ଶିବ ଚତୁର୍ଦ୍ଦଶୀ

ଉଇକିପିଡ଼ିଆ ରୁ
Jump to navigation Jump to search

ପ୍ରତ୍ୟେକ ମାସର କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଦିନଟିକୁ ଶିବ ଚତୁର୍ଦ୍ଦଶୀ ଭାବେ ପାଳନ କରାଯାଏ ।[୧] ଭଗବାନ ଶିବଙ୍କ ଉଦ୍ଦେଶ୍ୟରେ ପାଳନ କରାଯାଉଥିବା ଅନେକ ପୂଜାବ୍ରତ ମଧ୍ୟରେ ଶିବ ଚତୁର୍ଦ୍ଦଶୀ ଅନ୍ୟତମ । ପୁରାଣ ମତେ ଏକଦା ହିମାଳୟରେ ଅବସ୍ଥାନ କରୁଥିବା ସମୟରେ ଦେବୀ ପ୍ରଭୁ ଶିବଙ୍କୁ ପଚାରିଲେ ଯେ, ଆପଣଙ୍କ ଉଦ୍ଦେଶ୍ୟରେ ପାଳିତ ହେଉଥିବା ପୂଜାବ୍ରତମାନଙ୍କ ମଧ୍ୟରେ କେଉଁ ବ୍ରତ ଆପଣଙ୍କ ସବୁଠାରୁ ପ୍ରିୟ । ମହାଦେବ କହିଲେ ପ୍ରତ୍ୟେକ ଅଷ୍ଟମୀ, ସୋମବାର, କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଏହିସବୁ ଦିନ ଶିବ ଉପାସକଗଣ ମୋର ଅଧିକ ପ୍ରିୟ ଅଟନ୍ତି । ଏହିସବୁ ତିଥିମାନଙ୍କରେ ଯେଉଁମାନେ ଶିବାର୍ଚ୍ଚନା କରନ୍ତି, ଶିବମନ୍ତ୍ର ଜପ କରନ୍ତି, ଉପବାସ ପାଳନ କରନ୍ତି ମନ୍ଦିର ମାନଙ୍କରେ ତଥା ଯଦି ବାରଣାସୀରେ ମୃତ୍ୟୁହୋଇ ଯାଆନ୍ତି ତେବେ ସେମାନେ ମୁକ୍ତିପାଇ ଶିବଲୋକ ଗମନ କରନ୍ତି । ଆଉମଧ୍ୟ ସବୁଠାରୁ ଭାଗ୍ୟବାନ ସେମାନେ, ଯେଉଁମାନେ କି ପ୍ରୋକ୍ତ ଶିବାର୍ଚ୍ଚନା, ରୁଦ୍ରମନ୍ତ୍ରଜପ, ଶିବାଳୟରେ ଉପବାସ ତଥା ବାରଣାସୀରେ ମୃତ୍ୟୁ ଏସବୁ ଚାରିପ୍ରକାର କ୍ରିୟାଠାରୁ ବଳିଷ୍ଠ ଅଟନ୍ତି ସେମାନେ ଶିବରାତ୍ରି ବ୍ରତପାରଣ କରନ୍ତି ।

