ଶବରୀମାଳା ମନ୍ଦିର

ଉଇକିପିଡ଼ିଆ‌ରୁ
(ସବରୀମାଳା ମନ୍ଦିରରୁ ଲେଉଟି ଆସିଛି)

କେରଳର ପଥାନାମଥିଟ୍ଟା ଜିଲ୍ଲାର ପଶ୍ଚିମଘାଟ ପର୍ବତମାଳା ନିକଟସ୍ଥ ଘନ ଜଙ୍ଗଲ ଭିତରେ ପାହାଡ଼ଘେରା ନିଭୃତ ଅଞ୍ଚଳରେ ଭଗବାନ ଅୟପ୍ପାଙ୍କ ମନ୍ଦିର ରହିଛି । ଏହାର ଚାରିପାଖରେ ୧୮ଟି ସୁଉଚ୍ଚ ପର୍ବତ ରହିଛି । ସମୁଦ୍ରପତ୍ତନଠାରୁ ମନ୍ଦିର ୪୮୦ମିଟର(୧୫୭୪ଫୁଟ) ଉଚ୍ଚତାରେ ଅବସ୍ଥିତ । ବିଷ୍ଣୁଙ୍କର ଅନ୍ୟତମ ଅବତାର ପ୍ରଭୁ ପର୍ଶୁରାମ ଏହି ମନ୍ଦିର ଓ ଅୟପ୍ପାଙ୍କ ମୂର୍ତ୍ତି ପ୍ରତିଷ୍ଠା କରିଥିବାର ବିଶ୍ୱାସ କରାଯାଏ । ଏଠାରେ ଶୈବ, ବୈଷ୍ଣବ ଓ ଶାକ୍ତ ପରମ୍ପରାର ପ୍ରଭାବ ଦେଖିବାକୁ ମିଳେ ।

ପ୍ରଭୁଙ୍କ ଦର୍ଶନ ପାଇଁ ୩ରୁ ୪କୋଟି ଭକ୍ତ ଏହି ପୀଠକୁ ଆସନ୍ତି । କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ ଓ ମହାରାଷ୍ଟ୍ରରୁ ସବୁଠାରୁ ବେଶୀ ଭକ୍ତ ଆସନ୍ତି । ଅନ୍ୟ ମନ୍ଦିରଗୁଡ଼ିକ ପରି ଏହି ମନ୍ଦିର ବର୍ଷସାରା ଖୋଲାଯାଏ ନାହିଁ । ମଣ୍ଡଳ ପୂଜା, କିଛି ବିଶେଷ ପୂଜା ଓ ପର୍ବ ଅବସରରେ ଏହାର ଫାଟକ ଭକ୍ତଙ୍କ ପାଇଁ ଖୋଲାଯାଏ । ମଣ୍ଡଳ ପୂଜା ମକର ସଂକ୍ରାନ୍ତିରୁ ଆରମ୍ଭ ହୁଏ । ଏହି ଦିନ ରାତିରେ ପ୍ରଭୁ ଅୟପ୍ପା ଜ୍ୟୋତି ରୂପରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ବୋଲି ଭକ୍ତ ମହଲରେ ବିଶ୍ୱାସ ରହିଛି । ତେଣୁ ଏହିଦିନ ପୀଠଟି ସ୍ଥାନୀୟ ଓ ଦୂରଦୂରାନ୍ତରୁ ଆସିଥିବା ଭକ୍ତଙ୍କ ଭିଡ ଜମେ । ନଭେମ୍ବରରୁ ଜାନୁଆରୀ ପର୍ଯ୍ୟନ୍ତ ପ୍ରାୟ ତିନି ମାସ ଧରି ଏଠାରେ ଧାର୍ମିକ ମେଳା ଅନୁଷ୍ଠିତ ହୁଏ । ଠାକୁର ଦର୍ଶନ ପାଇଁ ଭକ୍ତମାନଙ୍କୁ ତୀଖ ପାହାଡି ରାସ୍ତାରେ ପାଞ୍ଚକିଲୋମିଟର ଚାଲି ଚାଲି ଯିବାକୁ ହୁଏ । ଆରବର ମକ୍କାକୁ ପୃଥିବୀର ସବୁଠାରୁ ବେଶୀ ମୁସଲିମ୍ ତୀର୍ଥଯାତ୍ରୀ ଆସନ୍ତି । ତା'ତଳକୁ ସବରିମାଳା ଦ୍ୱିତୀୟ ସ୍ଥାନ ।

କିମ୍ବଦନ୍ତୀ[ସମ୍ପାଦନା]

