ଶୂଚୀବାଇ ରୋଗ

ଉଇକିପିଡ଼ିଆ‌ରୁ

ଶୂଚୀବାଇ ଏକ ମାନସିକ ରୋଗ । ଏହି ରୋଗରେ ଭାବନା, ଅନୁଭବ ବା ଧାରଣା ମନ ଭିତରକୁ ଜୋରଜବରଦସ୍ତ ପ୍ରବେଶ କରିଥାଏ । ଏଥିରେ ରୋଗୀ ନିଜ ଜାଣତରେ/ଜ୍ଞାତସାରରେ ବାରମ୍ବାର ଗଣନା କରେ,ଯାଞ୍ଚକରେ ଓ ଧୁଆଧୋଇ କରେ । ଦୃଢ଼ ଆଗ୍ରହ(Obsession)ଚିନ୍ତା ବା ଉଦ୍‌ବେଗ ବଢାଇଥାଏ । ବାଧ୍ୟତାମୂଳକ(Compulsion)ବ୍ୟବହାର କରିବାଦ୍ୱାରା ଏହି ଚିନ୍ତା ବା ଉଦ୍‌ବେଗ କମ୍ ହୋଇଥାଏ । ମାତ୍ର ଯଦି କୌଣସି ରୋଗୀ ଏହି ବାଧ୍ୟତାମୂଳକ ଚିନ୍ତାଧାରାକୁ ବାଧା ଦିଏ, ତା'ହେଲେ ତାହାର ଉଦ୍‌ବେଗ ବଢିଥାଏ ।

ଦୃଢ଼ ଆଗ୍ରହ(Obsession)[ସମ୍ପାଦନା]

  1. ଏହା ଏକ ଭାବନା, ଅନୁଭବ ବା ଧାରଣା, ଯାହା ନିଜ ମନ ଭିତରକୁ ବାରମ୍ବାର ଆସିଥାଏ ।
  2. ଏହି ଭାବନା, ଅନୁଭବ ବା ଧାରଣା ତା' ନିଜ ମନରୁ ସ୍ୱତଃ ଆସିଥାଏ, ମାତ୍ର ଏହା ବାହାରୁ ମନ ଭିତରକୁ କେହି ଜୋରଜବରଦସ୍ତ କରି/ବଳପୂର୍ବକ କରିବାକୁ ବାଧ୍ୟ କଲା ପରି ବେଳେବେଳେ ଅନୁଭବ ହୋଇଥାଏ ।
  3. ଏହା ଅସଙ୍ଗତ ବା ଯୁକ୍ତିବିରୁଦ୍ଧ ବୋଲି ଲୋକଟି ଜାଣିପାରେ ।
  4. ରୋଗୀଟି ଏହାକୁ ଏଡାଇବାକୁ ଚେଷ୍ଟାକରେ, କିନ୍ତୁ ଏଡାଇପାରେ ନାହିଁ ବା ଏଡାଇବାକୁ ସମର୍ଥ ହୁଏ ନାହିଁ ।
  5. ଏହି ଅସମର୍ଥତା ଲୋକଟି ମନରେ କଷ୍ଟ ଦିଏ ।

ବାଧ୍ୟତାମୂଳକ ବ୍ୟବହାର(Compulsion)[ସମ୍ପାଦନା]

  1. ବାରମ୍ବାର ଧୁଆଧୋଇ କରିବା, ଗାଧୋଇବା, ଗଣିବା ଓ ଯାଞ୍ଚ କରିବା ଯଥା ତାଲା ପକାଇଲି କି ନାହିଁ ଇତ୍ୟାଦି ଲକ୍ଷଣଗୁଡିକ ରୋଗୀର ଦୃଢ଼ ଆଗ୍ରହ ଯୋଗୁଁ ଦେଖାଯାଇଥାଏ ।
  2. ରୋଗୀଟି ଏହିସବୁ କାର୍ଯ୍ୟ ବାଧ୍ୟତାମୂଳକ ଭାବେ ବାରମ୍ବାର କରୁଥିବାରୁ ତା'ର ମାନସିକ ବ୍ୟଥା ହୋଇଥାଏ ।
  3. ଏହି ପ୍ରକାର ବାଧ୍ୟତାମୂଳକ ବ୍ୟବହାର ଅବାସ୍ତବ ଏବଂ ଯୁକ୍ତିଯୁକ୍ତ ନୁହେଁ ବୋଲି ରୋଗୀଟି ଜାଣିଥାଏ ।

ପ୍ରଭାବ[ସମ୍ପାଦନା]