ଫାଲ୍‌ଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିକୁ ଆଶ୍ରୟ କରି ଯେଉଁ ଅନ୍ଧକାରମୟ ରାତ୍ରିର ଉଦୟ ହୋଇଥାଏ, ସେହିରାତ୍ରିକୁ ମହା ଶିବରାତ୍ରି କୁହାଯାଏ । ଉକ୍ତ ଚତୁର୍ଦ୍ଦଶୀ ତିଥିଦିନ ଯେଉଁମାନେ ଉପବାସ କରନ୍ତି, ସେମାନେ ନିଶ୍ଚିତଭାବେ ମୋତେ ସନ୍ତୁଷ୍ଟ କରିପାରନ୍ତି । ସ୍ନାନ, ଧୂପ, ଅର୍ଘ୍ୟ, ପୁଷ୍ପ ଦେବାଠାରୁ ଅଧିକ ମୂଲ୍ୟବାନ ହୋଇଥାଏ । ବୈଷ୍ଣବମାନଙ୍କ ଏକାଦଶୀ ତିଥିପରି ଶୈବମାନଙ୍କର ଚତୁର୍ଦ୍ଦଶୀ ତିଥି ମୂଖ୍ୟ ଅଟେ । ସବୁ ଚତୁର୍ଦ୍ଦଶୀ ଶିବରାତ୍ରି ସ୍ୱରୂପ ଅଟେ । ଜ୍ୟୋତିଷ ଗଣନା ଅନୁସାରେ ପ୍ରତିପଦା ଆଦି ଷୋଳତିଥି ଯେପରି ଅଗ୍ନିଆଦି ଦେବତାମାନଙ୍କର ପ୍ରିୟ ତଥା ଅଧିପତି ଅଟନ୍ତି । ସେହିଭଳି ଚତୁର୍ଦ୍ଦଶୀ ତିଥି ଶିବଙ୍କର ପ୍ରିୟ ତଥା ସେ ତିଥିର ଅଧିପତି ଅଟନ୍ତି । ଈଶାନ ସଂହିତା ମତେ ଫାଲ୍‌ଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ଶିବ ଲିଙ୍ଗରୂପେ ଆବିର୍ଭୂତ ହୋଇ ବ୍ରହ୍ମାବିଷ୍ଣୁଙ୍କ ବିଦ୍ୱେଷ ଖଣ୍ଡନ କରିଥିଲେ ।

ସେହିପରି ବୃହଷ୍ପତି କୃତ୍ୟକୌମୁଦୀ ଗ୍ରନ୍ଥରେ କୃଷ୍ଣପକ୍ଷ ଚତୁର୍ଦ୍ଦଶୀରେ ଶିବରାତ୍ରି ତଥା ଫାଲ୍‌ଗୁନ ମାସରେ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ମହାଶିବରାତ୍ରି ରୂପେ ବର୍ଣ୍ଣିତ ହୋଇଛି । ବର୍ଷକ ବାରମାସ ମଧ୍ୟରେ ଏକାଦଶତମ ମାସ ହେଉଛି ଫାଲ୍‌ଗୁନ ମାସ । ରୁଦ୍ରଙ୍କ ସଂଖ୍ୟା ଏକାଦଶ ହୋଇଥିବାରୁ ତଥା ଫାଲ୍‌ଗୁନ ମାସ ବର୍ଷର ଏଗାର ସଂଖ୍ୟାରେ ଥିବାରୁ ସେହିମାସର କୃଷ୍ଣପକ୍ଷ ଚତୁର୍ଦ୍ଦଶୀକୁ ମହାଶିବରାତ୍ରୀ ମାନ୍ୟତା ଦିଆଯାଇଛି ତଥା ଜ୍ୟୋତିର୍ଲିଙ୍ଗ ଉଦ୍‌ଭବ ଯୋଗୁଁ ଉକ୍ତଦିନର ଗୁରୁତ୍ୱ ଶୈବ ସଂସ୍କୃତିରେ ଶ୍ରେଷ୍ଠତମ ହୋଇଉଠିଛି। ସେଥିଲାଗି ସବୁବର୍ଣ୍ଣର ଲୋକ ପୁରୁଷ, ନାରୀ, ବାଳ, ବୃଦ୍ଧ, କ୍ଷତ୍ରୀୟ, ବ୍ରାହ୍ମଣ, ବୈଶ୍ୟ, ଶୂଦ୍ର, ଦେବତାମାନେ ମଧ୍ୟ ସକାମ ଉକ୍ତି ଦେଉ କିମ୍ବା ନିଷ୍କାମ ଉକ୍ତିରେ ଶିବ ଆରାଧନା କରିଥାନ୍ତି ।

