ଶାରଳା ଘଟନୃତ୍ୟ

ଉଇକିପିଡ଼ିଆ ରୁ
Jump to navigation Jump to search

ଭାରତ ବର୍ଷର ପାଚୀନ ଲୋକକଳା-ଲୋକସଂଗୀତ ଓ ଲୋକନୃତ୍ୟ ସମ୍ପ୍ରତି ଆନ୍ତର୍ଜାତୀୟ କ୍ଷେତ୍ରରେ ଯଥେଷ୍ଟ ସୁଖ୍ୟାତି ଅର୍ଜନ କରିବା ସହିତ ଉକୃଷ୍ଟ କଳାର କ୍ଷେତ୍ର ପୂଣ୍ୟଭୂମି ଓଡ଼ିଶାରେ ପ୍ରଚଳିତ ହୋଇ ଆସୁଥିବା କେତେକ ପ୍ରାଚୀନ ଲୋକନୃତ୍ୟ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟିକରି ପାରିଛି ୤ ମାତ୍ର ବର୍ତ୍ତମାନ ଉପଯୁକ୍ତ ପ୍ରଶିକ୍ଷଣ ତଥା ସରକାରୀ ପ୍ରୋତ୍ସାହନ ଅଭାବରୁ କେତେକ ପ୍ରାଚୀନ ଲୋକନୃତ୍ୟ ଲୋପ ପାଇବାକୁ ବସିଲାଣି ୤ ଏଥିପାଇଁ କଳା ସଂସ୍କୃତିପ୍ରେମୀ ଚିନ୍ତାଶୀଳ ବୁଦ୍ଧିଜୀବିମାନେ ଗଭୀର ଉଦ୍ ବେଗ ପ୍ରକାଶ କରିଛନ୍ତି ୤ ସେଥିମଧ୍ୟରୁ ଓଡ଼ିଶାର ସର୍ବପ୍ରାଚୀନ ତନ୍ତ୍ରଭିତ୍ତିକ ଆଧ୍ୟାତ୍ମିକ ଲୋକନୃତ୍ୟ “ଶାରଳା ଘଟନୃତ୍ୟ” ଆଜି ମାଟିରେ ମିଶିବାକୁ ବସିଲାଣି ୤ ଓଡ଼ିଶୀ ସମେତ ଓଡ଼ିଶାର ଅନ୍ୟାନ୍ୟ ନୃତ୍ୟ ଆଜି ଆନ୍ତର୍ଜାତିକ ସ୍ତରରେ ପ୍ରସିଦ୍ଧି ଲାଭ କରିଛି ୤ ଏହି ପରିପ୍ରେକ୍ଷୀରେ ଓଡ଼ିଶାର ଘଟପାଟୁଆ ନୃତ୍ୟ ତନ୍ତ୍ରଭିତ୍ତିକ ଓ ଆଧ୍ୟାତ୍ମିକ ଲୋକନୃତ୍ୟ ଭାବେ ସୁବିଖ୍ୟାତ ୤ ଦୀର୍ଘ ୨୦୦୦ବର୍ଷ ତଳେ ଏହି ଅଲୌକିକ ଓ ବିସ୍ମୟକର ଘଟନୃତ୍ୟର ପ୍ରଚଳନ ଆରମ୍ଭ ହୋଇଥିଲା ୤ ମାତୃଶକ୍ତିର ଅଲୌକିକ ମହାମହିମା ଲୀଳାର ପ୍ରଚାର ପ୍ରସାର ପାଇଁ ପରବର୍ତ୍ତୀ ସମୟରେ ରଣପାନୃତ୍ୟର ପ୍ରଚଳନ ଆରମ୍ଭ ହୋଇଥିଲା ୤

ଘଟପାଟୁଆ ନୃତ୍ୟର ପୌରାଣିକ ମତ[ସମ୍ପାଦନା]