ଏହି ରୋଗଟି ପ୍ରାୟ ଶତକଡା ୨ରୁ ୩ ଭାଗ ସାଧାରଣ ଲୋକଙ୍କଠାରେ ଦେଖା ଦେଇଥାଏ । ଯୁବାବସ୍ଥାରେ ପୁରୁଷମାନଙ୍କୁ ଅଧିକ ଆକ୍ରାନ୍ତ କରିଥିବା ବେଳେ ପ୍ରାପ୍ତବୟସରେ ପୁରୁଷ ଓ ସ୍ତ୍ରୀ ଉଭୟଙ୍କୁ ସମାନଭାବରେ ପ୍ରଭାବିତ କରିଥାଏ । ଏହା ପ୍ରାୟ ୨୦ ବର୍ଷ ବୟସରେ ଆରମ୍ଭ ହୋଇଥାଏ ।

କାରଣ[ସମ୍ପାଦନା]

  1. ଏହା ମସ୍ତିଷ୍କରେ ଥିବା Serotonin ନାମକ Neurotransmitterର ବିଶୃଙ୍ଖଳା ଯୋଗୁଁ ହୋଇଥାଏ । Neurotransmitter ହେଉଛି ଏକ ରାସୟନିକ ଦ୍ରବ୍ୟ, ଯାହାକି ସ୍ନାୟୁଗୁଡିକ ମଧ୍ୟରେ ପ୍ରେରକ ଭାବେ କାର୍ଯ୍ୟ କରେ ।
  2. ଏକ ସୂତ୍ରରୁ ଜଣାପଡିଛି ଏହା ଶତକଡା ୩୫ ଭାଗ ପ୍ରାୟ ନିଜ ରକ୍ତ ସମ୍ପର୍କୀୟମାନଙ୍କଠାରେ ଥାଏ । ତେଣୁ ଏହା ବଂଶଗତ ହୋଇପାରେ ।
  3. ଏହାଛଡା ମାନସିକ ଶକ୍ତି ବିଜ୍ଞାନ ମତବାଦ(Psychodynamic theory) ଏବଂ ବ୍ୟବହାରିକ ମତବାଦ(Behavioural theory) ମଧ୍ୟ ରହିଛି । ଏହି ରୋଗଦ୍ୱାରା ଆକ୍ରାନ୍ତ ବ୍ୟକ୍ତିମାନଙ୍କର ବ୍ୟକ୍ତିତ୍ୱ ଅତ୍ୟଧିକ ବାଧ୍ୟତାପୂର୍ଣ୍ଣ ହୋଇଥାଏ । ଏହି ରୋଗୀମାନେ କୌଣସି ଏକ ଘଟଣାଦ୍ୱାରା ଏପରି ପ୍ରଭାବିତ ହୋଇଥାନ୍ତି ଯେ ସେମାନେ କେବଳ ସେହି ଘଟଣା ବିଷୟରେ ହିଁ ଭାବନ୍ତି ।

ଲକ୍ଷଣ[ସମ୍ପାଦନା]

କେତେକ ରୋଗୀଙ୍କର ଦୃଢ଼ ଆଗ୍ରହ(Obsession) ଅଧିକ ପରିମାଣ ଥାଏ ଓ ଆଉ କେତେକ ରୋଗୀଙ୍କର ବାଧ୍ୟତାମୂଳକତା (compulsion)ର ପରିମାଣ ଅଧିକ ପରିମାଣର ଥାଏ । ପ୍ରାୟ ଅଧିକାଂଶ ରୋଗୀଙ୍କଠାରେ ଏହି ଦୁଇଟିଯାକ ମିଶି କରି ଥାଏ । ପ୍ରାୟ ଅଧିକାଂଶ ସମୟ ମନ ଦୁଃଖରେ ଥାଏ । ଏହି ରୋଗର ଚାରି ପ୍ରକାର ଲକ୍ଷଣ ଦେଖାଦିଏ ।

ଶୂଚୀବାଇ ରୋଗ(washers/contamination)[ସମ୍ପାଦନା]

ଏହି ରୋଗରେ ମଇଳା, ଆବର୍ଜନା, ଜୀବାଣୁ, କୀଟାଣୁ, ଭୂତାଣୁ, ମଳମୂତ୍ର, ପୂଯ ଆଦିକୁ ଅତ୍ୟଧିକ ଅପରିଷ୍କାର ଲାଗିଥାଏ । ରୋଗୀଟି ବାରମ୍ବାର ଦିନସାରା ହାତଗୋଡ଼ ଧୁଏ । ଧୀରେ ଧୀରେ ନିଜେ ବ୍ୟବହାର କରୁଥିବା ଜିନିଷ, ଗାଧୁଆଘର, ଶୋଇବାଘର, ବସିବାସ୍ଥାନ ଇତ୍ୟାଦିକୁ ଧୋଇବାକୁ ଇଚ୍ଛାକରେ । ଲୋକଟି ଏହି ଇଚ୍ଛାକୁ ଏଡାଇବାକୁ ଚେଷ୍ଟାକଲେ ମଧ୍ୟ କରିପାରେ ନାହିଁ ।

