ଶକୁନ୍ତଳା

ଉଇକିପିଡ଼ିଆ‌ରୁ
Jump to navigation Jump to search

ହିନ୍ଦୁ ପୁରାଣରେ ଶକୁନ୍ତଳା (ସଂସ୍କୃତ: शकुन्तला) ଦୁଷ୍ମନ୍ତଙ୍କ ପତ୍ନୀ ଏବଂ ସମ୍ରାଟ ଭରତଙ୍କ ମାତା ।[୧] ତାଙ୍କ କାହାଣୀ ମହାଭାରତରେ ବର୍ଣ୍ଣିତ ଏବଂ ଏହି କାହାଣୀ ମଧ୍ୟ ଅନେକ ଲେଖକଙ୍କଦ୍ୱାରା ନାଟକ ଭାବେ ରଚନା କରାଯାଇଛି । କାଳିଦାସଙ୍କ ରଚିତ ଅଭିଜ୍ଞାନ ଶାକୁନ୍ତଳମ ହେଉଛି ଏହି କାହାଣୀ ଉପରେ ଆଧାରିତ ସବୁଠାରୁ ପ୍ରସିଦ୍ଧ ନାଟକ ।[୨]

ରାଜା ରବି ବର୍ମାଙ୍କଦ୍ୱାରା ଅଙ୍କିତ ଶକୁନ୍ତଳାଙ୍କ ଏକ ତୈଳଚିତ୍ର

ଜନ୍ମ[ସମ୍ପାଦନା]

ଥରେ ବିଶ୍ୱାମିତ୍ର ଜଣେ ବ୍ରହ୍ମର୍ଷିର ମାନ୍ୟତା ପାଇବା ପାଇଁ ତପସ୍ୟା କରିବା ଆରମ୍ଭ କଲେ । ତାଙ୍କର କଠୋର ତପରେ ଇନ୍ଦ୍ର ଭୟଭୀତ ହେଲେ । ସେ ଭୟ କରୁଥିଲେ ଯେ ବିଶ୍ୱାମିତ୍ର ତାଙ୍କ ଇନ୍ଦ୍ର ପଦ ଚାହାଁନ୍ତି । ତାଙ୍କର ତପସ୍ୟା ଭଙ୍ଗ କରିବା ପାଇଁ ଇନ୍ଦ୍ର ମେନକା ନାମ୍ନୀ ଏକ ଅପସରା ପଠାଇଲେ । ମେନକା ବିଶ୍ୱାମିତ୍ରଙ୍କ ଧ୍ୟାନ ସ୍ଥଳରେ ପହଞ୍ଚି ତାଙ୍କୁ ପ୍ରଲୋଭିତ କରିବାକୁ ଲାଗିଲେ । ବିଶ୍ୱାମିତ୍ର ତାଙ୍କର କାମନାକୁ ନିୟନ୍ତ୍ରଣ କରିପାରିନଥିଲେ ଏବଂ ଫଳରେ ତାଙ୍କର ତପ ଭଙ୍ଗ ହୋଇଯାଇଥିଲା । ବିଶ୍ୱାମିତ୍ର ଏବଂ ମେନକା କିଛି ବର୍ଷ ଏକାଠି ରହିଲେ ଏବଂ ସେମାନଙ୍କ ଔରସରୁ ଏକ ଝିଅ ଜନ୍ମ ହେଲା । ପରେ ବିଶ୍ୱାମିତ୍ର ହୃଦୟଙ୍ଗମ କଲେ ଯେ ଇନ୍ଦ୍ର ହିଁ କୌଶଳ ପୂର୍ବକ ତାଙ୍କ ତପ ଭଙ୍ଗ କରିଛନ୍ତି । ସେ ଅନୁଭବ କଲେ ଯେ ତାଙ୍କର କାମନାକୁ ନିୟନ୍ତ୍ରଣ କରିବା ଆବଶ୍ୟକ । ବିଶ୍ୱାମିତ୍ର ମେନକାଙ୍କୁ ପରିତ୍ୟାଗ କଲେ । ମେନକା ମଧ୍ୟ ଜନ୍ମିତ କନ୍ୟା ଶିଶୁଟିକୁ ଋଷି କଣ୍ୱଙ୍କ ଆଶ୍ରମରେ ଛାଡି ସ୍ୱର୍ଗକୁ ଫେରିଯାଇଥିଲେ ।[୩] ଋଷି କଣ୍ୱ ସେହି ଆଶ୍ରମରେ କନ୍ୟା ଶିଶୁଟିକୁ ଶକୁନ୍ତ ପକ୍ଷୀଙ୍କଦ୍ୱାରା ଘୋଡାଇହୋଇ ପଡିଥିବାର ଦେଖିଲେ । ତେଣୁ, ସେ ତାଙ୍କୁ ଶକୁନ୍ତଳା (ସଂସ୍କୃତ: शकुन्तला) ନାମ ଦେଲେ, ଯାହାର ଅର୍ଥ ଶକୁନ୍ତଙ୍କଦ୍ୱାରା ସୁରକ୍ଷିତ ।[୪]