ପାଣ୍ଡାଲମ୍‌ର ରାଜା ମଣିକନ୍ଦନ ନିଃସନ୍ତାନ ଥିଲେ । ଥରେ ଜଙ୍ଗଲରେ ଶୀକାର କରୁଥିବା ବେଳେ ଏକ ପରିତ୍ୟକ୍ତ ଶିଶୁ ତଳେ ପଡ଼ିଥିବାର ଦେଖିଲେ ଓ ତାକୁ ଉଠାଇ ରାଜପ୍ରାସାଦ ନେଇଗଲେ । ପିଲାଟି ରାଜାଙ୍କ ଅନାବିଳ ସ୍ନେହ ପାଇ ରାଜପୁତ୍ରଭାବରେ ବଢ଼ିଲା । ନାଁ ଦିଆଯାଇଥିଲା ଅୟାପ୍ପା । ସେ ବାଲ୍ୟକାଳରୁ ସଂସାର ପ୍ରତି ବିମୁଖ ଥିଲେ, ବ୍ରହ୍ମଚାରୀ ହୋଇ ରହିଲେ ଓ ସବରିମାଳା ପାହାଡ଼ ଉପରେ ଧ୍ୟାନରେ ବସି ରହିଲେ । ଜଣେ ଅପୂର୍ବ ସୁନ୍ଦରୀ ଦେବୀ ମଲିକାପୁରଥାମା ତାଙ୍କୁ ବିବାହ ପାଇଁ ନିବେଦନ କରିବାରୁ ଅୟାପ୍ପା ମନା କରିଦେଲା । ଭଙ୍ଗାମନ ନେଇ ମଲିକାପୁରଥାମା ଅବିବାହିତ ରହି, ପାହାଡ଼ ତଳେ ଏକ ମନ୍ଦିରରେ ରହିଲେ । ଧ୍ୟାନରତ ଅୟାପ୍ପା ଶେଷରେ ବିଷ୍ଣୁ ଲୀନ ହେଲେ ଓ ସେଇଦିନଠାରୁ ତାଙ୍କୁ ବିଷ୍ଣୁଙ୍କ ଅବତାର ଭାବେ ପୂଜା କରାଯାଉଅଛି ।[୧] ଅୟପ୍ପା ମହାଦେବ ଓ ବିଷ୍ଣୁଙ୍କର ମୋହିନୀ ରୂପର ମିଳନରୁ ଉତ୍ପନ୍ନ ପୁତ୍ର ଓ ବ୍ରହ୍ମଚାରୀ ।[୨]

ଅୟପ୍ପାଙ୍କ ଦର୍ଶନ ନିମିତ୍ତ ନୀତି ନିୟମ[ସମ୍ପାଦନା]

ପ୍ରଭୁ ଅୟପ୍ପାଙ୍କ ଦର୍ଶନ ଯିବା ପୂର୍ବରୁ ପ୍ରତ୍ୟେକ ଭକ୍ତଙ୍କୁ ୪୧ଦିନ ଉପବାସ ରହିବାକୁ ପଡ଼େ/ ଏକ ମାସ ପୂର୍ବରୁ ତାହା ସହିତ ଆମିଷ ଖାଦ୍ୟ ଓ ମୈଥୁନ ତ୍ୟାଗ କରି ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ କରିବାକୁ ପଡ଼େ । ଯେଉଁ ଭକ୍ତ ଶାରୀରିକ ଓ ମାନସିକ ପବିତ୍ରତା ସହ ଦର୍ଶନ ବେଳେ ତୁଳସୀକଣ୍ଠୀ ବା ରୁଦ୍ରାକ୍ଷମାଳ ଧାରଣ କରନ୍ତି ସେମାନଙ୍କ ସମସ୍ତ କାମନା ପୂରଣ ହୁଏ ବୋଲି ଭକ୍ତଙ୍କ ବିଶ୍ୱାସ ରହିଛି । ପ୍ରଭୁ ଅୟପ୍ପାଙ୍କ ଦର୍ଶନ ଯିବା ପୂର୍ବରୁ ଭକ୍ତମାନେ ପ୍ରଥମେ ଚିରକୁମାରୀ ମାଲିକାପୁରଥାମ୍ମାଙ୍କ ଦର୍ଶନ କରନ୍ତି ଓ ତା'ପରେ ପ୍ରଭୁ ଅୟପ୍ପାଙ୍କ ଦର୍ଶନ ପାଇଁ ଯାଆନ୍ତି । ଯେଉଁ ମୁସଲମାନ ପ୍ରଭୁ ଅୟପ୍ପାଙ୍କ ଦର୍ଶନ ପାଇଁ ଯାଆନ୍ତି । ପ୍ରଥମେ ପାହାଡ ତଳେ ଥିବା ଏକ ମସ୍‌ଜିଦ୍‌ରେ ପ୍ରଥମେ ନମାଜ ପଢ଼ି ସାରି ଅୟପ୍ପାଙ୍କ ଦର୍ଶନକରିବାକୁ ଯାଆନ୍ତି । ୧୦ରୁ ୫୦ବର୍ଷ ବୟସ୍କା ମହିଳାମାନଙ୍କୁ ପ୍ରଭୁଙ୍କ ଦର୍ଶନ ମନା ।କିନ୍ତୁ, ୧୦ବର୍ଷରୁ କମ୍ ଓ ୫୦ବର୍ଷରୁ ଉର୍ଦ୍ଧ୍ୱ ମହିଳାମାନଙ୍କୁ ପ୍ରଭୁଙ୍କ ଦର୍ଶନ ପାଇଁ କଟକଣା ନାହିଁ ।

  1. ଡ଼ ଭଗବାନପ୍ରକାଶ, ସମ୍ବାଦ, ୧୭।୧୦।୨୦୧୮
  2. ସମାଜ ରବିବାର, ପୃଷ୍ଠା-୬, ୧୩।୧।୨୦୧୯