ଲୋକକଥା[ସମ୍ପାଦନା]

ଓଡ଼ିଶାରେ ଶିବବ୍ରତକୁ ଲକ୍ଷ୍ୟକରି ଗୋବିନ୍ଦ ଚନ୍ଦ୍ର ରଥ ଏକ ବ୍ରତକଥା ରଚନା କରିଛନ୍ତି ‌। ବ୍ରତ କଥାନୁସାରେ ମଧ୍ୟଦେଶରେ ଜଣେ ପାପକର୍ମ ନାମରେ ବ୍ୟାଧ ଥିଲା । ପଶୁପକ୍ଷୀ ଶିକାର କରି ଜୀବିକା ନିର୍ବାହ କରିବା ତା’ର ବୃତ୍ତି ଥିଲା । ଏକଦା ପାପକର୍ମ କାଳାଞ୍ଚନା ପର୍ବତରୁ ଶିକାର କରି ଫେରୁଥିବା ସମୟରେ ବାଟରେ ଏକ ମହାବଳ ବ୍ୟାଘ୍ର ଭୟରେ ଏକ ବେଲଗଛ ଉପରେ ଚଢ଼ିଗଲା । ବେଲଗଛ ତଳେ ଏକ ଶିବଲିଙ୍ଗ ଥିଲା । ବ୍ୟାଘ୍ରଟି ଗଛମୂଳେ ବ୍ୟାଧକୁ ଖାଇବ ବୋଲି ଅପେକ୍ଷା କରି ରହିଲା । ବିଚରା ବ୍ୟାଧ ଗଛ ଉପରେ ରହି ଉପବାସରେ ରାତ୍ରି ଯାପନ କଲା । ସେହି ସମୟରେ ବେଲପତ୍ର ଛିଣ୍ଡାଇ ବ୍ୟାଘ୍ରକୁ ଘଉଡ଼ାଇବା ଉଦ୍ଦେଶ୍ୟରେ ପକାଉଥିଲା । ଯୋଗରୁ ସେଦିନ ଶିବରାତ୍ରି ଚତୁର୍ଦ୍ଦଶୀ ତିଥି ପଡ଼ିଥିଲା । ଉପବାସ ତଥା ଶିବଲିଙ୍ଗରେ ବେଲପତ୍ର ଚଢ଼ାଇବା କାର୍ଯ୍ୟ ସେଦିନ ହୋଇଯାଇ ବ୍ରତପାଳନ ମଧ୍ୟ ହୋଇଗଲା । ସକାଳ ହେଲା ବ୍ୟାଘ୍ର ସେସ୍ଥାନ ଛାଡ଼ି ଚାଲିଯିବାରୁ ପାପକର୍ମା ବୃକ୍ଷରୁ ଓହ୍ଲାଇ ଘରକୁ ବାହୁଡ଼ିଲା । ସେହି ସମୟରେ ପୁନଶ୍ଚ ବ୍ୟାଘ୍ର ଆସି ବ୍ୟାଧକୁ ମାରିଦେଲା । ଯମଦୂତମାନେ ବ୍ୟାଧର ଜୀବନ ନେବାକୁ ଆସିଲେ । ଶିବଗଣମାନେ ଆସି ଯମଗଣଙ୍କ ହସ୍ତରୁ ବ୍ୟାଧର ପ୍ରାଣକୁ ନେଇ ଶିବଲୋକକୁ ଚାଲିଗଲେ ।