ଦୁର୍ବାସାଙ୍କ ଅଭିଶାପ[ସମ୍ପାଦନା]

ଜଙ୍ଗଲରେ ଶୀକାର କରିବା ବେଳେ ଏକ ପୁରୁଷ ହରିଣ ଶରବିଦ୍ଧ ତଥା ଆହତ ହୋଇ ଦୌଡି ପଳାଇବାରୁ ରାଜା ଦୁଷ୍ମନ୍ତ ତାହାକୁ ଗୋଡାଉଥିଲେ । ଏହି ସମୟରେ ତାଙ୍କର ସାକ୍ଷାତ ହୁଏ ସୁନ୍ଦରୀ ଶକୁନ୍ତଳାଙ୍କ ସହ । ଶକୁନ୍ତଳାଙ୍କ ରୂପ ଲାବଣ୍ୟରେ ମୁଗ୍ଧ ହୋଇ ଦୁଷ୍ମନ୍ତ ଶକୁନ୍ତଳାଙ୍କୁ ବିବାହ କରିବାକୁ ଚାହିଁଲେ ଏବଂ ଗାନ୍ଧର୍ବ ରୀତିରେ ଉଭୟେ ବିବାହ କରିଥିଲେ । ଶୀକାର ଅନ୍ତେ ରାଜା ଦୁଷ୍ମନ୍ତ ଶକୁନ୍ତଳାଙ୍କୁ ତାଙ୍କ ରାଜପ୍ରାସାଦକୁ ଆଣିବାର ପ୍ରତିଶୃତିର ପ୍ରତୀକ ଭାବରେ ନିଜ ଆଙ୍ଗୁଠିର ମୁଦ୍ରିକା ଦେଇ ନିଜ ରାଜ୍ୟକୁ ଫେରିଯାଇଥିଲେ ।

କଣ୍ୱ ଋଷିଙ୍କ ଆଶ୍ରମରେ ରହି ଶକୁନ୍ତଳା ତାଙ୍କ ନୂତନ ସ୍ୱାମୀଙ୍କ ସ୍ୱପ୍ନରେ ବହୁ ସମୟ ଅତିବାହିତ କରିଥିଲେ ଏବଂ ଅନେକ ସମୟରେ ତାଙ୍କ ସ୍ୱପ୍ନରେ ବିଚଳିତ ମଧ୍ୟ ହୋଇଥିଲେ । ଦିନେ ଋଷି ଦୁର୍ବାସା କଣ୍ୱଙ୍କ ଆଶ୍ରମକୁ ଆସିଥିଲେ କିନ୍ତୁ ଶକୁନ୍ତଳା ଦୁଷ୍ମନ୍ତଙ୍କ ଚିନ୍ତାରେ ଏପରି ଭାବନାରେ ହଜିଯାଇଥିଲେ ଯେ, ସ୍ୱଭାବତଃ କ୍ରୋଧୀ ଋଷି ଦୁର୍ବାସାଙ୍କ ସଠିକ୍ ଅଭିବାଦନ କରିବାରେ ବିଫଳ ହୋଇଥିଲେ । ଏହି କାରଣରୁ ଋଷି ଶକୁନ୍ତଲାଙ୍କୁ ଅଭିଶାପ ଦେଇ କହିଥିଲେ ଯେ, ସେ ଯାହାଙ୍କୁ ସ୍ୱପ୍ନରେ ଦେଖୁଥିଲେ ସେ ତାଙ୍କୁ ଭୁଲିଯିବେ । ଋଷି ଦୁର୍ବାସା ରାଗରେ ବିଦାୟ ନେବାବେଳେ ଶକୁନ୍ତଲାଙ୍କ ଜଣେ ବାନ୍ଧବୀ ସାଙ୍ଗେ ସାଙ୍ଗେ ଋଷିଙ୍କ ନିକଟରେ ପହଞ୍ଚି ଶକୁନ୍ତଳାଙ୍କ ଅନ୍ୟମନସ୍କତାର କାରଣ ବୁଝାଇଦେଇଥିଲେ । ଏଭଳି କ୍ଷେତ୍ରରେ ତାଙ୍କର ଅତ୍ୟଧିକ କ୍ରୋଧ ଯଥାର୍ଥ ନୁହେଁ ବୋଲି ଅନୁଭବ କରି ଋଷି ତାଙ୍କ ଅଭିଶାପକୁ ବଦଳାଇ କହିଥିଲେ ଯେ ଶକୁନ୍ତଳାଙ୍କୁ ଭୁଲିଯାଇଥିବା ବ୍ୟକ୍ତି ଯଦି ତାଙ୍କୁ ଦିଆଯାଇଥିବା ବ୍ୟକ୍ତିଗତ ଉପହାର ଦେଖାନ୍ତି ତେବେ ସବୁକିଛି ତାଙ୍କର ଅମନେ ପଡିଯିବ ।[୨]