ବାରମ୍ବାର ପରୀକ୍ଷା ବା ଯାଞ୍ଚ କରିବା(Checker/Pathological doubt)[ସମ୍ପାଦନା]

ଲୋକଟିର ମନରେ ଅଧିକ ସନ୍ଦେହ ଥାଏ । ଯଥା-କବାଟରେ ତାଲା ଦେଇଥିଲେ ମଧ୍ୟ ଠିକ୍ ଭାବରେ ତାଲା ପଡିଛି କି ନାହିଁ, ଟଙ୍କା ଠିକ୍ ଗଣିଥିଲେ ମଧ୍ୟ ଟଙ୍କା ଠିକ୍ ଭାବରେ ଗଣିଛି ନାହିଁ, ରୋଷେଇଘରେ ଗ୍ୟାସ୍ ଚୁଲା ବନ୍ଦ ଅଛି କି ନାହିଁ ବାରମ୍ବାର ଯାଞ୍ଚ କରିବାକୁ ଇଚ୍ଛାହୁଏ । ଏପରି ନକଲେ ମନ କଷ୍ଟହୁଏ ।

ମନ ଭିତରେ ବାରମ୍ବାର ପଶୁଥିବା କେବଳ ଦୃଢ଼ ଆଗ୍ରହ(Pure Obsessive Intrusive Thought)[ସମ୍ପାଦନା]

ଲୋକଟିର ମନରେ ବାରମ୍ବାର ଦୃଢ଼ ଆଗ୍ରହ, ଅନୁଭବ କିମ୍ବା ଭାବନା ଜବରଦସ୍ତି ପଶିଯାଏ । ଏହି ଭାବନା ସାଧାରଣତଃ ସ୍ତ୍ରୀପୁରୁଷ ଯୌନ(Sexual)ସମ୍ପର୍କ ସମ୍ବନ୍ଧୀୟ କିମ୍ବା ବିବାଦୀୟ ହୋଇଥାଏ । ଏହାକୁ କମାଇବା ପାଇଁ ଲୋକଟି ମନ ଭିତରେ ବିପରୀତ ପ୍ରକାର ଭାବନା ଆସିଥାଏ । କେତେକ ଲୋକ ମନ ମଧ୍ୟରେ ଗୋଟିଏ ପ୍ରକାର ଭାବନାକୁ ବାରମ୍ବାର ଭାବନ୍ତି ଓ ମନକୁ ମନ ଗଣନା କରନ୍ତି ।

ଦୈନନ୍ଦିନ କାର୍ଯ୍ୟ ଧୀରେ ଧୀରେ କରନ୍ତି(Primary Obsessive Slowness)[ସମ୍ପାଦନା]

ଲୋକଟିର ମନରେ ବିଭିନ୍ନ ପ୍ରକାର ଭାବନା ସବୁବେଳେ ଭରି ରହିଥାଏ । ତେଣୁ ସେ ଅନ୍ୟ କୌଣସି କାର୍ଯ୍ୟରେ ମନ ଦେଇପାରି ନ ଥାଏ । ସବୁ କାମ ଆସ୍ତେ ଆସ୍ତେ କରିଥାଏ । ଏପରିକି ଖାଇବା, ରୋଷେଇ କରିବା, ଦାଢି କାଟିବା ଇତ୍ୟାଦି କାମ ଘଣ୍ଟା ଘଣ୍ଟା ଧରି କରେ । ଏପରି ରୋଗର ଲକ୍ଷଣ ପ୍ରକାଶ ପାଇଲେ ମଧ୍ୟ ଲୋକମାନେ ଏହାକୁ ଏକ ମାନସିକ ରୋଗ ବୋଲି ଜାଣିପାରନ୍ତି ନାହିଁ । ଅନେକ ଲୋକ ଚିକିତ୍ସକଙ୍କ ପାଖକୁ ନ ଯାଇ ହେଳା କରନ୍ତି । ତେଣୁ ରୋଗଟି ବଢିଯାଏ । ଅନେକ ଲୋକ ମଧ୍ୟ ମାନସିକ ରୋଗ ଚିକିତ୍ସକଙ୍କ ପାଖକୁ ନ ଯାଇ ଅନ୍ୟାନ୍ୟ ରୋଗ ବିଶେଷଜ୍ଞଙ୍କ ପାଖକୁ ଯାଇ ସେମାନଙ୍କଠାରୁ ପରାମର୍ଶ ନେଇଥାଆନ୍ତି । ବାରମ୍ବାର ହାତ ଧୋଉଥିବାରୁ ହାତ ପାଣି ଖାଇଯାଏ ବା ବିଇଞ୍ଚି ପରି ହୋଇଯାଏ । ତେଣୁ ଅନେକ ରୋଗୀ ଚର୍ମରୋଗ ବିଶେଷଜ୍ଞମାନଙ୍କ ପାଖକୁ ଯାଇଥାଆନ୍ତି । ଏହି ରୋଗ ସହିତ ବାତ ମାରିବା, ମସ୍ତିଷ୍କ ଆଘାତ ବା ଅନ୍ୟ ସ୍ନାୟବିକ ରୋଗ ଦେଖାଦେଇଥାଏ । ତେଣୁ ସ୍ନାୟୁରୋଗ ବିଶେଷଜ୍ଞଠାରୁ ପରାମର୍ଶ ନେବା ପାଇଁ ଅନେକ ରୋଗୀ ଯାଇଥାନ୍ତି ।

