କରିବା ଲାଗି ଏଥିରେ ଅଳ୍ପ କିଛି ମ‍ଇଦା ମିଶାଯାଏ । ମ‍ଇଦା ମିଶାଇଲେ ଯଦିଓ ରାନ୍ଧିବା ଲାଗି ସମୟ କମ ଲାଗେ କିନ୍ତୁ ସମନୁ କମ ମିଠା ଓ ଟିକିଏ ପିତାଳିଆ ହୋ‍ଇଯାଏ । ରନ୍ଧା ସରିଲେ ବାଦାମ, ପିସ୍ତା, ଆଖରୋଟ ଆଦି ଉପରେ ରଖି ସଜାଯାଏ ।

ପରମ୍ପରା[ସମ୍ପାଦନା]

ପାରମ୍ପରିକ ଭାବେ ସମନୁ ଲାଗି ବଟାବଟି ସରିବା ପରେ ଶେଷ ରନ୍ଧା କାର୍ଯ୍ୟ ପ୍ରାୟତଃ ସନ୍ଧ୍ୟାରୁ ଆରମ୍ଭ କରି ସକାଳ ଯାଏଁ ଚାଲେ । ପ୍ରାୟତଃ ଏଥିରେ କେବଳ ମହିଳାମାନେ ଥାଆନ୍ତି । ରାନ୍ଧିବା ଛଡ଼ା ଗପସପ, ହସଖୁସି, ସଙ୍ଗୀତ ଆଉ ଗୀତ ଗାଇବା ମଧ୍ୟ ଚାଲେ । ରନ୍ଧା ସରିଲେ ସକାଳୁ ଗରମ ଗରମ ସମନୁ ସାହି ପଡ଼ିଶା, ପରିବାର ଓ ସାଙ୍ଗସାଥୀରେ ବଣ୍ଟାଯାଏ ।

ଉଜବେକିସ୍ତାନରେ ମହିଳାମାନେ ବଡ଼ ରନ୍ଧା ହାଣ୍ଡି ଚାରିପଟେ ବେଢ଼ିଯାଇ ଗୀତ ଗାଆନ୍ତି ଓ ଜଣକ ପରେ ଜଣେ ସମନୁକୁ ଧୀରେ ଧୀରେ ଘାଣ୍ଟୁ ଥାଆନ୍ତି । ତାଜିକିସ୍ତାନ ଆଉ ଆଫଗାନିସ୍ତାନରେ ସେମାନେ ଗାଆନ୍ତି: Samanak dar Jūsh u mā Kafcha zanēm – Dīgarān dar Khwāb u mā Dafcha zanēm (ଅର୍ଥ: ସମନୁ ଫୁଟୁଛି ଆଉ ଆମେ ତାକୁ ଘାଣ୍ଟୁଛୁ, ଅନ୍ୟମାନେ ଶୋ‍ଇଛନ୍ତି ଆଉ ଆମେମାନେ ଡାଫ୍ ବଜ‍ଉଛୁ) ।

କିମ୍ବଦନ୍ତୀ[ସମ୍ପାଦନା]

ଆଜେରବୈଜାନୀ ଭାଷାରେ ଗୋଟିଏ ପ୍ରବାଦ ଅଛି: Samani, Samani, har il goyardaram sani ଅର୍ଥାତ୍ "ସମାନି, ସମାନି, ପ୍ରତିବର୍ଷ ମୁଁ ଚେଷ୍ଟା କରେ ତୋତେ ବଢ଼େଇବା ଲାଗି" ଏହା ପ୍ରତିବର୍ଷ ପ୍ରକୃତିର ପୁନରାରମ୍ଭର ପ୍ରତୀକ । ଅକ୍ସଫୋର୍ଡ଼ ସିମ୍ପୋସିୟମ ଅନ ଫୁଡ୍ ଆଣ୍ଡ୍ କ୍ରକେରୀ (୧୯୮୯)ରେ ଏହା ସ୍ଥାନିତ ହୋ‍ଇଥିଲା ।

ସାଂସ୍କୃତିକ ପ୍ରଭାବ[ସମ୍ପାଦନା]

ବର୍ତ୍ତମାନ ସମୟରେ ସମନୁ ରନ୍ଧା ପାରିବାରିକ ପ୍ରକ୍ରିୟା ହୋ‍ଇପାରେ । ଗୋଟିଏ ପରିବାରର ଅଲଗା ଅଲଗା ରହୁଥିବା ସଦସ୍ୟମାନେ ମିଳିମିଶି ସମନୁ ରାନ୍ଧନ୍ତି ଓ ଏହି ସମୟରେ କଥାବାର୍ତ୍ତା ଓ ଭାବ ଆଦାନପ୍ରଦାନ କରିପାରନ୍ତି ।

ହଫ୍ତ-ସିନର ସମନୁ ଏକ ପାରମ୍ପରିକ ଅଂଶ । ହଫ୍ତ-ସିନ ହେଉଛି ପାର୍ସୀ ନବବର୍ଷ ଦିନ ସଜାଯାଉଥିବା ପ୍ରତୀକାତ୍ମକ ବସ୍ତୁର ଏକ ଟେବୁଲ । ହଫ୍ତ ଅର୍ଥ ସାତ ଓ "ସିନ୍" ପାର୍ସୀ ବର୍ଣ୍ଣମାଳାର ଗୋଟେ ଅକ୍ଷର: ଏଥିରେ ସାତୋଟି ବସ୍ତୁ ଯାହାର ନାଁ "ସିନ୍"ରୁ ଆରମ୍ଭ ହୁଏ, ସଜା ଯାଇଥାଏ ।