ଦୁଷ୍ମନ୍ତଙ୍କ ସହ ମିଳନ[ସମ୍ପାଦନା]

ସମୟ ଅତିବାହିତ ହେଲା କିନ୍ତୁ ଦୁଷ୍ମନ୍ତ ନ ଫେରିବାରୁ ଶକୁନ୍ତଳା ଆଶ୍ଚର୍ଯ୍ୟ ହେଲେ ଯେ ଦୁଷ୍ମନ୍ତ ତାଙ୍କ କଥା ମୁତାବକ ତାଙ୍କୁ ରାଣୀରୂପେ ଗ୍ରହଣ କରିବା ପାଇଁ କାହିଁକି ଆସୁନାହାନ୍ତି । ଶେଷରେ ସେ ତାଙ୍କ ପାଳିତ ପିତା ଏବଂ କିଛି ସାଥୀଙ୍କ ସହ ଦୁଷ୍ମନ୍ତଙ୍କ ରାଜଧାନୀ ଅଭିମୁଖେ ଯାତ୍ରା କଲେ । ବାଟରେ, ସେମାନଙ୍କୁ ଏକ ନଦୀ ପାର ହେବାକୁ ପଡିଲା । ଏହି ସମୟରେ ଶକୁନ୍ତଳା ନଦୀର ଗଭୀର ନୀଳ ଜଳ ଦେଇ ଆଙ୍ଗୁଳି ଚଳାଇବାଦ୍ୱାରା ରାଜା ଦୁଷ୍ମନ୍ତଙ୍କ ପ୍ରଦତ୍ତ ମୁଦ୍ରିକାଟି ଆଙ୍ଗୁଳିରୁ ଖସିଗଲା ।

ଏହାପରେ ଶକୁନ୍ତଳା ତାଙ୍କ ସ୍ୱାମୀ ରାଜା ଦୁଷ୍ମନ୍ତଙ୍କ ପ୍ରାସାଦକୁ ଯାଇଛନ୍ତି । ରାଜା ଦୁଷ୍ମନ୍ତଙ୍କ ଦରବାରରେ ପହଞ୍ଚିବା ପରେ ଶକୁନ୍ତଳା ଆଶ୍ଚର୍ଯ୍ୟ ତଥା ବିଚଳିତ ହୋଇଯାଇଥିଲେ ଯେ ତାଙ୍କ ସ୍ୱାମୀ ତାଙ୍କୁ ଚିହ୍ନି ପାରିନଥିଲେ କିମ୍ବା ତାଙ୍କ ବିଷୟରେ କିଛି ସ୍ମରଣ କରିପାରି ନଥିଲେ । ସେ ତାଙ୍କୁ ମନେ ପକାଇବାକୁ ଚେଷ୍ଟା କରିଥିଲେ ଯେ ସେ ତାଙ୍କ ପତ୍ନୀ କିନ୍ତୁ ଶାପର ପ୍ରଭାବରୁ ମୁଦ୍ରିକା ବିନା ଦୁଷ୍ମନ୍ତ ତାଙ୍କୁ ଚିହ୍ନି ପାରିନଥିଲେ । ଅପମାନିତ ହୋଇ ସେ ଜଙ୍ଗଲକୁ ଫେରିଗଲେ ଏବଂ ନିଜ ପୁଅକୁ ସାଙ୍ଗରେ ନେଇ ଏକ ଜଙ୍ଗଲରେ ନିଜେ ବସବାସ କଲେ । ଏଠାରେ ସେ ତାଙ୍କ ଦିନ ବିତାଇଥିବାବେଳେ ତାଙ୍କ ପୁଅ ଭରତ ବଡ ହୋଇଥିଲେ ।