ସନ୍ତାନ ଜନ୍ମ ପରେ କିଛି ସ୍ତ୍ରୀଲୋକମାନଙ୍କଠାରେ ଏପରି ରୋଗର ଲକ୍ଷଣ ପ୍ରକାଶ ପାଇଥାଏ; ତେଣୁ ସେମାନେ ସ୍ତ୍ରୀରୋଗ ବିଶେଷଜ୍ଞଙ୍କ ପାଖକୁ ଯାଇଥାଆନ୍ତି ।

ଛୋଟ ପିଲାମାନଙ୍କର ବ୍ୟାବହାରିକ ପରିବର୍ତ୍ତନ ଯଥା-ବାରମ୍ବାର ସଫାକରିବା ଦେଖି ଅଭିଭାବକମାନେ ଶିଶୁରୋଗ ବିଶେଷଜ୍ଞମାନଙ୍କ ପାଖକୁ ନେଇଥାଆନ୍ତି ।

ଅନେକ ରୋଗୀ ବାରମ୍ବାର ଦାନ୍ତ ସଫା କରୁଥିବାରୁ ମାଢିରେ କ୍ଷତ ସୃଷ୍ଟି ହୋଇଥାଏ; ତେଣୁ କେତେକ ଦନ୍ତରୋଗ ବିଶେଷଜ୍ଞମାନଙ୍କ ପାଖକୁ ଯାଇଥାଆନ୍ତି ।

ଚିକିତ୍ସା[ସମ୍ପାଦନା]

ଏପରି ଲକ୍ଷଣ ଦେଖାଦେଲେ ମାନସିକ ରୋଗ ବିଶେଷଜ୍ଞଙ୍କ ପରାମର୍ଶ କରିବା ଉଚିତ୍ । ଏହି ରୋଗର ଉପଶମ ପାଇଁ ମନସ୍ତାତ୍ତ୍ୱିକ ଚିକିତ୍ସା(Psychotherapy) ଓ ବ୍ୟାବହାରିକ ଚିକିତ୍ସା(Behaviour Therapy)ର ସାହାଯ୍ୟ ନିଆଯାଏ । ଏହାଦ୍ୱାରା ରୋଗୀ ଧିରେ ଧିରେ ନିଜ ରୋଗ ବିଷୟରେ ଜାଣେ ଓ ନିଜର ବିଚାରଧାରାକୁ ବଦଳାଇବାକୁ ଚେଷ୍ଟାକରେ । ବର୍ତ୍ତମାନ ଏହିରୋଗ ପାଇଁ କ୍ଲୋମିପ୍ରାମିନ୍(clomipramine) ଓ ଫ୍ଲୁଭକ୍‌ସାମିନ୍(Fluvoxamine) ଭଳି ଆଧୁନିକ ଔଷଧ ପ୍ରୟୋଗ କରାଯାଉଛି । କେତେକ ସ୍ଥଳରେ ବିଜୁଳି ଚିକିତ୍ସାର ସାହାଯ୍ୟ ନିଆଯାଉଛି । ଏହି ରୋଗରୁ ଆରୋଗ୍ୟ ହେବାକୁ ତିନିରୁ ଛଅ ମାସ ସମୟ ଲାଗିଥାଏ, କେତେକକ୍ଷେତ୍ରରେ ଅଧିକ ସମୟ ଲାଗିଥାଏ ।

ଆଧାର[ସମ୍ପାଦନା]

[୧]

  1. ଡାକ୍ତର ସମ୍ରାଟ କର, ମନକଥା ଜାଣନ୍ତୁ, ପୃଷ୍ଠା-୪୭-୫୦