ଅନ୍ୟଏକ ବର୍ଣ୍ଣିତ ଉପାଖ୍ୟାନଅନୁସାରେ କୃଷ୍ଣଶର୍ମା ନାମକ ଏକ ବ୍ରାହ୍ମଣ ସ୍ନାନସମୟରେ ପୋଖରୀରେ ପଡ଼ିଥିବା ଏକଇଟାରେ ଗୋଡ଼ଘଷି ହୋଇ ସ୍ନାନକରୁଥିଲା । ସେହି ଇଟା ଏକ ଶିବମନ୍ଦିରର ଥିଲା । ତା’ପର ଦିନ ସ୍ନାନଶୌଚ ସମୟରେ ସର୍ପ ଦଂଶନରେ ତାଙ୍କର ମୃତ୍ୟୁ ହେଲା । ଶିବମନ୍ଦିରର ଇଟାରେ ଗୋଡ଼ଘଷି ଥିବାରୁ ତାହାର ମୃତ୍ୟୁ ହୋଇଛି ଏବଂ ତା’ର ସବୁ ପୂଣ୍ୟଫଳ ନଷ୍ଟ ହୋଇଛି । ଏଣୁ ସେହି ପୁଷ୍କରଣୀ ତଟରେ ଥିବା ବରଗଛରେ ପ୍ରେତଭାବେ ଏକ ଅୟୁତବର୍ଷ ପର୍ଯ୍ୟନ୍ତ ରହିବାକୁ ହେବ । ଯଦି କୌଣସି ପୂଣ୍ୟାତ୍ମା ଶିବରାତ୍ରି ବ୍ରତର ପୂଣ୍ୟ ଦାନକରେ ତେବେ ତା’ର ପ୍ରେତଜନ୍ମରୁ ମୁକ୍ତି ମିଳିବ ବୋଲି ଯମରାଜା କୃଷ୍ଣଶର୍ମାଙ୍କୁ ବୁଝାଇ କହିଲେ । ସେହି ଇଟା ଶିବମନ୍ଦିର କିପରି ବୋଲି ମିନତୀ ହୋଇ ପ୍ରଶ୍ନ କରିବାରୁ ଯମରାଜା କୃଷ୍ଣଶର୍ମା ବ୍ରାହ୍ମଣଙ୍କୁ ସବୁକଥା କହିଲେ । ପୂର୍ବେ କାଶ୍ମୀରରେ ଜଣେ ଶିବଭକ୍ତ ବ୍ରାହ୍ମଣ ଥିଲେ । ସେ ମାଘମାସରେ ତୀର୍ଥାଟନ ଲାଗି ପ୍ରୟାଗକୁ ଯାଇଥିଲେ । ସେଠାରେ ତ୍ରିବେଣୀ ସଙ୍ଗମରେ ଗଙ୍ଗା, ଯମୁନା, ସରସ୍ୱତୀ ନଦୀରେ ପିତୃ ତର୍ପଣ କରିଥିଲେ । ଭଗମାଳୀ ନାମରେ ଜଣେ ଶିବଭକ୍ତ ସେଠାରେ ଉପସ୍ଥିତ ହେଲେ । କାଶ୍ମୀର ବ୍ରାହ୍ମଣ ଶୈବ ବ୍ରାହ୍ମଣଙ୍କୁ ଭୋଜନ ଲାଗି ନିମନ୍ତ୍ରଣ କଲେ । ବ୍ରାହ୍ମଣ ଜଣକ ଶିବ ଦର୍ଶନ କରିନଥିବାରୁ ଭୋଜନକୁ ବାରଣ କଲେ । ବ୍ରାହ୍ମଣଙ୍କର ଶିବଭକ୍ତି ଦେଖି ତାଙ୍କୁ ଅନେକ ପ୍ରଶ୍ନ ପଚାରିଲେ । ଶିବଦର୍ଶନ ଓ ପୂଜା ଭିତରେ ପାର୍ଥକ କ’ଣ । ଶିବଦର୍ଶନ କଲେ ସହସ୍ର ଅଶ୍ୱମେଧ ଯଜ୍ଞର ଫଳଲାଭ, ମଧ୍ୟାହ୍ନରେ ଦର୍ଶନ କଲେ ସକଳ ଦୂରିତ ନାଶ ହୁଏ, ପ୍ରଦୋଷରେ ଦର୍ଶନକଲେ ବ୍ରହ୍ମହତ୍ୟା ଦୋଷ ଖଣ୍ଡନ ହେବା, ପ୍ରତିଦିନ ଦର୍ଶନରେ ଶିବଙ୍କ ପ୍ରିୟଭାଜନ ହେବା, ଚତୁର୍ଦ୍ଦଶୀରେ ଦର୍ଶନ କଲେ ପାପମୁକ୍ତ ହୋଇ ଶିବଲୋକରେ ସ୍ଥାନ ପାଇବା ଆଦି ପ୍ରସଙ୍ଗ ଆଲୋଚନା କଲେ । ସେଦିନ ବାବାଜୀଙ୍କ ଆଶ୍ରମରେ ଅବସ୍ଥାନ କରି ରାତ୍ରିରେ ଶିବଲିଙ୍ଗ ପୂଜାକଲେ । ପରଦିନ ବ୍ରାହ୍ମଣ ଜଣକ ସେ ସ୍ଥାନ ତ୍ୟାଗକଲେ ଏବଂ ବାବାଜୀ ସେହିସ୍ଥାନରେ ଏକ ଶିବମନ୍ଦିର ନିର୍ମାଣ କଲେ । ଅନେକ ଦିନପରେ ମନ୍ଦିରଟି ଭାଙ୍ଗିଯାଇଥିଲା । ସେଥିରୁ ଇଟା ଖଣ୍ଡକ ଆସି ପୁଷ୍କରଣୀ ତୁଠରେ ପଡ଼ିଥିଲା । ସେହିଇଟାରେ କୃଷ୍ଣଶର୍ମା ବ୍ରାହ୍ମଣ ଗୋଡ଼ଘଷିବାରୁ ତାଙ୍କର ଏପରି ଦଶା ଘଟିଲା ବୋଲି ଯମରାଜା ତାଙ୍କୁ ବୁଝାଇଦେଲେ । ତେଣୁ କୃଷ୍ଣଶର୍ମା ପ୍ରେତହୋଇ ସେଠାର ବଟବୃକ୍ଷରେ ନିବାସ କରି ତାଙ୍କର କୌଣସି ଶିଷ୍ୟକୁ ଅପେକ୍ଷା କରିରହିଲେ । ସମୟ ଆସିଲା କୃଷ୍ଣଶର୍ମାଙ୍କର ଜଣେ ‘ନିରଘ’ ବୋଲି ଶିଷ୍ୟ, ତାଙ୍କୁ ସବୁକଥା କହିଲେ । ‘ନିରଘ’ ସୂର୍ଯ୍ୟଙ୍କୁ ପାଣିଟେକି ସମସ୍ତ ଚତୁର୍ଦ୍ଦଶୀ କରି ତାର ସକଳ ପୂଣ୍ୟଫଳକୁ କୃଷ୍ଣଶର୍ମାଙ୍କୁ ଦେବେ ବୋଲି ଶପଥ କଲେ । ତା’ପରେ ‘ନିରଘ’ ଭକ୍ତିପୂତ ଭାବେ ଶିବଚତୁର୍ଦ୍ଦଶୀ ବ୍ରତ ଓ ଶିବରାତ୍ରି ବ୍ରତପାଳନ କଲେ । ଯାହା ଫଳରେ ନିଜ ପୂଣ୍ୟଫଳରୁ ‘ନିରଘ’ କୃଷ୍ଣଶର୍ମାଙ୍କୁ ଦାନକରିବାରୁ ସେ ଶିବଲୋକକୁ ଗମନ କଲେ ଓ ନିରଘ ମଧ୍ୟ ନିଜ ପୂଣ୍ୟଫଳ ଯୋଗୁଁ ଶିବଲୋକ ଗମନ କଲେ । [୨]

ଆଧାର[ସମ୍ପାଦନା]

  1. "Shiva Chaturdashi | Shiva Chaturdashi Fast". Astrobix. Retrieved 22 March 2015.
  2. ଲଚ୍ଛମନ ରାଉତ, ସାହାଣମେଲା, ୧୭.୨.୧୫