ସେହି ସମୟରେ ଜଣେ ମତ୍ସ୍ୟଜୀବୀ ଧରିଥିବା ଏକ ମାଛର ପେଟରେ ରାଜକୀୟ ମୁଦ୍ରିକାଟିଏ ପାଇ ଆଶ୍ଚର୍ଯ୍ୟ ହୋଇଗଲେ । ରାଜକୀୟ ମୁଦ୍ରାକୁ ଚିହ୍ନି ସେ ହସ୍ତିନାପୁରର ରାଜପ୍ରାସାଦକୁ ନେଇଗଲେ ଏବଂ ସେହି ମୁଦ୍ରିକାଟି ଦେଖି ଦୁଷ୍ମନ୍ତଙ୍କୁ ଶକୁନ୍ତଳାଙ୍କ ସହ ତାଙ୍କ ସୁନ୍ଦର ସ୍ମୃତି ତାଙ୍କ ମନେ ପଡିଗଲା । ସେ ସଙ୍ଗେ ସଙ୍ଗେ ତାଙ୍କୁ ଖୋଜିବାକୁ ବାହାରିଲେ ଏବଂ ପିତାଙ୍କ ଆଶ୍ରମରେ ପହଞ୍ଚି ଦେଖିଲେ ଯେ ସେ ଆଉ ନାହାଁନ୍ତି । ସେ ନିଜ ପତ୍ନୀଙ୍କୁ ଖୋଜିବା ପାଇଁ ଘଞ୍ଚ ଜଙ୍ଗଲ ଭିତରକୁ ଚାଲିଗଲେ ଏବଂ ଜଙ୍ଗଲରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ତାଙ୍କ ସାମ୍ନାକୁ ଆସିଲା: ଜଣେ ଛୋଟ ବାଳକ ଏକ ସିଂହର ପାଟି ଖୋଲି ଦାନ୍ତ ଗଣିବାରେ ବ୍ୟସ୍ତ ଥିଲା । ରାଜା ପିଲାଟିକୁ ଅଭିବାଦନ ଜଣାଇଲେ, ତାଙ୍କର ସାହସ ଏବଂ ଶକ୍ତି ଦେଖି ଆଶ୍ଚର୍ଯ୍ୟ ହୋଇ ତାଙ୍କ ନାମ ପଚାରିଲେ । ପିଲାଟି ଉତ୍ତର ଦେଲା ଯେ ସେ ରାଜା ଦୁଷ୍ମନ୍ତଙ୍କ ପୁତ୍ର ଭରତ । ପିଲାଟି ତାଙ୍କୁ ଶକୁନ୍ତଳାଙ୍କ ନିକଟକୁ ନେଇଗଲା ଏବଂ ଏହିପରି ଭାବରେ ଶକୁନ୍ତଳା ଏବଂ ଦୁଷ୍ମନ୍ତଙ୍କ ମିଳନ ସମ୍ଭବ ହେଲା ।[୨]

ଚଳଚ୍ଚିତ୍ର ଓ ଛୋଟ ପରଦାରେ ରୂପାୟନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Story of Shakuntala & Dushyanta. | Mahabharata Stories, Summary and Characters from Mahabharata". www.mahabharataonline.com. Retrieved 14 December 2020.
  2. ୨.୦ ୨.୧ ୨.୨ Viswanathan, Priya (16 September 2011). "Shakuntala - the Epitome of Beauty, Patience and Virtue". Dolls of India (in ଇଂରାଜୀ). Retrieved 14 December 2020.
  3. Sattar, Arshia (22 June 2017). "The ultimate male fantasy". The Hindu (in ଇଂରାଜୀ). Retrieved 14 December 2020.
  4. "The Mahabharata, Book 1: Adi Parva: Sambhava Parva: Section LXXII". www.sacred-texts.com. Retrieved 14 December 2020.