ସତ୍ୟଯୁଗରେ ତାରକାସୁର ନାମରେ ଜଣେ ରାକ୍ଷସ ଭଗବାନ ଶଙ୍କରଙ୍କ ବରଦାନରେ ବଳିୟାନ ହୋଇ ପ୍ରବଳ ପ୍ରତାପୀ ଓ ପରାକ୍ରମୀ ହୋଇ ଉଠିଲା ୤ ସେହି ତାରକାସୁରର ଅତ୍ୟାଚାରରେ ଅତିଷ୍ଠ ହୋଇ ଦେବ-ନର-ଗନ୍ଧର୍ବ-କିନ୍ନର ଭୟରେ ଥରହର ହୋଇ ତ୍ରାହି ତ୍ରାହି ଡାକିଲେ ୤ ସମସ୍ତେ ମିଳିମିଶି ଆଦ୍ୟାଶକ୍ତି ମହାମାୟାଙ୍କର ଶରଣାପନ୍ନ ହେବାରୁ ଦେବୀ ଅର୍ଦ୍ଧନାରୀଶ୍ୱର ରୂପରେ ଦେବୀ ତାରକାସୁର ନିଧନର ବିଜୟ ଉତ୍ସବ ପାଳିତ ହେଉଥିଲା ୤ ସେହି ପରମ୍ପରାକୁ ଆଧାର କରି ଘଟପାଟୁଆମାନେ ଏହି ଅର୍ଦ୍ଧନାରୀଶ୍ୱର ବେଶ ଧାରଣ କରି ଘଟନୃତ୍ୟ ପ୍ରଦର୍ଶନ କରିଥାନ୍ତି ୤ ମୀନସଂକ୍ରାନ୍ତି ଠାରୁ ମହାବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ଘଟପାଟୁଆମାନେ ପୁରପଲ୍ଲୀରୁ ସହରନଗରୀ ପର୍ଯ୍ୟନ୍ତ ବୁଲିବୁଲି ଘଟନୃତ୍ୟ ପରିବେଷଣ କରିବା ପରେ ମହାବିଷୁବ ସଂକ୍ରାନ୍ତି ଝାମୁଯାତ୍ରା ଦିନ ଅଗ୍ନିପରୀକ୍ଷା ଦେଇ ନିଜନିଜ ଭକ୍ତିର ପରାକାଷ୍ଠା ପ୍ରଦର୍ଶନ କରିଥାନ୍ତି ୤ ପ୍ରଚଣ୍ଡ ରୌଦ୍ର ତାପ ବୈଶାଖ ମାସ ମଧ୍ୟାହ୍ନ ସମୟରେ ଘଟପାଟୁଆମାନେ ଘଟଦଣ୍ଡକୁ ମୁଣ୍ଡରେ ଧାରଣ କରି ଖାଲିପାଦରେ ପ୍ରଜ୍ଜଳିତ ଅଗ୍ନିକୁଣ୍ଡ ମଧ୍ୟରେ ପ୍ରବେଶ କରି ମାତୃଶକ୍ତିର ଅଲୌକିକ ମହିମା ପ୍ରତି ଭକ୍ତମାନଙ୍କୁ ଆକୃଷ୍ଟ କରିଥାନ୍ତି ୤ ସାଧାରଣତଃ ପୁରପଲ୍ଲୀର ଅଧିବାସୀମାନେ ଏହି ଘଟପାଟୁଆମାନଙ୍କୁ ମା’ଙ୍କର ଚଳନ୍ତି ପ୍ରତିନିଧିଭାବେ ଗ୍ରହଣ କରି ହଳଦୀପାଣିରେ ଗୋଡ ଧୋଇଦେବା ପରେ ଧୂପ, ଦୀପ, ବସ୍ତ୍ର, ଫୁଲ ଫଳ ଓ ତଣ୍ଡୁଳ ଆଦି ଦେଇ ଘଟଦଣ୍ଡକୁ ପୂଜା କରିଥାନ୍ତି ୤ ଘଣ୍ଟବାଦ୍ୟର ଘୋର ଘର୍ଘର ନାଦର ତାଳେ ତାଳେ ଘଟପାଟୁଆମାନେ ବିଭିନ୍ନ ଅଙ୍ଗମୁଦ୍ରା ପ୍ରଦର୍ଶନ କରିଥାନ୍ତି ୤ ଏହି ଅଲୌକିକ ଅଙ୍ଗମୁଦ୍ରା ଓ ନୃତ୍ୟର ବୈଚିତ୍ର ଲୋକମାନଙ୍କ ମଧ୍ୟରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥାଏ ୤ ଦୀର୍ଘ ଏକମାସ ଧରି ଉଦୁଉଦିଆ ଖରାବେଳେ ଲହୁଲୁହକୁ ତିଳତିଳ କରି ଦଗ୍ଧ କରୁଥିବା ଏହି ଘଟପାଟୁଆମାନେ ଯାହାକିଛି ଅର୍ଥ ଉପାର୍ଜନ କରନ୍ତି ସେଥିରେ ବର୍ଷସାରା ଯେନତେନ ପ୍ରକାରରେ ସେମାନଙ୍କ ପରିବାର ଭରଣ ପୋଷଣ କରିଥାନ୍ତି ୤

ଘଟପାଟୁଆର ବେଶଭୂଷା[ସମ୍ପାଦନା]

ଘଟନୃତ୍ୟକାରୀ ଘଟପାଟୁଆମାନେ ପାଦରେ ଝୁମ୍ପା, କଟିଦେଶରେ ବିଭିନ୍ନ ରଙ୍ଗର ଶାଢ଼ୀର ଘାଗରା, ଦେହରେ ବ୍ଳାଉଜ, ମୁଣ୍ଡରେ ଖୋସା, ମଥାରେ ଫୁଲ ଝୁମ୍ପା, ହାତରେ ଚୁଡ଼ି, ବାହୁରେ ବଳା ପିନ୍ଧି ନିଜକୁ ସଜ୍ଜିତ କରିଥାନ୍ତି ୤ ଗୋଟିଏ କାଷ୍ଠ ନିର୍ମିତ ଦଣ୍ଡର ଉପରିଭାଗରେ ଏକ ଜଳପୂର୍ଣ୍ଣ କୁମ୍ଭକୁ ରଖାଯାଏ, ତା’ଉପରେ ଡମ୍ବରୁ ଆକୃତିର ନଡ଼ିଆ ଖଡ଼ିକାରେ ତିଆରି ଏକ ଆବରଣ ଦିଆଯାଏ ୤ ଏହାର ଚତୁଃପାର୍ଶ୍ୱକୁ ପୁଷ୍ପ ଆଚ୍ଛାଦିତ କରାଯାଏ ୤ କଳସ ଉପରେ ଗୋଟିଏ କଦଳୀଭଣ୍ଡାର ମରାଯାଏ ୤ ସେହି କଦଳୀଭଣ୍ଡାର ଉପରେ ଅରଖ ଫୁଲ ଓ ମନ୍ଦାର ଫୁଲରେ ଗୁନ୍ଥା ଯାଇଥିବା ଦଶଗୋଟି ପୁଷ୍ପଗୁଚ୍ଛକୁ ଖୋସାଯାଏ ୤[୧]

ଆଧାର[ସମ୍ପାଦନା]

  1. ରମାକାନ୍ତ ରାଉଳ, ସୂର୍ଯ୍ୟପ୍ରଭା, ପୃଷ୍ଠା-୮, ଗୁରୁବାର, ୨୬ଅପ୍ରେଲ ୨୦୧୨